ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ

Published: Mar 14, 2021, 8:36 pm IST

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଚିଲିକା ବ୍ଲକ୍ ଅନ୍ତର୍ଗତ ଇଞ୍ଜନପୁରସ୍ଥିତ ଚିଲିକା ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୯୮୪ ମସିହା ବାଲୁଗାଁ ଉଚ୍ଚବିଦ୍ୟାଳୟର ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୭ ବର୍ଷ ବ୍ୟବଧାନ ପରେ ଭାରତୀୟ ନୌସେନା କମାଣ୍ଡର ତପନ କୁମାର ସାହୁଙ୍କ ପୌରହିତ୍ୟରେ ଅତୀତ ସାଥିସାଙ୍ଗମାନଙ୍କୁ ବିଭିନ୍ନ ପ୍ରାନ୍ତରରୁ ଯୋଗାଯୋଗ କରି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ତଥା କର୍ମମୟ ଜୀବନ ଭିତରେ ନିଜ ନିଜର ଭାବବିହୋଳତାକୁ ଉପସ୍ଥାପନା କରି ଆଜି ପୂର୍ବାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥି ଭାବେ ତତ୍‌କାଳୀନ ପ୍ରଧାନଶିକ୍ଷକ ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ବିଗତ ଛାତ୍ରଜୀବନ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ନିଜର କର୍ତ୍ତବ୍ୟନିଷ୍ଠା ତଥା ସମାଜସେବୀର ପରିଚୟ ସୃଷ୍ଟି କରିପାରି ସମ୍ପୃକ୍ତି ଅଞ୍ଚଳରେ ବିକାଶଧାରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏଥିସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତମାନର ଶିକ୍ଷା ପ୍ରସାରଣ କରିବା ପାଇଁ ଶ୍ରୀ ସାହୁ ପ୍ରତ୍ୟେକ ବର୍ଷ ଅଷ୍ଟମଶେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଏବଂ ସର୍ବୋଚ୍ଚ ମାର୍କ ଧାରଣ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେବେ ବୋଲି ଘୋଷଣା କରିଥିଲେ। ଏଭଳି ଏକ ମହତ୍ କାର୍ଯ୍ୟକୁ ଉତ୍କଣ୍ଠାର ସହ ତାଙ୍କର ସହଧର୍ମୀଣୀ ମାମାଲି ସାହୁ, ଦୁଇକନ୍ୟା ତେଜସ୍ୱୀ ସାହୁ, ଇତିଶ୍ରୀ ସାହୁଙ୍କ ସମେତ ଅତୀତର ବନ୍ଧୁ ଏବଂ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ କୋଭିଡ୍ କଟକଣାର ନିୟମ ଅନୁଯାୟୀ ପାଳନ କରାଯାଇଥିବା ବେଳେ ସ୍କୁଲ୍ ପରିବେଶରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related posts