Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀଗଣନା, ନିୟୋଜିତ ହେବେ ୨୧ ଟି ଟିମ୍

ସୀତାରାମ ଅଗ୍ରୱାଲ

ଚିଲିକା: ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ହ୍ରଦରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଆସନ୍ତାକାଲି ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ଆଦ୍ର ମୃତ୍ତିକା ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି।

ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଏବଂ ନୂଆପଡା ଆଦି ଅଞ୍ଚଳରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଭାବେ ସିଡ଼ିଏ ଦ୍ୱାରା ମନୋନୀତ ହୋଇଥିବା ମୁମ୍ବାଇ ସ୍ଥିତ ବିଏନଏଚଏସ ର ନିର୍ଦେଶକ ଡ଼ା ବିଭଷ ପାଣ୍ଡଵ, ଆରସିସିଏଫ ବ୍ରହ୍ମପୁର, ପ୍ରଶାନ୍ତ କୁମାର ମିଶ୍ର, ଡ଼ିସିଏଫ ବନ୍ୟପ୍ରାଣୀ, ସୌମ୍ୟକ ସାମନ୍ତରାୟ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଉକ୍ତ ତିନି ଅଧିକାରୀଙ୍କ ସମେତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲ, ଏସିଏଫ ଶରତ ଚନ୍ଦ୍ର ମିଶ୍ର, ସମସ୍ତ ପାଞ୍ଚ ଗୋଟି ରେଞ୍ଜର ରେଞ୍ଜ ଅଫିସର, ଓୟୁଏଟି ଛାତ୍ରଛାତ୍ରୀ, ପ୍ରଫେସର, ସାମାଜିକ କର୍ମୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ କାଲି ସନ୍ଧ୍ୟା ସୁଦ୍ଧା ପକ୍ଷୀଗଣନା ରିପୋର୍ଟ ହସ୍ତଗତ ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବଢିଚାଲିଛି ଅବାଧ ପକ୍ଷୀ ଶିକାର: ଶିକାରୀଙ୍କୁ ଧରିବାରେ ବନ୍ୟ ପ୍ରାଣୀ ବିଭାଗ ବିଫଳ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଚିଲିକାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ବ୍ୟାପକ ବିଦେଶୀ ପକ୍ଷୀ ଶୀକାର ହେଉଥିବା ଅଭିଯୋଗ ହେଉଛି। ଶୀକାରୀମାନେ ଚିଲିକାରେ ଅବାଧ ଶିକାର କରୁଥିବା ଦେଖାଯାଉଛି।  ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ କରୁଥିଲେ ସୁଦ୍ଧା ପକ୍ଷୀ ଶିକାର କମିବାର ନାଁ ନେଉନାହିଁ।  ଆଜି ସକାଳୁ ସକାଳୁ ରାସ୍ତା କଡରେ ପଡି ରହିଛି ଶତାଧିକ ମୃତ ବିଦେଶୀ ପକ୍ଷୀର ମୃତଦେହ।

ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପଡିଛି ଶତାଧିକ ମୃତ ବିଦେଶୀ ପକ୍ଷୀ। ଶୀକାରୀ ବିଷ ଦେଇ ଶୀକାର କରିବା ପରେ ପକ୍ଷୀଙ୍କ ମୃତ ଶରୀର ପଚି ଯିବାରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଆଜି ଭୋର୍ ସମୟରେ ଏକ ଟାଟା ଏସି ଗାଡିରେ ମୃତ ବିଦେଶୀ ପକ୍ଷୀଙ୍କ ଶବକୁ ଫୋପଡ଼ାଯାଇଥିବା ଥିବା ଜଣାପଡିଛି।

ଗୋଟେପଟେ ବନ୍ୟପ୍ରାଣୀ ବିଭାଗ ରାତିରେ ରାସ୍ତା କଡ ଢାବା ଗୁଡିକରେ ଚଢ଼ାଉ କରୁଥିବା ବେଳେ ଅନ୍ୟପଟେ ଶତାଧିକ ନୀରିହ ବିଦେଶୀ ପକ୍ଷୀ ଶିକାରୀଙ୍କ କବଳରେ ପଡି ପ୍ରାଣ ହରାଉଛନ୍ତି। ଆଗକୁ ନୁଆବର୍ଷ ଆସୁଥିବାରୁ ଲୋକେ ଚିଲିକା ପକ୍ଷୀ ମାଂସ ପ୍ରତି ବେଶ୍ ଆଗ୍ରହ ଦେଖାଉଛନ୍ତି। ଗୋଟାଏ ପକ୍ଷୀ ମାଂସ ୪ ଶହ ରୁ ୫ ଶହ ଟଙ୍କାରେ ବିକ୍ରି ହେଉଥିବା କୁହାଯାଉଛି। ଫଳରେ ଲୋଭରେ ପଡି ଶିକାରୀ ପକ୍ଷୀ ମାଂସ ଚାଲାଣ କରୁଛନ୍ତି।

ଏଭଳି ଚୋରାଚାଲାଣକାରୀଙ୍କୁ ସାବାଡ କରିବାରେ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ଅସମର୍ଥ ହୋଇପଡିଥିବା ମନେ ହେଉଛି। ତେବେ ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁଙ୍କୁ ପଚାରିବାରୁ ସେ ମାତ୍ର ୩୦ ଗୋଟି ମୃତ ପକ୍ଷୀଙ୍କ ଶବ ପଡିଥିବାର କହିଛନ୍ତି। ଏବଂ ଘଟଣାର ତଦନ୍ତ ଜାରିରହିଥିବାର ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପୁଣି ମାତିଲେ ପକ୍ଷୀ ଶୀକାରୀ, ୬ ମୃତ ବିଦେଶୀ ପକ୍ଷୀ ସହ ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଚିଲିକାରେ ପକ୍ଷୀମାନଙ୍କ ଭୀଡ ଜମିବା ଆରମ୍ଭ ନହେଉଣୁ ଚିଲିକାରେ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି। ବନ୍ୟପ୍ରାଣୀ ବିଭାଗକୁ ଖାତିର ନକରି ଦିନ ବେଳେ ମଧ୍ୟ ପକ୍ଷୀ ଶୀକାର କରିବାକୁ ସେମାନେ ପଛଘୁଞ୍ଚା ଦେଉ ନାହାଁନ୍ତି। କିନ୍ତୁ ଆଜି ଜଣେ ଶୀକାରୀ ପକ୍ଷୀ ଶୀକାର କରିବା ବେଳେ ବନ୍ୟପ୍ରାଣୀ ବିଭାଗ ହାତରେ ଧରାପଡିଛି।

ଟାଙ୍ଗୀ ରେଞ୍ଜ ଅଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ। ଶୀକାରୀ ନିକଟରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ ଟି ଲାର୍ଜ୍ ହୁଇସଲିଙ୍ଗ ଡକ୍ ସହ ୬ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ୍ୟପ୍ରାଣୀ ବିଭାଗ।

ଗିରଫ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣା ଗ୍ରାମର ବିଦ୍ୟାଧର ରାଉତ (୪୪)। ଶୀକାରୀମାନେ ନୀରୀହ ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ଫୁରାଡନ୍ ଭଳି ମାରାତ୍ମକ ବିଷ ଦେଇ ଶୀକାର କରୁଥିବା ଜଣା ପଡିଛି। ଗିରଫ ଶୀକାରିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ବନ୍ୟ ପ୍ରାଣୀ ବିଭାଗ ପେଟ୍ରୋଲିଂ କରୁନଥିବା ଯୋଗୁଁ ଏଭଳି ଶୀକାର ବୃଦ୍ଧି ପାଉଥିବା ଜନ ସାଧାରଣ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଶୀତ ଋତୁ: ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଚିଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ଧୀରେ ଧୀରେ ରାଜ୍ୟରେ ଶୀତ ଋତୁ ପ୍ରବେଶ କରିବା ଆରମ୍ଭ କରିଛି। ମରାଳ ମାଳିନୀ ନୀଲାମ୍ଵୁ ଚିଲିକା ଏବେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ଫାଟି ପଡୁଛି। ପକ୍ଷୀମାନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ ଜମିଲ‍ାଣି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ନିକଟସ୍ଥ ମଙ୍ଗଳାଯୋଡି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

ଆଜି ସୁଦ୍ଧା ଚିଲିକାରେ ୨୧ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଆସିଥିବାବେଳେ ସେଥିମଧ୍ୟରୁ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ୧୧ ହଜାରରୁ ଅଧିକ ପକ୍ଷୀ ଆସିଥିବାର ଜଣାପଡିଛି। ଏସିଆ ମହାଦେଶର ସର୍ବ ବ୍ରୁହତ ଲୁଣ ହ୍ରଦ ଚିଲିକାରେ ଶୀତ ଦିନେ ଜମୁଛି ଦେଶୀ ବିଦେଶୀ ପକ୍ଷୀଙ୍କ ସମ୍ଭାର। ହଜାର ହଜାର କିଲୋମିଟର ଆକାଶ ପଥ ଅତିକ୍ରମ କରି କାଜାକିସ୍ତାନ, ସାଇବେରିଆ, ଆଫଗାନିସ୍ଥାନ, ବୁଲଗେରିଆ, ରୁଷ, ତୁର୍କି, ସାଇବେରିଆ ଆଦି ଅଞ୍ଚଳରୁ ଚିଲିକାକୁ ଉଡି ଆସିଥାନ୍ତି ବିଦେଶୀ ପକ୍ଷୀ।

ଚିଲିକାର ମଙ୍ଗଳାଯୋଡିରେ ପକ୍ଷୀ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ବାସସ୍ଥାନର ସୁବିଧା ଥିବାରୁ ପକ୍ଷୀ ମାନେ ଏଠାରେ ଜମାଉଛନ୍ତି ଭିଡ। ଦେଶୀ ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି କୋଳାହଳରେ ଫାଟି ପଡୁଛି ମଙ୍ଗଳାଯୋଡି।

ଚିଲିକାର ଟାଙ୍ଗୀ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଲାପିଙ୍ଗ ଟର୍ନ, ଗଡଉଇଟ୍, ସାଣ୍ଡ ପାଇପର, ଗଡୱାଲ, ସ୍ପଟ୍ ୱିଲ ଡକ୍, ନର୍ଦନ ପିନଟେଲ, ରୁଡି ସେଲଡକ୍ ଓ ଆଇ ବିସ୍ ଆଦି ପାଖାପାଖି ୫୦ ପ୍ରଜାତିର ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିବାର ଜଣା ପଡିଛି। ୧୬ ନଂ ଜାତୀୟ ରାଜପଥରେ ଭୁବନେଶ୍ୱରରୁ ୬୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଟାଙ୍ଗୀ ଆସିଥାଏ। ଟାଙ୍ଗୀ ଠାରୁ ୫ କିଲୋମିଟର ହେଉଛି ମଙ୍ଗଳା ଯୋଡିର ଦୂରତା। ମଙ୍ଗଳା ଯୋଡି ଜେଟିରେ ପହଞ୍ଚିବା ପରେ କାତ ମରା ଡଙ୍ଗାରେ ବସି ଚିଲିକାର ନୀଳ ଜଳ ରାଶିରେ ପକ୍ଷୀ ମାନଙ୍କ ଜଳ କ୍ରୀଡା ଦ୍ରୁଶ୍ୟ ଅତ୍ୟନ୍ତ ମନୋରମ। ପକ୍ଷୀମାନଙ୍କ ଚଳ ପ୍ରଚଳରେ ବାଧା ସ୍ରୁଷ୍ଟି ନହେଵା ପାଇଁ ଏଠାରେ ମୋଟର ଚାଳିତ ଡଙ୍ଗାକୁ କରାଯାଇଛି ବାରଣ।

ବିଦେଶୀ ଓ ଦେଶୀ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ବିଭିନ୍ନ ସ୍ଥାନରେ ୧୧ ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ପ୍ରତିଷ୍ଠା କରିଛି। ଏହା ସହ ଚିଲିକାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିଛି ବନ ବିଭାଗ। ଆଗକୁ ଥଣ୍ଡା ବଢିବାର ସମ୍ଭାବନା ଥିବାରୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାର ଆଶା କରାଯାଉଛି। ତେଣୁ ଏଠାରେ ପକ୍ଷୀ ମାନଙ୍କ ସୁରକ୍ଷା ପ୍ରତି ବିଶେଷ ଦ୍ରୁଷ୍ଟି ଦେବା ଜରୁରୀ ହୋଇପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପକ୍ଷୀ ଶିକାର: ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାରା ରାଜ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଛି। ସେହିପରି ଦୁଇ ଦିନ ତଳେ ଚିଲିକାରେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିଲା। ଏଥିରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ରିପୋର୍ଟ ଆସିଥିଲା। କିନ୍ତୁ ସେପଟେ କେତେଜଣ ଶିକାରୀ ନିରୀହ ପକ୍ଷୀଗୁଡିକୁ ମାରି ପ୍ରକୃତି ଓ ପରିବେଶକୁ ନଷ୍ଟ କରିବାରେ ଲାଗିପଡିଛନ୍ତି। ଏମାନେ ବଣ୍ୟ ପ୍ରାଣୀ ବିଭାଗର ସମସ୍ତ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି। ଦିନରେ ବି ପକ୍ଷୀ ଶୀକାର କରିବାକୁ ପଛ ଘୁଂଚା ଦେଉ ନାହଁନ୍ତି। ପକ୍ଷୀ ମାନଙ୍କୁ କଇଁଫୁଲ କେଶରରେ ମାରାତ୍ମକ ଵିଷ ଦେଇ ଶୀକାର କରୁଥିବା ଜଣା ପଡିଛି।

ଆଜି ଜଣେ ପକ୍ଷୀ ଶୀକାରୀ ପକ୍ଷୀ ଶୀକାର କରିବା ବେଳେ ବଣ୍ୟ ପ୍ରାଣୀ ବିଭାଗ ହାତରେ ଧରାପଡିଛି। ଟାଙ୍ଗୀ ରେଞ୍ଜ ଅଧିନସ୍ଥ ଅଭିମାନପୁର ରିଂଗ୍ ବନ୍ଧର ଉଜ୍ଜଳା ଗୋପୀନାଥପୁର ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ ସମ୍ପୃକ୍ତ ବିଭାଗ ଗିରଫ କରିଛି। ତା’ଠାରୁ ତିନୋଟି ମୃତ ବିଦେଶୀ ପକ୍ଷୀକୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଶୀକାରୀ ଜଣକ ଗୁରୁଦେବ ସାହୁ (୩୨) ବୋଲି ଜଣାପଡିଛି। ଗୁରୁଦେବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।