Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। କର୍କଟ ରୋଗରେ ପୀଡିତ ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

ସ୍ବର୍ଗତ ମହାନ୍ତି କଟକ କେଶରପୁରରେ ଜନ୍ମ ଗ୍ରହଣ କରିଥିଲେ। ଏକାଧାରାରେ ସେ ଥିଲେ ଜଣେ ପ୍ରାବନ୍ଧିକ, କବି ତଥା ସାମ୍ବାଦିକ। ‘ଧରିତ୍ରୀ’, ‘ସମୟ’, ‘ଅନୁପମ ଭାରତ’ ଓ ‘ଓଡ଼ିଶା ଭାସ୍କର’ ଓ ‘ଅମୃତ ଦୁନିଆ’ରେ ସେ ଦୀର୍ଘ ବର୍ଷ ସାମ୍ବାଦିକତା କରି ଅବସର ନେଇଥିଲେ। ସେ

କିଛି ପୁସ୍ତକ ରଚନା କରିଛନ୍ତି। ତାଙ୍କର କବିତା ପୁସ୍ତକ ଆ’-ଆଜି ନଈକୁ ଯିବା ଖୁବ ଅଦୃତିଲାଭ କରିଥିଲା। ଏଥି ସହ ତାଙ୍କର ପ୍ରବନ୍ଧଭିତ୍ତିକ ପୁସ୍ତକ ବି ରହିଛି। ତେବେ ପଢ଼ାପଢ଼ିରେ ପ୍ରବଳ ରୁଚି ଥିବା ସ୍ବର୍ଗତ ମହାନ୍ତିଙ୍କ ଆଧ୍ୟାତ୍ମକ ପୁସ୍ତକ ପ୍ରତି ଅଧିକ ଦୁର୍ବଳତା ଥିଲା। ହସ୍ପିଟାଲ ରୋଗ ଶଯ୍ୟାରେ ବି ସେ ପଢିବାକୁ ଚେଷ୍ଟା କରିଥିଲେ।

ସ୍ବର୍ଗତ ମହାନ୍ତି ଥିଲେ ସାର୍ବଜନୀନ ଭାଇ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ‘ଅଜିତ ଭାଇ’ ବୋଲି ସମ୍ବୋଧନ କରୁଥିଲେ। କାରଣ ସେ ଯେମିତି ଥିଲେ ସରଳ ଓ ସାଧାସିଧା, ସେମିତି ଥିଲେ ବନ୍ଧୁବତ୍ସଳ ଓ ମିଷ୍ଟଭାଷୀ ମଣିଷ। ତେଣୁ ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଏମସରୁ ତାଙ୍କର ପାର୍ଥିବ ଶରୀର ୟୁନିଟ୍-୨ ସ୍ଥିତ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ଅପେକ୍ଷାରତ ସାମ୍ବାଦିକମାନେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସେହି ସାମ୍ବାଦିକମାନଙ୍କ ମଧ୍ୟରେ ଅଶୋକ ଦାସ, ଶ୍ରୀମୟ କର, ଗୋପାଳ ମହାପାତ୍ର, ବିପିନ ସିଂହ, ବିବେକ ଜେନା,ରମେଶ ସ୍ୱାଇଁ, ଦେବୀ ପଟ୍ଟନାୟକ,ପ୍ରଦ୍ୟୁମ୍ନ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ଅନିଲ ଦାସ,ସୁବାଶିଷ ମହାନ୍ତି, କିଶୋର ମଙ୍ଗରାଜ, ରମେଶ ମହାନ୍ତି ଓ ଦିଲୀପ ସାବତ ପ୍ରମୁଖ ଅନ୍ୟତମ ଥିଲେ। ଏହାପରେ ସ୍ବର୍ଗତ ମହାନ୍ତିଙ୍କ ମରଶରୀରକୁ ଖଣ୍ଡଗିରି ଇଣ୍ଟେଗ୍ରାଲ ସ୍କୁଲ ନିଆଯାଇ ଶେଷକୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା। ରାତିର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ଆନନ୍ଦ ମହାନ୍ତି ମୁଖଗ୍ନୀ ଦେଇଛନ୍ତି।