Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କର ୨୨ ତମ ବନ୍ଧୁମିଳନ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ବଡ଼ଦିନ ଅବସରରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ନିର୍ଦ୍ଧାରିତ ଏହି ଦିନରେ ବନ୍ଧୁମିଳନର ଆୟୋଜନ କରାଯାଇଥାଏ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଏହି ପରିଷଦର ଶିକ୍ଷକ ସଭାପତି ବିପିନ କୁମାର ସାହୁ ଯୋଗଦାନ କରି ନିଜର ଅଭିଭାଷଣରେ ‘ପୁରାତନ ବିଦ୍ୟାର୍ଥୀମାନେ ବିଦ୍ୟାଳୟର ଗୌରବ, ସେମାନେ ସମାଜରେ ପ୍ରତିଷ୍ଠା ଲାଭ କଲେ ମାତା-ପିତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଆନନ୍ଦିତ ହେବେ’ ବୋଲି କହିଥିଲେ।

ଏହି ଅବସରରେ ପୁରାତନ ଛାତ୍ର ପରିଷଦର ଶିକ୍ଷକ ଉପସଭାପତି ଶିତିକଣ୍ଠ ପତି ବିଦ୍ୟାଳୟର ଗୌରବ ବୃଦ୍ଧିନିମନ୍ତେ ପୁରାତନ ଛାତ୍ରମାନେ ପ୍ରୟାସ କରିବା ଉଚିତ ବୋଲି କହିଥିଲେ। ପ୍ରାକ୍ତନ ସମାଜବିଜ୍ଞାନ ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ପୁରାତନ ବିଦ୍ୟାର୍ଥୀମାନଙ୍କୁ ନିଜର ଦୀର୍ଘଦିନର ଶିକ୍ଷା ଅଭିଜ୍ଞତାରୁ କିଛି ଉପଦେଶାତ୍ମକ କଥା କହିବା ସହ ଦୁନିଆରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ପରିଷଦର ସଂଯୋଜିକା ଶିକ୍ଷୟିତ୍ରୀ ଜ୍ୟୋସ୍ନା ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଶିକ୍ଷକ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାମଲ, ଶୁଭ୍ରାଂଶୁ ମୋହନ ଦାଶ, ଅଖିଳ ରଞ୍ଜନ ଦାଶ ଆଦି ଅନେକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଚିଲିକା ବ୍ଲକ୍ ଅନ୍ତର୍ଗତ ଇଞ୍ଜନପୁରସ୍ଥିତ ଚିଲିକା ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୯୮୪ ମସିହା ବାଲୁଗାଁ ଉଚ୍ଚବିଦ୍ୟାଳୟର ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୭ ବର୍ଷ ବ୍ୟବଧାନ ପରେ ଭାରତୀୟ ନୌସେନା କମାଣ୍ଡର ତପନ କୁମାର ସାହୁଙ୍କ ପୌରହିତ୍ୟରେ ଅତୀତ ସାଥିସାଙ୍ଗମାନଙ୍କୁ ବିଭିନ୍ନ ପ୍ରାନ୍ତରରୁ ଯୋଗାଯୋଗ କରି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ତଥା କର୍ମମୟ ଜୀବନ ଭିତରେ ନିଜ ନିଜର ଭାବବିହୋଳତାକୁ ଉପସ୍ଥାପନା କରି ଆଜି ପୂର୍ବାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥି ଭାବେ ତତ୍‌କାଳୀନ ପ୍ରଧାନଶିକ୍ଷକ ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ବିଗତ ଛାତ୍ରଜୀବନ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ନିଜର କର୍ତ୍ତବ୍ୟନିଷ୍ଠା ତଥା ସମାଜସେବୀର ପରିଚୟ ସୃଷ୍ଟି କରିପାରି ସମ୍ପୃକ୍ତି ଅଞ୍ଚଳରେ ବିକାଶଧାରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏଥିସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତମାନର ଶିକ୍ଷା ପ୍ରସାରଣ କରିବା ପାଇଁ ଶ୍ରୀ ସାହୁ ପ୍ରତ୍ୟେକ ବର୍ଷ ଅଷ୍ଟମଶେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଏବଂ ସର୍ବୋଚ୍ଚ ମାର୍କ ଧାରଣ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେବେ ବୋଲି ଘୋଷଣା କରିଥିଲେ। ଏଭଳି ଏକ ମହତ୍ କାର୍ଯ୍ୟକୁ ଉତ୍କଣ୍ଠାର ସହ ତାଙ୍କର ସହଧର୍ମୀଣୀ ମାମାଲି ସାହୁ, ଦୁଇକନ୍ୟା ତେଜସ୍ୱୀ ସାହୁ, ଇତିଶ୍ରୀ ସାହୁଙ୍କ ସମେତ ଅତୀତର ବନ୍ଧୁ ଏବଂ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ କୋଭିଡ୍ କଟକଣାର ନିୟମ ଅନୁଯାୟୀ ପାଳନ କରାଯାଇଥିବା ବେଳେ ସ୍କୁଲ୍ ପରିବେଶରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ମାଇନର ସ୍କୁଲର ୧୯୯୫-୯୬ ବ୍ୟାଚର ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଖ୍ୟାତିସମ୍ପର୍ଣ୍ଣ ସର୍ବପୁରାତନ ସ୍କୁଲ ବାଣପୁର ମାଇନର ସ୍କୁଲର ୧୯୯୫-୯୬ ମସିହାର ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଓଡ଼ିଶାର ପ୍ରଖ୍ୟାତ କବି ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଉଚ୍ଚତ୍ତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ତଦନାନ୍ତନ ପ୍ରଧାନଶିକ୍ଷକ ବ୍ରଜସୁନ୍ଦର ମହାପାତ୍ର, ସହକାରୀ ଶିକ୍ଷକ ତ୍ରିନାଥ ପ୍ରଧାନ, ଶିବପ୍ରସାଦ ମିଶ୍ର, ବାଳମୁକନ୍ଦ ଦାସ ଓ ଶିକ୍ଷୟିତ୍ରୀ ସୁଜାତା ପାତ୍ରଙ୍କୁ ଯଥୋଚିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ପୁରାତନ ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର ସ୍ବାଗତ ଭାଷଣଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରି ଏପରି ବନ୍ଧୁମିଳନରେ ଗୁରୂପୁଜନ ପରମ୍ପରା ସଦାସର୍ବଦା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଦିବଂଗତ ଶିକ୍ଷକ କାହ୍ନୁଚରଣ ରାୟ ଓ ଜ୍ୟୋତିର୍ମୟୀ ମହାନ୍ତିଙ୍କ ଆତ୍ମାର ସଦ୍ଗତି ପ୍ରାର୍ଥନା ପରେ ପୁରାତନ ଛାତ୍ର ଜାନକୀ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର, ହରିହର ସୁବୁଦ୍ଧି, ଶେଖ୍ ହୁସେନ, ସୁଶାନ୍ତ ସାହୁ ଓ ରେଣୁବାଳା ଦାସଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସାଧାରଣତଃ କଲେଜ ଓ ମ୍ୟାଟ୍ରିକସ୍ତରରେ ବନ୍ଧୁମିଳନ ଦେଖିବାକୁ ମିଳୁଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ବାଣପୁରରେ ପ୍ରଥମତଃ ଅନୁଷ୍ଠିତ ହୋଇଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଥିଲେ।