Categories
ଆଜିର ଖବର ଜାତୀୟ ଖବର

ବର୍ତ୍ତମାନ ୨.୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଉପଲବ୍ଧ ହେବ ପାଣିପାଗ ପୂର୍ବାନୁମାନ 

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ପୃଥିବୀ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଜିତେନ୍ଦ୍ର ସିଂହ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମିଳିତ ସହଯୋଗରେ ବିକଶିତ ଏହି ବ୍ୟବସ୍ଥା ତୃଣମୂଳ ସ୍ତରରେ ଜଳବାୟୁ ଜନିତ ପ୍ରସ୍ତୁତିରେ ଏକ ବଡ଼ ପଦକ୍ଷେପ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟସୂଚୀର ଏକ ଅଂଶ ଏବଂ ଏକ ସମଗ୍ର ସରକାରୀ ଆଭିମୁଖ୍ୟକୁ ପ୍ରତିଫଳିତ କରେ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ତୃଣମୂଳ ଶାସନରେ ପରିବର୍ତ୍ତନ ଆଣିବା ପାଇଁ ବିଶେଷଜ୍ଞ ବିଭାଗଗୁଡିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଏହି ପଦକ୍ଷେପ ଗ୍ରାମ ପଞ୍ଚାୟତଗୁଡ଼ିକୁ ପାଞ୍ଚ ଦିନିଆ ପାଣିପାଗ ପୂର୍ବାନୁମାନ ଏବଂ ଘଣ୍ଟା ପ୍ରତି ସଦ୍ୟତମ ସୂଚନା ପ୍ରଦାନ କରିବ, ଯାହାଦ୍ୱାରା ଗ୍ରାମୀଣ ଜନସାଧାରଣ କୃଷି କାର୍ଯ୍ୟକଳାପ ସମ୍ପର୍କରେ ଉତ୍ତମ ଭାବରେ ଯୋଜନା କରିବା ଏବଂ ପାଣିପାଗ ସମ୍ବନ୍ଧୀୟ ବିପଦ ପାଇଁ ପ୍ରସ୍ତୁତି କରିବାରେ ସକ୍ଷମ ହୋଇପାରିବେ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଂଜନ ସିଂ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ ‘‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’’ ଭାରତୀୟ ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ଏବଂ ଗ୍ରାମୀଣ ଜନସଂଖ୍ୟା ପାଇଁ ସହଜ ଜୀବନଧାରଣକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷେପ ଜଳବାୟୁ ଆହ୍ୱାନର ମୁକାବିଲା କରିବା ଏବଂ କୃଷି ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନେବାରେ ସୁଧାର ଆଣିବା ଦ୍ୱାରା ଗ୍ରାମୀଣ ପ୍ରଶାସନରେ ପରିବର୍ତ୍ତନ ଆଣିବ।’’ ଗ୍ରାମୀଣ ନାଗରିକମାନଙ୍କ ପାଖରେ ଠିକ୍ ସମୟରେ ପାଣିପାଗ ସୂଚନା ପହଞ୍ଚାଇବା, ଶେଷରେ ଜୀବିକାରେ ଉନ୍ନତି ଆଣିବା ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ସିଂହ ଆଲୋକପାତ କରିଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ ଗ୍ରାମାଞ୍ଚଳକୁ ସଶକ୍ତ କରିବା ଏବଂ କୃଷି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ପେଡ୍ ମା କେ ନାମ’ ଏକ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି, ଯାହା ପରିବେଶ ସୁରକ୍ଷାକୁ ଭାବନାତ୍ମକ ମୂଲ୍ୟବୋଧ ସହିତ ଯୋଡ଼ିଛି। ଏହି ପଦକ୍ଷେପ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଆଇଏମଡିର ମିଳିତ ପ୍ରୟାସକୁ ସେ ପ୍ରଶଂସା କରିବା ସହ ପାଣିପାଗ ଅନିଶ୍ଚିତତା କାରଣରୁ କୃଷକମାନଙ୍କୁ ଅଧିକ ପ୍ରଭାବଶାଳୀ ଭାବରେ ଯୋଜନା କରିବା ଏବଂ କୃଷିଜନିତ କ୍ଷୟକ୍ଷତି ହ୍ରାସ କରିବାରେ ସାହାଯ୍ୟ କରିବାର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଆଇଏମଡି ମଧ୍ୟରେ ସହଯୋଗକୁ ପ୍ରଶଂସା କରି କହିଥିଲେ ଯେ ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନର ଉପଲବ୍ଧତା ବିପର୍ଯ୍ୟୟ ପ୍ରସ୍ତୁତିକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ସମଗ୍ର ଭାରତରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବାରେ ସକ୍ଷମ ଜନସମାଜ ସୃଷ୍ଟିରେ ଯୋଗଦାନ କରିବ। ଗତ ଏକ ଦଶନ୍ଧି ମଧ୍ୟରେ ପାଣିପାଗ ପୂର୍ବାନୁମାନର ସଠିକତାରେ କ୍ରମାଗତ ଉନ୍ନତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ଶ୍ରେୟ ଦେଇଥିଲେ।

ଏଆଇ, ମେସିନ୍ ଲର୍ଣ୍ଣିଂ ଏବଂ ଏକ ବିସ୍ତାରିତ ପର୍ଯ୍ୟବେକ୍ଷଣ ନେଟୱର୍କ ଭଳି ଉନ୍ନତ ଜ୍ଞାନକୌଶଳ ପାଣିପାଗ ପୂର୍ବାନୁମାନ ସମେତ ବିଭିନ୍ନ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ସ୍ଥିତିକୁ ସୁଦୃଢ଼ କରିଛି ବୋଲି ଡ. ସିଂହ ଆଲୋକପାତ କରିଥିଲେ। ଖରାପ ପାଣିପାଗର ପ୍ରତିକୂଳ ପ୍ରଭାବରୁ ଗ୍ରାମୀଣ ଜନସଂଖ୍ୟାକୁ ରକ୍ଷା କରିବା ଏବଂ କୃଷି ଉତ୍ପାଦକତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ସୂଚନାର ସକ୍ରିୟ ଉପଯୋଗ କରିବାକୁ ସେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଥିଲେ। ପଞ୍ଚାୟତସ୍ତରୀୟ ପାଣିପାଗ ପୂର୍ବାନୁମାନ ସମେତ କୃଷିର ଆଧୁନିକୀକରଣ ପାଇଁ ସରକାରଙ୍କ ପ୍ରୟାସ ଉପରେ ଡ. ଜିତେନ୍ଦ୍ର ସିଂହ ଆଲୋକପାତ କରିଥିଲେ।

ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ସ୍ମାର୍ଟ, ସଶକ୍ତ ଏବଂ ଆତ୍ମନିର୍ଭରଶୀଳ ପଞ୍ଚାୟତ ଗଠନ ପାଇଁ ସରକାରଙ୍କ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଥିବା ଏହି ପଦକ୍ଷେପର ଦୀର୍ଘମିଆଦୀ ଲାଭ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଗ୍ରାମୀଣ ନାଗରିକ, ବିଶେଷ କରି କୃଷକମାନଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏହି ପଦକ୍ଷେପର ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ଫାଇଦା ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ବାଘେଲ କହିଛନ୍ତି ଯେ ଏଭଳି ପ୍ରଗତିଶୀଳ ଚିନ୍ତାଧାରା ଏବଂ ପରିବର୍ତ୍ତନମୂଳକ ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଭାରତ ଏକ ବିକଶିତ ରାଷ୍ଟ୍ରର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ତାଙ୍କ ଅଭିଭାଷଣରେ ପାଣିପାଗ ସମ୍ବନ୍ଧୀୟ ସୂଚନାକୁ ସକ୍ରିୟ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପଞ୍ଚାୟତଗୁଡ଼ିକୁ ଆହ୍ୱାନ ଦେଇଥିଲେ। ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡ. ଏମ୍ ରବିଚନ୍ଦ୍ରନ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ‘‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’’ର ବୈଷୟିକ ଦିଗ ଓ ଉପକାରିତା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଲୋକ ପ୍ରେମ ନାଗର ଏହି ଅଭିଯାନକୁ ଆଗକୁ ନେବାରେ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

ଉନ୍ମୋଚନ ଉତ୍ସବରେ ପଞ୍ଚାୟତିରାଜ, କୃଷି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ), ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି) ଏବଂ ଅନ୍ୟ ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ। ହରିୟାଣା ଏବଂ ଉତ୍ତରପ୍ରଦେଶର ପଞ୍ଚାୟତ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଅତି ଉତ୍ସାହର ସହ ଅଂଶଗ୍ରହଣ କରି କୃଷି ଫଳାଫଳରେ ଉନ୍ନତି ଆଣିବା ଏବଂ ଜଳବାୟୁ ସମ୍ବନ୍ଧୀୟ ଆହ୍ୱାନରୁ ସେମାନଙ୍କ ସମ୍ପ୍ରଦାୟକୁ ରକ୍ଷା କରିବା ପାଇଁ ଏହି ପାଣିପାଗ ପୂର୍ବାନୁମାନ ଉପକରଣଗୁଡ଼ିକର ଉପଯୋଗ କରିବାକୁ ଗଭୀର ଆଗ୍ରହ ପ୍ରକାଶ କରିଥିଲେ।

ନୂଆ ବ୍ୟବସ୍ଥାର ଶୁଭାରମ୍ଭ ବ୍ୟତୀତ ପଞ୍ଚାୟତିରାଜ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧି ଏବଂ ରାଜ୍ୟ ପଞ୍ଚାୟତିରାଜ ଅଧିକାରୀଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ପାଇଁ ‘‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’’ ଶୀର୍ଷକ ଏକ ପ୍ରଶିକ୍ଷଣ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ପାଣିପାଗ ପୂର୍ବାନୁମାନ ଉପକରଣର ବୁଝାମଣା ଏବଂ ବ୍ୟବହାର ବୃଦ୍ଧି କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କୁ ନିଜ ନିଜ ଅଞ୍ଚଳରେ ଜଳବାୟୁ ସହନଶୀଳତା ସୃଷ୍ଟି କରିବାକୁ ସଶକ୍ତ କରିଥିଲା।

ପାଣିପାଗ ପୂର୍ବାନୁମାନ ତଥ୍ୟ ମେରି ପଞ୍ଚାୟତ ଆପ୍, ଇଗ୍ରାମସ୍ୱରାଜ ଓ ଗ୍ରାମ ମଞ୍ଚିତ୍ରା ଭଳି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ହେବ, ଯାହା ପ୍ରଶାସନକୁ ସୁବ୍ୟବସ୍ଥିତ କରିବା ଏବଂ ତୃଣମୂଳ ସ୍ତରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଇଗ୍ରାମସ୍ୱରାଜ ପ୍ଲାଟଫର୍ମ ପ୍ରକଳ୍ପ ଟ୍ରାକିଂ ଏବଂ ସମ୍ବଳ ପରିଚାଳନାରେ ସାହାଯ୍ୟ କରୁଥିବା ବେଳେ ମେରି ପଞ୍ଚାୟତ ଆପ୍ ଗୋଷ୍ଠୀ ନିୟୋଜନକୁ ପ୍ରୋତ୍ସାହିତ କରେ। ଗ୍ରାମ ମଞ୍ଚିତ୍ରା ପ୍ଲାଟଫର୍ମ ପଞ୍ଚାୟତ ସ୍ତରରେ ସ୍ଥାନୀୟ ଯୋଜନା ଏବଂ ଉନ୍ନୟନ ମୂଳକ ପ୍ରକଳ୍ପରେ ସହାୟତା ପ୍ରଦାନ କରି ଭୂସ୍ଥାନୀୟ ବୁଝାମଣା ପ୍ରଦାନ କରିଥାଏ।

ଗ୍ରାମ ପଞ୍ଚାୟତସ୍ତରୀୟ ପାଣିପାଗ ପୂର୍ବାନୁମାନ ପ୍ରଣାଳୀର ଶୁଭାରମ୍ଭ ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବା ଏବଂ ଜଳବାୟୁ ସହନଶୀଳ ଭାରତ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଗ୍ରାମୀଣ ଜନସାଧାରଣଙ୍କୁ କୃଷି କାର୍ଯ୍ୟକଳାପ, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଭିତ୍ତିଭୂମି ଯୋଜନା ବିଷୟରେ ଅବଗତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ, ଉନ୍ନତ ମାନର ଜୀବନ ଧାରଣ ସୁନିଶ୍ଚିତ କରିବ ଏବଂ ଦେଶର ପ୍ରଗତିରେ ଯୋଗଦାନ କରିବ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରାୟ ୧୦ ହଜାର କୋଟିର ବିଭିନ୍ନ ପରିମଳ ଓ ସ୍ୱଚ୍ଛତା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଶ୍ରୀ ମୋଦୀ ଅମୃତ ଏବଂ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର ଧନ ଯୋଜନା ସମେତ ୯୬୦୦ କୋଟି ରୁ ଅଧିକ ଟଙ୍କାର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଛନ୍ତି । ସ୍ୱଚ୍ଛତା ହିଁ ସେବା ୨୦୨୪ର ଥିମ୍ ହେଉଛି ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁଜ୍ୟ ବାପୁ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରିବା ସହ ମା’ ଭାରତୀଙ୍କ ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ମହାନ ବ୍ୟକ୍ତିତ୍ୱଙ୍କ ସ୍ୱପ୍ନକୁ ସାମୂହିକ ଢଙ୍ଗରେ ସାକାର କରିବା ପାଇଁ ଆଜିର ଅବସର ପ୍ରେରଣାର ଉତ୍ସ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ କର୍ତ୍ତବ୍ୟ ଭାବନାରେ ପରିପୂର୍ଣ୍ଣ ଅଛନ୍ତି ତଥାପି ଅକ୍ଟୋବର ୨ ତାରିଖରେ ସେ ସଙ୍ଗେ ସଙ୍ଗେ ଭାବପ୍ରବଣ ଅଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱଚ୍ଛ ଭାରତ ମିଶନର ଯାତ୍ରା କୋଟି କୋଟି ଭାରତୀୟଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରତୀକ । ବିଗତ ୧୦ ବର୍ଷ ମଧ୍ୟରେ ଏହି ଆନ୍ଦୋଳନ ଦ୍ୱାରା ମିଳିଥିବା ଉଚ୍ଚ ଜନସମର୍ଥନ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦେଶର ପ୍ରତ୍ୟେକ ନାଗରିକ ଏହାକୁ ନିଜର ମିଶନରେ ପରିଣତ କରିଛନ୍ତି – ଯାହା କି ସେମାନଙ୍କ ଜୀବନର ଏକ ଅଂଶ । ସ୍ୱଚ୍ଛ ଭାରତର ୧୦ ବର୍ଷର ମାଇଲଖୁଣ୍ଟ ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନକୁ ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ କରିବା ରେ ସଫେଇମିତ୍ର, ଧାର୍ମିକ ନେତା, ଆଥଲେଟ୍, ସେଲିବ୍ରିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଗଣମାଧ୍ୟମର ପ୍ରୟାସକୁ ପ୍ରଶଂସା କରିଥିଲେ ।

ଶ୍ରମଦାନ ଆକାରରେ ସ୍ୱଚ୍ଛ ଭାରତ ଦିଗରେ ଭାରତର ରାଷ୍ଟ୍ରପତି ଏବଂ ଭାରତର ପୂର୍ବତନ ଓ ବର୍ତ୍ତମାନର ଉପରାଷ୍ଟ୍ରପତିଙ୍କ ଅବଦାନକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ ଏବଂ ଦେଶକୁ ପ୍ରେରଣା ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ, ସହର ଏବଂ କଲୋନୀରେ ଆଜି ହେଉଥିବା ଅନେକ ସ୍ୱଚ୍ଛତା କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ ଏବଂ ରାଜ୍ୟର ମନ୍ତ୍ରୀ, ନେତା ଏବଂ ପ୍ରତିନିଧିଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ପଖୱାଡାର ଏହି ସଂସ୍କରଣରେ କୋଟି କୋଟି ଲୋକ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ବୋଲି ସେ ସୂଚନା ଦେଇ କହିଥିଲେ ଯେ  ସେବା ପକ୍ଷର ୧୫ ଦିନ ମଧ୍ୟରେ ସମଗ୍ର ଦେଶରେ ୨୭ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୨୮ କୋଟି ଲୋକ ଅଂଶଗ୍ରହଣ କରିଥିଲେ । ଭାରତକୁ ସ୍ୱଚ୍ଛ ରଖିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତର ପ୍ରତ୍ୟେକ ନାଗରିକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ସହ ଜଡିତ ପ୍ରାୟ ୧୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ‘ମିଶନ ଅମୃତ’ ଅଧୀନରେ ଅନେକ ସହରରେ ଜଳ ଓ ନର୍ଦ୍ଦମା ବିଶୋଧନ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ନମାମି ଗଙ୍ଗେ ହେଉ କିମ୍ବା ଜୈବିକ ବର୍ଜ୍ୟବସ୍ତୁକୁ ବାୟୋଗ୍ୟାସରେ ପରିଣତ କରିବାର ଗୋବରଧନ ପ୍ରକଳ୍ପ ହେଉ, ସ୍ୱଚ୍ଛ ଭାରତ ଅଭିଯାନକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । “ସ୍ୱଚ୍ଛ ଭାରତ ମିଶନ ଯେତେ ସଫଳ ହେବ, ଆମ ଦେଶ ସେତେ ଅଧିକ ଉଜ୍ଜ୍ୱଳ ହେବ”, ଶ୍ରୀ ମୋଦୀ କହିଥିଲେ ।

ସ୍ୱଚ୍ଛ ଭାରତ ମିଶନ ୧୦୦୦ ବର୍ଷ ପରେ ମଧ୍ୟ ସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯେତେବେଳେ ଭାରତ ଉପରେ ଏକ ଅଧ୍ୟୟନ କରାଯିବ । “ସ୍ୱଚ୍ଛ ଭାରତ ମିଶନ ହେଉଛି ଚଳିତ ଶତାବ୍ଦୀର ସର୍ବବୃହତ ଏବଂ ସଫଳ ଜନ ଆନ୍ଦୋଳନ ଯେଉଁଥିରେ ଲୋକଙ୍କ ଅଂଶଗ୍ରହଣ ଏବଂ ଜନନେତୃତ୍ୱ ରହିଛି” ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମିଶନ ଲୋକଙ୍କ ପ୍ରକୃତ ଶକ୍ତି ଏବଂ ସାମର୍ଥ୍ୟକୁ ତାଙ୍କ ନିକଟରେ ପ୍ରକାଶ କରିଛି। ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ପାଇଁ ସ୍ୱଚ୍ଛତା ଜନଶକ୍ତିର ଅନୁଭୂତିର ପର୍ବ ପାଲଟିଛି। ସ୍ୱଚ୍ଛତା ଅଭିଯାନ ଆରମ୍ଭ ହେବା ସମୟରେ ଲକ୍ଷ ଲକ୍ଷ ଲୋକ କିପରି ହାତ ମିଳାଇଥିଲେ, ବିବାହ ହେଉ କି ସାର୍ବଜନୀନ କାର୍ଯ୍ୟକ୍ରମ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଭାବଶାଳୀ ଭାବରେ ପ୍ରସାରିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ।

ଶୌଚାଳୟ ନିର୍ମାଣ ପାଇଁ ବୃଦ୍ଧା ମା’ ଗୋରୁ ବିକ୍ରି କରିଥିବା, କିଛି ମହିଳା ମଙ୍ଗଳସୂତ୍ର ବିକ୍ରି କରିଛନ୍ତି, କିଛି ଲୋକ ଜମି ବିକ୍ରି କରିଛନ୍ତି, କିଛି ଅବସରପ୍ରାପ୍ତ ଶିକ୍ଷକ ପେନସନ୍ ଦାନ କରିଛନ୍ତି, କିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସ୍ୱଚ୍ଛତା ଅଭିଯାନ ପାଇଁ ଅବସରର ଲାଭ ଦାନ କରିଛନ୍ତି। ଯଦି ମନ୍ଦିର କିମ୍ବା କୌଣସି କାର୍ଯ୍ୟକ୍ରମରେ ସମାନ ଦାନ ଦିଆଯାଇଥାନ୍ତା, ତେବେ ଖବରକାଗଜରେ ଏହା ଏକ ପ୍ରମୁଖ ଶୀର୍ଷକ ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ଜାଣିବା ଦରକାର ଯେ ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁମାନଙ୍କ ମୁହଁ ଟିଭିରେ ଦେଖାଯାଇନଥିଲା କିମ୍ବା ଖବରକାଗଜରେ ସେମାନଙ୍କ ନାମ ପ୍ରକାଶିତ ହୋଇନଥିଲା, ଯେଉଁମାନେ ଏହି ମିଶନକୁ ସଫଳ କରିବା ପାଇଁ ନିଜର ଅର୍ଥ ଏବଂ ମୂଲ୍ୟବାନ ସମୟ ଦାନ କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଏହି ସବୁ ଉଦାହରଣ ଭାରତର ଚରିତ୍ରକୁ ପ୍ରତିଫଳିତ କରୁଛି। ଏକକ ବୃବହୃତ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ପାଇଁ ଆହ୍ୱାନ ଦେବା ସମୟରେ ଅନେକ ଲୋକ ଦୋକାନକୁ ଯିବା ସମୟରେ ଝୋଟ ଓ କପଡ଼ା ବ୍ୟାଗ୍ ବ୍ୟବହାର କରିବାର ପରମ୍ପରାକୁ ବଜାୟ ରଖିଥିଲେ ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉତ୍ପାଦନରେ ନିୟୋଜିତ ଉଦ୍ୟୋଗ ମାନଙ୍କ ସହିତ ହାତ ମିଳାଇ ଏହି ପଦକ୍ଷେପକୁ ସମର୍ଥନ କରିଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପଦକ୍ଷେପକୁ ସମର୍ଥନ କରୁଥିବା ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

ଚଳଚ୍ଚିତ୍ର ଆକାରରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିବାରେ ଗତ ୧୦ ବର୍ଷ ମଧ୍ୟରେ ଭାରତର ଚଳଚ୍ଚିତ୍ର ଶିଳ୍ପର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଏଭଳି କାର୍ଯ୍ୟ କେବଳ ଥରେ ନୁହେଁ ବରଂ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ କରାଯିବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ପ୍ରସଙ୍ଗକୁ ପ୍ରାୟ ୮୦୦ ଥର ଉଠାଇବାର ଉଦାହରଣ ଦେଇଥିଲେ ଯେଉଁଠାରେ ଲୋକମାନେ ଏହାକୁ ସାମ୍ନାକୁ ଆଣିଥିଲେ।

ପ୍ରଧାନମନ୍ତ୍ରୀ ଆଜି ସ୍ୱଚ୍ଛତା ଦିଗରେ ଲୋକଙ୍କ ପ୍ରୟାସକୁ ଉଲ୍ଲେଖ କରି କହିଥିଲେ, “ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଦିଗରେ ମାର୍ଗ ଦେଖାଇଥିଲେ”, ସେ ଭାରତର ସ୍ୱାଧୀନତା ପରଠାରୁ ପୂର୍ବ ସରକାରମାନଙ୍କ ଦ୍ୱାରା ସ୍ୱଚ୍ଛତା ପ୍ରତି ଅବହେଳା ପ୍ରସଙ୍ଗ ଉଠାଇଥିଲେ । ଯେଉଁମାନେ ମହାତ୍ମା ଗାନ୍ଧୀଙ୍କୁ ନିଜର ରାଜନୈତିକ ଫାଇଦା ଏବଂ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲେ ସେମାନେ ଏବେ ତାଙ୍କ ଆଗ୍ରହର ବିଷୟକୁ ଭୁଲିଯାଇଛନ୍ତି ବୋଲି ସେ କହିଛନ୍ତି। ଅପରିଷ୍କାରତା ଏବଂ ଶୌଚାଳୟର ଅଭାବକୁ ଜାତୀୟ ସମସ୍ୟା ଭାବରେ ବିବେଚନା କରାଯାଏ ନାହିଁ ବୋଲି ସେ କହିଛନ୍ତି। ଫଳରେ ସମାଜରେ ଏ ନେଇ କୌଣସି ଆଲୋଚନା ହୋଇନଥିଲା ଏବଂ ମଇଳା ଜୀବନର ଏକ ଅଂଶ ପାଲଟିଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲାଲକିଲ୍ଲାପ୍ରାଚୀରରୁ ଏହି ପ୍ରସଙ୍ଗ ଉଠାଇବା ପରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିବା କଥା ମଧ୍ୟ ସେ ମନେ ପକାଇଥିଲେ। ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ୍ ବିଷୟରେ କହିବା ତାଙ୍କର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, “ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପ୍ରାଥମିକତା”। ଏହାର ଫଳାଫଳ ଆଜି ଦେଖିବାକୁ ମିଳିପାରେ ବୋଲି ସେ କହିଛନ୍ତି।

ଦଶ ବର୍ଷ ତଳେ ଶୌଚାଳୟ ଅଭାବରୁ ଭାରତର ୬୦ ପ୍ରତିଶତରୁ ଅଧିକ ଲୋକ ଖୋଲାରେ ମଳତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମାନବିକ ମର୍ଯ୍ୟାଦା ବିରୋଧୀ ଏବଂ ଦେଶର ଗରିବ, ଦଳିତ, ଆଦିବାସୀ ଏବଂ ପଛୁଆ ସମ୍ପ୍ରଦାୟ ପ୍ରତି ଅପମାନଜନକ, ଯାହା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ଜାରି ରହିଛି। ଶୌଚାଳୟ ଅଭାବରୁ ମା’, ଭଉଣୀ ଓ ଝିଅଙ୍କ ଦୁଃଖ ବିଷୟରେ ଶ୍ରୀ ମୋଦୀ ଉଲ୍ଲେଖ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ବିପଦ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଖୋଲାରେ ମଳତ୍ୟାଗ ଯୋଗୁଁ ସୃଷ୍ଟି ହେଉଥିବା ଆବର୍ଜନା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

ଏଭଳି ଦୟନୀୟ ପରିସ୍ଥିତିରେ ଦେଶ ପାଇଁ ଚାଲିବା କଷ୍ଟକର ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ପରିସ୍ଥିତି ପୂର୍ବଭଳି ଚାଲିବ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ସରକାର ଏହାକୁ ଏକ ଜାତୀୟ ଏବଂ ମାନବିକ ଆହ୍ୱାନ ଭାବରେ ବିବେଚନା କରିଥିଲେ ଏବଂ ଏହାର ସମାଧାନ ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଠାରେ ସ୍ୱଚ୍ଛ ଭାରତ ମିଶନର ବିହନ ବୁଣାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ସମୟ ମଧ୍ୟରେ କୋଟି କୋଟି ଭାରତୀୟ ଚମତ୍କାର କାର୍ଯ୍ୟ କରିଛନ୍ତି। ଦେଶରେ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଛି ଏବଂ ଶୌଚାଳୟ ର ପରିସର ପୂର୍ବରୁ ୪୦ ପ୍ରତିଶତରୁ କମ୍ ଥିବା ବେଳେ ଶତ ପ୍ରତିଶତରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ସ୍ୱଚ୍ଛ ଭାରତ ମିଶନର ପ୍ରଭାବ ଦେଶର ସାଧାରଣ ଲୋକଙ୍କ ଜୀବନ ଉପରେ ଅମୂଲ୍ୟ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ୱାଶିଂଟନ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଏବଂ ଓହିଓ ଷ୍ଟେଟ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ମିଳିତ ଦ୍ୱାରା କରାଯାଇଥିବା ଏକ ପ୍ରସିଦ୍ଧ ଅନ୍ତର୍ଜାତୀୟ ପତ୍ରିକାର ଏକ ଅଧ୍ୟୟନକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହା ସାମ୍ନାକୁ ଆସିଛି ଯେ ସ୍ୱଚ୍ଛ ଭାରତ ମିଶନ ପ୍ରତିବର୍ଷ ୬୦ରୁ ୭୦ ହଜାର ପିଲାଙ୍କ ଜୀବନ ରକ୍ଷା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଡବ୍ଲ୍ୟୁଏଚଓ ଅନୁଯାୟୀ, ୨୦୧୪ରୁ ୨୦୧୯ ମଧ୍ୟରେ ୩ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯାଇଥିଲା, ଯାହା ଡାଇରିଆ କାରଣରୁ ଚାଲିଯାଇଥାନ୍ତା। ୟୁନିସେଫ୍ ରିପୋର୍ଟକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ଘରେ ଶୌଚାଳୟ ନିର୍ମାଣ ଯୋଗୁଁ ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ ମହିଳା ସୁରକ୍ଷିତ ଅନୁଭବ କରୁଛନ୍ତି ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଗୁଁ ମହିଳାଙ୍କ ଠାରେ ସଂକ୍ରମଣ ଜନିତ ରୋଗ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଲକ୍ଷ ଲକ୍ଷ ବିଦ୍ୟାଳୟରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ ଯୋଗୁଁ ଡ୍ରପଆଉଟ୍ ହାର ହ୍ରାସ ପାଇଛି। ୟୁନିସେଫ୍ ର ଅନ୍ୟ ଏକ ଅଧ୍ୟୟନକୁ ଉଦାହରଣ ଦେଇ ସେ ଉଲ୍ଲେଖ କରିଛନ୍ତି ଯେ ସ୍ୱଚ୍ଛତା କାରଣରୁ ପ୍ରତିବର୍ଷ ଗ୍ରାମର ପରିବାରମାନେ ହାରାହାରି ୫୦ ହଜାର ଟଙ୍କା ସଞ୍ଚୟ କରୁଛନ୍ତି, ଯାହା ପୂର୍ବରୁ ରୋଗ ଭଲ କରିବା ପାଇଁ ପକେଟ୍ ଖର୍ଚ୍ଚ ବାବଦରେ  ଖର୍ଚ୍ଚ ହେଉଥିଲା।

ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ସୃଷ୍ଟି ହୋଇଥିବା ଜନସଚେତନତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୋରଖପୁରରେ ମସ୍ତିଷ୍କ ଜ୍ୱର କାରଣରୁ ଶିଶୁ ମୃତ୍ୟୁର ଉଦାହରଣ ଦେଇଥିଲେ ଯାହାକୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସ୍ୱଚ୍ଛତାର ସମ୍ମାନ ବୃଦ୍ଧି ଦେଶରେ ଏକ ବିରାଟ ମାନସିକ ପରିବର୍ତ୍ତନ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ଆସିଥିବା ଚିନ୍ତାଧାରାରେ ହୋଇଥିବା ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସଫେଇ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ଉଦାହରଣ ଦେଇଥିଲେ ଯେଉଁମାନଙ୍କୁ ପୂର୍ବରୁ ଅବହେଳିତ ଦେଖାଯାଉଥିଲା। ଯେତେବେଳେ ସଫେଇ କର୍ମଚାରୀଙ୍କୁ ସମ୍ମାନ ମିଳିଲା, ସେମାନେ ମଧ୍ୟ ଦେଶକୁ ବଦଳାଇବାରେ ସେମାନଙ୍କ ଭୂମିକା ପାଇଁ ଗର୍ବ ଅନୁଭବ କଲେ। ସ୍ୱଚ୍ଛ ଭାରତ ଅଭିଯାନ ଲକ୍ଷ ଲକ୍ଷ ସଫେଇ ମିତ୍ରଙ୍କ ପାଇଁ ଗୌରବ ଆଣିଛି”, ସଫେଇ ମିତ୍ରମାନଙ୍କ ପାଇଁ ସମ୍ମାନଜନକ ଜୀବନ ଏବଂ ନିରାପତ୍ତା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ। ସେପ୍ଟିକ୍ ଟ୍ୟାଙ୍କରେ ମାନୁଆଲ ଏଣ୍ଟ୍ରି ଯୋଗୁଁ ଉପୁଜିଥିବା ସମସ୍ୟାକୁ ଦୂର କରିବା ପାଇଁ ଶ୍ରୀ ମୋଦୀ ପ୍ରୟାସ କରିଥିଲେ ଏବଂ ଏ ଦିଗରେ ସରକାର ଘରୋଇ ଓ ସରକାରୀ କ୍ଷେତ୍ର ସହ ମିଶି କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ଦେଇଥିଲେ। ଆମେ ପେସାଦାର ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ମଧ୍ୟ ଉତ୍ସାହିତ କରୁଛୁ ବୋଲି ସେ କହିଛନ୍ତି।

ସ୍ୱଚ୍ଛ ଭାରତ ଅଭିଯାନର ବ୍ୟାପକ ପରିସର ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା କେବଳ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ନୁହେଁ ଏବଂ ଆଜି ସ୍ୱଚ୍ଛତା ସମୃଦ୍ଧିର ଏକ ନୂତନ ମାର୍ଗ ସୃଷ୍ଟି କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ଦେଶରେ ବ୍ୟାପକ ପରିମାଣରେ ନିଯୁକ୍ତି ସୃଷ୍ଟି କରୁଛି ଏବଂ ଗତ ବର୍ଷଗୁଡ଼ିକରେ କୋଟି କୋଟି ଶୌଚାଳୟ ନିର୍ମାଣ ଦ୍ୱାରା ଅନେକ କ୍ଷେତ୍ର ଉପକୃତ ହୋଇଛି ଏବଂ ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମରେ ରାଜମିସ୍ତ୍ରୀ, ପାଣିପାଇପ୍‍ମିସ୍ତ୍ରୀ, ଶ୍ରମିକ ଭଳି ଅନେକ ଲୋକ ନିୟୋଜିତ ଅଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ୟୁନିସେଫ୍ ଆକଳନ କରିଛି ଯେ ଏହି ମିଶନ ଯୋଗୁଁ ପ୍ରାୟ ୧.୨୫ କୋଟି ଲୋକ କୌଣସି ନା କୌଣସି ରୂପରେ ନିଯୁକ୍ତି ପାଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନର ଏକ ନୂତନ ପିଢ଼ିର ମହିଳା ରାଜମିସ୍ତ୍ରୀ ଏକ ବିରାଟ ଫଳାଫଳ ଏବଂ ଆମର ଯୁବପିଢ଼ି ମଧ୍ୟ ସ୍ୱଚ୍ଛ ଜ୍ଞାନକୌଶଳ ମାଧ୍ୟମରେ ଉନ୍ନତ ଚାକିରି ଏବଂ ଉନ୍ନତ ସୁଯୋଗ ପାଉଛନ୍ତି ବୋଲି ସେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ କ୍ଲିନ୍ ଟେକ୍ ସହ ଜଡ଼ିତ ପାଖାପାଖି ୫ ହଜାର ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି। ଜଳ ଓ ପରିମଳ କ୍ଷେତ୍ରରେ ବର୍ଜ୍ୟରୁ ସମ୍ପଦ, ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ, ଜଳର ପୁନଃବ୍ୟବହାର ଓ ବାରମ୍ବାର ବ୍ୟବହାର କ୍ଷେତ୍ରରେ ଅନେକ ନୂଆ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଦଶନ୍ଧି ଶେଷ ସୁଦ୍ଧା ଏହି କ୍ଷେତ୍ରରେ ୬୫ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ ଏବଂ ସ୍ୱଚ୍ଛ ଭାରତ ମିଶନ ଏଥିରେ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆକଳନ କରାଯାଇଥିଲା।

“ସ୍ୱଚ୍ଛ ଭାରତ ଅଭିଯାନ ଭାରତରେ ଗତିଶୀଳ ଅର୍ଥନୀତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇଛି”, ପରିବାରରୁ ଉତ୍ପାଦିତ ବର୍ଜ୍ୟବସ୍ତୁ ବର୍ତ୍ତମାନ ମୂଲ୍ୟବାନ ସମ୍ପଦରେ ପରିଣତ ହେଉଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ । ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା କମ୍ପୋଷ୍ଟ, ବାୟୋଗ୍ୟାସ୍, ବିଦ୍ୟୁତ୍ ଏବଂ କୋଇଲା ଭଳି ସାମଗ୍ରୀ ଘରୋଇ ବର୍ଜ୍ୟବସ୍ତୁରୁ ଉତ୍ପାଦନ କରାଯାଉଛି। ଗ୍ରାମୀଣ ଏବଂ ସହରାଞ୍ଚଳରେ ପରିବର୍ତ୍ତନର ପ୍ରମୁଖ ଚାଳକ ହୋଇଥିବା ଗୋବରଧନ ଯୋଜନାର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ସୂଚନା ଦେଇଥିଲେ ଯେ ଗୋବରଧନ ଯୋଜନା ଅଧୀନରେ ଗ୍ରାମଗୁଡିକରେ ଶହ ଶହ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯାଇଛି ଯେଉଁଠାରେ ପଶୁ ବର୍ଜ୍ୟବସ୍ତୁକୁ ବାୟୋଗ୍ୟାସରେ ପରିଣତ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶବ୍ୟାପୀ ଶହ ଶହ କମ୍ପ୍ରେସଡ୍‍ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଆଜି ଅନେକ ନୂତନ ସିବିଜି ପ୍ଲାଣ୍ଟ ଉଦ୍ ଘାଟିତ ହୋଇଛି ଏବଂ ଏହି ପଦକ୍ଷେପକୁ ଆହୁରି ବିସ୍ତାର କରିବା ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ଭବିଷ୍ୟତର ଆହ୍ୱାନର ମୁକାବିଲା କରି ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥନୀତି ଏବଂ ସହରୀକରଣରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦ୍ରୁତ ସହରୀକରଣ ଏବଂ ବର୍ଜ୍ୟବସ୍ତୁ ଉତ୍ପାଦନର ମୁକାବିଲା ପାଇଁ ଦକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ରଣନୀତି ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ନିର୍ମାଣକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଯାହା ଶୂନ୍ୟ କିମ୍ବା ସର୍ବନିମ୍ନ ବର୍ଜ୍ୟବସ୍ତୁ ନିଷ୍କାସନ ସୁନିଶ୍ଚିତ କରୁଥିବା ହାଉସିଂ କମ୍ପ୍ଲେକ୍ସ ଗୁଡିକ ପାଇଁ ପୁନଃବ୍ୟବହାର ସାମଗ୍ରୀ ଏବଂ ଡିଜାଇନ୍ ର ବ୍ୟବହାରକୁ ପ୍ରୋତ୍ସାହିତ କରେ । ବ୍ୟବହାର ପୂର୍ବରୁ ଯେପରି ଜଳର ଅପବ୍ୟବହାର ନ ହୁଏ ଏବଂ ବର୍ଜ୍ୟ ଜଳର ବିଶୋଧନ ହୁଏ ସେଥିପାଇଁ ପ୍ରୟାସ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ନମାମି ଗଙ୍ଗେ ମିଶନକୁ ନଦୀ ସ୍ୱଚ୍ଛତା ପାଇଁ ଏକ ମଡେଲ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗା ନଦୀ ଆଜି ଯଥେଷ୍ଟ ସ୍ୱଚ୍ଛ ରହିଛି । ଅମୃତ ମିଶନ ଏବଂ ଅମୃତ ସରୋବର କାର୍ଯ୍ୟକ୍ରମ ଯଥେଷ୍ଟ ପରିବର୍ତ୍ତନ ଆଣିଛି ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ଜଳ ସଂରକ୍ଷଣ, ବିଶୋଧନ ଏବଂ ନଦୀ ସ୍ୱଚ୍ଛତା ପାଇଁ ନୂତନ ଜ୍ଞାନକୌଶଳରେ ନିରନ୍ତର ପୁଞ୍ଜିନିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛତା ଏବଂ ପର୍ଯ୍ୟଟନ ମଧ୍ୟରେ ସମ୍ପର୍କ ଉପରେ ଆଲୋକପାତ କରି କହିଥିଲେ ଯେ ସ୍ୱଚ୍ଛ ପର୍ଯ୍ୟଟନ ସ୍ଥଳୀ ଏବଂ ଐତିହ୍ୟ ସ୍ଥଳଗୁଡିକ ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିପାରିବେ । ପର୍ଯ୍ୟଟନସ୍ଥଳୀ, ଧର୍ମାନୁଷ୍ଠାନ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ପରିଷ୍କାର ଓ ରକ୍ଷଣାବେକ୍ଷଣ କରିବା ଜରୁରୀ ବୋଲି ସେ କହିଛନ୍ତି।

ବିଗତ ଏକ ଦଶନ୍ଧି ମଧ୍ୟରେ ହୋଇଥିବା ଅଗ୍ରଗତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ସ୍ୱଚ୍ଛ ଭାରତର ଏହି ଦଶ ବର୍ଷମଧ୍ୟରେ ଆମେ ବହୁତ କିଛି ହାସଲ କରିଛୁ, କିନ୍ତୁ ଆମର ମିଶନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ପ୍ରକୃତ ପରିବର୍ତ୍ତନ ସେତେବେଳେ ହୋଇଥାଏ ଯେତେବେଳେ ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ ଭାବରେ ଗ୍ରହଣ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ସ୍ୱଚ୍ଛ ଭାରତ ହାସଲ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ନିରନ୍ତର ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ସ୍ୱଚ୍ଛତାର ମିଶନ ଏକ ଦିନର ରୀତିନୀତି ନୁହେଁ ବରଂ ଏକ ଆଜୀବନ ରୀତିନୀତି ଏବଂ ଏହାକୁ ପିଢ଼ି ପିଢ଼ି ଆଗକୁ ଆଣିବା ଆବଶ୍ୟକ । ସ୍ୱଚ୍ଛତା ପ୍ରତ୍ୟେକ ନାଗରିକଙ୍କ ପ୍ରବୃତ୍ତି ହେବା ଉଚିତ ଏବଂ ଏହା ପ୍ରତିଦିନ କରାଯିବା ଉଚିତବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ପ୍ରକୃତରେ ସ୍ୱଚ୍ଛ ନ ହେବା ପର୍ଯ୍ୟନ୍ତ ଅଟକି ନ ଯିବାକୁ ସେ ପରବର୍ତ୍ତୀ ପିଢ଼ିର ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।

ଜିଲ୍ଲା, ବ୍ଲକ, ଗାଁ ଓ ସ୍ଥାନୀୟ ସ୍ତରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରି ରାଜ୍ୟ ସରକାରମାନେ ସେମାନଙ୍କ ଉଦ୍ୟମକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଜିଲ୍ଲା ଓ ବ୍ଲକରେ ସବୁଠାରୁ ସ୍ୱଚ୍ଛ ବିଦ୍ୟାଳୟ, ଡାକ୍ତରଖାନା ଓ କାର୍ଯ୍ୟାଳୟ ପାଇଁ ପ୍ରତିଯୋଗିତା ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ପୌରପାଳିକାଗୁଡ଼ିକ ଉତ୍ତମ ଭାବେ ରକ୍ଷଣାବେକ୍ଷଣ କରାଯାଇଥିବା ସର୍ବସାଧାରଣ ଶୌଚାଳୟ ସୁନିଶ୍ଚିତ କରିବା ଉଚିତ ଏବଂ ସ୍ୱଚ୍ଛତା ବ୍ୟବସ୍ଥା ପୁରୁଣା ଅଭ୍ୟାସକୁ ଫେରିବ ନାହିଁ। ପରିମଳ ଭିତ୍ତିଭୂମି ଏବଂ ଏହାର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦେବାକୁ ସେ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ଉତ୍ସାହିତ କରିଥିଲେ ଯେ ସେମାନେ ଘରେ, ନିଜ ପଡ଼ୋଶୀ ରେ କିମ୍ବା ସେମାନଙ୍କ କାର୍ଯ୍ୟସ୍ଥଳରେ ଯେଉଁଠାରେ ଥାଆନ୍ତୁ ସେଠାରେ ସ୍ୱଚ୍ଛତା ବଜାୟ ରଖିବାପାଇଁ ଶପଥ ନିଅନ୍ତୁ । “ଯେପରି ଆମେ ଆମର ପୂଜାସ୍ଥଳୀଗୁଡ଼ିକୁ ପରିଷ୍କାର ରଖିଥାଉ, ଆମକୁ ଆମ ଆଖପାଖରେ ସ୍ୱଚ୍ଛତା ପ୍ରତି ସମାନ ଭକ୍ତି ଭାବନା ଜାଗ୍ରତ କରିବା ଆବଶ୍ୟକ”, ସେ ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ସ୍ୱଚ୍ଛତାର ଭୂମିକା ଉପରେ ଆଲୋକପାତ କରିଥିଲେ । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ହାସଲ ପାଇଁ ଆସ୍ଥା ପ୍ରକଟ କରିବା ସହ ମହାତ୍ମା ଗାନ୍ଧୀଙ୍କ ନୀତିକୁ ନୂତନ ଶକ୍ତି ଓ ଉତ୍ସାହର ସହ ଅନୁସରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ନାଗରିକମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏବଂ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଡ. ରାଜଭୂଷଣ ଚୌଧୁରୀ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୯୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିମଳ ଏବଂ ସ୍ୱଚ୍ଛତା ସହ ଜଡିତ ଅନେକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ । ଏଥିରେ ଅମୃତ ଓ ଅମୃତ ୨.୦ ଅଧୀନରେ ସହରାଞ୍ଚଳ ଜଳ ଓ ନର୍ଦ୍ଦମା ବ୍ୟବସ୍ଥାକୁ ବଢ଼ାଇବା ଉଦ୍ଦେଶ୍ୟରେ ୬୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ, ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନ ଅଧୀନରେ ଗଙ୍ଗା ଅବବାହିକା ଅଞ୍ଚଳରେ ଜଳର ଗୁଣବତ୍ତା ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ପାଇଁ ୧୫୫୦ କୋଟିରୁ ଅଧିକ ଟଙ୍କାର ୧୦ଟି ପ୍ରକଳ୍ପ ଏବଂ ଗୋବରଧନ ଯୋଜନା ଅଧୀନରେ ୧୩୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି କମ୍ପ୍ରେସଡ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ପ୍ରକଳ୍ପ ଅନ୍ତର୍ଭୁକ୍ତ ହେବ।

ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମରେ ଭାରତର ଏକ ଦଶନ୍ଧି ଧରି ପରିମଳ ଉପଲବ୍ଧି ଏବଂ ନିକଟରେ ଶେଷ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଥିବା ସଫଳତାକୁ ଦର୍ଶାଯାଇଛି । ଏହି ଜାତୀୟ ପ୍ରୟାସର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମଧ୍ୟ ମଞ୍ଚ ପ୍ରସ୍ତୁତ କରିବ। ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ଭାବନାକୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବା କୁ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସରକାରୀ ସଂସ୍ଥା, ମହିଳା ଗୋଷ୍ଠୀ, ଯୁବ ସଂଗଠନ ଏବଂ ସମୁଦାୟ ନେତୃବୃନ୍ଦଙ୍କ ଦେଶବ୍ୟାପୀ ଅଂଶଗ୍ରହଣ ମଧ୍ୟ ଅନ୍ତର୍ଭୁକ୍ତ ହେବ ।

ସ୍ୱଚ୍ଛତା ହିଁ ସେବା ୨୦୨୪ର ବିଷୟବସ୍ତୁ ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’ ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ଏବଂ ପରିବେଶ ନିରନ୍ତରତା ପ୍ରତି ପ୍ରତିବଦ୍ଧତା ରେ ପୁଣି ଥରେ ଦେଶକୁ ଏକଜୁଟ କରିଛି । ସ୍ୱଚ୍ଛତା ହିଁ ସେବା ୨୦୨୪ ଅଧୀନରେ ୧୭ କୋଟିରୁ ଅଧିକ ଲୋକଙ୍କ ଭାଗିଦାରୀରେ ୧୯.୭୦ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ପାଖାପାଖି ୬.୫ ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟରେ ପରିବର୍ତ୍ତନ କରାଯାଇଛି । ପାଖାପାଖି ୧ ଲକ୍ଷ ସଫେଇମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ୩୦ ଲକ୍ଷରୁ ଅଧିକ ସଫେଇ ମିତ୍ର ଉପକୃତ ହୋଇଛନ୍ତି। ସେହିପରି ଏକ ପେଡ୍ ମା’ କେ ନାମ ଅଭିଯାନରେ ୪୫ ଲକ୍ଷରୁ ଅଧିକ ବୃକ୍ଷରୋପଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ସିଆଇଆଇର ବଜେଟ୍ ପରବର୍ତ୍ତୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘ବିକଶିତ ଭାରତ ଦିଗରେ ଯାତ୍ରା: ୨୦୨୪-୨୫ କେନ୍ଦ୍ର ବଜେଟ୍ ପରବର୍ତ୍ତୀ ସମ୍ମିଳନୀ’ ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ।

ଏହି ସମ୍ମିଳନୀ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ହେଉଛି। ଏହା ଜରିଆରେ ବିକାଶ ପାଇଁ ସରକାରଙ୍କ ବୃହତ୍ ଦୃଷ୍ଟିକୋଣ ଏବଂ ଅଭିବୃଦ୍ଧି ତଥା ଶିଳ୍ପର ଭୂମିକା ନିମନ୍ତେ ରୂପରେଖ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଶିଳ୍ପ, ସରକାରୀ, କୂଟନୈତିକ ସମ୍ପ୍ରଦାୟ ଓ ଥିଙ୍କ ଟ୍ୟାଙ୍କର ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବରେ ଯୋଗଦେବେ ଏବଂ ଦେଶ ଓ ବିଦେଶର ବିଭିନ୍ନ ସିଆଇଆଇ କେନ୍ଦ୍ରରୁ ମଧ୍ୟ ବହୁ ପ୍ରତିନିଧି ଜଡିତ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ଆଇନଜୀବି ସମ୍ମୀଳନୀରେ ବ୍ରହ୍ମପୁର ର ଦୁଇ ଆଇନଜୀବି ଙ୍କ ଯୋଗଦାନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଆଇନଜୀବି ସମ୍ମିଳନୀରେ ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ସଂଜୀତ ପାଣିଗ୍ରାହୀ ଓ ସର୍ବୋଚ୍ଚ ନ୍ୟାୟାଳୟ ସଦସ୍ୟ ତଥା ଯୁବ ଆଇନଜୀବି ଶିବରାମ ପାତ୍ର ଯୋଗ ଦେଇଛନ୍ତି। ତେବେ ସଂଜିବ କୁମାର ପାଣିଗ୍ରାହୀଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗୋପବନ୍ଧୁ ନଗର ହୋଇଥିବା ବେଳେ ଶିବରାମ ପାତ୍ରଙ୍କ ଘର ବ୍ରହ୍ମପୁରସ୍ଥିତ ଆର୍ ଟି କଲୋନୀରେ ଅଟେ।

ସୁଚନା ଥାଉକି ଉକ୍ତ କାର୍ଯ୍ୟକ୍ରମରେ ବହୁ ଦେଶ ବିଦେଶର ଆଇନଜୀବି, ବିଚାରପତି ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏବଂ ଏଥିରେ ଗୃହମନ୍ତ୍ରୀ ଅମିତ୍ ଶାହା ଅତିଥି ଭାବେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ‘ଅନ୍ତର୍ଜାତୀୟ ଆଇନଜୀବୀ’ ସମ୍ମିଳନୀ-୨୦୨୩ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩’ ଉଦଘାଟନ କରିବେ। ଏହି ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ବାର୍ କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ୨୦୨୩ ସେପ୍ଟେମ୍ବର ୨୩-୨୪ରେ ଅନ୍ତର୍ଜାତୟ ଆଇନଜୀବୀ ସମ୍ମିଳନୀ-୨୦୨୩ ଆୟୋଜନ ହେଉଛି। ଏହାର ବିଷୟବସ୍ତୁ ରହିଛି ‘ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଉପୁଜୁଥିବା ଆହ୍ୱାନ’। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମହତ୍ତ୍ଵ ଥିବା ବିଭିନ୍ନ ଆଇନଗତ ବିଷୟ ଉପରେ ଅର୍ଥପୂର୍ଣ୍ଣ ଖବର, ଚର୍ଚ୍ଚା ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିବା, ବିଚାର ଏବଂ ଅଭିଜ୍ଞତାର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ଆଇନଗତ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗ ଓ ବୁଝାମଣାକୁ ମଜଭୁତ କରିବା। ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଉଦୀୟମାନ ଆଇନଗତ ଧାରା, ସୀମାପାର ମକଦ୍ଦମାରେ ଦେଖାଦେଉଥିବା ଆହ୍ୱାନ, ଆଇନଗତ ପ୍ରଯୁକ୍ତି, ପରିବେଶ ଆଇନ ଆଦି ବିଷୟରେ ଆଲୋଚନା ହେବ।

କାର୍ଯ୍ୟକ୍ରମରେ ବିଶିଷ୍ଟ ବିଚାରପତି, ଆଇନ ବୃତ୍ତିଧାରୀ ଏବଂ ବୈଶ୍ୱିକ ସ୍ତରରେ ଆଇନ ପେସାରେ ଥିବା ଲିଡର ସାମିଲ ହେବେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ‘ଅନ୍ତର୍ଜାତୀୟ ଆଇନଜୀବୀ’ ସମ୍ମିଳନୀ-୨୦୨୩ ଉଦଘାଟନ କରିବେ  ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩’ ଉଦଘାଟନ କରିବେ। ଏହି ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ବାର୍ କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ୨୦୨୩ ସେପ୍ଟେମ୍ବର ୨୩-୨୪ରେ ଅନ୍ତର୍ଜାତୟ ଆଇନଜୀବୀ ସମ୍ମିଳନୀ-୨୦୨୩ ଆୟୋଜନ ହେଉଛି। ଏହାର ବିଷୟବସ୍ତୁ ରହିଛି ‘ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଉପୁଜୁଥିବା ଆହ୍ୱାନ’। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମହତ୍ତ୍ଵ ଥିବା ବିଭିନ୍ନ ଆଇନଗତ ବିଷୟ ଉପରେ ଅର୍ଥପୂର୍ଣ୍ଣ ଖବର, ଚର୍ଚ୍ଚା ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିବା, ବିଚାର ଏବଂ ଅଭିଜ୍ଞତାର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ଆଇନଗତ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗ ଓ ବୁଝାମଣାକୁ ମଜଭୁତ କରିବା। ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଉଦୀୟମାନ ଆଇନଗତ ଧାରା, ସୀମାପାର ମକଦ୍ଦମାରେ ଦେଖାଦେଉଥିବା ଆହ୍ୱାନ, ଆଇନଗତ ପ୍ରଯୁକ୍ତି, ପରିବେଶ ଆଇନ ଆଦି ବିଷୟରେ ଆଲୋଚନା ହେବ।

କାର୍ଯ୍ୟକ୍ରମରେ ବିଶିଷ୍ଟ ବିଚାରପତି, ଆଇନ ବୃତ୍ତିଧାରୀ ଏବଂ ବୈଶ୍ୱିକ ସ୍ତରରେ ଆଇନ ପେସାରେ ଥିବା ଲିଡର ସାମିଲ ହେବେ।

Categories
ଆଜିର ଖବର ଜାତୀୟ ଖବର

୭୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି: ଓଡିଶାରୁ ୪ ମନୋନୀତ

ଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫, ୨୦୨୩ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିବେ। ପ୍ରତି ବର୍ଷ ଭାରତରେ ସେପ୍ଟେମ୍ବର ୫ ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଦିବସକୁ ଜାତୀୟ ଶିକ୍ଷକ ଦିବସ ଭାବେ ରୂପେ ପାଳନ କରା ଯାଇଥାଏ। ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ସେହି ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ। ପୁରସ୍କାର ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ ସୁଯୋଗ ପାଇବେ।

ଓଡିଶାରୁ ଦୁଇ ଜଣ ଶିକ୍ଷକ ଏବଂ ଦୁଇ ଜଣ ପ୍ରଶିକ୍ଷଣ ଅଧିକାରୀ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଏବଂ ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ପୁରସ୍କାର ବିଜେତାଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁରସ୍ଥିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରର ରାଜ୍ୟପାଳ ଭବନ ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ (ଏଟିଓ) ସୁନୀତା ସିଂହ।

ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରତି ବର୍ଷ ଶିକ୍ଷକ ଦିବସରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦେଶର ଶ୍ରେଷ୍ଠ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରା ଯାଇଥାଏ। ଚଳିତ ବର୍ଷ ଠାରୁ ଜାତୀୟ ଶିକ୍ଷକ ପୁରସ୍କାରର ପରିସରକୁ ବ୍ୟାପକ କରାଯାଇ ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଶିକ୍ଷକ ମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଚଳିତ ବର୍ଷ ୫୦ ଜଣ ସ୍କୁଲ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗର ୧୩ ଜଣ ଶିକ୍ଷକ ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

ଅଭିନବ ଶିକ୍ଷାଦାନ, ଗବେଷଣା, ସାମୂହିକ ପ୍ରସାର ଏବଂ କାର୍ଯ୍ୟର ଅଭିନବତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଅଂଶଗ୍ରହଣ (ଜନ ଭାଗିଦାରୀ) କୁ ସର୍ବାଧିକ କରିବା ପାଇଁ ଅନଲାଇନ ମାଧ୍ୟମରେ ନାମାଙ୍କନ ଆହ୍ୱାନ କରା ଯାଇଥିଲା । ମାନ୍ୟବର ଶିକ୍ଷା ମନ୍ତ୍ରୀ ଶିକ୍ଷକ ଚୟନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ତିନୋଟି ପୃଥକ ସ୍ୱାଧୀନ ଜାତୀୟ ଜୁରି ଗଠନ କରିଥିଲେ।

Categories
ବିଶେଷ ଖବର

ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି: ଗଞ୍ଜାମ ଜିଲ୍ଲାକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଭୁବନେଶ୍ଵର/ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ୧୧ ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ବିଭାଗ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତି ପତ୍ର ଏବଂ ଟ୍ରଫି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ ରାଜ୍ୟ ପାଇଁ ପ୍ରଥମ ପୁରସ୍କାର ମଧ୍ୟପ୍ରଦେଶକୁ ପ୍ରଦାନ କରାଯିବ; ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପ୍ରଦାନ କରାଯିବ; ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାର ଜଗନ୍ନାଥପୁରମ୍ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯିବ; ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍, ଚଣ୍ଡିଗଡ଼କୁ ଶ୍ରେଷ୍ଠ ସହରୀ ସ୍ଥାନୀୟ ସଂସ୍ଥା ପୁରସ୍କାର ପ୍ରଦାନ କରାଯିବ; ହରିୟାନାର ଗୁରୁଗ୍ରାମ ସ୍ଥିତ ଆଡଭାନ୍ସ ୱାଟର ଡାଇଜେଷ୍ଟ ପ୍ରାଇଭେଟ ଲିମିଟେଡକୁ ସର୍ବୋତ୍ତମ ମିଡିଆ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ମେହସାନାସ୍ଥିତ ଜାମିୟତପୁରା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯିବ; କ୍ୟାମ୍ପସ୍ ବ୍ୟବହାର ପାଇଁ ସର୍ବୋତ୍ତମ ଅନୁଷ୍ଠାନ ଭାବେ ଜାମ୍ମୁ କାଶ୍ମୀରର ରିୟାସି ସ୍ଥିତ ଶ୍ରୀ ମାତା ବୈଷ୍ଣୋ ଦେବୀ ଧର୍ମପୀଠ ବୋର୍ଡକୁ ପୁରସ୍କାର ପ୍ରଦାନ କରାଯିବ; ବିହାରର ବେଗୁସରାଇସ୍ଥିତ ବରୌଣି ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ସର୍ବୋତ୍ତମ ଉଦ୍ୟୋଗ ପୁରସ୍କାର ପ୍ରଦାନ କରାଯିବ; ରାଜସ୍ଥାନର ଉଦୟପୁରର ଅର୍ପଣ ସେବା ସଂସ୍ଥାନକୁ ଶ୍ରେଷ୍ଠ ଏନଜିଓ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ନର୍ମଦା, ସଞ୍ଜିବନୀ ପିଆତ୍ ସହକାରୀ ମଣ୍ଡଳୀ ଲିମିଟେଡ୍କୁ ସର୍ବୋତ୍ତମ ଜଳ ବ୍ୟବହାରକାରୀ ସଂଘ ପୁରସ୍କାର ପ୍ରଦାନ କରାଯିବ; ଏବଂ ସିଏସଆର୍ କାର୍ଯ୍ୟକଳାପ ପାଇଁ ସର୍ବୋତ୍ତମ ଉଦ୍ୟୋଗ ଭାବେ ଉତ୍ତରପ୍ରଦେଶର ନୋଏଡା ସ୍ଥିତ ଏଚସିଏଲ୍ ଟେକ୍ନୋଲୋଜିଜ୍ ଲିମିଟେଡ୍କୁ ପୁରସ୍କାର ପ୍ରଦାନ କରାଯିବ।

ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ପୁରସ୍କାର ପ୍ରାପକ ମାନଙ୍କର ତାଲିକା ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ।

ସରକାରଙ୍କର ଏକ ‘ଜଳ ସମୃଦ୍ଧ ଭାରତ’ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଚାଲିଥିବା ଦେଶବ୍ୟାପି ଅଭିଯାନର ଏକ ଅଂଶ ଭାବରେ ଜାତୀୟ ଜଳ ପୁରସ୍କାର ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା କରାଯାଇଥିବା ଉତ୍ତମ କାର୍ଯ୍ୟ ଏବଂ ପ୍ରୟାସକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ। ଏହା ଜଳର ମହତ୍ତ୍ୱ ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଅଭିଳାଷ ରଖେ ଏବଂ ସେମାନଙ୍କୁ ସର୍ବୋତ୍ତମ ଜଳ ବ୍ୟବହାର ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥାଏ। ଏହି କାର୍ଯ୍ୟକ୍ରମ ସବୁ ଲୋକ ଏବଂ ସଂଗଠନ ଗୁଡିକୁ ଏକ ଦୃଢ଼ ସହଭାଗିତା ସୃଷ୍ଟି କରିବା ପାଇଁ ଏବଂ ଜଳ ଉତ୍ସ ସଂରକ୍ଷଣ ଏବଂ ପରିଚାଳନା କାର୍ଯ୍ୟକଳାପରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଅଧିକ ମଜଭୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଦେଶରେ ଜଳ ସମ୍ପଦ ପରିଚାଳନା ଦିଗରେ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଏକ ସମନ୍ୱିତ ଜାତୀୟ ଜଳ ପୁରସ୍କାର ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ବିବେଚନା କରାଯାଇଥିଲା।

ତଦନୁସାରେ, ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍ ଦ୍ୱାରା ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା। ଦ୍ୱିତୀୟ ଏବଂ ତୃତୀୟ ଜାତୀୟ ଜଳ ପୁରସ୍କାର ୨୦୧୯ ଏବଂ ୨୦୨୦ ବର୍ଷ ପାଇଁ ଦିଆ ଯାଇଥିଲା। କୋଭିଡ୍ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ପ୍ରଦାନ କରା ଯାଇନଥିଲା।

୨୦୨୨ ମସିହାରେ ଗୃହ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରୀୟ ପୁରସ୍କର ପୋର୍ଟାଲରେ ୩୦ ଜୁଲାଇ, ୨୦୨୨ ରେ ୪ର୍ଥ ଜାତୀୟ ଜଳ ପୁରସ୍କାର ପାଇଁ ଆବେଦନର ଆହ୍ୱାନ ଆରମ୍ଭ କରା ଯାଇଥିଲା। ୩୧ ଅକ୍ଟୋବର ୨୦୨୨ ରେ ଅନ୍ତିମ ତାରିଖ ସୁଦ୍ଧା ମୋଟ ୮୬୮ ଆବେଦନ ପତ୍ର ଗ୍ରହଣ କରା ଯାଇଥିଲା। ଆବେଦନ ଗୁଡିକ ଯାଞ୍ଚ କରାଯାଇ ତାହାର ମୂଲ୍ୟାଙ୍କନ କରାଯାଇଥିଲା। ତାଲିକାଭୁକ୍ତ ହୋଇଥିବା ଆବେଦନ ଗୁଡ଼ିକର ତୃଣମୂଳ ସ୍ତରର ସତ୍ୟତା ଯାଂଚ କେନ୍ଦ୍ରୀୟ ଜଳ ଆୟୋଗ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଦ୍ୱାରା କରାଯାଇଥିଲା, ଏହା ପରେ ପୁରସ୍କାର ପାଇଁ ସମସ୍ତ ୧୧ ବର୍ଗକୁ ଅନ୍ତର୍ଭୁକ୍ତ କରି ମିଳିତ ବିଜେତାଙ୍କ ସମେତ ୪୧ ବିଜେତାଙ୍କୁ ଚୟନ କରାଯାଇଛି।

Categories
ବିଶେଷ ଖବର

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ @୨୦୪୭ ଅନ୍ତର୍ଗତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଲାଗି ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ଆହୁରି ମଜବୁତ କରିବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ସହିତ ମିଶି ବିପର୍ଯ୍ୟୟ ପ୍ରଶମନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା।

ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ ୮ହଜାର କୋଟି ଟଙ୍କାରୁ ଅଧିକ ସହାୟତା ରାଶି ସହିତ ତିନୋଟି ପ୍ରମୁଖ ଯୋଜନାର ଘୋଷଣା କରିଛନ୍ତି –

୧- ରାଜ୍ୟରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ ପାଇଁ ୫ ହଜାର  କୋଟି ଟଙ୍କାର ପ୍ରକଳ୍ପ

୨- ସହରରେ ବନ୍ୟାର ବିପଦକୁ ହ୍ରାସ କରିବା ଲାଗି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସାତଟି ମହାନଗର- ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ ପୁଣେ ପାଇଁ ୨୫୦୦ କୋଟି ଟଙ୍କାର ପରିଯୋଜନା ଏବଂ

୩- ଭୂ-ସ୍ଖଳନ ପ୍ରଶମନ ଲାଗି ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୮୨୫ କୋଟି ଟଙ୍କାର ଜାତୀୟ ଭୂ-ସ୍ଖଳନ ବିପଦ ପ୍ରଶମନ ପ୍ରକଳ୍ପ

ସେ କହିଥିଲେ ଯେ, ବିପର୍ଯ୍ୟୟ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନହାନି ଯେପରି ନହୁଏ ସେଥିପାଇଁ ଆମର ପ୍ରୟାସ ହେବା ଉଚିତ୍‌, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ୫ ବର୍ଷ ମଧ୍ୟରେ ସବୁ ରାଜ୍ୟ ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ ପ୍ରୟାସ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ହୋଇଥିବା ଆଲୋଚନା ଜାତୀୟ ସ୍ତରରେ ନୀତି ପ୍ରସ୍ତୁତ କରିବା ଏବଂ ସେଥିରେ ପରିବର୍ତ୍ତନ ଆଣିବା ଲାଗି ମହତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥେଷ୍ଟ ସଫଳତା ହାସଲ କରିଛନ୍ତି, କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ହୋଇ ବସିଯିବା ଉଚିତ୍‌ ନୁହେଁ। ସେ ଆହୁରି କହିଥିଲେ ଯେ, ‘‘ବିପର୍ଯ୍ୟୟର ସ୍ୱରୂପ ବଦଳିଛି, ସେଗୁଡ଼ିକୁ ଫ୍ରିକୁଏନ୍ସି ଏବଂ ତୀବ୍ରତା ମଧ୍ୟ ବଢ଼ିଛି, ସେଥିପାଇଁ ଆମକୁ ନିଜ ପ୍ରସ୍ତୁତିକୁ ଅଧିକ ଦକ୍ଷ ଏବଂ ବ୍ୟାପକ କରିବାକୁ ହେବ। ଏବେ ଅନେକ ସ୍ଥାନରେ ନୂଆ ବିପର୍ଯ୍ୟୟ ଆସୁଛି, ସେଥିପାଇଁ ମଧ୍ୟ ଆମେ ନିଜକୁ ପ୍ରସ୍ତୁତ କରିବା ଉଚିତ୍।

ଶ୍ରୀ ଶାହା କହିଥିଲେ ଯେ ୨୦୦୪ ପରେ ଭାରତରେ ବିପର୍ଯ୍ୟୟ ପ୍ରଶମନ ଉପରେ ରାଷ୍ଟ୍ରୀୟ ସ୍ତରରେ ବ୍ୟାପକ ବିଚାରବିମର୍ଶ ପରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏହା ଉପରେ ଏକ ସାମୂହିକ ଉତ୍ତରଦାୟିତ୍ୱ ଏବଂ ପ୍ରତିକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ କୋଭିଡ ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ ସଙ୍ଗେ ମିଶି ଶତାବ୍ଦୀର ସବୁଠୁ ଭୀଷଣ ମହାମାରୀକୁ ସଫଳତା ପୂର୍ବକ ମୁକାବିଲା କରିଥିଲେ। ଏହି କଠିନ ସମୟରେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାର, ରାଜ୍ୟ ଓ ଜନସାଧାରଣ ମିଶି ମୁକାବିଲା କରିବାର ଏକ ଉତ୍କୃଷ୍ଟ ଉଦାହରଣ ବିଶ୍ୱ ସମ୍ମୁଖରେ ରଖିଥିଲେ। ଶ୍ରୀ ଶାହା କହିଥିଲେ ଯେ, ମୋଦୀ ସରକାର ୨୨୦ କୋଟିରୁ ଅଧିକ ମାଗଣା କରୋନା ଟିକା ଦେଇଥିଲେ, କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ବ୍ୟବସ୍ଥା କରିଥିଲେ, ଲକ୍ଷାଧିକ ଶ୍ରମିକମାନଙ୍କୁ ସେମାନଙ୍କ ବାସସ୍ଥାନକୁ ଫେରିବାରେ ସହଯୋଗ କରିଥିଲେ ଏବଂ ଡିବିଟି ଜରିଆରେ ସେମାନଙ୍କ ଚିନ୍ତା ଦୂର କରିବାର ବ୍ୟବସ୍ଥା କରିଥିଲେ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, କିଛି ବର୍ଷ ପୂର୍ବରୁ ବିପର୍ଯ୍ୟୟ ପ୍ରତି ଆମର ଦୃଷ୍ଟିକୋଣ ସହାୟତା କୈନ୍ଦ୍ରିକ ଏବଂ ପ୍ରତିକ୍ରିୟାଶୀଳ ରହୁଥିଲା, ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ ୯ ବର୍ଷରେ ଆଗୁଆ ଚେତାବନୀ ପ୍ରଣାଳୀ, ନିରାକରଣ, ପ୍ରଶମନ ଏବଂ ପୂର୍ବ ପ୍ରସ୍ତୁତି ଆଧାରିତ ବିପର୍ଯ୍ୟୟ ପ୍ରଶମନକୁ ଆମେ ସାମୂହିକ ପରିଶ୍ରମ ଏବଂ ପ୍ରୟାସ ସହିତ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିଛୁ। ସେ କହିଥିଲେ, ମୋଦୀ ସରକାର ୩୫୦ ରୁ ଅଧିକ ଉଚ୍ଚ ବିପଦ ସମ୍ଭାବ୍ୟ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ଯୁବ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଏହାଦ୍ୱାରା ବିପର୍ଯ୍ୟୟ ସମୟରେ ଆମକୁ ବହୁତ ଭଲ ପରିଣାମ ମିଳୁଛି।

ଶ୍ରୀ ଶାହା କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସକ୍ରିୟ ଭାବେ ବିଗତ ଚାରି ବର୍ଷ ମଧ୍ୟରେ ମାତ୍ର ୧୦ ଦିନ ଭିତରେ ୭୩ ଥର ଆଇଏମସିଟିର ଦଳ ପଠାଇ ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ପ୍ରୟାସ କରିଛନ୍ତି। ସେ କହିଥିଲେ ଯେ, ୨୦୦୫ରୁ ୨୦୦୬ ଠାରୁ ୨୦୧୩-୧୪ ପର୍ଯ୍ୟନ୍ତ ଏବଂ ୨୦୧୪-୧୫ ଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ତୁଳନା କଲେ ଏସଡିଆରଏଫକୁ ଜାରି ହେଉଥିବା ୩୫,୮୫୮ କୋଟି ଟଙ୍କା ଏବେ ପ୍ରାୟ ତିନି ଗୁଣା ବୃଦ୍ଧି ପାଇ ୧,୦୪,୭୦୪ କୋଟି ଟଙ୍କାରେ ପହଞ୍ଚିଛି।

ଏହାବ୍ୟତୀତ ଏନଡିଆରଏଫରୁ ଜାରି ହେଉଥିବା ଅର୍ଥରାଶି ୨୫,୦୦୦ କୋଟି ଟଙ୍କାରୁ ପ୍ରାୟ ତିନି ଗୁଣ ବୃଦ୍ଧି ପାଇ ୭୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏହି ସକ୍ରିୟ ଆଭିମୁଖ୍ୟ କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରେ ସହାୟତା ଓ ଥଇଥାନ କ୍ଷେତ୍ରରେ ବଜେଟ୍‌ ପରିମାଣକୁ ବଢ଼ାଇଛନ୍ତି। ୨୦୨୧ରେ କେନ୍ଦ୍ର ସରକାର ୧୬ ହଜାର ୭୦୦ କୋଟି ଟଙ୍କାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଗଠନ କରିଥିଲେ ଏବଂ ଏସଡିଆରଏଫ ଅଧୀନରେ ୩୨ ହଜାର କୋଟି ଟଙ୍କା ପ୍ରଶମନ ଗତିବିଧି ପାଇଁ ସଂରକ୍ଷିତ ରଖିଥିଲେ।

ଶ୍ରୀ ଶାହା କହିଥିଲେ ଯେ ଇଣ୍ଡିଆ ଡିଜାଷ୍ଟର ରିସୋର୍ସ ନେଟୱର୍କର ଦେଶବ୍ୟାପୀ ତାଲିକା ପ୍ରସ୍ତୁତ ହୋଇଛି ଏବଂ ଏଥିରେ ଏକ ଲକ୍ଷ ନୂଆ ରେକର୍ଡ ଦାଖଲ କରାଯାଇଛି । ୩୫୪ କୋଟି ଟଙ୍କାରେ ସାଧାରଣ ଚେତାବନୀ ପ୍ରୋଟୋକଲକୁ ଏସଏମଏସ ଜରିଆରେ ଲାଗୁ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ସୂଚନା ପ୍ରଣାଳୀ ପୋର୍ଟାଲ, ୧୧୨ ଜରୁରିକାଳୀନ ମୁକାବିଲା ସହାୟତା ପ୍ରଣାଳୀ ଭଳି ପଦକ୍ଷେପ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି।

ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପ୍ରଶମନ ପୁରସ୍କାର ମାଧ୍ୟମରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଯୋଗଦାନ ଦେଉଥିବା ବ୍ୟକ୍ତି ଓ ସଂସ୍ଥାକୁ ପୁରସ୍କୃତ କରିବାର ପରମ୍ପରା ଆରମ୍ଭ କରିଛନ୍ତି। ଏହାଦ୍ୱାରା ନିଶ୍ଚିତ ଭାବେ ଏହି କ୍ଷେତ୍ରରେ କାମ କରୁଥିବା ଲୋକ ଏବଂ ସଂସ୍ଥାର ଉତ୍ସାହ ବୃଦ୍ଧି ପାଇଛି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଦେଶରେ ବନ୍ୟା ପରିଚାଳନା ଲାଗି ଇସ୍ରୋ ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ୨୭୧ଟି ଆର୍ଦ୍ରଭୂମି ଚିହ୍ନଟ କରାଯାଇଛି। ଆଇଏମଡି ଦ୍ୱାରା ବର୍ଷାର ସମ୍ଭାବନା ଏବଂ ଏହାର ଆଧାରରେ ହେଉଥିବା ବନ୍ୟାର ସୂଚନା ପୂର୍ବରୁ ତିନି ଦିନ ଆଗରୁ ପଠାଯାଉଥିଲା, ତାହା ଏବେ ୫ ଦିନ ପୂର୍ବରୁ ଦିଆଯାଉଛି। ଯାହାଫଳରେ ସୁରକ୍ଷା ପାଇଁ ଅତିରିକ୍ତ ସମୟ ମିଳୁଛି। ଏହାକୁ ଆସନ୍ତା ବର୍ଷ ସୁଦ୍ଧା ୭ଦିନ ପର୍ଯ୍ୟନ୍ତ ବଢ଼ାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କହିଥିଲେ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ବନ୍ୟା ଆସୁଥିବା ୧୩ଟି ପ୍ରମୁଖ ନଦୀ କୂଳରେ ଗଛ ଲଗାଇ ବନ୍ୟା ନିୟନ୍ତ୍ରଣ କରାଯାଇଛି।

ଅମିତ ଶାହା କହିଥିଲେ,  ଦେଶର ଯେଉଁସବୁ ରାଜ୍ୟରେ ଆଣବିକ ଶକ୍ତି କେନ୍ଦ୍ର ତିଆରି ହେଉଛି ସେଠାରେ ଏନଡିଆରଏଫ ଦ୍ୱାରା ୭ ପାୱାର ପ୍ଲାଣ୍ଟ ସାଇଟ୍‌ ଗସ୍ତ ଆୟୋଜନ କରାଯାଇଛି ଏବଂ ଯେକୌଣସି ପ୍ରକାର ବିପର୍ଯ୍ୟୟ ସ୍ଥିତିରେ ଲୋକମାନଙ୍କ ସୁରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟମାନଙ୍କୁ ପଠାଯାଇଛି। ଶ୍ରୀ ଶାହା ରାଜ୍ୟର ମନ୍ତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଏହାକୁ ନିଜର ପ୍ରାଥମିକତା ଭାବେ ଗ୍ରହଣ କରନ୍ତୁ ଏବଂ ସେଠାରେ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରନ୍ତୁ।

ସେ କହିଥିଲେ ଯେ ଗ୍ରୀଷ୍ମ ଋତୁ ସ୍ଥିତି ପାଇଁ ୨୩ଟି ରାଜ୍ୟରେ କର୍ମଶାଳା ଆୟୋଜନ କରାଯାଉଛି। ଶ୍ରୀ ଶାହା ଏହା ମଧ୍ୟ କହିଥିଲେ ଯେ କିଛି ରାଜ୍ୟମାନଙ୍କ ଦ୍ୱାରା କୃଷକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ପରାମର୍ଶ ଦିଆଯାଇଛି, ସରକାର ଏହାକୁ ନିଶ୍ଚିତ ଭାବେ ଗମ୍ଭୀରତା ପୂର୍ବକ ବିଚାର କରିବେ। ଏଥିସହିତ ରାଜ୍ୟମାନେ ମଧ୍ୟ ନିଜ ବଜେଟ୍‌ ବ୍ୟବସ୍ଥା ବଢ଼ାଇବା ଉଚିତ୍‌ । ସବୁ ରାଜ୍ୟ ଆଦର୍ଶ ଅଗ୍ନିଶମ ବିଧେୟକକୁ ଆପଣାଇବା ଏବଂ ରାଜ୍ୟମାନଙ୍କରେ ଏକ ସମାନ ଆଇନ ଆଣିବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ ୮ଟି ରାଜ୍ୟର ୮୭ ଜିଲ୍ଲାରେ ଏବେ ସୁଦ୍ଧା ଜିଲ୍ଲା ବିପର୍ଯ୍ୟୟ ପ୍ରଶମ ଯୋଜନା ପ୍ରସ୍ତୁତ ହୋଇପାରି ନାହିଁ। ଏହାକୁ ଶୀଘ୍ର ପୂରଣ କରାଯିବା ଉଚିତ୍‌। ସେ କହିଥିଲେ ଯେ କାଳବୈଶାଖୀ ଏବଂ ବଜ୍ରପାତ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ପଠାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନାହାନ୍ତି। ସବୁ ରାଜ୍ୟ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ଶାହା କହିଥିଲେ। କେହି ଜଣେ ଲୋକ ଯେମିତି ବଜ୍ରପାତ ଯୋଗୁ ପ୍ରାଣ ହରାଇବେ ନାହିଁ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ହେବ ସେଥିପାଇଁ ସବୁ ରାଜ୍ୟ ଏ ଦିଗରେ ଧ୍ୟାନ ଦେବା ଉଚିତ୍‌।

ସେହିପରି ଶୀତ ଲହରୀ ଏବଂ ତୁଷାରପାତ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ପଠାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୬ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନାହାନ୍ତି। ଏସବୁ ରାଜ୍ୟ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ଶାହା କହିଥିଲେ।

ବୈଠକ ଅବସରରେ ବିପର୍ଯ୍ୟୟ ପ୍ରାକ୍‌ପ୍ରସ୍ତୁତି, ପ୍ରଶମନ, ପ୍ରତିକ୍ରିୟା, ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ନିରାପତ୍ତା, ପ୍ରାରମ୍ଭିକ ଚେତାବନୀ ଏବଂ ବିସ୍ତାର ପ୍ରଣାଳୀ, ପ୍ରଶମନ ପାଣ୍ଠିର ବ୍ୟବହାର, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସଡିଏମଏ) ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ଦ୍ୱାରା ଗୋଷ୍ଠୀ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା, ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ପ୍ରଶମନ ସମ୍ବନ୍ଧୀୟ ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ମନ୍ତ୍ରୀ ଓ ପ୍ରତିନିଧିମାନେ ବୈଠକ ଅବସରରେ ହୋଇଥିବା ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ। ନିଜ ରାଜ୍ୟର ସର୍ବୋତ୍ତମ ପ୍ରଥା ଏବଂ ଆହ୍ୱାନ ବିଷୟରେ ମଧ୍ୟ ସେମାନେ ବିଚାର ରଖିଥିଲେ।

ବୈଠକରେ ସହମତି ହୋଇଥିଲା ଯେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଗତ ନଅ ବର୍ଷ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ବୈଠକରେ ବାଧାମୁକ୍ତ କାର୍ଯ୍ୟକାରିତା ଏବଂ ସହଯୋଗୀ ଭାବନା ନେଇ ବିପର୍ଯ୍ୟୟ ମୁକାବିଲା କରିବା ଏବଂ ଜୀବନଜୀବିକା ହାନିକୁ ସର୍ବନିମ୍ନ ସ୍ତରରେ ପହଞ୍ଚାଇବା ନେଇ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ/ମନ୍ତ୍ରୀ, ଉପରାଜ୍ୟପାଳ/କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକମାନଙ୍କ ସହିତ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗର ବରିଷ୍ଠ ଅଧିକାରୀ, ଏନଡିଏମଏ ସଦସ୍ୟ, ଏନଡିଆରଏଫ ମହାନିର୍ଦ୍ଦେଶକ, ଏନଆଇଡିଏମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୨୫ ନଭେମ୍ବର, ୨୦୨୨ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।

ଦେଶର ଅପରିଚିତ ନାୟକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ଭାବେ ପ୍ରୟାସ କରି ଆସୁଛନ୍ତି। ଏହି କ୍ରମରେ, ଦେଶ ୨୦୨୨ ବର୍ଷକୁ ଲଚିତ ବରଫୁକନଙ୍କ ୪୦୦ତମ ଜନ୍ମଜୟନ୍ତୀ ବର୍ଷ ଭାବେ ପାଳନ କରୁଛି। ବର୍ଷେ ବ୍ୟାପୀ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା। ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୌହାଟୀ ଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଲଚିତ ବରଫୁକନ (୨୪ ନଭେମ୍ବର, ୧୬୨୨ – ୨୫ ଏପ୍ରିଲ, ୧୬୭୨) ଆସାମର ଅହୋମ ରାଜ୍ୟରେ ରାଜକୀୟ ସେନାର ପ୍ରସିଦ୍ଧ ସେନାପତି ଥିଲେ। ଆଉରଙ୍ଗଜେବ ଅଧୀନରେ ମୋଗଲ ସାମ୍ରାଜ୍ୟର ମହତ୍ବାକାଂକ୍ଷୀ ଚିରବିସ୍ତାରବାଦୀ ଅଭିଯାନକୁ ସେ ସଫଳତାପୂର୍ବକ ରୋକିବାରେ ସକ୍ଷମ ହୋଇଥିଲେ। ୧୬୭୧ ମସିହାରେ ସାରାଇଘାଟ ଯୁଦ୍ଧ ସଂଘଟିତ ହୋଇଥିଲା। ଲଚିତ ବରଫୁକନଙ୍କ ନେତୃତ୍ବରେ ଉତ୍ସାହୀ ଅହମୀୟା ସେନା ହାତରେ ମୋଗଲମାନେ ଶୋଚନୀୟ ଭାବେ ପରାସ୍ତ ଓ ଅପମାନିତ ହୋଇଥିଲେ । ଲଚିତ ବରଫୁକନ ଏବଂ ତାଙ୍କ ସେନାର ବୀରତ୍ବ ଗାଥା ଆମ ଦେଶର ଇତିହାସରେ ସବୁଠୁ ପ୍ରେରଣାଦାୟୀ ପ୍ରତିରୋଧକାରୀ ସୈନ୍ୟ ଅଭିଯାନ ଭାବେ ଲିପିବଦ୍ଧ ହୋଇ ରହିଛି।

Categories
ବିଶେଷ ଖବର

ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା ଲାଗି ନିଆଯାଇଥିବା ‘ପ୍ରଣ’ ବା ସଂକଳ୍ପକୁ ସାକାର କରିବା ଦିଗରେ ଜାତୀୟ ଲଜିଷ୍ଟିକ୍ସ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦ୍ରୁତ ଗତିରେ ଅନ୍ତିମ ସୋପାନରେ ସାମଗ୍ରୀ ବିତରଣ ସୁବିଧା ଯୋଗାଇ ଦେବା, ପରିବହନ ସଂକ୍ରାନ୍ତ ସମସ୍ୟା ଦୂର କରିବା, ଉତ୍ପାଦନକାରୀମାନଙ୍କର ସମୟ ଓ ଅର୍ଥ ସଞ୍ଚୟ କରିବା, କୃଷି ଉତ୍ପାଦକୁ ନଷ୍ଟ ହେବାରୁ ରକ୍ଷା କରିବା ଲାଗି ନିରନ୍ତର ଭାବେ ମିଳିତ ପ୍ରୟାସ କରାଯାଉଛି, ଫଳରେ ଦେଶରେ ଆଜି ଜାତୀୟ ଲଜିଷ୍ଟିକ୍ସ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମନ୍ୱୟରେ ସୁଧାର ଆସିବା ଫଳରେ ଏହି କ୍ଷେତ୍ରରେ ଆଶାନୁରୂପ ପରିଣାମ ମିଳିପାରିବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ସଂଘଟିତ ହେଉଛି। ଆଜି ସକାଳେ ଚିତାମାନଙ୍କୁ ଛଡ଼ାଯିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚିତାଙ୍କ ଭଳି ଲଗେଜ୍‌ ବା ମାଲଗୁଡ଼ିକ ଦ୍ରୁତ ଗତିରେ ପରିବହନ ହେବା ଆବଶ୍ୟକ ବୋଲି ଆମେ ଚାହୁଁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେକ୍‌ ଇନ୍‌ ଇଣ୍ଡିଆର ବାର୍ତ୍ତା ଚତୁର୍ଦ୍ଦିଗରେ ପହଞ୍ଚିଛି। ଭାରତ ଆଜି ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି । ଭାରତ ଏବେ ବଡ଼ ରପ୍ତାନି ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ତାହାକୁ ହାସଲ ମଧ୍ୟ କରୁଛି। ଭାରତ ଏକ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେଉଥିବାର ଧାରଣା ବିଶ୍ୱବ୍ୟାପୀ ଧୀରେ ଧୀରେ ସୁଦୃଢ଼ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ)କୁ ଅନୁଧ୍ୟାନ କଲେ ଆମେ ଦେଖିପାରିବା ଯେ ସାରା ବିଶ୍ୱ ଏହାକୁ ଗ୍ରହଣ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଜାତୀୟ ଲଜିଷ୍ଟିକ୍ସ ନୀତି ସବୁ କ୍ଷେତ୍ର ପାଇଁ ଏକ ନୂଆ ଉତ୍ସାହ ନେଇ ଆସିଛି। ସେ କହିଥିଲେ ଯେ, ନୀତି କେବଳ ଏକ ଆରମ୍ଭ, ନୀତି ସହିତ ପ୍ରଦର୍ଶନ ମିଶିଲେ ପ୍ରଗତି ହାସଲ ସମ୍ଭବ ହୋଇଥାଏ। ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରି କହିଥିଲେ ଯେ, ମାପଦଣ୍ଡ (ପାରାମିଟର), କାର୍ଯ୍ୟଖସଡ଼ା (ରୋଡମ୍ୟାପ) ଏବଂ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସମୟ (ଟାଇମଲାଇନ) ଏକ ସଙ୍ଗେ ମିଶି କାର୍ଯ୍ୟକାରୀ ହେଲେ ପ୍ରଗତି ଅବଶ୍ୟମ୍ଭାବୀ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶରେ କୌଣସି ନୀତି କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏଥିପାଇଁ ପ୍ରଥମେ କ୍ଷେତ୍ର ପ୍ରସ୍ତୁତି କରାଯାଉଛି, ଏହାପରେ ଯାଇ ନୀତି କାର୍ଯ୍ୟକାରୀ କରାଯାଉଛି। ଫଳରେ ଦେଶରେ ସବୁ ନୀତି ଓ ଯୋଜନା ସଫଳ ହେଉଛି। ଜାତୀୟ ଲଜିଷ୍ଟିକ୍ସ ନୀତି ହଠାତ୍‌ ଆସି ନାହିଁ । ଏହାପଛରେ ୮ ବର୍ଷର କଠିନ ପରିଶ୍ରମ ରହିଛି। ଏଥିରେ ନୀତିଗତ ପରିବର୍ତ୍ତନ, ବୃହତ ନିର୍ଣ୍ଣୟ ରହିଛି। ଯଦି ମୁଁ ମୋ କଥା କହିବି, ତା’ହେଲେ ଏହା ପଛରେ ମୋର ୨୨ ବର୍ଷର ପ୍ରଶାସନିକ ଅଭିଜ୍ଞତା ସାମିଲ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାଗରମାଳା, ଭାରତମାଳା ଭଳି ଯୋଜନାର ଅବତାରଣା କରିଥିଲେ। ସେହିପରି ଲଜିଷ୍ଟିକ୍ସ ପରିବହନରେ ସୁଧାର ପାଇଁ ସମର୍ପିତ ମାଲ କରିଡର କାର୍ଯ୍ୟ ତ୍ୱରାନ୍ୱିତ ହେବା ବିଷୟରେ କହିଥିଲେ। ଏସବୁ ଯୋଜନା ଦେଶରେ ଭିତ୍ତିଭୂମି ବିକାଶକୁ ବ୍ୟବସ୍ଥିତ କରିଛି। ଶ୍ରୀ ମୋଦୀ କହିଥିଲେ ଯେ, ଭାରତୀୟ ବନ୍ଦରଗୁଡ଼ିକର ମୋଟ୍‌ କ୍ଷମତା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଏବଂ ମାଲବାହୀ ଜାହାଜଗୁଡ଼ିକର ହାରାହାରୀ ପରିଚାଳନା ସମୟ ବା ଟର୍ଣ୍ଣ-ଆରାଉଣ୍ଡ ଟାଇମ୍‌ ୪୪ ଘଣ୍ଟାରୁ ୨୬ ଘଣ୍ଟାକୁ ହ୍ରାସ ପାଇଛି। ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ୪୦ଟି ବିମାନ କାର୍ଗୋ ଟର୍ମିନାଲ ନିର୍ମାଣ କରାଯାଇଛି। ୩୦ଟି ବିମାନ ବନ୍ଦରରେ ଶୀତଳ ଭଣ୍ଡାର ସୁବିଧା କରାଯାଇଛି। ଦେଶରେ ୩୫ଟି ବହୁମୁଖି କେନ୍ଦ୍ର ବା ହବ୍ ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଜଳମାର୍ଗ ଜରିଆରେ ଆମେ ପରିବେଶ ଅନୁକୂଳ ଏବଂ ମିତବ୍ୟୟୀ ପରିବହନ ସୁବିଧା ଯୋଗାଇ ଦେଉଛୁ। ଏଥିପାଇଁ ଦେଶରେ ଅନେକ ନୂଆ ଜଳମାର୍ଗ ନିର୍ମାଣ କରାଯାଉଛି। ସେ ଆହୁରି ମଧ୍ୟ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା କିଷାନ ରେଳ ଏବଂ କିଷାନ ଉଡ଼ାନ୍‌ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଆଜି, ୬୦ଟି ବିମାନ ବନ୍ଦରରେ କୃଷି ଉଡ଼ାନ ସୁବିଧା ରହିଛି।

ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ପ୍ରଯୁକ୍ତିକୁ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ସରକାର ଇ-ସଞ୍ଚିତ ଜରିଆରେ ଏକ୍‌ଜିମ୍‌ ବାଣିଜ୍ୟ ପ୍ରକ୍ରିୟା, ବର୍ହିଶୁଳ୍କ ପାଇଁ ଫେସଲେସ ଆସେସମେଣ୍ଟ ସୁବିଧା, ଇ-ୱେ ବିଲ ବ୍ୟବସ୍ଥା, ଫାଷ୍ଟଟ୍ୟାଗ ଆଦି ପଦକ୍ଷେପ ନେବା ଦିଗରେ କାର୍ଯ୍ୟ କରୁଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଜିଏସଟି ଭଳି ଏକକ ଟିକସ ବ୍ୟବସ୍ଥାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଡ୍ରୋନ ନୀତିରେ ପରିବର୍ତ୍ତନ ଏବଂ ଏହାକୁ ପିଏଲଆଇ ଯୋଜନା ସହ ଯୋଡ଼ିବା ଫଳରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇଛି। ଏସବୁ ପଦକ୍ଷେପ ଗ୍ରହଣ କରାଯିବା ପରେ, ଆମେ ଜାତୀୟ ଲଜିଷ୍ଟିକ୍ସ ନୀତି ନେଇ ଆସିଛୁ ବୋଲି ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ। ସେ ଆହୁରି କହିଥିଲେ ଯେ, ଲଜିଷ୍ଟିକ୍ସ ଖର୍ଚ୍ଚକୁ ୧୩-୧୪ ପ୍ରତିଶତରୁ କମାଇ ଯଥାଶୀଘ୍ର ସମ୍ଭବ ଏକ ଅଙ୍କ ବିଶିଷ୍ଟ କରିବା ଲାଗି ଆମେ ସମସ୍ତେ ଲକ୍ଷ୍ୟ ରଖିବା ଉଚିତ୍‌। ଏହା ଏକ ପ୍ରକାରରେ ଆମ ହାତପାଆନ୍ତାରେ ଥିବା ଫଳ ଭଳି, ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହେବାକୁ ହେଲେ ଆମକୁ ଏହା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକୀକୃତ ଲଜିଷ୍ଟିକ୍ସ ଇଣ୍ଟରଫେସ ପ୍ଲାଟଫର୍ମ-ୟୁଏଲଆଇପି ପରିବହନ କ୍ଷେତ୍ର ସହ ଜଡ଼ିତ ସବୁ ଡିଜିଟାଲ ସେବାକୁ ଗୋଟିଏ ପୋର୍ଟାଲରେ ଏକତ୍ରିତ କରିବ। ଯାହାଫଳରେ ରପ୍ତାନିକାରୀମାନେ ଖୁବ ଲମ୍ବା ଏବଂ ଜଟିଳ ପ୍ରକ୍ରିୟାର ଜାଲରୁ ମୁକ୍ତି ପାଇବେ। ଅନୁରୂପ ଭାବେ, ଏହି ନୀତି ଅଧୀନରେ ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଇଜ୍‌ ଲଜିଷ୍ଟିକ୍ସ ସେବା- ଇ-ଲଗ୍ସ ମଧ୍ୟ ଆରମ୍ଭ କରାଯାଇଛି। ଏହି ପୋର୍ଟାଲ ଜରିଆରେ, ଶିଳ୍ପ ସଂଘମାନେ ସେମାନଙ୍କର ପରିଚାଳନା ଏବଂ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା ଏଭଳି ସବୁ ପ୍ରସଙ୍ଗକୁ ସରକାରୀ ଏଜେନ୍ସିଙ୍କ ଦୃଷ୍ଟିକୁ ଆଣିପାରିବେ। ଏଭଳି ମାମଲାର ଦ୍ରୁତ ସମାଧାନ ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ସବୁ ଦିଗରୁ ଜାତୀୟ ଲଜିଷ୍ଟିକ୍ସ ନୀତି ପାଇଁ ସହାୟକ ହେବ। ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମର୍ଥନ ମିଳିବା କାରଣରୁ ସବୁ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସଂକ୍ରାନ୍ତରେ ବ୍ୟାପକ ସୂଚନାକୁ ନେଇ ଏକ ଡାଟା ପ୍ରସ୍ତୁତ କରାଯାଇଛି। ଆଜି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମ୍ପର୍କରେ ପ୍ରାୟ ୧୫୦୦ ସ୍ତରର ଡାଟା ବା ତଥ୍ୟ ପିଏମ ଗତିଶକ୍ତି ପୋର୍ଟାଲରେ ଉପଲବ୍ଧ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ୍ସ ନୀତି ମିଳିତ ଭାବେ ଏବେ ଦେଶକୁ ଏକ ନୂଆ କାର୍ଯ୍ୟ ସଂସ୍କୃତି ଦିଗରେ ଆଗେଇ ନେଉଛନ୍ତି। ନିକଟରେ ମଞ୍ଜୁରି ପାଇଥିବା ଗତିଶକ୍ତି ବିଶ୍ୱବିଦ୍ୟାଳୟରୁ ଆସିବାକୁ ଥିବା ପ୍ରତିଭାମାନେ ଏହି କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ସାରା ବିଶ୍ୱ ଭାରତକୁ ଏକ ‘ଗଣତାନ୍ତ୍ରିକ ମହାଶକ୍ତି’ ଭାବେ ଦେଖୁଛି। ସେ କହିଥିଲେ ଯେ, ଭାରତର ‘ଅସାଧାରଣ ପ୍ରତିଭା ଇକୋସିଷ୍ଟମ’ କ୍ଷେତ୍ର ବିଶେଷଜ୍ଞମାନଙ୍କୁ ଚକିତ କରିଛି ଏବଂ ସେମାନେ ଭାରତର ‘ପ୍ରତିବଦ୍ଧତା’ ଓ ‘ପ୍ରଗତି’କୁ ପ୍ରଶଂସା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱର ଦୃଷ୍ଟିକୋଣ ଆଜି ଭାରତ ପ୍ରତି ବଦଳିବାକୁ ଲାଗିଛି। ଆଜି ସାରା ବିଶ୍ୱ ଭାରତକୁ ସକାରାତ୍ମକ ଦୃଷ୍ଟିକୋଣ ନେଇ ମୂଲ୍ୟାଙ୍କନ କରୁଛି ଏବଂ ଭାରତ ଠାରୁ ଅନେକ କିଛି ଆଶା କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ବିଶ୍ୱ ସଙ୍କଟ ମଧ୍ୟରେ ପଡ଼ିଥିବା ବେଳେ ଭାରତ ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରଦର୍ଶନ କରିଥିବା ସହନଶୀଳତା ବିଶ୍ୱରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ବିଗତ କିଛି ବର୍ଷ ହେବ ଭାରତରେ ଆସିଥିବା ସଂସ୍କାର ଏବଂ କାର୍ଯ୍ୟକାରୀ କରାଯାଇଥିବା ନୀତି ଅଭୂତପୂର୍ବ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କାରଣରୁ ଭାରତ ପ୍ରତି ସାରା ବିଶ୍ୱର ଭରସା ବୃଦ୍ଧି ପାଇଛି। ଏହି ଭରସାକୁ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଏହା ଆମର ଦାୟିତ୍ୱ, ଆମ ସମସ୍ତଙ୍କର ଏକ ଦାୟିତ୍ୱ ରହିଛି। ଆଜି ଆରମ୍ଭ କରାଯାଇଥିବା ଜାତୀୟ ଲଜିଷ୍ଟିକ୍ସ ନୀତି ଏ କ୍ଷେତ୍ରରେ ଦେଶକୁ ବିଶେଷ ଭାବେ ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ସୃଷ୍ଟି ହେବା ଉଚିତ୍‌। ସେ କହିଥିଲେ ଯେ, ଭାରତ ବିକଶିତ ହେବା ଲାଗି ସଂକଳ୍ପବଦ୍ଧ ରହିଛି, ଏବେ ଏହା ବିକଶିତ ରାଷ୍ଟ୍ରମାନଙ୍କ ସହିତ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍‌। ତେଣୁ ସବୁକିଛି ପ୍ରତିଦ୍ୱନ୍ଦ୍ୱୀ ହେବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ସେବା କ୍ଷେତ୍ର, ଉତ୍ପାଦନ କ୍ଷେତ୍ର, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଆଦି ସବୁ କ୍ଷେତ୍ର ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ସେସବୁକୁ ହାସଲ କରିବା ଦିଗରେ ଅଗ୍ରସର ହେବା ଉଚିତ୍‌। ମେଡ୍‌ ଇନ୍‌ ଇଣ୍ଡିଆ ଉତ୍ପାଦ ପ୍ରତି ସାରା ବିଶ୍ୱର ଆଗ୍ରହ ଧୀରେ ଧୀରେ ବୃଦ୍ଧି ପାଉଛି। ଭାରତର କୃଷିଜାତ ଉତ୍ପାଦ ହେଉ କିମ୍ବା ଭାରତର ମୋବାଇଲ ଅଥବା ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର, ଏସବୁ ବିଷୟରେ ଆଜି ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ଆହୁରି ଭାରତ ନିର୍ମିତ କୋଭିଡ ଟିକା ଏବଂ ଔଷଧ ବିଷୟରେ ଉଲ୍ଲେଖ କରିଥିଲେ ଯାହାକି କରୋନା ମହାମାରୀ ସମୟରେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲା।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତରେ ନିର୍ମିତ ହେଉଥିବା ଉତ୍ପାଦ ବିଶ୍ୱ ବଜାରରେ ଆଧିପତ୍ୟ ବିସ୍ତାର କରିବାର କ୍ଷମତା ରହିଛି। ତେବେ ଏଥିପାଇଁ ଏକ ଦୃଢ଼ ସହାୟକ ବ୍ୟବସ୍ଥା ନିର୍ମାଣ କରିବା ଜରୁରି। ଏହି ସହାୟକ ବ୍ୟବସ୍ଥାକୁ ଆଧୁନିକୀକରଣ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ବିଶେଷ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ଲଜିଷ୍ଟିକ୍ସ ସହ ଜଡ଼ିତ ସମସ୍ୟା ହ୍ରାସ ପାଇଛି ଏବଂ ଦେଶର ରପ୍ତାନି ବଢ଼ିବା କାରଣରୁ କ୍ଷୁଦ୍ର ଉଦ୍ୟୋଗ ଏବଂ ଏଥିରେ କାର୍ଯ୍ୟ କରୁଥିବା ଲୋକମାନେ ସର୍ବାଧିକ ଲାଭ ପାଇପାରୁଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦ୍ୱାରା କେବଳ ସାଧାରଣ ଲୋକଙ୍କ ଜୀବନ ସହଜ ହେବ ନାହିଁ ବରଂ ସମାଜରେ ଶ୍ରମିକ ଓ କର୍ମଜୀବୀମାନଙ୍କ ପାଇଁ ସମ୍ମାନ ବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିତ୍ତିଭୂମି ବିକାଶ, ବ୍ୟବସାୟ ସମ୍ପ୍ରସାରଣ ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ଜାତୀୟ ଲଜିଷ୍ଟିକ୍ସ ନୀତିରେ ବ୍ୟାପକ ସମ୍ଭାବନା ରହିଛି। ଆମ ସମସ୍ତଙ୍କୁ ମିଶି ଏହି ସମ୍ଭାବନାକୁ ସାକାର ରୂପ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ଲଜିଷ୍ଟିକ୍ସ କ୍ଷେତ୍ରର ପ୍ରତିନିଧିଗଣ, ଟିଭିଏସ ସପ୍ଲାଇ ଚେନ୍‌ ସଲ୍ୟୁସନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆର ଦିନେଶ, ଅଗ୍ରୱାଲ ପ୍ୟାକର୍ସ ଏଣ୍ଡ ମୁଭର୍ସର ସିଇଓ ରମେଶ ଅଗ୍ରୱାଲ, ଏକ୍ସପ୍ରେସ ବିଜ୍‌ ଲଜିଷ୍ଟିକ୍ସର ପ୍ରତିଷ୍ଠାତା ଏବଂ ସିଇଓ ଅମିତାଭ ଶାହା ସେମାନଙ୍କର ମତ ରଖିଥିଲେ।

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନସ୍ୱାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୋମ ପ୍ରକାଶ ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ଅନୁଭୂତ ହୋଇଥିଲା। ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ସୁଧାର ଆସିବା ଫଳରେ ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

୨୦୧୪ ପରଠାରୁ, ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ୱାରୋପ କରି ଆସୁଛନ୍ତି। ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ସହାୟକ ହୋଇପାରିବ। ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ଅକ୍ଷମତା ଦୂର କରିବା ସହିତ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବା ଦିଗରେ ଏନଏଲପି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଉତ୍ପାଦର ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବା, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ଏହି ନୀତି ଏକ ପ୍ରମୁଖ ପଦକ୍ଷେପ।

ଦେଶରେ ବିଶ୍ୱସ୍ତରୀୟ ଆଧୁନିକ ଭିତ୍ତିଭୂମି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲକ୍ଷ୍ୟ ହୋଇ ଆସିଛି। ସାମଗ୍ରିକ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ଏହି ଜାତୀୟ ଲଜିଷ୍ଟିକ୍ସ ନୀତିର ଉଦ୍ଦେଶ୍ୟ, ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତା ଓ ସମନ୍ୱୟ ଆସିପାରିବ। ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ପିଏମ ଗତିଶକ୍ତି – ବହୁମୁଖି ଯୋଗାଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନ୍‌- ଯୋଜନାର ଶୁଭାରମ୍ଭ କରାଯାଇଥିଲା, ଯାହାକି ଏ ଦିଗରେ ଏକ ପ୍ରାରମ୍ଭିକ ପ୍ରୟାସ ଥିଲା । ଏବେ ଜାତୀୟ ଲଜିଷ୍ଟିକ୍ସ ପଲିସିର ଶୁଭାରମ୍ଭ ହେବା ସହିତ ପିଏମ ଗତିଶକ୍ତିକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଏହି ନୀତି ଏକ ସହାୟକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ ହେଲା ଭାରତୀୟ ସୂଚନା ସେବା ଅଧିକାରୀଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ

ଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବିଜ୍ଞାନ ଭବନରେ ଭାରତୀୟ ସୂଚନା ସେବା ଅଧିକାରୀ ମାନଙ୍କର ତୃତୀୟ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ, ସୂଚନା ଏବଂ ପ୍ରସାରଣ ସଚିବ, ଅପୂର୍ବ ଚନ୍ଦ୍ରା ଏବଂ ପ୍ରମୁଖ ମହାନିର୍ଦ୍ଦେଶକ, ଜୟଦୀପ ଭଟ୍ଟନାଗର, ସତ୍ୟେନ୍ଦ୍ର ପ୍ରକାଶ, ବେଣୁଧର ରେଡ୍ଡୀ ଏବଂ ମାୟଙ୍କ କୁମାର ଅଗ୍ରୱାଲ୍ ଉପସ୍ଥିତ ଥିଲେ। ଏହି ଦୁଇ ଦିବସୀୟ  ସମ୍ମିଳନୀରେ ସାରା ଦେଶର ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଭାଗ ନେଇଛନ୍ତି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ଶ୍ରୀ ଅନୁରାଗ ଠାକୁର ନିଜର ଅଭିଭାଷଣରେ 5ସି ବା ପାଂଚଟି ପ୍ରମୁଖ ବିଷୟକୁ ରେଖାଙ୍କିତ କରିଛନ୍ତି, ଯେଉଁ ଗୁଡିକୁ ସରକାରୀ ଯୋଗାଯୋଗ କ୍ଷେତ୍ରରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ଏଥିରେ – ନାଗରିକ – କେନ୍ଦ୍ରିତ ଏବଂ ଅନୁକମ୍ପାମୂଳକ ଯୋଗାଯୋଗ ବ୍ୟବସ୍ଥା, ଲକ୍ଷ୍ୟଭୁକ୍ତ ଶ୍ରୋତାଙ୍କ ପାଇଁ ବାର୍ତ୍ତା, ସହଭାଗୀତା ଏବଂ ନିରନ୍ତର ମାନସ ମନ୍ଥନ  ତଥା କ୍ଷମତା ବୃଦ୍ଧି ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଅଟେ । ଏହା ଉପରେ ସେ ବିସ୍ତୃତ ଭାବେ କହିଥିଲେ ଯେ, ନାଗରିକ ମାନଙ୍କୁ ଧ୍ୟାନରେ ରଖି ସମସ୍ତ ଯୋଗାଯୋଗ ପ୍ରାସଙ୍ଗିକ ହେବା ଉଚିତ୍ । ଏହା ସହିତ ସରକାରୀ ସଂସ୍ଥା, ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ଘରୋଇ କ୍ଷେତ୍ର ସମେତ ସମସ୍ତ ହିତଧାରକ ମାନଙ୍କ ସହିତ ସହଯୋଗ ବୃଦ୍ଧି କରିବାର ମହତ୍ୱକୁ ମଧ୍ୟ ରେଖାଙ୍କିତ କରିଥିଲେ । ସେ କହିଥିଲେ ଯେ, ଯୋଗାଯୋଗ ଏକ ଦ୍ରୁତ ବେଗରେ ବଦଳୁଥିବା କ୍ଷେତ୍ର ଅଟେ, ଯେଉଁଠାରେ ନକଲି ଖବର ଭଳି ଆହ୍ୱାନ ରହିଛି । ଯୋଗାଯୋଗକାରୀ ସର୍ବଦା ବିଶ୍ଵସନୀୟ ଏବଂ ଗ୍ରହଣଯୋଗ୍ୟ ହେବା ମହତ୍ୱପୂର୍ଣ୍ଣ ଅଟେ, ଯେମିତି କୋଭିଡ୍ ମହାମାରୀ ସମୟରେ ଦେଖା ଯାଇଥିଲା ।

ଶ୍ରୀ ଅନୁରାଗ ସିଂହ ଠାକୁର ନକଲି ଖବରକୁ ମୁକାବିଲା କରିବା ନିମନ୍ତେ ଫ୍ୟାକ୍ଟ ଚେକ୍ ୟୁନିଟ୍‌ ଗୁଡିକର ବିସ୍ତାର ଏବଂ ଦିବ୍ୟାଙ୍ଗ ଲୋକ ମାନଙ୍କ ନିମନ୍ତେ ସୁଲଭରେ ଉପଲବ୍ଧ ହେବା ଭଳି ପରିବର୍ତନକାରୀ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆଇଆଇଏସ୍ ଅଧିକାରୀ ମାନଙ୍କର ଭୂମିକାର ଭୁରି ଭୁରି ପ୍ରଶଂସା କରିଥିଲେ । ସେ ନୂତନ ଗଣମାଧ୍ୟମ ପ୍ରଯୁକ୍ତି ସମୂହ, ସଂସ୍ଥା ନିର୍ମାଣ ଏବଂ ରାଜ୍ୟ ସରକାର ମାନଙ୍କ ସହିତ ସମନ୍ୱୟର ମହତ୍ୱ ଉପରେ ଆଲୋକପାତ କରିବା ସହିତ ଅନ୍ତିମ ବ୍ୟକ୍ତି ନିକଟରେ ଲାଭ ପହଂଚାଇବା ପାଇଁ ସରକାରୀ ଯୋଗାଯୋଗର ପ୍ରଭାବ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆଣିବା ନିମନ୍ତେ ବିଚାର ଏବଂ ପଦକ୍ଷେପ ଗୁଡିକୁ ମଧ୍ୟ ସାମନାରେ ରଖିଥିଲେ ।

ସେ ସମସ୍ତ ଅଧିକାରୀମାନଙ୍କୁ ୧୩୦ କୋଟି ଲୋକ ମାନଙ୍କୁ ଯୋଗାଯୋଗ ରୂପରେ ନିଜର ଭୂମିକାର ମହତ୍ୱକୁ ଚିହ୍ନାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଲୋକ ମାନଙ୍କ ନିକଟରେ ନିଜର ପହଂଚ ବଢ଼ାଇବା ନିମନ୍ତେ ସମକାଳିନ ଯୋଗାଯୋଗ ଏବଂ ଗପ କହିବାର କଳାର ମହତ୍ୱକୁ ରେଖାଙ୍କିତ କରିଥିଲେ । ସେ କହିଥିଲେ ଯେ, ସଂସ୍ଥା ନିର୍ମାଣ, ଗୋଷ୍ଠୀ ଗଠନ ଏବଂ ଅଧିକାରୀ ମାନଙ୍କର ପ୍ରେରଣା ମଧ୍ୟ ସମାନ ରୂପରେ ମହତ୍ୱପୂର୍ଣ୍ଣ ଅଟେ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ଶ୍ରୀ ଅପୂର୍ବ ଚନ୍ଦ୍ରା କହିଥିଲେ କୋଭିଡ୍ – ୧୯ ମହାମାରୀ ସମୟରେ ସରକାରୀ ଯୋଗାଯୋଗ ବ୍ୟବସ୍ଥା ଲୋକ ମାନଙ୍କୁ ଆଶ୍ୱସ୍ତ କରିଥିଲା ଏବଂ ସେମାନଙ୍କ ମନରୁ ଭୟକୁ ଦୂର କରିବାରେ ସଫଳ ରହିଥିଲା । ଏହା ଟୀକାକରଣ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି କଲ୍ୟାଣକାରୀ ପଦକ୍ଷେପ ଗୁଡିକ ସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ।  ସେ କହିଥିଲେ ଯେ, ଅନେକ ଦେଶ ତୁଳନାରେ, ଭାରତରେ ଟୀକାକୁ ନେଇ ଦ୍ୱିଧା ନାହିଁ, ଯାହା ଫଳରେ ଏହି ୨୦୦ କୋଟି ଟୀକା ଡୋଜ୍‌ର ମାଇଲ୍ ଖୁଂଟ ହାସଲ୍ କରା ଯାଇପାରିଥିଲା ।

ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟ୍ଟନାଗର ନିଜର ମନ୍ତବ୍ୟରେ କହିଥିଲେ ଯେ, ସୂଚନା ସେବାର ମୁଖ୍ୟ ଉପାଦାନ ହେଉଛି ସଶକ୍ତିକରଣ ଏବଂ ବ୍ୟାପକତା, ନାଗରିକ କେନ୍ଦ୍ରିତ ୨୪ x ୭ ଯୋଗାଯୋଗ ବ୍ୟବସ୍ଥା, ବ୍ୟବହାର ପରିବର୍ତନକାରୀ ଯୋଗାଯୋଗ ଏବଂ ନକଲି ଓ ଭୁଲ୍ ଖବର ଗୁଡିକର ମୁକାବିଲା କରିବା ଦିଗରେ କାର୍ଯ୍ୟ କରିବା ଅଟେ ।

ଯୋଗାଯୋଗ କ୍ଷେତ୍ର ସ୍ୱାଭାବିକ ରୂପରେ ଗତିଶୀଳ ଅଟେ ବୋଲି ସ୍ୱୀକାର କରି ଏହି  ଦୁଇ ଦିବସୀୟ ସମ୍ମିଳନୀରେ ଭବିଷ୍ୟତର ଆହ୍ୱାନ ସମୂହ ଏବଂ ଅତ୍ୟାଧୁନିକ ଯୋଗାଯୋଗ ରୋଡମ୍ୟାପ୍ ଉପରେ ବିଚାର ବିମର୍ଶ କରାଯିବ । ଦୁଇ ଦିନର ଏହି ଅଧିବେଶନରେ ‘କମ୍ୟୁନିକେସନ୍ ଫର୍ ଇଣ୍ଡିଆ @୨୦୪୭’, ପ୍ରୋଜେକ୍ଟିଂ ଇଣ୍ଡିଆ ଆବ୍ରୋଡ୍ ୱିଥ୍ ଫୋକସ୍ ଅନ୍ ଜି୨୦’, ‘ଇଭଲଭିଂ ରୋଲ୍ ଅଫ୍ ଗଭର୍ଣ୍ଣମେଂଟ କମ୍ୟୁନିକେସନ’ ଭଳି ପ୍ରସଙ୍ଗ ଉପରେ ପ୍ରମୁଖ ବକ୍ତା, ଅଭିଷେକ ସିଂହ, ମାଇଁ ଗଭ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରିନ୍ଦମ୍ ବାଗ୍‌ଚୀ, ଯୁଗ୍ମ ସଚିବ (ଏକ୍ସପି)ଏମ୍‌ଇଏ ଏବଂ ଅମିତାଭ କାନ୍ତ ସେମାନଙ୍କର ବକ୍ତବ୍ୟ ରଖିବେ।

ସମ୍ମିଳନୀର ଦ୍ୱିତୀୟ ଦିବସରେ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ। ଶେଷ ଅଧିବେଶନକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗନ୍ ସମ୍ବୋଧିତ କରିବେ।

Categories
ଆଜିର ଖବର ଜାତୀୟ ଖବର

ଆରପିଏଫ୍ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରେଳ ସୁରକ୍ଷା ବାହିନୀ (ଆରପିଏଫ୍) କର୍ମଚାରୀଙ୍କ ପାଇଁ ଏକ ଭବ୍ୟ ସମ୍ମାନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୧୯, ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଆରପିଏଫ୍ କର୍ମଚାରୀମାନଙ୍କୁ ମାନନୀୟ ରାଷ୍ଟ୍ରପତିଙ୍କ ପକ୍ଷରୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ଏବଂ ଜୀବନ ରକ୍ଷା ପଦକରେ ସମ୍ମାନିତ କରିବେ। ଏହି ପୁରସ୍କାରଗୁଡିକ ଦେଶ ସେବାରେ ସେମାନଙ୍କର ଅବଦାନ ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବିଜେତାମାନେ ଅଧିକ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ  କରିବା ଲାଗି ଆରପିଏଫର ଅନ୍ୟ କର୍ମଚାରୀମାନଙ୍କୁ ଅନୁପ୍ରାଣିତ କରିବେ।

ଏହି ବାହିନୀକୁ କେବଳ ରେଳ ସମ୍ପତ୍ତିର ସୁରକ୍ଷା ଦାୟିତ୍ବ ନୁହେଁ ବରଂ ଯାତ୍ରୀ ଏବଂ ଯାତ୍ରୀ କ୍ଷେତ୍ରର ସୁରକ୍ଷା ଦାୟିତ୍ବ ମଧ୍ୟ ଦିଆଯାଇଛି। ମହିଳା, ଶିଶୁ, ଅସୁସ୍ଥ, ବୃଦ୍ଧ, ଭିନ୍ନକ୍ଷମ ଏବଂ ରେଳବାଇ ସଂସ୍ପର୍ଶରେ ଆସୁଥିବା ଦୁର୍ବଳ ଲୋକମାନଙ୍କୁ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା କ୍ଷେତ୍ରରେ ଏହି ବାହିନୀ ଏକ ରକ୍ଷକ ଶକ୍ତି ଭାବେ ଉଭା ହୋଇଛି। ରେଳ ଯାତ୍ରୀମାନଙ୍କୁ ନିରାପଦ, ସୁରକ୍ଷିତ ଏବଂ ଆରାମଦାୟକ ଭ୍ରମଣ ଅନୁଭୂତି ଯୋଗାଇବା ପାଇଁ ବାହିନୀ ଦିନରାତି କାର୍ଯ୍ୟ କରୁଛି। ପରିବହନ ସୁରକ୍ଷା, ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମାନବ ଚାଲାଣ ତଥା ଚୋରା ଚାଲାଣ ଭଳି ଅପରାଧ ବିରୁଦ୍ଧରେ ଲଢ଼ିବା, ଅପରାଧ ଚିହ୍ନଟ କରିବାରେ ପୁଲିସ ତଥା ଅନ୍ୟାନ୍ୟ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ସହାୟତା କରିବା କ୍ଷେତ୍ରରେ ଆରପିଏଫ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଜାତୀୟ ସୁରକ୍ଷା ଗ୍ରୀଡରେ ବାହିନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିଛି। ଏଥିସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା କାର୍ଯ୍ୟକୁ ମଧ୍ୟ ବାହିନୀ ସୁଚାରୁ ରୂପେ ସମ୍ପାଦନ କରି ଆସୁଛି।

Categories
ଆଜିର ଖବର ଜାତୀୟ ଖବର

ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ ମିଶ୍ର, କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସବୁ ‘କର୍ମଯୋଗୀ’ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶାସନରେ ସୁଧାର ଆଣିବା ଏବଂ ପରସ୍ପର ମଧ୍ୟରେ ଜ୍ଞାନର ବିତରଣ କରିବା ଲାଗି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ ପରାମର୍ଶ ଦେଇଥିଲେ ଯେ ସବୁ ପ୍ରଶିକ୍ଷଣ ଏକାଡେମୀଗୁଡ଼ିକ ଏକ ସପ୍ତାହ ଆଧାରରେ ପୁରସ୍କାର ବିଜେତାମାନଙ୍କର ପ୍ରକ୍ରିୟା ଓ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ବିନିମୟ କରିବା ଆବଶ୍ୟକ। ଦ୍ୱିତୀୟରେ, ପୁରସ୍କାର ବିଜେତା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ଯୋଜନାକୁ ଚୟନ କରାଯାଇ  କେତେକ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଏବଂ ଏ ସମ୍ପର୍କରେ ପରବର୍ତ୍ତୀ ବର୍ଷ ପ୍ରଶାସନିକ ସେବା ଦିବସରେ ଆଲୋଚନା କରିବା ଉଚିତ୍‌।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦-୨୨ ବର୍ଷ ଧରି, ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏବେ ପ୍ରଧାନମନ୍ତ୍ରୀ ଭାବେ ସେ ପ୍ରଶାସନିକ ସେବା ଅଧିକାରୀମାନଙ୍କ ସହିତ ଆଲୋଚନା କରି ଆସୁଛନ୍ତି। ଏହା ତାଙ୍କ ପାଇଁ ଏକ ଆପୋସ ଶିକ୍ଷଣୀୟ ଅନୁଭୂତି ହୋଇ ରହି ଆସିଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବାରୁ ଚଳିତ ବର୍ଷ ପ୍ରଶାସନିକ ସେବା ଦିବସର ସମାରୋହ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି ବିଶେଷ ବର୍ଷରେ ନିଜ ନିଜ ଜିଲ୍ଲାକୁ ପୂର୍ବତନ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିବା ଲାଗି ସେ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଜିଲ୍ଲା ପ୍ରଶାସନରେ ଏକ ନୂତନ ଉତ୍ସାହ ଆସିବ ଏବଂ ଅତୀତର ଅଭିଜ୍ଞତା ବିଷୟରେ ଅବଗତ ହେବା ଫଳରେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୋଣରେ ଗତିଶୀଳତା ଆସିପାରିବ।

ଅନୁରୂପ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବମାନଙ୍କୁ ନିମନ୍ତ୍ରଣ କରିପାରିବେ ଏବଂ ଏହି ସ୍ମରଣୀୟ ବର୍ଷରେ ସ୍ୱାଧୀନ ଭାରତର ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ପ୍ରଶାସନିକ ବ୍ୟବସ୍ଥାର ପ୍ରମୁଖ ନେତୃବର୍ଗଙ୍କ ଅଭିଜ୍ଞତାର ଲାଭ ନେଇପାରିବେ। ଆଜାଦୀ କା ଅମୃତ ମହୋତ୍ସବ ବର୍ଷରେ ପ୍ରଶାସନିକ ସେବାକୁ ସମ୍ମାନିତ କରିବା ଲାଗି ଏହା ସବୁଠାରୁ ଉପଯୁକ୍ତ ମାର୍ଗ ହୋଇପାରିବ।

ସେ କହିଥିଲେ, ଅମୃତ କାଳ କେବଳ ଏକ ଉତ୍ସବ ପାଳନ ସମାରୋହ ନୁହେଁ କିମ୍ବା ଅତୀତକୁ ପ୍ରଶଂସା କରିବା ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ଯାତ୍ରାକୁ ଚିରାଚରିତ ଢଙ୍ଗରେ ଆଗେଇ ନେବାର ସମୟ ନୁହେଁ। ଏହି ୨୫ ବର୍ଷର ଅମୃତ କାଳକୁ ଏକତ୍ରିତ ଭାବେ ଦେଖିବା ସହିତ ଏବେ ଠାରୁ ହିଁ ଆମକୁ ଏକ ଲକ୍ଷ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ। ଚଳିତ ବର୍ଷର ସମାରୋହ ଏହି ଯାତ୍ରାର ନିର୍ଣ୍ଣାୟକ ମୋଡ଼ ହେବା ଆବଶ୍ୟକ। ଦେଶର ପ୍ରତ୍ୟେକ ଜିଲ୍ଲା ଏହି ଭାବନାକୁ ନେଇ ଆଗକୁ ବଢ଼ିବା ଉଚିତ୍‌ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୯୪୭ ମସିହା ଆଜିର ଦିନରେ ସର୍ଦ୍ଦାର ପଟେଲ ଯେଉଁ ଶପଥ କରିଥିଲେ ଏବଂ ମାର୍ଗ ଦେଖାଇଥିଲେ ସେହି ମାର୍ଗରେ ଆମେ ନିଜକୁ ସମର୍ପିତ କରିବା ଲାଗି ବର୍ତ୍ତମାନ ସମୟ ଆସିଛି। ତେଣୁ ଆମ ପ୍ରୟାସରେ ସାମାନ୍ୟ ଊଣା ହେବା ଅନୁଚିତ୍‌।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମେ ତିନୋଟି ଲକ୍ଷ୍ୟ ପ୍ରତି ସମର୍ପିତ ହେବା ଆବଶ୍ୟକ। ପ୍ରଥମ ଲକ୍ଷ୍ୟ ହେଉଛି, ଦେଶରେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବା ଉଚିତ୍‌, ସେମାନଙ୍କ ଜୀବନ ସହଜ ହେବା ଆବଶ୍ୟକ ଏବଂ ସେମାନେ ଏହି ସହଜତାକୁ ଅନୁଭବ କରିବା ଉଚିତ୍‌। ସରକାରଙ୍କ ସହ ସମ୍ପର୍କ ସ୍ଥାପନରେ ସାଧାରଣ ଜନତାଙ୍କୁ କୌଣସି ଅସୁବିଧା ହେବା ଉଚିତ୍‌ ନୁହେଁ। ବିନା ବାଧାରେ ସେମାନଙ୍କ ପାଖରେ ସବୁ ଲାଭ ଏବଂ ସେବା ପହଞ୍ଚିବା ଆବଶ୍ୟକ। ସାଧାରଣ ଲୋକଙ୍କ ସ୍ୱପ୍ନକୁ ସଂକଳ୍ପ ଦିଗରେ ନେଇଯିବାର ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ ରହିଛି। ଏହି ସଂକଳ୍ପକୁ ସିଦ୍ଧିରେ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ସ୍ୱପ୍ନରୁ ସଙ୍କଳ୍ପ ଏବଂ ସଂକଳ୍ପରୁ ସିଦ୍ଧି ପ୍ରାପ୍ତିର ଯାତ୍ରାରେ ସାଧାରଣ ଲୋକଙ୍କୁ ସହାୟତା କରିବା ଲାଗି ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ଉଚିତ୍‌।’’  ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ବିଶ୍ଵ ସ୍ତରରେ ଭାରତର ସ୍ଥିତି ଏବଂ ସମ୍ମାନ ବୃଦ୍ଧି ପାଉଛି। ତେଣୁ ଆମେ ଯାହା କରିବା ତାହା ବିଶ୍ଵ ପରିଦୃଶ୍ୟକୁ ଆଖି ଆଗରେ ରଖି କରାଯିବା ଉଚିତ୍‌। ‘‘ବିଶ୍ଵସ୍ତରରେ ଜାରି ରହିଥିବା ଗତିବିଧିକୁ ଯଦି ଆମେ ଅନୁସରଣ କରିବା ନାହିଁ ତା’ହେଲେ ଆମର ପ୍ରାଥମିକତା ଏବଂ ଧ୍ୟାନର କ୍ଷେତ୍ରକୁ ଆକଳନ କରିବା କଷ୍ଟକର ହୋଇପଡ଼ିବ। ଏପରି ମାନସିକ ଦୃଷ୍ଟିକୋଣ ନେଇ ଆମେ ଆମର ଯୋଜନା ଏବଂ ପ୍ରଶାସନିକ ମଡେଲକୁ ବିକଶିତ କରିବା ଆବଶ୍ୟକ’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ବାରୋପ କରି କହିଥିଲେ ଯେ ଆମର ବ୍ୟବସ୍ଥା ଏବଂ ମଡେଲ ନିୟମିତ ଗତିରେ ସମୟୋପଯୋଗୀ ହେବା ଆବଶ୍ୟକ। ବିଗତ ଶତାବ୍ଦୀର ବ୍ୟବସ୍ଥା ସହିତ ଆମେ ବର୍ତ୍ତମାନର ସମସ୍ୟାଗୁଡ଼ିକୁ ସମାଧାନ କରିପାରିବା ନାହିଁ। ତୃତୀୟତଃ, ସେ କହିଥିଲେ ଯେ, ‘‘ବ୍ୟବସ୍ଥା ଭିତରେ ଆମେ ଯେଉଁ ଠାରେ ଥାଉ ନା କାହିଁକି ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତାକୁ ସୁରକ୍ଷିତ ରଖିବା ଆମର ପ୍ରମୁଖ ଦାୟିତ୍ୱ ହେବା ଆବଶ୍ୟକ। ଏହି କ୍ଷେତ୍ରରେ ଆଦୌ ସାଲିସ୍‌ କରାଯିବା ଉଚିତ୍‌ ନୁହେଁ। ଏପରି ମାପଦଣ୍ଡକୁ ଆଧାର କରି ସ୍ଥାନୀୟ ନିଷ୍ପତ୍ତିଗୁଡ଼ିକ ମଧ୍ୟ ନିଆଯିବା ଉଚିତ୍‌। ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବାର ସାମର୍ଥ୍ୟକୁ ଆଧାର କରି ଆମର ପ୍ରତ୍ୟେକ ନିଷ୍ପତ୍ତିର ମୂଲ୍ୟାଙ୍କନ କରାଯିବା ଆବଶ୍ୟକ। ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସବୁବେଳେ ‘ରାଷ୍ଟ୍ର ପ୍ରଥମ’ ଭାବନା ରହିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆମ ଦେଶର ଏକ ମହାନ ସଂସ୍କୃତି ରହିଛି। ଆମ ଦେଶ ରାଜକୀୟ ପ୍ରଣାଳୀ ଏବଂ ରାଜ ସିଂହାସନରେ ତିଆରି ନୁହେଁ। ହଜାର ହଜାର ବର୍ଷ ଧରି ଆମ ଦେଶରେ ଯେଉଁ ପରମ୍ପରା ରହି ଆସଛି ତାହା ସାଧାରଣ ଜନତାଙ୍କ ସାମର୍ଥ୍ୟ ଦ୍ୱାରା ପରିଚାଳିତ ହୋଇଛି।  ପ୍ରାଚୀନ ଜ୍ଞାନକୁ ସଂରକ୍ଷିତ କରି ରଖିବା ସହିତ ପରିବର୍ତ୍ତନ ଓ ଆଧୁନିକତାକୁ ଗ୍ରହଣ କରିବା ଲାଗି ଆମ ଦେଶରେ ରହିଥିବା ଭାବନା ସମ୍ପର୍କରେ ଏହା ଆମକୁ ସୂଚନା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘‘ସମାଜର ସାମର୍ଥ୍ୟକୁ ପ୍ରୋତ୍ସାହିତ, ଉନ୍ମୁକ୍ତ କରିବା ସହିତ ସମର୍ଥନ ଯୋଗାଇ ଦେବା ସରକାରୀ ବ୍ୟବସ୍ଥାର କର୍ତ୍ତବ୍ୟ’’, ସେ କହିଥିଲେ। ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଏବଂ କୃଷି କ୍ଷେତ୍ରରେ ହେଉଥିବା ନବୋନ୍ମେଷର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ ଏବଂ ପ୍ରୋତ୍ସାହନକାରୀ ଓ ସମର୍ଥକ ଭୂମିକା ନିର୍ବାହ କରିବା ଲାଗି ପ୍ରଶାସକମାନଙ୍କୁ ଆହ୍ବାନ କରିଥିଲେ।

ଜଣେ ଟାଇପିଷ୍ଟ ଏବଂ ସୀତାର ବାଦକଙ୍କ ମଧ୍ୟରେ ପାର୍ଥ୍ୟକ୍ୟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ପରୀକ୍ଷାମୂଳକ ଜୀବନ ନିର୍ବାହ କରିବାର ଆବଶ୍ୟକତା ରହିଛି। ଜୀବନରେ ସ୍ୱପ୍ନ ଏବଂ ଉତ୍ସାହ ଏବଂ ଉଦ୍ଦେଶ୍ୟ ରହିବା ଉଚିତ୍‌। ସେ କହିଥିଲେ ଯେ ‘‘ ମୁଁ ପ୍ରତ୍ୟେକ ମୁହୂର୍ତ୍ତକୁ ନେଇ ବଞ୍ଚିବାକୁ ଚାହୁଁଛି ଯାହାଫଳରେ ମୁଁ ଅନ୍ୟମାନଙ୍କର ସେବା କରିପାରିବି ଏବଂ ଅନ୍ୟମାନଙ୍କୁ ଭଲ ଭାବେ ବଞ୍ଚିବାରେ ସହାୟତା କରିପାରିବି।’’

ଚିରାଚରିତ ପ୍ରଥାରୁ ଊର୍ଦ୍ଧ୍ବକୁ ଉଠି ଅଭିନବ ଚିନ୍ତା କରିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ପ୍ରକ୍ରିୟା ସ୍ୱାଭାବିକ ଭାବେ ଜାରି ରହିବା ଉଚିତ୍‌। ପ୍ରଶାସନିକ ସଂସ୍କାର ପରୀକ୍ଷାମୂଳକ ହେବା ସହିତ ସମୟ ଓ ଦେଶର ଆବଶ୍ୟକତା ଅନୁଯାୟୀ ହେବା ଉଚିତ୍‌। ଅପ୍ରାସଙ୍ଗିକ ଆଇନ ଏବଂ ଅନୁପାଳନ ସଂଖ୍ୟା କମାଇବା ତାଙ୍କର ଏକ ପ୍ରମୁଖ ପ୍ରାଥମିକତା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଚାପରେ ପଡ଼ି ପରିବର୍ତ୍ତିତ ହେବା ଉଚିତ୍‌ ନୁହେଁ, ବରଂ ଆମେ ସକ୍ରିୟ ଭାବେ ସୁଧାର ଆଣିବା ଲାଗି ଚେଷ୍ଟା କରିବା ଉଚିତ୍‌। ଅଭାବ ସମୟରେ ସୃଷ୍ଟି ହୋଇଥିବା ନିୟମ ଏବଂ ମାନସିକତାରେ ଆମେ ପରିଚାଳିତ ହେବା ଉଚିତ୍‌ ନୁହେଁ, ଆମ ପାଖରେ ଆଧିକ୍ୟ ମନୋବୃତ୍ତି ରହିବା ଆବଶ୍ୟକ। ଅନୁରୂପ ଭାବେ, ଆମେ ସମସ୍ୟାଗୁଡ଼ିକ ପ୍ରତି କେବଳ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ସମାଧାନ ପାଇଁ ଆଶାବାଦୀ ହେବା ଉଚିତ୍‌ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ବିଗତ ୮ ବର୍ଷ ମଧ୍ୟରେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ ହୋଇପାରିଛି। ଏସବୁ ମଧ୍ୟରୁ କେତେକ ଅଭିଯାନ ଦେଶରେ ମୌଳିକ ଅଭ୍ୟାସଗତ ପରିବର୍ତ୍ତନ ଆଣିପାରିଛି। ସେ କହିଥିଲେ ଯେ ‘‘ରାଜନୀତି ମୋ ସ୍ୱଭାବ ନୁହେଁ ବରଂ ମୁଁ ସ୍ୱାଭାବିକ ଭାବେ ଜନନୀତି ପ୍ରତି ଆଗ୍ରହୀ।’’

ଶେଷରେ, ବ୍ୟକ୍ତିଗତ ଜୀବନରେ ପ୍ରମୁଖ ସଂସ୍କାରଗୁଡ଼ିକୁ ଗ୍ରହଣ କରିବା ଲାଗି ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ଉଦାହରଣ ସ୍ୱରୂପ, ସେମାନେ ସ୍ୱଚ୍ଛତା, ଜିଇଏମ କିମ୍ବା ୟୁପିଆଇ ଭଳି ବ୍ୟବସ୍ଥାକୁ ସେମାନେ ନିଜ ଜୀବନରେ ଉପଯୋଗ କରିବା ଆବଶ୍ୟକ।

ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା/କାର୍ଯ୍ୟକାରୀ ସଂସ୍ଥା ଏବଂ କେନ୍ଦ୍ର/ରାଜ୍ୟ ସଂଗଠନଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ ଏବଂ ଅଭିନବ କାର୍ଯ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ‘‘ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’’ର ପ୍ରଦାନ କରାଯାଇଥାଏ। ନିର୍ଦ୍ଦିଷ୍ଟ ପ୍ରାଥମିକତା ଆଧାରିତ କାର୍ଯ୍ୟକ୍ରମର ପ୍ରଭାବୀ କାର୍ଯ୍ୟକାରିତା ଏବଂ ନବୋନ୍ମେଷର ପାଇଁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ନିମ୍ନ ପାଞ୍ଚଟି ଚିହ୍ନଟ ପ୍ରାଥମିକତା କ୍ଷେତ୍ରର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ପ୍ରଶାସନିକ ସେବା ଦିବସ ୨୦୨୨ରେ ପୁରସ୍କାର ପ୍ରଦାନ କରାଯାଇଛି: (କ) ପୋଷଣ ଅଭିଯାନରେ ‘‘ଜନ ଭାଗିଦାରୀ’’କୁ ପ୍ରୋତ୍ସାହନ, (ଖ) ଖେଲୋ ଇଣ୍ଡିଆ ଯୋଜନା ଜରିଆରେ କ୍ରୀଡ଼ା ଓ ସୁସ୍ଥତା କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରୋତ୍ସାହନ, (ଗ) ପିଏମ ସ୍ୱନିଧି ଯୋଜନାରେ ଡିଜିଟାଲ ପେମେଣ୍ଟ୍ସ ଓ ଉତ୍ତମ ପ୍ରଶାସନକୁ ପ୍ରୋତ୍ସାହନ, (ଘ) ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା ମାଧ୍ୟମରେ ସାମଗ୍ରିକ ବିକାଶ, (ଚ) ବାଧାମୁକ୍ତ, ମାନବୀୟ ହସ୍ତକ୍ଷେପ ବିନା ଅନ୍ତିମ ସୋପାନରେ ସେବା ପ୍ରଦାନ।

ସାଧାରଣ ପ୍ରଶାସନ/ସେବା ଯୋଗାଣ ଆଦି କ୍ଷେତ୍ରରେ ପାଞ୍ଚଟି ଚିହ୍ନଟ ପ୍ରାଥମିକତା କ୍ଷେତ୍ର କାର୍ଯ୍ୟକ୍ରମ ଏବଂ ନବୋନ୍ମେଷ ପାଇଁ ମୋଟ୍‌ ୧୬ଟି ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଏହି କଳାକାରମାନଙ୍କୁ ସମ୍ମାନିତ କରିବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଉଦଘାଟନ ଦିଲ୍ଲୀର ବିଜ୍ଞାନ ଭବନରେ ଆରମ୍ଭ ହୋଇଯାଛି। ମାର୍ଚ୍ଚରେ ଏହା ଘୋଷଣା କରାଯାଇଥିଲା। କିନ୍ତୁ ଆଜି ବିଜେତାମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଦ୍ଵାରା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ତେବେ ୨୦୧୯ ରେ ନିର୍ମିତ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ଦିଆଯାଉଛି। ଭେଟେରାନ କଳାକାର ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏତଦବ୍ୟତୀତ ଅନ୍ୟ ପୁରସ୍କାର ପାଇଁ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ:

ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତା ଏବଂ ଅଭିନେତ୍ରୀ:

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି।

ଅଭିନେତା ମନୋଜ ବାଜପେୟୀ ଏବଂ ଧନୁଷ ଶ୍ରେଷ୍ଠ ଅଭିନେତାଙ୍କୁ ପୁରସ୍କାର ମିଳିଛି।

ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। କଙ୍ଗନା ରନାୱତ ଚତୁର୍ଥ ଥର ପାଇଁ ଜାତୀୟ ପୁରସ୍କାର ପାଇବେ।

Categories
ଆଜିର ଖବର ଜାତୀୟ ଖବର

ଦଶମ ପର୍ଯ୍ୟାୟ ଆଲୋଚନା ଫଳ ଶୂନ୍ୟ: ଏକ ବର୍ଷ ଆଇନ ସ୍ଥଗିତ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ଚାଷୀ ସଂଗଠନ

ନୂଆଦିଲ୍ଲୀ: ଆଜି କୃଷି ସଂଗଠନ ଏବଂ ସରକାର ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ବିଜ୍ଞାନ ଭବନ ଠାରେ ଚାଲିଥିଲା। ପୁଣି ଏହି ଆଲୋଚନାରେ କୌଣସି ସମାଧାନ ବାହାରିପାରି ନାହିଁ। ସରକାର ଆନ୍ଦୋଳନ ସମାପ୍ତ କରିବା ପାଇଁ କୃଷକ ସଂଗଠନକୁ ଅନୁରୋଧ କରିଥିଲେ। ସେଥିପାଇଁ ସରକାର ଏହି କୃଷି ଆଇନକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବା ନେଇ ପ୍ରସ୍ତାବ ଦେଇଥିଲା। ସରକାରଙ୍କ ପ୍ରସ୍ତାବ ମୁତାବକ, ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଗୋଟିଏ କମିଟି ଗଠନ କରାଯାଉ। ଉଭୟ ସରକାର ଏବଂ କୃଷି ନେତା ମାନଙ୍କୁ ନେଇ ଏହି କମିଟି ଗଠିତ ହେବ। କିନ୍ତୁ ଏହି ପ୍ରସ୍ତାବକୁ କୃଷକ ସଂଗଠନ ଅଗ୍ରାହ୍ୟ କରିଦେଇଛି।