Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ରାଉରକେଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ ସେନାପତି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ରାଉରକେଲା ନିର୍ବାଚନମଣ୍ଡଳୀର ୨୦୧୯ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ ସେନାପତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିରେନ ସେନାପତିଙ୍କ ସହ ସମସ୍ତ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ରାଉରକେଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ ହୋଇଥିବା ବିରେନ ସେନାପତି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଏଆଇସିସି ଓବିସି ବିଭାଗର ଜାତୀୟ ସହ ସହଯୋଗ କୌଳାଶ ଚନ୍ଦ୍ର ସାହୁ, ଡିସିସି ସାଧାରଣ ସମ୍ପାଦକ ପ୍ରଦୀପ ମହାପାତ୍ର, ରର୍ବଟ ଭିନସେଣ୍ଟ, ଜିତେନ୍ଦ୍ର ଦାସ, ସୁବଲ ବାସୁରୀ, ମହମ୍ମଦ ମନ୍‌ଜୁର, ବିଜୟ କୁମାର ସାହୁ, ବିଶ୍ୱଭୂଷଣ ସାରା, ସାରଦା ପ୍ରସନ୍ନ ଦାସ, କୃଷ୍ଣଚନ୍ଦ୍ର ସାହୁ, ସନ୍ତୋଷ ଓ ଅଶ୍ୱୀନ ଦାସଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।