ଖୋର୍ଦ୍ଧା ଜିଲ୍ଲାରେ ଆପଦକାଳୀନ ଯୋଜନା ଦ୍ବିତୀୟ ଚିଠା ବୈଠକ ଅନୁଷ୍ଠିତ

Published: Aug 25, 2022, 9:26 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ବ୍ୟାପକ ରୂପରେଖ ଚୂଡାନ୍ତ କରିବା ପାଇଁ ଦ୍ବିତୀୟ ଚିଠା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ଚିଠା ବୈଠକରୁ ମିଳିଥିବା ମତାମତ ଆଧାରରେ ଆଜି ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲା ପରିସୀମା ଭିତରେ କୌଣସି ବିପର୍ଯ୍ୟୟ ଘଟିଲେ ଏହାର ତତ୍କାଳ ସଫଳ ମୁକାବିଲା କରାଯିବା ନିମନ୍ତେ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଉଛି। ଏ ସଂପର୍କରେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟରେ ପୂର୍ବରୁ ବୁଝାମଣା ହୋଇଛି। ଜିଲ୍ଲାରେ ଥିବା ଶିଳ୍ପ କେନ୍ଦ୍ର ଗୁଡିକରେ ଅଗ୍ନି ନିରୋଧକ ଓ ଗ୍ୟସ ନିର୍ଗମନକୁ ରୋକିବା ପାଇଁ ସଂପୃକ୍ତ ସଂସ୍ଥା ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ ସଂସ୍ଥା ପରିସର ବାହାରେ ଦୁର୍ଘଟଣା ଘଟିଲେ କିମ୍ବା ଏହାର ପ୍ରଭାବ ନିକଟସ୍ଥ ଅଞ୍ଚଳରେ ପଡିଲେ ଏହାର କିଭଳି ମୁକାବିଲା କରାଯାଇ ପାରିବ ଏ ସଂପର୍କିତ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ମତାମତ ଲୋଡାଯାଇଛି।

ସେହିଭଳି ଜିଲ୍ଲା ମଧ୍ୟଦେଇ ଆନ୍ତଃ ଜିଲ୍ଲା କିମ୍ବା ଆନ୍ତଃ ରାଜ୍ୟ ପରିବହନ ବେଳେ ବଡ ଧରଣର ଦୁର୍ଘଟଣା କିମ୍ବା ଗ୍ୟାସ ଓ ତୈଳ ନିର୍ଗମନ ଜନିତ ବିପର୍ଯ୍ୟୟ ରୋକିବା ଏବଂ ଏଥି ନିମନ୍ତେ ସଦା ପ୍ରସ୍ତୁତ ରହିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ।

ଆଜିର ବୈଠକରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହ ନିର୍ଦ୍ଦେଶକ ବିଶ୍ବଜିତ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଉପ ନିର୍ଦ୍ଦେଶକ ଡଃ ଅସିତ କୁମାର ପାତ୍ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉକ୍ତ ସଂସ୍ଥାର ବୈଷୟିକ ଅଧିକାରୀ ଅଜୟ ସୂର୍ଯ୍ୟବଂଶୀ, ଓସଡମା ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସେଠୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁକାନ୍ତ ଦାଶ ସହଯୋଗ କରିଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts