Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କବାଟ ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅଂଚଳ ବର୍ତ୍ତମାନ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଏଠାରେ କୌଣସି ନାଁ କୌଣସି ଅଘଟଣର ସୂଚନା ମିଳୁଥିବାବେଳେ ଗତ ସପ୍ତାହ ମଧ୍ୟରେ ଏହା ଚରମ ସୀମାରେ ପହଞ୍ଚିଛି।

ସପ୍ତାହ ମଧ୍ୟରେ ଦୁଇଦୁଇଟି ହତ୍ୟା, ଡ଼ାକ୍ତରଙ୍କ ଆକ୍ରମଣ, ଆଇନଶୃଙ୍ଖଳା ଠିକ୍ ନଥିବାରୁ ରାସ୍ତାରୋକ ଆଦି ଘଟଣା ଘଟିବାରେ ଲାଗିଛି। ସଦ୍ୟ ଘଟଣାକ୍ରମେ ଏହି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମରୁ ଗତରାତିରେ କବାଟ ଭାଙ୍ଗି ଜନୈକ ବ୍ୟକ୍ତିଙ୍କ ଘରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ମଧ୍ୟରାତ୍ର ସମୟରେ ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମର ରଘୁନାଥ ମଠସାହିରେ ରହୁଥିବା ସୀମାଞ୍ଚଳ ସାମଲଙ୍କ ଘରର ପଛପଟ କବାଟ ଭାଙ୍ଗି ପଶିଥିଲେ । ଘର ମଧ୍ୟରେ ଥିବା ତିନି ତିନିଟା ଆଲମିରା ଭାଙ୍ଗି ପ୍ରାୟ ଦୁଇଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫୦ହଜାର ନଗଦ ଟଙ୍କା ଏବଂ ରୂପା ସାମଗ୍ରୀ ଚୋରି କରି ନେଇଯାଇଥିଲେ। ପରେ ଏନେଇ ସଦରଥାନାରେ ଅଭିଯୋଗ ହେବା ପରେ ଥାନା କେସ ନଂ ୬୩/୨୧ରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ତେବେ ଗତକାଲି ଘରର ମୂରବି ସୀମାଞ୍ଚଳ ଘରେ ନଥିବା ବେଳେ ଘରେ କେବଳ ତାଙ୍କର ବୋହୂ ରହୁଥିଲା। ଏହାର ସୁରାକ୍ ପାଇ ଚୋରମାନେ ଘରେ କଳାକନା ବୁଲାଇଥିବା ଆଶଙ୍କା କରାଯାଉଛି। ତେବେ ସଦରଥାନା ଅଂଚଳରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ନହେବାରୁ ଦିନକୁ ଦିନ ଏଭଳି ଘଟଣାମାନ ଘଟିବାରେ ଲାଗିଛି।

Categories
ଆଞ୍ଚଳିକ

ଏ.ବି.ଭି.ପି ରାଜ୍ୟ ସହ ସଂଯୋଜକ ହେଲେ ବାଲିକୁଦାର ଭବରଞ୍ଜନ

ରମେଶ ମହାନ୍ତି
ଜଗତସିଂହପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୪୫ତମ ରାଜ୍ୟ ଅଧିବେଶନ ମାର୍ଚ୍ଚ ୬, ୭ ଦୁଇଦିନ ଧରି ବ୍ରହ୍ମପୁରରେ ହୋଇଥିଲା। ଏହି ଅବସରରେ ୨୦୨୧-୨୦୨୨ ର ନୂଆ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାନେତ୍ରୀ ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଭବରଞ୍ଜନ ବେହେରା (ଆକାଶ) ଙ୍କୁ ରାଜ୍ୟ ସହ ସଂଯୋଜକ ଭାବେ ରାଜ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି।

ଭବରଞ୍ଜନଙ୍କ ଘର ବାଲିକୁଦା ବ୍ଲକ ରାହଣ ପଞ୍ଚାୟତରେ। ସେ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ରାଜନୀତି ବିଭାଗ ସମ୍ନାନରେ ପଢିଲା ବେଳେ ବିଦ୍ୟାର୍ଥୀ ପରିଷଦ ପାଇଁ କାର୍ଯ୍ୟ କରି ଆସୁଥିଲେ। ସେ ୨୦୧୮ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଲୋକପ୍ରଶାସନରେ ସ୍ନାତକ କରୁଛନ୍ତି।

ବର୍ତ୍ତମାନ ସେ ବାଣୀବିହାରର କ୍ୟାମ୍ପସ ୟୁନିଟ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଶ୍ୱର ସର୍ଵବୃହତମ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ରାଜ୍ୟ ସହ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲାର ଛାତ୍ର ଛାତ୍ରୀ ସମେତ ବାଣୀବିହାରର ଛାତ୍ର ଛାତ୍ରୀଙ୍କ ତରଫରୁ ଅନେକ ଶୁଭେଚ୍ଛା ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିନ ଦ୍ୱିପ୍ରହରରେ ଡ଼ାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନାରେ ବଢ଼ିଚାଲିଛି ଅରାଜକତା। ଦିନକୁ ଦିନ ଚୋରି ଡ଼କାୟତି ବଢ଼ୁଥିବା ସ୍ଥଳେ ପୋଲିସ୍‌ର ପେଟ୍ରୋଲିଂ ଅଭାବ ଯୋଗୁଁ ଏହିଭଳି ଘଟଣା ଘଟୁଛି ବୋଲି ଅଂଚଳରେ ଥିବା ବୁଦ୍ଧିଜୀବୀ ତଥା ସାଧାରଣରେ ଚର୍ଚ୍ଚା ହେଉଛି। ଆଜି ଏକ ଅଭାବନୀୟ ଘଟଣା ଯାହାକି ଅତି ନିନ୍ଦନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସହରର ଜଣେ ଜଣାଶୁଣା ଆୟୁର୍ବେଦ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ନିଜ ଗାଡ଼ି ସହ ଘରକୁ ଫେରୁଥିବାବେଳେ ରାସ୍ତାରେ ଦୁଇଜଣ ଦୁବୃର୍ତ୍ତଙ୍କ ସହିତ ସାମାନ୍ୟ ବଚସା ହୋଇଥିଲା। ଯାହାକି ଦୁଇଟି ପିଲା ବିନା ହେଲ୍‌ମେଟ୍‌ରେ ଅତି ଦ୍ରୁତଗତିରେ ଗାଡ଼ି ଚଳାଇ ଡ଼ାକ୍ତରଙ୍କ ସମ୍ମୁଖକୁ ଆସିଯାଇଥିଲେ। ଡ଼ାକ୍ତର ଭୟଭୀତ ହୋଇ ଗାଡ଼ି ଅଟକାଇ ସେମାନଙ୍କୁ ଆକଟ କଲେ ଯେ ବିନା ହେଲ୍‌ମେଟ୍‌ରେ ଏତେ ଦ୍ରୁତଗତିରେ ଗାଡ଼ି ଚଳାଇବା ଠିକ୍ ନୁହେଁ। ଏହା ହିଁ ଥିଲା ତାଙ୍କର ଭୁଲ୍।

ଦୁଇ ଯୁବକ ଲୋଚପଡ଼ା ବିଶ୍ୱକର୍ମା ସାହିର ଅରୁଣ ମହାଙ୍କୁଡ଼ ଏବଂ ସହଦେବ ବେହେରା ବୋଲି ଜଣାପଡ଼ିଛି। ଏହି ଦୁଇଜଣ ସାଗରଙ୍କ ଗାଡ଼ିକୁ ପିଛା କରି ଗାଳିଗୁଲଜ କରି ତାଙ୍କ ଘର ପାଖକୁ ଯାଇଥିଲେ। ସେଠାରେ ତାଙ୍କ ଘର କାଳୁଆ ନଗର ସମ୍ମୁଖରେ ଗାଡ଼ିକୁ ଅଟକାଇ ଡ଼ାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାକି ତାଙ୍କ ସ୍ତ୍ରୀ ଦେଖିବା ମାତ୍ରେ ସଂଗେ ସଂଗେ ଆସି ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଅରୁଣ ଏବଂ ସହଦେବ ବିଭିନ୍ନ ଅଶ୍ଳିଳ ଭାଷାରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଗାଳି କରିବା ସହ ଡ଼ାକ୍ତରଙ୍କୁ ମାଡ଼ ମାରିଥିଲେ।

