Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଆମେରିକାର ବୈଦେଶିକକ ବିଭାଗର ୬୦ ହଜାର ଇମେଲ ଚୋରି କଲେ ଚାଇନା ହ୍ୟାକର, ଚିନ୍ତାରେ ବାଇଡେନ ସରକାର

ନୂଆଦିଲ୍ଲୀ: ଚାଇନା ହ୍ୟାକରମାନେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଚାଇନିଜ୍ ହ୍ୟାକରମାନେ ଆମେରିକାର ବୈଦେଶିକ ବିଭାଗର ଆକାଉଣ୍ଟରୁ ହଜାର ହଜାର ଇମେଲ ଚୋରି କରିବାରେ ସଫଳ ହୋଇଛନ୍ତି। ବୁଧବାର ରଏଟର୍ସ ସହ କଥାବାର୍ତ୍ତା ବେଳେ ସିନେଟର ଜଣେ କର୍ମଚାରୀ ଏହା ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ବିଭାଗର ୧୦ ଟି ଆକାଉଣ୍ଟରୁ ୬୦ ହଜାର ଇମେଲ ଚୋରି ହୋଇଥିବା ସ୍ୱରାଷ୍ଟ୍ର ବିଭାଗର ଆଇଟି ଅଧିକାରୀମାନେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏହି ସମସ୍ତ ଇମେଲଗୁଡିକ ଦେଶର ୧୦ ଟି ବିଭାଗରୁ ଚୋରି ହୋଇଛି। ସେଥିମଧ୍ୟରୁ ୯ ଜଣ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ଜଣେ ୟୁରୋପରେ କାର୍ଯ୍ୟ କରୁଥିଲେ। ବିଭାଗର ସମସ୍ତ ଇମେଲ ଧାରଣ କରିଥିବା ଏକ ତାଲିକା ହ୍ୟାକରମାନେ ମଧ୍ୟ ହ୍ୟାକ୍ କରିଥିଲେ।

ସୂଚନାଯୋଗ୍ୟ ଯେ, ଚୀନ୍ ହ୍ୟାକରମାନେ ଆମେରିକା ସରକାରଙ୍କୁ ଟାର୍ଗେଟ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଗତ ମେ ମାସରେ ଚାଇନିଜ୍ ହ୍ୟାକରମାନେ ଅତି କମରେ ୨୫ ଟି ସଂସ୍ଥାର ଇମେଲ୍ କୁ ଆକ୍ସେସ କରିଥିବା ଜଣାଯାଇଛି। ଆହୁରି ମଧ୍ୟ ଚାଇନାର ହ୍ୟାକରମାନେ ବେଜିଂରେ ଆମେରିକାର ରାଷ୍ଟ୍ରଦୂତ ନିକୋଲାସ ବର୍ନସଙ୍କ ଇମେଲ ଆକାଉଣ୍ଟରେ ଟ୍ୟାମ୍ପରିଂ କରିଥିଲେ। ଏହାପୂର୍ବରୁ ପୂର୍ବ ଏସିଆର ସହକାରୀ ସଚିବ ଡାନିଏଲ କ୍ରିଟେନବ୍ରିଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା।