Categories
ଆଜିର ଖବର ଜାତୀୟ ଖବର

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭଗବାନ ବିର୍ସାମୁଣ୍ଡାଙ୍କ ଗ୍ରାମକୁ ଗସ୍ତ କରିବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନିମନ୍ତେ ଜନସମ୍ପର୍କ ସ୍ଥାପନ ଲାଗି ଯାତ୍ରାରେ ଗୁରୁତ୍ୱ ଦିଆଯିବ। ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟିରୁ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅଧିକ ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହେବ ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ଉଦ୍ୟାନ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମରେ ପହଞ୍ଚି ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଶ୍ରୀ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ଗସ୍ତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଖୁଣ୍ଟିଠାରେ ତୃତୀୟ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ପିଏମ୍‌ ପିଭିଟିଜି ମିଶନର ଶୁଭାରମ୍ଭ କରିବେ । ସେ ପିଏମ-କିଷାନର ୧୫ତମ କିସ୍ତି ମଧ୍ୟ ଜାରି କରିବେ ଏବଂ ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ତଥା ଶିଳାନ୍ୟାସ କରିବେ ।

Categories
ଆଜିର ଖବର ରାଜ୍ୟ ଖବର

ବିର୍ସାମୁଣ୍ଡା ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ, ଜାତୀୟ ଆଲୋଚନା ଚକ୍ରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭଗବାନ ବିର୍ସାମୁଣ୍ଡାଙ୍କ କୀର୍ତି ଓ ଜୀବନାଦର୍ଶ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦର୍ଶାଇ ଅତିଥିମାନେ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌.ସି.ଏସ୍‌.ଟି. ଆର.ଟି.ଆଇ ଏବଂ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଳାଳୟର ମିଳିତ ସହଯୋଗରେ ଆଜି ଅନୁଷ୍ଠିତ ଏକ ଜାତୀୟ ଆଭାସୀ ଆଲୋଚନା ଚକ୍ରରେ “ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ” ପ୍ରସଙ୍ଗ ଉପରେ ଆଲୋଚକମାନେ ବକ୍ତବ୍ୟ ରଖିଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ନଭଲଜିତ କପୁର, ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ବିଜୟ ଏ ସହାୟ ପ୍ରମୁଖ ବକ୍ତବ୍ୟ ରଖି ଭଗବାନ ବିର୍ସାଙ୍କୁ ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତିମନ୍ତ ପ୍ରତୀକ ଭାବରେ ଅଭିହିତ କରିଥିବା ବେଳେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସ୍ୱାଗତ ଭାଷଣ କ୍ରମେ ରାଷ୍ଟ୍ରନିର୍ମାଣରେ ଯୋଗଦାନ ଓ ପ୍ରାଣବଳି ଦେଇଥିବା ଜନଜାତି ନାୟକମାନଙ୍କର ସ୍ମୃତି ଚାରଣ ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଚଳିତ ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ପାଳନ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ ।

ବୈଷୟିକ ଅଧିବେଶନରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡ. କିଶୋର କୁମାର ବାସା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗ ପ୍ରଫେସର ସୁମହନ୍ ବଂନ୍ଦୋପାଧ୍ୟାୟ, ରାଂଚିସ୍ଥିତ ମୁଣ୍ଡାରୀ ଲୋକଭାଷା ପାଠ୍ୟକ୍ରମର ସଂଯୋଜକ ଗୁଂଜଲ ଉକିର ମୁଣ୍ଡା, ରାଂଚିସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ସତ୍ୟନାରାୟନ ମୁଣ୍ଡା ପ୍ରମୁଖ ବିଦ୍ୱାନ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରି ବୀର ବୀର୍ସାଙ୍କ ଜୀବନ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଂଚଳରୁ ଗବେଷକ, ଶିକ୍ଷାବିତ୍‌, ବିଦ୍ୱାନ, ଜନଜାତି ବିକାଶ କର୍ମୀ, ଜନଜାତି ବିକାଶ ସଂସ୍ଥାନ ଓ ଉତ୍କର୍ଷ କେନ୍ଦ୍ରର ପ୍ରତିନିଧି, କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟର ଜନଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।