Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ, ଜରିମାନା ଆଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୂରୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ବିଚାରପତି ପ୍ରଭାତ କୁମାର ରାଜଗୁରୁ ଏକ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ବିଚାର କରି ଅଭିଯୁକ୍ତ ରଞ୍ଜିତ୍ ନାୟକକୁ ୨୦ ବର୍ଷ ଜେଲଦଣ୍ଡ ଓ ନଗଦ ୧୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ରଞ୍ଜିତ୍ ର ଘର ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ। ସେ ଗତ ୨୦୧୯ ମସିହାରେ ବୁଗୁଡ଼ା ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରି ବିବାହର ପ୍ରତିଶ୍ରୁତି ଦେଇ ଭୁବନେଶ୍ଵରର କୌଣସି ଏକ ଅଜଣା ଜାଗାରେ ରଖି ଶାରୀରିକ ସମ୍ପର୍କ ରଖିଥିଲା ଓ ୧୦ ଦିନ ପରେ ଉକ୍ତ ନାବାଳିକାକୁ ଆଣି ବୁଗୁଡ଼ାସ୍ଥିତ ତାଙ୍କ ଘରେ ଛାଡ଼ିଦେଇ ତାମିଲନାଡୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ନାବାଳିକାର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। କିନ୍ତୁ ଅଭିଯୁକ୍ତ ରଞ୍ଜିତ୍ ବାହା ହେବାକୁ ମନା କରିଥିଲା। ଏହି ଭଳି ପରିସ୍ଥିତିରେ ନାବାଳିକାର ମାଁ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୨୫୭/୨୦ ଅନୁଯାୟୀ ମାମଲା ରୁଜୁ କରି ସେହି ବର୍ଷ ଡିସେମ୍ବର ମାସରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ତତ୍କାଳୀନ ତଦନ୍ତ ଅଧିକାରୀ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ।

ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଅଦାଲତ ଉକ୍ତ ରାୟ ଶୁଣାଇଛନ୍ତି ଓ ପୀଡ଼ିତା ନାବାଳିକାକୁ ୮ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କହିଛନ୍ତି।