Categories
ଆଞ୍ଚଳିକ

ବିଭୁ ପ୍ରସାଦ ମହାପାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ରାଜନେତା ଓ ଜନ ସେବକ ବିଭୂପ୍ରସାଦ ମହାପାତ୍ରଙ୍କୁ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କର ଦ୍ୱାଦଶ ତିଥିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।  ପ୍ରକାଶ ଥାଉକି କୁମାରାଙ୍ଗ ଗ୍ରାମ ପଞ୍ଚାୟତର କୁମାରାଙ୍ଗ ଗ୍ରାମରେ ଜନ୍ମ ନେଇଥିଲେ ବିଭୁ ପ୍ରସାଦ ମହାପାତ୍ର। ପିଲାଟି ଦିନରୁ ଜନସେବା ତାଙ୍କର ବ୍ରତ ଥିଲା।

ତାହାକୁ ଆଧାର କରି ଜାତୀୟ କଂଗ୍ରେସରେ ଯୋଗ ଦେଇ ପଞ୍ଚାୟତରାଜ ବିଭାଗ ଗଠନ ହେବାର ପ୍ରଥମ ଜିଲ୍ଲା ପରିଷଦ ସଭ୍ୟ ଭାବରେ ୧୫ ନଂ ଜୋନରୁ ନିର୍ବାଚିତ ହୋଇଥିଲେ। ଏବଂ ଅଞ୍ଚଳର ପ୍ରତ୍ୟେକ ଲୋକର ସୁଖ ଦୁଃଖରେ ଭାଗିଦାର ହେଉଥିଲେ ସ୍ବର୍ଗତ ମହାପାତ୍ର।

ସ୍ଥାନୀୟ ଅଞ୍ଚଳରେ ବିଭୁ ଭାଇନା ଭାବରେ ସେ ଘରେ ଘରେ ପରିଚିତ ଥିଲେ। କୌଣସି ଗଣ୍ଡଗୋଳ ହେଉ କି ମନୋମାଳିନ୍ୟ ହେଉ କାହାକୁ ଥାନାର ଦ୍ୱାରସ୍ତ ହେବାକୁ ଦେଉନଥିଲେ ସେ। ପ୍ରତ୍ୟେକ ଘଟଣାକୁ ସମାଧାନ କରିବାରେ ସେ ଥିଲେ ସିଦ୍ଧହସ୍ତ। ଦୀର୍ଘ ଦିନ ଧରି ପକ୍ଷଘାତ ରୋଗର ଶିକାର ହୋଇ ଶେଷରେ ସେ ପ୍ରାଣତ୍ୟାଗ କରିଥିଲେ।

ତାଙ୍କର ଦ୍ଵାଦଶ କ୍ରିୟାରେ ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ, ରଘୁନାଥ ସାହୁ ଓ ଦେବେନ୍ଦ୍ର ନାଥ ମାନସିଂହଙ୍କ ସମେତ ବାଣପୁର ଅଂଚଳର ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କର ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କର ଅବର୍ତ୍ତମାନରେ କୁମାରାଙ୍ଗ ଗ୍ରାମ ସମେତ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।