Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବର୍ଷାକୁ ଅଶାଳୀନ ଆକ୍ଷେପ କରି ବିଜେପି ହୀନ ରାଜନୀତି କରୁଛି: ବିଜେଡ଼ି

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ମାଟିର ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଏହି ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ଭାରତୀୟ ଜନତା ପାର୍ଟି ହତାଶ ହୋଇ ପଡ଼ିଛି। ତେଣୁ ବିଜେପିର କିଛି ବଡ଼ ବଡ଼ ନେତା ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅତି ନିମ୍ନସ୍ତରର କୁତ୍ସାରଟନା କରୁଛନ୍ତି, ସଭାସମିତି ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ କେବଳ ବର୍ଷାଙ୍କୁ ଅପମାନିତ କରିବା ନୁହେଁ, ସମଗ୍ର ଓଡ଼ିଶାର ନାରୀ ଜାତିର ସମ୍ମାନକୁ ଭୂଲୁଣ୍ଠିତ କରିବା।

ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ଭାବୁଥିବା ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନିଚା ଦେଖାଇବା। ବିଜେପିର ଏହି ହୀନ ରାଜନୀତିକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ଏଲିନା ଦାସ ଏବଂ ଇପସିତା ସାହୁ ପ୍ରମୁଖ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।

ସେମାନେ କହିଛନ୍ତି ଯେ ଆମ ହିନ୍ଦୁ ଧର୍ମ ଏବଂ ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଏ। ଘରେ ଘରେ ସମସ୍ତେ ବିଶ୍ୱାସ କରନ୍ତି ଯେ ମା’ମାନେ ହେଉଛନ୍ତି ଲକ୍ଷ୍ମୀ ଓ ଦୁର୍ଗାଙ୍କର ସ୍ୱରୂପ। କିନ୍ତୁ କଥା କଥାକେ ଧର୍ମ ଓ ପରମ୍ପରାର କଥା କହୁଥିବା ଭାରତୀୟ ଜନତା ପାର୍ଟିର ଓଡ଼ିଶାର କିଛି ନେତା ଏବେ ନାରୀଙ୍କୁ ସମ୍ମାନ ଦେବା ଦୂରେ ଥାଉ ନାରୀଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣରେ ଶାଳୀନତାର ସମସ୍ତ ସୀମା ଟପି ଯାଇଛନ୍ତି।
ଏବେ ପଦ୍ମପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଛି।

ନିର୍ବାଚନ ଏମିତି ଆସୁଥିବ, ଯାଉଥିବ। ରାଜନୀତିରେ ନୀତି ଓ ଆଦର୍ଶକୁ ନେଇ ସମାଲୋଚନା ହେବା କଥା। ଗଠନମୂଳକ ସମାଲୋଚନା ହିଁ ଆମ ଗଣତନ୍ତ୍ରକୁ ଆଜି ପର‌୍ୟ୍ୟନ୍ତ ସୁଦୃଢ଼ କରି ରଖିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାର ବିଲକ୍ଷଣ ଦେଖିବାକୁ ମିଳୁଛି। ଆଶା କରାଯାଉଥିଲା ଯେ ପଦ୍ମପୁରରେ ବିଜେପି ନେତାମାନେ ରାଜନୈତିକ ମର‌୍ୟ୍ୟାଦାର ସୀମା ଭିତରେ ରହି ନିର୍ବାଚନ ପ୍ରଚାର କରିବେ। ମାତ୍ର ସେମାନେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ଅଶାଳୀନ ଆକ୍ଷେପ କରୁଛନ୍ତି।

ବିଜେପିର ଏହି ବରିଷ୍ଠ ନେତାମାନେ ନିଜ ଝିଅ ବୟସର ବର୍ଷାଙ୍କ ସଂପର୍କରେ କିଏ କେତେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇପାରିବ, ତାକୁ ନେଇ ସେମାନଙ୍କ ମଧ୍ୟରେ ସତେ ଯେମିତି ଗୋଟିଏ ପ୍ରତିଯୋଗିତା ଚାଲିଛି। ଏହି ଅସୁସ୍ଥ ପ୍ରତିଯୋଗିତାରେ ସାଂସଦ ଜୁଏଲ ଓରାମ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ଖୋଦ୍ ପଦମପୁରର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇଛନ୍ତି।

ଓଡ଼ିଆ ଘରର ବିଶ୍ୱାସ ଅଛି, ମାର୍ଗଶୀର ଗୁରୁବାରରେ ଘରକୁ ଲକ୍ଷ୍ମୀ ଆସନ୍ତି। କିନ୍ତୁ ମାର୍ଗଶୀର ମାସ ଗୁରୁବାର ଭଳି ଏକ ପବିତ୍ର ଦିନରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପଦ୍ମପୁର ମାଟିର ଝିଅ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଅତ୍ୟନ୍ତ ଅଶାଳୀନ ଓ ଅରୁଚିକର ଟିପ୍ପଣୀ ଦେଇଛନ୍ତି। ଅବଶ୍ୟ ଜୁଏଲ ଓରାମଙ୍କ ଚରିତ୍ର କ’ଣ ତାହା ସାରା ଓଡ଼ିଶା ଜାଣିଛି। କିଛି ମାସ ପୂର୍ବରୁ ସେ ତାଙ୍କରି ଦଳର ତାଙ୍କ ଝିଅ ବୟସର ଜଣେ ନାରୀନେତ୍ରୀଙ୍କୁ ଅସଦାଚରଣ କରିଥିଲେ।

ଏଥିପାଇଁ ପୀଡ଼ିତା ନାରୀ ନେତ୍ରୀ ଜଣକ ଥାନାରେ ଏତଲା ଦେବା ସହ ଜୁଏଲଙ୍କ ଭଦ୍ରମୁଖା ତଳେ ଥିବା କୁତ୍ସିତ ଚେହେରାକୁ ପଦାରେ ପକାଇ ଦେଇଥିଲେ। ଆଉ ଅକଳରେ ପଡ଼ି ଜୁଏଲଙ୍କୁ ବେଶ୍ କିଛିଦିନ ପାଇଁ ମୁହଁ ଲୁଚାଇବାକୁ ପଡ଼ିଥିଲା। ନିଶାସକ୍ତ ଅବସ୍ଥାରେ ସଂପୃକ୍ତ ନାରୀନେତ୍ରୀଙ୍କ ସହ ଜୁଏଲଙ୍କ ଅଶ୍ଳୀଳ ଟେଲିଫୋନ ବାର୍ତ୍ତାଳାପ ସାରା ଦୁନିଆ ଶୁଣିବା ପରେ ବି ଜୁଏଲ ଏଥିପାଇଁ ଭୁଲ ସ୍ୱୀକାର କରି ନ ଥିଲେ କି ତାଙ୍କୁ କ୍ଷମା ମାଗି ନ ଥିଲେ। ତେଣୁ ଅଭ୍ୟାସଗତ ଭାବେ ବାରମ୍ବାର ମହିଳାମାନଙ୍କୁ ଅଶାଳୀନ ଆଚରଣ କରୁଥିବା ଏଭଳି ଜଣେ କୁତ୍ସିତ ମାନସିକତା ସମ୍ପନ୍ନ ଏହି ବରିଷ୍ଠ ନେତାଙ୍କ ଠାରୁ ଆଉ କ’ଣ ଅଧିକ ଆଶା କରାଯାଇପାରେ?

ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ। ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଭଳି ସଂଗିନ ଅପରାଧରେ ଅଭିଯୁକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲ୍ ଯାଇଥିଲେ। ଜାମିନରେ ଆସିଥିବା ଶ୍ରୀ ମିଶ୍ର ଏବେ ପଦ୍ମପୁରରେ ବିଜେପିର ଷ୍ଟାର୍ ପ୍ରଚାରକ ସାଜି ହୀନ ରାଜନୀତି କରୁଛନ୍ତି। ସେ ତାଙ୍କ ପୁରୁଣା ଅଭ୍ୟାସ ଛାଡ଼ି ନ ପାରି ବର୍ଷାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ପୁଣିଥରେ ତାଙ୍କର ଘୋର ନାରୀ ବିରୋଧୀ ମାନସିକତାର ପରିଚୟ ଦେଇଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁରରେ ପରାଜୟ ଭୟରେ ହତାଶ ହୋଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯିଏ ନାରୀଙ୍କୁ ସମ୍ମାନ ଦେବା ଜାଣି ନାହିଁ, ମାତୃଜାତି ଏବଂ ଓଡ଼ିଶାର ସଂସ୍କୃତିକୁ ଅପମାନ କରୁଛି, ସେଭଳି ନେତାଙ୍କୁ ସ୍ୱାଭିମାନୀ ପଦ୍ମପୁରବାସୀ କେବେବି ନିଜର ପ୍ରତିନିଧି ରୂପେ ବାଛିବେ ନାହିଁ । ରାଜନୀତିରେ ହାରଜିତ ଅଛି। ପଦ୍ମପୁର ନିର୍ବାଚନ ପାଇଁ ଏଯାଏ ଭୋଟ ପଡ଼ି ନଥିଲେ ମଧ୍ୟ ବିଜେପି ଏହା ହାରି ସାରିଛି।

ତେଣୁ ତାଙ୍କ ଦଳର ନେତାମାନେ ହତାଶ ଓ ବିଚଳିତ ହୋଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ତେବେ ଏକ ସୁସ୍ଥ ଗଣତନ୍ତ୍ରରେ ଏଭଳି ନକାରାତ୍ମକ ରାଜନୀତିର ସ୍ଥାନ ନାହିଁ। ବର୍ଷାଙ୍କ ପ୍ରତି ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତ ପ୍ରମୁଖ ବିଜେପିର ନେତାମାନେ ଯେଭଳି କୁତ୍ସିତ ମନ୍ତବ୍ୟ ଦେଇଛନ୍ତି; ତାହା ଓଡ଼ିଶାବାସୀ କେବେବି ବରଦାସ୍ତ କରିବେ ନାହିଁ। ଏଥିପାଇଁ ପଦ୍ମପୁରବାସୀ ମଧ୍ୟ ସେମାନଙ୍କୁ କ୍ଷମା ଦେବେ ନାହିଁ ଏବଂ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ରାଲିରେ ପିଲାମାନଙ୍କୁ ବ୍ୟବହାର କରିବା ବିରୋଧରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ବିଜେପି ତରଫରୁ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ନେଇ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ପିଲାମାନେ ରାଲିରେ ସାମିଲ ହେବା ଏବଂ ସେମାନେ ପତାକା ଧରିବାକୁ ନେଇ ଅଭିଯୋଗ କରିଛି ବିଜେଡି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଦୃଢ ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି କରିଆସୁଛି ଏବଂ ଓଡିଶାର ଲୋକମାନେ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଜି ଓଡ଼ିଶା ବିଜେପି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁବନେଶ୍ୱରରେ ଏକ ରାଲି କରିଥିବାବେଳେ ଏହି ରାଲିରେ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁ ମାମଲାରେ ତାଙ୍କ ପରିବାର ସଦସ୍ୟ ଘଟଣାର ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି । ତେବେ ଓଡ଼ିଶା ବିଜେପି ଏଥିପ୍ରତି ଏପର୍ଯ୍ୟନ୍ତ କର୍ଣ୍ଣପାତ କରି ନାହିଁ ଏବଂ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେହିଭଳି ଆଜିର ରାଲିରେ ବିଜେପି କ୍ୟାଡର ଅଳ୍ପ ସଂଖ୍ୟାରେ ଥିଲେ ଏବଂ ତାହା ବିଫଳ ହୋଇଥିଲା । ଏହି ରାଲିରେ ସେମାନଙ୍କ କ୍ୟାଡର ଅଭାବକୁ ଘୋଡାଇବା ପାଇଁ ଓଡ଼ିଶା ବିଜେପି ଛୋଟ ପିଲାମାନଙ୍କୁ ବ୍ୟବହାର କରିଥିଲା ଏବଂ ବିଫଳତାକୁ ଲୁଚାଇବା ପାଇଁ ଛୋଟ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଦେଇଥିଲା । ଓଡ଼ିଶା ବିଜେପି ନେତୃତ୍ୱ ପିଲାମାନଙ୍କୁ ସେମାନଙ୍କ ରାଲିରେ ବ୍ୟବହାର କରିବା ପାଇଁ ତଳ ସ୍ତରକୁ ଯାଇ ଯେଭଳି ସେମାନଙ୍କ ହାତରେ ଦଳୀୟ ପତାକା ଧରାଇଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଯନ୍ତ୍ରଣାଦାୟକ ।

ବିଜେଡି ଏ ସଂକ୍ରାନ୍ତରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ର ଅଧ୍ୟକ୍ଷାଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ ଦାଖଲ କରିଛି । ଏହି ଦୁର୍ଭାଗ୍ୟଜନକ ପରିସ୍ଥିତି ସହିତ ଆଉ ଏକ ଭୟଙ୍କର କାର୍ଯ୍ୟ ଯାହା ଆଜି ଓଡ଼ିଶା ବିଜେପି ନିଜର ରାଲିରେ କରିଛି । ଏକ ଗାଡିକୁ ନଷ୍ଟ କରିବା ସହିତ କିଛି ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଛି । ଏହା ଓଡିଶା ବିଜେପିର ହତାଶା ଏବଂ ଗୁଣ୍ଡାମିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।