ଏହି ସମୟରେ ଡ଼ାକ୍ତରଙ୍କ ଝିଅ ଦୁଇ ଦୁବୃର୍ତ୍ତଙ୍କ ଫଟୋ ଉତ୍ତୋଳନ କରୁଥିବା ଯୋଗୁଁ ଅତି ସହଜରେ ଚିହ୍ନଟ ହୋଇପାରିଲା। ଉକ୍ତ ଘଟଣାକୁ ନେଇ ଡ଼ାକ୍ତର ସାଗର ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ ରତ୍ନମଂଜରୀ ତ୍ରିପାଠୀ ଉଭୟେ ସଦରଥାନା ଅଂଚଳରେ ଥିବା ନିମଖଣ୍ଡି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଡ଼କାଇଥିବା ସୂଚନା ମିଳିଛି।

ଏଠାରେ ସୂଚନାଥାଉକି ଗୋଟିଏ ଭଦ୍ର, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରତି ଦିନ ଦ୍ୱିପ୍ରହରରେ ଏହିଭଳି ଯଦି ମରଣାନ୍ତକ ଆକ୍ରମଣକୁ ସହରର ବୁଦ୍ଧିଜୀବୀ ଏବଂ ଅଂଚଳବାସୀ ତୀବ୍ର ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କୁ କୋଠରରୁ କଠୋର ଦଣ୍ଡ ଦେବା ସହ ଅଂଚଳରେ ପେଟ୍ରୋଲିଂ ଜାରି ରଖିବା ପାଇଁ ପୋଲିସ୍ ପାଖରେ ଅଂଚଳବାସୀ ଦାବି ଜଣାଇଛନ୍ତି।

ଉକ୍ତ ଦୁଇ ଯୁବକ ଦ୍ୱୟ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଏବଂ ଜେଲ୍ ଫେରନ୍ତା। ଡ଼ାକ୍ତର ଜଣକ ନିଜ ପରିବାର ସହ ରହୁଥିବାବେଳେ ସେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି। ତେଣୁ ପୋଲିସ୍ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଇଭେଣ୍ଟ ସଂସ୍ଥା ହାତରେ ବ୍ରହ୍ମପୁର ହର୍ବାଲ ମେଳା: ପ୍ରଶାସନ ଏଠି କଟ୍‌ପୁତ୍‌ଲୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ହର୍ବାଲ ମେଳାର ଭାଗ୍ୟ ଓ ଭବିଷ୍ୟତ ଲେଖିବାରେ ଓଡ଼ିଶା ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ତତ୍ପରତା, ଆଗ୍ରହ, ଉତ୍ସାହ ସବୁ କିଛିକୁ ଧୂଳିସାତ୍ କରି ନିଜ ଇଚ୍ଛାରେ ନିଜେ ସବୁକିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଚାଲିଛି ଇଭେଣ୍ଟ ସଂସ୍ଥା।

ଏଇ ଇଭେଷ୍ଟ ସଂସ୍ଥା ବ୍ରହ୍ମପୁର ହର୍ବାଲ ମେଳା ଆରମ୍ଭ ଦିନଠାରୁ ଅର୍ଥାତ୍ ୨୦୦୮ ରୁ ୨୦୨୧ ଭିତରେ ସର୍ବାଧିକ ଥର ଆୟୋଜନ କରି ବାହା ବାହା ନେଇ ଉପରସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇ ଆସି ସେଇ ସମାନ ତରିକାରେ ଆୟୋଜକ ଭାବରେ ଭେଟି ଦେଇ ଚାଲୁଛି ଯାହାବି ଅନେକ ପ୍ରଶ୍ନ ବଳୟରେ ରାଜ୍ୟ ଜଂଗଲ ଓ ପରିବେଶ ବଭାଗ ଛନ୍ଦି ହେବା ସ୍ୱାଭାବିକ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଏଇ ମେଳାର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ରାଜ୍ୟ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ସବୁ ବ୍ୟବସ୍ଥା ଭୁବନେଶ୍ୱରରୁ ନିୟନ୍ତ୍ରିତ ହୁଏ।

ଏଣୁ ଇଭେଣ୍ଟ ସଂସ୍ଥା ପାଇଁ ବାଟ ପରିଷ୍କାର ଏବଂ ବ୍ରହ୍ମପୁରରେ ସେ ସବୁବେଳେ ଆୟୋଜନ ହେବାର ସୌଭାଗ୍ୟ ଅର୍ଜନ କରିବା ସ୍ୱାଭାବିକ। ଜଂଗଲ ପରିବେଶ ବିଭାଗର ଅତୀତରୁ ଅଜି ଯାଏ ହର୍ବାଲ ମେଳା ବ୍ରହ୍ମପୁର ସାରା ରାଜ୍ୟରେ ଭଲ ପ୍ରଦର୍ଶନ କରି ଆସିଛି। ଏହି ଅଂଚଳରେ ଆୟୁର୍ବେଦର ଲୋକପ୍ରିୟତା ହିଁ ଏହାର ପ୍ରମାଣ। ତେଣୁ ଜଡ଼ିବୁଟି ଔଷଧ ବିକ୍ରୟ କରି ଆସୁଥିବା ବୈଦ୍ୟମାନେ ଭଲ ପଇସା ରୋଜଗାର କରି ଫେରିଯାଆନ୍ତି ଏବଂ ବ୍ରହ୍ମପୁରବାସୀ ମଧ୍ୟ ପ୍ରତିବର୍ଷ ଏଇ ମେଳାକୁ ବୁଲି ଆସି ଖୁସୀ।

ସବୁ ପଛରେ ଆୟୋଜନର ଭୂମିକା ଥିଲେ ମଧ୍ୟ ତା’ର କେତେକ ଅରୁଚିକର କଥା ମଧ୍ୟ ପଦାକୁ ଆସିଛି। କାରଣ ଦିନେ ଅଭୟକାନ୍ତ ପାଠକ ପରି ଦୁର୍ନୀତିଖୋର ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସୁଧାଂଶୁ ମିଶ୍ର, ଆଶିଷ ବେହେରା ମଧ୍ୟ ହର୍ବାଲ ମେଳାର ଅଧ୍ୟକ୍ଷ ରହି ଏଇ ଇଭେଣ୍ଟ ସଂସ୍ଥା ଦ୍ୱାରା ଉପକୃତ ହୋଇଛନ୍ତି। ଇଭେଣ୍ଟ ସଂସ୍ଥା ରେସପନସକୁ ଉତ୍ସାହିତ କରୁଥିବା ସେଇ ଚରିତ୍ରମାନଙ୍କ ମଧ୍ୟରୁ ଅନେକ ଭିଜିଲାନସ୍‌ର ସ୍କାନରରେ ଏବଂ କାହାର ଚାକିରି ଯାଇଛି ତ କିଏ ଜେଲ୍‌ରେ।

ଆଜି ଯେତେବେଳେ ବ୍ରହ୍ମପୁର ହର୍ବାଲ ମେଳା ମହାମାରୀ ସମୟରେ ସିଟି ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି, ଇଭେଣ୍ଟ ସଂସ୍ଥାର କର୍ମକର୍ତ୍ତାଙ୍କ ଆଚରଣ ଏବଂ ବ୍ୟବସ୍ଥା ସବୁ ଔଦ୍ଧତ୍ୟର ପରିପ୍ରକାଶ ଯାହାକି ପୂର୍ବ ପଦାଧିକାରୀଙ୍କ ଦ୍ୱାରା ଏଇ ସଂସ୍ଥା ଭୁବନେଶ୍ୱରରୁ ବଳପାଇ ବଳୀୟାନ୍। କେଉଁ ଆଧାରରେ ବ୍ରହ୍ମପୁର ବନଖଣ୍ଡ ବିଭାଗ ନିଜ ହାତକୁ ଆୟୋଜନ ଦାୟିତ୍ୱ ନ ନେଇ ସବୁବେଳେ ସେଇ ସମାନ ଇଭେଣ୍ଟ ସଂସ୍ଥାକୁ କାର୍ଯ୍ୟ ଦେଉଛି ବୋଲି ପ୍ରଶ୍ନ ପଚାରାଗଲେ କୌଣସି ସଂସ୍ଥା ମିଳୁନାହାନ୍ତି ବୋଲି କହି ସୁବିଧାରେ ଖସି ପଳାଇବା ବାହାନା ନୁହେଁ ତ?

ବ୍ରହ୍ମପୁର ହର୍ବାଲ ମେଳାରେ ଆୟୁର୍ବେଦ ଡ଼ାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି। ବହୁ ସରକାରୀ ଆୟୁଷ ଡ଼ାକ୍ତର ଆସନ୍ତି ଏଇ ମେଳାକୁ କିନ୍ତୁ ଏମାନଙ୍କ ପ୍ରତି ଉଚିତ ସମ୍ମାନ ଦେବାରେ ଉଭେଣ୍ଟ ସଂସ୍ଥା ନିଜର ନୈତିକ ଦାୟିତ୍ୱ ଭୁଲିଯାଉଛି। ଏମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଏ, କିନ୍ତୁ ପ୍ରମାଣପତ୍ର ମଧ୍ୟ ଇଭେଣ୍ଟ ସଂସ୍ଥା ହିଁ ଧାର୍ଯ୍ୟ କରେ। ଏହାଠାରୁ ବିଡ଼ମ୍ବନା କ’ଣ ବୋଲି କିଛି ଡ଼ାକ୍ତର କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଆଲୋଚନା ଚକ୍ରକୁ ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାର ବୁଦ୍ଧିଜୀବୀ, ଡ଼ାକ୍ତର, ଶିକ୍ଷାବିତ୍‌, ପରିବେଶବିତ୍ ଆସି ବକ୍ତବ୍ୟ ପ୍ରଦାନ କରନ୍ତି। ଏମାନଙ୍କ ପାଇଁ ଆକର୍ଷଣ ହର୍ବାଲ ମେଳା ବହୁଗୁଣିତ। ଅଥଚ କାର୍ଯ୍ୟକ୍ରମକୁ ସୁନ୍ଦର କରୁଥିବା ବ୍ୟକ୍ତିବିଶେଷଙ୍କ ନାମ ମଧ୍ୟ ନିମନ୍ତ୍ରଣ ପତ୍ରରେ ନଥାଏ। ଏହା ସେମାନଙ୍କ ବ୍ୟକ୍ତିତ୍ୱ ପ୍ରତି ଅସମ୍ମାନ ନୁହେଁକି?

ଗତକାଲି ପ୍ରଥମଥର ପାଇଁ ସହରରେ ଏଭଳି କାର୍ଯ୍ୟକ୍ରମ ସହରବାସୀ ଦେଖିଲେ ଯେଉଁ ମଂଚରେ ୪ ଜଣ ବରିଷ୍ଠ ଆଇଏଏସ୍ ଅଫିସର ବସିଥିଲେ କିନ୍ତୁ ସେମାନଙ୍କୁ ମଧ୍ୟ ଉଚିତ ସମ୍ମାନ ଦେଲା ନାହିଁ ଇଭେଣ୍ଟ ସଂସ୍ଥା। ସାଂସଦ, ବିଧାୟକଙ୍କ ସମେତ ନିମନ୍ତ୍ରିତ ଆଇଏଫ୍‌ଏସ୍‌, ଆଇଏଏସ୍ ଅଫିସରଙ୍କ ବେକରେ ଯେଉଁ ଗାମୁଛା ପକାଇ ଦିଆଗଲା, ଫୁଲତୋଡ଼ାର ଦାମଠାରୁ ମଧ୍ୟ ତାହା କମ୍।

ଏଣୁ ମଂଚରୁ ଫେରିଗଲା ବେଳେ ଜଣେ ଆଇଏଏସ୍ ଅଫିସର ମଧ୍ୟ କ୍ଷୋଭ ପ୍ରକାଶ କରି ଫୁଲତୋଡ଼ା ଓ ଗାମୁଛା ଖଣ୍ଡିକ ଥୋଇ ଦେଇ ଚାଲିଗଲେ। ଏଇ ମେଳାରେ ପ୍ରତିଦିନ ବୁଲି ଆସୁଥିବା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଦିଗ ପ୍ରତି ଧ୍ୟାନ ଦେଇ କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ତଥା ଅନୁଶାସନକୁ ମାନିବାକୁ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ କଠୋର ନିର୍ଦ୍ଦେଶ ରହିଛି। ଏପରିକି ପ୍ରଥମଥର ପାଇଁ ସିସି ଟିଭି ନଜରରେ ସବୁ କାର୍ଯ୍ୟକ୍ରମ ଚାଲିଛି। ଯଦି ସାମାନ୍ୟ ତ୍ରୁଟି ରହିବ, ଜିଲ୍ଲା ପ୍ରଶାସନ ମୁଣ୍ଡକୁ ଯିବ। ଏଣୁ ଇଭେଣ୍ଟ ସଂସ୍ଥା ପ୍ରତି ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ସହରବାସୀ ସ୍ୱାଗତ କରିଛନ୍ତି।

ସବୁ ଅବ୍ୟବସ୍ଥା ଭିତରେ ବ୍ୟବସ୍ଥାକୁ ସଜାଡ଼ୁଥିବା ଏମିତି କିଛି ଜଣେ ଦୁଇ ଜଣଙ୍କ ପାଇଁ ହିଁ ଏଇ ହର୍ବାଲ ମେଳାର ଆକର୍ଷଣ ରହିଛି। ସେମାନଙ୍କ ପ୍ରତି ମଧ୍ୟ ଉଚିତ୍ ମୂଲ୍ୟ ମିଳୁଛି କି ନାହିଁ ଜାଣିନୁ କିନ୍ତୁ ଏତିକି ଜାଣିଛୁ ସେମାନଙ୍କ ନିଷ୍ଠା ଆନ୍ତରିକ ଉଦ୍ୟମରୁ ମାତ୍ର ହାତଗଣତି ଲୋକଙ୍କ ପାଇଁ ହର୍ବାଲ ମେଳା ସଫଳ ଇଭେଣ୍ଟ ସଂସ୍ଥା ବେକରେ ପଡ଼ିଯାଏ ଫୁଲମାଳ। ଏହା ଏକ ବିଡ଼ମ୍ବନା ନୁହେଁ ତ କ’ଣ?

ବ୍ରହ୍ମପୁର ସହରକୁ ଦୂରଦୂରାନ୍ତରୁ ଅନେକ ବୈଦ୍ୟ ଏବର୍ଷ ଆସିଛନ୍ତି। ଏମାନଙ୍କ ପାଇଁ ଖାଦ୍ୟ, ପାନୀୟ, ରହିବାର ବ୍ୟବସ୍ଥା ଇଭେଣ୍ଟ ସଂସ୍ଥା କରୁଛି। ଏଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିୟନ୍ତ୍ରଣ କରନ୍ତି। ବିଧି ବ୍ୟବସ୍ଥା ଏମାନଙ୍କ ପ୍ରତି ଠିକ୍ ଆତିଥ୍ୟ ନ ମିଳିଲେ ବ୍ରହ୍ମପୁର ସହର ଅସମ୍ମାନ। କାର୍ଯ୍ୟକ୍ରମର ବକ୍ତାମାନେ ମଧ୍ୟ ମଂଚକୁ ଆସି ନିଜର ବକ୍ତବ୍ୟ ପ୍ରଦାନ କରନ୍ତି। ବିଜ୍ଞାନ ସମ୍ମତ ଆଲୋଚନା, ରୋଗ ସମ୍ବନ୍ଧୀୟ ଆଲୋଚନା ହୁଏ। ଏମାନଙ୍କ ପ୍ରତି ରାଜ୍ୟ ସରକାରୀ ବ୍ୟବସ୍ଥାରେ କ’ଣ ରହିଛି ଆମେ ଜାଣିନୁ କିନ୍ତୁ ଇଭେଣ୍ଟ ସଂସ୍ଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରେ ମେଳାରେ ବୈଦ୍ୟ ସମ୍ମିଳନୀ, ଡ଼ାକ୍ତରଙ୍କ ସମାବେଶ ଏବଂ ଆସୁଥିବା ଅନୁଭବୀ ବକ୍ତାଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ କାହିଁକି?

ଏ ସମୁହ ପ୍ରଶ୍ନ ଘେରରେ ଇଭେଣ୍ଟ ସଂସ୍ଥା। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅଧ୍ୟକ୍ଷ ଅନେକ ଜଂଜାଳରେ ଘାଣ୍ଟି ନହେବା ପାଇଁ ସବୁ ଦାୟିତ୍ୱ ଇଭେଣ୍ଟ ସଂସ୍ଥାକୁ ଦିଅନ୍ତି କିନ୍ତୁ ଇଭେଣ୍ଟ ସଂସ୍ଥା ଯଦି ନିଜ ଲାଭ ଓ ସୁବିଧାକୁ ଗୁରୁତ୍ୱ ଦେଇ ଯେଉଁମାନଙ୍କ ପାଇଁ ମେଳାର ଆକର୍ଷଣ ସେମାନଙ୍କୁ ଠିକ୍ ମୂଲ୍ୟ ନଦିଏ ଏହାର ଉତ୍ତରଦାୟୀ କିଏ?

ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଏ ଦିଗକୁ ଗୁରୁତ୍ୱର ସହ ନେବା ପାଇଁ ଅନେକ ଆୟୁର୍ବେଦ ଜଡ଼ିବୁଟି ପ୍ରେମୀଙ୍କ ଦାବି ରହିଛି। ପ୍ରତିଦିନ ମେଳାକୁ ବୁଲି ଆସିବା ସମୟରେ ସବୁ ପ୍ରକାର ଆନନ୍ଦ ଦେଇ ପାରୁଥିବା ପରିବେଶ ଭିତରେ କଳାକାହାଣୀ ଯଦି ଅନୁସନ୍ଧାନ କରାଯିବ ହର୍ବାଲ ମେଳାର ଗୁମର କଥା ଖୋଲିଯିବ। ମେଳାର ଅଧ୍ୟକ୍ଷ ଧନ୍ୟବାଦର ପାତ୍ର, କିନ୍ତୁ ଉଭେଣ୍ଟ ସଂସ୍ଥାର ବଡ଼ବାବୁମାନଙ୍କ ସହ ଚୋରା ପୀରତି ଯେତେ ଘୋଡ଼େଇଲେ କ’ଣ ଲୁଚିବ କି?

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ ଜାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମଂଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଞ୍ଚଦିନ ହେଲା ସହରର ବିଭିନ୍ନ ସାହିର ଘରକୁ ଘର ବୁଲି ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଚାଲିଛି।

ଆଜି ବିଜିପୁର ରଥାସାହି, ବଜାର ସାହି, କାଳୁଆ ସାହି, ନୂଆ କାଳୁଆ ସାହି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ବିମାନବନ୍ଦର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରି ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଦସ୍ତଖତ ଅଭିଯାନରେ ଯୁଗ୍ମ-ସଂପାଦକ ଲଳିତମୋହନ ସାହୁ, ଅଶୋକ କୁମାର ରଥ, ରବି ନାରାୟଣ ସାବତ, କ୍ଷେତ୍ରୀ ନରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସଭାପତି ଶ୍ରୀ ମହାରଣା କହିଥିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଏହି ଦାବିକୁ ଗ୍ରହଣ ନକଲେ ତେବେ ୨୬ ତାରିଖ ଦିନ ଆର୍‌ଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ। ଏହାସହ ସମସ୍ତ ସ୍ୱାକ୍ଷରିତ ଦାବିପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ଦସ୍ତଖତ ଅଭିଯାନ ଜାରି ରହିବ ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେଡ଼ିର ଡ଼ିଜିଟାଲ୍ ଡ଼୍ରାଇଭ୍ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ତଥା ନିର୍ଦ୍ଦେଶ ଅନୁସାରେ ଓଡ଼ିଶାରେ ଡ଼ିଜିଟାଲ୍ ଡ଼୍ରାଇଭ୍ କାର୍ଯ୍ୟକ୍ରମ ଚାଲୁ ରହିଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରୂପେ ଦଳୀୟ ସଭ୍ୟ ତଥା ସାଧାରଣ ଜନତା ସିଧାସଳଖ ଭାବେ ଦଳର ଆଭିମୁଖ୍ୟ ଓ ସରକାରଙ୍କ ଯୋଜନାମାନ ବିଷୟରେ ସିଧାସଳଖ ଯେପରି ଜାଣିପାରିବେ। ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ୱାର୍ଡ଼ ନଂ ୨୪ ବିଜିପୁର ବିଏମ୍‌ସି ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ତଥା ବିଜେଡ଼ି ରାଜ୍ୟ ସଂପାଦିକା ସଂଘମିତ୍ରା ଦଳେଇଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ଯୁବ ବିଜେଡ଼ି ଉପସଭାପତି ସୂର୍ଯ୍ୟ ସୁବୁଦ୍ଧି ଉପସ୍ଥିତ ଥିଲେ। ୱାର୍ଡ଼ ସଭାପତି ୟ. ଶିବା, ୱାର୍ଡ଼ ଆଇଟି କୋଡ଼ିନେଟର ଡ଼ି. ନରେଶ, ଭୀମସେନ ଦଳେଇ, ବିର୍ଲା ମାଝୀ, ପ୍ରଜ୍ଞା ପଣ୍ଡା, ମନଶ୍ମିନୀ ବିଷୋୟୀ, ବୁଲି ଆମ୍ମା, ନିରୂପମା ବେହେରା, ଅମୀୟ ପଣ୍ଡା, ପ୍ରଣବ ସାହୁ, ପି. ନରେଶ, ମିଟୁ ମାଝୀ, ଟୁନି ମିଶ୍ର, ଜଗଦୀଶ ଦଳେଇ, ଶୁଭେନ୍ଦୁ ସ୍ୱାଇଁ, ସଂଜିମିତା ଜେନା, ମାମି ପାଣିଗ୍ରାହୀ, କବିତା ବେହେରା ଆଦି ଉପସ୍ଥିତ ରହି ଡ଼ିଜିଟାଲ୍ ଡ଼୍ରାଇଭ୍ ପାଇଁ ମାର୍ଗଦର୍ଶନ କରିଥିଲେ। ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବିଜେଡ଼ି ସଭ୍ୟ ବ୍ୟତୀତ ସାଧାରଣ ଜନତା ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦର ପ୍ରତିଷ୍ଠା ଏବଂ ଜିଲ୍ଲାର ଦୃତ ବିକାଶ ପାଇଁ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା, ଜିଲ୍ଲାର ଦୃତ ବିକାଶ ଏବଂ ଅନ୍ୟାନ୍ୟ ଦାବି ନେଇ ଆଜି ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବ୍ରହ୍ମପୁରଠାରେ ଗ୍ରୀନ୍ ଫିଲ୍ଡ ଡ଼ୋମାଷ୍ଟିକ୍ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଂଜାମ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ, ରେଳବିଭାଗ ଦ୍ୱାରା ସଦା ଅବହେଳିତ ହେଉଥିବା ଗଂଜାମ ଜିଲ୍ଲାରେ ରେଳପଥର ବିକାଶ ଓ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ପାଇଁ ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ, କେନ୍ଦ୍ର ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶାଳୀ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସଂପାଦକ ସରୋଜ ପଟ୍ଟନାୟକ, ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଭି. ସୋମେଶ୍ୱର ରାଓ, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ, ଅଭିଭାବକ ମହାସଂଘର ମଧୁସୂଦନ ସାହୁ, ଡ଼ିଭାଇନ୍ ଚାରିଟିର ବିରଞ୍ଚି ନାରାୟଣ ସାହୁ ଓ ଅନ୍ୟ ଗଣସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସବୁ ସମସ୍ୟା ନେଇ ବିଧାୟକମାନେ ବିଧାନସଭାରେ ଚର୍ଚ୍ଚା କରି ସମାଧାନାର ରାସ୍ତା ବାହାର କରିବା ପାଇଁ ଶ୍ରୀ ପାତ୍ର କହିଥିବା ସହ ତ୍ୱରିତ ବିକାଶ ପାଇଁ ସେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Categories
ଆଞ୍ଚଳିକ

ବିଜେପି ରାଜ୍ୟ ସଭାପତିଙ୍କୁ ବ୍ରହ୍ମପୁରଠାରେ ସମ୍ବର୍ଦ୍ଧନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ଜିଲ୍ଲା ତରଫରୁ ରାଜ୍ୟ ସଭାପତି ସମୀର ଭାଇ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କୁ କୋରାପୁଟ କୋଠିଆ ଯିବା ରାସ୍ତାରେ ବ୍ରହ୍ମପୁରଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଦଳର ବରିଷ୍ଠନେତାମାନେ ଷ୍ଟେସନ ରୋଡ଼୍ ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର କିଛି ଅଂଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଚାଲିଯିବା କଥା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଗଂଜାମ ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ଏହି ଅବସରରେ ଗଂଜାମ ଜିଲ୍ଲାର ବରିଷ୍ଠ ନେତା କୁଂଜ ପାଣିଗ୍ରାହୀ, ପୂର୍ବର୍ତନ ସଭାପତି କାହ୍ନୁଚରଣ ପତି, ଜିଲ୍ଲା ସାଧାରଣ ସଂପାଦକ ଏନ୍‌. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ ଷଡ଼ଙ୍ଗୀ, ନିରଞ୍ଜନ ପାଣିଗ୍ରାହୀ, ମନୋଜ ପଟ୍ଟନାୟକ, ରାମ ପାତ୍ର, ବାଳକୃଷ୍‌ଣ ସାମନ୍ତରାୟ, ପ୍ରଦେଶ ସାମନ୍ତରାୟ, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସଭାପତି ଏଲ୍‌. ମୋହନ ଦାସ, ଏସ୍‌. ରାଣୀ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ: ୩ ନାବାଳକ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ୩ ଜଣ ନାବାଳକଙ୍କୁ ପୋଲିସ ଅଟକ ରଖିଛି। ସୋମବାର ରାତିରେ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକା ଥିବା ବେଳେ ଏହି ତିନିଜଣ ନାବାଳକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ପରିବାର ପକ୍ଷରୁ ଥାନାରେ ଏତଲା  ଦେବା ପରେ ଏହି ତିନି ଜଣଙ୍କୁ ଅଟକ ରାଖୀ ପୋଲିସ ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ଉଦ୍‌ଘାଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ସଂଲଗ୍ନ ଜାତୀୟ ରାଜପଥରେ ଅସାମାଜିକ କାର୍ଯ୍ୟକଳାପମାନ ବୃଦ୍ଧି ପାଉଥିବାରୁ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା। ଯାହାକୁ ଦେଖି ଗତକାଲିଠାରୁ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ଏକ ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ିକୁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମାଣ୍ଡିଆପଲ୍ଲୀ ଛକଠାରେ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ପାଟ୍ରୋଲିଂ ଗାଡ଼ିଟି ଗୋପାଳପୁର-ଗୋଳନ୍ଥରା ମଧ୍ୟବର୍ତ୍ତୀ ଅଂଚଳରେ ପାଟ୍ରୋଲିଂ କରି ସମସ୍ତ ଆସାମାଜିକ ଗତିବିଧି, ଦୁର୍ଘଟଣା ଏବଂ ଅନ୍ୟାନ୍ୟ ସମସ୍ୟାମାନ ବିଷୟରେ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବ। ଏହି ଗାଡ଼ିଟି ସପ୍ତାହକୁ ସାତଦିନ ୨୪ ଘଣ୍ଟା କାର୍ଯ୍ୟକ୍ଷମ ହେବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ଜିଲ୍ଲାର ରମ୍ଭାଠାରୁ ଛତ୍ରପୁର ଏବଂ ଛତ୍ରପୁରଠାରୁ ଗିରିସୋଲା ମଧ୍ୟରେ ବି ପାଟ୍ରୋଲିଂ କରାଯିବା ନେଇ ଗତକାଲି ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ: ଜାନିବିଲି ପ୍ରକଳ୍ପ ସହରବାସୀଙ୍କ ପାଇଁ ଶତାବ୍ଦୀର ଶୋଷ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବହୁ ପ୍ରତିକ୍ଷୀତ ସମସ୍ୟାର ସମାଧାନ ସକାଶେ ଜାନବିଲି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର ହୋଇଥିଲା। ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଜାନବିଲି ପ୍ରକଳ୍ପ ସମାପ୍ତ ହେବାର ନାଁ ଧରୁନି। କାରଣ ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସହରବାସୀ ପାଣି ଟୋପାଏ ପାଇବାରୁ ବଂଚିତ। ଯାହାକି ଜାନବିଲି ପ୍ରକଳ୍ପ ସହରବାସୀଙ୍କ ପାଇଁ ଶତାବ୍ଦୀର ଶୋଷ କହିଲେ କିଛି ଭୁଲ ହେବ ନାହିଁ।

ଗତ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଅତି ତରବରିଆ ଭାବେ ଅଧପନ୍ତରିଆ ଭାବେ କାର୍ଯ୍ୟ ହୋଇଥିବା ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଥିଲା। କିନ୍ତୁ ଉଦ୍‌ଘାଟନ ଦିନ ହିଁ ସହରର ଅନେକ ଅଂଚଳରେ ପାଇପ୍ ଫାଟି ଜଳମୟ ହୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜନସାଧାରଣ ପାଇଁ ବହୁତ୍ କିଛି ଯୋଜନା ଘୋଷଣା କରୁଥିଲେ ସୁଦ୍ଧା ଏହାର ସୁଫଳ ମିଳିପାରୁନାହିଁ। ଏହି ଜାନବିଲି ପ୍ରକଳ୍ପ ପାଇଁ ଉଭୟ ପ୍ରଶାସନ ଏବଂ ରାଜନେତା ମଧ୍ୟ କିଛିମାତ୍ରାରେ ଦାୟୀ।

ଏହି ପ୍ରକଳ୍ପ ବିଭିନ୍ନ ଜାଗାରେ ଅତି ନିମ୍ନମାନର ହେଉଥିଲେ ସୁଦ୍ଧା ଏବଂ ସରକାରୀ ଗାଇଡ଼୍‌ଲାଇନ୍ ଖିଲାପରେ କାର୍ଯ୍ୟ କରାଯାଉଥିଲେ ସୁଦ୍ଧା ଏହାକୁ ତର୍ଜମା କରାଯାଉନାହିଁ। ଏଲ୍ ଆଣ୍ଡ ଟି ଏହି ପ୍ରକଳ୍ପ କରୁଥିବା ବେଳେ ଧର୍ମକୁ ଆଖିଠାର ନୀତିରେ ଅତି ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ସହରର ଜନସାଧାରଣ ଏବଂ ବୁଦ୍ଧିଜୀବୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଏହି ଅଭିଯୋଗ କେବଳ ଅଭିଯୋଗରେ ହିଁ ରହିଯାଉଛି।

ଆଗକୁ ଗ୍ରୀଷ୍ମଋତୁ। ଏବେଠାରୁ ଦେଖାଗଲାଣି ବିଭିନ୍ନ ୱାର୍ଡ଼ରେ ପାଣିର ସମସ୍ୟା। ପିଏଚ୍‌ଡ଼ି କର୍ତ୍ତୃପକ୍ଷ ଖାମଖିଆଲି ନୀତି ଯୋଗୁଁ ଏବଂ ଏଲ୍ ଆଣ୍ଡଟି ଏବଂ ପିଏଚ୍‌ଡ଼ିର ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିବା ସହ ଅତି ନିମ୍ନମାନର ହେବାକୁ ଯାଉଛି। ପାଣି ଯୋଗାଣ ନାମରେ ସହରର କୋଣ ଅନୁକୋଣ, ମୁଖ୍ୟରାସ୍ତା ଏଲ୍ ଆଣ୍ଡଟି କଂପାନୀ ପାଇପ୍ ବିଛାଇବା ଆଳରେ ସହରକୁ ଛିନ୍ନଛତ୍ର କରିଦେବା ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଜାଗାରେ ପାଇପ୍ ବିଛାଇବା ପାଇଁ ରାସ୍ତା ଖୋଳି ମରାମତି ହେବା ପରେ ପୁଣିଥରେ ଖୋଳାଯାଉଥିବା ଅଭିଯୋଗ ହେଉଛି। ବିଏମ୍‌ସି କର୍ତ୍ତୃପକ୍ଷ ସବୁଜାଣି ମଧ୍ୟ ଚୁପ୍ ରହୁଛନ୍ତି। କାରଣ ବିଏମ୍‌ସି ଦ୍ୱାରା ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଏଥିରେ ବାଧା ଉପୁଜୁଛି।

କାର୍ଯ୍ୟ କରିବାର କିଛି ଦିନ ପରେ ବିଲ୍ ହେବା ମାତ୍ରେ ପୁଣିଥରେ ସେହି କାର୍ଯ୍ୟକୁ ଖୋଳିଦିଆଯାଉଛି, ଯାହା ଫଳରେ ସରକାର କା ମାଲ୍ ଦରିଆ ମେଁ ଡ଼ାଲ୍ ସଦୃଶ୍ୟ ହେଉଛି। ବିଏମ୍‌ସି କର୍ତ୍ତୃପକ୍ଷ ଏଥିରେ ଅଧିକ ଲାଭବାନ ହେଉଛନ୍ତି। ରାସ୍ତା ଓ ଡ଼୍ରେନ କାମରେ କୋଟି କୋଟି ଟଙ୍କାର କାର୍ଯ୍ୟ ହେଉଥିôବାବେଳେ ମନେହୁଏ ଯେ, ଯେପରି ଏଲ୍ ଆଣ୍ଡଟି ଜାନବିଲି ପ୍ରକଳ୍ପର ବିଏମ୍‌ସି ସହିତ ବୁଝାମଣା ହୋଇ ଏହିଭଳି କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି।

