Categories
ବିଶେଷ ଖବର ରାଜ୍ୟ ଖବର

ଗ୍ୟାସ ସିଲିଣ୍ଡର, କାଠଚୁଲା ଧରି ରାଜଭବନ ସମ୍ମୁଖରେ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: କେନ୍ଦ୍ର ସରକାର ବାରମ୍ବାର ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜଭଭନ ସମ୍ମୁଖରେ ଏହି ଦରବୃଦ୍ଧି ପ୍ରତିବାଦରେ ଦଳ ତୀବ୍ର ବିରୋଧ କରିଛି। ଧାରଣା ସ୍ଥଳରେ ଗ୍ୟାସ ସିଲିଣ୍ଡର ଏବଂ କାଠଚୁଲାରେ ରୋଷେଇ କରି ଅଭିନବ ପ୍ରତିବାଦ କରିଛି ଦଳ।

ଆଜି ସକାଳୁ ଦଳର ବରିଷ୍ଠ ନେତାମାନେ ସେଠାରେ ଏକାଠି ହୋଇ ଏହି ଦରବୃଦ୍ଧିକୁ ପ୍ରତିବାଦ କରିଥିଲେ। ଦଳ କହିଛି ଯେ, ବିଗତ ନଅ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦର ପ୍ରାୟ ତିନିଗୁଣା ବୃଦ୍ଧି ପାଇଛି। ସେହିପରି ଉଜ୍ଜଳା ଯୋଜନା ବର୍ତ୍ତମାନ ହିତାଧିକାରୀଙ୍କ ପାଇଁ ହୋଇପଡିଛି ଅନ୍ଧାରୀ ଯୋଜନା। ଯେଉଁମାନଙ୍କୁ ଏହି ସିଲିଣ୍ଡର ଦିଆଯାଇଥିଲା ସେମାନେ ତାହା ଫେରାଇ ଦେବାକୁ ବସିଛନ୍ତି।

ଦିନକୁ ଦିନ ଗ୍ୟାସ ଦର ଖାଉଟିଙ୍କୁ ହନ୍ତସନ୍ତ କରିବାରେ ଲାଗିଛି। ତୁରନ୍ତ ଏହାର ଦର ହ୍ରାସ କରନ୍ତୁ ବୋଲି ଦଳ ଦାବୀ କରିଛି। ଏହା ଓଡିଶାର ମା ଭଉଣୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଦଳର ଏକ ବରିଷ୍ଠ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ପ୍ରଣବ ବଳବନ୍ତରାୟ, ମେୟର ସୁଲଚନା ଦାସ ପ୍ରମୁଖ ଶତାଧିକ କର୍ମି ଯୋଗ ଦେଇଥିଲେ।