Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନଙ୍କ ବିକ୍ଷୋଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୫୦ ଦିନ ଧରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମ୍‌କୋର୍ଟ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାରିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଥିଲେ। ତେବେ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତି କରି ଆନ୍ଦୋଳନକୁ ବିପଥଗାମୀ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କୃଷକ ସଂଗଠନମାନେ ଅଭିଯୋଗ କରି ଆଜି ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ମୁଖ୍ୟ ଛକ ନିକଟରେ ଚାଷୀ ସଂଗଠନମାନ ପକ୍ଷରୁ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।

ଆନ୍ଦୋଳନ ସ୍ଥଳରେ ଏ ତିନୋଟି କୃଷି କଳା ଆଇନର ନକଲକୁ ନିଆଁରେ ଜଳାଇ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ କୃଷକ ନେତା ବସନ୍ତ ନନ୍ଦ, ପ୍ରତାପ କୁମାର ନାୟକ, ଦୁର୍ଯ୍ୟୋଧନ ସ୍ୱାଇଁ, ପପୁନ ସାହୁ, ପି. ପାର୍ବତୀ, ଗୋପାଳ ପାଣିଗ୍ରାହୀ, ଡି. ଦଣ୍ଡପାଣି ରେଡ୍ଡୀ, ବାବୁଲା ନାୟକ, ପୀତବାସ ପ୍ରଧାନ, ଲକ୍ଷ୍ମୀ ରଥ, ଶିବରାମ ସାହୁ ପ୍ରମୁଖ ବହୁ କୃଷକ ନେତା ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼୍ ନିୟମ ମଧ୍ୟରେ ଖୋଲିବ ସିନେମା ହଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୯ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଯୋଗୁଁ ସିନେମା ହଲ୍ ସପିଂ ମଲ୍ ଇତ୍ୟାଦିକୁ ବନ୍ଦ କରିଦିଆଯାଇଥିଲା। ଦୀର୍ଘଦିନ ପରେ ସଂକ୍ରମଣର ମାତ୍ରା ଧିରେ ଧିରେ କମିବା ଆରମ୍ଭ ହୋଇଛି। ଫଳରେ ଏହିସବୁକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ରେଶମ ସହର ବ୍ରହ୍ମପୁରରେ ମଧ୍ୟ ସିନେମା ହଲ୍ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମସ୍ତେ ସିନେମା ହଲ୍ ମଧ୍ୟକୁ ପ୍ରବେଶ ପାଇଁ କୋଭିଡ଼୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଶୋ ପରେ ଗୃହକୁ ସାନିଟାଇଜିଂ କରାଯିବ। ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରବେଶ ସ୍ଥାନରେ ଥର୍ମାଲ ସ୍କିନିଂ ସହିତ ସାନିଟାଇଜର ବ୍ୟବସ୍ଥା ରହିବ। ଯଦି କେହି ଏଭଳି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏହି ସବୁ ନିୟମ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାର ଚିଠି ମାଧ୍ୟମରେ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝଲମଲ ହେଲା ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ, ମଝିରେ ୩୫ ଫୁଟ ଉଚ୍ଚତାର ଦେବଦେବ ମହାଦେବ

ଭୁବନେଶ୍ବର, ରୂପାନ୍ତରର ବା Transformation ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି। ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି।

୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ। ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର‌୍ୟ୍ୟକରଣ କାମ ଆରମ୍ଭ ହୋଇଥିଲା। ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଂକରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତୀ ଶୋଭା ପାଉଥିବା ବେଳେ ଚତୁର୍ପାଶ୍ବରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ବର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି। ଏହା ହେଉଛି ପରିବର୍ତ୍ତନ, Transformation. ରାମଲିଙ୍ଗେଶ୍ବର ଜଳାଶୟ ଓ ପାର୍କ ଆଜି ଗଂଜାମର ପର‌୍ୟ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋଭିଡ ସମୟରେ ଗଂଜାମର ଜନସାଧାରଣଙ୍କର ଦୃଢ ମନୋବଳର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମର ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଂଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର‌୍ୟ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟାୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର‌୍ୟ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂଗ ରୋଡ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ବ ରଖିଛି। ବ୍ରହ୍ମପୁର ତଥା ଗଂଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷ୍ଣ ନଜର ରଖିଛି ବୋଲି ମତଦେଇ ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଏହି ଅବସରରେ ଆୟୋଜିତ କାର‌୍ୟ୍ୟକ୍ରମରେ ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି  ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ଆଇନ କଲେଜର କିରାଣୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସ୍ପେଶାଲ୍ ୱାରେଣ୍ଟ୍ ବଳରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ କିରାଣି (ଡ଼ିଏଲ୍‌ଆର୍ ଟାଇପିଷ୍ଟ)ପ୍ରଶାନ୍ତ କୁମାର ନାୟକଙ୍କ ଗେଟ୍‌ବଜାରରେ ଥିବା ତିନିମହଲା କୋଠା, ବ୍ୟାଙ୍କ କଲୋନୀ ଚତୁର୍ଥ ଗଳିରେ ଥିବା ଦୁଇ ମହଲା କୋଠା, ଆସିକା ରୋଡ଼୍ ଗେଟ୍‌ବଜାରରେ ଥିବା ଦୁଇମହଲା ଗୋଦାମ ଘର, ବିଷ୍ଣୁନଗର ମୁଖ୍ୟରାସ୍ତାରେ ଭଡ଼ା ଦିଆଯାଇଥିବା ଗୋଦାମ୍‌, ଶ୍ରୀରାମନଗର ବୃନ୍ଦାବନ ହୋଟେଲ୍ ନିକଟରେ ଭଡ଼ା ଦିଆଯାଇଥିବା ଗୋଦାମ୍ ଉପରେ ଚଢ଼ାଉ ହୋଇଥିଲା।

ଚଢ଼ାଉ ପରେ ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଥିଲା। ଆଜି ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିର ପରିମାଣ ହିସାବ କରାଯିବା ସହ ଗିରଫ କରାଯାଇଛି। କିରାଣୀ ତଥା ଡ଼ିଏଲ୍‌ଆର୍ ଟାଇପିଷ୍ଟ ଭାବେ ପ୍ରଶାନ୍ତ ନାୟକ ୧୯୯୦ରୁ କାର୍ଯ୍ୟରତ ଥିବାବେଳେ ଏହି ସମୟରୁ ୩୦.୧୨.୨୦୨୦ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଆୟର ସ୍ରୋତର ହିସାବ କରାଯାଇଥିଲା। ଆଜି ତାଙ୍କର ୫୭ ଲକ୍ଷ ୩୮ହଜାର ୭୨୯ ଟଙ୍କାର ସଂପତ୍ତି ଆକଳନ ହୋଇଛି। ଉପରୋକ୍ତ ସମୟ ମଧ୍ୟରେ ସେ ୩୧ ଲକ୍ଷ ୩୪ହଜାର ଟଙ୍କାର ଆୟ କରିଥିବା ହିସାବ ଦେଖାଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ୧୮ ଲକ୍ଷ ୮୭ହଜାର ୭୩୫ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ବଳକା ୧ ଲକ୍ଷ ୪୪ହଜାର ୯୨ ହଜାର ୪୬୪ (୪୬୨%) ଅଧିକା ଟଙ୍କା ଅସାଧୁ ଉପାୟରେ ସେ ଆୟ କରିଛନ୍ତି ବୋଲି ପ୍ରମାଣିତ ହୋଇଥିଲା।

ତେଣୁ ଭିଜିଲାନସ କେସ ନଂ ୩୦/୩୧.୧୨.୨୦୨୦ ୟୁ/ଏସ୍ ୧୩(୨) ଆର୍‌/ଡ଼ବ୍ଲ୍ୟୁ ୧୩(୧)(ବି) ପିସି ଆକ୍ଟ ୨୦୧୮ ଅନୁସାରେ ମାମଲା ରୁଜୁ ହୋଇ ଗିରଫ କରାଯିବା ସହ କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି

Categories
ଆଜିର ଖବର ରାଜ୍ୟ ଖବର

ଲାବ୍ରେଟୋରୀ ସହାୟକଙ୍କ ଘରେ ଭିଜିଲାନସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ହେଲା ବ୍ରହ୍ମପୁର ଭିଜିଲାନସ ବିଭାଗ ସଂପୂର୍ଣ୍ଣ ଏକ୍ସନ ମୋଡ଼୍‌ରେ ଅଛି। ଗତକିଛି ଦିନ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାରିଚାରି ଜଣଙ୍କ ଘରେ ଭିଜିଲାନସ ଚଢ଼ାଉ ହେବା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଆଜି ମଧ୍ୟ ସେସ୍ପାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚିକିଟି କଲେଜରେ କାର୍ଯ୍ୟରତ ଲାବ୍ରୋଟରୀ ସହାୟକ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ସକାଳୁ ସକାଳୁ ଚଢ଼ାଉ ହୋଇଥିଲା।

ଅଧିକାରୀମାନେ ଏକକାଳୀନ ବ୍ରହ୍ମପୁର ଶ୍ରୀଟାୱାର ଷଷ୍ଠ ଫ୍ଲୋର୍‌ରେ ଥିବା ଫ୍ଲାଟ୍‌, ଗାନ୍ଧିନଗର ପଞ୍ଚମଗଳି ସ୍ପେକ୍ଟ୍ରମ କଲେଶନୀ ସରୋବର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ଭୁବନେଶ୍ୱର ବିଜେପି ନଗର ପ୍ରନଥ ଏନ୍‌କ୍ଲେଭ୍‌ରେ ଥିବା ଫ୍ଲାଟ୍‌, ଚିକିଟି ଗଡ଼ରେ ଥିବା ପୈତୃକ ଘର, ଚିକିଟି ଗଡ଼ରେ ଥିବା ଶ୍ୱଶୁର ଘର, ଚିକିଟି କଲେଜର ଅଫିସ୍ ଚାମ୍ବରରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରାୟ ଏକକୋଟିର ଉର୍ଦ୍ଧ୍ୱ ସ୍ଥାବର ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

ଶ୍ରୀଟାୱାର ଥିବା ଫ୍ଲାର୍ଟର ମୂଲ୍ୟ ୨୦ଲକ୍ଷ ୬୨ହଜାର ୫୪୭ ଟଙ୍କା, ସେକ୍ଟ୍ରମ କଲୋନୀ ସରବୋର ଆପାର୍ଟମେଣ୍ଟରେ ଥିବା ଫ୍ଲାଟର ମୂଲ୍ୟ ୧୨ଲକ୍ଷ ୫୦ହଜାର ୧୮୧ ଟଙ୍କା, ଭୁବନେଶ୍ୱର ବିଜେପି ନଗରରେ ଥିବା ଫ୍ଲାର୍ଟର ମୂଲ୍ୟ ୩୧ ଲକ୍ଷ ୧୦ହଜାର ୭୫୭ଟଙ୍କା, ୩ଟି ସ୍ଥାନରେ ଜାଗା, ଯାହାର ମୂଲ୍ୟ ୧୩ ଲକ୍ଷ ୭ହଜାର ୫୭୫ଟଙ୍କା, ଚିକିଟି ଗଡ଼ରେ ଥିବା ପୈତୃକ ଘର ଯାହାର ମୂଲ୍ୟ ୨୬ ଲକ୍ଷ ୨୫ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେହିପରି ଘର ପ୍ରସାଦ ସାମଗ୍ରୀ ଯାହାର ମୂଳ୍ୟ ୬ଲକ୍ଷ ୬୨ହଜାର ୭୨୩ ଟଙ୍କା, ନଗଦ ୨୦,୫୭୦ଟଙ୍କା, ୨ଲକ୍ଷ ୧୯ହଜାର ୨୨୯ ଟଙ୍କା ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୮ଲକ୍ଷ ୭୨୫୫ ଟଙ୍କାର ଡ଼ିପୋଜିଟ୍‌, ଆଇ-୧୦ କାର୍ ଯାହାର ମୂଲ୍ୟ ୪ଲକ୍ଷ, ହୋଣ୍ଡା ୟୁନିକନ୍ ଯାହାର ମୂଲ୍ୟ ୬୫ହଜାର, ହୋଣ୍ଡା ଏଭିଏଟର ଯାହାର ମୂଲ୍ୟ ୬୫ହଜାର, ଗୋଟିଏ ଟ୍ରିପର ଟ୍ରକ ଯାହର ମୂଲ୍ୟ ୧୩ ଲକ୍ଷ ୫୦ହଜାର ଟଙ୍କା, ଗୋଟିଏ ଟ୍ରାକ୍ଟର ଯାହାର ମୂଲ୍ୟ ୫ଲକ୍ଷ ୫୫ହଜାର ଟଙ୍କା। ମୋଟ ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

କୈଳାସ ଚନ୍ଦ୍ର ମହାନ୍ତି ୨୦୦୮ ମସିହାରେ ଲାବ୍ରୋଟରୀ ଆସିଷ୍ଟାଷ୍ଟ ରୂପେ କଣ୍ଟ୍ରାଚୁଆଲ୍‌ରେ ରହିଥିଲେ। ପରେ ୨୦୧୪ରେ ତାଙ୍କର ରେଗୁଲାର ହୋଇଥିଲା। ଅଧିକ ଅନୁସନ୍ଧାନ ଜାରି ରହିଥିବାବେଳେ କାଲି ମୋଟ ସଂପତ୍ତିର ଆକଳନ କରାଯିବ ବୋଲି ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପୁଣି ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପ୍ରତିହିଂସାପରାୟଣ, ଆକ୍ରମଣକାରୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ଜନୈକ ଇଲୋକ୍ଟ୍ରାନିକସ୍ ମିଡ଼ିଆ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ମନରୁ ନଯାଉଣୁ ପୁଣି ୨୫ ତାରିଖରେ ଅର୍ଗସ ନୁଉଜ୍‌ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ୨୫ ତାରିଖ ଦିନ ଅର୍ଗସ ନିଉଜର ବାଲେଶ୍ୱର ସୋର ପ୍ରତିନିଧି ସଂଜୟ କୁମାର ମହାଳିକ ଖବର ପରିବେଷଣ ପାଇଁ ବିଶେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ।

ଖବର ସଂଗ୍ରହ କରିବା ପାଇଁ ଭିଜୁଆଲ୍ ସଂଗ୍ରହ ବେଳେ ସେଠାରେ ମଦ ନିଶାରେ ଭୋଜିଭାତ କରୁଥିବା ବିଡ଼ିଓ ରଘୁନାଥ ପାଣିଗ୍ରାହୀ ଏବଂ ବିଡ଼ିଓଙ୍କ କର୍ମଚାରୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ସରକାରୀ ଗାଡ଼ି ଧରି ଅଫିସ୍ କାମ ଛାଡ଼ି ମଦ୍ୟପାନ କରି ଭୋଜି ଭାତରେ ମସଗୁଲ ରହିଥିଲେ ଅଧିକାରୀମାନେ। ଦୁର୍ବବ୍ୟହାର ପରେ ସାମ୍ବାଦିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ।

ଫଳରେ ବାଲେଶ୍ୱରର ସମସ୍ତ ସାମ୍ବାଦିକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାର ଦୃଢ଼ ପ୍ରତିବାଦ କରି ବ୍ରହ୍ମପୁର ପ୍ରେସ୍ କ୍ଲବ୍ ଏବଂ ଗଂଜାମ ଜିଲ୍ଲା ପ୍ରେସ୍ କ୍ଲବ୍ ତରଫରୁ ଦୋଷୀଙ୍କୁ ଗିରଫ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ପାଇଁ ପୁଣିଥରେ ଅର୍‌ଡ଼ିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକମାନେ ପ୍ରତିଟି କ୍ଷେତ୍ରରେ ଆକ୍ରୋଶର ଶିକାର ହେଉଛନ୍ତି।

ଓଡ଼ିଶାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନୁଆଁ ନୁହେଁ, ବାରମ୍ବାର ବିଭିନ୍ନ ବର୍ଗର ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି ଗଣମାଧ୍ୟମ ପ୍ରତିନଧି। ତେବେ ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ ସରକାର ନୀରବ। ତେବେ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବ୍ରହ୍ମପୁର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଥିଲେ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଭାପତି ଶିଶିର ପାଣିଗ୍ରାହୀ, ଗଂଜାମ ଜିଲ୍ଲା ପ୍ରେସ୍ କ୍ଳବ୍‌ର ସଂପାଦକ ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ପ୍ରକାଶ ପଟ୍ଟନାୟକ, ଅସିତ ପଣ୍ଡା, ରାଜୁ ସାହୁ, ଚିରଞ୍ଜିତ ରାଜଗୁରୁ, ବିଶ୍ୱନାଥ ମାରଣା, ସୁଦୀପ ସାହୁ, ପୀତାମ୍ବର ନାହାକ, ସମୀର ଆଚାର୍ଯ୍ୟ, ଜଗନ୍ନାଥ ସାହୁ, ନାଗର୍ଜୁନ ରାଓ, ବିଶାରଦ, ମୃତ୍ୟୁଞ୍ଜୟ, ସତ୍ୟଚେତନ ପରିଡ଼ା, ଅମର ଦାଶ, କପିଲ ପାଢ଼ୀ, ଦିନେଶ ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ବ୍ରହ୍ମପୁର ଦକ୍ଷିଣାଞ୍ଚଣ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏସିଆ ବୁକ୍ ରେକର୍ଡ଼ ଲକ୍ଷ୍ୟରେ ବ୍ରହ୍ମପୁରର ଦୁଇ କିଶୋର ଏବଂ ଶିଶୁ ଲେଖକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହରର ଦୁଇ କୃତି ପ୍ରତିଯୋଗୀ ସୌମ୍ୟଜିତ୍ ପଟ୍ଟନାୟକ (୧୩) ଏବଂ ସୋନିଆ ସାହୁ (୧୭) କରୋନା ସମ୍ବନ୍ଧୀତ ଦୁଇଟି ପୁସ୍ତକ ରଚନା କରିଛନ୍ତି। ସୌମ୍ୟଜିତ୍‌ଙ୍କ ରଚିତ ପୁସ୍ତକ “କୋଭିଡ଼୍ ୧୯ ଏ ବ୍ଲେସିଂ ଇନ୍ ଡ଼ିସ୍‌ଗ୍ୟୁସ” ଓ ସୋନିଆଙ୍କ ରଚିତ ପୁସ୍ତକ “ଦି ଗୁଡ଼୍‌, ଦି ବେଡ଼୍ ଆଣ୍ଡ ଦି ଅଗ୍‌ଲି” ଲାଇଫ୍ ଡ଼ିଉରିଂ ପାଣ୍ଡାମିକ୍ ରହିଛି।

ପାଞ୍ଚଦିନିଆ ଲେଖକ ପ୍ରତିଯୋଗିତାରେ ବରିଷ୍ଠ ଲେଖକ ଅଂଶୁମାନ ପାତ୍ରଙ୍କ ତତ୍ତ୍ୱାବଧାନରେ ସୌମ୍ୟଜିତ ଓ ସୋନିଆ ଅଂଶଗ୍ରହଣ କରି ମାତ୍ର ସାତଦିନରେ ନିଜ ନିଜର ପ୍ରଥମ କରୋନା ସମ୍ବନ୍ଧୀୟ ପୁସ୍ତକ ରଚନା କରିଛନ୍ତି। ଏହି ଦୁଇଟି ପୁସ୍ତକ ବର୍ତ୍ତମାନ ଆମାଜନ୍‌ରେ ଉପଲବ୍ଧ ହୋଇ ବେଷ୍ଟ ସେଲର ବୁକ୍‌ର ମାନ୍ୟତା ପାଇଛି।

ସେହିପରି ୟାସ୍ ତିୱାରୀ (୧୮) ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସର୍ବକନିଷ୍ଠ ଲେଖକର ମାନ୍ୟତା ପାଇଛନ୍ତି। ବର୍ତ୍ତମାନ ବ୍ରହ୍ମପୁର ସହରର ଏହି ଦୁଇ କୃତି ପ୍ରତିଯୋଗୀ ମଧ୍ୟ ଏସିଆ ବୁକ୍ ଅପ୍ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି। ସେମାନେ ଯଦି ସ୍ଥାନ ପାଆନ୍ତି ଏହା ବ୍ରହ୍ମପୁର ଓ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ହେବ।

ସୌମ୍ୟଜିତ ଡ଼ିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଥିବାବେଳେ ସୋନିଆ ଖଲିକୋଟ କଲେଜର ଯୁକ୍ତ ୨ ବିଜ୍ଞାନ ଶ୍ରେଣୀ ଛାତ୍ରୀ। ସୌମ୍ୟଜିତଙ୍କ ପିତା ସୁନିଲ ପଟ୍ଟନାୟକ ଅତିରିକ୍ତ ବିିଡ଼ିଓ ଥିବାବେଳେ ମା’ ବ୍ରହ୍ମପୁର ମେଡ଼ିକାଲ୍ କଲେଜର ଅତିରିକ୍ତ ପ୍ରଫେସର ଡା. ସଂଗୀତା ଦାସ ଅଟନ୍ତି। ସେହିପରି ସୋନିଆଙ୍କ ପିତା ମନୋଜ କୁମାର ସାହୁ ଓ ମା’ ଯାଜ୍ଞସେନୀ ସାହୁ ଅଟନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଜଣେ କ୍ରିକେଟ୍ ବୁକିଂ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛି ମାସ ମଧ୍ୟରେ ପୋଲିସ୍ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍ ବୁକିଂମାନଙ୍କୁ ୠିରଫ କରିବାରେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ଗୋଷାଣିନୂଆଗାଁ ପୋଲିସ୍ ପକ୍ଷରୁ ଆଉ ଜଣେ ବୁକିକୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଚାପଡ଼ା ଅଂଚଳର ସଂଜୀବ ବେହେରା (୨୭)।

ପୂର୍ବରୁ ଗତ ୩୦ ତାରିଖରେ ଆଇପିଏଲ୍ ବ୍ୟାଟିଂର ବେତାଜ ବାଦାଶାହା ବୁକି ଲାଲି ଏବଂ ତା’ର ସହଯୋଗୀକୁ ପୋଲିସ୍ ଗିରଫ କରି ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା। ଇତି ମଧ୍ୟରେ ସେମାନେ ଜାମିନରେ ଆସିଛନ୍ତି। ଏହାସହ କିିଛିଦିନ ତଳେ ଆଉ ଜଣେ ବୁକିକୁ ଭୁବନେଶ୍ୱର ଏୟାରପୋର୍ଟ ଏବଂ ବ୍ରହ୍ମପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଧିରେ ଧିରେ କ୍ରିକେଟ ବ୍ୟାଟିଂରେ ସାମିଲ ଥିବା ଲୋକଙ୍କ ମୁଳଦୁଆ ଉପୁଡ଼ିବା ଆରମ୍ଭ ହେଲାଣି। ଗିରଫ ଭୟରେ କିଛି ବୁକିଂ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଶୁଣିବାକୁ ମିଳିଛି। ସଂଜୀବ ବୁକି ଲାଲି ଆଚାରୀଙ୍କ ଲିଙ୍କରେ ଥିବା ଜଣାପଡ଼ିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୨ କରୋନା ଯୋଦ୍ଧାଙ୍କ ପରିବାର ପାଇଲେ ୫୦ ଲକ୍ଷ ଲେଖାଏଁ ସହାୟତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଯୁଦ୍ଧ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଣ୍ଡଳ କର୍ତ୍ତବ୍ୟ କରୁଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ଚିକିତ୍ସା ପରେ ୩୧.୪.୨୦ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ବ୍ରହ୍ମପୁର ବଡ଼ବଜାର ଥାନାରେ କାର୍ଯ୍ୟରତ ଥିବା କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଗତ ୧୦.୮.୨୦୨୦ ଦିନ ମୃତ୍ୟୁବରଣ କରିଥିଲେ।

ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ କାର୍ଯ୍ୟାଳୟରେ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ। କୃଷ୍ଣମଣ୍ଡଳଙ୍କ ସ୍ତ୍ରୀ ଅନିତା ମଣ୍ଡଳଙ୍କୁ ଏବଂ ଜିତେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୌଭାଗ୍ୟା କହଁରଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁର ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ତରଫରୁ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡ଼େପୁଟି ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢ଼ାଉ: ୨୭ଟି ପ୍ଲଟ୍ ଏବଂ ୪୦ ଲକ୍ଷର କ୍ରସର ମିଶିନ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ତିନିଦିନ ମଧ୍ୟରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇଜଣଙ୍କ ଘରେ ଚଢ଼ାଉ ହୋଇଛି। ଦୁଇଦିନ ପୂର୍ବରୁ କୋଟିପତି ଅଙ୍ଗନୱାନି ଘରେ ଚଢ଼ାଉ ହୋଇଥିବାବେଳେ ଗତକାଲି ଆର୍‌ଆଣ୍ଡଡ଼ି ଗୁଣପୁର ସବ୍‌ଡ଼ିଭିଜନର ଡ଼େପୁଟି ଏକଜ୍ୟୁକୁଟିଭ୍ ଇଂଜିନିୟର ଉଦ୍ଧବ ପାଢ଼ୀଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି।

ଗତକାଲି ସକାଳୁ ସକାଳୁ ସ୍ପେଶାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଉଦ୍ଧବଙ୍କ ବ୍ରହ୍ମପୁର କମାପଲ୍ଲୀ ଆର୍‌ସି ଲେନ୍‌ର ତିନିମହଲା କୋଠାଘରେ, ଗୁଣପୁର କାର୍ଯ୍ୟାଳୟର ଅଫିସ ରୁମ୍‌, ଗୁଣପୁରଠାରେ ଥିବା କ୍ୱାଟର ଏବଂ ଧରାକୋଟ ବ୍ଲକ୍‌ର ଦୁର୍ଗାମାଧବପୁରଠାରେ ଚାଲିଥିବା ତାଙ୍କ ପୁଅ କାହ୍ନୁଚରଣ ପାଢ଼ୀଙ୍କ ଷ୍ଟୋନ୍ କ୍ରସର ମିଲ୍ ଉପରେ ଚଢ଼ାଉ ହୋଇଛି। ଚଢ଼ାଉରେ ତାଙ୍କର ଅସ୍ଥାବର ଓ ସ୍ଥାବର ସଂପତ୍ତିର ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି।

ବ୍ରହ୍ମପୁର କମାପଲ୍ଲୀ ଆର୍‌ସିଲେନ୍‌ରେ ଥିବା ଘରର ମୂଲ୍ୟ ୪୩ ଲକ୍ଷ ୬ହଜାର, ପୁଅ କାହ୍ନୁଚରଣ ପାଢ଼ୀଙ୍କ ନାମରେ ଦୁର୍ଗାମାଧମପୁର ଗ୍ରାମରେ ବିଭିନ୍ନ ସ୍ଥାନରେ ଥିବା ତିନୋଟି ଜାଗା ଯାହାର ମୂଲ୍ୟ ୩ଲକ୍ଷ ୯୨ହଜାର ୭୭୦ ଟଙ୍କା, ସ୍ତ୍ରୀ ମଧୁମଂଜରୀ ପାଢ଼ୀ ନାମରେ ଥିବା ୫ଟି ଜାଗା, ପୁଅ ନାମରେ ଥିବା ୧୫ଟି ଜାଗା, ଅନ୍ୟ ପୁଅ ନାମରେ ଥିବା ୪ଟି ସମୁଦାୟ ୨୪ଟି ଜାଗାର ମୂଲ୍ୟ ୧୬ ଲକ୍ଷ ୭ହଜାର ୨୩୦ ଟଙ୍କା, କ୍ରସର ଫେକ୍ଟ୍ରିର ମୂଲ୍ୟ ୭ଲକ୍ଷ ୧୧ହଜାର ୫୬୨ ଟଙ୍କାର ସ୍ଥାବର ସଂପତ୍ତି ଠାବ କରାଯାଇଛି।

ସେହିପରି ଅସ୍ଥାବର ସଂପତ୍ତି ମଧ୍ୟରେ ଘରକରଣା ସାମଗ୍ରୀ ଯାହାର ମୂଲ୍ୟ ୧୧ଲକ୍ଷ ୭ହଜାର ୩୭୫, ଗୋଟିଏ ୫ଲକ୍ଷ ୫୦ହଜାର ୬୫୪ ଟଙ୍କାର କାର୍‌, ଗୋଟିଏ ରୟଲ୍ ଇନ୍‌ଫିଲ୍ଡ ଯାହାର ମୂଲ୍ୟ ୧ ଲକ୍ଷ, ଗୋଟିଏ ଷ୍ଟନ କ୍ରସର ମେସିନ୍ ଯାହାର ମୂଲ୍ୟ ୪୦ ଲକ୍ଷ, ସୁନା ଅଳଙ୍କାର ଏବଂ ଲକରରେ ରଖିବା ସୁନା ସମୁଦାୟ ୭୧୮ ଗ୍ରାମ ଯାହାର ମୂଲ୍ୟ ୨୦ଲକ୍ଷ ୬୨ହଜାର ୨୬୦ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ୩୨ ଲକ୍ଷ ୨ହଜାର ୦୬୮ ଟଙ୍କା, ନଗଦ ୨ଲକ୍ଷ ୯୫ହଜାର ୭୦ ଟଙ୍କା, ଫେକ୍ଟ୍ରି ମଧ୍ୟରେ ରଖାଯାଇଥିବା ଚିପ୍‌ସର ମୂଲ୍ୟ ୩୦ ହଜାର ଟଙ୍କା। ୭୦ଲକ୍ଷ ୧୭ହଜାର ୫୬୨ ସ୍ଥାବର ଓ ୧ କୋଟି ୧୩ ଲକ୍ଷ ୪୭ହଜାର ୪୩୦ ଅସ୍ଥାବର, ଏହିପରି ସମୁଦାୟ ୧ କୋଟି ୮୩ ଲକ୍ଷ ୬୪ହଜାର ୯୯୨ ଟଙ୍କାର ସଂପତ୍ତି ଠାବ କରାଯାଇଛି।

ଶ୍ରୀ ପାଢ଼ୀ ଗତ ୧୯୯୧ରେ ଜୁନିୟର ଇଂଜିନିୟର ଭାବେ କାର୍ଯ୍ୟରମ୍ଭ କରିଥିଲେ। ବର୍ତ୍ତମାନ ସେ ରାୟଗଡ଼ା ଗୁଣପୁର ଆର୍‌ଆଣ୍ଡବି ଡ଼ିଭିଜନ-୨ରେ ଡ଼େପୁଟି ଏକଜିକୁଟିଭ୍ ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ସମସ୍ତ ସଂପତ୍ତିର ମୋଟ ଆକଳନ କରାଯାଉଥିବା ବେଳେ ଗତକାଲି ସମସ୍ତ ସଂପତ୍ତିର ପରିମାଣ ଏବେ କେତେ ସେ ଅୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ତାହା ଜଣାପଡ଼ିବ ବୋଲି ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି କର୍ମୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ସମୁଦାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଠାବ କରାଯାଇଥିଲା। ମୋଟ ସଂପର୍ତ୍ତି ଆୟ-ବ୍ୟୟକୁ ବାଦ୍ ଦେଲେ ଅଧିକା ୨୯୫ ପ୍ରତିଶତ ଆୟ କରିଥିବାରୁ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ କୋର୍ଟଚାଲଣ କରାଯାଇଥିଲା।

ଜାମିନ ଅଭାବରୁ ଜେଲ୍ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନୱାଡ଼ି କର୍ମୀ। ଭିଜିଲାନସ ଏସ୍‌ପିଙ୍କ ସୂଚନା ପ୍ରକାରେ ଗତ ୨୭.୧୧.୧୯୯୦ରୁ ୨୨.୧୨.୨୦୨୦ ମଧ୍ୟରେ ସେ ବିଭିନ୍ନ ଆୟ ବାବଦରେ ୭୪ଲକ୍ଷ ୬୩ ହଜାର ୧୯୫ ଟଙ୍କା ଆୟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ୬୨ ଲକ୍ଷ ୭୯ହଜାର ୮୬୪ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି  । କିନ୍ତୁ ତାଙ୍କର ସଂପତ୍ତିର ପରିମାଣ ୨ କୋଟି ୩୨ ଲକ୍ଷ ୨୯ହଜାର ୯୧୬ ରହିଥିବାବେଳେ ଖର୍ଚ୍ଚକୁ ବାଦ୍ ଦେଇ ଅଧିକା ୨ କୋଟି ୨୦ ଲକ୍ଷ ୪୬ହଜାର ୫୮୫ (୨୯୫%) ପ୍ରତିଶତ ଆୟ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଅଙ୍ଗନୱାଡ଼ି କର୍ମୀ: ୨ କୋଟିର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବଡ଼ ବଡ଼ ଅଧିକାରୀଙ୍କ ଉପରେ ଚଢ଼ାଉ ହୋଇ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବାବେଳେ ଆଜି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଘରୁ ଦୁଇକୋଟି ଟଙ୍କାର ସଂପତ୍ତି ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

ଆଜି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ସକାଳୁ ସକାଳୁ ସେ ରହୁଥିବା ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ପ୍ରଥମ ଗଳି ସାହିର ତିନିମହଲା ଘର, ଏହି ସାହିରେ ଥିବା ଦୁଇମହଲା କୋଠାଘର, ଗଣେଶ ନଗରରେ ଥିବା ଘର, ଗୌତମ ନଗର ଶ୍ରୀ ଏନକେଭ୍‌ରେ ୨ ବିଏଚ୍‌କେ ପ୍ଲାଟ୍‌, ଭୁବନେଶ୍ୱର ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାର ଫ୍ଲାଟ୍‌, ସିଟି ହସ୍‌ପିଟାଲ୍ ପଛଭାଗ ଦଳୁଆ ସାହିରେ ଥିବା ଘର ଏବଂ ସେ କାର୍ଯ୍ୟ କରୁଥିବା ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ମୋଟ ସଂପତ୍ତିର ପରିମାଣ ଦୁଇକୋଟିରୁ ଉର୍ଦ୍ଧ୍ୱ ଆକଳନ କରାଯାଇଛି।

ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ସାହିର ତିନିମହଲା ଘରର ମୂଲ୍ୟ ୮୩ଲକ୍ଷ ୪୪ହଜାର ୩୪୮ ଟଙ୍କା, ସେହି ସାହିର ଦୁଇମହଲା ଘରର ମୂଲ୍ୟ ୨୨ଲକ୍ଷ ୧୩ହଜାର ୪୦୦ ଟଙ୍କା, ଗଣେଶ ନଗରରେ ଥିବା କୋଠାର ମୂଲ୍ୟ ୧୧ଲକ୍ଷ ୬୩ହଜାର ୦୮୮ ଟଙ୍କା, ଗୌତମ ନଗର ଫ୍ଲାଟର ମୂଲ୍ୟ ୪୫ ଲକ୍ଷ ୨୧ହଜାର ୮୦୦ ଟଙ୍କା, ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟର ମୂଲ୍ୟ ୨୭ ଲକ୍ଷ ୬୮ହଜାର ଟଙ୍କା, ଲକ୍ଷ୍ମୀନୃସିଂହ ସାହି ୧୨ ଗଳିରେ ଥିବା ଘରର ମୂଲ୍ୟ ୫ଲକ୍ଷ ୨୮ହଜାର ୨ଶହ ଟଙ୍କା, ୦.୦୦୧୫ ଡ଼େସିମିଲ୍ ଗୋଟିଏ ପ୍ଲଟ୍ ଯାହାର ମୂଲ୍ୟ ୧୮୦୦ ଟଙ୍କା, ସମୁଦାୟ ୧ କୋଟି ୯୫ ଲକ୍ଷ ୪୦ହଜାର ୬୩୬ ସ୍ଥାବର ସଂପତ୍ତି ରହିଛି। ସେହିଭଳି ଅସ୍ଥାବର ସଂପତ୍ତି ମଧ୍ୟରେ ୩ଲକ୍ଷ ୩୫୦ ଟଙ୍କାର ଘର ଉପକରଣ, ଇଣ୍ଡିଗୋ କାର୍ ଯାହାର ମୂଲ୍ୟ ୬ଲକ୍ଷ ୧୯ହଜାର ୭୪୬ ଟଙ୍କା, ଗୋଟିଏ ହିରୋ ମେଷ୍ଟୋ ସ୍କୁଟି ଯାହାର ମୂଲ୍ୟ ୪୯ ହଜାର ୬୧୪ ଟଙ୍କା, ଛତୁଆ ତିଆରି କରିବା ମେସିନ୍ ଯାହାର ମୂଲ୍ୟ ୪ ଲକ୍ଷ ୭୦ ହଜାର ଟଙ୍କା, ୨୮୭୨ ନଗଦ ଟଙ୍କା, ୩ ଲକ୍ଷ ୩୪ ହଜାର ୩୫୩ ଟଙ୍କା ସୁନା ଏବଂ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୧୨ ଲକ୍ଷ ୭୯ହଜାର ୭୬ଟଙ୍କା, ସମୁଦାୟ ଅସ୍ଥାବର ସଂପତ୍ତି ୩୦ ଲକ୍ଷ ୫୬ହଜାର ୧୧ ଟଙ୍କା।

ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଶାଇଲେ ସମୁଦାୟ ୨କୋଟି ୨୫ ଲକ୍ଷ ୯୬ହଜାର ୬୪୭ ଟଙ୍କାର ସଂପତ୍ତି ଠାବ କରାଯାଇଛି। ନମିତା ଦଳେଇ ୧୯୯୦ ମସିହାରେ ଅଙ୍ଗନୱାଡ଼ି କର୍ମୀ ଭାବେ ଚାକିରି ପାଇଥିବାବେଳେ ସେ ଏତେ ଟଙ୍କାର ଅଧିକାରୀ କିପରି ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିିତ କରିଛି।

ତେବେ ନମିତା କହିଛନ୍ତି ଏହି ସବୁ ତାଙ୍କର ସଂପତ୍ତି ନାହିଁ। ସବୁ ସଂପତ୍ତି ତାଙ୍କ ସ୍ୱାମୀଙ୍କର ଏବଂ ସେ ସ୍ୱର୍ଗବାସ ହେବା ପରେ ସବୁ ସଂପତ୍ତି ତାଙ୍କ ନିକଟକୁ ଆସିଛି। ତେବେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ବିଭାଗ କହିଛି। ତଦନ୍ତ ପରିସରକୁ ବ୍ୟାପକ କଲେ ଏହି ଦୁର୍ନୀତିରେ ଲିପ୍ତ ବଡ଼ ବଡ଼ ମାଛମାନେ ମଧ୍ୟ ଲୋକଲୋଚନକୁ ଆସିପାରିବେ।

Categories
ଆଞ୍ଚଳିକ

ଶୀତଦିନିଆ ମେଡ଼ିସିନ୍ ରିପ୍ରେଜେଣ୍ଟେଟିଭ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ସମସ୍ତ ମେଡ଼ିସିନ୍ ସେଲସ୍ ରିପ୍ରେଜେଣ୍ଟେଟିଭ୍‌ମାନଙ୍କୁ ନେଇ ଆଜିଠାରୁ କେସି ହାଇସ୍କୁଲ ପଡ଼ିଆରେ ଶୀତଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବ୍ରିକମ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟିତ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଜେଡ଼ି ସଂପାଦକ ସୁବାସ ମହାରଣା ଯୋଗ ଦେଇଥିଲେ।

ମ୍ୟାଚଗୁଡ଼ିକ କେବଳ ଚାରୋଟି ରବିବାର ଯଥା ୨୦.୧୨.୨୦୨୦ ଠାରୁ ୭.୧.୨୦୨୧ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ସମୁଦାୟ ୪ଟି ଦଳ(ଚମ୍ପିୟାନ ୧୧, ରାଇଜିଂ ଷ୍ଟାର, ରୟାଲ ୧୧, କୁଲ କିଙ୍ଗ) ଭାଗ ନେଉଛନ୍ତି।

ଆଜି ପ୍ରଥମ ରବିବାରରେ ଦୁଇଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚ ଚମ୍ପିୟାନ-୧୧ ସହ ରାଇଜିଂ-୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ରାଇଜିଂ ଟସ୍ ଜିତି ନିର୍ଦ୍ଧାରିତ ୧୫ ଓଭର୍‌ରେ ୧୫୦ କରିଥିବାବେଳେ ଚମ୍ପିୟାନ-୧୧, ୧୫୪ ରନ୍ କରି ବିଜୟୀ ହୋଇଥିଲେ। ଦଳ ପକ୍ଷରୁ ବିଶ୍ୱ ପଣ୍ଡା ସର୍ବାଧିକ ୧୧୦ ରନ କରି ବିଜୟୀ କରାଇଥିଲେ।

ଦ୍ୱିତୀୟ ମ୍ୟାଚ କୁଲ କିଲର ସହ ରୟାଲ୍-୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୟାଲ୍-୧୧, ନିର୍ଦ୍ଧାରିତ ଓଭର୍‌ରେ ୧୪୨ ରନ କରିଥିବାବେଳେ କୁଲକିଲର ରନ୍ ପିଛା କରି ୧୪୪ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ସଂଗ୍ରାମ ଧୂଆଁଦାର ୩୦ ଟି ବଲ୍‌ରେ ୬୦ ରନ୍ କରି ବିଜୟୀ କରାଇଥିଲେ।

ମ୍ୟାଚକୁ ଅମ୍ପାୟାର ଭାବେ ଚକ୍ରଧର ପରିଚାଳନା କରିଥିବାବେଳେ ସ୍କୋରର ଭାବେ ରବି କୁମାର ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସ୍ରୁର ବିଏନ୍ ସାହୁ, ମୁଖ୍ୟ ଆୟୋଜକ ସୂର୍ଯ୍ୟ ନାରାୟଣ ପରିଡ଼ା ଆୟୋଜନ କରିଥିଲେ। ସ୍ୱେଚ୍ଛାସେବୀ ଭାବେ ଈଶ୍ୱର, ଭୂଜଙ୍ଗ, ଆନନ୍ଦ, ନୀଳା, ଭବାନୀ, ଶ୍ରୀନିବାସ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ଲାଗି ପିପୁଲ୍ ଫର ପବ୍ଲିକ ତରଫରୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସମ୍ପ୍ରତି ପ୍ରାଣୀ ମାନଙ୍କର ସୁରକ୍ଷା, ଚିକିତ୍ସା ଓ ଲାଳନ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କିମ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ତାହା କାର୍ଯ୍ୟକାରୀ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ବ୍ରହ୍ମପୁରଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ମୌଳିକ ସେବା ମାନ ବନ୍ଦ ରହିଛି। ଯାଦ୍ବାରା ବ୍ରହ୍ମପୁରର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଯେଉଁମାନେ ଗୃହପାଳିତ ପଶୁ ରଖିଛନ୍ତି, ସେହି ପଶୁମାନଙ୍କ ରୋଗ ବ୍ୟାଧି ହେଲେ କିମ୍ବା ରାତିରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ରେଗୁଲାର ପ୍ରାଣୀ ଚିକିତ୍ସକ ଓ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ପୋଷ୍ଟିଂ ହୋଇନାହାନ୍ତି। ସେପରି ରାଜରାସ୍ତାରେ ବୁଲି ଜୀବନ ବିତାଉଥିବା ପ୍ରାଣୀମାନଙ୍କର ସମ ଦଶା ହେଉଛି। ପ୍ରାଣୀ ଚିକିତ୍ସା ପାଇଁ ହେଲ୍ପଲାଇନ ରାଜ୍ୟ ସରକାର ୨୦୧୭-୧୮ ରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଲାଗୁ କରିଥିଲେ ମଧ୍ୟ ସନ୍ଧ୍ୟା ଛଅଟା ପରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାଦ୍ଵାରା ପ୍ରାଣୀ ମାନେ ଦୁର୍ଘଟଣା କିମ୍ବା ବିପଦପୂର୍ଣ୍ଣ ପରିସ୍ଥିତିରେ ପଡିଲେ ଅଗ୍ନି ସେବା ବିଭାଗର ସାହାଯ୍ୟ ଲୋଡିବାକୁ ପଡୁଛି। ଯାହା ନିୟମ ବର୍ହିଭୂତ ଅଟେ।

ସେପରି ଦୁର୍ଘଟଣା କିମ୍ବା କୌଣସି ରୋଗରେ ପ୍ରାଣୀମାନେ ଆକ୍ରାନ୍ତ ହେଲେ, ସେମାନଙ୍କ ରେଗୁଲାର ଚିକିତ୍ସା କରିବା ପାଇଁ କୌଣସି ଇଣ୍ଡୋର ଚିକିତ୍ସାଳୟର ସୁବିଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନାହିଁ। ତେଣୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା, ରେଗୁଲାର ପ୍ରାଣୀ ଚିକିତ୍ସକ ନିଯୁକ୍ତି ଓ ଚବିଶି ଘଣ୍ଟିଆ ଟୋଲ ଫ୍ରି ହେଲ୍ପଲାଇନ ସହ ଆବଶ୍ୟକ ଭିତ୍ତିଭୂମି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୃଷ୍ଟି କରିବା ପାଇଁ ପିପୁଲ୍ ଫର ପବ୍ଲିକ ତରଫରୁ ପଶୁପାଳନ ଓ ଡାୟରୀ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ଦାବି ପତ୍ର ପିପୁଲ ଫର ଦି ପବ୍ଲିକ୍ ର ସଭାପତି ଡ଼ଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ରାଉଳ, ଉପଦେଷ୍ଟା ଶିଶିର ପାଣିଗ୍ରାହୀ, ମିଡ଼ିଆ କୋଡିନେଟର ବିଶ୍ବନାଥ ମହାରଣା, ଯୁବ କୋଡିନେଟର ଦିନେଶ ପଟ୍ଟନାୟକ, ଅଞ୍ଜଳି ମହାନ୍ତି, ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସହରରେ ସକ୍ରିୟ ଲୁଟେରା: ପୁଣି ଛାତ କଣା କରି ଲୁଟିଲେ ସୁନା ଦୋକାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସେହି ପୁରୁଣା ପ୍ଲାନ, ସେମିତି ଢ଼ଂଗରେ ଆଜି ଆଉ ଗୋଟିଏ ବଡ଼ ସୁନା ଦୋକାନକୁ ଲୁଟ୍ କରିଛନ୍ତି ଲୁଟେରାମାନେ। ଗତ ଅକ୍ଟୋବର ୩୦ ତାରିଖରେ ବଡ଼ବଜାର ବିକାଶ ଜୁଏଲର୍ସର ଲୁଟ୍ ଘଟଣାର କିଛି ଦିନ ବ୍ୟବଧାନ ପରେ ଆଜି ପୁଣି ଲୁଟେରାମାନେ ବଡ଼ବଜାର ଅଂଚଳର କେଶବ ଜୁଏଲର୍ସକୁ ଟାର୍ଗେଟ୍ କରି ଲୁଟ୍ କରିଛନ୍ତି। ଏହି ଘଟଣାରେ ପୋଲିସ୍‌ର ହାତ ଖାଲିଥିବାବେଳେ ଆଜିର ଘଟଣା ବ୍ରହ୍ମପୁର ପୋଲିସ୍‌ର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି।

ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଗଂଜାମ ଜୁଏଲର୍ସ ଏସୋସିଏସନ୍‌ର ସଭାପତି ତଥା କେଶବ ଜୁଏଲର୍ସ ମାଲିକ ପି. ସତ୍ୟନାରାୟଣ ସେନାପତି ତାଙ୍କ ବଡ଼ବଜାରରେ ଥିବା ଦୋକାନ ଖୋଲିବା ବେଳେ ଦୋକାନରୁ ସୁନା ଗହଣା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଦୋକାନ ମଧ୍ୟରେ ଥିବା ତିନୋଟି କାଉଣ୍ଟରର ଡ଼୍ର ଭଂଗା ଯାଇ ସେଥିରେ ଥିବା ୪୦୦ ଗ୍ରାମ ସୁନା ଅଳଙ୍କାର, ୧ଲକ୍ଷ ୩୦ ହଜାର ନଗଦ ଟଙ୍କା ଲୁଟ୍ ହୋଇଥିଲା। ଲୁଟେରାମାନେ ଗତ ରାତିରେ ଛାତ ଉପରକୁ ଦୋକାନ ମଧ୍ୟକୁ ପ୍ରବେଶ କରି ଏହି ଲୁଟ୍ କରିବାରେ ସଫଳ ହୋଇଛନ୍ତି।

ଖବରପାଇ ବଡ଼ବଜାର ପୋଲିସ୍ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସଂପୂର୍ଣ୍ଣ ରୂପେ ଅନୁସନ୍ଧାନ କରିଥିଲେ। ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ଅତିଶୀଘ୍ର ଲୁଟେରାମାନେ ଧରାପଡ଼ିବେ ବୋଲି ଏସ୍‌ପି କହିଛନ୍ତି। ଦୋକାନା ମାଲିକଙ୍କ ଶ୍ରୀ ସେନାପତିଙ୍କ ଅଭିଯୋଗରେ ବଡ଼ବଜାର ଥାନା କେସ ନଂ ୨୫୯/୨୦୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି।

ଲୁଟେରାମାନେ ବାରମ୍ବାର ସହରର ସୁନା ଦୋକାନକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରୁଥିବାରୁ ସୁନା ବ୍ୟବସାୟୀମାନେ ବର୍ତ୍ତମାନ ଭୟଭୀତ ହୋଇପଡ଼ିଛନ୍ତି। କିଛିଦିନ ତଳେ ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଂଚଳରୁ ଲୁଟ୍ କରୁଥିବା ଲୁଟେରାଙ୍କୁ ପୋଲିସ୍ ଧରିବା ପରେ ମଧ୍ୟ ବିକାଶ ଜୁଏଲର୍ସ ଘଟଣାର ପର୍ଦ୍ଦାଫାସ ହୋଇପାରିନଥିଲା। ତେବେ ଏତେ ସୁରକ୍ଷିତ ଥିବା କେଶବ ଜୁଏଲର୍ସରୁ ଚୋରମାନେ କିଭଳି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟଚକିତ କରିଛି। ଦୋକାନର ଉପର ମହଲାରେ ଥିବା ଏକ ୯ ଇଞ୍ଚର ଭେଣ୍ଟିଲେସନ୍‌ରେ ଦିଆଯାଇଥିବା ୨୦ ଏମ୍‌ଏମ୍ ଲୁହାରଡ଼୍‌କୁ କାଟି ଅଳ୍ପ ଜାଗାରେ ସେମାନେ ଭିତରେ ପଶି ଏହି ଲୁଟ୍ କରିଥିଲେ। ସିସି ଟିଭି ଫୁଟେଜ୍‌କୁ ମଧ୍ୟ କିଛି ପରିମାଣରେ ନଷ୍ଟ ସେମାନେ କରିଛନ୍ତି। ଲକ୍‌ରରେ ଥିବା ସୁନାକୁ ସେମାନେ ଲୁୁଟ୍ କରିପାରିନାହାନ୍ତି।

ତେବେ ଏହି ଲୁଟ୍ ଘଟଣାରେ କିଛି ପରିଚିତ ଲୋକ ସାମିଲ୍ ଥିବା ପୋଲିସ୍ ଅନୁମାନ କରୁଛି। କାରଣ ଯେଉଁ ଢ଼ଂଗରେ ଲୁଟ୍ ହୋଇଛି ଏହାର ଏକ ବ୍ଲିୁ ପ୍ରିଣ୍ଟ ପୂର୍ବରୁ ନିଶ୍ଚୟ ପ୍ରସ୍ତୁତ କରାଯାଇଥିବ। ତେବେ କେତେ ଦିନ ମଧ୍ୟରେ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରୁଛି ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ରାଜ୍ୟ ଖବର

ସହରସାରା ହାଟ! ବାଦ ପଡ଼ିଲାନି ବାବୁମାନଙ୍କ ଦପ୍ତର..! ସାଧାରଣ ରାସ୍ତାକୁ ପଚାରେ କିଏ?

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର‌: ବେପାରୀଙ୍କ ପାଇଁ କୌଣସି ଶାସନ ନାହିଁ କି ଦଣ୍ଡ ନାହିଁ। ସହର ସାରା ଯିଏ ଯେଉଁଠି ଯେମିତି ସ୍ଥାନଟିଏ ପାଇଛି ପସରା ମେଲାଇ ବେପାର କରିବ ଏପରି ଦୃଶ୍ୟ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି।

ମହାନଗର କମିଶନରଙ୍କ ହାତରେ ଏ ସହରର ସବୁ ଶୃଙ୍ଖଳା ବ୍ୟବସ୍ଥା ହେଲେ ଯେଉଁ ବିଶୃଙ୍ଖଳା ଚରିତ୍ରଙ୍କ ପାଇଁ ସହରବାସୀ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହେବା ନିହାତି ଚିନ୍ତାର ବିଷୟ। ବ୍ରହ୍ମପୁର ରଜପଥ କେବଳ ବାଦ ପଡ଼ୁନି ବରଂ ସହରର ଆଇନ ଶୃଙ୍ଖଳାକୁ ଟ୍ରାଫିକ୍ ସୁଧାରିବାର ସରକାରୀ ବାବୁଙ୍କ ଦପ୍ତର ଆଗରେ ମଧ୍ୟ ରୁଣ୍ଡ ହୋଇ ଯେଉଁ ପ୍ରକାର ବେପାରୀମାନେ ଦୈନିକ ହାଟ ବସାନ୍ତି ଏହାକୁ ନେଇ ସରକାରୀ ବାବୁ ପୋଲିସ୍ ଅଧିକାରୀ ମଧ୍ୟ ନିଷ୍କ୍ରିୟତା ପ୍ରକାଶ କରୁଛନ୍ତି।

ବ୍ରହ୍ମପୁର ସହର ସାରା ହାଟର ଭ୍ରମ। ସକାଳୁ ସକାଳୁ ରାଜପଥ ପାଶ୍ୱର୍ରେ ଜଳଖିଆ ଦୋକାନ, ପାଚିଲା ଫଳ, ସବୁଜ ପନିପରିବା ସମ୍ଭାର ସୂଚାଇ ଦିଏ ଏଠାରେ କିଏ କାହାକୁ ଖାତିର କରିବାର ନା ଗନ୍ଧ ନାହିଁ। ମହାନଗର ବ୍ରହ୍ମପୁର କହୁଛି ଆମେ ଯୋଗୁଁ ସହର ସ୍ୱଚ୍ଛତା ଓ ପରିବେଶ ସଫାସୁତୁରା। ପୋଲିସ୍ କହୁଛନ୍ତି ଆମ ପାଇଁ ଟ୍ରାଫିକ୍ ରାସ୍ତାଘାଟ। କିନ୍ତୁ ବେପାରୀ ମାଳ ମାଳ ବସି ରାତିରୁ ରାତି ଯାଏଁ କେଉଁ ଗଳାବାଟ ଦେଇ ସାହସ କରି ପଥରୋଧ କରୁଛନ୍ତି ଏହା ପ୍ରଶ୍ନ ତିଆରି କରିବା ସ୍ୱାଭାବିକ।

ବଡ଼ ଅସ୍ୱାଭାବିକ ଚରିତ୍ରଙ୍କ ଆଡ୍ଡା ଜମିଛି ସହରରେ। ବଡ଼ବଡ଼ ଆଇଏଏସ୍ ଅଫିସରଙ୍କ ହାତରେ ସହର ସରସ ସୁନ୍ଦର ସ୍ୱଚ୍ଛ ହେବ ନାହିଁ। ବରଂ ନିଷ୍ଠାପର କର୍ତ୍ତବ୍ୟନିଷ୍ଠ ପ୍ରଶାସନ ଆବଶ୍ୟକ। କମାପଲ୍ଲୀରୁ ଗଜପତିନଗର, ଇଂଜିନିୟରିଂ ସ୍କୁଲ ଛକ, ଗେଟ୍‌ବଜାରରୁ ସିଟି ହସ୍ପିଟାଲ୍‌, ଗିରି ମାର୍କେଟ ଛକରୁ ଗିରିଜା ଛକ, ବିଜିପୁର ଷ୍ଟେସନ ରୋଡ଼୍‌ରୁ ନେହେରୁ ପାର୍କ ଦେଇ ଯେଉଁ ଦୃଶ୍ୟ ରାତି ପାହିଲେ ପୁଟି ଉଠୁଛି ସବୁ ଆଇନ୍ ରାସ୍ତା ଟ୍ରାଫିକ୍ ବ୍ୟବସ୍ଥାକୁ ଫୁ କରି ବେପାରୀଙ୍କ ପାଇଁ ସହରର ପ୍ରତିପଥ ଯେପରି ଗୋଟିଏ ଗୋଟିଏ ହାଟ ଓ ସଉଦାର ଖୋଲା ବଜାର।

ଏପରି କାହିଁକି ଓ କେତେଦିନ। କେବେ ଚେତିବ ମହାନଗର ନିଗମ। ପନିପରିବା ବେପାରୀଙ୍କ ପାଖରେ ଗାଡ଼ି ଥୋଇ ପନିପରିବା କିଣୁଥିବା ମଣିଷଙ୍କୁ ଦେଖି ପିସିଆର୍ ଭେନ୍‌ରେ ବସିଥିବା ପୋଲିସ୍ ବାବୁ ମଧ୍ୟ ନୀରବ। ପଛଗେଟ୍ ଦେଇ କିଛି ପରିବା ବୋଝ ଥୋଇ ଦେଲେ ତୁନିପଡ଼ନ୍ତି ପୋଲିସ୍ ବୋଲି ଚର୍ଚ୍ଚା। ଏହାକୁ ନେଇ ପ୍ରଶ୍ନ କେବଳ ଉଠୁନି ବର୍ତ୍ତମାନ ବ୍ରହ୍ମପୁର ସତେ ଯେମିତି ଅଭିଭାବକ ଶୂନ୍ୟ। ସ୍ୱଚ୍ଛତାର ଦ୍ୱାହିି ଦେଇ ସମ୍ମାନ ଗୋଟାଇ ଆସୁଥିବା ମହାନଗର ପ୍ରଶାସନକୁ ଲଜା ଲାଗିଲା ଭଳି ଚିତ୍ର ଫୁଟି ଉଠୁଛି।

ସ୍ୱଚ୍ଛତାର ଆଳ ଦେଖାଇ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସହରରେ ଡ଼୍ରେନ୍ ଉପରେ ଖାଦ୍ୟ ଥୋଇ ଗରାଖଙ୍କୁ ସନ୍ତୁଷ୍ଟ କରୁଥିବା ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେବନି। ସବୁ ଡ଼୍ରେନ୍ ଉପରେ ଠେଲାଗାଡ଼ି ଅସ୍ଥାୟୀ ଘର ଟେକି ହୋଟେଲ୍ ବେପାରୀଙ୍କ ରାଜୁତି ଚାଲିଛି। ଅଥଚ କାର୍ଯ୍ୟାନୁଷ୍ଠାନ ନାହିଁ। ମୋ ସହର ମୋ ସରକାରର ଏଜେଣ୍ଡାରୁ ବାଦ ଦେଇ ସହରରେ ସ୍ୱଚ୍ଛତାର ପରିକଳ୍ପନା ସମ୍ଭବ ନୁହେଁ। ବଡ଼ବଡ଼ କଥା କହି ରାଜନେତା ଜନପ୍ରତିନିଧି କେତେ ଲୁଟିଲେ କେତେ ଭଣ୍ଡିଲେ କେତେ ଠକିଲେ ତାର ତାଲିକା ଲମ୍ବା।

ଏଇ ସହରରେ ରାହାଗିରି ପଥ ଉତ୍ସବ ଚାଲିଥିଲା। ଆଜିର ନେତାମାନେ ସେଇ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ସଦୟ ମହାନଗର ମଧ୍ୟ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ଇଭେଣ୍ଟ ସଂସ୍ଥାକୁ ଉପକୃତ କରିଲା। ହେଲେ ସହରର ପାଶ୍ୱର୍ଚିତ୍ରରେ ରାଜନୀତି ଓ ପ୍ରଶାସନର ପ୍ରକୃତ ଚରିତ୍ରଙ୍କ ଦାୟିତ୍ୱହୀନ ରାଜୁତି ଆଜି ଫୁଟି ଉଠୁଛି। କହିବାକୁ ଗଲେ ବ୍ରହ୍ମପୁର ସହରର ମହାନଗର ଅପାରଗତାର ଶୀର୍ଷରେ ଥାଇ ମଧ୍ୟ ସମ୍ମାନ ଓ ସମ୍ବର୍ଦ୍ଧନାର ପାତ୍ର ଏହା ସମ୍ମାନକୁ ମଧ୍ୟ ଅପମାନ ଏବଂ ଜନସାଧାରଣଙ୍କ ଭାବାବେଗ ସହ ଖେଳ ବୋଲି କୁହାଯିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମେଡ଼ିକାଲ୍ ସମ୍ମୁଖରେ କୋଭିଡ଼୍ ଯୋଦ୍ଧାଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ କଲେଜ ହସ୍‌ପିଟାଲ୍ ମୁଖ୍ୟରାସ୍ତା ନିକଟରେ କୋଭିଡ଼୍ ଡ଼୍ୟୁଟିରେ ନିୟୋଜିତ ଥିବା ଷ୍ଟାଫ୍‌ନର୍ସମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ସେମାନଙ୍କ କହିବା କଥା ସରକାର ବର୍ତ୍ତମାନ ୬୭୦୦ ଷ୍ଟାଫ୍‌ନର୍ସ ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାର କରିଛନ୍ତି।

ସେହି ପରିପ୍ରେକ୍ଷୀରେ ଏମ୍‌କେସିଜିରେ ମଧ୍ୟ ପଦବୀ ପୂରଣ କରାଯିବ। କିନ୍ତୁ ଏମାନେ ଦୀର୍ଘ ୯ ମାସ କାଳ କରୋନା ଡ଼୍ୟୁଟି କରୁଥିବା ଯୋଗୁଁ ଏମାନଙ୍କୁ ପ୍ରଥମେ ବିଚାରକୁ ନିଆଯାଇ ଚାକିରି ସ୍ଥାୟୀ କରାଯାଉ। ଏହି ବିଷୟ ନେଇ ସେମାନେ ସୁପରିଟେଣ୍ଡଣ୍ଟ୍‌ଙ୍କୁ ମଧ୍ୟ ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ କରୋନା ସମୟରେ ମାସିକ ଭତ୍ତା ହିସାବରେ ଏମାନଙ୍କୁ ସରକାର ବିଭିନ୍ନ ହସ୍‌ପିଟାଲ୍‌ଗୁଡ଼ିକରେ ନିଯୁକ୍ତି ଦେଇଥିଲେ। କିନ୍ତୁ କରୋନାର ପ୍ରକୋପ କମିବା ପରେ ଏମାନଙ୍କୁ ଛଟେଇ କରାଯିବା ସହ ସ୍ଥାୟୀ ନିଯୁକ୍ତିର କୌଣସି ପ୍ରତିଶ୍ରୁତି ଦେଲେ ନାହିଁ। ସେମାନେ ଦିନରାତି ଏକକରି କରୋନା ରୋଗୀଙ୍କ ସେବା କରିଥିବାବେଳେ ବର୍ତ୍ତମାନ ପରୀକ୍ଷା ଦେଇ ଚାକିରିରେ ନିଯୁକ୍ତି କରିବା ପରିସ୍ଥିତିରେ ନାହାନ୍ତି।

କେତେକ ଷ୍ଟାଫନର୍ସ ବିଭିନ୍ନ ସ୍ଥାନରୁ ଚାକିରି ଛାଡ଼ି ଆସି ସ୍ଥାୟୀ ନିଯୁକ୍ତି ଆଶାରେ ଏଠାରେ କାମ କରୁଥିବାବେଳେ ସରକାର ସମସ୍ତଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରି ନିଯୁକ୍ତି ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ତେଣୁ ସେମାନଙ୍କୁ ପ୍ରଥମେ ଚୟନ କରାଯାଉ ବୋଲି ଦାବି କରି ଆଜି ନୀରବ ପ୍ରତିବାଦ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ସଂଗଠନ ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦିଲ୍ଲୀରେ ସଂଘର୍ଷରତ କୃଷକମାନଙ୍କ ଆନ୍ଦୋଳନ ପ୍ରତି ସଂହତି ଜଣାଇ ବ୍ରହ୍ମପୁର ସ୍ଥିତ କମାପଲ୍ଲୀ ଛକ ଠାରେ ଓଡ଼ିଶା କୃଷକ ସଭା, ସିଟୁ, କ୍ଷେତ ମୁଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା।

ଦିଲ୍ଲୀରେ ସଂଘର୍ଷରତ କୃଷକ ମାନଙ୍କର ଆନ୍ଦୋଳନକୁ ଦମନ କରିବା ବନ୍ଦ କର, ମୋଦି ସରକାରଙ୍କ କୃଷି ଓ କୃଷକ ସର୍ବନାଶକାରୀ କୃଷି ଆଇନ ୨୦୨୦ ପ୍ରତ୍ୟାହାର, କୃଷକ ଓ ଜନବିରୋଧୀ ନୂତନ ବିଦ୍ୟୁତ ଆଇନ ରବ୍ଦ କର, କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ବାତିଲ କର, ପ୍ରାଇଭେଟ୍ ମଣ୍ଡି ଆଇନ ରବ୍ଦ କରିବା, କୃଷକମାନଙ୍କ ଏକକାଳୀନ ଋଣ ଛାଡ଼ କରିବା ଇତ୍ୟାଦି ରହିଛି। କୃଷକମାନଙ୍କ ଦବାିକୁ ଗ୍ରହଣ କରିବା ପରିବର୍ତ୍ତେ କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି ନିନ୍ଦା କରାଯାଇଛି।

ଏଥିରେ ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ପଂଚାନନ ଜେନା, ଯୁଧିଷ୍ଠିର ସାହୁ, କୃଷ୍ଣ ନାୟକ, ଚିଟି ବାବୁ, ପୁରୁଷୋତ୍ତମ ସାହୁ, ଶିଶିର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।

Categories
ଆଞ୍ଚଳିକ

ଫ୍ରେଡ଼ରିକ୍ ଏଙ୍ଗେଲସ୍‌ଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମାର୍କସ୍‌ବାଦର ମହାନ୍ ରୂପକାର, କାର୍ଲମାର୍କସ୍‌ଙ୍କ ସାତ୍ତ୍ୱିକ ବନ୍ଧୁ ଏବଂ ମହନ୍ ଦାର୍ଶନିକ ଫ୍ରେଡ଼୍‌ରିକ୍ ଏଙ୍ଗେଲସ୍‌ଙ୍କର ୨୦୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ସଭା ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍‌ଲା କମିଟି ତରଫରୁ ବ୍ରହ୍ମପୁର ସ୍ଥିତ ଶହୀଦ୍ ଲକ୍ଷ୍ମଣ ନାୟକ କମ୍ୟୁନିଟ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ଜିଲ୍ଲା ସଂପାଦକ କୈଳାସ ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ। ପାର୍ଟିର ରାଜ୍ୟ ସଂପାଦକ ଅଳି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଜିକାର ଦିନରେ ମାର୍କ ଓ ଏଙ୍ଗେଲସ୍‌ଙ୍କ ତତ୍ତ୍ୱର ପ୍ରାସଙ୍ଗିକତା ସଂପର୍କରେ ଶ୍ରମିକ ଶ୍ରେଣୀ ଅଧିକ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କହିଥିଲେ। ପୁଂଜିବାଦୀ, ସାମ୍ରାଜ୍ୟବାଦୀ ଶୋଷଣର ବିଲୋପ ଘଟାଇବାକୁ ହେଲେ ଶ୍ରମିକ ଶ୍ରେଣୀକୁ ସଚେତନତାର ସହ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ପାର୍ଟିର ଜିଲ୍ଲା ନେତୃବୃନ୍ଦ ଯୁଧିଷ୍ଠିର ବେହେରା, ରାମଚନ୍ଦ୍ର ନାୟକ, ବସନ୍ଦ ନନ୍ଦ, ବିଦ୍ୟାଧର ଜେନା, ଦିଲୀପ ଛୋଟରାୟଙ୍କ ସମେତ ଶତାଧିକ କର୍ମୀ ଏହି ଆଲୋଚନାରେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆଆଡ୍ଡା ଚଢ଼ାଉ: ୧୪ ଜୁଆଡ଼ି ଗିରଫ ହେବା ସହ ୯ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମାର ପୂର୍ଣ୍ଣିମା ଶେଷ ହୋଇଯାଇଥିଲେ ମଧ୍ୟ ଅଭ୍ୟାସଗତ ଜୁଆଡ଼ିମାନେ ସେମାନଙ୍କ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଅଭ୍ୟାସଗତ ଜୁଆଡ଼ିମାନେ ବିଭିନ୍ନ ନିକାଞ୍ଚନ ସ୍ଥାନ, କୋଠଘର, ହୋଟେଲ୍‌, ପଡ଼ିଆରେ ଜମା ହୋଇ ଜୁଆଖେଳ ଖେଳୁଛନ୍ତି। ଏହାଦ୍ୱାରା ସେମାନେ ସର୍ବସ୍ୱନ୍ତ ହେବା ସହ ପରିବାର ଲୋକେ ମଧ୍ୟ ଦାଣ୍ଡର ଭିକାରୀ ସାଜୁଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି ସନ୍ଧ୍ୟା ସମୟରେ ଧର୍ମନଗରରେ ଚଢ଼ାଉ କରି ୧୪ଜୁଆଡ଼ିକୁ ଗିରଫ କରିବା ସହ ୯ ଲକ୍ଷ ୨୯ ହଜାର ଟଙ୍କା ଜବତ ହୋଇଛି।

ସୂଚନାଯୋଗ୍ୟ ଧର୍ମନଗର ଅଂଚଳରେ ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଥାନାଧିକାରୀ ସୁରେଶ ତ୍ରିପାଠୀ ଖବରପାଇ ଚଢ଼ାଉ କରିଥିଲେ। ଅତର୍କିତ ଚଢ଼ାଉରେ ଜୁଆଡ଼ିମାନେ ପୋଲିସ୍ ହାବୁଡ଼ରେ ପଡ଼ିବା ସହ ୯ଲକ୍ଷ ୨୯ ହଜାର ଟଙ୍କା, ୧୦୪ଟି ତାସ୍ କାଟା, ଜରିପାଲ ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଭିନ୍ନ ଦାବି ନେଇ କୃଷକ ସଂଗଠନର ଶାନ୍ତିପୂର୍ଣ୍ଣ ରାସ୍ତାରୋକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଆଜି କୃଷକ ସଂଗଠନମାନଙ୍କ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଛକଠାରେ ଶାନ୍ତିପୂର୍ଣ୍ଣ ରାସ୍ତାରୋକ ଅନୁଷ୍ଠିତ ହୋଇଥିଲା। କୃଷି ଏବଂ କୃଷକ ଧ୍ୱଂସକାରୀ କୃଷି ଆଇନ ୨୦୨୦ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ, ନୂତନ ବିଦ୍ୟୁତ ଆଇନ ୨୦୨୦ ରବ୍ଦ କରିବା, ଘରୋଇ ମଣ୍ଡି ଆଇନକୁ ରବ୍ଦ କରି ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା, ଡ. ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଆଳୁ-ପିଆଜ ସମେତ ଅନ୍ୟାନ୍ୟ ନିତ୍ୟବିବହାର୍ଯ୍ୟ ଜିନିଷର ଦରବୃଦ୍ଧି ହ୍ରାସ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା, ଚାଷୀର ଋଣଛାଡ଼ କରିବା ପ୍ରଭୃତି ଦାବି କରି ୧ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିବାକୁ ପୋଲିସ୍ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ପ୍ରତିବାଦ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ଆନ୍ଦୋଳନରେ ଓଡ଼ିଶା କୃଷକ ସଭା ଗଂଜାମ ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ସଂପାଦକ ବସନ୍ଦ ନନ୍ଦ, ବିଜୟ ବିଷୋୟୀ, ବାବୁଲା ନାୟକ, ଯୁଧିଷ୍ଠିର ବେହେରା, ନିରଞ୍ଜନ ଗୌଡ଼, କୃଷ୍ଣମୂର୍ତ୍ତି ପାତ୍ର, ପ୍ରକାଶ ନାହାକ, ଶତ୍ରୁଘ୍ନ ପ୍ରଧାନ, ଅପୁଲୁ ସ୍ୱାମୀ ଏବଂ ଏଆଇକେଏସ୍ ଜିଲ୍ଲା ନେତା ରଙ୍କନାଥ ସ୍ୱାଇଁ, ସୁଦର୍ଶନ ସ୍ୱାଇଁ, ନୀଳକଣ୍ଠ ଦାସ, ଗୁରୁନାଥ ପ୍ରଧାନ, ଏସ୍ କ୍ରିଷ୍ଣା ରେଡ୍ଡୀ, ପ୍ରଶାନ୍ତ ପଣ୍ଡା ଓ ଏଆଇକେଏମ୍‌ଏସ୍ ଜିଲ୍ଲା ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସନ୍ତୋଷ ଗୌଡ଼ ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ।