Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱ ପରିବେଶ ପ୍ରଭାବ ୨୦୨୧ ସିଡିପି ରେଟିଂରେ ରିଲାଏନ୍ସ ଜିଓକୁ ସର୍ବୋଚ୍ଚ “ଏ-’ ରେଟିଂ ପ୍ରଦାନ

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଟେଲିକମ୍ କଂପାନି ରିଲାଏନ୍ସ ଜିଓକୁ ସିଡିପିର ୨୦୨୧ର ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଲଣ୍ଡନରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ସଂସ୍ଥା ସିଡିପି ପକ୍ଷରୁ ପରିବେଶ ପ୍ରଭାବର ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ପାଇଁ ଏହି ରେଟିଂ ପ୍ରଦାନ କରାଯାଉଛି। ରିଲାଏନ୍ସ ଜିଓ ଦେଶର ସେହି କିଛି ହାତଗଣତି କଂପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାକୁ ଲିଡର୍‌ସିପ୍ ରେଟିଂ “ଏ-‘ ପ୍ରଦାନ କରାଯାଇଛି।
ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ଓ ଡିଜିଟାଲ୍ କ୍ଷେତ୍ରର ଏକମାତ୍ର କଂପାନି ଯାହାକୁ ପରିବେଶ ପ୍ରଭାବର ସୁପରିଚାଳନା ପାଇଁ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଗତବର୍ଷ ଜିଓର ରେଟିଂ “ବି’ ରହିଥିବା ବେଳେ ଚଳିତ ବର୍ଷ ସେଥିରେ ଉନ୍ନତି ଘଟି ଏହା ସର୍ବୋଚ୍ଚ “ଏ-‘ ହାସଲ କରିଛି। ସେହିଭଳି ଭାରତୀ ଏୟାରଟେଲ୍ ଗତବର୍ଷ ପାଇଥିବା “ଡି’ ରେଟିଂ ତୁଳନାରେ ସାମାନ୍ୟ ଉନ୍ନତି ସହ ଚଳିତ ବର୍ଷ “ସି’ ରେଟିଂ ପାଇଛି।ସାରା ବିଶ୍ୱର ୨୭୨ଟି କଂପାନିକୁ ଲିଡରସିପ୍ ରେଟିଂ ପ୍ରଦାନ କରାଯାଇଛି। ଜଳବାୟୁ ପରିବର୍ତନ, ଜଙ୍ଗଲ ଓ ଜଳର ସୁରକ୍ଷା ଭଳି ବିଷୟରେ କଂପାନିଗୁଡ଼ିକର ଉତମ କାର୍ଯ୍ୟ ପ୍ରଣାଳୀ ଓ ସେମାନଙ୍କ ପାରଦର୍ଶିତାକୁ ବିଚାରକୁ ନେଇ ଏହି ରେଟିଂ ପ୍ରଦାନ କରାଯାଇଛି। ୨୦୦୦ ମସିହାରେ ସ୍ଥାପିତ ହୋଇଥିବା ସିଡିପି ପକ୍ଷରୁ କଂପାନିଗୁଡ଼ିକୁ ସେମାନଙ୍କ ପରିବେଶ ପ୍ରଭାବ ବିଷୟରେ ଘୋଷଣା କରିବା ଓ ଗ୍ରିନ୍ ହାଉସ୍ ଗ୍ୟାସ୍‌କୁ କମ୍ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି।

ସିଡିପି ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ମାତ୍ର ଦୁଇ ପ୍ରତିଶତ କଂପାନିକୁ ସିଡିପି ରେଟିଂ ଦିଆଯାଇଛି। ସିଡିପି ପକ୍ଷରୁ ଏ ଠାରୁ ଡି ପର୍ଯ୍ୟନ୍ତ ବିଭିନ୍ନ ରେଟିଂ ଦିଆଯାଉଛି। ଏ ରେଟିଂ ହେଉଛି ଲିଡର୍‌ସିପ୍ ସ୍ତର। ବି ରେଟିଂ ପ୍ରବନ୍ଧନ ସ୍ତରରେ ଥିବା କଂପାନିଗୁଡ଼ିକୁ ପ୍ରଦାନ କରାଯାଉଛି। ସି ରେଟିଂକୁ ସଚେତନତା ସ୍ତରର ରେଟିଂ ଭାବେ ବିଚାର କରାଯାଉଛି। ସିଡିପି ଅନୁସାରେ ଡି-ରେଟିଂ ହେଉଛି ପ୍ରାରମ୍ଭିକ ସ୍ତର।