Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ୨୬ ଲକ୍ଷ ମୂଲ୍ୟର ବ୍ରାଉନସୁଗର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳି ପାଲଟିଛି। ଏଠାରୁ ଗ୍ରାମାଞ୍ଚଳ, ପଡୋଶୀ ଜିଲ୍ଲାକୁ ପଠାଯାଉଛି। ଆଜି ସକାଳ ୭ ଟା ସମୟରେ ଜଙ୍କିଆ ପୋଲିସ ୧୬ ନଂ ଜାତୀୟ ରାଜପଥ ଛଣଗିରି ଛକରେ ୨୫୮ଗ୍ରାମ ବ୍ରାଉନସୁଗର ସହ ୨ ଜଣ ଯୁବ ବେପାରୀଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଏକ ବୁଲେଟ ଗାଡ଼ି ମଧ୍ୟ ଜବତ କରିଛି। ଜବତ ବ୍ରାଉନସୁଗର ମୂଲ୍ୟ ୨୫ଲକ୍ଷ ୮୦ ହଜାର ଟଙ୍କା ହେବ।

ଗିରଫ ଅଭିଯୁକ୍ତ ହେଲେ ରାକେଶ ପଟ୍ଟନାୟକ ଓରଫ ହାପି ଏଵଂ ସୂର୍ଯ୍ୟକାନ୍ତ ନାୟକ ଓରଫ୍ ଗୁଡୁ। ଉଭୟଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ି ହୋଇଥିବା ବେଳେ, ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏଡିପିଏସ ମାମଲା ରହିଥିବା ଏସପି ସାଗରିକାନାଥ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଜଙ୍କିଆ ପୋଲିସ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଚଢଉ ବେଳେ ବୁଲେଟ ଗାଡ଼ି ଡିକିରୁ ବ୍ରାଉନସୁଗର ଜବତ କରିଥିଲେ। ଏମାନେ ବ୍ରାଉନସୁଗର ଧରି ଖୋର୍ଦ୍ଧା ଆସୁଥିଲେ। ଅଭିଯୁକ୍ତମାନେ ଏତେ ପରିମାଣର ବ୍ରାଉନସୁଗାର କେଉଁଠାରୁ ଏବଂ କାହା ପାଖରୁ ଆଣୁଥିଲେ ଏବଂ ଏମାନଙ୍କ ନେଟୱର୍କ କେଉ ଆଡେ ଲମ୍ବିଛି, ତାହାର ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି।