Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ। ସେ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସଭାପତି ଥିଲେ। ଗତକାଲି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଆଜି ସେ ଶଙ୍ଖ ଭବନରେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ବଲାଙ୍ଗିର ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ସସ୍ମିତ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଶ୍ରୀ ଭୋଇଙ୍କ ସହିତ ସେହି ଅଞ୍ଚଳର ବହୁ କର୍ମି ଓ ସରପଞ୍ଚ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଶ୍ରୀ ଭୋଇ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋନପୁରକୁ ଗଡିବ ଚାରିଟି ଟ୍ରେନ୍

ଭୁବନେଶ୍ଵର: ବଲାଙ୍ଗିର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର-ବଲାଙ୍ଗୀର ଏକ୍ସପ୍ରେସର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ:

12893 ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ 01ଘ.45ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ 03ଘ.15ମି.ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ 12894 ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ 01 ଘଟିକାରେ ଛାଡି ଅପରାହ୍ନ 02ଘ.25ମି.ରେ ବଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍ ଅପରାହ୍ନ 02ଘ.45ମି.ରେ ବଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି 09ଘ.45ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ 14.03.2024 ଠାରୁ ସୋନପୁରରୁ ଏବଂ 15.03.2024 ଠାରୁ ଭୁବନେଶ୍ୱରରୁ ନିୟମିତ ଭାବେ ଚଳାଚଳ କରି ସେବା ପ୍ରଦାନ କରିବ।

12893/12894 ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମୟ ସାରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ।

ବଲାଙ୍ଗୀର-ବିଛୁପାଲି ପାସେଞ୍ଜର 15 ମାର୍ଚ୍ଚ 2024 ଠାରୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ:

08305/08306 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର ସୋନପୁରକୁ ସମ୍ପ୍ରସାରଣ କରାଯାଇଅଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ପୂର୍ବାହ୍ନ 08ଘ.15ମି.ରେ ଛାଡି ସୋନପୁରରେ ପୂର୍ବାହ୍ନ 09ଘ.45ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ପୂର୍ବାହ୍ନ 10ଘ.45ମି.ରେ ଛାଡି ମଧ୍ୟାହ୍ନ 12 ଘଟିକାରେ ବଲାଙ୍ଗୀରରେ ପହଞ୍ଚିବ।

08307/08308 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ଅପରାହ୍ନ 12ଘ.50ମି.ରେ ଛାଡି ସୋନପୁରରେ ଅପରାହ୍ନ 02ଘ.20ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ସନ୍ଧ୍ୟା 05 ଘଟିକାରେ ଛାଡି ସନ୍ଧ୍ୟା 06ଘ.15ମି.ରେ ବଲାଙ୍ଗୀରରେ ପହଞ୍ଚିବ।

15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ନୂତନ ଟ୍ରେନ ପ୍ରଚଳନ:

08309/08310 ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର 15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀରରୁ ସନ୍ଧ୍ୟା 07ଘ.15ମି.ରେ ଛାଡି ସୋନପୁରରେ ସନ୍ଧ୍ୟା 08ଘ.45ମି.ରେ ପହଞ୍ଚିବ।  ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ 16 ମାର୍ଚ୍ଚ 2024 ଠାରୁ ଭୋର 04ଘ.15ମି.ରେ ଛାଡି ବଲାଙ୍ଗୀର ଠାରେ ସକାଳ 05ଘ.30ମି.ରେ ପହଞ୍ଚିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ଟଙ୍କା ନେଇ ଖସି ପଳାଉଥିବା ବେଳେ ତହସିଲ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଆଜି ସକାଳୁ ଭିଜିଲାନ୍ସ ଏକ ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଏବଂ ରେକର୍ଡ କିପରଙ୍କୁ ଧରିଛି। ସେ ଜଣଙ୍କର ଜମି ପଟ୍ଟା ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି। ତାଙ୍କ ହାତରୁ ରଂଗବୋଳା ୧୦ ହଜାର ଟଙ୍କା ଜବତ କରାଯିବା ସହିତ ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି।

ଘଟଣାରୁ ଜଣାପଡିଛି ଯେ, ବଲାଙ୍ଗିର ଜିଲ୍ଲା ମୁରିବାହଲ ତହସିଲର ବରିଷ୍ଠ ରାଜସ୍ବ ଅଧିକାରୀ ତଥା ରେକର୍ଡ କିପର ଅଛନ୍ତି ହେଭଲେଟ ବାର୍ଲା। ସେ ଜଣଙ୍କର ଜମି ମ୍ୟୁଟେସନ କରି ପଟ୍ଟା ପ୍ରଦାନ କରିବାକୁ ଲାଞ୍ଚ ମାଗିଥିଲେ। ସଂପୃକ୍ତି ବ୍ୟକ୍ତି ବାରମ୍ବାର ତାଙ୍କ ଅଫିସକୁ ଆସିଥିଲେ ମଧ୍ୟ ସେ ତାହା କରାଇ ନ ଦେଇ ୨୦ ହଜାର ଟଙ୍କା ଦାବୀ କରିଥିଲେ।

ଫଳରେ ସଂପୃକ୍ତି ଜମି ମାଲିକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ବାର୍ଲା ପ୍ରଥମ କିସ୍ତି ଭାବେ ୧୦ ହଜାର ଟଙ୍କା ନେବେ ବୋଲି ନିଷ୍ପତି ହୋଇଥିଲା। ସେହି ଅନୁସାରେ ସେ ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ବର୍ତ୍ତମାନ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିର ଓ ସୁବର୍ଣ୍ଣପୁରରେ କାର୍ତ୍ତିକ ପାଣ୍ଡିଆନ, ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ସଫଳତାର ମନ୍ତ୍ର

