Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ୧୦୦ ସାଂସଦଙ୍କ ଟିକଟ କଟିପାରେ! ଲାଗିପାରେ ନୂଆ ଚେହେରାଙ୍କ ଉପରେ ବାଜି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏଥର ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ଦେଇପାରେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଏଥର ପ୍ରାୟ ୧୦୦ କିମ୍ବା ତା’ଠାରୁ ଅଧିକ ସାଂସଦଙ୍କ ଟିକେଟ କାଟିପାରେ। ଗତକାଲି ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନିଷ୍ପତି ହୋଇଥିବାର ଜଣାପଡିଛି।

ଦିନେ କିମ୍ବା ଦୁଇଦିନ ମଧ୍ୟରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗତବର୍ଷ ଅନୁଷ୍ଠିତ ବିଭିନ୍ନ ବିଧାନସଭା ନିର୍ବାଚନରେ ବିଜେପି ଅନେକ ବିଧାୟକଙ୍କ ଟିକେଟ କାଟିଥିଲା ଏବଂ ଏଥିରେ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ଥିଲେ। ଏଥର ଲୋକସଭା ନିର୍ବାଚନରେ ବହୁ ସଂଖ୍ୟକ ଟିକେଟ କଟାଯିବ ଏବଂ ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ଫାଇଦା ମଧ୍ୟ ବିଜେପିକୁ ମିଳିଛି। ବିଜେପି ମଧ୍ୟ ଲଗାତାର ବାର୍ତ୍ତା ଦେଉଛି ଯେ ବିଜେପିରେ କର୍ମୀମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଦଳ ଯାହାକୁ ଚାହିଁବ ତାକୁ ଦାୟିତ୍ୱ ଦେଇପାରେ। ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରି କର୍ମୀମାନଙ୍କୁ ଏହି ବାର୍ତ୍ତା ଦେଇଛି।

ନିକଟରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଫୁଲ (ବିଜେପିର ନିର୍ବାଚନ ଚିହ୍ନ) ବିଜେପିର ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ କିଛି ବଡ଼ ନେତାଙ୍କ ଟିକେଟ ମଧ୍ୟ କାଟି ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁ ଆସନରେ ବିରୋଧୀ ମେଣ୍ଟ ଏକାଠି ଲଢ଼ୁଛି ସେଠାରେ ବିଜେପି ସାଂସଦମାନେ ଟିକେଟ ହରାଇବାର ସମ୍ଭାବନା ଅଧିକ ରହିଛି।

୨୦୧୯ରେ କେତେ ସାଂସଦଙ୍କ ଟିକେଟ କଟିଥିଲା

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୭୧ରୁ ଅଧିକ ସାଂସଦଙ୍କ ଟିକେଟ କାଟିଥିଲା। ମଧ୍ୟପ୍ରଦେଶରେ ୫ ଜଣ ସାଂସଦଙ୍କୁ ବଦଳାଯାଇଥିବା ବେଳେ ଛତିଶଗଡ଼ରେ ବିଜେପି ସମସ୍ତ ୧୦ ଜଣ ସାଂସଦଙ୍କ ଟିକେଟ କାଟିଦେଇଥିଲା।

ଏଥର ଏହି ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି। କିଛିମାସ ତଳେ ବିଜେପି ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ରାଜସ୍ଥାନରେ ବିଜେପି ୭, ମଧ୍ୟପ୍ରଦେଶରେ ୭, ଛତିଶଗଡ଼ ୪ ଓ ତେଲେଙ୍ଗାନାରେ ୩ ଜଣ ପ୍ରାର୍ଥୀ ଦେଇଥିଲେ। ବିଜୟୀ ସାଂସଦମାନେ ଇସ୍ତଫା ଦେଇ ଏବେ ବିଭିନ୍ନ ବିଧାନସଭାର ସଦସ୍ୟ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଲୋକସଭା ନିର୍ବାଚନ-୨୦୨୪ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଜାତିଗତ ଜନଗଣନା ଓ ଗୋଷ୍ଠୀ ସଂରକ୍ଷଣ ଦାବି ମଧ୍ୟରେ ରାଜନୈତିକ ସମୀକରଣ ନୂଆ ମୋଡ଼ ନେଉଥିବାରୁ ଏଥର ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ରାଜନୈତିକ ଆବଶ୍ୟକତା ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ।

ଏଥର ମଧ୍ୟ ଦଳ ବିଜୟର ଅଧିକ ସମ୍ଭାବନା ଥିବା ‘ଏ ବର୍ଗ’ର ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ବିଜେପି ତିନିଜଣିଆ କମିଟି ଗଠନ କରିଛି।
ଏହି କମିଟି ବୟସ, ବିଜୟ ସମ୍ଭାବନା, ପ୍ରାର୍ଥୀଙ୍କ ଜାତି, ଲୋକସଭା ନିର୍ବାଚନମଣ୍ଡଳୀର ବିକାଶ, ଆସନ ସମସ୍ୟା ଏବଂ ପ୍ରମୁଖ ବିରୋଧୀ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରୁଛି।

ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ସ୍ଥିର ହୋଇପାରେ ଦଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ ଯେପରି ୫ଟି ରାଜ୍ୟରେ ନିର୍ବାଚନ ଘୋଷଣା ପୂର୍ବରୁ କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା, ସେହିଭଳି ଲୋକସଭା ନିର୍ବାଚନ ଘୋଷଣା ହେବା ପୂର୍ବରୁ କିଛି ଆସନ ପାଇଁ ପ୍ରାର୍ଥୀ ଚୟନ କରାଯାଇ ଘୋଷଣା କରାଯାଇପାରିବ।

ଗତ ଲୋକସଭା ନିର୍ବାଚନ ତୁଳନାରେ ବିଜେପି ଅଧିକ ଆସନ ଜିତିବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ବ୍ୟତୀତ ଲୋକସଭା ଆସନର ସ୍କ୍ରିନିଂ ଜରୁରୀ ଥିବାରୁ ଦଳ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି।

ଯେଉଁଠି ଜାତି ସଂଖ୍ୟା ଅଧିକ, ସେଠାରେ ସେହି ଜାତିର ପ୍ରାର୍ଥୀ

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ବିହାର ଓ ଉତ୍ତରପ୍ରଦେଶରେ ଜାତିଗତ ଜନଗଣନା ଦାବି ଯୋଗୁଁ ଆଗାମୀ ଦିନରେ ଆସନଗୁଡ଼ିକର ଜାତିଗତ ସମୀକରଣ ପ୍ରଭାବିତ ହୋଇପାରେ। ଯଦି ଓବିସି ଅଧ୍ୟୁଷିତ ଆସନରେ ଅନ୍ୟଜାତିର ବର୍ତ୍ତମାନ ସାଂସଦ ଅଛନ୍ତି ତେବେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଆସନ ପରିବର୍ତ୍ତନ ହୋଇପାରେ।

ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ମୂଲ୍ୟାୟନ ଓ ସମୀକ୍ଷା

ରାଜ୍ୟ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ, ରାଜ୍ୟର ସାଂଗଠନିକ ସାଧାରଣ ସମ୍ପାଦକ ଓ ମୁଖ୍ୟମନ୍ତ୍ରୀଙ୍କ ମତାମତକୁ ଆଧାର କରି ବିଜେପି ଆସନଗୁଡ଼ିକର ମୂଲ୍ୟାୟନ କରୁଛି। ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ବର୍ତ୍ତମାନର ସାଂସଦମାନେ କରିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରହିଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଜେପିର ସହଯୋଗୀ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ମଧ୍ୟ ବିଚାରକୁ ନିଆଯିବ।