Categories
ଆଜିର ଖବର ରାଜ୍ୟ ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଓ ଦୁଇ ଗୁରୁତର ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କାର୍ତ୍ତିକ ପୂର୍ଣ୍ଣିମାର ସୁର୍ଯ୍ୟଦୋୟ ଓ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଗୋପାଳପୁର ଆସୁଥିବା ଦିଗପହଣ୍ଡି ଅଞ୍ଚଳର ଦୁଇ ଛାତ୍ର ପ୍ରଦ୍ୟୁମ୍ନ ସାବତ ଓ ସନ୍ତୋଷ ପାଢ଼ୀ ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ତ୍ତବ୍ୟରତ ଗୃହରକ୍ଷୀ ଶାନ୍ତନୁ ପାଢ଼ୀଙ୍କ ମୋଟରସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଗାଡ଼ି ଚଳାଉଥିବା ପ୍ରଦ୍ୟୁମ୍ନ ଛିଞ୍ଚାଡି ହୋଇ ରାସ୍ତାର କିଛି ଦୂରରେ ପଡି ଯାଇଥିଲା ଓ ତାଙ୍କର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ଅବସ୍ଥାରେ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଆହତ ସନ୍ତୋଷର ହାତ ଭାଙ୍ଗି ଯାଇଛି ଓ ଗୃହରକ୍ଷୀ ଶାନ୍ତନୁ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୋଟରସାଇକେଲ କୁ ଜବତ ନିକଟରେ ସଂଯୋଗ ହୋଇଥିବା ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୧୪ ରେ ଚିଲିକା ବୋଇତ ବନ୍ଦାଣ ଉତ୍ସବ

ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଚିଲିକା ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦ୍ବେଶରେ ଆସନ୍ତା ୧୪ ତାରିଖରେ ବୋଇତ ବନ୍ଦାଣ ଉତ୍ସବ ଚିଲିକା କୂଳରେ ସୁରୁଖୁରୁରେ ପାଳନ କରିବାସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।ବାଲୁଗାଁ ଏନଏସି ଓ ମସ୍ୟଜୀବୀ ସଂଘ ସହଯୋଗରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ବିଭିନ୍ନ ମହଲରୁ ସହଯୋଗ କରିବାକୁ ସହମତି ପ୍ରକାଶ ପାଇଥିଲା।

ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଆଇନ ମନ୍ତ୍ରୀଙ୍କ ଓଏସଡି ରୋଶନ ଶତପଥୀ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣାରାଣୀ ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଚିଲିକା ବିଡ଼ିଓ ହଳଧର ଶବର, ତହସିଲଦାର କାହ୍ନୁ ଚରଣ ଘଡେଇ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା, ବିଭିନ୍ନ ସଙ୍ଘ ଓ ଅନୁଷ୍ଠାନର କର୍ମକର୍ତ୍ତା, ମୋଟର ବୋଟ ସଙ୍ଘ ସଭାପତି, ସମ୍ପାଦକଙ୍କ ସମେତ ବୁଦ୍ଧିଜୀବୀ,ସମାଜସେବୀ,ସିଡିଏ କର୍ମଚାରୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ, ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଯୋଗ ଦେଇଥିଲେ।