Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଆଉ ନାହାନ୍ତି ହିନ୍ଦୀ ଧାରାବାହିକ “ବାଳିକା ବଧୂ” ର ଜେଜେମା’: ହୃଦଘାତରେ ଗଲା ଜୀବନ

ନୂଆଦିଲ୍ଲୀ: ଜନପ୍ରିୟ ହିନ୍ଦୀ ସିରିଏଲ “ବାଳିକା ବଧୁ”ର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସୁରେଖା ସିକ୍ରିଙ୍କ ଆଜି ପରଲୋକ ହୋଇଯାଇଛି। ସୁରେଖା ୭୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଆଜି ତାଙ୍କର ହୃଦଘାତରେ ନିଧନ ହୋଇଯାଇଛି। ଏହାପୂର୍ବରୁ ୨୦୨୦ ମସିହାରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ସେହି ଦିନଠାରୁ ସେ ଅସୁସ୍ଥ ଥିଲେ। ୨୦୧୮ ମସିହାରେ ତାଙ୍କର ପାରାଲାଇଟିକ୍ ଷ୍ଟ୍ରୋକ ମଧ୍ୟ ଆସିଥିଲା।

ସେ ହିନ୍ଦୀ ସିରିଏଲ “ବାଳିକା ବଧୁ”ରେ ଜେଜେ ମା’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ନିକଟରେ ଜନପ୍ରିୟତା ହାସଲ କରିଥିଲେ। ଥିଏଟର, ଚଳଚ୍ଚିତ୍ର ଏବଂ ଟେଲିଭିଜନ ଧାରାବାହିକରେ ଅଭନୟ କରି ଦର୍ଶକଙ୍କ ଦ୍ଵାରା ସୁରେଖା ବହୁ ପ୍ରଶଂସା ଲାଭ କରିଥିଲେ। ୧୯୭୮ ମସିହାରେ ସେ ପଲିଟିକାଲ ଡ୍ରାମା ଫିଲ୍ମରେ ଅଭିନୟ କରି କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କୁ ତିନି ଥର ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଥିଲା।

ସେ ୧୯୮୮ ମସିହାରେ ତମସ ଚଳଚ୍ଚିତ୍ର, ୧୯୯୫ ମସିହାରେ ମମ୍ମୋ ଏବଂ ୨୦୧୮ ମସିହାରେ ବଧାଇ ହୋ ଚଳଚ୍ଚିତ୍ର ପାଇଁ ତାଙ୍କୁ ସମ୍ମାନ ମିଳିଥିଲା। ଜାତୀୟ ପୁରଷ୍କାର ସହ ସୁରେଖା ଥରେ ଫିଲ୍ମ ଫେୟାର ଆୱାର୍ଡ, ଥରେ ସ୍କ୍ରୀନ ଆୱାର୍ଡ ଏବଂ ୬ ଥର ଇଣ୍ଡିଆନ ଟେଲିଭିଜନ ଏକାଡେମି ଆୱାର୍ଡ ଜିତି ଥିଲେ।