Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବି: ଟାଙ୍ଗୀ ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗଣ ଧାରଣା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଦରକୁ ବିରୋଧ କରାଯାଉଛି। ରାଜ୍ୟ କଂଗ୍ରେସ ଏନେଇ ଆଂଦୋଳନର ଡାକରା ଦେଇଛି। ରାଜ୍ୟର ସବୁ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ଆନ୍ଦୋଳନ ଡାକରା ଦିଆଯାଇଛି। କଂଗ୍ରେସର ବ୍ଲକ ସଭାପତି ଯୋଗେନ୍ଦ୍ର କୁମାର ରାଉତଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତ୍ୟାହାର କରିନ୍ତୁ ବୋଲି କଂଗ୍ରେସ ଦାବି କରିଛି।

କଂଗ୍ରେସର ଦାବି ମୁତବକ, ୨୦୧୬ରେ ବିମୁଦ୍ରାୟନ ଓ ପରେ ପରେ କରୋନା ମହାମାରୀ ଯୋଗୁଁ ସବୁବର୍ଗର ବିଶେଷତଃ ମଧ୍ୟବିତ, ନିମ୍ନ ମଧ୍ୟବିତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାରକାରୀ ଅନୁ, କ୍ଷୁଦ୍ର, ମାଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। କ୍ରୟ ଶକ୍ତି ହ୍ରାସ ପାଇଛି। ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦରରେ ବୃଦ୍ଧି ଘଟାଇଛି। ବିଶେଷତଃ ଟାଟା ବିଦ୍ୟୁତ ବିତରକ ସଂସ୍ଥା ବିତରଣ ଦାୟିତ୍ଵ ନେବା ଠାରୁ ୟୁନିଟ ପିଛା ଗତ ୭ ମାସ ମଧ୍ୟରେ ୨ ଥରରେ ୫୦ ପଇସା ଦର ବୃଦ୍ଧି କରିଛି।

ଓଡିଶା ଏକ ବିଦ୍ୟୁତ ଆମଦାନକାରୀ ରାଜ୍ୟ ଭାବେ ପରିଚିତ। ଏଠାରେ କୋଇଲା ଏବଂ ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ। ଅଥଚ ବିଦ୍ୟୁତ ଶୁଳ୍କ, ବିଦ୍ୟୁତ କର ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ ବ୍ୟବହାର ଉପଭୋକ୍ତାମାନଙ୍କୁ ୟୁନିଟ ପିଛା ୫ ଟଙ୍କା ୬୦ ପଇସା ଏବଂ ୪୦୦ ୟୁନିଟରୁ ଉର୍ଦ୍ଧ୍ଵ ବ୍ୟବହାର କଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଦେବାକୁ ପଡୁଛି। ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅସହ୍ୟ ହେଉଛି। ତେଣୁ ଏହି ଦର ବୃଦ୍ଧିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଦାବି କରିଛି।

ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ୍ ନେତା ସଂଜୟ ପଟ୍ଟନାୟକ, ବିଶ୍ୱ ଭୁଷଣ ଛୋଟ୍ଟରାୟ, ଅଶୋକ କୁମାର ପାତ୍ର, ଗଣେଷ ପାଲଟା ସିଂ, ଗୋପାଳ ଜେନା ପ୍ରମୁଖ ସାମିଲ ରହି  ପ୍ରତିବାଦ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ସଂଧ୍ୟାରେ ଲାଇନ ବନ୍ଦ କରିବାକୁ କଂଗ୍ରେସ କଲା ଅନୁରୋଧ

ଭୁବନେଶ୍ୱର, ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶୀକୀୟ ସାମଗ୍ରୀର ଦରବୃଦ୍ଧି ହୋଇଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ଏହି ବିଜୁଳି ଦର ବୃଦ୍ଧି ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତି ଚିନ୍ତାଜନକ ଅଟେ । ସେଥିପାଇଁ ଏହି ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ଏପ୍ରିଲ ୪ ତାରିଖ, ରବିବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍‌ରୁ ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍‌) ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏଣୁ ଦଳମତ ନିର୍ବିଶେଷରେ ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତିକୁ ପ୍ରତ୍ୟାହାର ଲାଗି ଚାପ ପ୍ରୟୋଗ କରିବା ପାଇଁ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ

ବର୍ଦ୍ଧିତ ବିଦ୍ୟୁତ ଦର ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଵ ଆମ ଜନତା ଅଧିକାର

ଭୁବନେଶ୍ବର: କରୋନା ମହାମାରୀରେ ଆର୍ଥିକ କଲବଲକୁ ବଢ଼ାଇ ଦେଇଛି ସରକାରଙ୍କ ବିଦ୍ୟତ ଶୁଳ୍କ ବୃଦ୍ଧି ଘୋଷଣା। ବର୍ତ୍ତମାନ ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଓଡିଶାରେ ବିଦ୍ୟୁତ ଶୁଳ୍କ ଯଥେଷ୍ଟ ଅଧିକ ରହିଛି। ବିଦ୍ୟୁତ ଉତ୍ପାଦନ କରୁନଥିବା ରାଜ୍ୟଠାରୁ ମଧ୍ୟ ଏହା ଅଧିକ। କମ୍ପାନୀ ଓ କର୍ପୋରେଟମାନଙ୍କ ଠାରୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ନକରି ସାଧାରଣ ଗରିବ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଆର୍ଥିକ ଶୋଷଣକୁ ଆଜି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନଆନ୍ଦୋଳନ କରିବ ବୋଲି ଘୋଷଣା କରିଛି।

ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ବଡ଼ ବଡ଼ କମ୍ପାନୀ ଉପରେ ୫୯୬୪ କୋଟି ଟଙ୍କା ବକେୟା ପଡିଛି। ତାକୁ ଆଦାୟ ନ କରି ସାଧାରଣ ଜନତାଙ୍କ ଉପରେ ସରକାର ଦାଉ ସାଧୁଛନ୍ତି। ବିଦ୍ୟୁତ ବଣ୍ଟନ ଜନିତ ଟ୍ରାନ୍ସମିଶନ କ୍ଷତିକୁ ୮% ପର୍ଯ୍ୟନ୍ତ ଦିଲ୍ଲୀ ଭଳି ଅନ୍ୟାନ୍ୟ ରାଜ୍ୟ ବହୁପରିମାଣରେ କମାଇ ସାରିଥିବା ବେଳେ ଓଡିଶାରେ ଏ ପର୍ଯ୍ୟନ୍ତ ୩୦% ରୁ ଅଧିକ ରହିଛି। ଏହି କ୍ଷତିକୁ ନ କମାଇ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସାଧାରଣ ଲୋକଙ୍କ ଉପରେ ତାକୁ ଲଦିଦେବା ଅତ୍ୟନ୍ତ ନିନ୍ଦନୀୟ ମାତ୍ର ଦୁଇ ମାସ ହେଲା ଦାୟିତ୍ୱ ନେଇଥିବା ଟାଟା କମ୍ପାନୀକୁ ସୁହାଇଲା ଭଳି ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। ଓଇଆରସିର ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ନୋଟିଫିକେସନ ବାହାରିନଥିବା ବେଳେ ତରବରିଆ ଭାବେ ଏହି ଘୋଷଣା କାହା ସ୍ୱାର୍ଥରେ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ।

ଆଜିର ଉତ୍କଳ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ମୁଖପାତ୍ର ପ୍ରସନ୍ନ ବିଶୋଇ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ପ୍ରଣତି ସ୍ବାଇଁ ଓ ଉପଭୋକ୍ତା ମହାସଂଘ ସଭାପତି ତଥା ଆମ ଜନତା ଅଧିକାରର କାର୍ଯ୍ୟକାରୀ ସଦସ୍ୟ ରମେଶ ଶତପଥୀ ଉପସ୍ଥିତ ଥିଲେ।