ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ଓଡ଼ିଶାର ଆମ୍ବ ଏବେ ବିଦେଶ ବଜାରରେ ନୂଆ ପରିଚୟ ସୃଷ୍ଟି କରିଛି। ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରୁ ଉତ୍ପାଦିତ ଆମ୍ବ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହୋଇଛି। ପାଟଣାଗଡ଼ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଏହି ରପ୍ତାନି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ଏହି ଅବସରରେ ସେ ‘ଆମୃତ୍ୟ’ ନାମକ ଏକ ନୂତନ ବ୍ରାଣ୍ଡ ଲୋଗୋର ମଧ୍ୟ ଉନ୍ମୋଚନ କରିଛନ୍ତି। ବର୍ତ୍ତମାନ କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକ ମାଧ୍ୟମରେ ଚାଷୀମାନେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଓ ସହାୟତା ପାଉଛନ୍ତି। ନାବାର୍ଡର ସହଯୋଗ ଏବଂ ମାଶକ୍ତି ଫାଉଣ୍ଡେସନର ପ୍ରୟାସରେ ଚାଷୀମାନଙ୍କୁ ସରକାରୀ ଯୋଜନା ସହିତ ସଂଯୋଗ କରାଯାଇଛି ବୋଲି ନାବାର୍ଡର ଡିଜିଏମ୍ ସୂଚନା ଦେଇଛନ୍ତି।


