Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଷ୍ଟେସନ୍ ନିକଟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ: ଦୁଇଟି ଟ୍ରେନକୁ ମାର୍ଗରେ ସାମୟିକ ଭାବେ ନିୟନ୍ତ୍ରିତ

ବାଲୁଗାଁ: କେନ୍ଦୁଝର ନିକଟବର୍ତ୍ତୀ ନୟାଗଡ଼ ଠାରୁ ଲୁହାପଥର ବୋଝେଇକରି କର୍ଣ୍ଣାଟକର ହୁଵାଲୀ କୁ ଯାତ୍ରାକରୁଥିବା ଏକ ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ସୋଲାରି ଏବଂ ବାଲୁଗାଁ ଷ୍ଟେସନ୍ ଷ୍ଟେସନ ମଧ୍ୟରେ (ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ) ଗୋଟିଏ ୱାଗନ ଆଜି ଅପରାହ୍ନ ୪ଘ.୩୫ମି. ସମୟରେ ଲାଇନ୍ଚ୍ୟୁତ ଯୋଗୁଁ ଖୋର୍ଦ୍ଧା ରୋଡ଼-ବ୍ରହ୍ମପୁର ରେଳ ସେକ୍ସନରେ ଟ୍ରେନ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି।

ଫଳସ୍ୱରୂପ, ଆଜି ଭୁବନେଶ୍ୱରରୁ ଛାଡିଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସକୁ ଗଙ୍ଗାଧରପୁର ରେଳ ଷ୍ଟେସନରେ ଅପରାହ୍ନ ୪ଘ.୪୨ମି. ଠାରୁ ନିୟନ୍ତ୍ରିତ କରାଯାଇଥିବାବେଳେ ୧୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନ ଠାରେ ଅପରାହ୍ନ ୫ ଘଟିକାରୁ ନିୟନ୍ତ୍ରିତ କରାଯାଇଅଛି।

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ତାଙ୍କ ଅଧିକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରୁଥିବାବେଳେ ଯାତ୍ରୀବାହୀ ଟ୍ରେନ ଶୀଘ୍ର ଚଳାଚଳ ପାଇଁ ପଦକ୍ଷେପ ନେଉଛନ୍ତି। ପ୍ରଭାବିତ ୱାଗନକୁ ଠିକ କରିବା ପାଇଁ ରିଲିଫ ଟ୍ରେନ ଘଟଣାସ୍ଥଳରେ ପହଞ୍ଚି ସାରିଛି। ଯାତ୍ରୀବାହୀ ଟ୍ରେନ କୁ ସତର୍କତାର ସହିତ ଡାଉନ ଲାଇନରେ ଚଳାଚଳ ପାଇଁ ଅନୁମତି ଦିଆଯିବ ଯାହାଫଳରେ ଟ୍ରେନ ଚଳାଚଳ ସାମାନ୍ୟ ବିଳମ୍ବିତ ହୋଇପାରେ। ଏହି ଉଦ୍ଧାର ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ପାଇଁ ରେଳବାଇକୁ ସହଯୋଗ କରିବା ପାଇଁ ପୂର୍ବତଟ ରେଳପଥ ନିବେଦନ କରିଛି। ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ ଶୀଘ୍ର ପୁନଃ ଟ୍ରେନ ଚଳାଚଳ କରିବାକୁ କାର୍ଯ୍ୟ କରୁଛି।