ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, 29 ତାରିଖ ପୂର୍ବାହ୍ନ 11ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ଶୋକ ପ୍ରସ୍ତାବ ଉପରେ ଗୃହ ପ୍ରଥମ ସେସନ ମୁଲତବୀ ହେବ । ପ୍ରଥମ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଅନ୍ୟ ଦିନମାନଙ୍କରେ ସକାଳ10ଟା 30ରୁ ଅପରାହ୍ନ 1ଟା ଏବଂ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଅନୁଷ୍ଠିତ ହେବ । ଦୈନିକ ମୋଟ ସାଢେ ଚାରି ଘଣ୍ଟା ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । କାଲି ସକାଳ 8ଟାରୁ ବିଧାନସଭା ପରିସରରେ କୋଭିଡ୍ ପରୀକ୍ଷା ହେବ । ବିଧାନସଭା କର୍ମଚାରୀ ଓ ବିଧାୟକଙ୍କର କୋଭିଡ୍ ଟେଷ୍ଟ ହେବ । ତେବେ ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।
Tag: ବିଧାନସଭା
ଭୁବନେଶ୍ବର: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ଚାଲିବ। ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ପୁଖରେ ମଧ୍ୟ କାଚ ଲଗାଯାଇଛି। ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ। ଏନେଇ ୧୪୫ଟି ଆସନ ପ୍ରସ୍ତୁତ ଅଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ। ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡ଼ିଓ କନଫରେନ୍ସରେ ବସିପାରିବେ। ଏହାସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳି। ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଭୁବନେଶ୍ବର, ଆସନ୍ତା 29 ତାରିଖରେ ଆରମ୍ଭ ହେବ ଓଡିଶା ବିଧାନସଭାର ମୈସୁମୀ ଅଧିବେସନ। ତେବେ ଏଥର କୋଭିଡ ସଂକ୍ରାମଣରୁ ସଦସ୍ୟମାନଙ୍କୁ ବଞ୍ଚିତ କରିବା ପାଇଁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ତାହା ହେଲା ସଂସଦରେ ସଦସ୍ୟଙ୍କ ଆଗରେ ଲାଗିଥିବା ଗ୍ଲାସ ପରି ବିଧାନସଭାରେ ମଧ୍ୟ ସେହିପରି କରାଯାଇଛି। ବିଧାନସଭା ସଦସ୍ୟଙ୍କ ପାଇଁ ଆଗରେ ଏବଂ ଦୁଇ କଡରେ ଲାଗିଛି ଗ୍ଲାସ। ଫଳରେ ଜଣେ ସଦସ୍ୟ ଛିଙ୍କିଲେ କିମ୍ବା କାଶିଲେ ତାହା ଅନ୍ୟ ସଦସ୍ୟଙ୍କ ପାଖକୁ ବ୍ୟାପିବ ନାହିଁ।
ଏଥିସହିତ ସଂକ୍ରାମଣ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଅଧିବେସନ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ବାକିଥିବାରୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି କାମକୁ ତଦାରଖ କରିଛନ୍ତି।
ଭୁବନେଶ୍ବର : ଓଡ଼ିଶା ବିଧାନସଭାର 5 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ସମ୍ପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନି ତଳେ ସେମାନଙ୍କ ଟେଷ୍ଟ କରାଇଥିଲେ, ରିପୋର୍ଟ ପଜିଟିଭ୍ ଆସିଛି । ଏବେ 31 ତାରିଖ ଯାଏଁ ବିଧାନସଭା ବନ୍ଦ ରହିଥିବା ବାଚସ୍ପତି । ଆସନ୍ତା ମାସ ପହିଲାରୁ ତିନି ଦିନ ସରକାରୀ ଛୁଟି ଥିବାରୁ ବିଧାନସଭା 4 ତାରିଖରେ ଖୋଲିବ । ତେବେ ଏହି ବନ୍ଦ ସମୟରେ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ୍ କରାଯିବ । ଏହା ସହ ପଜିଟିଭ୍ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ କରାଯିବ ।
ଭୁବନେଶ୍ବର : ଆଜି ଦିନକ ପାଇଁ ବିଧାନସଭାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଆଜି ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ପରେ ସଟ୍ଡାଉନ୍ ଘୋଷଣା କରାଯାଇଛି ।ନୀଳଗିରି ବିଧାୟକ ପଜିଟିଭ୍ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି । ସଟ୍ଡାଉନ୍ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।
ସମୀକ୍ଷା ବ୍ୟୁରୋ
ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପାଇଁ ଏହି ବିଧାନସଭା ଆସନ ପାଇଁ ନିର୍ବାଚନ ସୋମବାର ଦିନ ନ ହୋଇ ଆସନ୍ତା ୧୯ ତାରିଖରେ ହେବ। ଏଥର ୬ଟି ଲୋକସଭା ପାଇଁ ୫୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୨ ଜଣ ମହିଳା ଅଛନ୍ତି। ସେହିପରି ୪୧ ଟି ବିଧାନସଭାରେ ଏଥର ୩୩୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩୦୧ ଜଣ ପୁରଷ, ୩୪ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି।
ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ନିର୍ବାଚନକୁ ସ୍ବଚ୍ଛ ଏବଂ ନିରପକ୍ଷ ଭାବେ ପରିଚାଳନା କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ଅଧିକାରୀମାନେ ତଦାରଖ କରୁଛନ୍ତି। ଭୋଟରମାନଙ୍କୁ ଯେପରି ପ୍ରଭାବିତ ନ କରାଯିବ ସେଥିପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଥର ପୋଲିସ ପ୍ରାୟ ୪ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି। ସେହିପରି ପ୍ରାୟ ୧ ଲକ୍ଷରୁ ଉର୍ଦ୍ଦ୍ୱ ଲିଟରର ମଦ ମଧ୍ୟ ଜବତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୨୫୦ଟି ବେଆଇନି ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।
ହେଭିୱେଟ ଲୋକସଭା ପ୍ରାର୍ଥୀ ଭାବେ ଜୟ ପଣ୍ଡା,ରବି ଜେନା,ପ୍ରତାପ ଷଡଙ୍ଗୀ,ଅନୁଭବ ମହାନ୍ତି,ରାଜଶ୍ରୀ ମଲ୍ଲିକ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ପରି କେତେକ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିପରି ବିଧାନସଭା ପାଇଁ ଡାକ୍ତର ଦାମୋଦର ରାଉତ, ପୁତ୍ର ସଂବିଦ ରାଉତରାୟ,ମନମୋହନ ସାମଲ, ବସ୍ତାରୁ ରଘୁନାଥ ମହାନ୍ତି, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ,ଶଶିଭୂଷଣ ବେହେରା, ପ୍ରତାପ ଜେନା, ଅନନ୍ତ ଦାସ, ପ୍ରଫୁଲ ସାମଲ, ନିରଂଜନ ପଟ୍ଟନାୟକ, ପ୍ରଣବ ଦାସ, ପ୍ରଣବ ବଳବନ୍ତରାୟ, ଚିରଞ୍ଜୀବୀ ବିଶ୍ବାଳ, ଗଣେଶ୍ବର ବେହେରା, ପ୍ରମିଳା ମଲ୍ଲିକ ପ୍ରମୁଖ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ।
କେଦାର ମିଶ୍ର
ଓଡିଶାରେ କ୍ଷମତା ପରିବର୍ତ୍ତନର ପାଦଶବ୍ଦ ଶୁଭୁଛି କି ? ବେଳେ ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଯେଉଁ ପରିବର୍ତ୍ତନର କଥା କହୁଛନ୍ତି ବା ଗୋଟେ ଅଧେ ଟେଲିଭିଜନ ଚାନେଲରେ ଯେଉଁ ପରିବର୍ତ୍ତନର ଆଲୋଚନା ଚାଲିଛି, ସାଧାରଣ ଲୋକ ତାକୁ କେମିତି ଦେଖୁଛନ୍ତି ? ଗତ ଏପ୍ରିଲ ୨ ତାରିଖରୁ ୨୬ ତାରିଖ ପର୍ୟନ୍ତ ଆମେ ପାଖାପାଖି ୩୦୦୦ କିଲୋମିଟର ଘୂରିଛୁ ଓ ଏଇ ଯାତ୍ରାରେ ଆମେ ୧୮ଟି ଲୋକସଭା ଓ ୮୪ ଟି ବିଧାନସଭା କ୍ଷେତ୍ର ବୁଲି ଦେଖିଛୁ। ରାସ୍ତାରେ, ଚା ଦୋକାନରେ, ଗାଁ ମୁଣ୍ଡ ବରଗଛ ତଳେ, ରାଲିରେ, ପେଟ୍ରୋଲ ପମ୍ପରେ ଓ ରାସ୍ତାରେ ଆମେ ଶହ ଶହ ଲୋକଙ୍କ ସହ ଭୋଟ ରାଜନୀତିକୁ ନେଇ ଚର୍ଚ୍ଚା କରିଛୁ। ଶେଷ ପର୍ୟାୟ ନିର୍ବାଚନ ହେବାକୁଥିବା କେନ୍ଦ୍ରାପଡା, ଭଦ୍ରଖ, ଜଗତସିଂପୁର, ଯାଜପୁର, ବାଲେଶ୍ଵର ଓ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ଅଧିକାଂଶ ବିଧାନସଭା କ୍ଷେତ୍ର ବୁଲି ବୁଲି ଆମେ ଜାଣିବାକୁ ଚାହିଁଛୁ ଯେ ବାସ୍ତବରେ ପରିବର୍ତ୍ତନର ସମ୍ଭାବନା ଦିଶୁଛି କି ? ଏତେ ବାଟ ବୁଲିଲା ପରେ ଗୋଟେ କଥା କହିବାକୁ ପଡିବ ଯେ, ପରିବର୍ତ୍ତନ ତ ଦୂରର କଥା ବର୍ତ୍ତମାନର ସରକାର ଉପରେ ସାମାନ୍ୟ ଆକ୍ରୋଶ କେଉଁଠି ନାହିଁ। ୧୯ ବର୍ଷ ଶାସନ କଲାପରେ ମଧ୍ୟ ନବୀନଙ୍କ ବିକଳ୍ପ ଖୋଜିବାକୁ ଲୋକେ ପ୍ରସ୍ତୁତ ନୁହନ୍ତି। ଯେମିତି ୨୦୧୪ ନିର୍ବାଚନରେ ବିଜେପିର ଚାବିକାଠି ଥିଲା “ଆଚ୍ଛେ ଦିନ” , ସେହିପରି ୨୦୧୯ ନିର୍ବାଚନରେ ଓଡିଶାର ଚାବିକାଠି ହେଉଛି “ନବୀନ ବାବୁ ଭଲଲୋକ”। ସୋସିଆଲ ମିଡିଆରେ କିମ୍ବା ଟେଲିଭିଜନରେ ନବୀନ ବାବୁଙ୍କୁ ଯେତେ ଗାଳି କଲେ ମଧ୍ୟ, ତାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ।
ନବୀନଙ୍କ ଭଲଲୋକ ହେବାର ଛବିଟି ଏତେ ବିରାଟ ହୋଇ ଯାଇଛି ଯେ, ତା ପାଖରେ ଠିଆ ହେବାଲାଗି ଆଉ କାହାର ସାହସ ହେବା ସହଜ କଥା ନୁହଁ। ତେବେ ନବୀନଙ୍କ ସହ ତୁଳନୀୟ ଆଉ ଜଣେ ନେତାଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି, ସେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛୋଟ ଛୋଟ ସହରରେ ଓ ସହରକୁ ଲାଗିଥିବା ଗାଁମାନଙ୍କରେ ନରେନ୍ଦ୍ର ମୋଦୀଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ସେଠି ମୋଦୀ ଚର୍ଚ୍ଚାର ପରିସର ଅଲଗା। “ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ” ଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି। ତେବେ ଏଇ ଚର୍ଚ୍ଚାର ଆରମ୍ଭ ମଧ୍ୟ ନବୀନଙ୍କ ପାଖରୁ। ନବୀନ ଯେହେତୁ ମୋଦୀଙ୍କୁ କେବେ ବିରୋଧ କରିନାହାନ୍ତି, ତାହାର ପ୍ରଭାବ ଲୋକଙ୍କ ଭିତରକୁ ଯାଇଛି। ଆଜି ଲୋକସଭା ପାଇଁ ବିଜେଡ଼ିକୁ ଯେଉଁ ସଂଘର୍ଷ କରିବାକୁ ପଡୁଛି, ତାହାର ଏକମାତ୍ର କାରଣ ହେଉଛି, ମୋଦୀ ସରକାରର ସବୁ ଜନବିରୋଧୀ ନୀତି ଉପରେ ବିଜେଡ଼ିର ନୀରବତା। ନବୀନଙ୍କ ପ୍ରତି ରାଜ୍ୟରେ ପ୍ରଚଣ୍ଡ ଜଣ ସମର୍ଥନ ସତ୍ତ୍ୱେ ଲୋକସଭା ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆଗ୍ରହର ଏହା ଏକା ପ୍ରମୁଖ କାରଣ।
ତେବେ ପରିବର୍ତ୍ତନ ଅପେକ୍ଷା ସ୍ଥିତାବସ୍ଥା ସପକ୍ଷରେ ଆଜି ବି ଓଡିଶାରେ ପ୍ରବଳ ଜନମତ ରହିଛି। କେନ୍ଦ୍ରାପଡା ସମ୍ପର୍କରେ ଆଗରୁ ଆମେ ଆଲୋଚନା କରିଛୁ। ନବରଙ୍ଗପୁର ପରେ ଭଦ୍ରଖ ହେଉଛି ଆଉ ଏକ ଆସନ ଯେଉଁଠି କଂଗ୍ରେସ ସହିତ ବିଜେଡ଼ିର ତୀବ୍ର ମୁକାବିଲା ହେଉଛି। ସୋରୋ, ଭଣ୍ଡାରି ପୋଖରୀ ଓ ସିମୁଳିଆରେ କଂଗ୍ରେସର ସ୍ଥିତି ବେଶ ଭଲ ଜଣା ପଡୁଛି। ବାଲେଶ୍ଵର ଓ ଯାଜପୁରରେ ବିଜେଡ଼ିର ସ୍ଥିତି ଯଥା ପୂର୍ବ ରହିଥିବା ବେଳେ ମୟୂରଭଞ୍ଜରେ ବିଜେଡି ଲାଗି ବହୁ ସଙ୍କଟ ରହିଛି। ଅନେକ ଜାଗାରେ ସ୍ଥାନୀୟ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ରହିଛି। ହେଲେ ନବୀନ ଅଜାତଶତ୍ରୁ। ତାଙ୍କ ବିରୋଧରେ କହିବାର କିଛି ନାଇଁ।
ଏହାକୁ ଆମ ରାଜନୈତିକ ମନସ୍ତତ୍ତ୍ଵରେ କଣ ବୋଲି କହିପାରିବା? ସ୍ଥିତାବସ୍ଥା ସପକ୍ଷରେ ଜନମତର ଏକ ଲମ୍ବା ଇତିହାସ ଆମ ଦେଶରେ ରହିଛି। ଜ୍ୟୋତି ବସୁ(୨୩ ବର୍ଷ), ପବନ କୁମାର ଚାମଲିଙ୍ଗ(୨୪ ବର୍ଷ), ମାଣିକ ସରକାର(୧୯ ବର୍ଷ) ଙ୍କ ପରି ନବୀନ ବାବୁ ମଧ୍ୟ ଦୀର୍ଘ ବର୍ଷ ଶାସନରେ ରହିଲେଣି। ଏଥର ନିର୍ବାଚିତ ହେଲେ ସେ ଜ୍ୟୋତି ବସୁଙ୍କ ରେକର୍ଡ ସହ ସମକକ୍ଷ ହେବେ। ଏତେ ଦିନ କ୍ଷମତାରେ ରହିବା ପରେ ସ୍ଵାଭାବିକ ଭାବରେ ନେତୃତ୍ୱ ପରିବର୍ତ୍ତନ ଲାଗି ଲୋକଙ୍କ ମନରେ ଉଦ୍ବେଳନ ତିଆର ହେବା କଥା। ସେଥିଲାଗି ବିଜେପି ଏଥର ନିଜର ମୁଖ୍ୟ ସ୍ଲୋଗାନ ରଖିଛି- “ଏ ସରକାର ବଦଳିବା ଦରକାର”। ହେଲେ ଲୋକ ବୋଧ ହୁଏ ଚାହୁଁଛନ୍ତି- “ଏ ସରକାର ରହିଥିବା ଦରକାର”।
( ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )
କେଦାର ମିଶ୍ର
ବଲାଙ୍ଗୀରରେ ନିର୍ବାଚନ କହିଲେ ମାତ୍ର ଦୁଇଟି ପରିବାର। ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଦୁଇଟି ପରିବାର ହାତରେ ତିନୋଟି ଦଳ ଓ ପ୍ରାୟ ସାଢେ ପନ୍ଦର ଲକ୍ଷ ଭୋଟରଙ୍କ ଭାଗ୍ୟ ନିୟନ୍ତ୍ରିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସ ଦଳର ଭାଗ୍ୟଡୋରୀ ରହିଛି। ଲୋକସଭା ପାଇଁ ବିଜେପିରୁ ସଂଗୀତା ସିଂ ଦେଓ, ବିଜେଡ଼ିରୁ କଳିକେଶ ନାରାୟଣ ସିଂ ଦେଓ ଓ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢୁଛନ୍ତି। ତିନିଜଣ ଯାକ ପ୍ରମୁଖ ପ୍ରାର୍ଥୀ ଦୁଇଟି ପରିବାରରୁ ଆସିଛନ୍ତି। ଏଠି କୁହାଯାଇପାରେ, ରାଜା ଓ ବ୍ରାହ୍ମଣଏଅ କ୍ଷମତା ଲଢେଇରେ ସାଧାରଣ ଭୋଟର ଏଠି ଭକୁଆ ମାତ୍ର। ବଲାଙ୍ଗୀର ଜିଲ୍ଲାର ରାଜନୈତିକ ନେତୃତ୍ୱ ବର୍ଷ ବର୍ଷ ଧରି ଦୁଇଟି ପରିବାରର ହସ୍ତ ମୁଦି ମାହାଲ ହୋଇ ରହି ଆସିବା, ଆମ ଗଣତନ୍ତ୍ର ପକ୍ଷେ ଆଦୌ ଶୁଭଂକର ନୁହେଁ। କିନ୍ତୁ ବଲାଙ୍ଗୀର ର ରାଜନୈତିକ ବାସ୍ତବତାକୁ ଦେଖି ଏକଥା ଆମକୁ ସ୍ଵୀକାର କରିବାକୁ ପଡିବ ଯେ, ପରିବାରବାଦରୁ ମୁକୁଳିବାର ଲୋକସୂତ୍ର ବଲାଙ୍ଗୀର ଆଜି ମଧ୍ୟ ଖୋଜିପାଉନାହିଁ।
ଗତ ୨୧ ବର୍ଷ ଧରି ବଲାଙ୍ଗୀରର ପ୍ରାକ୍ତନ ରାଜପରିବାର ହାତରେ ବଲାଙ୍ଗୀର ଲୋକସଭା ଆସନ ରହିଆସିଛି। ୧୯୯୮ ରୁ ଏଠାରୁ ସଂଗୀତା ସିଂ ଦେଓ ତିନିଥର ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବରେ ଜିଣିଥିବା ବେଳେ ୨୦୦୯ ଓ ୨୦୧୪ ନିର୍ବାଚନରେ କଳିକେଶ ନାରାୟଣ ସିଂ ଦେଓ ଜିଣିଛନ୍ତି। ଏଥର ମଧ୍ୟ ଦିଅର –ଭାଉଜଙ୍କ ଭିତରେ ପୁନଶ୍ଚ ପ୍ରତିଯୋଗିତା ହେଉଛି। ତେବେ ରାଜା ପରିବାରର ପ୍ରତିଦ୍ବନ୍ଦ୍ବୀ ଭାବରେ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର ମଇଦାନ ରେ ଅଛନ୍ତି। ଗତ ନିର୍ବାଚନରେ କଳିକେଶ ସଙ୍ଗୀତାଙ୍କଠାରୁ ୧,୦୪,୨୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ କଳିକେଶ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କଠାରୁ ପ୍ରାୟ ୯୦ ହଜାର ଭୋଟରେ ଜିତିଥିଲେ। ବଲାଙ୍ଗୀରରେ ତୀବ୍ର ତ୍ରିମୂଖୀ ଲଢେଇ ଥିବା ଯୋଗୁଁ, ଯେଉଁ ପ୍ରାର୍ଥୀ ସାଢେ ତିନ ଲକ୍ଷ ଭୋଟ ପାଇପାରିବେ, ତାଙ୍କ ବିଜୟ ସହଜ ହୋଇଯିବ।
ଗତ ନିର୍ବାଚନରେ ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନ ବିଜେଡି ହାତକୁ ଯାଇଥିବା ବେଳେ ବଲାଙ୍ଗୀରରେ କଂଗ୍ରେସ ଓ ପାଟଣାଗଡରେ ବିଜେପି ବିଜୟଲାଭ କରିଥିଲେ। ଏଥର ବିଜେଡି ସେଇ ସମାନ ସଂଖ୍ୟକ ଆସନ ହାସଲ କରିପାରିବ କି? ବୀରମହାରାଜପୁର ଓ ସୋନପୁରରେ ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀ ତଥା ପଦ୍ମନାଭ ବେହେରାଙ୍କ ବିରୋଧରେ ପ୍ରବଳ ଜନମତ ରହିଥିଲେ ହେଁ, ବିଜେପିର ଅସନ୍ତୁଷ୍ଟ ପ୍ରାର୍ଥୀ ଭାବରେ ସୋନପୁରରେ ନବକୃଷ୍ଣ ଦନ୍ତା ଏବଂ ବୀରମହାରାଜପୁରରେ ଆନନ୍ଦ ବାରିକ ଏକ ବଡ ଭୋଟ ଖାଇଯିବେ। ଏହାହିଁ ବିଜେଡି ଲାଗି ସୁବିଧା ଓ ବିଜେପି ଲାଗି ସବୁଠୁ ବଡ ଅସୁବିଧା ହେବାକୁ ଯାଉଛି। ବଲାଙ୍ଗୀରରେ ଏଥର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ସ୍ଥିତି ସାମାନ୍ୟ ଦୁର୍ବଳ ହୋଇଛି। ସବୁ ଆସନରେ ତୀବ୍ର ତ୍ରିମୂଖୀ ଲଢେଇ ଓ ସବୁ ଆସନରେ କଂଗ୍ରେସର ଭଲ ଭୋଟ ରହିଥିବା କାରଣରୁ, ଏହା ବିଜେଡ଼ିକୁ ଲାଭ ଦେଇପାରେ।
ଓଡିଶାରେ ଯେତେଦିନ ପର୍ୟନ୍ତ ତ୍ରିମୂଖୀ ଲଢେଇ ରହିବ, ସେତେଦିନ ଯାଏ ଏହା ବିଜେଡି ପକ୍ଷରେ ସୁବିଧାଜନକ ସ୍ଥିତି ତିଆରି କରୁଥିବ। ବିଜେଡି ବିପକ୍ଷରେ କଂଗ୍ରେସ ଓ ବିଜେପି ଭୋଟର ଧୃବୀକରଣ ହେଲେ ଯାଇ ବିଜେଡ଼ିର ପରାଜୟ ସମ୍ଭବ। ବଲାଙ୍ଗୀରରେ ବିଜେଡ଼ିର ଏହି ସମୀକରଣ ଆଜି ମଧ୍ୟ ବଳବତ୍ତର ରହିଛି। ବିଜେପି କେବଳ ପାଟଣାଗଡ ବିଧାନସଭା କ୍ଷେତ୍ରକୁ ବାଦ ଦେଲେ ଅନ୍ୟ କେଉଁଠି ନିଜର ପ୍ରଭାବ ବିସ୍ତାର କରିପାରୁନାହିଁ। ଚଳିତ ନିର୍ବାଚନରେ ସୋନପୁର ଓ ବୀରମହାରାଜପୁର ଆସନରେ ବିଜେପିର ସଂଗଠନ ସୁଦୃଢ ରହିଥିଲା। ତେବେ ଭୁଲ ପ୍ରାର୍ଥୀ ଚୟନ କାରଣରୁ ବିଜେପିର ଦୁଇ ଟାଣୁଆ ନେତା ଏବେ ବିଜେପିର ଭୋଟ ବିଭାଜିତ କରୁଛନ୍ତି।
ଟିଟିଲାଗଡ ଆସନରେ ମଧ୍ୟ ଏଥର ବିଜେଡ଼ିର ବାଟ ସୁଗମ ମନେ ହେଉନାହିଁ। ୨୦୧୪ ନିର୍ବାଚନ ପରି ଏଥର ବିଜେଡି ଲାଗି ବଲାଙ୍ଗୀର ଆଦୌ ସହଜ ନୁହେଁ। ଗତଥର କେବଳ ସୋନପୁର ଓ ବୀର ମହାରାଜପୁରରୁ କଳିକେଶ ୭୦ ହଜାର ଅଧିକ ଭୋଟ ପାଇଥିଲେ। ଏଥର ତାହା ସହଜ ଲାଗୁ ନାହିଁ। କଂଗ୍ରେସ କେତେ ଭୋଟ ପାଉଛି, ତାରି ଉପରେ ବିଜେଡ଼ିର ବିଜୟ ନିର୍ଭର କରିବ।
ତେବେ ପୁଣି ସେ ପରିବାରବାଦ ପ୍ରସଙ୍ଗକୁ ଆମେ ଫେରିବା। ବଲାଙ୍ଗୀର ରାଜନୀତିରୁ ପରିବାରବାଦର ଏ ଅକ୍ଟୋପାସ ପଞ୍ଝା କେବେ ହୁଗୁଳା ହେବ ? ବଲାଙ୍ଗୀର ର ଭୋଟର ପରିବାର ର ସୀମା ଟପି ଏକ ମୁକ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିକଳ୍ପ ଭାବରେ କେବେ ବାଛିବେ ?
( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta ଆପ୍, ସ୍କ୍ରିନ କୁ ଆଙ୍ଗୁଠିରେ ଘଷି ଗୋଟିଏ ପରେ ଗୋଟିଏ ଖବର ପଢି ଚାଲନ୍ତୁ)