Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଞ୍ଚମ ଶ୍ରେଣୀ ଛାତ୍ରୀ ପାଞ୍ଚ ମାସର ଅନ୍ତସତ୍ୱା, ଜେଲ୍ ଗଲେ ଟ୍ୟୁସନ ମାଷ୍ଟରାଣୀଙ୍କ ବାପା ସମେତ ସମ୍ପର୍କୀୟ ଅଜା

କୁଜଙ୍ଗ: କୁଜଙ୍ଗ ଥାନା ବାଲିତୁଠ ଅଂଚଳରେ ଜନୈକା ୫ମ ଶ୍ରେଣୀ ଛାତ୍ରୀ ତଥା ୧୧ ବର୍ଷର ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ଟ୍ୟୁସନ୍ ମାଷ୍ଟରାଣୀଙ୍କ ବାପା ସୁବାଷ ମୁଦୁଲି (୫୩) ଓ ପିଡ଼ୀତା ଛାତ୍ରୀର ସମ୍ପର୍କୀୟ ଅଜା ରବୀନ୍ଦ୍ର କୁମାର ଦାସ (୫୫) ଆଜି ଜେଲ୍ ଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବାଲିତୁଠ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ବାଲିସାହି ଗ୍ରାମର ଜନୈକା ଯୁବତୀ ଘରୋଇ ଭାବେ ଟ୍ୟୁସନ କରନ୍ତି। ତାଙ୍କ ନିକଟକୁ ନିକଟସ୍ଥ ଗ୍ରାମର ବହୁ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସନ୍ତି। ଶିକ୍ଷୟତ୍ରୀ ଜଣକ ଅନୁପସ୍ଥିତ ରହିଲେ ତାଙ୍କର ବାପା ସୁବାଷ ମୁଦୁଲି ପିଲାଙ୍କୁ ପାଠ ପଢାଇଥାନ୍ତି। ଏହି ସୁଯୋଗରେ ଦଳିତ ବର୍ଗର ଜନୈକା ୧୧ବର୍ଷର ନାବାଳିକା ତଥା ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଗତ କିଛିଦିନ ତଳେ ପୀଡ଼ିତା ଛାତ୍ରୀ ଜଣଙ୍କର ହଠାତ୍ ପେଟ ଯନ୍ତ୍ରଣା ହୋଇଥିଲା। ଛାତ୍ରୀଙ୍କ ବାପା ନିକଟସ୍ଥ ବାଲିତୁଠ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ପରୀକ୍ଷା କରିବାରୁ ଛାତ୍ରୀ ଜଣକ ୫ମାସର ଅନ୍ତସତ୍ୱା ହୋଇଥିବା ଜଣାପଡିଥିଲା। ଯାହା ଫଳରେ ସୁବାଷ ଛାତ୍ରୀ ଜଣଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବାର ସ୍ୱୀକାର କରିଥିଲା ଏବଂ ଏ ସମ୍ପର୍କରେ କାହାକୁ କିଛି ନକହିବାକୁ ବାରମ୍ବାର ଧମକ ଦେଉଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜ୍ଜୁ କରି ସୁବାଷକୁ ଗିରଫ କରି ପଚରାଉଚରା କରିବା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଥିଲା ବରଂ ଏହି ଘଟଣାରେ ପୀଡିତାର ସମ୍ପର୍କୀୟ ଅଜା ରବୀନ୍ଦ୍ର କୁମାର ଦାସ ସଂପୃକ୍ତିନେଇ ସୁବାଷ ପୋଲିସ୍ ଆଗରେ ପ୍ରକାଶ କରିଥିଲା। ପୋଲିସ୍ ତୁରନ୍ତ ସମ୍ପର୍କୀୟ ଅଜା ରବୀନ୍ଦ୍ରକୁ ଗିରଫ କରିଥିଲା। ଗତକାଲି ଅଭିଯୁକ୍ତଙ୍କର ଡ଼ିଏନଏ ପରୀକ୍ଷା ପାଇଁ ନମୁନା ପଠାଯାଇଛି। ସାତଦିନ ମଧ୍ୟରେ ଡିଏନ୍‌ଏ ରିପୋର୍ଟ ଆସିଲାପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ୍ କହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଆଲୋଡନ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲିତୁଠରୁ ବିଦେଶୀ ମଦ ଯବତ, ବେପାରୀ ଗିରଫ

କୁଜଙ୍ଗ: ଗତକାଲି କୁଜଙ୍ଗ ପୋଲିସ୍ ବାଲିତୁଠ ବଜାରର ଏକ ଭେରାଇଟ୍ ଷ୍ଟୋରରୁ ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଯବତ କରିଥିବା ଜଣାପଡିଛି। ଏହି ମାମଲାରେ ଭେରାଇଟ୍ ଷ୍ଟୋରର ମାଲିକ ତଥା ମଦ ବେପାରୀ ଅନିଲ ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅନିଲ ଦୀର୍ଘଦିନ ଧରି ବାଲିତୁଠ ବଜାରରେ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ ବେପାର କରିଆସୁଥିଲା। ସ୍ଥାନିୟ ଅଂଚଳବାସି ଅଭିଯୋଗ କଲେ ମଧ୍ୟ ପୋଲିସ୍ କର୍ଣ୍ଣପାତ କରୁନଥିଲା। ମାତ୍ର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ଯୋଗଦେବା ପରେ ବାଲିତୁଠ ପଂଚାୟତରେ ‘ଆମ ପୋଲିସ୍‌’ ସମିତି ବୈଠକ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳର ମହିଳାମାନେ ଆମ ଅଂଚଳରେ ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ହେଉଛି ବୋଲି ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ୍‌ର ଏକ ଟିମ୍ ଗଠନ କରିଥିଲେ।

ଗତକାଲି ଏସ୍‌ଆଇ ବିବେକାନନ୍ଦ ସାହୁ, ବିଶ୍ୱଜିତ୍ ଗଡନାୟକ,ଏଏସଆଇ ମାନସ ସାସମଲ ବାଲିତୁଠ ବଜାରର ଅନିଲର ଦୋକାନରେ ଛଦ୍ମ ବେଶରେ ପହଁଚି ତାକୁ ଧରିବାରେ ସଫଳ ହୋଇଥିଲେ। ତାଠାରୁ ୩୬ ଲିଟର ୫୬୦ ମି.ଲି. ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ତାକୁ ଗିରଫ କରିଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ଅବକାରୀ କେସ୍ ୧୪୧/୨୩ରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ସେହିପରି କୁଜଙ୍ଗ ଥାନା ବଡଙ୍ଗ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଗୋଷ୍ଠିଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଦୁଇଗୋଷ୍ଠି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ୍ ଦୁଇପକ୍ଷଙ୍କ ଏତଲା ଆଧାରରେ ଦୁଇଟି ମାମଲା ରୁଜ୍ଜୁ କରି ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।