Categories
ଆଞ୍ଚଳିକ

ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପରିଦର୍ଶନ

ବାଲୁଗାଁ: ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପରିଦର୍ଶନରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଆସିଥିଲେ। ଏହି ଅବସରରେ ରୋଟାରୀ ସ୍ବାବଲମ୍ବୀ ଯୋଜନାରେ ବାଣପୁର ପଲଟନ ପଡିଆରେ ବାଣପୁରର ଚନ୍ଦ୍ରଶେଖର ସାହୁଙ୍କୁ ସ୍ବାବଲମ୍ବୀ କରାଇବା ନିମନ୍ତେ ଏକ ଠେଲା ଗାଡି ବିନାମୂଲ୍ୟରେ ପ୍ରଦାନ କରିଥିଲେ। ସେହିପରି ପିଲାମାନଙ୍କ ସୂରକ୍ଷା ପାଇଁ ଅଲାଇଡିହସ୍ଥିତ ପଦ୍ମଚରଣ ହାଇସ୍କୁଲ ସାମନାରେ ଗାଡି ଚାଳକ ମାନଙ୍କ ଗତିକୁ ଧିମା କରିବା ନିମନ୍ତେ ଏକ ରୋଡ ଡିଭାଇଡର ପ୍ରଦାନ କରାଯାଇଥିଲା। ଏହାପରେ ଚିଲିକା କୂଳରେ କ୍ଳବ ତରଫରୁ ସ୍ଥାପନା କରାଯାଇଥିବା ବିଶ୍ବ ଶାନ୍ତି ସକାଶେ ଶାନ୍ତି ସ୍ତୁପର ଉଦଘାଟନ କରିଥିଲେ। ଏହା ସହିତ ଚିଲିକା ରୋଡ ପୂରୁଣା ଥାନା ସମ୍ମୁଖରେ ଗତ ଅକ୍ଷୟ ତୃତୀୟା ଠାରୁ ଅଦ୍ଯାବଧି ତୃଷାର୍ତ୍ତ ମାନଙ୍କୁ ଦହି ପଣା ବଣ୍ଟନର କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ବହସ୍ତରେ ପଣା ବଣ୍ଟନ କରିଥିଲେ।

ଶେଷରେ ଅଶୋକ ନଗର ସ୍ଥିତ ଉମାମହେଶ୍ବର ବଣିକ ସଂଘ ସଭା ଗୃହରେ ଅନୁଷ୍ଠିତ ସଭାରେ ଯୋଗଦାନ କରି ରୋଟାରୀର ଆବିମୁଖ୍ୟ କ’ଣ ଏବଂ ସାରା ବିଶ୍ବରେ ରୋଟାରୀର ଭୂମିକା ବିଷୟରେ ବିଷଦ ଭାବରେ ଆଲୋକପାତ କରିବା ସହିତ କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି ଓ ସଂପାଦକ ଅଶୋକ କୁମାର ନାୟକଙ୍କୁ କ୍ଳବ ମାଧ୍ୟମରେ କରାଯାଇଥିବା କାର୍ଯ୍ୟକ୍ରମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ।

ରବିନାରାୟଣ ନାୟକ ସ୍ବାଗତ ଭାଷଣ ରଖିଥିବା ବେଳେ ଧୀରେନ୍ଦ୍ରନାଥ ପାତ୍ର କବିତା ମାଧ୍ୟମରେ ପ୍ରାନ୍ତପାଳ କରିଥିବା ନୂଆ ନୂଆ କାର୍ଯକ୍ରମ ଯାହାକି ଅନ୍ତଃର୍ଜାତୀୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିବା ବିଷୟ ସବୁକୁ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ। ଗୋପାଳ ଚନ୍ଦ୍ର ନାୟକ ପ୍ରାନ୍ତପାଳଙ୍କ ପରିଚୟ ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ କ୍ୟାପଟେନ ଭବାନୀ ପ୍ରସାଦ ହୋତା ଏବଂ ସି.ଏ. ସତୀଶ କୁମାର ସୁବୁଦ୍ଧି ନୂତନ ସଭ୍ୟ ଭାବରେ ଶପଥ ନେଇଥିଲେ। ଡ.ଚିନ୍ତାମଣୀ ମିଶ୍ର ନୂତନ ସଭ୍ୟମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଡ. ସୁନୀଲ କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ।

ଶେଷରେ ସି.ଏ. ମନୋରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ତରଫରୁ ଦହି ପଣା ବଣ୍ଟନ

ବାଲୁଗାଁ: ପ୍ରବଳ ଗରମକୁ ଲକ୍ଷ ରଖି ତୃଷାର୍ତ୍ତ ମାନଙ୍କୁ ଗାନ୍ଧି ଛକସ୍ଥିତ ପୁରୁଣା ଥାନା ସମ୍ମୁଖରେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଦହି ପଣା ବଣ୍ଟନର ବ୍ଯବସ୍ଥା କରାଯାଇଅଛି। ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ କ୍ଳବର ବରିଷ୍ଠ ସଦସ୍ଯ ତଥା ସ୍ଥାନୀୟ ଲୋକପ୍ରିୟ ଚିକିତ୍ସକ ଡାକ୍ତର ଯୋଗୀନ୍ଦ୍ର ସେନାପତିଙ୍କ ଦ୍ବାରା ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି।

ଉକ୍ତ କାର୍ଯ୍ଯକ୍ରମ ଆସନ୍ତା ଜୁନ ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ଯନ୍ତ ଚାଲୁରହିବ ବୋଲି କ୍ଳବର ସଭାପତି ଶ୍ୟାମସୁନ୍ଦର ପୃଷ୍ଟି ଓ ସମ୍ପାଦକ ଅଶୋକ କୁମାର ନାୟକଙ୍କ ଠାରୁ ପ୍ରକାଶ। ଏଥିରେ କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରବି ନାରାୟଣ ନାୟକ, ଅଶୋକ କୁମାର ପାତ୍ର, ଜଗଦୀଶ ପ୍ରସାଦ ଲାକୋଟିଆ, ନନ୍ଦକିଶୋର ମିଶ୍ର ଓ ଆସନ୍ତା ବର୍ଷର ସଭାପତି ସୁନୀଲ କୁମାର ପାତ୍ରଙ୍କ ସମେତ ସଦସ୍ଯ ଡ.ଚିନ୍ତାମଣୀ ମିଶ୍ର, ସିଏ. ମାନସ ରଞ୍ଜନ ବାରିକି, ବିଚିତ୍ରାନନ୍ଦ ପାତ୍ର, ସିଏ. ସତୀଶ କୁମାର ସୁବୁଦ୍ଧି ପ୍ରମୂଖ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଟ୍ରଲର ଧକ୍କାରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ: ବାଣପୁର-ବାଲୁଗାଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ବାଣପୁର: ଆଜି ଅପରାହ୍ନରେ ବାଣପୁର ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଧୂଆଁଳ ଛକ ଓଭରବ୍ରିଜ ଉପରେ ଏକ ଅଣ୍ଡା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ମଝି ରାସ୍ତାରେ ଓଲଟିପଡ଼ିଛି। ଫଳରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନା ମୁତାବକ ଆନ୍ଧ୍ରାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଅଣ୍ଡା ବୋଝେଇ ଟ୍ରକକୁ ଏକ ଟ୍ରଲର ଧୂଆଁଳ ଛକ ଓଭରବ୍ରିଜ ଉପରେ ଧକ୍କା ଦେଇ ଫେରାର ହୋଇଯାଇଥିଲା।  ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ବାହାନ ପହଞ୍ଚିଥିବା ବେଳେ ଟ୍ରକ ଡ୍ରାଇଭର ଅଚେତ ହୋଇପଡ଼ିଥିବା ଜଣାପଡିଛି।

ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଟ୍ରକଟି ପଡ଼ି ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Categories
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବର ପ୍ରତିଷ୍ଠା ଦିବସ ପାଳନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଣପୁର ବାଲୁଗାଁ ରୋଟାରୀ କ୍ଳବ ତା’ର ପ୍ରତିଷ୍ଠା ଦିବସ ପାଳନ କରିଛି। ୧୯୮୮ ମସିହା ଅକ୍ଟୋବର ୨୭ ତାରିଖରେ ରୋଟାରୀ ଇଣ୍ଟରନ୍ୟାସନାଲର ସ୍ବୀକୃତି ଲାଭ କରିଥିଲା। ଉକ୍ତ ଦିବସଟିକୁ କ୍ଳବ ତା’ର ପ୍ରତିଷ୍ଠା ଦିବସ ଭାବେ ବିଗତ ୩୭ ବର୍ଷ ଧରି ପାଳନ କରିଆସୁଅଛି।

ଏହି ଅବସରରେ ଟାଙ୍ଗୀ ସ୍ଥିତ ଏକ ଜରା ନିବାସରେ ଥିବା ଅନ୍ତେବାସିନୀ ମାନଙ୍କୁ କମ୍ବଳ, ଫଳ ଓ ବିସ୍କୁଟ ଇତ୍ୟାଦି ବଣ୍ଟନ କରିବା ସହିତ ସଦସ୍ଯ ମାନେ ସପରିବାର ରଣପୁରସ୍ଥିତ କୋଟଗଡ ପାର୍କରେ ସାରାଦିନ ପରିବାର ସଦସ୍ଯ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ,ନାଚ ଓ ଗୀତ ଇତ୍ଯାଦି କରି ଉତ୍ସବକୁ ପାଳନ କରିଥିଲେ।

ପ୍ରାକ୍ତନ ସଭାପତି ଧୀରେନ୍ଦ୍ରନାଥ ପାତ୍ର କବିତା ମାଧ୍ୟମରେ କ୍ଳବର ପ୍ରତିଷ୍ଠାତା ସଭାପତି ଏସ ଏସ ଶତୃଶଲ୍ୟ ଓ ସଂପାଦକ ଗୌରୀଶଂକର ରାମଙ୍କ ଠାରୁ ଆରମ୍ଭ କରି ଚଳିତ ବର୍ଷର ସଭାପତି ଶ୍ୟାମସୁନ୍ଦର ପୃଷ୍ଟି ଓ ସଂପାଦକ ଅଶୋକ କୁମାର ନାୟକଙ୍କ ଦ୍ବାରା ସମାଜରେ ସାଧାରଣ ଲୋକମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସଦସ୍ୟ ହିମାଂଶୁ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି ଓ ସୁନୀଲ କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର କ୍ଳବର ବରିଷ୍ଠ ସଭ୍ୟ ରୋଟାରୀଆନ ଡାକ୍ତର ଯୋଗୀନ୍ଦ୍ର ସେନାପତିଙ୍କ କରକମଳରେ ଉଦ୍‌ଘାଟନ କରାଯାଇଛି। ଉକ୍ତ ଶିବିରରେ ୧୬୭ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ପ୍ରଦାନ କରିବା ସହିତ ୧୧୩ ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି।

ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସସ୍ମିତା ସାହୁ ଓ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଚକ୍ଷୁ ସହାୟକଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା।

ଭୁବନେଶ୍ବରସ୍ଥିତ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା କରାଯାଇ ୧୪ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଚିକିତ୍ସାଳୟ ନିଜ ଦାୟିତ୍ୱରେ ଭୂବନେଶ୍ବର ନେଇ ଆସନ୍ତା କାଲି ଅସ୍ତ୍ରୋପଚାର କରି ତା’ ପର ଦିନ ସେମାନଙ୍କୁ ବଡକୁଳ ଠାରେ ପହଁଚାଇବାର ବ୍ଯବସ୍ଥା କରାଯାଇଛି। ଚକ୍ଷୁ ଦାନ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଚକ୍ଷୁ ଦାନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ସେଥି ମଧ୍ଯରୁ ୧୨ ଜଣ ବ୍ଯକ୍ତି ଚକ୍ଷୁ ଦାନ କରିବା ନିମିତ୍ତ ସହମତି ପ୍ରକାଶ କରିଥିଲେ।

କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସଂପାଦକ ଅଶୋକ କୁମାର ନାୟକ, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ସୁରେଶ ଚନ୍ଦ୍ର ବେହେରା, ରବିନାରାୟଣ ନାୟକ, ଅନଙ୍ଗଭୀମ ବିଶ୍ବାଳ, ଜଗଦୀଶ ଲାଖୋଟିଆ, ଗୋପାଳ ଚନ୍ଦ୍ର ନାୟକ, ନନ୍ଦ କିଶୋର ମିଶ୍ର ଓ ସଭ୍ଯ ଡ. ଚିନ୍ତାମଣି ମିଶ୍ର, ସୁନୀଲ କୁମାର ପାତ୍ର, ପ୍ରସନ୍ନ ସାମନ୍ତରାୟ, ଗଗନ ବିହାରୀ ବେହେରା, ହିମାଂଶୁ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ଡ. ସୁନୀଲ କୁମାର ପଟ୍ଟନାୟକ ପ୍ରମୂଖ ଶିବିର ପରିଚାଳନା କରିଥିଲେ। ବାଲୁଗାଁ ଶ୍ରୀଜଗନ୍ନାଥ ଚକ୍ଷୁ ଚିକିତ୍ସାଳୟ ଓ ମେଡିସିନ୍ ଷ୍ଟୋର ବିଶେଷ ଭାବରେ ସହାୟତା କରିଥିଲେ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଆନୁଷ୍ଠାନିକ ପରିଦର୍ଶନ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଏପ୍ରିଲ ୧୬ ତାରିଖ ୧୯୮୮ ମସିହାରେ ଗଠନ ହୋଇଥିବା ବାଣପୁର ବାଲୁଗାଁ ରୋଟାରୀ କ୍ଳବକୁ ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରୀଆନ ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସଭା ଗୃହରେ କ୍ଳବର ଏକ ଚିତ୍ତାକର୍ଷକ ସଭା ସଭାପତି ରବିନାରାୟଣ ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ରୋଟାରୀ ଗଭର୍ଣ୍ଣର, ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଜୋନାଲ ଚେୟାରମ୍ୟାନ ଶାକ୍ୟସିଂହ ପଟ୍ଟନାୟକ, ସଭାପତି, ସଂପାଦକ ମଞ୍ଚାସୀନ ହେବାପରେ ସମସ୍ତଙ୍କୁ ଫୁଲତୋଡା ଦେଇ ସମ୍ମାନୀତ କରାଯିବା ପରେ ଜାତୀୟ ସଂଗୀତ ଆବୃତି କରାଯିବା ସହ ସଭାରମ୍ଭ ହୋଇଥିଲା।

ସରୋଜିନୀ ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତିଙ୍କ ବକ୍ତବ୍ଯ, ସଂପାଦକ ସୁନୀଲ କୁମାର ପାତ୍ର ବିବରଣୀ ପ୍ରଦାନ କରିଥିଲେ। ୨୦୨୨ ବି ଡି ଏସ ପରୀକ୍ଷାରେ ଉତ୍କଳ ବିଶ୍ବବିଦ୍ୟାଳୟ ଟପ୍ପର ବାଲୁଗାଁର ଡା.ଆଭାସ ଦାଶ, ଚିତ୍ରକଳାରେ ଲଳିତ କଳା ଏକାଡେମୀ ପୁରସ୍କାର ପାଇଥିବା ଶିତିକାନ୍ତ ସାମନ୍ତସିଂହାର, ବାଣପୁର ଡାକ୍ତରଖାନାର ସେବିକା ଅନୀତା ମହର୍ଷି, ବାଣପୁର ଏନ ଏ ସି ର ସଫେଇ କର୍ମଚାରୀ ମହେଶ୍ବର ନାୟକ ଏବଂ ଅଶୋକ ନାୟକଙ୍କୁ ମାନପତ୍ର ଓ ଉପଢୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯିବା ସହ ଜୋଛନା ଜାନୀ ଏବଂ ଜ୍ୟୋତ୍ସ୍ନାରାଣୀ ରଣାଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା।

ଜୋନାଲ୍ ଚେୟାର ତାଙ୍କ ବକ୍ତବ୍ୟରେ କ୍ଳବର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଡି ଜି ସୁବୁଦ୍ଧି ଜିଲ୍ଲାର ୩୫ ବର୍ଷର ଏହି ପୁରାତନ କ୍ଳବ ପକ୍ଷରୁ କରାଯାଉଥିବା ସମସ୍ତ କାର୍ଯ୍ୟ ଯଥା ବାଣପୁର ବୃଦ୍ଧାଶ୍ରମର ଦାୟିତ୍ତ୍ବ ନେବା ଠାରୁ ବୃକ୍ଷରୋପଣ ଓ ତାର ରକ୍ଷଣାବେକ୍ଷଣ, ସ୍ୱାସ୍ଥ୍ୟ ସେବା ଓ ଚକ୍ଷୁ ପରୀକ୍ଷା ଶିବିର ମାନ କରି ଔଷଧ ଓ ଚଷମା ବଣ୍ଟନ ଏବଂ ରକ୍ତଦାନ ଶିବିର କରି ରକ୍ତ ସଂଗ୍ରହ କରିବା ତଥା ଅଂଗଦାନ ପରି ମହତ ଦାନ ବିଷୟରେ ଜନ ସଚେତନତା ଆଦି କାର୍ଯ୍ୟମାନଙ୍କର ଭୁୟସୀ ପ୍ରଶଂସା କରିବା ସହ ରୋଟାରୀ ଫାଉଣ୍ଡେସନକୁ ଶତ ପ୍ରତିଶତ ଦାନ କରିବା ନେଇ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ।

ରବୀନ୍ଦ୍ରନାଥ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଗୋପାଳଚନ୍ଦ୍ର ନାୟକ, ନନ୍ଦକିଶୋର ମିଶ୍ର, ରବିନାରାୟଣ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ଓ ସଭ୍ୟ ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ ପାତ୍ର ସହଯୋଗ କରିଥିଲେ ଓ ବିପ୍ଳବ କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା।

ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ଗତବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି, ଜିସିବି ଏବଂ ଗାଡ଼ିରେ ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହରର ଟ୍ରାଫିକ ଏକ ରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା। ଉକ୍ତ ରାଲିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଥିଲେ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଏବଂ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ଗୋଦାବରୀଶ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ମୋଟ ୧୩୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯିବା ସଂଗେ ସଂଗେ ୬୦ ଜଣଙ୍କୁ ଚଷମା ଦିଆଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ୧୨ ଜଣଙ୍କୁ ଭୂବନେଶ୍ବର ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଅଛି। ପୁନଃଶ୍ଚ ଆସନ୍ତା କାଲି ଅବଶିଷ୍ଟ ୧୩ ଜଣଙ୍କୁ ପଠାଯିବ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସିଂ ଓ ସହକାରୀ ଚକ୍ଷୁ ଚିକିତ୍ସା ସହାୟକ ତଥା କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

ସେହିପରି ଖୋର୍ଦ୍ଧା ବ୍ଳଡ ବ୍ୟାଙ୍କ ଟିମଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ରକ୍ତଦାନ କରିଥିଲେ। ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୁନୀଲ କୁମାର ପାତ୍ରଙ୍କ ସମେତ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଓମ ପ୍ରକାଶ ଅଗ୍ରୱାଲ, ସୁରେଶ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ପଦ୍ମନାଭ ମାଝି, ରବିନାରାୟଣ ନାୟକ ଓ ଆସନ୍ତା ବର୍ଷର ସଭାପତି ପାଇଁ ମନୋନୀତ ସଦସ୍ୟ ନନ୍ଦକିଶୋର ମିଶ୍ର ଏବଂ ସଦସ୍ୟ ବିପ୍ଳବ କୁମାର ମୁଦୁଲି, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ କୁମାର ପାତ୍ର, ଶ୍ୟାମ ସୁନ୍ଦର ପୃଷ୍ଟି, ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଉପାଧ୍ୟକ୍ଷ ଏସ ପି ଏନ ଏସ ବର୍ମା, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତା, ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୂଜାତା ମିଶ୍ର, ସତ୍ୟାନନ୍ଦ ମହାରଣା ଓ ବୈରାଗି ଚରଣ ବଳ ପ୍ରମୂଖ ଶିବିରକୁ ପରିଚାଳନା କରିଥିଲେ।

Categories
Hockey Worldcup23 ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ହକି ବିଶ୍ୱକପ ଉଦଘାଟନ ନିମନ୍ତେ ଆସନ୍ତାକାଲି ଦୁଲୁକିବ ଚିଲିକା: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ପୁରୁଷ ହକି ବିଶ୍ୱକପକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିଅମ ପରିସରରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ହକି ବିଶ୍ୱକପ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶା ଉକ୍ତ ହକି ବିଶ୍ୱକପର ଆୟୋଜନ କରୁଛି।

ଏହି ପରିପ୍ରେକ୍ଷୀରେ ହକି ବିଶ୍ୱକପ ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏକାଧିକ ଉଦ୍ୟମ ହାତକୁ ନେଇଛନ୍ତି। ପୁରପଲ୍ଲୀ ଠୁ ସହରର ଜନସାଧାରଣ ମାନେ କିପରି ଉଦଘାଟନ ଉତ୍ସବକୁ ଆଭାସୀ ମାଧ୍ୟମରେ ଦେଖିପାରିବେ, ତାହାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ଏଥି ଲାଗି ସରକାରଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳକୁ ଅର୍ଥ ଅନୁମୋଦନ କରାଯାଇଛି। ପଞ୍ଚାୟତ ସ୍ତରରେ ବିଡ଼ିଓ ଏବଂ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ/କମିଶନର ମାନେ ନିର୍ବାଚିତ ଜନପ୍ରତିନିଧିଙ୍କ ସହଯୋଗରେ ଉକ୍ତ ହକି ବିଶ୍ୱକପର ପ୍ରଚାର ପ୍ରସାର କରିବେ।

ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳ। ବାଣପୁରରେ ଉଭୟ ବ୍ଲକ ଓ ଏନଏସି ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆସନ୍ତାକାଲି ପୁରୁଷ ହକି ବିଶ୍ୱକପ ଉଦଘାଟନ ଉତ୍ସବ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଏଥି ନିମନ୍ତେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ମିଳିତ ତତ୍ୱାବଧାନରେ ଏବଂ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ସହଯୋଗରେ ଆସନ୍ତାକାଲି ବାଣପୁର ପଲଟନ ପଡିଆରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ।

କାର୍ଯ୍ୟକ୍ରମ ସୂଚନା:

ସକାଳ ୭.୩୦ ରୁ ୯ ଘଟିକା- ମିନି ମାରାଥନ (ବିସରପାଟଣା ଆଇ ଲଭ ବାଣପୁର ସେଲ୍ଫି ପଏଣ୍ଟରୁ ପଲଟନ ପଡିଆ ପର୍ଯ୍ୟନ୍ତ ଭାୟା ମା’ ଭଗବତୀ ମନ୍ଦିର)

ସକାଳ ୯ ରୁ ୧୦ ଘଟିକା- ପଲଟନ ପଡିଆଠାରେ ମୁରୁଜ ପ୍ରତଯୋଗୀତା

ସକାଳ ୧୦ ରୁ ୧୧ ଘଟିକା- ଫ୍ୟାନସି ଡ୍ରେସ ପ୍ରତିଯୋଗିତା

ସକାଳ ୧୧ ରୁ ମଧ୍ୟାହ୍ନ ୧୨ ଘଟିକା- ଖେଳକୁଦ ପ୍ରତଯୋଗୀତା

ମଧ୍ୟାହ୍ନ ୧୨ ରୁ ଅପରାହ୍ନ ୧ ଘଟିକା- ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୧ ରୁ ୧.୩୦ ଘଟିକା- ଦାସକାଠିଆ ନୃତ୍ୟ ପରିବେଷଣ

ଅପରାହ୍ନ ୧.୩୦ ଘଟିକାରୁ ୨ ଘଟିକା- ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୨ ଘଟିକାରୁ ୩ ଘଟିକା- ଭଗବତୀ କଳା ନିକେତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୩ ଘଟିକାରୁ ୩.୩୦ ଘଟିକା- ପାଇକ ଆଖଡ଼ା ପରିବେଷଣ

ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ।

ସେହିପରି ଭାବେ ପୁରୁଷ ହକି ବିଶ୍ୱକପ ପାଇଁ ବାଲୁଗାଁ ଏନଏସି ପକ୍ଷରୁ ମଧ୍ୟ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ ଘଟିକାରେ ମା’ ଉତ୍ତରାୟୀଣୀ ମନ୍ଦିର ଠାରୁ ଅଡିଟୋରିଅମ ହଲ ପର୍ଯ୍ୟନ୍ତ ଏକ ମିନି ମାରାଥନ ଅନୁଷ୍ଠିତ ହେବ, ଯାହାକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ କାର୍ଯ୍ୟନିବାହି ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀ ମିଳିତ ଭାବେ ଉଦଘାଟନ କରିବେ। ଏହା ପରେ ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ଏନଏସି କଲ୍ୟାଣ ମଣ୍ଡପ ଏବଂ ଅଡିଟୋରିଅମ ହଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ସେହିଭଳି ଚିଲିକା ବ୍ଲକରେ ମଧ୍ୟ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯିବ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ କାର୍ଯ୍ଯାଳୟ ନିକଟସ୍ଥ ପଡିଆରେ ଏଲଇଡି ମାଧ୍ୟମରେ ଅପରାହ୍ନ ୩ ଟା ସମୟରେ ସିଧା ପ୍ରସାରଣ କରାଯିବ ବୋଲି ବ୍ଲକ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ସାମ୍ବାଦିକଙ୍କ ପିତୃ ବିୟୋଗ ଅବସରରେ ସତସଙ୍ଗ ଅନୁଷ୍ଠିତ

ବାଣପୁର: ବାଣପୁର-ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ସ୍ବର୍ଗତ ପିତା ଗଣେଶ ପ୍ରସାଦ ଅଗ୍ରୱାଲଙ୍କ ସ୍ମୃତିରେ ବାଣପୁର ସତସଙ୍ଗ ବିହାର ପରିସରରେ ଆଜି ସଂନ୍ଧ୍ୟାରେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଗଣେଶଙ୍କ ସାନ ଭାଇ ତଥା ସୀତାରାମଙ୍କ ଦାଦା ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପରମ ଭକ୍ତ ହୋଇଥିବାବେଳେ ତାଙ୍କର ସମଗ୍ର ପରିବାରବର୍ଗ ମଧ୍ୟ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଶ୍ରଦ୍ଧାଳୁ ଅଟନ୍ତି। ଏହି ପରିପ୍ରେକ୍ଷୀରେ ସ୍ବର୍ଗତ ଗଣେଶଙ୍କ ଚତୁର୍ଦଶ ଦିବସ ପୂର୍ତ୍ତି ଅବସରରେ ଅମର ଆତ୍ମାର ସଦଗତି ନିମନ୍ତେ ବାଣପୁର ସତସଙ୍ଗ ବିହାର ପରିସରରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସତସଙ୍ଗରେ ବହୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରିତିକ ପୁରୁଷୋତ୍ତମ ପାଲଟାସିଂହ ପରିଚାଳନା କରିଥିବା ବେଳେ ମହେଶ୍ୱର ଜେନା, ଡମ୍ବୁରୁଧର ସାମନ୍ତରାୟ, ତ୍ରିନାଥ ହୋତା, ପ୍ରବୋଧ କୁମାର ବିଶ୍ୱାଳ, ବିଜୟ କୁମାର ସାମନ୍ତରାୟ ଆଦି ଗୁରୁ ଭାଇମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ସାମ୍ବାଦିକଙ୍କ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ନେତା ଡ଼ା ସମ୍ବିତ ପାତ୍ର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ତଥା ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ପିତା ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ଗୁରୁବାର ଦିନ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ଗଣେଶ ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହାସହିତ ସେ ସୀତାରାମଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ପରିବାରବର୍ଗଙ୍କ ସହ ବହୁ ସମୟ ବିତାଇଛନ୍ତି।

ସେହିପରି ଭାବେ ଉକ୍ତଦିନ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପ୍ରଦେଶ ସଂଗଠନ ସମ୍ପାଦକ ତନ୍ମୟ ଦାସ ଏବଂ ପୂର୍ବତନ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସଂଗଠନ ସମ୍ପାଦକ ଶଶିକାନ୍ତ ମଲିକ ମଧ୍ୟ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ବିଜେଡି ନେତା ମନୋଜ ବାରିକୀ ମଧ୍ୟ ଆଜି ସଂନ୍ଧ୍ୟାରେ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସୂଚନା ଥାଉକି ସୀତାରାମଙ୍କ ପିତାଙ୍କ ଦେହାନ୍ତ ଗତ ୧୮ ତାରିଖରେ ଘଟିଥିଲା ଏବଂ ଏହିଭିତରେ ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ଏବିଭିପି ଓ ଆରଏସଏସ କର୍ମକର୍ତ୍ତାମାନେ ସୀତାରାମଙ୍କ ଘରକୁ ଯାଇ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଆସୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁରେ ବୁଲିଲା ଅହିଂସା ରଥ: ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା, ଯୋଡିଲା ସମ୍ପର୍କ

ସୀତାରାମ ଅଗ୍ରୱାଲ
ଚିଲିକା: ଚଳିତ ସ୍ୱାଧୀନତା ଦିବସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ଆଜି ଖୋର୍ଦ୍ଧା ଜିଲ୍ଲାକୁ ଆଗମନ କରିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡି କୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ,ଆଦର୍ଶ ଉପରେ ଆଧାରିତ ସୁନ୍ଦର ଚଳଚିତ୍ର ଏଥିରେ ପ୍ରଦର୍ଶିତ କରାଯାଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳ ସାଢେ ୮ ଘଟିକା ସମୟରେ ନାରାୟଣୀ ମନ୍ଦିର ନିକଟରେ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯାଇଥିଲା।

ଚିଲିକା କୂଳ ନିକଟସ୍ଥ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି, ସାଧାରଣ ଜନତା ବିପୁଳ ପରିମାଣରେ ସ୍ୱାଗତ କରିଥିଲେ। ଏକ ବିଶାଳ ରାଲି ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଗୋଟିଏ ରଥକୁ ବାଲୁଗାଁ ହାଇସ୍କୁଲ, ବାଣପୁର ବ୍ଲକର ପଦ୍ମଚରଣ ହାଇସ୍କୁଲ, ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ବଜାର ଓ ପଲଟନ ପଡିଆକୁ ଅଣାଯାଇ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍କଳମଣି ଗୋପବନ୍ଧୁ ଙ୍କ ଉପରେ ଆଧାରିତ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଅନ୍ୟ ରଥଟି ଭୁବନେଶ୍ବର ଉପଖଣ୍ତର ଜଟଣି ପୌରସଂସ୍ଥା ଅଭିମୁଖେ ଯାତ୍ରା କରିଥିଲା। ଏଥିସହ ଶାନ୍ତି ମୈତ୍ରୀର ବାର୍ତ୍ତା ମଧ୍ୟ ବଣ୍ଟନ କରିଥିଲା । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ , ଉପାଧ୍ୟକ୍ଷ ଭଗବାନ ପ୍ରଧାନ , ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ ପ୍ରାଚୀପ୍ରଭା ସ୍ବାଇଁ, ବାଲୁଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ସ୍ବପ୍ନାରାଣୀ ପାଢୀ, ଚିଲିକା ବିଡିଓ ଜଗଦୀଶ ଷଢଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ବାଣପୁର ବିଡିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜବିହାରୀ ବଡଜେନା, ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରିବା ସହ ବିଶାଳ ପତାକାକୁ ସଙ୍ଗରେ ନେଇ ରଥକୁ ବିପୁଳ ସ୍ୱାଗତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ।

ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପରସ୍ପରକୁ ଦେଖି ଖୁସିବ୍ୟକ୍ତ କରିବା ସହ ଭାବର ଆଦାନ ପ୍ରଦାନ କରୁଥିବା ଦେଖାଯାଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାର କଡ଼ା ବନ୍ଦୋବସ୍ତ କରାଯାଇଥିଲା। ଆସନ୍ତା କାଲି ବାଣପୁରରେ ଥିବା ଅହିଂସା ରଥ ଚିଲିକା ଓ ଟାଙ୍ଗୀ ବ୍ଲକ ପରିକ୍ରମଣ କରିବାକୁ ଥିବା ବେଳେ ଜଟଣୀରେ ଥିବା ଅହିଂସା ରଥ ଜଟଣୀ ଓ ବାଲିଅନ୍ତା ବ୍ଲକ ପରିକ୍ରମା କରିବ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିର ଆୟୋଜିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଭୂବନେଶ୍ବର ଆପୋଲୋ ହସ୍ପିଟାଲ ସହାୟତାରେ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ, ଡାକ୍ତର ପ୍ରତ୍ୟୁଶ ପୁଲକ ନାୟକ ଏବଂ ସହଯୋଗୀ ମାନଙ୍କ ଦ୍ବାରା ସ୍ଥନୀୟ ଏଜୁ କେୟାର ବିଦ୍ୟାଳୟ, ବାଣପୁର ପରିସରରେ ନିଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିରର ଆୟୋଜନ କରାଯାଇ ୧୭୦ ଜଣଙ୍କର ହୃଦରୋଗ ନିରୂପଣ କରିବା ସହିତ ଇ ସି ଜି, ବ୍ଳଡ ପ୍ରେସର, ବ୍ଳଡ ସୁଗାର ଇତ୍ୟାଦି ପରୀକ୍ଷା କରାଯାଇଥିଲା। ଡାକ୍ତର ପଟ୍ଟନାୟକଙ୍କର ହୃଦରୋଗ ସମ୍ବନ୍ଧୀୟ ଉଚ୍ଚକୋଟୀର ପରାମର୍ଶ ଦ୍ବାରା ବହୁ ବ୍ୟକ୍ତି ଆନନ୍ଦ ପ୍ରକାଶ କରିଥିଲେ।

କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୂନୀଲ କୁମାର ପାତ୍ର, ଆସନ୍ତା ବର୍ଷ ପାଇଁ ମନୋନୀତ ସଭାପତି ନନ୍ଦକିଶୋର ମିଶ୍ର ତଥା କ୍ଳବର ପ୍ରାକ୍ତନ ସଭାପତି ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମପ୍ରକାଶ ଆଗ୍ରୱାଲ, ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଅଶୋକ କୁମାର ପାତ୍ର, ଜଗଦୀଶ ପ୍ରସାଦ ଲାଖୋଟିଆଙ୍କ ସମେତ ସଭ୍ୟ ବିପ୍ଳବ କୁମାର ମୂଦୁଲି, ରବୀନ୍ଦ୍ରନାଥ ପ୍ରଧାନ, ହିମାଂଶୁ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ଅଶୋକ କୁମାର ନାୟକ ଏବଂ ଏଜୁ କେୟାର ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୂଖ ଶିବିର ପରିଚାଳନା କରିଥିଲେ।

କ୍ଳବର ଏହି ପରି ସମାଜ ସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଡାକ୍ତର ସୂରେନ୍ଦ୍ରନାଥ ପାତ୍ର, ବାଣପୁର ଏନ ଏ ସି ଚେୟାରମ୍ୟାନ ମିଟୁ ନାୟକ ତଥା ଅଂଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ପ୍ରାଣୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣା କାରଣରୁ ବହୁ ସଂଖ୍ୟାରେ ଗାଈ, ଷଣ୍ଢ, ବାଛୁରୀ ଆଦି ପ୍ରାଣୀଙ୍କୁ ରକ୍ତାତ ଓ ମୁର୍ମୁଷୁ ଅବସ୍ଥାରେ ପୋଲିସ, ସ୍ବେଚ୍ଛାସେବୀ ଓ ସାଧାରଣ ଲୋକ ଚିକିତ୍ସା ପାଇଁ ବାଲୁଗାଁ ସରକାରୀ ପ୍ରାଣୀ ଚିକିତ୍ସାଳୟକୁ ନିଜ ଉଦ୍ୟମରେ ଆଣୁଥିବାବେଳେ ଏଠାରେ ସାଧାରଣ ପ୍ରାଥମିକ ଚିକିତ୍ସା ସୁବିଧା ପରେ ଏମାନଙ୍କୁ ରଖିବା ସହ ଖାଦ୍ୟପେୟ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ଫଳରେ ଆବଶ୍ୟକୀୟ ଚିକିତ୍ସା ଅଭାବରୁ ବହୁ ସଂଖ୍ୟକ ପ୍ରାଣୀ ମୃତ୍ୟୁ ବରଣ କରୁଛନ୍ତି। ଦୁର୍ଘଟଣାରେ ପୀଡିତ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ନେବାକୁ ପଡୁଥିବା ବେଳେ ପ୍ରାଣୀମାନଙ୍କ ପାଇଁ ଉଦ୍ଧିଷ୍ଟ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କାରଣରୁ ବହୁ ଲୋକ ତଥା ସ୍ବେଚ୍ଛାସେବୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ମୋବାଇଲ ଚିକିତ୍ସା ଗାଡିଟି ବହୁ ଦିନରୁ ଭାଙ୍ଗି ଯାଇଥିବା ବେଳେ ଅଦ୍ୟାବଧି ଆଉ ନୂତନ ଗାଡି ପ୍ରଦାନ କରାଯାଇନାହିଁ। ଫଳରେ ଘଟଣା ସ୍ଥଳକୁ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଟିମ ଯାଇ ପାରୁନାହାନ୍ତି କି ସେମାନଙ୍କୁ ଚିକିତ୍ସା ପାଇଁ ଅଣାଯାଇ ପାରୁନାହିଁ। ବାଲୁଗାଁରୁ ଭୁବନେଶ୍ୱର ପ୍ରାଣୀ ଚିକିତ୍ସାଳୟ (ଓୟୁଏଟି) ନେବାକୁ ଅଧିକ ଖର୍ଚ୍ଚ ଓ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ବର୍ତ୍ତମାନ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଦଶରୁ ଅଧିକ ଗାଈ, ଷଣ୍ଢ, ବାଛୁରୀ ମୁର୍ମୁଷୁ ଅବସ୍ଥାରେ ପଡିଛନ୍ତି। ସେମାନଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ପାଇଁ ଖାଦ୍ୟ ଓ ଚିକିତ୍ସା ପାଇଁ ଭୁବନେଶ୍ବର ନେବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି। କାରଣ ବାଲୁଗାଁ ଅଞ୍ଚଳରେ ପ୍ରାଣୀମାନଙ୍କ ପାଇଁ କୌଣସି ପ୍ରକାର ଆଶ୍ରୟସ୍ଥଳୀ (shelter house) ନାହିଁ। ବାଲୁଗାଁ-ବାଣପୁର ବଜାର ମଧ୍ୟରେ, ଜାତୀୟ ରାଜପଥରେ ଗାଈ, ଷଣ୍ଢ ଆଦି ପରିତ୍ୟକ୍ତ ଅବସ୍ଥାରେ ବୁଲିବା ଦ୍ଵାରା ଦୁର୍ଘଟଣା ହୋଇ ମନୁଷ୍ୟ ଓ ପ୍ରାଣୀମାନଙ୍କ ଜୀବନ ଯାଉଛି।

ଏହି ସମ୍ପର୍କରେ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ଵାରା ଆହୁତ ବୈଠକ ତା ୦୯.୧୨.୨୧ ରିଖରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ପଶୁମାନଙ୍କ ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋଚନା କରିବା ସହ ମତ ଉପସ୍ଥାପନ କରିଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ୟକାରୀ ନହେବା ଫଳରେ ଜନଜୀବନ ପ୍ରଭାବିତ ହେବାସହ ପ୍ରାଣୀମାନେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି।

ତୁରନ୍ତ ଏହି ଘଟଣା ଉପରେ ଗୁରୁତ୍ୱାରୋପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବୈତନିକ ପ୍ରାଣୀକଲ୍ୟାଣ ଅଧିକାରୀ ତଥା ରାଜ୍ୟ ଜୀବ ନିଷ୍ଠୁରତା ନିରୋଧ ସମିତି ଖୋର୍ଦ୍ଧା ସଦସ୍ୟ ଡା. ତ୍ରୈଲୋକ୍ୟ ନାଥ ମହାରଣା ଆଜି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବାସହ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ର ୨୦୨୪-୨୫ ବର୍ଷ ପାଇଁ ନିର୍ବାଚିତ ଗଭର୍ଣ୍ଣର ଯଜ୍ଞାଶୀଶ ମହାପାତ୍ର ମୁଖ୍ୟ ଅତିଥି, ଜିଲ୍ଲା ସେକ୍ରେଟାରୀ ଜେନେରାଲ୍ ମନୋଜ କୁମାର ତ୍ରିପାଠୀ, ଜୋନ୍ ଚେୟାରମ୍ୟାନ ଶାକ୍ୟସିଂହ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ନୀରଜ ଝା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

୨୨-୨୩ ବର୍ଷ ପାଇଁ କ୍ଳବର ସଭାପତି ଭାବେ ରବିନାରାୟଣ ପାଲଙ୍କୁ ପୂର୍ବତ୍ତନ ସଭାପତି ଗୋପାଳ ଚନ୍ଦ୍ର ନାୟକ ଦାୟିତ୍ତ୍ବ ହସ୍ତାନ୍ତର କରିଥିଲେ। ସେହିପରି ପୂର୍ବତ୍ତନ ସଂପାଦକ ସଚ୍ଚିଦାନନ୍ଦ ସେଠୀ ନୂତନ ସଂପାଦକ ସୁନୀଲ କୁମାର ପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂତନ ସଭାପତି ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ।

ନନ୍ଦକିଶୋର ମିଶ୍ର ଓ ହିମାଂଶୁ କୁମାର ପାତ୍ରଙ୍କୁ ଉପସଭାପତି, ଶ୍ୟାମସୁନ୍ଦର ପୃଷ୍ଟିଙ୍କୁ କୋଷାଧ୍ୟକ୍ଷ ଭାବେ ଏବଂ ବିଭିନ୍ନ କମିଟିର ଚେୟାରମ୍ୟାନ ଭାବେ ବିଜୟ କୁମାର ନନ୍ଦ, ଓମ୍ ପ୍ରକାଶ ଅଗ୍ରୱାଲ, ଡା.ଯୋଗୀନ୍ଦ୍ର ସେନାପତି, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ପ୍ରବୀଣ କୁମାର ଜେନା, ବିଜୟ କୁମାର ବେହେରା, ଗଗନ ବିହାରୀ ବେହେରା, ରବିନ୍ଦ୍ରନାଥ ପ୍ରଧାନ, ସରୋଜିନୀ ଦାଶ, ପଦ୍ମନାଭ ମାଝୀ, ଜଗଦୀଶ ପ୍ରସାଦ ଲାଖୋଟିଆ ଏବଂ ଗୀତା ସେନାପତିଙ୍କ ନାମ ଘୋଷଣା କରାଯାଇଥିଲା।

ଏହି ଅବସରରେ କ୍ଳବ ପକ୍ଷରୁ ଏକ ବୁଲେଟିନ୍ “ସାଳିଆ” ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ଜୁଡିସିଆଲ ଫାଷ୍ଟକ୍ଳାସ ମାଜିଷ୍ଟ୍ରେଟ୍ ଶିବାନୀ ମିଶ୍ର ଏବଂ ବାଣପୁର ଓ ଚିଲିକା ବ୍ଳକ ମଧ୍ୟରେ ଗତ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଅମ୍ଳାନ କୁମାର ଶତପଥିଙ୍କ ପରିଚୟ ସଦସ୍ୟ ବିପ୍ଳବ କୁମାର ମୁଦୁଲି ଦେବାପରେ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

କ୍ଳବର ନୂତନ ସଭ୍ୟ ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ମନୋଜ କୁମାର ଅଗ୍ରୱାଲ ଏବଂ ବ୍ୟବସାୟୀ ସୂର୍ଯ୍ୟନାରାୟଣ ସୁବୁଦ୍ଧିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। କ୍ଳବ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭୂୟସୀ ପ୍ରଶଂସା କରିବା ସହିତ ଚଳିତ ବର୍ଷ ଆହୁରି ଅଧିକ ଜନହିତକର କାର୍ଯ୍ୟ ସବୁ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ଳବର ଅନ୍ୟାନ୍ୟ କାର୍ଯ୍ୟ ସବୁ ସୂଚାରୁରୁପେ କରି ଜୋନ ଓ ଜିଲ୍ଲାକୁ ଯଥା ସମୟରେ ଜଣାଇବା ପାଇଁ ସମ୍ମାନୀତ ଅତିଥି ପରାମର୍ଶ ଦେଇଥିଲେ।

ଏ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଅପରାହ୍ନରେ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ମାମୁଁ ଭଣଜା ପାହାଡ ଏବଂ ସାଇ ମନ୍ଦିର ପରିସରରେ କ୍ଳବର ୪ ର୍ଥ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ଯକ୍ରମ ସମ୍ପାଦିତ ହୋଇଥିଲା।

କ୍ଳବର ସଭାପତି ଓ ସଂପାଦକଙ୍କ ସମେତ ସଭ୍ୟ ହିମାଂଶୁ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, କରଣ କୁମାର ପାତ୍ର, ଅଶୋକ କୁମାର ପାତ୍ର ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!: ବାଣପୁର-ବାଲୁଗାଁ ସହରକୁ ଚବିଶ ଘଣ୍ଟା ଜଗିବ ସିସିଟିଭି, ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ସହରକୁ ଚବିଶ ଘଣ୍ଟା ଜଗିବ ସିସିଟିଭି। ଉଭୟ ସହରରେ ବଢୁଥିବା ଅପରାଧିକ ଗତିବିଧିକୁ ନିୟନ୍ତ୍ରଣ କରିବା ଦିଗରେ ଏହା ବିଶେଷ ସହାୟକ ହେବ। ପ୍ରଶାସନ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଆଜି ସନ୍ଧ୍ୟାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ ଉଭୟ ସହରରେ ସିସିଟିଭି ଲାଗିବାକୁ ଥିବା ସ୍ଥାନ ଗୁଡିକ ନିରୂପଣ କରିଥିଲେ। ଉଭୟ ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଛକ ଗୁଡିକରେ ଉଚ୍ଚ କ୍ଷମତାସମ୍ପନ୍ନ ସିସିଟିଭି ଖୁବଶୀଘ୍ର ସ୍ଥାପନ କରାଯିବ ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଖୋର୍ଦ୍ଧା, ବାଣପୁର ଏବଂ ବାଲୁଗାଁ ସହରରେ ସିସିଟିଭି ସ୍ଥାପନ କରାଯିବ।

Categories
ଆଞ୍ଚଳିକ

ଚିଲିକାରେ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଯାଞ୍ଚ, ୩୨ ଡ଼ିଏଲ ବାତିଲ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଆରଟିଓ ଏବଂ ପୋଲିସର ଚଢ଼ାଉ ଜାରି ରହିଛି। ଶନିବାର ପୂର୍ବାହ୍ନରେ ଆରଟିଓ ଏବଂ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ବାଇପାସ ଠାରେ ଦୀର୍ଘ ସମୟ ଧରି ବିଭିନ୍ନ ଯାନବାହାନ ଯାଞ୍ଚ କରିଥିଲେ। ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର, ସିଟ ବେଲ୍ଟ, ମାଲ ବୁହା ଗାଡ଼ିରେ ଯାତ୍ରୀ ନେବା, ଟ୍ରିପଲ ରାଇଡିଙ୍ଗ ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଚଢ଼ାଉରେ ଭୁବନେଶ୍ୱର ଆରଟିଓ -୧ ର କନିଷ୍ଠ ମୋଟରଜାନ ନିରୀକ୍ଷିକା ପଦ୍ମଜା ମହାନ୍ତି, ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଦୋରା, ବାଣପୁର ଥାନା ଏଏସଆଇ ପ୍ରଶାନ୍ତ ବେହେରା, ବାଲୁଗାଁ ଥାନା ଏସଆଇ ଶ୍ରୀନିବାସ ସାମନ୍ତ ଏବଂ ଅନ୍ୟ ଆରଟିଓ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ତେବେ ଟ୍ରାଫିକ ନିୟମ ଖିଲାପ ବାବଦକୁ ଆଜି ୮୯ ଗୋଟି ଇ ଚାଲାଣ କଟାଯାଇଥିବା ବେଳେ ୩୨ ଗୋଟି ଡ଼ିଏଲ ବାତିଲ ହୋଇଥିବା ର ସୂଚନା ଦେଇଛନ୍ତି ସୁଶ୍ରୀ ମହାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ଲେଉଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ସେଠାରେ ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ଭୁବନେଶ୍ୱରରୁ ବ୍ରହ୍ଣପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଭାରତ ପେଟ୍ରୋଲିୟମର ଟ୍ୟାଙ୍କରଟି ରାସ୍ତା ଉପରେ ଲେଉଟି ପଡିଛି। କିନ୍ତୁ ସ୍ଥାନୀୟ ଲୋକମାନେ ଜୀବନକୁ ଖାତିର ନକରି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ପେଟ୍ରୋଲ ଚୋରୀ କରିନେଉଥିବା ଦେଖିବାକୁ ମିଳିଛି।

ଖବର ପାଇ ବାଣପୁର ଆଇଆଇସି, ବାଲୁଗାଁ ଆଇଆଇସି ଏବଂ ଉଭୟ ଥାନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏତଦବ୍ୟତୀତ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଅସହାୟଙ୍କୁ ପୋଷାକ, ବାସନ ଏବଂ ଖାଦ୍ୟ ସାମଗ୍ରୀ ବାଣ୍ଟିଲା ବାଣପୁର-ବାଲୁଗାଁ ରୋଟାରୀ କ୍ଳବ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବାଣପୁର ବ୍ଳକରେ ସେବା କାର୍ଯ୍ୟ କରାଯାଇଛି। ସଂଗଠନ ପକ୍ଷରୁ ଘଞ୍ଚ ବରବରା ଜଂଗଲ ମଧ୍ୟରେ ଥିବା ଆଦିବାସୀ ଗ୍ରାମ ମହୁଲିଆ, ଲଣ୍ଡୁରୁ, ସିବିଡାରେ ବସବାସ କରୁଥିବା ପ୍ରାୟ ୮୦ ଟି ପରିବାରର ପିଲା ବଡ ମିଶାଇ ୨୫୦ ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦେବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବସ୍ତ୍ର ଯଥା ଶାଢୀ, ଲୁଙ୍ଗି, ଧୋତି, ଗାମୁଛା ଏବଂ ପୋଷାକ ସହିତ ଷ୍ଟିଲ ବାସନ ଆଦି ବଣ୍ଟନ କରା ଯାଇଅଛି।

ଏଥି ସହିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିଳାଦ୍ରୀପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା କରାଯିବା ସହିତ ଆବଶ୍ୟକୀୟ ଔଷଧ ମଧ୍ୟ ବଣ୍ଟନ କରାଯାଇଅଛି।

କ୍ଳବର ସଭାପତି ଗୋପାଳ ଚନ୍ଦ୍ର ନାୟକ, ସଂପାଦକ ସଚ୍ଚିଦାନନ୍ଦ ସେଠୀ, ପୂର୍ବତ୍ତନ ସଭାପତି ବିଜୟ କୁମାର ନନ୍ଦ, ପ୍ରବୀଣ କୁମାର ଜେନା, ପଦ୍ନନାଭ ମାଝି, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ ଓ ଅଶୋକ କୁମାର ପାତ୍ରଙ୍କ ସମେତ ସଭ୍ୟ ହିମାଂଶୁ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ,ସନ୍ତୋଷ କୁମାର ପାତ୍ର, ରବିନାରାୟଣ ପାଲ ଏବଂ କ୍ଳବର ପ୍ରଥମ ମହିଳା ଅଞ୍ଜନା ନାୟକଙ୍କ ସମେତ ବିସ୍ମିତା ପାତ୍ର ଓ ସ୍ବର୍ଣ୍ଣପ୍ରଭା ନାୟକ ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ପ୍ରଦୀପ୍ତ କୁମାର ନାୟକ, ସୁପରଭାଇଜର ରବିନାରାୟଣ ନାୟକ, ଚକ୍ଷୁ ଚିକିତ୍ସା ସହାୟକ ବିଜୟ କୁମାର ବେହେରା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁକାନ୍ତ ସବର ତଥା ଆଶା ଓ ଅଂଗନ ବାଡି କର୍ମୀ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷାରେ ସହାୟତା କରିଥିଲେ।

Categories
ଆଞ୍ଚଳିକ

ସିଡିଏସ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିର ସମ୍ମୁଖରେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀଙ୍କ ଦ୍ୱାରା ସହିଦଙ୍କୁ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁରାତନ ସେନା କର୍ମଚାରୀ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ପୁରାତନ ସେନା କର୍ମଚାରୀମାନେ ମା’ ଭଗବତୀ ମନ୍ଦିର ସମ୍ମୁଖରେ ଏକତ୍ରିତ ହେବା ସହ ସହିଦ ବୀର ସୈନିକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୮ ତାରିଖ ଅପରାହ୍ନରେ ତାମିଲନାଡୁର କୁନ୍ନୁରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ତାଙ୍କ ପତ୍ନୀ ମଦୁଲିକା ଏବଂ ଅନ୍ୟ ୧୧ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ।

ଏଭଳି ଘଟଣା ପରେ ଦେଶ ପୁରା ସ୍ତବ୍ଧ ହୋଇଯାଇଛି। ସିଡିଏସଙ୍କ ଅକାଳ ବିୟୋଗରେ ଦେଶକୁ ବଡ କ୍ଷତି ହୋଇଛି।

ଯେତେବେଳେ ଜେନେରାଲ ବିପିନ ରାୱତ ତାଙ୍କର ଅନ୍ତିମ ଯାତ୍ରାକୁ ଯାଇଥିଲେ, ଲୋକମାନେ ତାଙ୍କର ଶେଷ ଦର୍ଶନ ଦେଖିବାକୁ ରାସ୍ତାରେ ଠିଆ ହୋଇଥିଲେ। ସିଡିଏସ୍ ବିପିନ ରାୱତଙ୍କ ଅନ୍ତିମ ଗସ୍ତରେ “ସୂର୍ଯ୍ୟ ଚନ୍ଦ୍ର ରହିବା ପର୍ଯ୍ୟନ୍ତ, ବିପିନ୍ ଜୀଙ୍କ ନାମ ରହିବ” ବୋଲି ନାଗରିକମାନେ ସ୍ଲୋଗାନ ଦେଇଥିଲେ।

ତାଙ୍କୁ ଦିଲ୍ଲୀ ଛବନୀରେ ଥିବା ବରାର ଛକ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି। ବିପିନ ରାୱତ ଏବଂ ମଧୁଲିକା ରାୱତଙ୍କ ଝିଅ କ୍ରିତିକା ଏବଂ ତାରିଣୀ ସେମାନଙ୍କ ପିତାମାତାଙ୍କ ଶେଷ ରୀତିନୀତି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନ୍ଧକାରମୟ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ଅସୁରକ୍ଷିତ ଜନତା, ନିଦ୍ରାରେ ବ୍ଲକ ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ସହର ଏବଂ ଗ୍ରାମାଞ୍ଚଳର ରାସ୍ତାପାର୍ଶ୍ୱ ଆଲୋକିକରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଦ୍ୟୁତ ଖୁଣ୍ଟି ଗୁଡିକର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଥିବାବେଳେ ଅନେକ ଗୁରୁତ୍ୱପୂର୍ଣ ଅଞ୍ଚଳ ବର୍ଷ ବର୍ଷ ଧରି ଅନ୍ଧକାରମୟ ରହୁଛି। ଏପରି ନଜିର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ।

ବାଣପୁର ବାଇପାସ ଠାରୁ ନନ୍ଦପୁର ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଅନ୍ଧକାରମୟ ହୋଇ ରହୁଛି। ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ପର୍ଯ୍ୟଟନସ୍ଥଳ ହୋଇଥିବାବେଳେ ଉକ୍ତ ରାସ୍ତାରେ ଦୈନିକ ହଜାର ହଜାର ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକ ଯିବା ଆସିବା କରିବା ସହିତ ଶହ ଶହ ଗାଡି ମୋଟର ଚଳ ପ୍ରଚଳ ହୋଇଥାଏ। ଶୀତଦିନ ଆସିଲେ ଏହାର ମାତ୍ରା ଆହୁରି ବଢିଯାଏ, କାରଣ ଭଗବତୀ ପୀଠ ଓ ଶାଳିଆ ଡ୍ୟାମକୁ ଓଡ଼ିଶାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୁଏ। ବାଣପୁର – ବାଲୁଗାଁ ରାସ୍ତାଟି ହେଉଛି ଏକମାତ୍ର ରାସ୍ତା ଯାହାକି ବାଣପୁରକୁ ପ୍ରବେଶ କରିବା ପାଇଁ ଉଦିଷ୍ଟ। ପୁଣି ଉକ୍ତ ରାସ୍ତା ମଧ୍ୟଦେଇ ୧୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଯାଇଛି।

କିନ୍ତୁବିଡ଼ମ୍ବନାର ବିଷୟ ବାଇପାସ ଠାରୁ ନନ୍ଦପୁର ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ଧରି ଉକ୍ତ ରାସ୍ତାରେ ଗୋଟାଏ ହେଲେ ବିଦ୍ୟୁତ ଖୁଣ୍ଟରେ ଲାଇଟ ଜଳୁନାହିଁ। ଯାହାଦ୍ୱାରା ଉକ୍ତ ରାସ୍ତାଟି ଏକ ଉପାନ୍ତ ଅଞ୍ଚଳ ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତାରେ ୧୭ ଗୋଟି ବିଦ୍ୟୁତ ଖୁଣ୍ଟ ଥିବାବେଳେ କେତେକ ଖୁଣ୍ଟରେ ପୁରୁଣା ଲାଇଟ ଗୁଡାକ ଦୀର୍ଘ ଦୁଇ ବର୍ଷ ହେଲା ଅଚଳ ହୋଇ ପଡିଛି ତ ଆଉ କେତେକ ଖୁଣ୍ଟରେ ଷ୍ଟାଣ୍ଡ ଅଛି ସିନା କିନ୍ତୁ ଲାଇଟ ନାହିଁ। ସନ୍ଧ୍ୟା ହେଲେ ଏହି ରାସ୍ତାରେ ଅନ୍ଧକାରର ରାଜୁତି ଆରମ୍ଭ ହୁଏ, କଲବଲ ହୁଅନ୍ତି ଯା ଆସ କରୁଥିବା ଜନସାଧାରଣ ଓ ପର୍ଯ୍ୟଟକ।

ଏପରିକି ଅନ୍ଧକାରର ସୁଯୋଗ ନେଇ ରାସ୍ତାରେ ମାତୁଛନ୍ତି ଅସାମାଜିକ ଯୁବକ ଓ ମଦ୍ୟପ।  ଯାହାଫଳରେ ଏହି ରାସ୍ତାରେ ବାରମ୍ବାର ଚୋରି, ଡକାୟତି, ରାହାଜାନି ହେଉଥିବା ଅଭିଯୋଗ ହେଉଛି। ବଜାରରୁ ଟ୍ୟୁସନ ସାରି ଫେରୁଥିବା ଏକାଧିକ ଛାତ୍ରୀମାନେ ହୁଅନ୍ତି ଅସଦାଚରଣର ଶିକାର। ଗତ ଦୁଇ ମାସ ତଳେ ଟ୍ୟୁସନ ସାରି ଘରକୁ ଫେରୁଥିବା ଜଣେ ଛାତ୍ରୀ ନିକଟସ୍ଥ ମା’ ମେଘାମ୍ବରୀଙ୍କ ମନ୍ଦିର ନିକଟରେ ଅସଦାଚରଣର ଶିକାର ହୋଇଥିଲେ।  ଏବଂ ଏହାକୁ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା।

ଅନୁରୂପ ଭାବେ ନନ୍ଦପୁର, ମଙ୍ଗରାଜପୁର, ଅଲାଇଡିହ, ଭେଷରୀ, ନହରୀଡିହ, ପାରିନୁଆଗାଁ, ଆନ୍ତରକିଆରି ଆଦି ଗ୍ରାମ ଉକ୍ତ ରାସ୍ତା କଡ଼ରେ ଥିବା ହେତୁ ଉକ୍ତ ଗ୍ରାମର ମହିଳା ଏବଂ ଛାତ୍ରୀ ମାନେ ସଂନ୍ଧ୍ୟାରେ ଉକ୍ତ ରାସ୍ତା ଦେଇ ଗ୍ରାମକୁ ଯିବାପାଇଁ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଦୀର୍ଘ ଦୁଇ ବର୍ଷ ହେଲା ଖଣ୍ଡେ ଲାଇଟ ଲାଗୁନଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ ଅଜଣା ପରି ହେଉଛି। ପ୍ରତିଦିନ ଉକ୍ତ ରାସ୍ତାଦେଇ ଖୋଦ ପ୍ରଶାସନିକ ଅଧିକାରୀମାନେ ଯିବାଆସିବା କରୁଥିବା ବେଳେ କାହା ନଜରକୁ ଏପରି ଗୁରୁତ୍ୱପୂର୍ଣ ସମସ୍ୟା ଦେଖାନଯିବା ସହଜରେ ହଜମ ହେଉନାହିଁ।

ତେବେ ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଯାଇଥିବାବେଳେ ଏଥିରେ ଲାଗିଥିବା ବିଦ୍ୟୁତ ଖୁଣ୍ଟ ଓ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ପଞ୍ଚାୟତର ଅଟେ। ଏ ନେଇ ଆମ ପ୍ରତିନିଧି ନନ୍ଦପୁର ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଦୀର୍ଘ ଦୁଇ ବର୍ଷ ହେଲା ଉକ୍ତ ରାସ୍ତାକଡରେ ଥିବା ଷ୍ଟ୍ରିଟ ଲାଇଟର ରକ୍ଷଣାବେକ୍ଷଣ ଦାୟିତ୍ବ ପଞ୍ଚାୟତ ରୁ ଅପସାରିତ କରାଯାଇ ବାଣପୁର ବିଡ଼ିଓଙ୍କ ହାତରେ ଥିବା କହିଛନ୍ତି। ସେହିଭଳି ବାଣପୁର ବିଡ଼ିଓଙ୍କୁ ପଚାରିବାରୁ ସେ ଏ ଦିଗରେ ପଦକ୍ଷେପ ନେବେ ବୋଲି କହୁଛନ୍ତି। ତେବେ ଦେଖାଯାଉ କେବେ ବାଣପୁର ବ୍ଲକ ପ୍ରଶାସନର ନିଦ ଭାଙ୍ଗୁଛି ଏବଂ କେବେ ବାଇପାସରୁ ନନ୍ଦପୁର ପର୍ଯ୍ୟନ୍ତ ରାସ୍ତାର ୧୭ ଗୋଟି ବିଦ୍ୟୁତ ଖୁଣ୍ଟରେ ପୁନଃ ଲାଇଟ ଜଳୁଛି। ସ୍ଥାନୀୟ ଜନସାଧାରଣ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାର ସମାଧାନ ନହଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।