Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ବଢିଲା ନାହିଁ ବିଜୁଳି ଦର, ଇ-ପେମେଣ୍ଟରେ ମିଳିଲା ରିହାତି

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଦର ବଢିବ ବୋଲି ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି। ଏଥର ରାଜ୍ୟରେ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି। ଏହି ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓଇଆରସି ତରଫରୁ ବିସ୍ତୁତ ଭାବେ କୁହାଯାଇଛି। ତାହା ହେଲା

1- ମାସିକ ୫୦ ୟୁନିଟ ମଧ୍ୟରେ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୨ ଟଙ୍କା ୯୦ ପଇସା

2- ୫୦ ୟୁନିଟରୁ ୨୦୦ ୟୁନିଟ ମଧ୍ୟରେ ୪ ଟଙ୍କା ୭୦ ପଇସା

3-୨୦୦ ୟୁନିଟରୁ ୪୦୦ ୟୁନିଟ ମଧ୍ୟରେ ୫ ଟଙ୍କା ୭୦ ପଇସା

4- ୪୦୦ ୟୁନିଟ ପରେ ୟୁନିଟ ପିଛା ମାସିକ ୬ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି।

ଏପ୍ରିଲ ଏକ ତାରିଖରୁ ଏହି ଦର ଲାଗୁ କରାଯିବ। ସେପଟେ ଟାଟା ପାୱାରର ବିଦ୍ୟୁତ କିଣା ଅର୍ଥ ୟୁନିଟ ପିଛା ୩୨୦ ଟଙ୍କା ୯୫ ପଇସାରୁ ବୃଦ୍ଧି ପାଇ ୩୨୬ ଟଙ୍କା ୯୧ ପଇସାରେ ପହଞ୍ଚିଛି।

ଇ ପେମେଣ୍ଟ କଲେ ମିଳିବ ବଡ ରିହାତି

କୌଣସି ଉପଭୋକ୍ତା ଇ ପେମେଣ୍ଟ ନେଲେ ତାଙ୍କୁ ବିଲ ପିଛା ୧୦ ଟଙ୍କା ରିହାତି ମିଳିବ। ପ୍ରିପେଡ଼ ମିଟର ସଂଯୋଗ ନେଇଥିବା ଉପଭୋକ୍ତାଙ୍କୁ ପ୍ରିପେଡ ଦର ଉପରେ ୪ ପ୍ରତିଶତ ରିହାତି ମିଳିବ। ସେହିପରି ଘରୋଇ ଓ ସିଙ୍ଗଲ ଫେଜ ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଂଟରେ ୪ ପ୍ରତିଶତ ରିହାତି ଜାରି ରହିବ। ସ୍ମାର୍ଟ ମିଟର ନେଇଥିବା ଉପଭୋକ୍ତା ଯେଉଁମାନେ ୧୦ କିଲୋୱାଟରୁ ଅଧିକ ବିଜୁଳି ବ୍ୟବହାର କରୁଛନ୍ତି ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ। ସୋଲାର ଆୱାର ସମୟରେ ଏହି ରିହାତି ମିଳିବ।

ଜଳସେଚନ ଓ କୃଷି କ୍ଷେତ୍ର ପାଇଁ ପିକ ସମୟରେ ଗ୍ରାହକ ମାନେ ୟୁନିଟ ପିଛା ୩୦ ପଇସା ଟିଓଡି ସରଚାର୍ଜ ଦେବାକୁ ପଡିବ। ସକାଳ ଆଠଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସୋଲାର ଆୱାର ଭାବେ ଗଣାଯିବ। ୪ ଟାରୁ ସନ୍ଧ୍ୟା ୬ ଟା ଯାଏ ନର୍ମାଲ ଆୱାର ଓ ୬ ଟା ରୁ ରାତି ୧୨ ଟା ପିକ ଆୱାର ଗଣାଯିବ। ରାତି ୧୨ ଟା ରୁ ସକାଳ ୮ ଟା ଯାଏ ନର୍ମାଲ ଆୱାର ରୂପେ ଗଣାଯିବ। ଶିଳ୍ପ ଉପଭୋକ୍ତା ମାନେ ଯେଉଁମାନେ ଇଏଚଟି ଲେବଲର ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଏ ବର୍ଷ ବଢିବ ନାହିଁ ବିଦ୍ୟୁତ ଦର, କିନ୍ତୁ ଏମିତି କଲେ ମିଳିବ ରିହାତି

ଭୁବନେଶ୍ବର: ଚଳିତ ବର୍ଷ ବିଦ୍ୟୁତ ଦର ବଢିବ ନାହିଁ। ଆଜି ଅପରାହ୍ନରେ ଓଡିଶା ବିଦ୍ୟୁତ ନିୟମକ ଆୟୋଗ ଘୋଷଣା କରିଛନ୍ତି। ଏହି ଘୋଷଣାରେ କୁହାଯାଇଛି ଯେ, ଚଲିତ ବର୍ଷ ଆୟୋଗ ସାଧାରଣ ଖାଉଟିଙ୍କ ପାଇଁ କୌଣସି ଦରରେ ବୃଦ୍ଧି କରାଯାଇ ନାହିଁ। କେବଳ ବିଦ୍ୟୁତ କିଣାରେ ଦର ବୃଦ୍ଧି କରାଯାଇଛି, ହେଲେ ତାହା ସାଧାରଣ ଖାଉଟିଙ୍କ ଉପରେ ଲାଗୁ ହେବ ନାହିଁ।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ପାଇଁ ଆୟୋଗ ପଦକ୍ଷେପ ଗ୍ରହଣ କରିଛନ୍ତି। ତାହା ହେଲେ ଯେଉଁମାନେ ଡିଜିଟାଲ ପେମେଣ୍ଟ କରିବେ ସେମାନଙ୍କୁ 3 ପ୍ରତିଶତ ରିହାତି ପ୍ରଦାନ କରାଯିବ। ପୂର୍ବରୁ ଏହା 2 ପ୍ରତିଶତ ରଖାଯାଇଥିଲା। ଏହା ଦ୍ବାରା ଖାଉଟି ଲାଭବାନ ହେବେ ବୋଲି ଆୟୋଗ ତରଫରୁ କୁହାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ସଂଧ୍ୟାରେ ଲାଇନ ବନ୍ଦ କରିବାକୁ କଂଗ୍ରେସ କଲା ଅନୁରୋଧ

ଭୁବନେଶ୍ୱର, ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶୀକୀୟ ସାମଗ୍ରୀର ଦରବୃଦ୍ଧି ହୋଇଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ଏହି ବିଜୁଳି ଦର ବୃଦ୍ଧି ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତି ଚିନ୍ତାଜନକ ଅଟେ । ସେଥିପାଇଁ ଏହି ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ଏପ୍ରିଲ ୪ ତାରିଖ, ରବିବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍‌ରୁ ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍‌) ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏଣୁ ଦଳମତ ନିର୍ବିଶେଷରେ ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତିକୁ ପ୍ରତ୍ୟାହାର ଲାଗି ଚାପ ପ୍ରୟୋଗ କରିବା ପାଇଁ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, 30 ମିନିଟ ଲାଇନ ବନ୍ଦ କରିବାକୁ ନିଷ୍ପତି

ଭୁବନେଶ୍ୱର, କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବଂ ଏହି ସମସ୍ୟାରୁ ଜନସାଧାରଣ ସଂପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କର ବିଦ୍ୟୁତ୍ ଦର ବୃଦ୍ଧି ଅତ୍ୟନ୍ତ ଅପରିଣାମଦର୍ଶିତା ଓ ଉପଭୋକ୍ତାଙ୍କ ଉପରେ ଏକ ବୋଝ ସଦୃଶ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟବ୍ୟାପୀ ଜନ ଅସନ୍ତୋଷ ଦେଖା ଦେଇଛି ।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ଏହି ବର୍ଦ୍ଧିତ ଦର ସମସ୍ତଙ୍କୁ ବାଧୁ ଥିବାରୁ ଅପ୍ରେଲ ୪ ତାରିଖ ରବିବାର ସନ୍ଧ୍ୟା ଘ. ୬.୩୦ ମିନିଟ୍ ଠାରୁ ସନ୍ଧ୍ୟା ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍ ନିମନ୍ତେ) ରାଜ୍ୟବାସୀ ପ୍ରତିବାଦ ସ୍ୱରୂପ ନିଜ ଘରର ସମସ୍ତ ଲାଇଟ୍ ଓ ବୈଦ୍ୟୁତିକ ଉପକରଣ ବନ୍ଦ୍ ରଖିବା ପାଇଁ ପଟ୍ଟନାୟକ ନିବେଦନ କରିଛନ୍ତି ।

ଏହି ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ତା ୫.୪.୨୦୨୧ ରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାଠାରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦେବେ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଂପୃକ୍ତ ବିଦ୍ୟୁତ୍ ଅଧିକାରୀଙ୍କୁ ପ୍ରଦାନ କରିବେ ।

ସେହିଭଳି ଆସନ୍ତା ଏପ୍ରିଲ୍ ୬ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ ନଗର କଂଗ୍ରେସ କମିଟି ପକ୍ଷରୁ ନିଜ ଅଂଚଳରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦିଆଯିବ ବୋଲି ପିସିସି ପକ୍ଷରୁ ନିଷ୍ପତି ନିଆଯାଇଛି ।