Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସ ଓ ବୋହୁଙ୍କୁ ଆକ୍ରମଣ ଅଭିଯୋଗରେ ୬ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଚାଞ୍ଚଡାପଡିଆ ବିଶ୍ଵନାଥ ନଗରରେ ନମିତା ପାତ୍ର ନାମକ ଜଣେ ବୋହୁକୁ ଶ୍ଵଶୁର ଘର ଲୋକ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଥିଲା। ଏନେଇ ମହିଳା ଥାନାରେ କେଶ୍ ନଂ ୭୮/୨୩ ଅନୁଯାୟୀ ଏକ ମକଦ୍ଦମା ରୁଜୁ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମହିଳା ଥାନା ପୋଲିସ ଉଭୟ ପରିବାରକୁ ଡ଼ାକି ବୁଝାମଣା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବୁଝାମଣା ଫଳପ୍ରଦ ନହେବାରୁ ବୋହୁର ଯୌତୁକ ସାମଗ୍ରୀ ଜବତ କରିବା ପାଇଁ ଏସ୍ ଆଇ ଝୁନୁବାଳା ଶାସମଲଙ୍କ ନେତୃତ୍ଵରେ ଏକ ଟିମ୍ ବିଶ୍ଵନାଥ ନଗର ସ୍ଥିତ ଶ୍ବଶୁର ଘରେ ପହଞ୍ଚିଥିଲେ।

ଶ୍ଵଶୁର ଘର ଲୋକ ବୋହୂ ନମିତାକୁ ଦେଖି ଅତର୍କିତ ଆକ୍ରମଣ କରି ନିର୍ଧୁମ ପିଟି ନିକଟସ୍ଥ ନାଳରେ ପକାଇ ଦେଇଥିଲେ। ଏହି ସମୟରେ ପୋଲିସ ଅଟକାଇବାରୁ ଅଭିଯୁକ୍ତ ଗୋବିନ୍ଦ ପାତ୍ର, ଘନ ପାତ୍ର, ଲକ୍ଷ୍ମୀ ପାତ୍ର ଶିବ ପାତ୍ର ଓ ଡମ୍ବି ପାତ୍ର ମହିଳା ଏସ୍ ଆଇ ଝୁନୁବାଳା ଶାସମଲଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ।

କୌଶଳ କ୍ରମେ ବୋହୂ ନମିତାଙ୍କୁ ପୋଲିସ ଗୋଷାଣୀ ନୁଆଁଗାଁ ଥାନାକୁ ଆଣିବାରେ ସକ୍ଷମ ହୋଇଥିଲେ। ଏନେଇ କେଶ୍ ନଂ ୧୪୨/୨୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଉକ୍ତ ସମସ୍ତ ପରିବାରର ଲୋକଙ୍କ ସହ ଜଣେ ବାଳକକୁ ଗିରଫ କରିଛି।