Categories
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ଚିଲିକା

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା।ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ।

ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ଆନ୍ଧ୍ରାରୁ ନିରାଶରେ ଫେରିଲେ ଠକେଇରେ ଶିକାର ହୋଇଥିବା ଚିଲିକା ଅଞ୍ଚଳର ୭୮ ଶ୍ରମିକ: କାର୍ଯ୍ୟାନୁଷ୍ଠାନ ଦାବି

ଚିଲିକା (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି। ଖବର ମୁତାବକ ବିଗତ ଦୁଇମାସ ତଳେ ଆନ୍ଧ୍ରପ୍ରଦେଶ ବିଜୟାନଗରମ ଠାରେ ଲାଇଫ ଲାଇନ ଟ୍ରାଭେଲ ଏଜେନ୍ସି ନାମକ ଏକ କମ୍ପାନୀ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କରିଥିଲା। ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରିବାକୁ ପ୍ରଲୋଭିତ କରିଥିଲା।

ପ୍ରଲୋଭନରେ ପଡ଼ି ବାଲୁଗାଁ-ବାଣପୁର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଲୋକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ କମ୍ପାନୀ ତରଫରୁ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଦେଶାଗତ ଶ୍ରମିକମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୬୦ ରୁ ୭୦ ହଜାର ଟଙ୍କା ବିମାନ ଟିକେଟ ପାଇଁ ଦେବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।

କିଛି ଶ୍ରମିକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କ ଗଜୱାକା ବ୍ରାଞ୍ଚ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟକୁ (ନଂ-୧୪୭୨୧୫୫୦୦୦୦୯୭୨୪୨) ସମସ୍ତ ଟଙ୍କା ପଠାଇଥିବା ବେଳେ କିଛି ଶ୍ରମିକ ବିଜୟାନଗରମ ସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଜମା ଦେଇଥିଲେ। କିଛି ଦିନ ପରେ କମ୍ପାନୀ ତରଫରୁ ବିଦେଶାଗତ ଶ୍ରମିକମାନଙ୍କୁ ବିମାନ ଟିକେଟ ପ୍ରଦାନ କରାଯାଇଥିଲା। ହେଲେ ସମସ୍ତ ନଥିପତ୍ର ଯାଞ୍ଚ ନିମିତ୍ତ ଶ୍ରମିକମାନେ ବିଜୟାନଗରମ ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଦେଖିବା ବେଳକୁ ସେଠାରେ କୌଣସି ଅଫିସ ନଥିବା ବେଳେ ବିମାନ ଟିକେଟ ବାତିଲ ହୋଇଯାଇଲା।

ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ କରିବା ସହ ଗ୍ରାମୀଣ ପୋଲିସ ଥାନାରେ ଲିଖିତ ଏତଲା କରିଥିଲେ। ମାତ୍ର ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ଗତକାଲି ରାତିରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ନିଜ ନିଜର ପାସପୋର୍ଟ ଧରି ନିରାଶରେ ଫେରିଛନ୍ତି। ଧାର କରଜ କରି ବିଦେଶ ଯାଇ ଟଙ୍କା ରୋଜଗାର କରିବା ଆଶା ଧୂଳିସାତ ହୋଇଥିବା ବେଳେ ଋଣ ପରିଶୋଧ କିପରି କରିବେ ଚିନ୍ତାରେ ପଡିଛନ୍ତି ଶ୍ରମିକ। ଦେଇଥିବା ଟଙ୍କା ଫେରି ପାଇବାକୁ ଶ୍ରମିକମାନେ ସ୍ଥାନୀୟ ପ୍ରଶାସନକୁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃ ବିୟୋଗ: ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ଚିଲିକା ବିଧାୟକ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ଆଇନଜୀବୀ ସିତାରାମ ଅଗ୍ରୱାଲଙ୍କ ପିତା ଗଣେଶ ପ୍ରସାଦ ଅଗ୍ରୱାଲଙ୍କର ଅକାଳ ବିୟୋଗ ଘଟିଯାଇଛି। ମାତ୍ର ୬୧ ବର୍ଷ ବୟସରେ ଗଣେଶଙ୍କ ପରଲୋକ ହୋଇଯାଇଛି। ଗତ ୧୮ ତାରିଖ ସକାଳ ୯ ଟା ସମୟରେ ଗଣେଶ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

୧୮ ତାରିଖ ସକାଳୁ ତାଙ୍କର ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନିଆଯାଉଥିଲା। କିନ୍ତୁ ଟାଙ୍ଗି ନିକଟରେ ତାଙ୍କର ହଠାତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଦେଖି ତାଙ୍କ ପୁଅ ସୀତାରାମ ନିକଟସ୍ଥ ଟାଙ୍ଗି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ତାଙ୍କର ମର ଶରୀରକୁ ବାଣପୁର ନିଜ ବାସଭବନକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଆରଏସଏସ, ଏବିଭିପି କର୍ମକର୍ତ୍ତା, ରାଜନେତା, ସାମ୍ବାଦିକ ଏବଂ ଓକିଲ ବନ୍ଧୁମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ୧୯ ତାରିଖ ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସ୍ଥାନୀୟ ଅଞ୍ଚଳରେ ସେ ଜଣେ ସୁନାମଧନ୍ୟ ବ୍ୟବସାୟୀ ଭାବରେ ପରିଚିତ ଥିଲେ। ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲ ଜଣେ ମିଷ୍ଟଭାଷୀ, ପରୋଉପକାରୀ ବ୍ୟକ୍ତି ଭାବରେ ବାଣପୁର-ବାଲୁଗାଁ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ବାଲୁଗାଁରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠାନ ‘ବିଦ୍ୟା ମନ୍ଦିର’ ବହୁ ଲୋକପ୍ରିୟ ଥିଲା। ସ୍ବର୍ଗତ ଗଣେଶ ଅଗ୍ରୱାଲଙ୍କ ବିୟୋଗରେ ସମ୍ପୃକ୍ତି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତେବେ ବିୟୋଗ ଖବର ଶୁଣି ସ୍ଥାନୀୟ ଏବଂ ବହୁ ଦୂର ଦୂରାନ୍ତରୁ ରାଜନେତା, ସମାଜସେବୀ, ଏବିଭିପି ଓ ଆରଏସଏସ କର୍ମକର୍ତ୍ତାମାନେ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛନ୍ତି। ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ସ୍ବର୍ଗତ ଗଣେଶଙ୍କ ଘରକୁ ଆସି ପରିବାର ବର୍ଗକୁ ସମବେଦନା ଜଣାଇଥିବା ବେଳେ ପୂର୍ବରୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଭେଟେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଜିତେନ୍ଦ୍ର ଭୋଳ, ଗାଲୁଆ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ଏବଂ ଏକାଧିକ ଜନପ୍ରତିନିଧି ସ୍ବର୍ଗତ ଅଗ୍ରୱାଲଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ-ବାଣପୁରରେ ବଢୁଛି ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ କେବେ?

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ନିତିଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ତନ୍ମଧ୍ୟରୁ ଏକାଧିକ ଦୁର୍ଘଟଣା ମଦ୍ୟପାନ ଲାଗି ହେଉଥିବାର ନଜିର ରହିଛି। ମଦ୍ୟପ ଗାଡ଼ି ଚାଳକମାନଙ୍କ ଲାଗି ଅନ୍ୟ ନିରୀହ ଗାଡ଼ି ଚାଳକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଏମାନଙ୍କୁ ସାବଡ଼ କରିବା ପାଇଁ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାର ଅଭିଯୋଗ ହେଉଛି।

ସହର ହେଉ ଅବା ଗ୍ରାମାଞ୍ଚଳ ସବୁ ସ୍ଥାନରେ ଚୋରା ମଦ ବିକ୍ରି ବ୍ୟାପକ ଭାବରେ ବଢ଼ୁଥୁବାବେଳେ ମଦ୍ୟପ ଗାଡ଼ି ଚାଳକ ମାନେ ଏହାର ଦୁରୂପୋଯୋଗ କରୁଛନ୍ତି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନିଷେଧ ଥିବା ବେଳେ ବାଣପୁର ବାଲୁଗାଁରେ ଦିନ ହେଉ କି ସନ୍ଧ୍ୟା ଅବା ରାତି ସଦାବେଳେ ମଦ୍ୟପ ଗାଡ଼ି ଚାଳକ ଅନାୟାସରେ ବଜାର ଓ ଗ୍ରାମାଞ୍ଚଳରେ ଘୁରି ବୁଲୁଛନ୍ତି।

ଫଳରେ ପ୍ରଚୁର ମଦ୍ୟପାନ ଲାଗି ହୋସରେ ନରହି ମଦ୍ୟପ ଗାଡ଼ିଚାଳକ ମାନେ ଦୁର୍ଘଟଣା ଭିଆଉଛନ୍ତି। ପ୍ରତିଦିନ ବାଣପୁର ଓ ବାଲୁଗାଁ ମେଡିକାଲରେ ମଦ୍ୟପାନ ଦ୍ୱାରା ଦୁର୍ଘଟଣାର ଶିକାର ହୋଇ ଏକାଧିକ ବ୍ୟକ୍ତି ଭର୍ତ୍ତି ହେଉଥିବାର ଦେଖାଯାଉଛି।

ଗାଡ଼ି ଚଳାଇବା ପାଇଁ ପ୍ରାପ୍ତ ବୟସ ହୋଇନଥିବା କେତେକ ନାବାଳକମାନେ ମଧ୍ୟ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ବାଣପୁର ବାଲୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଯଥାଶୀଘ୍ର ପୋଲିସ ଓ ଆରଟିଓ ପକ୍ଷରୁ ମଦ୍ୟପ ଗାଡ଼ିଚାଳକ ଧରପଗଡ଼ ଅଭିଯାନ ବାଣପୁର ବାଲୁଗାଁ ଅଞ୍ଚଳରେ ଆରମ୍ଭ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କେବେ ସମ୍ପୂର୍ଣ୍ଣ ହେବ ବାଲୁଗାଁ-ବାଣପୁର ରେଳବାଇ ଓଭରବ୍ରିଜ: କାର୍ଯକ୍ଷମ ହେବା ପରେ ବି ଆଲୋକୀକରଣ ହୋଇପାରୁନି

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି ହେଲେ ତାହା ଅଧପନ୍ତରିଆ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ରେଳବାଇ ଓଭରବ୍ରିଜ ବିଷୟରେ। ଅଗଣିତ ଆନ୍ଦୋଳନ ଏବଂ ଦାବି ପରେ ବାଣପୁର ଏବଂ ବାଲୁଗାଁକୁ ସଂଯୋଗ କରୁଥୁବା ମୁଖ୍ୟ  ରାସ୍ତା ମଧ୍ୟରେ ଥିବା ବାଲୁଗାଁ ରେଳ ଷ୍ଟେସନର ରେଲୱେ ଲେବେଲ କ୍ରସିଂ ଗେଟ ଉପର ଦେଇ ଏକ ଓଭରବ୍ରିଜ ନିର୍ମାଣ ପ୍ରକଳ୍ପ ରାଜ୍ୟ ପୂର୍ତ୍ତବିଭାଗ ତରଫରୁ  ଅନୁମୋଦନ ହେଇଥିଲା। ଏହି ପ୍ରକଳ୍ପର ଶୁଭ ଦେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ଚିଲିକା ବିଜେଡି ବିଧାୟକ ଶ୍ରୀ ରଘୁନାଥ ସାହୁ।

ସେହିଦିନ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କର ଖୁସିର ସୀମା ନଥିଲା କାରଣ ବାଲୁଗାଁ ରେଳ ଫାଟକ ଖୋର୍ଦ୍ଧା ରେଳ ଡିଭିଜନର ସବୁଠାରୁ ବ୍ୟସ୍ତ ଫାଟକ ମଧ୍ୟରୁ ଅନ୍ୟତମ। ଏଠାରେ ପ୍ରତି ଦଶ ମିନିଟରେ ଥରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ରେଳ ଅତିକ୍ରମ କରେ। ଏହାଦ୍ୱାରା ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡି ମଧ୍ୟ ବହୁ ସମୟ ଧରି ଅଟକି ରହୁଥିଲା। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏଠାରେ ଏକ ଓଭରବ୍ରିଜ୍‌ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ଓଭରବ୍ରିଜ୍‌ର ଶୁଭ ଦେବା ପରଦିନଠାରୁ ଅଞ୍ଚଳବାସୀ ଉତ୍କଣ୍ଠାର ସହ ଚାହିଁ ବସିଥିଲେ କେବେ ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ ହେବ। ଇତି ମଧ୍ୟରେ ୨୦୧୪ ସାଧାରଣ ନିର୍ବାଚନରେ ପୁଣି ଚିଲିକା ବିଧାନସଭାର ମଙ୍ଗ ଧରିଲେ ବିଜେପି ବିଧାୟକ ଡ଼ଃ ବିଭୁତି ଭୂଷଣ ହରିଚନ୍ଦନ। ତାଙ୍କର ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମଧ୍ୟ ବ୍ରିଜ୍‌ କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା।

