Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୩ ବର୍ଷରେ ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ପହଁଚିବ: ବର୍ଣ୍ଣଷ୍ଟିନ୍ ରିପୋର୍ଟ

ଭୁବନେଶ୍ୱର/ ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୨୦୨୬ ସୁଦ୍ଧା ୫୦ କୋଟି ହୋଇଯିବ ବୋଲି ବ୍ରୋକରେଜ୍ ସଂସ୍ଥା ବର୍ଣ୍ଣଷ୍ଟିନ୍ ଏହାର ରିପୋର୍ଟରେ ଆକଳନ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ହେବା ସହ ଗ୍ରାହକ କ୍ଷେତ୍ରରେ ଏହାର ବଜାର ଅଂଶ ବୃଦ୍ଧି ପାଇ ୪୮ ପ୍ରତିଶତ ଏବଂ ରାଜସ୍ୱ ବଜାର ଅଂଶ ପାଖାପାଖି ୪୭ ପ୍ରତିଶତ ହେବାର ସମ୍ଭାବନା ରହିଛି। ରିଲାଏନ୍ସ ଜିଓର ବର୍ତମାନ ଗ୍ରାହକ ସଂଖ୍ୟା ହେଉଛି ୪୩ କୋଟି ୩୦ ଲକ୍ଷ। ୫୦ କୋଟି ସଂଖ୍ୟାରେ ପହଁଚିବା ଲାଗି ଜିଓକୁ ଆସନ୍ତା ୩ ବର୍ଷରେ ପ୍ରାୟ ୬ କୋଟି ୭୦ ଲକ୍ଷ ନୂଆ ଗ୍ରାହକ ଯୋଡ଼ିବାକୁ ପଡ଼ିବ।

ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ମୋବାଇଲ୍ ଟାରିଫ୍‌ରେ ସେଭଳି କୌଣସି ବୃଦ୍ଧି ହେବନାହିଁ। ୨୦୧୬ରେ ଜିଓ ବଜାରରେ ପ୍ରବେଶ କରିବା ବେଳେ ଟାରିଫ୍ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଥିଲା। ଟେଲିକମ୍ କଂପାନିଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟାରିଫ୍ ମୂଲ୍ୟ ପ୍ରାୟ ୯୫ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୬ ସୁଦ୍ଧା ଜିଓର ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ (ଆର୍‌ପୁ) ୨୨୫ ଟଙ୍କାରେ ପହଁଚିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବର୍ଣ୍ଣଷ୍ଟିନ୍ ଆକଳନ କରିଛି ଯେ ୫ଜି ଯୋଗୁଁ ଜିଓ ଲାଗି ରାଜସ୍ୱର ନୂଆ ରାସ୍ତା ଖୋଲିବ ଏବଂ ଏହିଭଳି ଭାବେ ଆର୍‌ପୁରେ ମଧ୍ୟ ବୃଦ୍ଧି ଘଟିବ।