Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇ ମାସ ପରେ ଉଡ଼ିଲା ଘରୋଇ ବିମାନ : ଚଳଚଞ୍ଚଳ ଭୁବନେଶ୍ବର ବିମାନ ବନ୍ଦର

ନୂଆଦିଲ୍ଲୀ/ଭୁବନେଶ୍ବର: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର 4ଟା 45 ମିନିଟ୍‌ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ, ସାନିଟାଇଜର୍ ବ୍ୟବହାର କରିବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି।

ସେହିପରି ମୁମ୍ବାଇରୁ ଆଜି 25ଟି ବିମାନ ଉଡ଼ାଣ ଭରିବ। କରୋନାକୁ ଦୃଷ୍ଟିରେ ରଖି ମୁମ୍ବାଇରୁ ବିମାନ ଚଳାଚଳ କରିବ ନାହିଁ ବୋଲି ପୂର୍ବରୁ ମହାରାଷ୍ଟ୍ର ସରକାର କହିଥିଲେ।

ଆନ୍ଧ୍ରପ୍ରଦେଶରେ ଘରୋଇ ବିମାନ ସେବା ଆସନ୍ତାକାଲିଠୁ ଆରମ୍ଭ ହେବ ।  ସେହିପରି ପଶ୍ଚିମବଙ୍ଗରେ ବିମାନ ସେବା ଆସନ୍ତା 28 ତାରିଖରୁ ଆରମ୍ଭ ହେବ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ସମେତ ଦେଶର 60ରୁ ଅଧିକ ସହରର ବିମାନ ବନ୍ଦରରେ ଆଜି ବିମାନ ସେବା ଆରମ୍ଭ ହୋଇଛି। ତିନି ଶହରୁ ଅଧିକ ବିମାନ ଆଜି ଚଳାଚଳ କରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ଚଳାଚଳକୁ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏୟାରପୋର୍ଟର ବିଭିନ୍ନ ସ୍ଥାନରେ ଅଟୋମେଟିକ୍ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରର ଚେକ୍-ଇନ୍-ଗେଟ୍ ଓ ଅନ୍ୟ ସ୍ଥାନରେ ସାମାଜିକ ଦୂରତା ରଖିବାକୁ ଚିହ୍ନଟ କରାଯାଇଛି।

ସେହିପରି ଆଜି ରାଜଧାନୀ ଭୁବନେଶ୍ବର ବିମାନ ବନ୍ଦରରେ ମଧ୍ୟ ଚଳଚଞ୍ଚଳ ଦେଖିବାକୁ ମିଳିଥିଲା । ଭୁବନେଶ୍ବର ବିମାନ ବନ୍ଦରରୁ 10 ଯୋଡ଼ା ବିମାନ ଚଳାଚଳ କରିବ । ଦିଲ୍ଲୀ, ବେଙ୍ଗାଲୁରୁ ଭଳି ସହରକୁ ବିମାନ ଚଳାଚଳ କରିବ । ତେବେ କୋଲକାତା, ହାଇଦ୍ରାବାଦ  ଓ ଝାରସୁଗୁଡା ଯିବାକୁ ଥିବା ବିମାନ ବାତିଲ୍‌ କରାଯାଇଛି । କରୋନା ମୁକାବିଲା ଲାଗି ଗତ ମାର୍ଚ୍ଚ 25ରୁ ଘରୋଇ ବିମାନ ସେବାକୁ ବନ୍ଦ କରାଯାଇଥିଲା।