Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦୁଲୁକିବ ଭୁବନେଶ୍ବର, ମୁହାଁମୁହିଁ ହେବେ ନବୀନ ଆଉ ନଡ୍ଡା, ମଇଦାନ ପ୍ରସ୍ତୁତ

ଭୁବନେଶ୍ବର: ଆଜି ଓଡିଶା ରାଜନୀତିରେ ସୃଷ୍ଟି ହେବ କମ୍ପନ। ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ତାତିବାରେ ଲାଗିଛି। ହେଲେ ଆଜି ଏହି ତାତି ବେଶ ଅଧିକ ଅନୁଭୂତ ହେବ। କାରଣ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହେବେ। ଗୋଟିଏ ପଟେ ନବୀନ ପଟ୍ଟନାୟକ ଅନ୍ୟପଟେ ଜେପି ନଡ୍ଡାଙ୍କ ସମାବେଶ ରାଜନୀତି ପାଣିପାଗରେ ଲଘୁଚାପ ସୃଷ୍ଟି କରିବ।

ଆଜି ବିଜେଡି ବରମୁଣ୍ଡ ପଡିଆରେ ବିରାଟ ବୈଠକ କରୁଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ। ଏହି ବୈଠକ ଦୁଇ ଦିନ ଧରି ଚାଲିବ। ସେଥିପାଇଁ ବରମୁଣ୍ଡା ପଡିଆକୁ ସଜେଇ ଦିଆଯାଇଛି। ନବୀନ ନିବାସରୁ ବରମୁଣ୍ଡା ଏବଂ ରାଜଧାନୀର ଗଳିକନ୍ଦିରେ ଉଡୁଛି ବିଜେଡି ପତାକା।

ସେହିପରି ଆଜି ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ ମହାସମାବେଶର ଆୟୋଜନ କରିଛି। ସେହି ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ବିଜେପି ତରଫରୁ ବହୁ ଆଡମ୍ବର କରାଯାଇଛି। ସେଠାରେ ଦଳର ନେତାମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳର ପ୍ରମୁଖ ନେତାମାନଙ୍କ ସହିତ ଆଲୋଚନା କରିବେ।

ଏଥିରୁ ସ୍ପଷ୍ଟ ହେଲାଣି ଯେ, ବର୍ତ୍ତମାନ ଓଡିଶାର ସମସ୍ତ ରାଜନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରଚାର ଆରମ୍ଭ କରିବାକୁ ଯୋଜନା କରିସାରିଲେଣି। ଗୁରୁବାର ଦିନ ଏହାର ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ଜଣାପଡିସାରିଲାଣି।