Categories
ବିଶେଷ ଖବର ରାଜ୍ୟ ଖବର

ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିଷ୍କାର ପ୍ରତିବାଦରେ ସର୍ବଦଳୀୟ ବୈଠକରେ ନିନ୍ଦା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିଷ୍କାର କରାଯିବାରେ ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯିବା ସହିତ ଏହି ଅଗଣତାନ୍ତ୍ରିକ ଘଟଣାର ପ୍ରତିବାଦ ଓ ପ୍ରତିରୋଧ କରାଯିବା ପାଇଁ ନିଷ୍ପତି ହୋଇଛି। ବିଜେପି- ଆରଏସ୍‌ଏସର ଏହି ରାଜନୈତିକ ଷଡ଼ଯନ୍ତ୍ର, ବିରୋଧିଙ୍କୁ ମୂଳୋତ୍ପାଟନ କରିବାର କୁତ୍ସିତ ପ୍ରୟାସ କଲେ ସମସ୍ତ ବିରୋଧି ଦଳ ରାସ୍ତାକୁ ଓହ୍ଲାଇବେ ଓ ପ୍ରତିରୋଧ ଆନ୍ଦୋଳନକୁ ତୀବ୍ର କରିବାର ନିଷ୍ପତି ହୋଇଛି। ସାଂପ୍ରଦାୟୀକତା ବାଦ ବିରୋଧରେ ସବୁ ବାମ, ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଓ ଦେଶପ୍ରେମୀ ବ୍ୟକ୍ତି ଐକତାବଦ୍ଧ ସଂଗ୍ରାମ ଗଢ଼ିତୋଳିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି। ସୋମବାର ଦିନ ରାଜଭବନ ଚଲୋ କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିର କରାଯାଇଛି।

ଉକ୍ତ ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଫରୱାଡ ବ୍ଲକ, ଏନସିପି, ଆମଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରଭୃତି ଦଳର ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ, ଜନାର୍ଦ୍ଦନ ପତି, ନାରାୟଣ ରେଡି, ଯୁଧିଷ୍ଠୀର ମହାପାତ୍ର, ରବି ବେହେରା, ରଙ୍ଗାଚରଣ ପ୍ରଧାନ, ଜତିଷ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦମାନେ ଯୋଗଦେଇ ଘୋର ନିନ୍ଦା କରିବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ।