Categories
ଆଞ୍ଚଳିକ

ବାଣପୁରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ସହାୟକ କର୍ମଶାଳା ଆୟୋଜିତ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକର ସମଗ୍ର ଶିକ୍ଷା, ଖୋର୍ଦ୍ଧା ପକ୍ଷରୁ ୧୦୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଆରବିଏସକେ, ଆଲିମ କୋ, ସାଇଡ ସେଭର ଆଦି ବିଭାଗର ମିଳିତ ସହଯୋଗରେ ବାଣପୁର ସ୍ଥିତ ମାନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନ୍ତରକିଆରୀ ଠାରେ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ବାଣପୁର ବ୍ଲକ ଶିକ୍ଷଧିକାରୀ ସନାତନ ଜାଲି ସିଆରସିସି ତାପସ ମହାରଣା ଓ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗର ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବିଆରପି ବିଶ୍ୱଜିତା ଜେନା, ଦାଶରଥି ମହାସୁଆର, ନରେଶ କୁମାର ପଣ୍ଡା ଓ ପ୍ରଧାନ ଶିକ୍ଷକ ନିରୋଦ ପ୍ରସାଦ ସାମନ୍ତରାୟ କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ବାଦିପାଲା ଦରବାର: ପରିବେଷଣ କରୁଛନ୍ତି ଓଡ଼ିଶାର ସୁନାମଧନ୍ୟ ଗାୟକ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ବିଂଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଚ୍ୟୁତରାଜ ପୁର ଛକ କଲେଜ ରୋଡ଼ ଠାରେ ରବିବାର ଠାରୁ ବାଦିପାଲା ଦରବାର ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରାମର ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ତଥା ଗ୍ରାମବାସୀଙ୍କ ସୌଜନ୍ୟରେ ଆୟୋଜିତ ଏହି ନବମ ବାର୍ଷିକ ପଞ୍ଚ ଦିବସୀୟ (ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ) ବାଦିପାଲା ଦରବାର କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଗାୟକ ମଞ୍ଚଗାଁ, ଜଗତସିଂହପୁରର ଗାୟକ ପ୍ରବୀର ସନାତନ ଦାଶ ଓ ସାଥୀ ଏବଂ ସାଲୁଣି, ନୟାଗଡ଼ର ଗାୟକ ପୀୟୂଷ ବିଶ୍ଵନାଥ ସ୍ବାଇଁ ଓ ସାଥୀମାନେ ପାଲା ପରିବେଷଣ କରୁଛନ୍ତି।

ଅତି ଦୟନୀୟ ଅବସ୍ଥା ଦେଇ ଗତି କରୁଥିବା ଓଡ଼ିଶାର ଏହି ପ୍ରାଚୀନ ଗରିମାମୟ ଲୋକକଳା ତଥା ଓଡ଼ିଶାର ସୌରଭ ରୂପେ ପରିଚିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପୂଜା ପରିପ୍ରେକ୍ଷୀରେ ଏଠି ପରିବେଷଣ ହେଉଥିବା ଏହି ବାଦୀପାଲା, ଆଜିର ସମାଜ ଏବଂ ଆମ ପ୍ରାଚୀନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଆଜିକାର ଯୁବପୀଢୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସ୍ରୋତ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସଦସ୍ୟ ବୃନ୍ଦ। ବିଂଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଚ୍ୟୁତରାଜ ପୁର ଛକ କଲେଜ ରୋଡ଼ ଠାରେ ଗତକାଲି (ରବିବାର) ଠାରୁ ବାଦିପାଲା ଦରବାର ଅନୁଷ୍ଠିତ ହୋଇଯାଇଅଛି।

ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରାମର ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ତଥା ଗ୍ରାମବାସୀଙ୍କ ସୌଜନ୍ୟରେ ଆୟୋଜିତ ଏହି ନବମ ବାର୍ଷିକ ପଞ୍ଚ ଦିବସୀୟ (ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ) ବାଦିପାଲା ଦରବାର କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଗାୟକ ମଞ୍ଚଗାଁ, ଜଗତସିଂହପୁରର ଗାୟକ ପ୍ରବୀର ସନାତନ ଦାଶ ଓ ସାଥୀ ଏବଂ ସାଲୁଣି, ନୟାଗଡ଼ର ଗାୟକ ପୀୟୂଷ ବିଶ୍ଵନାଥ ସ୍ବାଇଁ ଓ ସାଥୀମାନେ ପାଲା ପରିବେଷଣ କରୁଛନ୍ତି।

ଅତି ଦୟନୀୟ ଅବସ୍ଥା ଦେଇ ଗତି କରୁଥିବା ଓଡ଼ିଶାର ଏହି ପ୍ରାଚୀନ ଗରିମାମୟ ଲୋକକଳା ତଥା ଓଡ଼ିଶାର ସୌରଭ ରୂପେ ପରିଚିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପୂଜା ପରିପ୍ରେକ୍ଷୀରେ ଏଠି ପରିବେଷଣ ହେଉଥିବା ଏହି ବାଦୀପାଲା, ଆଜିର ସମାଜ ଏବଂ ଆମ ପ୍ରାଚୀନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଆଜିକାର ଯୁବପୀଢୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସ୍ରୋତ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସଦସ୍ୟ ବୃନ୍ଦ।

Categories
ଆଞ୍ଚଳିକ

ବାଣପୁର ବିଧାରପୁରଠାରେ ହେଲା ପରିଡା ପାଠାଗାରର ଶୁଭ ଉଦଘାଟନ

ସୀତାରାମ ଅଗ୍ରହୱାଲ

ବାଣପୁର: ରବିବାର ସନ୍ଧ୍ୟାରେ ବାଣପୁର ସ୍ଥିତ ବିଧାରପୁର ଠାରେ ଥିବା ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ନିକଟରେ ଗୋଲଖ ପରିଡାଙ୍କ ଆନୁକୂଲ୍ୟରେ ପରିଡା ପାଠାଗାରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ପାଠାଗାରକୁ ପାରିକୁଦ ରାଜା ସନ୍ତୋଷ କୁମାର ମାନସିଂହ ମର୍ଦରାଜ ଉଦଘାଟନ କରିଥିଲେ। ଏହି ଅବସରରେ ରାଜାଙ୍କୁ ବିଧାରପୁର ଠାରୁ ପାଠାଗାର ପର୍ଯ୍ୟନ୍ତ ବାଜା ଓ ରୋଷଣୀ ମାଧ୍ୟମରେ ପାଛୋଟି ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଶ୍ରୀଯୁକ୍ତ ମର୍ଦରାଜ ପରିଡା ପାଠାଗାରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।

ଉକ୍ତ ଉଦଘାଟନ ଉତ୍ସବକୁ ସାହିତ୍ୟ ସିନ୍ଦୁରା ତରଫରୁ ସରସ ସୁନ୍ଦର କରାଯାଇଥିଲା। ଏହି ଉପଲକ୍ଷେ ମା ଭଗବତୀ କଳାନିକେତନର ବାର୍ଷିକ ଉତ୍ସବ ନିମନ୍ତେ ଏକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାହିତ୍ୟ ସିନ୍ଦୁରା ତରଫରୁ କବିତା ପାଠ ଉତ୍ସବ ଓ ଭଜନ ପରିବେଷଣ କରାଯାଇଥିଲା। ଅଂଚଳର କବି ମାନଙ୍କ ଦ୍ୱାରା ସ୍ଵଲିଖିତ କବିତା ଗୁଡିକୁ ସେମାନେ ଆବୃତ୍ତି କରିଥିଲେ।

ଉକ୍ତ ଉଦଘାଟନ ଉତ୍ସବରେ ଅତିଥି ଭାବେ ସାହିତ୍ୟିକ ବାଳମୁକୁନ୍ଦ ଦାସ, କୈଳାଶ ମହାରଣା, ନରସିଂହ ମିଶ୍ର ଏବଂ ଗୋଲଖପରିଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ସାହିତ୍ୟିକ ଗୋଲଖ ପରିଡାଙ୍କ ଆବାହକତ୍ୱରେ ଏବଂ ନିଜସ୍ୱ ଖର୍ଚରେ ପାଠାଗାର ନିର୍ମିତ ହୋଇଥିବା ବେଳେ ଉଦଘାଟନ ପରଠାରୁ ପଠନ କାର୍ଯ୍ୟକ୍ରମ ଚାଲୁ ହୋଇଛି। ଉକ୍ତ ପାଠାଗାର ନିର୍ମାଣ ଦ୍ୱାରା ଗ୍ରାମ ପରିବେଶ ସୁନ୍ଦର ହେବା ସହ ବାଣପୁର ଅଞ୍ଚଳରେ ଏକ ସୁ ବାତାବରଣ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଦଶ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୧୦ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ କେଭି ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ‌ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଗୋଦାବରୀଶ ମହାବିଦ୍ୟାଳୟରେ ଜୋନାଲ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳ ବିଶ୍ଵବିଦ୍ୟାଳୟର ସହବନ୍ଧିତ ଏବଂ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନ୍ତ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏ ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ଵରେ ଆୟୋଜିତ ଉଦଘାଟନି ଉତ୍ସବରେ ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମୂଖ୍ୟ ଅତିଥି ଓ ବିଶିଷ୍ଟ ବ୍ୟବସାୟୀ ରବିନାରାୟଣ ପାଲ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ସହ ପ୍ରଶାସନିକ ଅଧିକାରିଣୀ ଡ଼ ସୁଜାତା ମିଶ୍ର, କ୍ରୀଡାପରିଷଦର ଉପାଧ୍ୟକ୍ଷ ପୁଲୀନ ବିହାରୀ ଜେନା, ଡ଼ ଗୁରୁକିଶୋର ନାୟକ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ, ଆଦିତ୍ୟ ସାରଥୀ ବେଦମତ୍ତା, ପ୍ରମୁଖ ଯୋଗଦେଇ ଯୋଗଦାନକାରୀ ଦଳ ଗୁଡିକୁ ଉତ୍ସାହିତ କରିଥିଲେ।

ମହାବିଦ୍ୟାଳୟର ଦୁଇ ସୁଯୋଗ୍ୟ ଛାତ୍ର ତଥା ଜାତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ରେଫରୀ ବିବୁଧେନ୍ଦୁ ମାନସିଂ ଓ ନାରାୟଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସାତପଡା ମହାବିଦ୍ୟାଳୟ ବିଜୟୀ ହୋଇଥିବାବେଳେ ବେଳେ ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରନରସ୍ ଅପ କପ୍ ହାସଲ କରିଥିଲା।

ଉତ୍କଳ ବିଶ୍ଵବିଦ୍ୟାଳୟର ପନ୍ଦରଟି ଟିମ୍ ଏଥିରେ ଯୋଗଦେଇଥିଲେ। ଉଦଯାପନୀ ଉତ୍ସବରେ ବାଣପୁର ଥାନାର ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ଦେବତା ଓ ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀଙ୍କ ଦର୍ଶନ କଲେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି

ବାଣପୁର: ଆଜି ସଂନ୍ଧ୍ୟାରେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ଦର୍ଶନକୁ ଆସିଥିଲେ।  ଏହି ପରିପ୍ରେକ୍ଷୀରେ ମନ୍ଦିର ଦ୍ୱାରଦେଶରେ ତାଙ୍କୁ ବାଣପୁର ଓକିଲ ସଂଘ, ଦେବୋତ୍ତର ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ ଜ୍ଞାପନ କରାଯାଇଥିଲା।

ଡ଼. ଷଡ଼ଙ୍ଗୀ ମା’ ଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଅତିବାହିତ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କୁ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ମୁଖ୍ୟ ବିଚାରପତିଙ୍କ ଗସ୍ତ ସମୟରେ ବାଣପୁର ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର, ଜେଏମଏଫସି ସ୍ନାତକୀ ଦାସ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ସୁଧୀର ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ଦେବବ୍ରତ ବଡ଼ଜେନା, ପ୍ରଶାନ୍ତ ମହାନ୍ତି, ଆଇନଜୀବୀ ରଞ୍ଜନ କୁମାର ବେଦମତା, ସୁନୀଲ ମହାପାତ୍ର, ଜଗଦୀଶ ପଟ୍ଟନାୟକ, ସଚିତ ମିଶ୍ର, ରମେଶ ବିଷୋୟୀ, ସନ୍ତୋଷ ପାତ୍ର, ସୀତାରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଭିନଵ ଉପାୟରେ ଠକେଇ କରି ବାଣପୁର ପୋଲିସ ହାତରେ ବନ୍ଧା ହେଲେ ଅଭିଯୁକ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ ଯୁବକଙ୍କ ଅଳଙ୍କାର ଠକେଇ ଉପାୟ ସାଧାରଣରେ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ ବାଣପୁର ଥାନା ଅଧିନସ୍ଥ ମଙ୍ଗରାଜପୁର ଛକଠାରେ ଘର କରି ରହିଥିବା ମୁନା ରାଉତ (୪୦) ବାଣପୁର ଅଞ୍ଚଳର ବୁଢାବୁଢ଼ୀ ମାନଙ୍କୁ ନଜରରେ ରଖି ସେମାନଙ୍କୁ ମିଠା କଥା କହି ପିନ୍ଧିଥିବା ସୁନା ଅଳଙ୍କାର ହରଣଚାଲ କରୁଥିଲା।

ଗତକାଲି ସାରୁବାରୀ ପଦର ଗ୍ରାମର କବିରାଜ ସ୍ୱାଇଁ ନାମକ ଜଣେ ବୃଦ୍ଧ ଏକ ମଙ୍ଗଳ ସୂତ୍ର ଗୁନ୍ଥିବା ନିମନ୍ତେ ବାଣପୁର ଆସୁଥିବା ବେଳେ ଅଭିଯୁକ୍ତ ମୁନା ତାଙ୍କୁ ମିଛ ପରିଚୟ ଦେଇ ମୋର ଚିହ୍ନାପରିଚୟ ଅଛି କହି ନିଜର ମୋଟର ସାଇକେଲରେ ବସାଇ ବଜାରକୁ ନେଇଯାଇଥିଲା। ପରେ ସୁନା ଦୋକାନ ପାଖରେ ବୃଦ୍ଧ ଜଣଙ୍କୁ ଛାଡ଼ିଦେଇ ମଙ୍ଗଳସୂତ୍ର ଧରି ଚମ୍ପଟ ମାରିଥିଲା।

କବିରାଜ ଉକ୍ତ ଘଟଣାକୁ ନେଇ ଥାନାର ଦ୍ୱାରସ୍ତ ହୋଇଥିଲେ। ଥାନା ଅଧିକାରୀ ରମେଶ କୁମାର ଦେବତା ବିଭିନ୍ନ ସିସିଟିଭିକୁ ଦେଖି ଏବଂ ବିଭିନ୍ନ ଲୋକଙ୍କୁ ପଚାରି ଅଭିଯୁକ୍ତକୁ ଚିହ୍ନିବାରେ ସଫଳ ହୋଇଥିଲେ। ଆଜି ସକାଳେ ଅଭିଯୁକ୍ତକୁ ଘରୁ ପୋଲିସ ଉଠାଇ ନେଇଥିଲା। ପଚରା ଉଚରା ପରେ ଅଭିଯୁକ୍ତ ନିଜ ଘରେ ଜୋତା ଭିତରେ ଲୁଚାଇ ରଖିଥିବା ମଙ୍ଗଳ ସୂତ୍ରକୁ ଉଦ୍ଧାର କରିଛି ପୋଲିସ।

ଅନୁରୂପ ଭାବେ ଅଭିଯୁକ୍ତ ମୁନା ମାଟିଆପୋଖରୀ ଗ୍ରାମର ତିଳୋତ୍ତମା ପ୍ରଧାନ ନାମ୍ନୀ ଜଣେ ବୃଦ୍ଧା ବ୍ୟାଙ୍କରୁ ବାର୍ଦ୍ଧକ୍ୟ ଭତ୍ତା ଧରି ଫେରୁଥିବା ବେଳେ ପେଟ୍ରୋଲ ଟାଙ୍କି ନିକଟରେ ବୃଦ୍ଧାଙ୍କୁ ଅଟକାଇ ଆଇ ବୋଲି ଡାକି ଏବଂ ମଇଳା କାନଫୁଲ କଣ ପିନ୍ଧିଛୁ ବୋଲି କହି ସଫା କରିବା ବାହାନାରେ ଜୋରକରି କାନଫୁଲ ଧରି ଚମ୍ପଟ ମାରିଥିଲା। ପୋଲିସ ପଚାରିବାରେ ଉକ୍ତ କାନଫୁଲ ଅଭିଯୁକ୍ତ ମୁନା ଗ୍ରାମର ଜନୈକ ବ୍ୟକ୍ତି ପାଖରେ ବନ୍ଧା ପକାଇଥିବା ସ୍ୱୀକାର କରିଥିଲା। ଉକ୍ତ କାନଫୁଲକୁ ବନ୍ଧା ପକାଇଥିବା ବ୍ୟକ୍ତିଙ୍କ ନିକଟରୁ ମଧ୍ୟ ଥାନାଧିକାରୀ ଶ୍ରୀ ଦେବତା ଉଦ୍ଧାର କରିଥିବା ଜଣାଯାଇଛି।

ଅଭିଯୁକ୍ତ ମୁନାକୁ ପୋଲିସ ଅଟକ ରଖି ଅନ୍ୟ କୌଣସି କେଳେଙ୍କାରୀରେ ସମ୍ପୃକ୍ତ ଅଛିକି ନାହିଁ ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରସ୍ଥିତ ମା ଭଗବତୀଙ୍କୁ ଦର୍ଶନ କଲେ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ଓଟିଡ଼ିସି ଅଧ୍ୟକ୍ଷ ଡା ଲେନିନ ମହାନ୍ତି। ଶ୍ରୀ ମହାନ୍ତି ଆଜି ମଧ୍ୟାହ୍ନରେ ସପରିବାର ସହ ବାଣପୁର ଆସି ମା’ ଭଗବତୀ ମନ୍ଦିର ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ସେ ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ। ମା’ ଭଗବତୀ ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଶକ୍ତିପିଠ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମନ୍ଦିରକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାର କହିଥିଲେ ଶ୍ରୀ ମହାନ୍ତି।

ଏହି ଅବସରରେ ବାଣପୁର-ବାଲୁଗାଁ ବାଇପାସଠାରେ ଓଟିଡ଼ିସି ପକ୍ଷରୁ ମା’ ଭଗବତୀ ମନ୍ଦିରର ବିରାଟ ସାଇନବୋର୍ଡ ସ୍ଥାପନ କରିବାକୁ ସେବାୟତ ମାନେ ଶ୍ରୀ ମହାନ୍ତିଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଅନୁରୋଧକୁ ରକ୍ଷାକରି ଖୁବଶୀଘ୍ର ଏହି କାର୍ଯ୍ୟ ପୂରଣ ହେବ ବୋଲି ସେବାୟତଙ୍କୁ ସେ ପ୍ରତିଶୃତି ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଆତ୍ମହତ୍ୟା କଲେ ଯୁବକ: ଅନଲାଇନ ଗେମ ହେଲା କି କାରଣ?

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ମୁତାବକ ଉକ୍ତ ଗ୍ରାମର ବ୍ରଜ ସାହୁଙ୍କ ପୁତ୍ର ଧର୍ମେନ୍ଦ୍ର ସାହୁ (୪୦) ବେକରେ ଲୁଗା ଗୁଡ଼ାଇ ଫ୍ୟାନରେ ଝୁଲି ପଡ଼ିଛନ୍ତି। ପରିବାର ଲୋକ ଏହା ଦେଖି ବାଣପୁର ପୋଲିସକୁ ଖବର ଦେବାରୁ ପୋଲିସ ୧୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

ତେବେ ଧର୍ମେନ୍ଦ୍ର ଅନଲାଇନ ଗେମରେ ବହୁ ଟଙ୍କାର କ୍ଷତି ସହିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ଥାଉକି ଧର୍ମେନ୍ଦ୍ରଙ୍କ ବଡଭାଇ ଗତ କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକ ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପୂର୍ବତନ ସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତମାନେ ଫେରାର

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଭଗବତୀପୁର ଗ୍ରାମର ପୂର୍ବତନ ସେନା ଅଧିକାରୀ କାହ୍ନୁଚରଣ ମହାପାତ୍ର ଦଶହରା ଉପଲକ୍ଷେ ନିଜ ଗ୍ରାମକୁ ଆସିଥିଲେ। ତେବେ ଗତକାଲି କାହ୍ନୁଙ୍କ ଘର ସମ୍ମୁଖରେ ପ୍ରବଳ ପାଟିତୁଣ୍ଡ ହେବାରୁ କାହ୍ନୁ ଘରୁ ବାହାରି ଘଟଣାସ୍ଥଳକୁ ଯାଇଥିଲେ। ସେହି ସମୟରେ ଉକ୍ତ ଗ୍ରାମର ରସାନନ୍ଦ ସାହୁ ନିଜର କୌଣସି ବ୍ୟକ୍ତିଗତ କାର୍ଯ୍ୟପାଇଁ କିଛି ଶ୍ରମିକ ମାନଙ୍କୁ ଗ୍ରାମକୁ ଡାକିଥିଲେ।

ଏହି ସମୟରେ ଶ୍ରମିକମାନେ ବାଉଁଶ ନେଇ ଯାଉଥିବା ବେଳେ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଶରୀରକୁ ଆଘାତ ଲାଗିଥିଲା। ଏହାପରେ ରସାନନ୍ଦଙ୍କ ଶ୍ରମିକ, ରସାନନ୍ଦ ଏବଂ ଅନ୍ୟ ସହଯୋଗୀମାନଙ୍କ ସହ ଗ୍ରାମବାସୀଙ୍କ ଝଗଡା ହୋଇଥିଲା। ଏପରିକି ଶ୍ରମିକମାନେ ଗ୍ରାମବାସୀଙ୍କୁ ଅଶ୍ରବ ଭାଷାରେ ଗାଳିଗୁଲଜ କରିଥିଲେ।

ଫଳରେ କାହ୍ନୁ ଏହାକୁ ବାରଣ କରିବାରୁ ଜନୈକ ବ୍ୟକ୍ତିମାନେ ସଂଘବଧ ଭାବେ କାହ୍ନୁଙ୍କୁ ଛୁରାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କାହ୍ନୁ ଗୁରୁତର ଆହତ ହୋଇଥିଲେ।  ଏହାପରେ ଅଭିଯୁକ୍ତମାନେ କାହ୍ନୁଙ୍କ ପରିବାରକୁ ମଧ୍ୟ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।

କାହ୍ନୁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗ୍ରାମବାସୀ ଉକ୍ତ ଘଟଣାର ଆପୋଷ ସମାଧାନ କରି ରାୟ ଶୁଣାଇବା ପରେ ମଧ୍ୟ ଅଭିଯୁକ୍ତ ମାନେ ଏଥିରେ ଅମଙ୍ଗ ହେବାରୁ ପୀଡ଼ିତ କାହ୍ନୁ ଓ ପରିବାର ବର୍ଗ ଆଜି ବାଣପୁର ଥାନାରେ ଏ ନେଇ ଏତଲା ଦେଇଥିଲେ।

ପୋଲିସ ଅଭିଯୁକ୍ତ ରସାନନ୍ଦ ସାହୁ, ନିଲୁ ସାହୁ ଏବଂ ଅନ୍ୟମାନଙ୍କ ବିରୋଧରେ କେସ ନମ୍ବର ୩୮୪/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଆବିର୍ଭାବ ଦିବସ ସମାରୋହ ପାଳନ

ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ, ଆଦର୍ଶ ଶିକ୍ଷକ,ଶିକ୍ଷାବିତ୍, ନିସ୍ୱାର୍ଥ ପରଜନ ସେବକ, ପ୍ରବୀଣ ରାଜନିତୀଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକ ନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଣ୍ୟ ଆବିର୍ଭାବ ଦିବସ ସମାରୋହ ଜନ୍ମମାଟି ବାଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଚିଲିକା ସାହିତ୍ୟ ସମାଜ ବାଲୁଗାଁ-ବାଣପୁରର ମିଳିତ ଆନୁକୂଲ୍ୟରେ ନେହେରୁ ସେବା ସଂଘର କନକ ଭବନଠାରେ ଆୟୋଜିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ପୌରାହିତ୍ୟ କରି ଓଡ଼ିଶା ସାହିତ୍ୟ ଭଣ୍ଡାରକୁ ନିଜର ସାରସ୍ଵତ ସୃଷ୍ଟିରେ ରୁଦ୍ଧିମନ୍ତ କରିଥିବା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଜନ୍ମଦେଇ ବାଣପୁର ମାଟି ଆଜି ଗର୍ବିତ ବୋଲି କହି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସାହିତ୍ୟିକ ଡକ୍ଟର ହରିହର କାନୁନଗୋ, ମୁଖ୍ୟବକ୍ତା ଭାବରେ ସୁସାହିତ୍ୟ ଡକ୍ଟର ପ୍ରମୋଦ କୁମାର ଦ୍ଵିବେଦୀ, ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଏବଂ ଡ଼ାଦେବେନ୍ଦ୍ରନାଥ ମାନସିଂ ଯୋଗ ଦେଇ ପଣ୍ଡିତ ମିଶ୍ର ପରାଧୀନ କାଳରେ ବହୁ କଷ୍ଟ ସ୍ଵୀକାର କରି ନିଜର ଏ କୋନିଷ୍ଠ ଉଦ୍ୟମ ବଳରେ କିପରି କଲିକତାରୁ ଏମଏ ପାସ କରି ସରକାରୀ ଚାକାରିକୁ ପ୍ରତ୍ୟାଖ୍ୟାନ କରି ଗୋପବନ୍ଧୁଙ୍କ ପ୍ରେରଣାରେ ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷକତା କୁ ଆଦରିନେଇ ତ୍ୟାଗ, ସେବା ଓ ସାଧନାର ବେଦୀରେ ନିଜ ଜୀବନକୁ ଉତ୍ସର୍ଗ କରି ଜନ୍ମଭୂମୀ ଉତ୍କଳର ନିସ୍ୱାର୍ଥସେବା କରିଥିଲେ ପ୍ରତିଟି ଉତ୍କଳୀୟଙ୍କ ହୃଦୟରେ ଚିରକାଳ ବଞ୍ଚି ରହିଥିବେ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଭାତରେ ବାଣପୁର ବାସୀଙ୍କ ତରଫରୁ ବଜାରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଚିଲିକା ସାହିତ୍ୟ ସମାଜ ର କବିମାନଙ୍କ ଦ୍ଵାରା ଏକମନୋଜ୍ଞ ସ୍ୱରଚିତ କବିତା ପାଠ ଅନୁଷ୍ଠିତ ହୋଇଥିଲା।

ଏଥିରେ କବି ନୃସିଂହ ପ୍ରସାଦ ମିଶ୍ର, ଓମ ପ୍ରକାଶ ଅଗ୍ରୱାଲ, ମଦନ ମୋହନ ମହାପାତ୍ର,ଆନନ୍ଦ ଚନ୍ଦ୍ର ସେନାପତି, ଶିଶିର ଦାସ, ଶେଷଦେବ ମହାରଣା,ରୋଜି ମିଶ୍ର, ଡ଼ଃ ନୃସିଂହ ପ୍ରଧାନ, ଭିକାରୀଚରଣ ପ୍ରଧାନ, ରମେଶ ଚନ୍ଦ୍ର ମହାପାତ୍ର, ଗୋଲକ ବିହାରୀ ପରୀଡ଼ା, ରବି ମାନସିଂ, ଦେବାଶୀଷ ପଟ୍ଟନାୟକ, ପବିତ୍ର ବେହେରା, ସନ୍ତୋଷ କୁମାର ଦାଶ, ଶରତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ଦାସ, ବିରେନ୍ଦ୍ର କୁମାର ତ୍ରିପାଠୀ ଯୋଗ ନେଇ ସ୍ଵରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ସଂପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଣପୁର ଓ ଚିଲିକା ବ୍ଲକରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦଘାଟିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକରେ ରାଜ୍ୟ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରଚ୍ୟୁଆଲ ମୋଡରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ଉଭୟ ବ୍ଲକ ପ୍ରଶାସନ ପକ୍ଷରୁ ଉଭୟ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି ନାରାରେ ଏହି ଯୋଜନା ର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକରେ ୯୫ କୋଟି ଟଙ୍କା ବ୍ୟୟରେ ୨ହଜାର ୭୬୩ ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସାମିଲ ହୋଇଛି। ବିଶେଷ କରି ଏ ଅଞ୍ଚଳର ମଠ ମନ୍ଦିର ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ୫-ଟି ରେ ସାମିଲ କରାଇ ଶିକ୍ଷାର ବିକାଶ ପ୍ରତି ଧ୍ୟାନ ଦେଇ ଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ ଉପସ୍ଥିତ ଜନସାଧାରଣ।

ଏହି ପରିପ୍ରେକ୍ଷୀରେ ଚିଲିକା ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଅନୁରୂପ ଭାବେ ବାଣପୁରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିଲେ।

ଏହି ଯୋଜନା ଅନ୍ତର୍ଗତ ଚିଲିକା ବ୍ଲକ ଚଣ୍ଡେଶ୍ୱରସ୍ଥିତ ବାବା ଚଣ୍ଡୀହର ଦେବ ମନ୍ଦିରକୁ ୧ କୋଟି, ବାଲୁଗାଁ କଲେଜକୁ ୧.୫ କୋଟି, ବାଣପୁର ମା’ ଭଗବତୀ ମନ୍ଦିରକୁ ୩୦ କୋଟିରୁ ଊର୍ଦ୍ଧ୍ଵ, ଗୋଦାବରୀଶ ମହାବିଦ୍ୟାଳୟକୁ ୨.୨୫ କୋଟି ଏବଂ ବାଣପୁର ଓ ଚିଲିକା ବ୍ଲକର ୩୪ ଗୋଟି ପଞ୍ଚାୟତକୁ ୧୭ କୋଟି ସହିତ ମୋଟ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି।

ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲ ଏବଂ ଚିଲିକା ବ୍ଲକରେ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉଭୟ ବ୍ଲକରେ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ଉପସ୍ଥିତ ଥିଲେ।

ସୂଚନା ଥାଉକି ଚିଲିକା ନିର୍ବାଚନମଣ୍ଡଳିରେ ଆଜିର ଉକ୍ତ କାର୍ଯ୍ୟକ୍ରମକୁ ବିଜେପି ବର୍ଜନ କରିଛି, ଯାହା ଫଳରେ ଉଭୟ ବ୍ଲକର ୩୪ ଗୋଟି ପଞ୍ଚାୟତରୁ ବିଜେପି ସମର୍ଥିତ ୨୩ ଜଣ ସରପଞ୍ଚ ଓ ୨୪ ଜଣ ସମିତି ସଭ୍ୟଙ୍କ ସମେତ ଉଭୟ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଛଅ ଭଉଣୀଙ୍କୁ ମେଲାଣୀ ଦେଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ

ବାଣପୁର (ସୀତାରାମ ଅଗ୍ରୱାଲ): ସଂସାରର କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସଚରାଚର ଜୀବଜଗତଙ୍କ ମନରେ ପ୍ରାଣରେ ହୃଦୟରେ, ପ୍ରକୃତିର ପ୍ରତିଟି ଅଣୁରେ ଅସୀମ ଶକ୍ତି ସଂଚାର କରି, ଜଗତର ମଙ୍ଗଳ ବିଧାନ କରି ମଙ୍ଗଳମୟୀ ମା’ଭଗବତୀ ପବିତ୍ର ଦଶହରାରେ ଶ୍ରଦ୍ଧାଳୁଙ୍କୁ ଶୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରି ଛଅ ଭଉଣୀଙ୍କୁ ମେଲାଣୀ ଦେବା ପରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ। ମା’ଙ୍କର ମାନବୀୟ ଲୀଳାର ପ୍ରତୀକ ବାଣପୁରର ପ୍ରସିଦ୍ଧ ଶାରଦୀୟ ପର୍ବ ସପ୍ତ ମାତୃପୂଜା ଏକ ଅନନ୍ୟ ପରମ୍ପରା।

ଜାନିଯାତ୍ରା ପର୍ବପବାଣୀରେ ଝିଅ ମାନେ ବାପ ଘରୁ ଡ଼ାକରା ପାଇ ଏକାଠି ହେବାପରେ ଆନନ୍ଦ ଉଲ୍ଲାସରେ ଯେପରି ସମୟ କଟାନ୍ତି, ପର୍ବଶେଷରେ ଭଉଣୀମାନେ ପରସ୍ପର ପରସ୍ପରଠାରୁ ମେଲାଣି ନେଲା ବେଳେ ଯେପରି ଆଖିରୁ ଲୁହ ଝରିପଡ଼େ, ସେହିପରି ଆଜି ଦୀର୍ଘ ଷୋଳଦିନର ମହା ଆନନ୍ଦର ସମୟର ଶେଷ ପରେ ସତେ ଯେପରି ସମସ୍ତଙ୍କ ମନରେ ସେହି ଦୁଃଖର ଛାଇ ଖେଳିଯାଇଛି। ପୁଣି ଦେଖା ହେବ ଆସନ୍ତା ଆଶ୍ଵିନର ସେହି କୃଷ୍ଣ ଅଷ୍ଟମୀ ତିଥିରେ। ଆଉ ମହାମନ୍ତ୍ରର ଧ୍ଵନୀ, ଘଣ୍ଟ ଘଣ୍ଟା କାହାଳୀର ସ୍ଵର ଶୁଭିବ ନାହିଁ ପର୍ବଗୃହରେ। ପର୍ବ ଗୃହଶୂନ୍ୟ ପଡିଯିବ। ଆଉ ରୋଷଣୀର ଆଲୋକମାଳାରେ ଝଲସିବ ନାହିଁ ମନ୍ଦିର, ମୁଖଶାଳା ପାଟ ଅଗଣା। ପୁଣି ଆଗାମୀ ଆଶ୍ୱିନ କୁ ଅପେକ୍ଷା।

ମା’ କାଳିଜାଇ ଚାଲିଯିବେ ନୀଳାମ୍ବୁ ଚିଲିକା ମଧ୍ୟକୁ, ନାରାୟଣୀ ଚାଲି ଯିବେ ଭଙ୍ଗିଳଭାଲେରୀର ଖୋଲ ବା ଗୁମ୍ଫା ଦେଉଳକୁ, ଶିଦ୍ଧେଶ୍ଵରୀ ଶୋଲରୀର ସାମୁକା ପାଖ ଦେଉଳକୁ ଚାଲିଯିବେ। ମା’ କନକ ଦୁର୍ଗା କୁମାର ପୂର୍ଣ୍ଣମୀ ଯାଏଁ ବରିଜାଇଙ୍କୁ ନେଇ ମନ୍ଦିରରେ ରହିବେ।

ଦଶହରାର ନିଶାର୍ଦ୍ଧରେ ମା’ ମାନଙ୍କ ମେଲାଣୀ ଉତ୍ସବ ବାଣପୁରବାସୀଙ୍କ ମନରେ ଆଣିଦେଇଥିଲା ଅନେକ ଦୁଃଖ। ବାହାର ପର୍ବଗୃହ ସାତବଖରା ଘରୁ ବାହାରି ପ୍ରଥମେ ସାତ ଭଉଣୀ ପଶ୍ଚିମ ଦିଗ ରକ୍ଷା କାରିଣୀ ମା’ ବିରିଜାଇଙ୍କୁ ମେଲାଣି ଦେବା ପାଇଁ ମା’ ଭଗବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ବାହାରି ଥିଲେ। ବାଟରେ ମାଧବଙ୍କ ପ୍ରତୀକ ଶ୍ରୀରଙ୍କନାଥ ଦେବ ମଧ୍ୟ ସାଥିରେ ସାମିଲ ହୋଇଥିଲେ।

ମା’ଙ୍କ ମନ୍ଦିର କୁଢୁଆ ଦ୍ଵାର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ବାଲୁକା ବେଦି ଉପରେ ଦଣ୍ଡାୟମାନ ହେବାପରେ ପର୍ବ ପୂଜକ, ପରୀଚ୍ଛା, ପତ୍ରୀ, ପାଳିଆ ମାଳି, ନିଯୋଗୀ ସେବାୟତମାନେ ମା’ମାନଙ୍କୁ ସ୍ଵାଗତ କରି ଜୟ ଧ୍ଵନୀ ସହିତ ଆଲଟଚାମର ସେବା କରିଥିଲେ। ପରେ ଘଣ୍ଟା ଘଣ୍ଟକାହାଳୀ ବାଜି ନୈବେଦ୍ୟ ଅର୍ପଣ, ଅଗ୍ନି ଉତ୍ସବ, ଆଳତୀ ବନ୍ଦାପନା ପରେ ଦେବୀମାନେ ମନ୍ଦିର ପ୍ରବେଶ କରିଥିଲେ।

ମନ୍ଦିର ଭିତରେ ବିଜୟ ଦଶମୀର ସମସ୍ତ ନୀତିକାନ୍ତି ସରିବା ପରେ ମା’ ଭଗବତୀ ବଡ଼ ଭଉଣୀ ବିରିଜାଇ ଓ ମା’ କନକ ଦୁର୍ଗାଙ୍କୁ ଛାଡ଼ି ଏକାକୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିବା ବେଳେ ବଡ଼ ଦାଣ୍ଡରେ ଶ୍ରୀ ଶ୍ରୀ ରଘୁନାଥ ଦେବ ମା’ଙ୍କୁ ପାଛୋଟି ନେଇ ମା’ଙ୍କ ଅତିପ୍ରିୟ ଅଧର ମୁଆଁ ସହିତ ବିଭିନ୍ନ ପ୍ରକାରର ମିଷ୍ଠାନ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ଶାନ୍ତ କରାଇବା ସହିତ ବିଦାୟ ଦେଇଥିଲେ।

ପରେ ରାତ୍ରିର ଶେଷ ପ୍ରହରରେ ମା’ ଭଗବତୀ କାଠି ଠାକୁରାଣୀ ପିତ୍ରାଳୟ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ମନ୍ଦିରକୁ ପ୍ରବେଶ କରିଥିଲେ। ମା’ଙ୍କ ଏହି ମେଲାଣି ଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମା’କନକ ଦୁର୍ଗା କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସ୍ଥାନୀୟ ପ୍ରଶାସନ, ପୋଲିସ୍‌, ମନ୍ଦିର ପ୍ରସାଶନ ରଘୁନାଥ ସାହିପକ୍ଷରୁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଞ୍ଚଳିକ

ଦଶହରା ଉପଲକ୍ଷେ ମା’ ଭଗବତୀ ମନ୍ଦିର ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର ଦଶହରା ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଶକ୍ତିପିଠ ପରିଦର୍ଶନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡ଼.ବାଦଲ କୁମାର ମହାନ୍ତି। ଆଜି ଅପରାହ୍ନରେ ଉଭୟ ଅଧିକାରୀ ବାଣପୁର ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସି ମା’ଙ୍କ ଆଶୀର୍ବାଦ ନେଇଥିଲେ।

ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଥିବାରୁ ଭକ୍ତଙ୍କ ଦର୍ଶନ ସୁବିଧା ଦୃଷ୍ଟିରୁ ବେଢାରେ କିଛି ସମୟ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ ଜିଲ୍ଲାପାଳ। ଏହି ସମୟରେ ସେବାୟତମାନେ ମନ୍ଦିର ଉନ୍ନୟନ କାର୍ଯ୍ୟ ବିଷୟରେ ଜିଲ୍ଲାପାଳଙ୍କୁ ପଚାରିଥିବା ବେଳେ ମନ୍ଦିର ଉନ୍ନୟନ ପାଇଁ ବାରମ୍ବାର ଟେଣ୍ଡର ଡକାଯାଉଥିଲେ ସୁଦ୍ଧା କେହି ଆବେଦନ ନକରିବାରୁ ତାହା ବାତିଲ ହେଉଯାଉଥିବା ଜିଲ୍ଲାପାଳ କହିବା ସହ ଦୁଃଖପ୍ରକାଶ କରିଥିଲେ।

ତେବେ ମା’ଙ୍କ ଆଶୀର୍ବାଦରୁ ଖୁବ ଶୀଘ୍ର ମନ୍ଦିର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରିଛନ୍ତି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ। ଏଥିସହିତ ମା’ ଭଗବତୀ ମନ୍ଦିରରେ କୁକୁର ବୁଲୁଥିବା ବିଷୟରେ ପୁର୍ବରୁ ଖବର ପ୍ରକାଶ ପାଇଥିବା ବେଳେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉକ୍ତ ବିଷୟରେ ତାଗିଦ କରିଥିଲେ ଜିଲ୍ଲାପାଳ।

ଅନୁରୂପ ଭାବେ ଆସନ୍ତା ୨୬ ତାରିଖରେ ପଲଟନ ପଡିଆରେ ବାଣପୁର ବ୍ଲକ ଆନୁକୂଲ୍ୟରେ ହେବାକୁ ଥିବା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ସ୍ଥଳ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ଟାଙ୍ଗୀ ଉଗ୍ରତାରା ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ।

Categories
ଆଞ୍ଚଳିକ

“ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଦ୍ଵାରା ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ “ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଦ୍ଵାରା ଗତକାଲି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। “ସତ୍ୟବାଦୀ ସାହିତ୍ୟ: ସ୍ୱର ଓ ସ୍ଵାକ୍ଷର” ବିଷୟକୁ ନେଇ ଅନୁଷ୍ଠିତ ଏହି ଜାତୀୟ ପାଠଚକ୍ରକୁ ନିର୍ଦ୍ଦେଶକ, ଆଞ୍ଚଳିକ ନିର୍ଦ୍ଦେଶାଳୟ, ବ୍ରହ୍ମପୁରର ସମ୍ମାନାସ୍ପଦ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସତ୍ୟବାଦୀ ସାହିତ୍ୟର ବିଶେଷତ୍ୱ ଓ ଏହା ଏକ ଯୁଗ ନା ଚେତନା ସେସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ମୁଖ୍ୟ ଅଥିତି ଭାବେ ନରେନ୍ଦ୍ରପୁର ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡକ୍ଟର ହୃଷିକେଶ ପଣ୍ଡା ଯୋଗଦାନ କରି ସତ୍ୟବାଦୀ ସାହିତ୍ୟ ସାଧକ ଓ ସତ୍ୟବାଦୀ ବନବିଦ୍ୟାଳୟର ବିଶେଷତ୍ୱ ବିଷୟରେ ଆଲୋଚନା କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ବିନାୟକ ହୋତା ସଭାପତି ପାଦରେ ଆସୀନ ଥିବା ବେଳେ ଏହି ଜାତୀୟ ସମ୍ପାନର ତଥା ଉଦଘାଟନ ଉତ୍ସବର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ପଶ୍ଟିମବଙ୍ଗରେ ଅବସ୍ଥିତ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ, ଶାନ୍ତିନିକେତନର ଓଡ଼ିଆ ବିଭାଗ ପ୍ରଫେସର ଡକ୍ଟର ଶରତ କୁମାର ଜେନା। ସେ ସତ୍ୟବାଦୀ ସାହିତ୍ୟ ରଥିଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଏହା କିଭଳି ସାଧାରଣ ଲୋକଙ୍କ ପାଖରେ ଆଦର ଲାଭ କରିପାରିଛି ସେ ବିଷୟରେ ତଥ୍ୟାନୁମୂଳକ ବକ୍ତବ୍ୟ ରଖିଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଶୂରପ୍ରତାପ ନରେନ୍ଦ୍ର ସିଂହ ବର୍ମା ସ୍ୱାଗତ ଭାଷଣ ଦେବାସହିତ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ରଘୁନାଥ ଓଝା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଉଦଘାଟନ ଅଧିବେଶନକୁ ମହାବିଦ୍ୟାଳୟର ସହ -ପ୍ରଶାସନିକ ଅଧିକାରୀ ଡକ୍ଟର ସୁଜାତା ମିଶ୍ର ସଂଚାଳନ କରିବା ସହିତ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଚିତ୍ତରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଉଦଘାଟନ ଅଧିବେଶନ ପରେ ପ୍ରଥମ ବୈଷୟିକ ଅଧିବେଶନ ଆରମ୍ଭ ହୋଇଥିଲା ଏଥିରେ ସଭାପତି ଭାବରେ ପଂଚାୟତ ମହାବିଦ୍ୟାଳୟ, ବରଗଡ଼ର ଅବସରରପ୍ରାପ୍ତ ଅଧକ୍ଷ ଡକ୍ଟର ରଘୁନାଥ ମେହେର ଯୋଗ ଦେବାସହିତ ଓଡ଼ିଆ ବିଶ୍ଵବିଦ୍ୟାଳୟ, ସତ୍ୟବାଦୀର ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର ଏବଂ ନିଆଳି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଶ୍ରୀଧର ବାରିକ ପ୍ରବନ୍ଧ ପାଠ କରିଥିଲେ। ଏହି ଅଧିବେଶନରେ ଧନ୍ୟବାଦ ପ୍ରଦାନ କରିଥିଲେ ଓଡ଼ିଆ ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା।

ଦ୍ୱିତୀୟ ଅଧିବେଶନରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, କୋରାପୁଟର ଭିଜିଟିଂ ପ୍ରଫେସର ଡକ୍ଟର ସତ୍ୟ ଷଡ଼ଙ୍ଗୀ ସଭାପତି ଭାବରେ ଯୋଗଦେଇ ସତ୍ୟବାଦୀ ସାହିତ୍ୟର ପୃଷ୍ଠଭୂମି ଓ ସତ୍ୟବାଦୀ ସାହିତ୍ୟ ସାଧକମାନଙ୍କ ବିଷୟରେ ଗବେଷଣାତ୍ମକ ବକ୍ତବ୍ୟ ରଖିଥିବାବେଳେ ପ୍ରବନ୍ଧ ଉପସ୍ଥାପକ ଡକ୍ଟର ଦିବ୍ୟଶକ୍ତି ସମନ୍ତରାୟ, ଡକ୍ଟର ଚିତ୍ତରଞ୍ଜନ କୁଣ୍ଡ ଯୋଗଦେଇ ନିଜର ଗବେଷଣାତ୍ମକ ପ୍ରବନ୍ଧ ପାଠ କରିଥିଲେ।

ଏହି ଜାତୀୟ ପାଠ ଚକ୍ରର ଉଦଯାପନ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ବିଜ୍ଞାନ ମହାବିଦ୍ୟାଳୟ, ଡୁରା, ଗଞ୍ଜାମର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ବନମାଳୀ ପାଣିଗ୍ରାହୀ ଯୋଗ ଦେଇ ସତ୍ୟବାଦୀ ସାହିତ୍ୟର ଜାତୀୟବାଦୀ ସ୍ୱର ସମ୍ପର୍କରେ ବକ୍ତବ୍ୟ ଦେବା ସହିତ ମୁଖ୍ୟବକ୍ତା ଭାବରେ ଓଡ଼ିଆ ବିଶ୍ଵବିଦ୍ୟାଳୟ, ସତ୍ୟବାଦୀର ପ୍ରଫେସର ଡକ୍ଟର ଅନନ୍ତ କିଶୋର ଜେନା ଯୋଗ ଦେଇ ସତ୍ୟବାଦୀର ସାହିତ୍ୟ ସାଧକ ପଣ୍ଡିତ ଗୋପବନ୍ଧୁ ଦଶଙ୍କ ରାଜନୀତିକ ଜୀବନ ସମ୍ପର୍କରେ ଭାବଗର୍ବକ ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟାପକ ସୁଶୀଲ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

ଏହି ଜାତୀୟ ପାଠ ଚକ୍ରରେ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଭାଗ ନେବା ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକମନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ବେଆଇନ ବାଣ ଗୋଦାମରେ ନାଚୁଣୀ ପୋଲିସର ଚଢ଼ାଉ ଜାରି, ମାଲିକ ଫେରାର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ବାଣପୁର ବ୍ଲକ ଅନ୍ତର୍ଗତ ବେଲେଡିହ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି। ସୂଚନା ମୁତାବକ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ବେଲେଡିହ ଗ୍ରାମର କୁମ ମୁଦୁଲି ନାମକ ଜନୈକ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣରେ ବେଆଇନ ବାଣ ଗଚ୍ଛିତ ଥିବା ଖବର ପାଇଥିଲେ। ସଙ୍ଗେସଙ୍ଗେ ଆଇଆଇସି ନିଜ ଟିମ ସହ ଉକ୍ତ ଘରେ ଚଢ଼ାଉ କରିଥିଲେ।

ବର୍ତ୍ତମାନ ଉକ୍ତ ଘରେ ଚଢ଼ାଉ ଜାରି ରହିଥିବା ବେଳେ ବିପୁଳ ପରିମାଣରେ ବେଆଇନ ବାଣ ଜବତ ହୋଇଥିବାର ସୂଚନା ମିଳିଛି। ତେବେ ବାଣ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଖବର ହସ୍ତଗତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାଣପୁର ମା’ ଭଗବତୀଙ୍କ ପ୍ରସିଦ୍ଧ ଭେଟ ଅମାବାସ୍ୟା ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କର ଶାରଦୀୟ ପୂଜା ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ। ଶାରଦୀୟ ପୂଜା ଉତ୍ସବ ପାଇଁ ମା’ ଭଗବତୀ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ନିଜ ସାତ ଭଉଣୀଙ୍କୁ ଉତ୍ସବରେ ଯୋଗ ଦେବା ନିମନ୍ତେ ମନ୍ଦିରକୁ ନିମନ୍ତ୍ରଣ କରିଥାନ୍ତି। ପୂର୍ବରୁ ମା’ନାରାୟଣୀ, ମା’ ସିଦ୍ଧମ୍ବରୀ ଓ ମା’ କାଳିଜାଇ ନିମନ୍ତ୍ରଣ ପାଇ ବିଜେ କରିଥିବା ବେଳେ ଅମାବାସ୍ୟା ତିଥିରେ ନୀଳାଦ୍ରି ପ୍ରସାଦ ଜଙ୍ଗଲରେ ପୂଜା ପାଉଥିବା ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ଆଗମନ ହୋଇଥିଲା।

ଉଭୟ କାଠି ଠକୁରାଣୀ ଙ୍କର ଭେଟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ଭେଟ ଅମାବାସ୍ୟା ନାମରେ ପ୍ରଚଳିତ। ଉକ୍ତ ଉତ୍ସବରେ ହଜାର ହଜାର ଭକ୍ତ ଯୋଗ ଦେଇଥିବା ଦେଖା ଯାଇଥିଲା। ଏହି ପରମ୍ପରାର ଲୋକକଥା ଅନୁସାରେ ପୂର୍ବରୁ ବଙ୍କାଡ଼ ଗଡ଼ ରାଜା ମା’ ଙ୍କର ପୂଜା ଆରାଧନା କରିବା ସହ ପରମ ଭକ୍ତ ମଧ୍ୟ ଥିଲେ। ମା’ଙ୍କର ପୂଜା ବିଧିସହ ମନ୍ଦିରର ସମସ୍ତ ଦାଇତ୍ୱ ବୁଝୁଥିଲେ। ସେହି ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଭେଟେଶ୍ୱର ଠାରେ ଉଭୟ ଠକୁରାଣୀଙ୍କର ଏହି ମିଳନ ଯାତ୍ରା ଅନୁଷ୍ଠିତ ହେଉଥିଲା।

କାଳକ୍ରମେ ତାହା ପରିବର୍ତ୍ତନ ହୋଇ ଏହି ଭେଟ ଯାତ୍ରା ବାଣପୁର ବଜାରରେ ପାଳନ ହେଉଛି। ଉଭୟ ଠାକୁରାଣୀଙ୍କର ଭେଟ ହେଲା ପରେ ଉଭୟ ଭଉଣୀ ବାହାର ପୂଜା ପାଇଁ ମା ଙ୍କର ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ସମ୍ମୁଖରେ ଥିବା ସାତ ବଖରା ଘରକୁ ଗମନ କରିଛନ୍ତି।

ବହୁ ସଂଖ୍ୟାରେ ଜନ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଥିଲା। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏବଂ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଉତ୍ସବ ସ୍ଥଳରେ ଉପସ୍ଥିତ ରହି ମା’ ଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିଥିଲେ।

Categories
ଆଞ୍ଚଳିକ

ବାଣପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ୱାରା ବାଣପୁର ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନାରଣ ଦେଇପୁର ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ସୁକାନ୍ତି ଦାସଙ୍କ ନିକଟରୁ ୨୬ଲିଟର ଦେଶୀ ମଦ ଜବତ କରାଯାଇଛି।

ଅନୁରୂପ ଭାବେ ଝୀଂଟିକାପଲି ଗ୍ରାମର ଦାମୋଦର ପରିଡାଙ୍କ ନିକଟରୁ ୫୦ ଲିଟର ଏବଂ ଗୁଆଲଡିହ ଗ୍ରାମ କାର୍ତ୍ତିକ ଦାସଙ୍କ ନିକଟରୁ ୬୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମୋକଦମା ରୁଜୁ କରାଯାଇ ଗିରଫ କରାଯାଇଥିବା ଜଣାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଟିମ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ସବ ଇନ୍ସପେକ୍ଟର ରୋହିତ କୁମାର ଦଣ୍ଡସେନା, ଏଏସଆଇ ଜିତେନ୍ଦ୍ର ହେମ୍ରମଙ୍କ ସହ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ଗବେଷକଙ୍କ ତାଲିକାରେ ବାଣପୁରର ଡକ୍ଟର ଶଶାଙ୍କ ଶେଖର ସ୍ୱାଇଁ

ବାଣପୁର (ସୀତାରାମ ଅଗ୍ରୱାଲ): ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏଲସେଭିଆର୍ ମିଳିତ ପ୍ରସ୍ତୁତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ଗବେଷକଙ୍କ ତାଲିକାରେ ବାଣପୁର ଉଦୀୟମାନ ଯୁବ ବୈଜ୍ଞାନିକ ତଥା ଗୋଦାବରୀଶ ମହାବିଦ୍ୟାଳୟ ପୂର୍ବତନ ଛାତ୍ର ଡ. ଶଶାଙ୍କ ଶେଖର ସ୍ୱାଇଁ ସ୍ଥାନିତ ହେବା ମାଟି ପାଇଁ ଗର୍ବ ଆଣିଛନ୍ତି। ଔଷଧ ଗବେଷଣା ଏବଂ ଜୈବ ପ୍ରଯୁକ୍ତିତଥ୍ୟବିଦ୍ୟାରେ ଉଚ୍ଚକୋଟିର ଅନୁସନ୍ଧାନ ପତ୍ରିକା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସନୀୟ ହେବା ସହ ଅତି କମ ବୟସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏହି ବିଶ୍ୱ ତାଲିକାରେ ସ୍ଥାନ ପାଇଛନ୍ତି।

ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ‘ଏକଡାଳିଆ’ ଗ୍ରାମର ବ୍ରଜ କିଶୋରେ ସ୍ୱାଇଁ ଙ୍ କନିଷ୍ଠ ପୁତ୍ର ଏବଂ ଭୁବନେଶ୍ୱର ନିବାସୀ ଲକ୍ଷ୍ମୀଧର ସାହୁଙ୍କ ଜାମାତା ଅଟନ୍ତି। ବର୍ତ୍ତମାନ, ସେ ଆଧୁନିକ ବିଜ୍ଞାନ ପାଇଁ ପ୍ରାକୃତିକ ଉତ୍ପାଦ ଭିତ୍ତିକ ଔଷଧ ଏବଂ ନାନୋମେଡିସିନ୍ ପ୍ରୟୋଗ କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତ ‘ଡିବିଟି-ଜୀବ ବିଜ୍ଞାନ ସଂସ୍ଥାନ’ ରେ ଯୁବ ବୈଜ୍ଞାନିକ ଭାବେ ଗବେଷଣା ଜାରି ରଖିଛନ୍ତି।

ସେ ଅନେକ ଜାତୀୟସ୍ତରିୟ ଏବଂ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିବା ସହ ଅନେକ ଖ୍ୟାତିସମ୍ପର୍ଣ ଆନ୍ତର୍ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ରେ ଜଣେ ସକ୍ରିୟ ଏବଂ ଖ୍ୟାତିସମ୍ପନ୍ନ ପତ୍ରିକାର ସମ୍ପାଦକୀୟ ବୋର୍ଡ ସଦସ୍ୟ କାର୍ଯ୍ୟରତ ଅଛନ୍ତି। ଡ. ସ୍ୱାଇଁ ସମସ୍ତ ଶ୍ରେୟ ନିଜ ଗବେଷଣା ମାର୍ଗଦର୍ଶକ, ପରାମର୍ଶଦାତା, ନିର୍ଦ୍ଦେଶକ ସମେତ ନିଜର ପତ୍ନୀ, ପରିବାର ବର୍ଗ ଏବଂ ଶୁଭାକାଂକ୍ଷୀ ଙ୍କୁ ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଭାରତ ତିଦ୍ଦତ ସୀମା ପୋଲିସ ବଳ ଦ୍ଵାରା “ମୋ ମାଟି ମୋ ଦେଶ” ଅଭିଯାନ କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ୪୧ ବାହିନୀ ଭାରତ ତିଦ୍ଦତ ସୀମା ପୋଲିସ ବଳ ଦ୍ଵାରା ବ୍ଲକ ସ୍ତରୀୟ “ମୋ ମାଟି ମୋ ଦେଶ” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବ୍ଲକ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଉକ୍ତ ଅଭିଯାନ ଆୟୋଜନ କରାଯାଇଅଛି।

କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ସଂଗଠନ, ନେହୁରୁ ଯୁବକେନ୍ଦ୍ର ଏବଂ ଅଙ୍ଗନୱାଡି କେନ୍ଦ୍ରର ସଦସ୍ୟମାନେ ଭାଗ ନେଇଥିଲେ।

୪୧ ବାହୀନୀ ସେନାନୀଙ୍କ ନିର୍ଦ୍ଦେଶାନୁସାରେ ବାଣପୁର ବ୍ଲକର ସମସ୍ତ ଗ୍ରାମର ଏକତ୍ରିତ ମାଟିକୁ ବାଣପୁର ବ୍ଲକର ବିଡିଓ ଶ୍ରୀମତୀ ଅଗ୍ରୱାଲଙ୍କୁ ହସ୍ତାନ୍ତର କରି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

ଏହି ଆନୁକୁଲ୍ୟରେ ବ୍ଲକ ଅଧିକାରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ବାହିନୀର ପଦାଧିକାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଅବକାରୀ ବିଭାଗର ଚଢାଉ: ବନ୍ଧା ହେଲେ ଦୁଇ ବେପାରୀ, ଦେଶୀ ମଦ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଏବଂ ଭୀମପୁର ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଯେଉଁଥିରେ ଦେଶୀ ମଦ ଚୋରାଚାଲଣା ଅଭିଯୋଗରେ ଦୁଇଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏହାସହିତ ଉଭୟ ଅଭିଯୁକ୍ତଙ୍କ ଠାରୁ ୧୦୦ ଲିଟର ଦେଶୀ ମଦ ଜବତ କରାଯାଇଛି।

ଦୁଇ ଅଭିଯୁକ୍ତଙ୍କ ନାମ ଗଙ୍ଗାଧର ଦଣ୍ଡସେନା ଓ ସୁକାନ୍ତ ସେଠି ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଯଥାକ୍ରମେ ୩୫ ଲିଟର ଓ ୬୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଉଭୟଙ୍କ ନାମରେ ଯଥାକ୍ରମେ ୧୨୦/୨୩-୨୪ ଓ ୧୨୧/୨୩-୨୪ ଅନୁଯାୟୀ ବାଲୁଗାଁ ଅବକାରୀ ଥାନାରେ ମାମଲା ରୁଜୁ କରାଯାଇଛି।

ତେବେ ଖବର ପାଇ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରୟଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ତପନ ସ୍ୱାଇଁଙ୍କ ତତ୍ୱାବଧାନରେ ଉକ୍ତ ଚଢ଼ାଉ କରାଯାଇଥିଲା।