Categories
ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆର ବୃହତ୍ତ ବିଜୟ: ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଜିତିଲା ଏସିଆ କପ୍ ଟାଇଟଲ୍

ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ ର ଫାଇନାଲରେ ଟିମ୍ ଇଣ୍ଡିଆ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ୍ ଜିତିଛି। ଭାରତ ରେକର୍ଡ ଅଷ୍ଟମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଛି। ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ୍ ରେ ଅଟକିଯାଇଥିଲା। ଏହା ପରେ ଭାରତୀୟ ଦଳ ସହଜରେ ୬.୧ ଓଭରରେ ଟାର୍ଗେଟକୁ ପୂରଣ କରିଛି।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ମାତ୍ର ୫୧ ରନ୍‌ର ଟାର୍ଗେଟ ଦିଆଯାଇଥିଲା। ଭାରତୀୟ ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୩୭ବଲରେ ଏହି ସାମାନ୍ୟ ଲକ୍ଷ୍ୟ ହାସଲ କରିଥିଲା। ୧୯ ବଲରେ ୨୭ ରନ ସ୍କୋର କରି ଶୁଭମାନ ଗିଲ ଅପରାଜିତ ଫେରିଥିଲେ ଏବଂ ୧୮ ଟି ବଲରେ ୨୩ ରନ୍ ସ୍କୋର କରି ଇଶାନ କିଶନ ଅପରାଜିତ ରହିଥିଲେ। ଗିଲ ୬ ଟି ଚୌକା ମାରିଥିବାବେଳେ ଇଶାନ ତିନିଟି ଚୌକା ମାରିଥିଲେ।

୯ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚି ପାରି ନାହାଁନ୍ତି:

ଭାରତୀୟ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଶ୍ରୀଲଙ୍କାର ୯ ଖେଳାଳି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। କେବଳ କୁସାଲ ମେଣ୍ଡିସ୍ (୧୭) ଏବଂ ଦୁଶନ୍ ହେମନ୍ତା (୧୩) ଦୁଇ ଅଙ୍କ ଛୁଇଁ ପାରିଥିଲେ|

ଦ୍ରୁତ ବୋଲରମାନେ ସମସ୍ତ ୧୦ ୱିକେଟ୍ ନେଇଥିଲେ:

ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ମାନେ ସିରାଜଙ୍କ ସମ୍ମୁଖରେ ଅସହାୟ ମନେ ହେଉଥିଲେ। କୌତୁହଳର ବିଷୟ ହେଉଛି ଶ୍ରୀଲଙ୍କାର ସମସ୍ତ ୧୦ ୱିକେଟ୍ ଭାରତର ଦ୍ରୁତ ବୋଲରମାନେ ନେଇଥିଲେ। ଏସିଆ କପ୍ ଇତିହାସରେ ଏହା ଦ୍ୱିତୀୟ ଥର ଘଟିଛି, ଯେତେବେଳେ ଦ୍ରୁତ ବୋଲରମାନେ ସମସ୍ତ ୧୦ ୱିକେଟ୍ ନେଇଛନ୍ତି। ଭାରତ ପାଇଁ ମହମ୍ମଦ ସିରାଜ ୬ ଟି ୱିକେଟ୍ ନେଇଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ୩ ୱିକେଟ୍ ନେଇଥିଲେ ଏବଂ ଜସପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ।