ବାଲୁଗାଁ-ବାଣପୁରରେ ବଢୁଛି ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ କେବେ?

Published: May 1, 2022, 2:25 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ନିତିଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ତନ୍ମଧ୍ୟରୁ ଏକାଧିକ ଦୁର୍ଘଟଣା ମଦ୍ୟପାନ ଲାଗି ହେଉଥିବାର ନଜିର ରହିଛି। ମଦ୍ୟପ ଗାଡ଼ି ଚାଳକମାନଙ୍କ ଲାଗି ଅନ୍ୟ ନିରୀହ ଗାଡ଼ି ଚାଳକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଏମାନଙ୍କୁ ସାବଡ଼ କରିବା ପାଇଁ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାର ଅଭିଯୋଗ ହେଉଛି।

ସହର ହେଉ ଅବା ଗ୍ରାମାଞ୍ଚଳ ସବୁ ସ୍ଥାନରେ ଚୋରା ମଦ ବିକ୍ରି ବ୍ୟାପକ ଭାବରେ ବଢ଼ୁଥୁବାବେଳେ ମଦ୍ୟପ ଗାଡ଼ି ଚାଳକ ମାନେ ଏହାର ଦୁରୂପୋଯୋଗ କରୁଛନ୍ତି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନିଷେଧ ଥିବା ବେଳେ ବାଣପୁର ବାଲୁଗାଁରେ ଦିନ ହେଉ କି ସନ୍ଧ୍ୟା ଅବା ରାତି ସଦାବେଳେ ମଦ୍ୟପ ଗାଡ଼ି ଚାଳକ ଅନାୟାସରେ ବଜାର ଓ ଗ୍ରାମାଞ୍ଚଳରେ ଘୁରି ବୁଲୁଛନ୍ତି।

ଫଳରେ ପ୍ରଚୁର ମଦ୍ୟପାନ ଲାଗି ହୋସରେ ନରହି ମଦ୍ୟପ ଗାଡ଼ିଚାଳକ ମାନେ ଦୁର୍ଘଟଣା ଭିଆଉଛନ୍ତି। ପ୍ରତିଦିନ ବାଣପୁର ଓ ବାଲୁଗାଁ ମେଡିକାଲରେ ମଦ୍ୟପାନ ଦ୍ୱାରା ଦୁର୍ଘଟଣାର ଶିକାର ହୋଇ ଏକାଧିକ ବ୍ୟକ୍ତି ଭର୍ତ୍ତି ହେଉଥିବାର ଦେଖାଯାଉଛି।

ଗାଡ଼ି ଚଳାଇବା ପାଇଁ ପ୍ରାପ୍ତ ବୟସ ହୋଇନଥିବା କେତେକ ନାବାଳକମାନେ ମଧ୍ୟ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ବାଣପୁର ବାଲୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଯଥାଶୀଘ୍ର ପୋଲିସ ଓ ଆରଟିଓ ପକ୍ଷରୁ ମଦ୍ୟପ ଗାଡ଼ିଚାଳକ ଧରପଗଡ଼ ଅଭିଯାନ ବାଣପୁର ବାଲୁଗାଁ ଅଞ୍ଚଳରେ ଆରମ୍ଭ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Related posts