ଜାନବିଲି ପ୍ରକଳ୍ପକୁ ଶେଷ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଥିବାବେଳେ ବର୍ତ୍ତମାନ ସେ ସମୟ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ନା ପିଏଚ୍‌ଡ଼ି, ନା’ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ପରିଲକ୍ଷିତ ହେଉନାହିଁ। ଏହି ଜାନବିଲି ପ୍ରକଳ୍ପରେ ଯନ୍ତ୍ରୀଠାରୁ ଆରମ୍ଭ କରି ମନ୍ତ୍ରୀଯାଏଁ କୋଟିପତି ଯେ ହୋଇନଥିବେ କିଏ କହିବ? ତେଣୁ ଜାନବିଲି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ପ୍ରତ୍ୟକ୍ଷ ଦୃଷ୍ଟି ଦେଇ ଏହାର ଭିଜିଲାନସ ତଦନ୍ତ ଯଦି କରାଯାଏ, ତେବେ ବାଟମାରଣାକୁ ରୋକାଯିବା ସହ ଅନେକ ଅସାଧୁ ଅଫିସରମାନଙ୍କର ଚିତ୍ର ପଦାକୁ ଆସିବ ଏବଂ ଏଲ୍‌ଆଣ୍ଡଟି କଂପାନୀ ପାଇଁ ଆଗାମୀ ଭବିଷ୍ୟତରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ସହରବାସୀ ଦାବି କରୁଛନ୍ତି।

ଜଳଯୋଗାଣ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀ କାଳରେ ସର୍ବତ୍କୃଷ୍ଟ ଯୋଜନା ମଧ୍ୟରୁ ଋଷିକୂଲ୍ୟା ନଦୀର ତଟବର୍ତ୍ତୀ ଜାନବିଲ୍ ପାଖରୁ ବ୍ରହ୍ମପୁରକୁ ଜଳଯୋଗାଣ ଅନ୍ୟତମ ଜନପ୍ରିୟ ଯୋଜନା। କେବଳ ନିର୍ବାଚନକୁ ଆଖି ଆଗରେ ରଖି ଜାନିବିଲି ପ୍ରକଳ୍ପକୁ ଭେଟିଦେବା ପରି ହୋଇଥିଲା ବୋଲି ବର୍ତ୍ତମାନ ଜଣାପଡ଼ିଛି। କାରଣ ନିର୍ବାଚନ ଶେଷହେବାର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସହରବାସୀ ପାଣି ଟୋପାଏ ପାଇଲେ ନାହିଁ।

ଏକହଜାର କୋଟି ଟଙ୍କାର ପ୍ରକଳ୍ପ ସରକାର ଏଲ୍‌ଆଣ୍ଡଟି ହାତକୁ ଟେକିଦେଲେ, ଯେଉଁସ୍ଥାନରେ କି ବିଶ୍ୱର ଯେକୌଣସି ଠିକାଦାର ସଂସ୍ଥା ନିଜର କୁଶଳୀ କାରିଗର ଏବଂ ମେସିନ୍‌କୁ ଧରି ବ୍ରହ୍ମପୁରବାସୀଙ୍କୁ କୌଣସି କ୍ଷତି ନହୋଇ ନିଜ କାମ କରି ଚାଲିଯାଇଥାନ୍ତା। କିନ୍ତୁ ଏଲ୍‌ଆଣ୍ଡଟି କଂପାନୀକୁ ସରକାର ଏହି କାମ ଦେଇ ପରେ ନିଜେ ପସ୍ତେଇବା ନିଶ୍ଚିତ। ସରକାରୀ ନିୟମକୁ ଫୁ କରିଲା ଭଳି ଆଲ୍‌ଆଣ୍ଡଟି ନିଜର ରାଜ ଚଲାଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିବା ଆରମ୍ଭ କରିଦେଲେଣି। ଯେମିତି କଛୁଆ ଗତିରେ ଚାଲିଛି ଜାନିବିଲି ପ୍ରକଳ୍ପ କାର୍ଯ୍ୟ ସେମିତି କଛୁଆ ଗତିରେ ହିଁ ଆତ୍ମସାତ୍ କରି ଚାଲିଛି ସରକାରଙ୍କ କୋଟି କୋଟି ଟଙ୍କା।

ଏହି ପରିପ୍ରେକ୍ଷୀରେ ଆଲ୍‌ଆଣ୍ଡଟି ସହରଟାକୁ ଉଲୁକ ବନେଇ ଚତୁର ଶୃଗାଳ ପରି କାମ କରି ଚାଲିବ ତେବେ ପଣସ ଖାଇ ଅଠା ବୋଳିବା ପାଇଁ ପ୍ରଶାସନର ମୁଣ୍ଡ ନା ଶାସକର ମୁଣ୍ଡ ବଳିପଡ଼ିବ ତାହା ସମୟସାପେକ୍ଷ।

Categories
ଆଜିର ଖବର ଆଞ୍ଚଳିକ ଖେଳ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବିଜୁ ସ୍ମାରକି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଆଜି ବିଜୁ ପଟ୍ଟନାୟକ ସ୍ମାରକି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଟି ଦଳ ଏଥିରେ ଭାଗନେଇଥିଲେ।

ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା। ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ସନାତନ ସଂଗ୍ରାମ ସିଂ, ଦୁଷ୍ମନ୍ତ ପାଢ଼ୀ, ସଂଜିତ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପଣ୍ଡା, ଅଜୀତ କୁମାର ପଣ୍ଡା, ଆର. ମୁରଲୀ ମୋହନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ପାଲଟୁଛି ଚୋରମାନଙ୍କର ପେଣ୍ଠସ୍ଥଳୀ: ଆଖି ପିଛୁଳାକେ ନେଇଗଲେ ଲାପ୍‌ଟପ୍

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ବର୍ତ୍ତମାନ ଚୋରମାନଙ୍କର ପେଣ୍ଠସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଯାତ୍ରୀଙ୍କଠାରୁ ମୋବାଇଲ୍‌, ଦାମି ସାମଗ୍ରୀ କିମ୍ବା ସେମାନେ ନେଉଥିବା ସାମଗ୍ରୀ ଚୋରି ହେଉଥିବା ନେଇ ଅଭିଯୋଗ ହେଉଛି। କିନ୍ତୁ ଏଥିପ୍ରତି ଥାନା ପୋଲିସ୍ ଦୃଷ୍ଟି ନଦେବାରୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ସକ୍ରିୟ ହୋଇ ପ୍ରତିଦିନ ଚୋରି କରୁଛନ୍ତି। ସଦ୍ୟ ଘଟଣାକ୍ରମେ ଆଜି ଜନୈକ ଯାତ୍ରୀଙ୍କ ଆଖି ପିଛୁଳାକେ ଏକ ଦାମି ଲାପ୍‌ଟିପକୁ ଚୋରି କରି କୌଣସି ଦୁବୃର୍ତ୍ତ ନେଇଯିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଖବରରୁ ପ୍ରକାଶ ଯେ ବୈଦନାଥପୁର ଥାନା ଅନ୍ତର୍ଗତ କାଳିମନ୍ଦିର କେନାଳ ସାହିର ଅସିତ୍ କୁମାର ପଟ୍ଟନାୟକ ନାମକ ଜନୈକ ଯୁବକ ଭୁବନେଶ୍ୱର ଅଫିସରେ ଯୋଗଦେବା ପାଇଁ ବସ୍‌ଷ୍ଟାଣ୍ଡ ଆସି ଓଡ଼ିଶା ରାଜ୍ୟ ପରିହବ ନିଗମର ଏକ ହାଇଟେକ୍ ବସ୍ (ଓଡ଼ି ୦୨ ଏଜାଡ଼୍ ୬୬୬୭)ରେ ଚଢ଼ିଥିଲେ। ବସ୍‌ଟିରେ ସିସି ଟିଭି ମଧ୍ୟ ଲାଗିଥିଲା। ସେ ଲାପ୍‌ଟିକୁ ଉପର ଥାକକୁ ଟେକି ଦେଇ ଅନ୍ୟ ସାମଗ୍ରୀ ତଳେ ରଖିବା ବେଳେ ଆଖି ପିିଛୁଳାକେ କୌଣସି ଦୁବୃର୍ତ୍ତ ତାଙ୍କର ଦାମି ଡ଼େଲ୍ କଂପାନୀର ଏକ ଲାପ୍‌ଟପ୍‌କୁ ଧରି ଚମ୍ପଟ ମାରିଥିଲେ। ସେ ସଂଗେ ସଂଗେ ନିକଟସ୍ଥ ଫାଣ୍ଡିକୁ ଜଣାଇଥିଲେ। ଫାଣ୍ଡିର କନେଷ୍ଟବଲ ଆସି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଉକ୍ତ ଲାପ୍‌ଟପ୍‌ରେ କଂପାନୀର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ ଅନ୍ୟାନ୍ୟ ଡ଼କ୍ୟୁମେଣ୍ଟ ମଧ୍ୟ ରହିଛି।

ସୂଚନାଯୋଗ୍ୟ ଯେ ଠିକ୍ ଏଭଳି ଷ୍ଟାଇଲ୍‌ରେ କିଛି ଦିନ ତଳେ ଏହି ବସ୍ ମଧ୍ୟରୁ ହିଁ ଅନ୍ୟ ଜଣେ ଯାତ୍ରୀଙ୍କ ଲାପ୍‌ଟପ୍‌ଟିକୁ କେହି ଚୋରି କରିନେଇଥିଲା। ସେହି ଘଟଣାର ମଧ୍ୟ ଚୋର ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡ଼ି ନାହିଁ। ଏଠାରେ ଗୋଟିଏ କଥା ସ୍ମରଣଯୋଗ୍ୟ ଯେ ସରକାରୀ ହାଇଟେକ୍ ଗାଡ଼ିଗୁଡ଼ିକରେ ସିସି ଟିଭି ଲାଗିଥିଲେ ମଧ୍ୟ ତାହା ଖରାପ ଅଛି ବୋଲି ଉଚ୍ଚ ଅଧିକାରୀମାନେ କହିଛନ୍ତି।

ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଚୋର ଧରାନପଡ଼ିବାରୁ ସେମାନେଙ୍କ ମନୋବଳ ବୃଦ୍ଧି ଘଟି ପ୍ରତିଦିନ ଏଭଳି ଚୋରି କରୁଛନ୍ତି। ଏନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ୍ ୩୦/୨୧ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଯୁବ ବିଜେଡ଼ି ଏକାଦଶ ହରାଇ ମିଡ଼ିଆ ଏକାଦଶ ବିଜୟୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଣତନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ମେଡ଼ିକାଲ୍ କଲେଜ ଷ୍ଟାଡ଼ିୟମ ପରିସରରେ ମିଡ଼ିଆ ଏକାଦଶ ଓ ଯୁବ ବିଜେଡ଼ି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମ୍ୟାଚର ଶୁଭ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଭାପତି ତଥା ମିଡ଼ିଆ ସେଲ୍‌ର ମ୍ୟାନେଜର ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ମିଡ଼ିଆ ଏକାଦଶ ଅଧିନାୟକ ସୁରଜିତ୍ କୁମାର ପଣ୍ଡା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମିଡ଼ିଆ ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍‌ରେ ତିନୋଟି ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ଯୁବ ବିଜେଡ଼ି ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍‌ରେ ୮ ୱିକେଟ୍ ହରାଇ ୯୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମିଡ଼ିଆ ଏକାଦଶ ୬ ରନ୍‌ରେ ଯୁବ ବିଜେଡ଼ି ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ।

ମୁଖ୍ୟଅତିଥି ବିକ୍ରମ ପଣ୍ଡା ଓ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା ବିଜୟୀ ଓ ପରାଜୟ ଟିମ୍‌କୁ ପୁରସ୍କାର ପ୍ରଦାନ କରିଥିଲେ। ମିଡ଼ିଆ ଏକାଦଶର ଖେଳାଳୀ ସୀତାରାମଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଯୁବ ବିଜେଡ଼ି ଏକାଦଶ ଟିମ୍‌ର ଅଧିନାୟକ ଜଗନ୍ନାଥ ରନର୍ସଅପ୍ କପ୍ ଗ୍ରହଣ କରିଥିବାବେଳେ ଅଧିନାୟକ ସୁରଜିତ ପଣ୍ଡା ୱିନର ଟ୍ରଫି ଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଉପଖଣ୍ଡସ୍ତରୀୟ ଭୋଟର ଦିବସ ପାଳିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ ଯୋଗଦେଇ ଭାରତବର୍ଷର ଗଣତନ୍ତ୍ର ଓ ପରମ୍ପରା ଉଚ୍ଚକୋଟିର ଓ ଭାରତବର୍ଷର ସବୁଠାରୁ ବୃହତ୍ ଗଣତ୍ତ୍ର ଉତ୍ସବର ସଂବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ମୁଖ୍ୟଅତିଥି କହିଥିଲେ।

ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଥିଲେ ଯେ ଆମେ ନିଜ ଦେଶର ଗଣତନ୍ତ୍ର ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ଏବଂ ସମସ୍ତ ବିଏଲ୍‌ଓ ଓ ସୁପରଭାଇଜରଙ୍କୁ ନିଷ୍ଠାର ସହିତ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ।

ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠି, ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ନିଜ ମତାଧିକାର ପ୍ରୟୋଗ କରିବା ଏବଂ ବିଏଲ୍‌ଓ ଓ ସୁପରଭାଇଜରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଭଲ କାର୍ଯ୍ୟ କରିଥିବା ବିଏଲ୍‌ଓ ଓ ସୁପରଭାଇଜରଙ୍କୁ ପ୍ରଶଂସାପତ୍ର ମୁଖ୍ୟଅତିଥି ପ୍ରଦାନ କରିଥିଲେ। ନୂଆ ଭୋଟ ପରିଚୟ ପତ୍ର ପାଇଥିବା ଭୋଟରଙ୍କୁ ମଧ୍ୟ ଭୋଟର କାର୍ଡ଼ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ୱାରା ଇ-ଏପିକ୍ କାଉଣ୍ଟର ବ୍ରହ୍ମପୁର ମହାନଗର ନିଗମ ଏବଂ ଉପଜିଲ୍ଲାପାଳ ଅଫିସ ପାଇଁ ଉନ୍ମୋଚିତ ହୋଇଛି।

ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଗଣ, ଜନସାଧାରଣ ଏବଂ ସାମ୍ବାଦିକଙ୍କୁ ମୁଖ୍ୟଅତିଥି ଶପଥପାଠ କରାଇଥିଲେ। ଶେଷରେ ଡ଼େପୁଟି କଲେକ୍ଟର ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେ ଡ଼େପୁଟି କଲେକ୍ଟର ଶ୍ରୀ ପାତ୍ର, ତହସିଲ୍‌ଦାର ସୀପକ କୁମାର ପାତ୍ର, କନିଷି ତହସିଲ୍‌ଦାର ତାପସ କୁମାର ରାଉତ ଯୋଗ ଦେଇଥିଲେ। ସହକାରୀ ଜିଲ୍ଲାପାଳ ଡି. ମାଲେଶ୍ୱର ପାତ୍ର, ବିନୋଦ କୁମାର ବେହେରା, ପ୍ରଦୀପ କୁମାର ମହାରଣା ଏବଂ ସେକ୍ସନ ଅଫିସର ବିବେକାନନ୍ଦ ଦଳେଇ ଓ ଡି. ଭେଙ୍କଟେଶ୍ୱର ରାଓ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବ୍ରହ୍ମପୁରରେ ଅନୁଷ୍ଠିତ ହେଲା କନ୍ୟାକିରଣ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
 ବ୍ରହ୍ମପୁର: ଜାତୀୟ କନ୍ୟା ଦିବସ ଅବସରରେ ବ୍ରହ୍ମପୁର ଠାରେ ଶିକ୍ଷାବିତ୍ ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଚେତନତା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ, ମାନବ ଚାଲାଣ, ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା, ପୋଷଣ, ସୁରକ୍ଷା ଆଦି ପ୍ରଦାନ ପାଇଁ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି।
ଏହି କ୍ରମରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତମା ଜେନା, ଏମକେସିଜି ମେଡ଼ିକାଲ କଲେଜ ଫାର୍ମୋକୋଲୋଜି ବିଭାଗୀୟ ମୁଖିଆ ପ୍ରଫେସର ଜୟନ୍ତୀପ୍ରଭା ବେହରା, ମେଡିସିନ୍ ବିଭାଗର ଏସୋସିଏଟ୍ ପ୍ରଫେସର ଡ. ଉମା ଶଙ୍କର ମିଶ୍ର, ସମାଜସେବୀ ଆର୍‌. ସୁନନ୍ଦା ଚୌଧୁରୀ, ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ନାରାୟଣ ପଣ୍ଡା, ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ମୋହନ ରାଓ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ।
ଡ଼. ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ଅନୁଷ୍ଠାନ କିପରି ନାରୀ ମାନଙ୍କ ସୁରକ୍ଷା ପ୍ରଦାନ ସହ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇ ପାରୁଛି ତାର ବର୍ଣ୍ଣନା କରିବା ସହ ଅତିଥି ମାନେ ଏଥି ପାଇଁ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଆଜିର ନାରୀ ଆଉ ଅବଳା କି ଦୁର୍ବଳା ନୁହଁ, ପୁରୁଷ ପ୍ରାଧ୍ୟାନ୍ୟ ସମାଜରେ ସବୁ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ନାରୀ ବିନା ପରିବାର ଅଧୁରା। ଏଣୁ ଆଜିର ଦିବସରେ କନ୍ୟା ମାନଙ୍କୁ ସଂକଳ୍ପବଦ୍ଧ ହୋଇ ନିଜ ପଥରେ ଆଗେଇ ଯିବାକୁ ଅତିଥି ମାନେ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ଗତ ମେଟ୍ରିକ୍ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ମଧୁସ୍ମିତା ବେହେରା ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବୋଚ୍ଚ ନମ୍ବର ରଖିଥିବା ଶୁଭଲକ୍ଷ୍ମୀ ପାଢ଼ୀଙ୍କୁ କିସ୍ ପକ୍ଷରୁ ପ୍ରଦତ ମାନପତ୍ର ଓ ପୁଷ୍ପଗୁଚ୍ଛ ଅତିଥି ମାନେ ପ୍ରଦାନ କରିଥିଲେ। ପ୍ରଭାତ କୁମାର ସ୍ୱାଇଁ ମାନପତ୍ର ପଠ କରିଥିବା ବେଳେ ଶିବ ଶଙ୍କର ସାହୁ, ସରୋଜ କୁମାର ମିଶ୍ର, ପ୍ରିୟମ୍ବଦା ଓ ଶ୍ରୀକାନ୍ତ ମିଶ୍ର ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କିସ୍ ଡ. ସିମାଂଚଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ: ଜଣେ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ ହୋଇଛି। ବ୍ରହ୍ମପୁର ପୋଲିସ ଏହି ନକଲି କାରଖାନାକୁ ଠାବ କରିଛି। ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ବଜାରର ପ୍ରଥମ ଲେନରେ ଏହି କାରଖାନାକୁ ଠାବ କରାଯାଇଛି। ଏହି କାରଖାନାରେ ନକଲି ଟମାଟ, ସୋୟା ସସ୍ ପ୍ରଭୃତି ପ୍ରସ୍ତୁତ କରାଯାଉଥିଲା। ତେବେ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନବୀନ ନମ୍ବର ୱାନ୍‌, ସ୍ଲୋଗାନରେ ବିଜେଡ଼ିର ଶୋଭାଯାତ୍ରା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନବୀନ ନମ୍ବର ୱାନ୍। ଦେଶର ସର୍ବଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏବିପି ନିଉଜ୍ ଦ୍ୱାରା କରାଯାଇଥିବା ସି ସର୍ଭେରେ ଦେଶର ମସ୍ତ ରାଜ୍ୟ ଭିତରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇଥିବାରୁ ଆଜି ଗଂଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି।

ଏହାସହ ବିଜେଡ଼ି ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇ ନବୀନ ନମ୍ବର ୱାନ୍ ସ୍ଲୋଗାନ ଦିଆଯାଇଥିଲା। ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ସମ୍ମୁଖରେ ସମସ୍ତ ନେତା ଓ କର୍ମୀ ଏକତ୍ରିତ ହେବା ସହ ଯୁବ ବିଜେଡ଼ି, ମହିଳା ବିଜେଡ଼ି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସଂପାଦକ ସୁବାସ ମହାରଣା, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଶିବ ସାହାଣୀ, ରାଜ୍ୟ ସଂପାଦିକା ସଂଘମିତ୍ରା ଦଳେଇ, ସୋନାଲି ଗନ୍ତାୟତ, ସଂଜିତ ପାଣିଗ୍ରାହୀ, ଦଣ୍ଡପାଣି ନାୟକ, ଟି. ଗୋପୀ, ଅଜିତ କୁମାର ପଣ୍ଡା, ଦୁର୍ଗା ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ: ଅଭିଯୁକ୍ତ ଅଟକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜନୈକ ବସ୍ କଣ୍ଡକ୍ଟରଙ୍କୁ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିବାରୁ କଣ୍ଡକ୍ଟର ଜଣକ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ଗେଟବଜାର ବାଙ୍କବିହାରୀ ନଗରଠାରେ ଏମ୍‌. ଶ୍ରୀନିବାସ ଠିଆ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଗୟା ବେହେରା ନାମକ ବ୍ୟକ୍ତି ତାଙ୍କୁ ଖଣ୍ଡରେ ଆକ୍ରମଣ କରିଥିଲେ।

ଫଳରେ ଏମ୍‌. ଶ୍ରୀନିବାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଂଗେ ସଂଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ବୈଦ୍ୟନାଥପୁର ପୋଲିସ୍ ଗୟା ବେହେରାକୁ ଥାନାରେ ଅଟକ ରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନଙ୍କ ବିକ୍ଷୋଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୫୦ ଦିନ ଧରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମ୍‌କୋର୍ଟ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାରିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଥିଲେ। ତେବେ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତି କରି ଆନ୍ଦୋଳନକୁ ବିପଥଗାମୀ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କୃଷକ ସଂଗଠନମାନେ ଅଭିଯୋଗ କରି ଆଜି ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ମୁଖ୍ୟ ଛକ ନିକଟରେ ଚାଷୀ ସଂଗଠନମାନ ପକ୍ଷରୁ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।

ଆନ୍ଦୋଳନ ସ୍ଥଳରେ ଏ ତିନୋଟି କୃଷି କଳା ଆଇନର ନକଲକୁ ନିଆଁରେ ଜଳାଇ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ କୃଷକ ନେତା ବସନ୍ତ ନନ୍ଦ, ପ୍ରତାପ କୁମାର ନାୟକ, ଦୁର୍ଯ୍ୟୋଧନ ସ୍ୱାଇଁ, ପପୁନ ସାହୁ, ପି. ପାର୍ବତୀ, ଗୋପାଳ ପାଣିଗ୍ରାହୀ, ଡି. ଦଣ୍ଡପାଣି ରେଡ୍ଡୀ, ବାବୁଲା ନାୟକ, ପୀତବାସ ପ୍ରଧାନ, ଲକ୍ଷ୍ମୀ ରଥ, ଶିବରାମ ସାହୁ ପ୍ରମୁଖ ବହୁ କୃଷକ ନେତା ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼୍ ନିୟମ ମଧ୍ୟରେ ଖୋଲିବ ସିନେମା ହଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୯ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଯୋଗୁଁ ସିନେମା ହଲ୍ ସପିଂ ମଲ୍ ଇତ୍ୟାଦିକୁ ବନ୍ଦ କରିଦିଆଯାଇଥିଲା। ଦୀର୍ଘଦିନ ପରେ ସଂକ୍ରମଣର ମାତ୍ରା ଧିରେ ଧିରେ କମିବା ଆରମ୍ଭ ହୋଇଛି। ଫଳରେ ଏହିସବୁକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ରେଶମ ସହର ବ୍ରହ୍ମପୁରରେ ମଧ୍ୟ ସିନେମା ହଲ୍ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମସ୍ତେ ସିନେମା ହଲ୍ ମଧ୍ୟକୁ ପ୍ରବେଶ ପାଇଁ କୋଭିଡ଼୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଶୋ ପରେ ଗୃହକୁ ସାନିଟାଇଜିଂ କରାଯିବ। ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରବେଶ ସ୍ଥାନରେ ଥର୍ମାଲ ସ୍କିନିଂ ସହିତ ସାନିଟାଇଜର ବ୍ୟବସ୍ଥା ରହିବ। ଯଦି କେହି ଏଭଳି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏହି ସବୁ ନିୟମ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାର ଚିଠି ମାଧ୍ୟମରେ ଜଣାଇଛନ୍ତି।