Categories
ଆଜିର ଖବର ଖେଳ ଜାତୀୟ ଖବର

ପୂର୍ବ ଭାରତୀୟ ଅଧିନାୟକଙ୍କ ଦାବି: ବିରାଟଙ୍କ ସ୍ଥାନରେ ରାହାଣେ ହୁଅନ୍ତୁ ଦଳର ଅଧିନାୟକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତକୁ ୨-୧ ରେ ସିରିଜ ଜିତାଇଥିବା ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୋଧରେ ଦ୍ଵିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲେ। କଙ୍ଗାରୁ ଦଳ ମାତ୍ର ତିନି ଦିନ ଭିତରେ ଭାରତୀୟ ଦଳକୁ ୮ ୱିକେଟରେ ହରାଇ ସିରିଜରେ ୧-୦ରେ ଆଗୁ ରହିଥିଲା। ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକତ୍ଵ କରିଥିଲେ ବିରାଟ କୋହିଲି। କିନ୍ତୁ ସେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତ ଫେରିଆସିଥିଲେ।

ତେବେ ସେଭଳି ଚାପ ସମୟରେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକତ୍ଵ ଭାର ସମ୍ଭାଳିଥିଲେ। ଅଷ୍ଟ୍ରେଲିଆ ଦଳର ମାଇଣ୍ଡ ଗେମକୁ ସାମ୍ନା କରି ସେ ଦଳକୁ ଅତି ମଜବୁତରେ ଠିଆ କରିଥିଲେ। ଯାହାଫଳରେ ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ଅଷ୍ଟ୍ରେଲିଆକୁ ଭାରତ ୮ ୱିକେଟରେ ହରାଇ ଏକ ବଡ ବିଜୟ ହାସଲ କରିଥିଲା।

ଏହି ମ୍ୟାଚରେ ରାହାଣେ ଏକ ସୁନ୍ଦର ଶତକ ହାସଲ କରି ଦଳକୁ ମଜବୁତ ସ୍ଥିତିକୁ ଆଣିଥିଲେ। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱାନ, ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ ଏବଂ ଶେନ ୱାର୍ନ ଏହି ମ୍ୟାଚ ପାଇଁ ରାହାଣେଙ୍କୁ ପ୍ରଶଂସା କରିଥିଲେ। ଭାରତର ପୂର୍ବତନ ଅଧିନାୟକ ବିଶନ ସିଂହ ବେଦି ଭାରତୀୟ ଦଳର ବିରାଟଙ୍କ ସ୍ଥାନରେ ରାହାଣେଙ୍କୁ ନିୟମିତ ଅଧିନାୟକ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ।

ବେଦି କହିଥିଲେ ଯେ, ଅଜିଙ୍କ୍ୟ ରାହାଣେଙ୍କ ଏହି ଖେଳ ମତେ ଟାଇଗର ପଟୌଦିଙ୍କୁ ମନେ ପକାଇଦେଇଛି। ରାହାଣେ ଯେଉଁପରି ଭାବେ ଆହତ ଦଳର ଅଧିନାୟକତ୍ଵ କରି ଅଷ୍ଟ୍ରେଲିଆକୁ ୨-୧ରେ ପରାଜିତ କଲେ ତାହା ପ୍ରଶଂସା ଯୋଗ୍ୟ ଅଟେ। ରାହାଣେଙ୍କ ପାଖରେ ବୋଲରଙ୍କୁ ପରିବର୍ତ୍ତନ ଏବଂ କ୍ଷେତ୍ର ରକ୍ଷଣ ସଜାଇବାର କଳା ପଟୌଦିଙ୍କ ଭଳି ଦେଖାଯାଉଛି। ଟିମ ଇଣ୍ଡିଆକୁ ମହାନ ବ୍ୟାଟ୍ସମ୍ୟାନ ଏବଂ ସାଧାରଣ ଅଧିନାୟକଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ସମୟ ଆସିଯାଇଛି। ଏହାସହିତ କୋହିଲି ମଧ୍ୟ ଭାରତ ପାଇଁ ଅଧିକ ଦିନ ଖେଳି ପାରିବେ।