Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିପର୍ଯ୍ୟୟ ପରିଚାଳନା: ଗତ ପାଞ୍ଚ ବର୍ଷରେ ଉଲ୍ଲେଖନୀୟ ସଫଳତା ଲାଗି ଓଡିଶା ପୁରସ୍କୃତ

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗତ ପାଞ୍ଚ ବର୍ଷରେ ଓଡିଶାକୁ ମିଳିଛି ଉଲ୍ଲେଖନୀୟ ସଫଳତା। ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ସ୍ତରରେ ଓଡିଶା ପୁରସ୍କୃତ ହୋଇଛି। ରାଜ୍ୟ ସରକାର ଗ୍ରହଣ କରିଥିବା ଏକାଧିକ ପଦକ୍ଷେପ ଯୋଗୁଁ ଏଭଳି ସଫଳତା ମିଳିଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ମୁଖପାତ୍ର କହିଛନ୍ତି ଯେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ସୁନାମି ପ୍ରବଣ ଅଞ୍ଚଳରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଗୁଆ ସତର୍କସୂଚନା ପ୍ରସାରଣ ବ୍ୟବସ୍ଥା ରହିଛି। ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ୧୬୦ଟି ଟାୱାର ଲଗାଯାଇ ସତର୍କ ସୂଚନା ଦିଆଯାଉଛି। ୧୬୦ ସ୍ଥାନ ମଧ୍ୟରୁ ୧୨୨ଟି ସ୍ଥାନରେ ସର୍ତକତା ସାଇରନ ବ୍ୟବସ୍ଥାଗୁଡିକ ବିପର୍ଯ୍ୟୟ ସମୟରେ ଏସଇଓସି ଏବଂ ବିଇଓସିରୁ ସାଇରନ୍ / ଭଏସ୍ ମେସେଜ୍ ପଠାଇବା ପାଇଁ ଅନ୍ତର୍ଭୁକ୍ତ ହୋଇଛି। ଏହି ପ୍ରକଳ୍ପ ୧୫.୦୩.୨୦୧୯ ମସିହାରୁ କାର୍ଯ୍ୟକ୍ଷମ ହୋଇଛି।

ସେହିଭଳି ବିପର୍ଯ୍ୟୟ ସହାୟତା ନିରୀକ୍ଷଣ ଓ ଦେୟ ବ୍ୟବସ୍ଥା (ଡିଏଏମ୍ପିଏସ୍‌) କାର୍ଯ୍ୟକାରୀ ହେଉଛି। ପୂର୍ବରୁ ବିଭିନ୍ନ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଜସ୍ୱ ବିଭାଗର ତଳିଆ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ନେଇ ଦେଉଥିବାବେଳେ ଏହାକୁ ଜିଲ୍ଲାପାଳମାନେ ମଞ୍ଜୁର କରୁଥିଲେ। ଯାହା ଏକ ଜଟିଳ ପ୍ରକ୍ରିୟା ଥିଲା। ଶୀଘ୍ର ଏବଂ ବାଧାମୁକ୍ତ ଦେୟ ପ୍ରଦାନ ପାଇଁ ରାଜ୍ୟ ସରକାର ୧୦.୦୬.୨୦୨୦ ରୁ ବିପର୍ଯ୍ୟୟ ସହାୟତା ପରିଚାଳନା ଏବଂ ଦେୟ ବ୍ୟବସ୍ଥା (ଡିଏଏମପିଏସ୍‌) ଆରମ୍ଭ କରିଛନ୍ତି। ସମଗ୍ର ବ୍ୟବସ୍ଥା ଡିଜିଟାଲ ଭାବେ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୧୨,୮୨୯ଟି ଅନୁକମ୍ପାମୂଳକ ମାମଲାର ସମାଧାନ କରାଯାଇଛି ଏବଂ ୧୪,୬୪୬ ଜଣ ହିତାଧିକାରୀଙ୍କୁ ୪୯୬.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଡିଏଏମପିଏସ୍ କୁ ୨୦୨୨ ବର୍ଷ ପାଇଁ ସିଏସଆଇ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଏବଂ ୨୦୨୩ ବର୍ଷ ପାଇଁ ସ୍କଚ ପୁରସ୍କାରରେ ସମ୍ମାନିତ କରାଯାଇଛି।

ବାଲେଶ୍ୱରର ବାହାନଗାଠାରେ ରାଜ୍ୟ ସରକାର ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରି ଦୁର୍ଘଟଣା ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ଘଟଣା ପରେ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରିଲିଫ୍ କମିଶନର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସକ୍ରିୟ ମାର୍ଗଦର୍ଶନରେ ଏହି ଦୁଃଖଦ ଘଟଣାର ପରିଚାଳନା କରିଥିଲା। ଏହି ଦୁର୍ଘଟଣାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୯୪ ଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (ସିଏମ୍‌ଆର୍‌ଏଫ୍‌) ବାହାରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।

ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଯଦିଓ ଭାରତ ସରକାର ଏପର୍ଯ୍ୟନ୍ତ ବଜ୍ରପାତ, ଅଂଶୁଘାତ, ଭୟଙ୍କର ଘୂର୍ଣ୍ଣିଝଡ, ବାତ୍ୟା, ପ୍ରବଳବର୍ଷା, ନୌକା ଦୁର୍ଘଟଣା, ଜଳ ବୁଡ଼ି, ସାପକାମୁଡା ଆଦିକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିନାହାନ୍ତି, ତଥାପି ରାଜ୍ୟ ସରକାର ଏଭଳି ୮ଟି ବିପର୍ଯ୍ୟୟକୁ ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଏବଂ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ବିପର୍ଯ୍ୟୟ ସହାୟତା ପରିମାଣ ଅନୁରୂପ ସହାୟତା ରାଶି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି।

କୋଭିଡ୍‌-୧୯ ମହାମାରୀକୁ ରାଜ୍ୟ ସରକାର ସଫଳତାର ସହ ପରିଚାଳନା କରିଛନ୍ତି। ରାଜ୍ୟରେ କୋଭିଡ୍‌-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଏକ ୱେବ୍ ଆଧାରିତ ଆପ୍ଲିକେସନ୍ ବିକଶିତ କରାଯାଇଛି।

ଜରୁରୀକାଳୀନ ସହାୟତା ବ୍ୟବସ୍ଥା (ଇଆରଏସଏସ) କାର୍ଯ୍ୟକାରୀ ହେଉଛି। ଏନଡିଏମଏର ଗାଇଡଲାଇନ ଅନୁଯାୟୀ, ଇଆରଏସଏସ, ଏସଇଓସି, ଏସଆରସି ଅଫିସ୍ ବର୍ଷସାରା ୨୪ଘଣ୍ଟିଆ କାର୍ଯ୍ୟକ୍ଷମ ହୋଇଛି। ବିପର୍ଯ୍ୟୟ ସଂକ୍ରାନ୍ତରେ ୧୧୨ ନମ୍ବରକୁ ହେଉଥିବା ଫୋନ୍‍ କଲ୍‍ ପିଏସ୍‌ଏପିରେ ସେମାନଙ୍କ ଅବସ୍ଥାନ ସମ୍ବନ୍ଧୀୟ ଡାଟା ସହିତ ସ୍ଥାନାନ୍ତରିତ ହୁଏ ଏବଂ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଏସଇଓସି (୧୦୭୦)କୁ ବିବରଣୀ ପ୍ରଦାନ କରାଯାଏ। ରାଜ୍ୟରେ ବାତ୍ୟା ଓ ବନ୍ୟା ପରିଚାଳନା। ବାତ୍ୟା ଫନି (୨୦୧୯), ବୁଲବୁଲ (୨୦୧୯), ଅମ୍ଫାନ (୨୦୨୦) ଏବଂ ୟଶ (୨୦୨୧)କୁ ରାଜ୍ୟ ସଫଳତାର ସହ ପରିଚାଳନା କରିଛି। ସେହିଭଳି ୨୦୨୦, ୨୦୨୨ ଓ ୨୦୨୩ ବର୍ଷରେ ବନ୍ୟା କୁ ରାଜ୍ୟ ସଫଳ ଭାବେ ନିୟନ୍ତ୍ରଣ କରିଥିଲା।

ପଞ୍ଚାୟରାତିରାଜ ଆଇନ୍‍ରେ ସଂଶୋଧନ, କ୍ୟାବିନେଟରେ ସଙ୍କଳ୍ପ ପାରିତ, ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ନିୟମାବଳୀକୁ ସାମିଲ, ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ଯୋଜନା ପ୍ରସ୍ତୁତି, ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା, ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ, ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ, ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରେ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି।

ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ସେବା ପ୍ରଦାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ପୁରସ୍କାର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ୨୦୨୩ଗ୍ରହଣ କରାଯାଇଥିଲା। ଭାରତ ମହାସାଗର ସୁନାମି ପ୍ରସ୍ତୁତି (ଆଇଓଟିଆର) କାର୍ଯ୍ୟକ୍ରମ ଅଧୀନରେ ଆଇଓସି- ୟୁନେସ୍କୋ ଦ୍ୱାରା ପ୍ରଥମ ଥର ପାଇଁ ଜଗତସିଂହପୁରର ନୋଲିଆସାହି ଏବଂ ଗଞ୍ଜାମର ଭେଙ୍କଟରାଇପୁର) ଦୁଇଟି ସମ୍ପ୍ରଦାୟକୁ ସୁନାମି ପ୍ରସ୍ତୁତି ଗୋଷ୍ଠି ଭାବେ ସ୍ୱୀକୃତି ମିଳିଛି।

ଓସଡମା ପକ୍ଷରୁ ବିଭିନ୍ନ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷର କରାଯାଇଛି। ସରକାରୀ ଅଧିକାରୀ/କର୍ମଚାରୀ(ଗ୍ରୁପ୍‌-ଏରୁ ଗ୍ରୁପ୍‌-ଡି)ଙ୍କ ପ୍ରଶିକ୍ଷଣ ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) ସହିତ ରାଜିନାମା ହୋଇଛି। ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ଏସଆଇଆରଡି ଏବଂ ପଞ୍ଚାୟତିରାଜ ସଂସ୍ଥା ସେମାନଙ୍କର କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନାର ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଓ କଟକ ଦୁଇଟି ସହରରେ ବ୍ୟାପକ ଅଗ୍ନି ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଅମ୍ରିତ ବିଶ୍ୱ ବିଦ୍ୟାପୀଠ ଭୂ ସ୍ଖଳନ ଏବଂ ଆଗୁଆ ସୂଚନା ପାଇଁ ସମ୍ବଲପୁର ସହରାଞ୍ଚଳର ବନ୍ୟା ଉପରେ ଅଧ୍ୟୟନ କରିଛି।

ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆଶ୍ରୟସ୍ଥଳୀ ସ୍ତରରେ ୪୦,୭୦୦ ଗୋଷ୍ଠି ସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି। ୧୮,୭୫୦ ଜଣ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ସିଏସଏମଏମସି) ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ଏଫଏସଏମଏମସି)ର ସଦସ୍ୟମାନଙ୍କୁ ଗୋଷ୍ଠି ଭିତ୍ତିକ ଆଶ୍ରୟ ପରିଚାଳନା ଉପରେ ତାଲିମ ଦିଆଯାଇଛି।

ମେ ୨୯, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦ ଏକ ସଂକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀ, ପଞ୍ଚାୟତିରାଜ ସଦସ୍ୟ, ସମସ୍ତ ସରକାରୀ କର୍ମଚାରୀ, ଭିଏସଏସ ସଦସ୍ୟ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ଆଶା, ଅଙ୍ଗନବାଡି କର୍ମଚାରୀ ଇତ୍ୟାଦିର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ପ୍ରତ୍ୟେକ ଘରେ ବିପର୍ଯ୍ୟୟ ଯୋଦ୍ଧା ସୃଷ୍ଟି କରିବାକୁ ବାଧ୍ୟତାମୂଳକ କରିଥିଲା। ଗ୍ରାମପଞ୍ଚାୟତ ଅଧିନିୟମ,୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ,୧୯୫୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ,୧୯୯୧ ମଇ ୭,୨୦୨୨ ରେ ୨୨୯୫ ଗ୍ରାମପଞ୍ଚାୟତ ପରିଚାଳନା ଯୋଜନା ଓ ୨୬୬ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଣୟନ କରାଯାଇଛି।

ଓଡ଼ିଶା ସରକାରଙ୍କ ସରକାରୀ, ମାଧ୍ୟମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ସାମିଲ କରାଯାଇଛି। ୫ ନଭେମ୍ବର ୨୦୨୩ରେ ଏନଡିଏମଏ ସହିତ ମିଶି ୧୦ଟି ଜିଲ୍ଲାର ୨୯ଟି ସ୍ଥାନରେ ସିବିଆରଏନ ଉପରେ ମକ ଡ୍ରିଲ୍‍ ପରିଚାଳିତ ହୋଇଛି। ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ୧୦୮ ଜଣ ଓଡ୍ରାଫ୍ ଯବାନଙ୍କୁ ସ୍କୁବା ଡାଇଭିଂ ଉପରେ ତାଲିମ ଦିଆଯାଇଛି। ଅଗ୍ନିଶମ ଓ ଜରୁରୀକାଳୀନ ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ୧୮୦.୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ରାଜ୍ୟରେ ୫୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ (ଏମସିଏସ୍‌) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ (ଏମ୍‌ଏଫ୍‌ଏସ୍‌) ର୍ନିମାଣ କରାଯାଇଛି। ୬ଟି ଜିଲ୍ଲାରେ ୫୧ଟି ନୂତନ ଆଶ୍ରୟସ୍ଥଳୀ ପାଇଁ ମଞ୍ଜୁର କରାଯାଇଛି। ବାଗପଟିଆ ଥଇଥାନ କଲୋନୀ ପାଇଁ ପ୍ରଦାନ କରାଯାଇଥିବା ୨୨.୫୩ କୋଟି ଟଙ୍କା ସାମାଜିକ, ଶିକ୍ଷାଗତ, ସ୍ୱାସ୍ଥ୍ୟ, ଯୋଗାଯୋଗ, ଖେଳପଡ଼ିଆ, ଗୋଷ୍ଠୀ ଭିତ୍ତିଭୂମି, ଷ୍ଟ୍ରିଟ୍ ଲାଇଟିଂ, ଆଭ୍ୟନ୍ତରୀଣ ସଡ଼କ ବିକାଶ, ବିଦ୍ୟୁôତ ଇତ୍ୟାଦି ସାମାଜିକ ଗୋଷ୍ଠୀ ଭିତ୍ତିଭୂମି ଆଦିର ବିକାଶ ଏବଂ ଉନ୍ନତି ପାଇଁ ବ୍ୟବହୃତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଓଡ଼ିଶା ସରକାର ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱର ଭଳି ୪ଟି ସ୍ଥାନରେ ବାତ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡିକର ପ୍ରଭାବଶାଳୀ ଟ୍ରାକିଂ ପାଇଁ ଡପଲର ରାଡାର ଷ୍ଟେସନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ କାର୍ଯ୍ୟକଳାପ ଗ୍ରହଣ କରିବା ପାଇଁ ଏସଡିଏମଏଫ ଅଧୀନରେ ୧୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଗୁଡିକ ମଧ୍ୟରେ ଓ ଜଳସଂପଦ ବିଭାଗକୁ ବାହାଡାନାଲାର ଗ୍ରୋଏନ ଓ ନଦୀ ମୁହାଣ ଖୋଳା ଏବଂ ମାର୍କଣ୍ଡଠାରେ ବାହାନାନାଲ୍ଲାର ନଦୀ ମୁହାଣ ଡ୍ରେଜିଂ ର୍ନିମାଣ କାର୍ଯ୍ୟ ପ୍ରଦାନ କରାଯାଇଛି।

ଦେବଗଡ଼ର ଟଙ୍କଜୋରା ନାଳ ଉପରେ ୪.୫୦୦ କିଲୋମିଟରର ବକ୍ସ ସେଲ୍ କଲଭର୍ଟ ର୍ନିମାଣ ଯାହାକି ଗୋପପୁର, ବୁଢାଭୂୟାଁରେ ବନ୍ୟା ପ୍ରତିରୋଦ ସଡକ ନିର୍ମାଣ, ଯାଜପୁର ପାଣିକୋଇଲି ଡିଭିଜନରେ ବାଲିଚନ୍ଦ୍ରପୁର-ବାରିବେଣୀପୁର ୦/୦୦୦ କିଲୋମିଟରରୁ ୨୪/୫୦୦ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା, ଯାଜପୁର ପାଣିକୋଇଲି ଡିଭିଜନରେ ବରୁଣ-ବରିକଳାମାଟିଆ ର ୦/୦୦ କିଲୋମିଟରରୁ ୨୫/୮୭୫ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା ର୍ନିମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ଦିଆଯାଇଛି। ଶକ୍ତି ବିଭାଗକୁ ଭୂତଳ କେବୁଲ ବିଛା କାର୍ଯ୍ୟ ପ୍ରଦାନ କରାଯାଇଛି।

ୟୁନିସେଫ୍‍ ସହାୟତାରେ ଓସଡମା କୋଭିଡ-୧୯ ମହାମାରୀର ସଫଳ ପରିଚାଳନା ପାଇଁ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା ବିକଶିତ କରିଛି। ‘ବିଲ୍ଡିଂ ରେସିଲିଏଣ୍ଟଣ୍ଟସ୍କୁଲ ଷ୍ଟ୍ରକ୍‌ଚର\’ ଉପରେ ଏକ ପୁସ୍ତକ ରେଡ୍ ଆର୍ ଇଣ୍ଡିଆ ସହ ମିଶି ପ୍ରସ୍ତୁତ କରାଯାଇଛି। ଓସଡମା ଗତ ୩୦ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରିପୋର୍ଟ ପ୍ରସ୍ତୁତ କରି ପ୍ରକାଶ କରିଛି। ବିଭିନ୍ନ ବିପର୍ଯ୍ୟୟ ଉପରେ ଏସଓପି ପାଳନ ସଂକ୍ରାନ୍ତୀୟ ଛୋଟ ପୁସ୍ତିକା ପ୍ରକାଶନ ହୋଇଛି। ଓଡିଶାରେ କୋଭିଡ-୧୯ ମହାମାରୀ ପରିଚାଳନାର ଦ୍ରୁତ ଆକଳନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକ ଅଙ୍ଗନବାଡି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ପରିଚାଳନା ତାଲିମ, ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଜି ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନ ପରିସରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗୋପବନ୍ଧୁ ପ୍ରଶାସନ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ବିକାଶ ଅନୁଷ୍ଠାନ (ଏସ୍‌ଆଇଆର୍‌ଡି), ୱାସନ ଭଳି ବିଭିନ୍ନ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ ସହଯୋଗରେ ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନ ଏକ ଉତ୍କର୍ଷ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଲେ ଯେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢିବା ପାଇଁ ଆମକୁ ସହଭାଗିତାରେ କାର୍ଯ୍ୟ କରିବାକୁ ପଡିବ। ଆଜିର ଏହି ବୁଝାମଣା ପତ୍ର ଆମର ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ କରିବ।

ଏହି ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁସ୍ମିତା ବେହେରା କହିଲେ ଯେ ମହିଳା ଓ ଶିଶୁ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ବିଭାଗ ଭାବେ ପରିଗଣିତ ହୋଇପାରିଛି।

ଏହି ବିପର୍ଯ୍ୟୟ ପରିଚାଳନା ତାଲିମକୁ ତୃଣମୁଳ ସ୍ତରରେ ପହଞ୍ଚାଇ ପ୍ରତି ଘରେ ଜଣେ ଜଣେ ବିପର୍ଯ୍ୟୟ ପ୍ରଶମନ ଯୋଦ୍ଧା ସୃଷ୍ଟି କରିବା ଏହି ବୁଝାମଣା ପତ୍ରର ପ୍ରଧାନ ଲକ୍ଷ୍ୟ। ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନର ମୁଖ୍ୟ ଉପଦେଷ୍ଟା ଏସ. ଗାୟତ୍ରୀ କହିଲେ ଯେ ସମଗ୍ର ରାଜ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଅଧିକାରୀମାନଙ୍କୁ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଥିବା ଅଙ୍ଗନବାଡି କର୍ମକର୍ତ୍ତାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ କରିବା ଆମ ପାଇଁ ଏକ ବଡ ଆହ୍ୱାନ। ଏହି ଆହ୍ୱାନକୁ ସ୍ୱୀକାର କରି ପ୍ରାକୃତିକ ବିପର୍ଯ୍ୟୟ ସହ ଲଢିବା ସହ ଏହି ପ୍ରଶିକ୍ଷଣକୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ଆମେ ଉଦ୍ୟମ ଜାରି ରଖିବୁ।

ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମୁଦୁଲିଙ୍କ ସମେତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀବୃନ୍ଦ ଓ ଅଙ୍ଗନବାଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଏନ୍‌.ଡି.ଆର୍‌.ଏଫ୍‌. ଆନୁକୂଲ୍ୟରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ବାହିନୀ (ଏନ୍‌. ଡି.ଆର୍‌. ଏଫ୍‌. ) ମୁଣ୍ଡୁଳି, କଟକଙ୍କ ଦ୍ୱାରା ବିଭିନ୍ନ ବିପର୍ଯ୍ୟୟ ଦୁର୍ଘଟଣା ସମୟରେ କିପରି ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଭାବେ ପ୍ରତ୍ୟକ୍ଷ ଜ୍ଞାନ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଓ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି
ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବା ଆକସ୍ମିକ ଦୁର୍ଘଟଣା ଘଟିଲେ
କେଉଁ କେଉଁ ପଦକ୍ଷେପ ଗ୍ରହଣ କରିବା ଉଚିତ ସେ ସମ୍ପର୍କୀୟ ତଥ୍ୟ ଆସିଷ୍ଟାଣ୍ଟ ସବ୍‌ଇନିସ୍‌ପେକ୍ଟର, (ଏନ୍‌. ଡି.ଆର୍‌.ଏଫ୍‌) ଜଗଦୀପ୍ ମେରୁପୁଲା ଦର୍ଶାଇଥିଲେ। ବନ୍ୟା, ବାତ୍ୟା, ଭୂକମ୍ପ ସମୟରେ ବିପନ୍ନମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ଏବଂ ଏହି ସମୟରେ ନିଜକୁ କିପରି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏନ୍‌.ଡି.ଆର୍‌.ଏଫ୍‌. ଟିମ୍‌ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏନ୍‌ସିସି, ସ୍କାଉଡ୍‌, ଗାଇଡ୍‌ର ଛାତ୍ରଛାତ୍ରୀମାନେ ଏହି ବିପର୍ଯ୍ୟୟ ପରିଚାଳନାର ନାନାବିଧ କୌଶଳ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନଲାଭ କରିଥିଲେ।

ସମାଜବିଜ୍ଞାନ ବିଭାଗର ମୁଖ୍ୟ ଅଖିଳ ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା
କରିଥିବାବେଳେ ସହଯୋଗୀ ଶିକ୍ଷକଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ।

Categories
ବିଶେଷ ଖବର

ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ ସଂକ୍ରାନ୍ତରେ ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।

ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ  କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଦୃଷ୍ଟିକୋଣ ଅନୁରୂପ ଅଟେ।  ଅମିତ ଶାହ ଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି।

୧୯୯୯ ର ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନାରେ ଅନେକ ଅଗ୍ରଗତି କରିଥିବାରୁ ଶ୍ରୀ ଅମିତ ଶାହ ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ସେ ପରାମର୍ଶ ଦେଇଛନ୍ତି ଯେ ଆପଦା ମିତ୍ର ଏବଂ ରାଜ୍ୟରେ ବିପର୍ଯ୍ୟୟ ଯୋଦ୍ଧାମାନଙ୍କୁ ବହୁମୁଖୀ ବିପର୍ଯ୍ୟୟ ପ୍ରଶିକ୍ଷଣ ଦିଆଯିବା ଉଚିତ, ବିଶେଷକରି ରସାୟନିକ ଏବଂ ଆଣବିକ ବିପର୍ଯ୍ୟୟ ଏବଂ ସେଭଳି ବିପର୍ଯ୍ୟୟର ମୁକାବିଲା ଯାହା ବିନା ଚେତାବନୀରେ ଘଟିଥାଏ । ହୋମ ଗାର୍ଡ ସ୍ୱେଚ୍ଛୋସେବୀମାନଙ୍କୁ ଦକ୍ଷ କରାଯିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯିବା ଉଚିତ ବୋଲି ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାବାଦ୍‍ ରାଜ୍ୟରେ ପ୍ରତିଷ୍ଠିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା, ପ୍ରତିଷ୍ଠା କରିବା ପାଇଁ ବଜେଟ୍‌ରୁ ନିୟମିତ ଅର୍ଥ ପ୍ରଦାନ କରାଯିବା ଉଚିତ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଜୋର ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଏସଓପି ଗୁଡିକୁ ଗ୍ରହଣ କରିବା ଉଚିତ ଏବଂ ବଜ୍ରପାତ, ଗ୍ରୀଷ୍ମ ପ୍ରଦାହ ଏବଂ ଜଙ୍ଗଲ ଅଗ୍ନିକାଣ୍ଡରୁ ଜୀବନ ରକ୍ଷା କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି ଏବଂ ନିରାକରଣ ପାଇଁ ପ୍ରୟାସ କରିବା ଉଚିତ । ବିପର୍ଯ୍ୟୟ ସମୟରେ ପଶୁମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ସମୟରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମ୍ୟ ସ୍ତରର ସ୍ୱେଚ୍ଛାସେବୀ ତଥା ସମଗ୍ର ରାଜ୍ୟ ପ୍ରଶାସନିକ କଳକୁ ପ୍ରଶଂସା କରିଛନ୍ତି ।

ବାମପନ୍ଥୀ ଉଗ୍ରବାଦ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ପଦକ୍ଷେପ ଅନୁରୂପ ଭିତ୍ତିଭୂମି ବିକାଶରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ବାମପନ୍ଥୀ ଉଗ୍ରବାଦକୁ ମୂଳପୋଛ କରିବା ପାଇଁ କେନ୍ଦ୍ରୀୟ ବାହିନୀର ସହାୟତା ନେଇ ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସଡକ ଏବଂ ଯୋଗାଯୋଗ ନେଟୱାର୍କକୁ ମଜବୁତ କରିବାରେ ବିଶେଷ କରି ସମସ୍ତ ଗ୍ରାମକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବାରେ ସେ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ନିଶ୍ଚିତ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆମେ ଯୋଗାଯୋଗ, ଶିକ୍ଷା ଏବଂ ରୋଜଗାରର ଅନୁପସ୍ଥିତି ଭଳି ସମସ୍ତ ସମସ୍ୟାର ସମାଧାନ କରିବା ଉଚିତ ଯାହାକି ଏଲଡବ୍ଲୁଇ ର ଅଭିବୃଦ୍ଧିରେ ସହାୟକ ହୋଇଥାଏ । ରାଜ୍ୟ ମଧ୍ୟ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କଣ୍ଟ୍ରୋଲ ଦୋକାନ ପ୍ରତିଷ୍ଠା, ସଡକ ର୍ନିମାଣ ଏବଂ ବିଦ୍ୟୁତ୍‍ ଯୋଗାଣ ପାଇଁ ଅର୍ଥ ବିନିଯୋଗ ଉପରେ ବିଚାର କରିବା ଉଚିତ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଡ ନିଷ୍ପତି: ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ଗ୍ରୁପ ଡି କର୍ମଚାରୀ ନେବେ ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ

ଭୁବନେଶ୍ବର: ଗତ ୨୯ ମଇ, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍‌ ଦିଆଯିବ।

ଏହି ନିଷ୍ପତ୍ତି ଅନୁପାଳନପୂର୍ବକ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ନିମନ୍ତେ ଉକ୍ତ ବିଷୟ ସମ୍ବନ୍ଧୀୟ ପାଠ୍ୟକ୍ରମ ବିକଶିତ କରାଯାଉଛି। ଗ୍ରୁପ୍‌-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବ, ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ୍‌-ଏ ସ୍ତରର କର୍ମଚାରୀମାନେ ମଧ୍ୟ ସମସ୍ତ ପାଠ୍ୟକ୍ରମକୁ ସଂପୂର୍ଣ୍ଣ କରିବେ।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDAM), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍‌ଆର୍‌ସି ଶ୍ରୀ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଓସ୍‌ଡମା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ଶ୍ରୀ ବୀରେନ୍ଦ୍ର କୋରକରା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସମ୍ବଲପୁରଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ମାନସ ରଞ୍ଜନ ପୂଜାରୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।
ତାଲିମ୍‌, ଦକ୍ଷତା ବୃଦ୍ଧି ଏବଂ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୈଷୟିକ ସହାୟତା ପ୍ରଦାନ କରିବ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗ ସ୍ତରୀୟ ସରକାରୀ (ଗ୍ରୁପ-ଏ, ଗ୍ରୁପ୍‌-ବି, ଗ୍ରୁପ-ସି ଏବଂ ଗ୍ରୁପ୍‌-ଡି) କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ। ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପାଠ୍ୟକ୍ରମକୁ ମୁକ୍ତ ଏବଂ ଦୂର ଶିକ୍ଷା ନିମନ୍ତେ ଶିକ୍ଷଣ ପରିଚାଳନା ବ୍ୟବସ୍ଥା ପ୍ଲାଟଫର୍ମରେ ଅନ୍‌-ଲାଇନ୍‌ରେ ମାଧ୍ୟମରେ ଏହି ଚାରିଗୋଟିର ଡିଜାଇନ୍‌ ଏବଂ ବିକାଶ କରାଯାଇଛି।

ଏଥି ସହ ଶିକ୍ଷାର୍ଥୀମାନଙ୍କର ଡାଟାବେସ୍‌ ବିକାଶ, ସେମାନଙ୍କର ଅଗ୍ରଗତିକୁ ନିରୀକ୍ଷଣ କରିବା ଏବଂ ଅନଲାଇନ୍‌ ପାଠ୍ୟକ୍ରମର ସମାପ୍ତି ପରେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏକ େୱବ୍‌ ଆଧାରିତ ଆପ୍ଲିକେଶନ ବିକଶିତ କରାଯାଇଛି। ଅନଲାଇନ୍‌ ପାଠ୍ୟକ୍ରମକୁ ଅଧିକ ପ୍ରଭାବୀ ଏବଂ ଆଗ୍ରହପୂର୍ଣ୍ଣ କରିବା ନିମନ୍ତେ ଦୃଶ୍ୟ-ଶ୍ରାବ୍ୟ ପରି ଶିକ୍ଷଣ ସାମଗ୍ରୀ ଏବଂ ମଲ୍‌ଟିମିଡିଆ ଶିକ୍ଷଣ ପ୍ୟାକେଜ୍‌ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମର ଆବଶ୍ୟକତାଭିତ୍ତିକ ମୂଲ୍ୟାୟନ ପାଇଁ ଅଧିକାରୀମାନଙ୍କର ମୂଲ୍ୟାଙ୍କନ, ପ୍ରମାଣପତ୍ର ଏବଂ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ତାଲିମ୍‌ଗୁଡିକ ପାଇଁ ମନୋନୀତ ଶିକ୍ଷାନୁଷ୍ଠାନରୁ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ତଥା ଅଭିଜ୍ଞତା ଥିବା ଶିକ୍ଷକ ଏବଂ ଅଭିଜ୍ଞତାସଂପନ୍ନ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଚୟନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ବିପର୍ଯ୍ୟୟ ପରିାଳନା: ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେଲା ଅଭ୍ୟାସ

ଖୋର୍ଦ୍ଧା: ଗତକାଲି ଜିଲ୍ଲାବ୍ୟାପୀ ବ୍ଲକ ଓ ମ୍ୟୁନିସିପାଲଟିରେ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଜିଲ୍ଲା ବ୍ୟାପୀ ବିପର୍ଯ୍ୟୟ ପରିାଳନା ଅଭ୍ୟାସ ୫୧ ଗୋଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି। ସେହି ଆଶ୍ରୟସ୍ଥଳୀ ଗୁଡିକରେ ଜିଲ୍ଲା ତଥା ବ୍ଲକ, ପଞ୍ଚାୟତ ଅଧିକାରୀ, ଗ୍ରାମବାସୀମାନଙ୍କର ସମ୍ମୁଖରେ, ଅଗ୍ନିଶମ ଅଧିକାରୀ ଓ ତାଲିମ ପ୍ରାପ୍ତ ଯୁବ ଉଦ୍ଧାରକାରୀ ଦଳ, ପ୍ରାଥମିକ ଚିକିତ୍ସା ଦଳ ଓ ଆପଦାମିତ୍ର ମାନେ ବିଭିନ୍ନ ଜୀବନ ରକ୍ଷାକରି କୌଶଳ ମାନ ପ୍ରଦର୍ଶନ କରିବା ସହିତ, ଜରୁରୀ କାଳୀନ ସହାୟତା ପାଇଁ ରଖାଯାଇଥିବା ବିଭିନ୍ନ ଉପକରଣ ଗୁଡିକୁ ଚଳାଇ ଜନ ସାଧାରଣ ଙ୍କୁ ଦେଖାଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ଲାଇନ୍ ଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନ୍‌ଏସ୍‌ଏସ୍‌ର ଦାୟିତ୍ୱ ରହିଛି: ଶ୍ରୀ ସେଠୀ

ଭୁବନେଶ୍ୱର: ସମାଜ ସେବା ସହିତ ଗ୍ରାମାଂଚଳରେ ଅନ୍‌ଲାଇନ୍ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ନିଜକୁ ସାମିଲ କରିବା ଉଚିତ୍ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ।

ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ସଂଯୋଜକ ଏବଂ ଜିଲ୍ଲା ପ୍ରୋଗ୍ରାମ୍ ଅଫିସର ମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ସ୍ୱେଚ୍ଛାସେବୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହଯୋଗ କରିବା ନେଇ ମତ ଦେଇଛନ୍ତି ଶ୍ରୀ ସେଠୀ। ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏନ୍‌ଏସ୍‌ଏସ୍‌ର ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କର ରାଜ୍ୟସ୍ତରୀୟ ବୈଠକ ଅବସରରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସେଠୀ।

ଓଡ଼ିଶା ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ସମ୍ମୁଖୀନ ହେଉଥିବାରୁ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଲୋକଙ୍କ ଜୀବନ ଓ ସମ୍ପତିକୁ ସୁରକ୍ଷା କରିବା ନିମନ୍ତେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହଯୋଗ କରିବା ଉଚିତ୍ ବୋଲି ସେ କହିଥିଲେ।
ଏହି ଅବସରରେ ଏନ୍‌ଏସ୍‌ଏସ୍‌ର ସର୍ବଭାରତୀୟ ନିର୍ଦ୍ଦେଶକ ଶ୍ରୀ ପଙ୍କଜ କୁମାର ସିଂହ କହିଥିଲେ ଯେ ଅନୁଷ୍ଠାନର ଲକ୍ଷ୍ୟ ହେଉଛି “ମୁଁ ନୁହେଁ ମାତ୍ର ଆପଣ”। ବର୍ତମାନ ପରିସ୍ଥିତିରେ ଯେତେବେଳେ ସମାଜର ସେବା ବଦଳରେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦିଆଯାଉଛି ସେତେବେଳେ ଏନ୍‌ଏସ୍‌ଏସ୍‌ର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ଏନ୍‌ଏସଏସ୍‌ର ସ୍ଥାପନା ସମୟରେ ଜଣେ ଭଲ୍ୟୁଂଟର ଭାବେ ନିଜର ଅନୁଭୂତି କହିଥିଲେ। ସୋଆର ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍ କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଜାତୀୟ ସ୍ତରୀୟ ଏନ୍‌ଏସ୍‌ଏସ୍ ଆୱାର୍ଡ ପାଇବା ନିମନ୍ତେ ମନୋନୀତ ହୋଇଥିବା ପ୍ରତୀକ ଦାସ ସମେତ ଜଣ ସ୍ୱେଚ୍ଛାସେବୀ ଓ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଏନ୍‌ଏସ୍‌ଏସ୍‌ର କୋର୍ଡିନେଟର ଏବଂ ପ୍ରୋଗ୍ରାମ ଅଫିସରମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସୋଆରେ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିମାନେ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଆପଦକାଳୀନ ଯୋଜନା ଦ୍ବିତୀୟ ଚିଠା ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ବ୍ୟାପକ ରୂପରେଖ ଚୂଡାନ୍ତ କରିବା ପାଇଁ ଦ୍ବିତୀୟ ଚିଠା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ଚିଠା ବୈଠକରୁ ମିଳିଥିବା ମତାମତ ଆଧାରରେ ଆଜି ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲା ପରିସୀମା ଭିତରେ କୌଣସି ବିପର୍ଯ୍ୟୟ ଘଟିଲେ ଏହାର ତତ୍କାଳ ସଫଳ ମୁକାବିଲା କରାଯିବା ନିମନ୍ତେ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଉଛି। ଏ ସଂପର୍କରେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟରେ ପୂର୍ବରୁ ବୁଝାମଣା ହୋଇଛି। ଜିଲ୍ଲାରେ ଥିବା ଶିଳ୍ପ କେନ୍ଦ୍ର ଗୁଡିକରେ ଅଗ୍ନି ନିରୋଧକ ଓ ଗ୍ୟସ ନିର୍ଗମନକୁ ରୋକିବା ପାଇଁ ସଂପୃକ୍ତ ସଂସ୍ଥା ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ ସଂସ୍ଥା ପରିସର ବାହାରେ ଦୁର୍ଘଟଣା ଘଟିଲେ କିମ୍ବା ଏହାର ପ୍ରଭାବ ନିକଟସ୍ଥ ଅଞ୍ଚଳରେ ପଡିଲେ ଏହାର କିଭଳି ମୁକାବିଲା କରାଯାଇ ପାରିବ ଏ ସଂପର୍କିତ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ମତାମତ ଲୋଡାଯାଇଛି।

ସେହିଭଳି ଜିଲ୍ଲା ମଧ୍ୟଦେଇ ଆନ୍ତଃ ଜିଲ୍ଲା କିମ୍ବା ଆନ୍ତଃ ରାଜ୍ୟ ପରିବହନ ବେଳେ ବଡ ଧରଣର ଦୁର୍ଘଟଣା କିମ୍ବା ଗ୍ୟାସ ଓ ତୈଳ ନିର୍ଗମନ ଜନିତ ବିପର୍ଯ୍ୟୟ ରୋକିବା ଏବଂ ଏଥି ନିମନ୍ତେ ସଦା ପ୍ରସ୍ତୁତ ରହିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ।

ଆଜିର ବୈଠକରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହ ନିର୍ଦ୍ଦେଶକ ବିଶ୍ବଜିତ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଉପ ନିର୍ଦ୍ଦେଶକ ଡଃ ଅସିତ କୁମାର ପାତ୍ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉକ୍ତ ସଂସ୍ଥାର ବୈଷୟିକ ଅଧିକାରୀ ଅଜୟ ସୂର୍ଯ୍ୟବଂଶୀ, ଓସଡମା ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସେଠୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁକାନ୍ତ ଦାଶ ସହଯୋଗ କରିଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲା ଜାତିସଂଘ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି। ବିପର୍ଯ୍ୟୟ ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜାତିସଂଘ ପ୍ରଶଂସା କରିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ରୋଲ ମଡେଲ ବୋଲି ଜାତିସଂଘ କହିଛି। ଦୁର୍ବିପାକ ସମୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ରଖିଥିବାରୁ ଜାତିସଂଘ ସନ୍ତୋଷ ପ୍ରକାଶ କରିଛି।

ଜାତିସଙ୍ଘ ମୁଖ୍ୟ ମାମି ମିଜୁଟାରି ନବୀନଙ୍କୁ ଏନେଇ ପ୍ରଶଂସା କରିଛନ୍ତି। ମାମି ମିଜୁଟାରି କହିଛନ୍ତି ଯେ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟକୁ ବୁଝି, ତାକୁ ସାମ୍ନା କରିବା ସହ ଉଚିତ ପଦକ୍ଷେପ ନେଉଛନ୍ତି। ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିପାରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ :  ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ 

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଅଂଶଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି । ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ ଏସ୍‌ଓପି ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଛନ୍ତି।

ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆମେ ଅନେକ  ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ। ଗତ ବର୍ଷ  ଫନି ଓ ବୁଲବୁଲ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ସ୍ଥାନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚଳିତ ବର୍ଷ ମଧ୍ୟ  ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ମଇ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ଅମ୍ଫନ ଦ୍ବାରା ପ୍ରଭାବିତ ହୋଇଥିଲେ। ଓଡିଶାର ଜନସାଧାରଣଙ୍କ ସହଯୋଗରେ ଆମେ କେବଳ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସଫଳ ହୋଇନାହୁଁ, ତା ସହିତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ତାର ବିପଦ ସମୟରେ ସହାୟତା ଯୋଗାଇ ଦେଇପାରିଛୁ  ବୋଲି ସେ କହିଥିଲେ।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ। ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୋଭିଡଠାରୁ ଆରମ୍ଭ କରି ଆମ୍ଫାନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି। ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍ଟାସନ ପାଇଁ ପଦକ୍ଷେପ ନିଆଯାଇଛି। ବନ୍ୟାପ୍ରବଣ ଅଞ୍ଚଳରେ ଆଗାମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି।ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।