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢି ମଧ୍ୟ ଭଲ କ୍ୟାରିଅର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର।

କଠିନ ପରିଶ୍ରମର ବିକଳ୍ପ ନାହିଁ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପଢି ଆଜି ସଫଳତାର ଶୀର୍ଷରେ ଥିବା କିଛି ବ୍ୟକ୍ତଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।
ଏ ଅବସରରେ ସଫଳ ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ପାଟଣାଗଡ଼ରେ ୧୯୫୭ ମସିହାରେ ଜନ୍ମ ହୋଇଥିଲେ ସୁବ୍ରତ ବାଗଚି।

ପାଟଣାଗଡ଼ରେ ସରକାରୀ ସ୍କୁଲରେ ପାଠ ପଢି ଓଡ଼ିଶା ସେକ୍ରେଟାରିଆଟରେ ଜଣେ କିରାଣୀ ଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ। ଏହାପରେ ଚାକିରି ଛାଡି ଆଇଟି କ୍ଷେତ୍ରରେ ଯୋଗ ଦେଇଥିଲେ। ଆଇଟି ଇଣ୍ଡଷ୍ଟ୍ରିରେ ଯୋଗ ଦେଇ ସେ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ମାଇଣ୍ଡ ଟ୍ରି ଭଳି ଆଇଟି କମ୍ପାନୀ କରି ୨୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ଆଉ ଜଣେ ସଫଳ ବ୍ୟକ୍ତିତ୍ବ ହେଉଛନ୍ତି ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ସୁବର୍ଣ୍ଣପୁର ଜିଲ୍ଲାର ଏହି ବ୍ୟକ୍ତିତ୍ବ ଗାଁ କଲେଜରେ ପାଠ ପଢୁଥିଲେ। ଯୁକ୍ତ ଦୁଇ ଫେଲ ହୋଇଯିବା ପରେ ସେ ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ସିନେମାଟୋଗ୍ରାଫି ଶିକ୍ଷା ନେଇଥିଲେ। କଠିନ ପରିଶ୍ରମ ବଳରେ ସେ ଆଜି ଭାରତୀୟ ସିନେମା ଜଗତର ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି ନୀଳମାଧବ। ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଉ ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଜଷ୍ଟିସ ସଂଜୟ ମିଶ୍ର। ବଲାଙ୍ଗିର ପୃଥ୍ବୀରାଜ ସରକାରୀ ହାଇସ୍କୁଲରୁ ପାଠ ପଢି ସେ ଝାରଖଣ୍ଡର ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇପାରି ଥିଲେ। ବଲାଙ୍ଗିରର ସେଇ ପୃଥ୍ବୀରାଜ ହାଇସ୍କୁଲରୁ ପାଠ ପଢିଥିବା ଅରୁଣ ଷଡ଼ଙ୍ଗୀ ଆଜି ଓଡିଶାର ପୋଲିସ ଡିଜି ପାହ୍ୟାକୁ ଯାଇପାରିଛନ୍ତି।

ଆଉ ଜଣେ ଆତ୍ମବିଶ୍ବାସର ଭରପୁର ଥିବା ବ୍ୟକ୍ତିତ୍ବ ପାୟଲଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ଦୁର୍ଘଟଣାରେ ତାଙ୍କର ଦୁଇ ହାତ ଓ ଗୋଡ଼ ସେ ହରାଇଛନ୍ତି। ତେବେ ପାୟଲଙ୍କ ଭିତରେ ଥିବା ଗଭୀର ଆତ୍ମବିଶ୍ବାସ ତାଙ୍କୁ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଦେଇଛି ଶକ୍ତି। ପାରା ଆଥଲେଟିକ୍ ପାଇଁ ଅଭ୍ୟାସ କରୁଛନ୍ତି ବଲାଙ୍ଗିର ଝିଅ ପାୟଲ। ନିକଟରେ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଛନ୍ତି।

ନିଜେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ହୋଇପାରିଥିଲେ ବୋଲି ପାଣ୍ଡିଆନ ପିଲାମାନଙ୍କୁ କହିଥିଲେ। ପ୍ରତିଦିନ ୨୦ କିଲୋମିଟର ସାଇକଲ ଚଳାଇ ସ୍କୁଲକୁ ଯା ଆସ କରୁଥିଲେ। ସରକାରୀ ସ୍କୁଲରେ ପାଠପଢି କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ବଳରେ ଏ ସମସ୍ତେ ଆଜି ସଫଳତା ହାସଲ କରି ସଫଳ ବ୍ୟକ୍ତିତ୍ବର ପରିଚୟ ପାଇଛନ୍ତି।

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶର ଉନ୍ନତି ଲାଗି ଏହି ନୂଆ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କ ଜୀବନର ଗୋଲଡେନ ପିରିୟଡରେ ଅଛନ୍ତି। ୫ବର୍ଷରେ ଯାହା କରିବେ ତା ଉପରେ ନିର୍ଭର କରିବ ଆଗାମୀ ୫୦ ବର୍ଷ କେମିତି କଟିବ। ସଫଳତା ଲାଗି ପାଠ ପଢିବା ଜରୁରୀ। ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାକୁ ପଡିବ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। କୋ-କରିକୁଲାର କାର‌୍ୟ୍ୟକ୍ରମରେ ଭାଗ ନେଲେ ସେମାନଙ୍କର ବ୍ୟକ୍ତିତ୍ବର ସାମଗ୍ରିକ ଉନ୍ନତି ହେବ। ସଫଳ ହେବାକୁ ହେଲେ ବ୍ୟକ୍ତିତ୍ବ ବିକାଶ କରିବାକୁ ପଡିବ। ସେଥିଲାଗି ବିଭିନ୍ନ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ ଛାତ୍ରଛାତ୍ରୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ଏହି ଚିନ୍ତାଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ ପ୍ଲାଟଫର୍ମ ଦେଇଛନ୍ତି।

କଠିନ ପରିଶ୍ରମ କରିବାକୁ ହେଲେ ଆପଣମାନଙ୍କୁ ସୁସ୍ଥ ରହିବାକୁ ପଡିବ। ସୁସ୍ଥ ରହିବାକୁ କମରେ ୩୦ମିନିଟ ଶାରୀରିକ ବ୍ୟାୟାମ ସହ ମସ୍ତିସ୍କର ବିକାଶ ଲାଗି ୧୫ ମିନିଟଧ୍ୟାନ କରନ୍ତୁ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏ ଫିଟ ବଡି ଗିଭ୍ ଫିଟ୍ ମାଇଣ୍ଡ୍। ସୁସ୍ଥ ରହିଲେ ମନ ସୁସ୍ଥ ରହିବ ଏବଂ ପରିଶ୍ରମ କରିପାରିବେ। ଭବିଷ୍ୟତ ଉଜ୍ଜଳ କରିବାକୁ ହେଲେ ଦିନରାତି ଏକ କରି ପଢିବାକୁ ପଡିବ। କଠିନ ପରିଶ୍ରମ କରିବା ସହ ବାପା ମା ଓ ଗୁରୁଜନଙ୍କ କଥା ମାନିବାକୁ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ବର୍ଷରେ ବଲାଙ୍ଗୀରରୁ ଗସ୍ତ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋୟର ସୁକତେଲ ପ୍ରକଳ୍ପକୁ କଲେ ଲୋକାର୍ପଣ

ଭୁବନେଶ୍ବର: ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ? ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇମାନଙ୍କର ଜଳ କଷ୍ଟ ଦୂର ହେଲା। ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ।

ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ। ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। 80ହଜାର ରୁ ଅଧିକ ଚାଷୀ ଉପକାର ପାଇବେ। ଜିଲ୍ଲାର 70ହଜାର ରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ।

୨୦୧୯ ମସିହାରୁ 5T ଉପକ୍ରମରେ ଏହି ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । ନୂଆ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରାଯାଇ ଭୂତଳ ପାଇପଲାଇନ ଜରିଆରେ ଜଳସେଚନର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷକ ରାଜ୍ୟ ଅର୍ଥନୀତିର ସାରଥି। ଚାଷୀ ଭାଇ ମାନଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ମୁଁ ସବୁବେଳେ ଚାଷୀ ଭାଇମାନଙ୍କ ସାଥିରେ ଅଛି । ସେମାନଙ୍କ ପାଇଁ କାଳିଆ, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା ଚାଷୀ ଘର ପିଲାଙ୍କ ପାଇଁ ବୃତ୍ତି ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି।

ବିସ୍ଥାପିତ ଗାଁର ଲୋକମାନଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ଲୋକମାନେ ବହୁତ ବଡ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ।

ଆଜି ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ କାମ ଆରମ୍ଭ ହେଲା। ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ପର୍ଯ୍ୟଟନର ବିକାଶ, ଯୋଗାଯୋଗର ଉନ୍ନତି, କ୍ରୀଡାର ଉନ୍ନତି ସହିତ ଐତିହ୍ୟର ବିକାଶ ଓ ସୁରକ୍ଷା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହେଲା ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ପାଇଁ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ 5T ଅଧ୍ୟକ୍ଷ ମୋ ନିର୍ଦ୍ଦେଶରେ ଅଗଷ୍ଟ ମାସରେ ଆସିଥିଲେ। ଆପଣମାନଙ୍କୁ ଭେଟିଥିଲେ। ଆପଣମାନଙ୍କ ସହିତ ବିକାଶ କାମ ବିଷୟରେ ଆଲୋଚନା କରିଥିଲେ। ଆପଣମାନଙ୍କ ମତକୁ ସମ୍ମାନ ଜଣାଇ ଆମେ କାମ କରୁଛୁ।

ବଲାଙ୍ଗୀରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି କରୁଛି। ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ବାସ, ଆପଣମାନଙ୍କ ସହଯୋଗରେ, ବଲାଙ୍ଗୀର ରାଜ୍ୟର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ।

ଏହି ଅବସରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି । ଲୋୟର ସୁକତେଲ ଆଜି ବଲାଙ୍ଗୀରବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ 5T ଅଧ୍ୟକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ମେହେର, ଲୋଇସିଂଘା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ “ବ୍ଲକଚେନ୍‌” ଟେକ୍ନୋଲୋଜି ବ୍ୟବହାର କରିବାରେ “ଓଭୋ ଫାର୍ମ” ଦେଶରେ ପ୍ରଥମ

ଭୁବନେଶ୍ୱର/ବଲାଙ୍ଗିର: ଆଜି କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ଓ ଦକ୍ଷ ହୋଇପାରୁଛି। ଅଣ୍ଡା ଉଦ୍ୟୋଗରେ “ବ୍ଲକଚେନ୍‌” ପରି ଟେକ୍ନୋଲୋଜି ବ୍ୟବହାର କରି ବଲାଙ୍ଗିରର “ଓଭୋ ଫାର୍ମ” ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଗ୍ରାହକମାନଙ୍କ ହାତ ପାଆନ୍ତାରେ ଆବଶ୍ୟକ ସୂଚନା ପହଞ୍ଚାଉଛି। ଅଣ୍ଡା ଉଦ୍ୟୋଗରେ ଏହି ଜ୍ଞାନକୌଶଳ ବ୍ୟବହାର କରିବାରେ ଓଭୋ ଦେଶରେ ପ୍ରଥମ।

ଆପଣ ବଜାରରେ କ୍ଷୀର, ଦହି ବା ପାଉଁରୁଟି ଭଳି ଖାଦ୍ୟ ଜିନିଷ କିଣିବା ବେଳେ ପ୍ରଥମେ ଏହାର “ଉତ୍ପାଦନ ତାରିଖ” ଏବଂ “ବ୍ୟବହାରଯୋଗ୍ୟ ତାରିଖ” (ବେଷ୍ଟ ବିଫୋର) ଦେଖିଥାନ୍ତି। ଏବେ ଅଣ୍ଡା କିଣିବା ବେଳେ ମଧ୍ୟ ଆପଣଙ୍କୁ ଏହି ସୂଚନା ମିଳିପାରିବ। ଓଭୋ ଫାର୍ମ ପକ୍ଷରୁ ବଜାରକୁ ଆସୁଥିବା “କେନକୋ” ବ୍ରାଣ୍ଡର ଅଣ୍ଡା ପ୍ୟାକେଟରେ ଥିବା କ୍ୟୁଆର୍ କୋଡକୁ ମୋବାଇଲରେ ସ୍କାନ କରି ଆପଣ ଏହିସବୁ ତଥ୍ୟ ପାଇପାରିବେ। ଗ୍ରାହକଙ୍କୁ ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଏଭଳି ଜରୁରୀ ତଥ୍ୟ ଯୋଗାଇ ଦେବାକୁ ଓଭୋ ଫାର୍ମ ବ୍ୟବହାର କରୁଛି “ବ୍ଲକଚେନ୍‌” ଟେକ୍ନୋଲୋଜି।

ବ୍ଲକଚେନ୍ ହେଉଛି ଏକ ଅତ୍ୟାଧୁନିକ ଟେକ୍ନୋଲୋଜି, ଯାହା ମୁଖ୍ୟତଃ ଅନ୍ତର୍ଜାତୀୟ ସ୍ତରରେ ଡିଜିଟାଲ ଆର୍ଥିକ କାରବାର, ବହୁମୁଖୀ ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଏବଂ ବୀମା ଆଦି କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହାକୁ ଅଣ୍ଡା ଉଦ୍ୟୋଗରେ ବ୍ୟବହାରକରି ଓଭୋ ଫାର୍ମ ଗ୍ରାହକମାନଙ୍କ ପାଇଁ ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ସୂଚନା ଦେଉଛି।

କେନକୋ ଅଣ୍ଡା ଓଡ଼ିଶାର ପ୍ରମୁଖ ସହରରେ ଥିବା ଗ୍ରୋସରୀ ଆଉଟଲେଟ୍ ସହିତ ଦେଶର ବିଭିନ୍ନ ସହରରେ ମିଳୁଛି। ଏହାଛଡ଼ା କମ୍ପାନିର ନିଜସ୍ୱ ଆଉଟଲେଟ୍ “ଏଗ୍‌-ଷ୍ଟ୍ରା” ମାଧ୍ୟମରେ ବିକ୍ରି କରାଯାଉଛି। ଅଣ୍ଡାର ପ୍ୟାକେଟ ବା ଟ୍ରେ ଉପରେ ଥିବା କ୍ୟୁଆର୍ କୋଡ୍‌କୁ ସ୍କାନ କଲେ ଏହାର ଉତ୍ପାଦନ ତାରିଖ ସହ ଅଣ୍ଡାର ପୋଷଣ ଗୁଣ ସମ୍ପର୍କରେ ବିଶେଷ ସୂଚନା ମିଳିପାରିବ। ଏପରିକି କେନକୋ ପ୍ୟାକରେ ଆସୁଥିବା ପ୍ରତିଟି ଅଣ୍ଡା ଉପରେ ଏହାର ଉତ୍ପାଦନ ତାରିଖ ଛପାଯାଉଛି, ଯାହାକି ଗ୍ରାହକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

“ଆମର ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ବେଶ୍ ଉପକାରୀ। ଏହାର ଉତ୍ପାଦନ କ୍ଷେତ୍ରରେ ଆମେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ପ୍ରାଥମିକତା ଦେଉଛୁ। ଓଭୋ ଫାର୍ମରୁ ବାହାରୁଥିବା ପ୍ରତିଟି ଅଣ୍ଡା କିପରି ସୁସ୍ଥ ଓ ପୋଷଣଯୁକ୍ତ ରହିବ ତଥା ଗ୍ରାହକମାନଙ୍କ ପାଇଁ ଆମେ କିପରି ଆବଶ୍ୟକ ସୂଚନା ଦେଇପାରିବୁ ସେ ଦିଗରେ ବିଶେଷ ଧ୍ୟାନ ଦେଉଛୁ। ଫାର୍ମକୁ ସମ୍ପୂର୍ଣ୍ଣ ରୋଗମୁକ୍ତ ରଖିବା ସହିତ ଅଟୋମେସନର ବ୍ୟବହାର ଏବଂ “କଣ୍ଟାକ୍ଟ ଲେସ୍‌” ଉତ୍ପାଦନ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ। ତା’ ସହିତ ଅଣ୍ଡାକୁ ପ୍ରତ୍ୟେକ ସ୍ତରରେ ଯାଞ୍ଚ୍ କରାଯାଇ ଦେଶ ବିଦେଶକୁ ପଠାଯାଉଛି”, କହିଛନ୍ତି ଓଭୋ ଫାର୍ମର ସହପ୍ରତିଷ୍ଠାତା ସମରେନ୍ଦ୍ର ମିଶ୍ର।

ଓଭୋ ଫାର୍ମରେ କୁକୁଡ଼ାମାନଙ୍କୁ ସୁସ୍ଥ ବାତାବରଣ ଭିତରେ ରଖାଯାଉଛି। ଏଥିପାଇଁ ବିଭିନ୍ନ ପ୍ରକାର ନିୟମ ପାଳନ କରାଯାଉଛି। ଭାରତ ସରକାରଙ୍କ ପକ୍ଷରୁ ଓଭୋ ଫାର୍ମକୁ ମିଳିଛି “ଡିଜିଜ୍ ଫ୍ରି” ଜୋନ୍ ସାର୍ଟିଫିକେଟ। ସେହିପରି ଓଭୋ ଫାର୍ମରେ କୁକୁଡ଼ାଙ୍କୁ ଆଣ୍ଟିବାୟୋଟିକ୍‌-ମୁକ୍ତ ରଖିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ପ୍ରତିଟି ଅଣ୍ଡା ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପ୍ରକ୍ରିୟା ଦେଇ ଓଭୋ ଫାର୍ମରୁ ବାହାରୁଛି। ସେହିପରି ସେଠାରେ ପରିବେଶ-ଅନୁକୂଳ ପ୍ୟାକେଜିଂ ପଦ୍ଧତି ଅନୁସରଣ କରାଯାଇ ସୁସ୍ଥ ଅଣ୍ଡାକୁ ବଜାରକୁ ପଠାଯାଉଛି।

ଓଭୋ ଫାର୍ମରେ ସୁସ୍ଥ ପରିବେଶକୁ ସୁନିଶ୍ଚିତ କରିବା ପାଇଁ “ବାୟୋ ସିକ୍ୟୁରିଟି” ବ୍ୟବସ୍ଥା ପାଳନ କରାଯାଉଛି। ନିୟମିତ ବ୍ୟବଧାନରେ କୁକୁଡ଼ାମାନଙ୍କର ରକ୍ତ ଓ ମଳ ପରୀକ୍ଷା କରାଯାଉଛି। ଏହା ସହିତ ଉତ୍ପାଦିତ ଅଣ୍ଡାର ମଧ୍ୟ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଛି।

ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିରରେ ଥିବା ଏହି କୃଷିଭିତ୍ତିକ ଉଦ୍ୟୋଗ “ଓଭୋ ଫାର୍ମ” ଆଜି ପୂର୍ବ ଭାରତର ଏକ ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚୟ ପାଇଛି । ଦିନକୁ ପ୍ରାୟ ୧୦ ଲକ୍ଷ ଅଣ୍ଡା ଉତ୍ପାଦନର କ୍ଷମତା ରଖିଛି ଏହି ଫାର୍ମ। ବଲାଙ୍ଗିରର ଦୁଇ ଉଦ୍ୟୋଗୀ ଭାଇ ସୌମେନ୍ଦ୍ର ମିଶ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ପ୍ରଚେଷ୍ଟାରେ ଏହି ଉଦ୍ୟୋଗ ରାଜ୍ୟର ଏକ ସଫଳ ଶିଳ୍ପ ହୋଇପାରିଛି । ଏହି ଅନୁଷ୍ଠାନରେ ବଲାଙ୍ଗିର ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକଙ୍କୁ ମଧ୍ୟ ଜୀବିକା ମିଳିପାରିଛି ।

“ପ୍ରାୟ ୨୦ ବର୍ଷ ତଳେ ଆମେ ଯେତେବେଳେ ଓଭୋ ଫାର୍ମ ଆରମ୍ଭ କରିଥିଲୁ ସେତେବେଳେ ପଶ୍ଚିମ ଓଡ଼ିଶାରେ ବ୍ୟବସାୟ ପାଇଁ ବିଶେଷ ଅନୁକୂଳ ପରିବେଶ ନଥିଲା । ଜିଲ୍ଲାର ବହୁ ଲୋକ କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯାଉଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳିଛି । ଓଭୋ ଫାର୍ମରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ରୋଜଗାର ମିଳିପାରିଛି”, କହନ୍ତି ଓଭୋ ଫାର୍ମର ସହପ୍ରତିଷ୍ଠାତା ତଥା ବଡ଼ଭାଇ ସୌମେନ୍ଦ୍ର ମିଶ୍ର ।

ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନ ସହିତ ଆଜି କେନକୋ ଅଣ୍ଡା କତାର ଓ ଆଫ୍ରିକା ଆଦି ଦେଶକୁ ରପ୍ତାନି କରାଯାଉଛି । ଆଗାମୀ ଦିନରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ଅଣ୍ଡା ପଠାଇବାକୁ ଯୋଜନା ରଖିଛି ଓଭୋ ଫାର୍ମ ।

ବ୍ୟବସାୟିକ ସଫଳତା ସହିତ ସାମାଜିକ ପ୍ରତିବଦ୍ଧତା ପ୍ରତିଟି ଉଦ୍ୟୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟୟ ଏହାକୁ ଆଧାରକରି ଓଭୋ ଫାର୍ମ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ବିଶେଷକରି, ଫାର୍ମର ଆଖପାଖ ଅଞ୍ଚଳରେ ରହୁଥିବା ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ପ୍ରତିଦିନ ଥରେ ମାଗଣାରେ ପୋଷଣଯୁକ୍ତ ଭୋଜନ ଦିଆଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ୨୯୬ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଏହାଦ୍ବାରା ୪ଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ସିକୁଆଁ ପ୍ରକଳ୍ପ ଦ୍ବାରା ଦେଓଗାଁ ଓ ବଲାଙ୍ଗୀର ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, କୁଟସିଙ୍ଘା ପ୍ରକଳ୍ପ ଦ୍ବାରା ଡୁଙ୍ଗୁରିପାଲି ଓ ଅଗଲପୁର ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତିଶୃତି ପୂରଣ କଲେ ରେଳ ମନ୍ତ୍ରୀ: ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ରେଳ ଗମନାଗମନ ସଂଯୋଗ ବୃଦ୍ଧି

ଭୁବନେଶ୍ଵର: ପ୍ରତିଶ୍ରୁତି ପାଳନ କରିବାର ରେକର୍ଡ ଜାରି କରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳ ଜିଲ୍ଲା ମାନଙ୍କରେ ରେଳ ସେବା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣ କରିଛନ୍ତି। ବଲାଙ୍ଗୀର, ବରଗଡ, କଳାହାଣ୍ଡି, ରାୟଗଡା ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଛି।

ଦକ୍ଷିଣ ଏବଂ ପଶ୍ଚିମ ଓଡିଶା ଲୋକଙ୍କୁ ବନାରସ ସହିତ ସଂଯୋଗ କରିବା ଏହି ପ୍ରୟାସର ଉଦ୍ଦେଶ୍ୟ। ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିକାଶ ହେଉଛି ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ପାଇଁ ବନାରସକୁ ଟ୍ରେନ୍ ସେବା ଯୋଗାଇବା। ଏହି ସଂଯୋଗର ଚାହିଦା ଅଶ୍ୱିନୀ ବୈଷ୍ଣବଙ୍କ ଜନ-ଆଶୀର୍ବାଦ ଯତ୍ରା ସମେତ ଏହି ଅଞ୍ଚଳ ଗସ୍ତ ସମୟରେ ସ୍ୱର ଉତ୍ତୋଳନ କରାଯାଇଥିଲା ଏବଂ ସେ ସେମାନଙ୍କର ଆବଶ୍ୟକତା ପୂରଣ ହେବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। କାଶୀ କୁ ରେଳ ସଂଯୋଗର ମହତ୍ବକୁ ଅବହେଳା କରାଯାଇପାରିବ ନାହିଁ, କାରଣ ଏହା ଏହି ଅଞ୍ଚଳର ଅଧିବାସୀମାନଙ୍କୁ ଆହ୍ଲାବାଦ ଏବଂ ବାରାଣାସୀରେ ରୀତିନୀତି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବାକୁ ସହାୟତା ହେବ।

ସମ୍ବଲପୁର ଠାରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ରେଳ ଲିଙ୍କ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଲୋକଙ୍କ ଜୀବନରେଖା ଭଳି କାର୍ଯ୍ୟ କରିବ। ଏହା ସହିତ ଦକ୍ଷିଣ ଓଡିଶାର ଲୋକମାନଙ୍କର ଏକାଧିକ କାର୍ଯ୍ୟ ଉଦ୍ଦେଶ୍ୟରେ ସେବା କରିବ। ସର୍ବପ୍ରଥମେ, ଏହା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସେବାରେ ସହଜ ପାଇଁ ଚାହିଦା ପୂରଣ କରିବ କାରଣ ଏହି ଅଞ୍ଚଳର ଅନେକ ବାସିନ୍ଦା ସ୍ୱାସ୍ଥ୍ୟ ଓଃ ଶିକ୍ଷା ପାଇଁ ବିଶାଖାପାଟନମ୍ ଯାତ୍ରା କରନ୍ତି। ଏହି ପଦକ୍ଷେପ ନୂତନ ବ୍ୟବସାୟ ଏବଂ ବାଣିଜ୍ୟ ସହଭାଗୀତା ପ୍ରତିପାଦନ ପାଇଁ ମଧ୍ୟ ପ୍ରତିଶୃତି ପୂରଣ କରିବ, ଯାହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

ରେଳ ସଂଯୋଗୀକରଣରେ ବିପ୍ଳବ ଆଣି ସମ୍ବଲପୁର ଏବଂ ବିଶାଖାପାଟନମ୍ ମଧ୍ୟରେ ଟ୍ରେନ୍ ସେବା ସମ୍ପ୍ରସାରଣ ରେଳ ସଂଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ କୁ ପ୍ରତିପାଦିତ କରିବ। ଏହା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରି ଅନେକ ସୁଯୋଗର ଦ୍ୱାର ଖୋଲିବାର ସହାୟତା କରିବ।

୧୮୩୧୨/୧୧ ବାରାଣାସୀ-ସମ୍ବଲପୁର-ବାରାଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ସମ୍ପ୍ରସାରଣକୁ ରେଳମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି। ଏହି ସମ୍ପ୍ରସାରଣ ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳ ଜିଲ୍ଲା ବିଶେଷ ଭାବରେ କେବିକେ ଅଞ୍ଚଳ ପାଇଁ ମଧ୍ୟ ଉପକୃତ ହେବା ସହିତ ଉତ୍ତର ଆନ୍ଧ୍ର ଅଞ୍ଚଳ ମଧ୍ୟ ଏହି ପଦକ୍ଷେପ ଦ୍ୱାରା ସଂଯୋଗୀକରଣ କରାଯାଇ ମଧ୍ୟବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ସହିତ ସଂଯୋଗ ଉପରେ ଏକ ପ୍ରଭାବ ପକାଇପାରିବ ଯାହାକି କାଶୀ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ, ହଟିଆ, ରାଞ୍ଚି, ରାଉରକେଲା, ଝାରସୁଗୁଡା, ଏବଂ ସମ୍ବଲପୁର ଜିଲ୍ଲା ମାନଙ୍କରେ ରେଳ ସଂଯୋଗ ସୃଷ୍ଟି କରି ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଗମନାଗମନ ସଂଯୋଗରେ ବୃଦ୍ଧି ପାଇବାକୁ ପ୍ରୟାସ କରାଯାଇ ଅଛି।

ଶେଷରେ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକର ଦୀର୍ଘ ଦିନର ଅଭିଯୋଗର ସମାଧାନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରତିବଦ୍ଧତା ଫଳପ୍ରଦ ହୋଇଛି। ଉନ୍ନତ ରେଳ ସଂଯୋଗ କେବଳ ଏହି ଅଞ୍ଚଳର ବାସିନ୍ଦାଙ୍କ ପାଇଁ ନୁହେଁ ବରଂ ଏହା ସ୍ପର୍ଶ କରୁଥିବା ଅଞ୍ଚଳର ଅର୍ଥନନୈତିକ ସମୃଦ୍ଧି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶୃତି ପୂରଣ କରିବ।  ପ୍ରଗତିର ଚକଗୁଡିକ ପ୍ରକୃତରେ ଘୁରୁଛି, ଏକ ନୂତନ ସୁଯୋଗ ଏବଂ ବିକାଶର ଯୁଗକୁ ଆଗେଇ ନେଇଛି।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗିର ଗସ୍ତ,ମହିଳାମାନଙ୍କ ଦ୍ୱାରା ପରିଚାଳିତ ପାନ୍ଥଶାଳା ପରିଦର୍ଶନ

ଭୁବନେଶ୍ୱର/ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସୀତ ତ୍ରିପାଠୀ  ଦୁଇ ଦିନିଆ ବଲାଙ୍ଗିର ଗସ୍ତ କ୍ରମରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ପୀଠ ଯାଇ ମିଶନ ଶକ୍ତି ଦ୍ୱାରା ପରିଚାଳିତ ପାନ୍ଥଶାଳା ଓ ସେଠାରେ ରହିଥିବା ବ୍ୟବସ୍ଥା ସଂପର୍କରେ ବ୍ଲକସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ।

ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରି ଶ୍ରୀତ୍ରିପାଠୀ କହିଛନ୍ତି ଯେ, ପାନ୍ଥଶାଳାରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ସଦସ୍ୟାମାନେ ତାଲିମ ପ୍ରାପ୍ତ। ସେମାନଙ୍କର ଆତିଥ୍ୟ ମଧ୍ୟ ଉତ୍ତମ।ସ୍ଥାନୀୟ ବ୍ଲକ ପ୍ରଶାସନ ତରଫରୁ ଏହି ପାନ୍ଥନିବାସର ପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଏହି ପରିଚାଳନା ଦାୟିତ୍ୱ ଦିଆଯାଇଥିବାରୁ ଏହା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ସହାୟକ ହେବ ବୋଲି ପଶ୍ଚିମ ଓଡିଶା ଅଧ୍ୟକ୍ଷ ଶ୍ରୀତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତାକାଲି ମଧ୍ୟ ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିବ। ତେବେ ସାରା ଓଡିଶାର ନ ହୋଇ କେତେକ ଜିଲ୍ଲାରେ ଏହା ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା।

ଗତି 4ଦିନ ଧରି ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଫଳରେ ସଂଧ୍ୟାରୁ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି। କେତେକ ସ୍ଥାନରେ ତୁଷାରପାତ ହେବାର ଜଣାପଡିଛି। ଫୁଲବାଣୀରେ ସବୁଠାରୁ ବେଶୀ ଶୀତ ଅନୁଭୂତ ହୋଇଛି। ତେବେ ଶୁକ୍ରବାର ପରେ ଶୀତର ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର

ଆଜି ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ, ସ୍ମାର୍ଟକାର୍ଡ ବଣ୍ଟନ ସହ ୬ଶହ କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ଟିଟିଲାଗଡ଼ ମିନି ଷ୍ଟାଡିୟମରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ଼ ବଣ୍ଟନ କରିବେ ।

ଏଥିପାଇଁ ବିଜେଡି ସଂଗଠାନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଗସ୍ତକୁ ସଫଳ କରିବା ପାଇଁ ବଲାଙ୍ଗିରରେ ପହଁଚିଛନ୍ତି। ସ୍ମାର୍ଟ କାର୍ଡ ସହ ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ବିକାଶ ପାଇଁ ପ୍ରାୟ ୬ଶହ କୋଟି ଟଙ୍କା ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ଏଥି ସହ ହରିଶଙ୍କର ଓ ନୃସିଂହନାଥ ରୁପାନ୍ତର ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିପରି ବଲାଙ୍ଗିର ଅତ୍ୟାଧୁନିକ ବସଷ୍ଟାଣ୍ଡ ଉଦ୍‌ଘାଟନ କରିବା ସହ ପାନୀୟ ଜଳ ଯୋଗାଣ, କୃଷି ଜଳସେଚନ ଭଳି ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ରାଜ୍ୟରେ 6ଟି ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ବରରୁ 5ଟି ସ୍ଥାନକୁ ଚାଲୁଛି ଏହି ସ୍ବତନ୍ତ୍ର ଟ୍ରେନ୍‌ । ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲା ଆଦି ପାଞ୍ଚୋଟି ସ୍ଥାନକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ତେବେ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ମଧ୍ୟରେ ଚାଲୁଛି ଅନ୍ୟ ସ୍ବତନ୍ତ୍ର ଟ୍ରେନ୍‌ ।

ସକାଳ 6ଟାରେ ସମ୍ବଲପୁରରୁ ଖୋର୍ଦ୍ଧା  ଅଭିମୁଖେ ବାହାରିଛି ଏହି ଟ୍ରେନ୍‌ଟି । ସେହିପରି ରାଉରକେଲାରୁ ସକାଳ 5ଟା 10ରେ ଭୁବନେଶ୍ବର ପାଇଁ ଟ୍ରେନ୍‌ ଛାଡିଛି । ଭୁବନେଶ୍ବରରୁ ଭଦ୍ରକ ପାଇଁ ସନ୍ଧ୍ୟା 6ଟାରେ ଟ୍ରେନ୍‌ ଛାଡିବ । ବ୍ରହ୍ମପୁର ପାଇଁ 5ଟା 30ରେ ଭୁବନେଶ୍ବର ଛାଡିବ । ଟ୍ରେନ୍‌ଗୁଡିକ ଶନିବାର ଓ ରବିବାରକୁ ଛାଡି ଅନ୍ୟ 5 ଦିନଚାଲିବ ବୋଲି ସୂଚନା ରହିଛି । କୋରାପୁଟ ଯିବାକୁ ଥିବା ଟ୍ରେନ୍‌ ସନ୍ଧ୍ୟା 6ଟା 30ରେ ଭୁବନେଶ୍ବର ଛାଡିବ । ଭୁବେନଶ୍ବର କୋରାପୁଟ ଟ୍ରେନ୍‌ ସପ୍ତାହକୁ ତିନି ଦିନ ଚାଲିବ । ସେହିପରି ରିଜର୍ଭେସନ୍‌ କାଉଣ୍ଟର ଓ ଆଇଆରଟିସି ଓ୍ବେବସାଇଟ୍‌ରୁ ଟିକେଟ ମିଳିବ ବୋଲି ସୂଚନା ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗିରରେ ପୁଣି 7 ପଜିଟିଭ୍‌

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ 7 କରୋନା ଆକ୍ରାନ୍ତ ଚିହ୍ନଟ। 7 ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର 2 ଜଣ ଲେଖାଏଁ ରହିଥିବା ବେଳେ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 7 ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟ ଫେରନ୍ତା ରହିଛନ୍ତି । ସମସ୍ତେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିଲେ । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 16କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

18ରୁ ବଲାଙ୍ଗିରରେ ହେବ କୋଭିଡ୍‌ ଟେଷ୍ଟ

ବଲାଙ୍ଗିର : ଆସନ୍ତା 18 ତାରିଖରୁ ବଲାଙ୍ଗିରରେହେବ କୋଭିଡ୍‌ ଟେଷ୍ଟ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ହେବ କୋଭିଡ୍‌ ଟେଷ୍ଟ । ପ୍ରାଥମିକ ପର୍ଯ୍ୟାୟରେ ଦୈନିକ 68ଟି ନମୁନା ପରୀକ୍ଷା ହେବା ନେଇ ସୂଚନା ରହିଛି ।ସପ୍ତାହେ ମଧ୍ୟରେ ନମୁନା ପରୀକ୍ଷା ସଂଖ୍ୟା 200କୁ ବୃଦ୍ଧି କରାଯିବ । ଭୀମଭୋଇ ମେଡିକାଲ କଲେଜ ଅଧୀକ୍ଷକ ଡ. ମହେନ୍ଦ୍ର ନାୟକ ଏନେଇ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ୍‌-19 ନିୟମ ଉଲ୍ଲଂଘନ ଅଭିଯୋଗରେ ଘରୋଇ ନର୍ସିଂ ହୋମ୍‌କୁ ସିଲ୍‌ କଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିରର ଘରୋଇ ନର୍ସିଂ ହୋମ୍‌ ହରିହର ହସ୍ପିଟାଲ୍‌ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା କୋଭିଡ୍‌-19ର ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଥିବାରୁ ନର୍ସିଂହୋମକୁ ସିଲ୍‌ କରିଛି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ୍‌। କରୋନାର ମୁକାବିଲା କରିବା ପାଇଁ ରାଜ୍ୟସରକାର ବହୁ କଡା ପଦକ୍ଷେପ ନେଉଛନ୍ତି। ନର୍ସିଂହୋମ୍‌ ତଥା ଘରୋଇ କ୍ଲିନିକ୍‌ଗୁଡିକ ରାଜ୍ୟସରକାରଙ୍କ ପ୍ରଦତ୍ତ କୋଭିଡ-19 ଗାଇଡ୍‌ ଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସିଲ୍‌ ହୋଇଥିବା ନର୍ସିଂହୋମ୍‌ଟି ସାମାଜିକ ଦୂରତା, ଏବଂ ସାନିଟାଇଜେସନ୍ କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ କରିଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନର୍ସିଂ ହୋମକୁ ସିଲ୍ କରିଛି।