ପରିଶେଷରେ ୨୦୧୯ ସାଧାରଣ ନିର୍ବାଚନରେ ଚିଲିକା ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଉଦ୍ୟମରେ ଉକ୍ତ ଓଭରବ୍ରିଜର ବଳକା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେଲା। ମାନ୍ୟବର ବିଧାୟକ ଗତ ଜାନୁଆରୀ ୨୬ ତାରିଖ ଦିନ ଉକ୍ତ ଓଭରବ୍ରିଜ ଉପରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଏହାକୁ ପୂର୍ତ୍ତବିଭାଗ ଦ୍ୱାରା  ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରାଯାଇଥିଲା। ନିୟମ ଅନୁଯାୟୀ କୌଣସି ନୂଆ ଓଭରବ୍ରିଜ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେତେବେଳେ ଲୋକାର୍ପିତ ହୋଇଥାଏ ଯେତେବେଳେ ଏହାର ଆନୁସଙ୍ଗିକ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସମାପ୍ତ  ହୋଇଥାଏ। କିନ୍ତୁ ବାଣପୁର-ବାଲୁଗାଁରେ ଏହାର ବିପରୀତ ହେଲା। ବିଧାୟକଙ୍କ ପତାକା ଉତ୍ତୋଳନ ପରେ ତାଙ୍କ ପ୍ରତିଶୃତିର ଟେକ ରଖିବା ପାଇଁ ତରବରିଆ ଭାବେ ପୂର୍ତ୍ତବିଭାଗ  ଏହାକୁ କାର୍ଯ୍ୟକ୍ଷମ କରିଦେଲା ସତ କିନ୍ତୁ ବ୍ରିଜ୍‌ଟି ଅଧପନ୍ତରିଆ ଅବସ୍ଥାରେ ରହିଗଲା।

ଏହି ବ୍ରିଜ୍‌ର ଉଭୟ ପାର୍ଶ୍ୱରେ ରାସ୍ତା କାମ ସମାପ୍ତ ହୋଇନଥିଲା। ବ୍ରିଜର ଉଭୟ ଶ୍ଲୋପ ଅଞ୍ଚଳରେ ମାଟି ପଡ଼ିନଥିଲା। ଉଭୟ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ଠିକ ଭାବରେ ହୋଇନଥିଲା, ଚିହ୍ନଟ ପାର୍ଶ୍ୱ  ଅଂଶରେ ରଙ୍ଗ ଦିଆଯାଇନଥିଲା ଏବଂ ଆଲୋକୀକରଣ କରାଯାଇନଥିଲା। ମଝିରେ ଉକ୍ତ ବ୍ରିଜକୁ କିଛି ଦିନ ବନ୍ଦ କରାଯାଇଛି ଉଭୟ ଶ୍ଲୋପ ଅଞ୍ଚଳରେ ମାଟି ପକାଯାଇ କଂକ୍ରିଟ କରାଗଲା ଏବଂ ଛଅ  ମାସ ମଧ୍ୟରେ ଅନ୍ୟାନ ଆନୁସଙ୍ଗିକ କାର୍ଯ୍ୟ ସବୁ ଶେଷ କରାଗଲା। ହେଲେ ବିଡମ୍ବନାର ବିଷୟ ହେଉଛି ବ୍ରିଜ କାର୍ଯ୍ୟକ୍ଷମର ଆଠ ମାସ ବିତିଗଲାଣି କିନ୍ତୁ ଏହି ବ୍ରିଜ ଉପର ର ଉଭୟ ପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା ଆଜି ଯାଏଁ ହୋଇପାରିଲା ନାହିଁ। ପାଖାପାଖି ୫୦୦ ମିଟର ଲମ୍ବା ବିଶିଷ୍ଟ ଏହି ଓଭରବ୍ରିଜ ଉପରେ ଗୋଟେ ବିଦ୍ୟୁତ ଖୁଣ୍ଟଟିଏ ମଧ୍ୟ ଆଜି ପର୍ଯ୍ୟନ୍ତ  ଲାଗିନାହିଁ ଫଳରେ ସନ୍ଧ୍ୟା ହେଲେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏପରିକି ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟୁଛି।

କରୋନା ଲାଗି ସମଗ୍ର  ଅଂଚଳ ଲକ ଡ଼ାଉନ ରେ ଥିବାବେଳେ ଗତ ଦୁଇ ମାସ ହେଲା  ଅନଲକ ପ୍ରକ୍ରିୟାରେ ଧୀରେ ଧୀରେ ଅଞ୍ଚଳର ଦୋକାନ ବଜାର ଖୋଲିବା ସହ ସମୟ କଟକଣା କମୁଛି ଏବଂ ବର୍ତ୍ତମାନ କଟକଣା ସମ୍ପୂର୍ଣ ଉଠିଯାଇଛି। ବିଗତ ଆଠ ମାସ ମଧ୍ୟରେ ପୂର୍ତ୍ତବିଭାଗ କିମ୍ବା ଏନ.ଏ.ସି କାହାର ବି ଏ ଦିଗରେ ଦୃଷ୍ଟି ନପଡିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିଦିନ ସନ୍ଧ୍ୟାରେ ଶହ ଶହ ଲୋକ ସାଇକେଲ, ଗାଡିମଟରରେ ଉକ୍ତ ଓଭରବ୍ରିଜ ଦେଇ ଯିବାଆସିବା କରନ୍ତି କିନ୍ତୁ ଏହା ସମ୍ପୂର୍ଣ ଅନ୍ଧକାର ହୋଇଥିବାରୁ ଚୋରି, ଡକାୟତି, ଦୁର୍ଘଟଣା  ତଥା ମଦ୍ୟପ ମାନଙ୍କ ଆଡ୍ଡା ଦିନକୁ ଦିନ ଏଠି ବୃଦ୍ଧି ପାଉଛି। ଏ ନେଇ ପୂର୍ତ୍ତବିଭାଗ, ଖୋର୍ଦ୍ଧା ନିର୍ବାହୀ ଅଧିକାରୀ ଶ୍ରୀ ଦୀପକ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ଓଭରବ୍ରିଜରେ ବିଦ୍ୟୁତିକରଣ କରିବା କାର୍ଯ୍ୟ ଏନ.ଏ.ସି ର ବୋଲି ସେ କହିଥିଲେ ଏବଂ ଏ ବିଷୟରେ ଯଥାଶୀଘ୍ର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରାଯାଇ ଓଭରବ୍ରିଜର ଦୁଇ ପାର୍ଶ୍ଵରେ ପୂର୍ତ୍ତବିଭାଗ କିମ୍ବା ଏନ.ଏ.ସି ଦ୍ୱାରା  ଷ୍ଟ୍ରିଟ ଲାଇଟ ନିଶ୍ଚିତ ଭାବେ  କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ଦେଇଥିଲେ। ଅପରପକ୍ଷରେ ଏବିଷୟକୁ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କୁ ପଚାରିବାରୁ ଉକ୍ତ ବ୍ରିଜ୍‌ଟି କାହା ଅଧୀନରେ ଯାଉଛି, ତାହା ତର୍ଜମା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ତେବେ ଏହି ବ୍ରିଜ୍‌ର ଆଲୋକୀକରଣ କାର୍ଯ୍ୟରେ ବିଳମ୍ବତାକୁ ନେଇ ବିଧାୟକଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ବିଧାୟକ ଏହାର ଉତ୍ତର କିଛି ଦେଉନାହାନ୍ତି। ତେବେ ବ୍ରିଜ୍‌ରେ ଲୋକଙ୍କ ଆତଯାତ ହେଉଥିବାବେଳେ ସାମାନ୍ୟ ଆଲୋକୀକରଣ କାର୍ଯ୍ୟରେ ଏତେ ବିଳମ୍ବତାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଦେଖାଯାଉ ବାଣପୁର-ବାଲୁଗାଁ ଓଭରବ୍ରିଜ ଉପରେ ଷ୍ଟ୍ରିଟ ଲାଇଟ କେବେ ଲାଗୁଛି। ଦୁଇ ଗୋଟି ବିଭାଗର ଅବହେଳାରେ ବାଣପୁର-ବାଲୁଗାଁ ଅଞ୍ଚଳର  ନିରୀହ ଜନସାଧାରଣ ବଳି ନପଡ଼ନ୍ତୁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।