Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାପାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ସୁଗା ୟୋଶିହିଦେ ନିଯୁକ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ସୁଗା ୟୋଶିହିଦେ। ତାଙ୍କର ଏହି ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ସଂପର୍କକୁ ନେଇ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ଗତ କିଛି ବର୍ଷ ହେଲା ଭାରତ-ଜାପାନ ମଧ୍ୟରେ ରଣନୀତିକ ଭାଗିଦାରୀ ବେଶ ବଢିଛି । ପାରସ୍ପରିକ ବିଶ୍ୱାସ ତଥା ଚିନ୍ତାଧାରା ବିନିମୟ ମାଧ୍ୟମରେ ଏହାକୁ ମଜବୁତ କରିବା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଥିଲେ ।

ଦୁଇ ଦେଶ ମଧ୍ୟରେ ଭାଗିଦାରୀ କୋଭିଡ-୧୯ ମହାମାରୀ ଭଳି ବିଶ୍ୱବ୍ୟାପୀ ଆହ୍ୱାନକୁ ଦୃଷ୍ଟିରେ ରଖି ଅଧିକ ପ୍ରାସଙ୍ଗିକ ବୋଲି ଦୁଇ ନେତା ଏକମତ ହୋଇଥିଲେ । ଅବାଧ, ଖୋଲା ଓ ସମ୍ମିଳିତ ଭାରତ-ପ୍ରଶାନ୍ତମହାସାଗରୀୟ ଅଂଚଳର ଆର୍ଥିକ ରୂପରେଖ ନମନୀୟ ଯୋଗାଣ ଶୃଙ୍ଖଳା ଉପରେ ଆଧାରିତ ହେବା ଦରକାର ବୋଲି ଦୁଇ ନେତା ଗୁରୁତ୍ୱ ଦେବା ସହ ଭାରତ, ଜାପାନ ଓ ଅନ୍ୟ ସମାନ ବିଚାରଧାରା ଥିବା ଦେଶଗୁଡିକୁ ସହଯୋଗ ପାଇଁ ଆମନ୍ତ୍ରଣ ଜଣାଇଥିଲେ । ଉଭୟ ନେତା ଦୁଇ ଦେଶର ପ୍ରଗତିଶୀଳ ଅର୍ଥନୈତିକ ଭାଗିଦାରୀକୁ ପ୍ରଶଂସା କରିଥିଲେ ଓ ଏହି ମର୍ମରେ କୁଶଳୀ ଶ୍ରମିକଙ୍କ ସହ ସମ୍ପର୍କିତ ରାଜିନାମାର ବିଷୟବସ୍ତୁକୁ ଅନ୍ତିମ ରୂପ ପ୍ରଦାନକୁ ସ୍ୱାଗତ କରିଥିଲେ ।

କୋଭିଡ-୧୯ ମହାମାରୀ ଜନିତ ସ୍ଥିତି ସୁଧୁରିବା ପରେ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅବସରରେ ଭାରତ ଗସ୍ତରେ ଆସିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରଣ ଜଣାଇଥିଲେ ।