ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା ଅଭିଯୋଗ: ୧୧ ଅଭିଯୁକ୍ତ ଗିରଫ

Published: Feb 20, 2024, 4:32 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ହଳଦୀବାଡ ଗ୍ରାମର ଗୁରୁବାରିଆ ଡାକୁଆ ନାମକ ଜଣେ ବ୍ୟକ୍ତିକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ସେହି ଗ୍ରାମର ରଞ୍ଜନ ପ୍ରଧାନ, ସନ୍ୟାସୀ ଡାକୁଆ, ସନ୍ତୋଷ ଡାକୁଆ ରାଜୁ ପ୍ରଧାନ,ବିଭିଷଣ ପ୍ରଧାନ, ଭାଗ୍ୟ ଡାକୁଆ, ସୁଗ୍ରୀବ ଡାକୁଆ, ଶଙ୍କର ଡାକୁଆ, କୈଳାସ ଡାକୁଆ,ହରି ଡାକୁଆ ଓ ତ୍ରିନାଥ ଡାକୁଆ ପ୍ରମୁଖ ଙ୍କୁ ହତ୍ୟା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଗୁରୁବାରିଆଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଅନେକ ଅଭିଯୋଗ ଥିଲା। ସେ ଅଞ୍ଚଳ ବାସିନ୍ଦାଙ୍କ ସହ ପ୍ରାୟ ଦିନରେ ଗଣ୍ଡଗୋଳ କରୁଥିଲେ। ଏହି କିଛି ଦିନ ତଳେ ଗ୍ରାମର ପ୍ରତାପ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କ ଅସୁସ୍ଥ କାରଣରୁ ମୃତ୍ୟୁ ହୋଇଥିଲା। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଗୁରୁବାରିଆ ଗୁଣି କରିବା ଯୋଗୁଁ ପ୍ରତାପ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରିଥିଲେ। ତାଙ୍କ ଘରକୁ ଗାଁ ଲୋକେ ଯାଇ ଡାକିଥିଲେ ଓ ସେ ମନା କରିବାରୁ କିଛି ଗ୍ରାମ ବାସିନ୍ଦା ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଗୁରୁବାରିଆଙ୍କ ଘରକୁ ଯାଇ ତାଙ୍କ ଉପରେ ଆତର୍କିତ ଭାବେ ଆକ୍ରମଣ କରି ତାକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଚାଲି ଯାଇଥିଲେ।

ମୃତ ଗୁରୁବାରିଆଙ୍କ ପତ୍ନୀ ଶ୍ରୀମତୀ ଡାକୁଆ ଘଟଣା ବିଷୟରେ ଜରଡା ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ପାଇ କେଶ୍ ନଂ ୬୧/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ଥାନା କୁ ଆଣି ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts