Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନର ବିଜୟ ପରେ ସେମିଫାଇନାଲରେ କାହାକୁ ଭେଟିବ ଟିମ୍ ଇଣ୍ଡିଆ, ବୁଝନ୍ତୁ ସମୀକରଣ

ନୂଆଦିଲ୍ଲୀ: ୨୦୨୨ ଟି-୨୦ ବିଶ୍ୱକପ ଯେଉଁଭଳି ଆଗକୁ ବଢୁଛି ସେମିଫାଇନାଲର ସମୀକରଣ ଜଟିଳ ହେବାରେ ଲାଗିଛି। ଗ୍ରୁପ୍-୨ରେ ଉପସ୍ଥିତ ଥିବା ଭାରତୀୟ ଦଳ ବିନା କୌଣସି ଅସୁବିଧାରେ ସେମିଫାଇନାଲରେ ପ୍ରବେଶ କରୁଥିବା ଦେଖାଯାଉଛି। ଏଥି ସହ ପାକିସ୍ତାନ ଦଳ ସେମିଫାଇନାଲରୁ ବାଦ ପଡୁଥିବା ଦେଖାଯାଉଛି। ଦଳ ସେମିଫାଇନାଲରେ ପ୍ରବେଶ କରିବାକୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିବ। ଭାରତୀୟ ଦଳ ବର୍ତ୍ତମାନ ୬ ପଏଣ୍ଟ ସହ ଗ୍ରୁପ୍‌ର ଶୀର୍ଷରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି।

ସେମିଫାଇନାଲରେ ଟିମ୍ ଇଣ୍ଡିଆ କାହା ସହିତ ମୁହାଁମୁହିଁ ହେବ?:

ଗ୍ରୁପ୍-୨ରେ ଏକ ନମ୍ବର ସ୍ଥାନରେ ଥିବା ଟିମ୍ ଇଣ୍ଡିଆ ସେମିଫାଇନାଲ ପାଇଁ ଗ୍ରୁପ୍ -୧ ର ଦୁଇ ନମ୍ବର ଦଳକୁ ଭେଟିବ। ଗ୍ରୁପ୍- ୧ ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ୫-୫ ପଏଣ୍ଟ ସହ ଦୁଇ ଆଉ ୩ ନମ୍ବର ସ୍ଥାନରେ ଅଛନ୍ତି। ଭାରତୀୟ ଦଳ ଏହି ଦୁଇଟି ଦଳ ମଧ୍ୟରୁ କୌଣସି ଗୋଟିଏ ସହିତ ସେମିଫାଇନାଲ ଖେଳିବ। ଟିମ୍ ଇଣ୍ଡିଆ ଏହାର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୬ ତାରିଖ ରବିବାର ଦିନ ଜିମ୍ବାୱେ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଜିତିଲେ ଟିମ୍ ଇଣ୍ଡିଆ ଗ୍ରୁପ୍ ଶୀର୍ଷରେ ରହିବ।

ଇଂଲଣ୍ଡ ଦଳ ପରବର୍ତ୍ତୀ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ (ନଭେମ୍ବର ୫ ତାରିଖ)। ଏଥି ସହିତ ଆଜି ଅଷ୍ଟ୍ରେଲିଆ ଦଳ ଆଫଗାନିସ୍ତାନ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ଖେଳୁଛି। ଦୁଇ ନମ୍ବର ସ୍ଥାନରେ ରହିବାକୁ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆକୁ ଏକ ବଡ଼ ବିଜୟ ହାସଲ କରିବାକୁ ପଡିବ।

ପାକିସ୍ତାନର ସମ୍ଭାବନା ଅଛି କି?:

ଗ୍ରୁପ୍-୨ରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି। ଆଫ୍ରିକା ଏହାର ପରବର୍ତ୍ତୀ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଜିତି ଆଫ୍ରିକା ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ। ଯଦି ଆଫ୍ରିକା ଏହି ମ୍ୟାଚ୍ ହାରିଯାଏ ଏବଂ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଜିତେ, ତେବେ ପାକିସ୍ତାନ ଦଳ ୬ ପଏଣ୍ଟ ସହ ଦ୍ୱିତୀୟ ନମ୍ବରକୁ ଆସି ସେମିଫାଇନାଲରେ ପ୍ରବେଶ କରିବ। ତଥାପି, ଏହା ଘଟିବା କିଛି କଷ୍ଟସାଧ୍ୟ ମନେହୁଏ। କାରଣ ଆଫ୍ରିକା ପାଇଁ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା କଷ୍ଟକର ନୁହେଁ।