Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଯୋଜନା

ନୂଆଦିଲ୍ଲୀ: ୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଭାରତ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ପୁଞ୍ଜି ବିନିଯୋଗ ପ୍ରକଳ୍ପ ପାଇଁ ୫୦ ବର୍ଷ ଲାଗି ସୁଧମୁକ୍ତ ଋଣ ଆକାରରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଯୋଜନାର ପଞ୍ଚମ ଭାଗ (ଅପ୍ଟିକାଲ ଫାଇବର କେବୁଲ) ଅଧୀନରେ, ୩୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅପ୍ଟିକାଲ ଫାଇବର କେବୁଲ (ଓଏଫସି) ନେଟୱର୍କ ପାଇଁ ପୁଞ୍ଜି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଏହି ସହାୟତା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ହେବ। ଦୂରସଞ୍ଚାର ବିଭାଗର ସୁପାରିସ କ୍ରମେ ବ୍ୟୟ ବିଭାଗ ପକ୍ଷରୁ ନିକଟରେ ଚାରିଟି ରାଜ୍ୟ: ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ହରିୟାଣା ଏବଂ କର୍ଣ୍ଣାଟକ ପାଇଁ ଯଥାକ୍ରମେ ୫୦ କୋଟି, ୮୪ କୋଟି, ୬୫ କୋଟି ଏବଂ ୧୫୬ କୋଟି ଟଙ୍କାର ଆବଣ୍ଟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ: ଓଡ଼ିଶା ପହଁଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଗଙ୍ଗପଡ଼ା: ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କର ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ନାଭି ମୁମ୍ବାଇ ମହାରାଷ୍ଟ୍ରର ଏ.ସି. ପାଟିଲ କଲେଜ ଅଫ୍ ଇଂଜିନିୟରିଂ ରୁ ୨୫ ଜଣ ଛାତ୍ରଛାତ୍ରୀ ଏବଂ ପୁନେର ୨୫ଟି ସ୍କୁଲରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦୁଇଜଣ ଅଧ୍ୟାପକ ଓ ଦୁଇଜଣ ଅଧ୍ୟାପିକା ଆସିଛନ୍ତି।

ଏହି ପାଂଚ ଦିନିଆ ରହଣୀ ଭିତରେ ସେମାନେ କଲେଜର ବିଭିନ୍ନ ବିଭାଗ ବୁଲିବା ସହ ଓଡ଼ିଆ ଓ ମରାଠୀ ଭାଷା ବିନିମୟ କାର୍ଯ୍ୟକ୍ରମରେ ଭାଗନେବେ। ଏଥି ସହ ଭୁବନେଶ୍ବରରେ ବିଭିନ୍ନ ମନ୍ଦିର, ମ୍ୟୁଜିୟମ, ହାଟ, ଇତ୍ୟାଦି ବୁଲିବା ସହ ଚିଲିକା, ପୁରୀ, କୋଣାର୍କକୁ ମଧ୍ୟ ବୁଲିଯିବା ପାଇଁ କଲେଜ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସର୍ବୋପରି ଏହା ଭାଷା, ସଂସ୍କୃତି ଓ କଳାର ଭାବ ବିନିମୟର ଉତ୍କୃଷ୍ଟ ଉଦାହରଣ।

ଆଜିର ସ୍ଵାଗତ ସମାରୋହର ଗିଫ୍ଟର ଅଧ୍ୟକ୍ଷ, ଡଃ. ସି.ଏଚ୍.ଭି.ଏସ୍. ପରମେଶ୍ଵର ରାଓ, ଡିନ୍ ଏକାଡ଼େମିକ୍ ଡଃ. ଆର୍. ଏନ୍. ପଣ୍ଡା, ଡିନ୍ ଆଡ୍‌ମିସନ ଏମ୍.କେ. ରାଉତ, ରେଜିଷ୍ଟ୍ରାର୍ ଡଃ. ମନୋରଞ୍ଜନ ମିଶ୍ର, ଓଏସ୍‌ ଇଂ. ସମୀର ରଞ୍ଜନ ପଣ୍ଡା ଓ ଭାଇସ୍‌ ଚେୟାରମ୍ୟାନ ଡଃ. ପତିତପାବନ ପଣ୍ଡା ସମୂହ ଉପସ୍ଥିତ ଥିଲେ। ସଂଯୋଜକ ଭାବେ ପ୍ର. ଅଭିଜିତ୍ ମଙ୍ଗରାଜ, ପ୍ର. ସିପ୍ରା କର୍‌ମାକର, ପ୍ର. ପ୍ରଣତୀ ମିଶ୍ର ଓ ସରିତା ତ୍ରୀପାଠୀ ଉପସ୍ଥିତ ରହି  ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରୀଡା ପୁରସ୍କାର ୨୦୨୨ ପାଇଁ ଆବେଦନ ଆମନ୍ତ୍ରିତ କଲା ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ

ଦିଲ୍ଲୀ: ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ପ୍ରତି ବର୍ଷ କ୍ରୀଡା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ। ୨୦୨୨ ବର୍ଷ ପାଇଁ କ୍ରୀଡା ପୁରସ୍କାର ନିମନ୍ତେ ଆବେଦନକାରୀ ଆମନ୍ତ୍ରଣ ପତ୍ର ସମ୍ପର୍କିତ ବିଜ୍ଞପ୍ତି ୱେବ୍ ସାଇଟ୍ www.yas.nic.in ରେ ଅପ୍‌ଲୋଡ୍ କରା ଯାଇଛି। ଭାରତୀୟ ଅଲିମ୍ପିକ୍ ସଂଘ/ଭାରତୀୟ କ୍ରୀଡା ପ୍ରାଧିକରଣ (ସ୍ୱୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ)/ସ୍ୱୀକୃତି ପ୍ରାପ୍ତ ଜାତୀୟ କ୍ରୀଡା ସଂଘ/କ୍ରୀଡା ପ୍ରୋତ୍ସାହନ ବୋର୍ଡ/ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଇତ୍ୟାଦିଙ୍କୁ ମଧ୍ୟ ସେହି ଅନୁଯାୟୀ ସୂଚିତ କରା ଯାଇଛି।

ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ୍ ମାନଙ୍କ ଠାରୁ/ପ୍ରଶିକ୍ଷକ ମାନଙ୍କ ଠାରୁ/ସଂସ୍ଥା ଗୁଡିକ ଠାରୁ/ବିଶ୍ୱ ବିଦ୍ୟାଳୟ ଗୁଡିକ ଠାରୁ ଆବେଦନ ଆମନ୍ତ୍ରିତ କରା ଯାଇଛି। ଏହି ବର୍ଷ ଠାରୁ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ ମାଧ୍ୟମରେ କେବଳ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ ଗୁଡିକ ଆମନ୍ତ୍ରିତ କରା ଯାଉଛି। ପୁରସ୍କାର ନିର୍ଦ୍ଦେଶାବଳୀ ଅନୁଯାୟୀ ଆବେଦନକାରୀ କେବଳ ପୋର୍ଟାଲ୍ dbtyas-sports.gov.in ରେ ଅନ୍‌ଲାଇନ୍ ମାଧ୍ୟମରେ କୌଣସି କର୍ତୃପକ୍ଷ/ବ୍ୟକ୍ତିଙ୍କ ବିନା ସୁପାରିଶରେ ଆତ୍ମ – ନିବେଦନ କରିବାକୁ ଅନୁମତି ପ୍ରଦାନ କରା ଯାଇଛି। ଅନ୍ ଲାଇନ୍ ଆବେଦନ କରିବା ସମୟରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ, ଆବେଦନକାରୀ କ୍ରୀଡା ବିଭାଗ ସହିତ ଇ – ମେଲ୍ ଆଇଡି section.sp4-moyas[at]gov[dot]in ମାଧ୍ୟମରେ ଯୋଗାଯୋଗ କରି ପାରିବେ କିମ୍ବା ୦୧୧ – ୨୩୩୮୭୪୩୨ ଟେଲିଫୋନ୍ ନମ୍ବରରେ ଯେ କୌଣସି କାର୍ଯ୍ୟ ଦିବସରେ ସକାଳ ୯ଟା ରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ସମୟ ଭିତରେ ଯୋଗାଯୋଗ କରି ପାରିବେ। ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ୍‌ଙ୍କର ଆବେଦନ ପୋର୍ଟାଲ୍ dbtyas-sports.gov.in ରେ ୨୦ ସେପ୍ଟେମ୍ବର ୨୦୨୨ ତାରିଖ ରାତି ୧୧. ୫୯ ସୁଦ୍ଧା ଦାଖଲ ହେବା ଜରୁରୀ ଅଟେ। ଶେଷ ତାରିଖ ପରେ ଗ୍ରହଣ କରା ଯାଇଥିବା ଆବେଦନକୁ ବିଚାରକୁ ନିଆ ଯିବ ନାହିଁ।

କ୍ରୀଡା କ୍ଷେତ୍ରରେ ଉତ୍କର୍ଷତାକୁ ଚିହ୍ନଟ କରିବା ଏବଂ ପୁରସ୍କୃତ କରିବା ପାଇଁ ପ୍ରତି ବର୍ଷ କ୍ରୀଡା ପୁରସ୍କାର ଦିଆଯାଏ। ଚାରି ବର୍ଷ ମଧ୍ୟରେ ଜଣେ କ୍ରୀଡାବିତ୍‌ଙ୍କ ଦ୍ୱାରା କ୍ରୀଡା କ୍ଷେତ୍ରରେ ଚମତ୍କାର ତଥା ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମେଜର୍ ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରା ଯାଇଥାଏ। ଚାରି ବର୍ଷ ପାଇଁ କ୍ରମାଗତ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଅର୍ଜୁନ ପୁରସ୍କାର ଦିଆଯାଏ। ଆନ୍ତର୍ଜାତୀୟ ସମ୍ମାନଜନକ କ୍ରୀଡା ଇଭେଂଟରେ ପଦକ ବିଜେତା ସୃଷ୍ଟି କରିବା ନିମନ୍ତେ ପ୍ରଶିକ୍ଷକ ମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରା ଯାଇଥାଏ, ଯେତେବେଳେ କି ଧ୍ୟାନଚାନ୍ଦ ପୁରସ୍କାର କ୍ରୀଡା ବିକାଶରେ ଜୀବନ ବ୍ୟାପି ଅବଦାନ ପାଇଁ ଦିଆ ଯାଇଥାଏ।

କର୍ପୋରେଟ୍ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରା ଯାଇଥାଏ, ଯେଉଁମାନେ କ୍ରୀଡା ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ଆଖି ଦୃଶିଆ ଭୂମିକା ଗ୍ରହଣ କରିଥାନ୍ତି। ଆନ୍ତଃ ବିଶ୍ୱ ବିଦ୍ୟାଳୟ ଟୁର୍ଣ୍ଣାମେଂଟରେ ସାମଗ୍ରିକ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ବିଶ୍ୱ ବିଦ୍ୟାଳୟକୁ ମୌଲାନା ଆବଦୁଲ୍ କଲାମ୍ ଆଜାଦ୍ (ଏମ୍‌ଏକେଏ) ଟ୍ରଫି ପ୍ରଦାନ କରା ଯାଇଥାଏ।

Categories
ବିଶେଷ ଖବର

ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: “ଭାରତ ସରକାର ସହଯୋଗ ଓ ସମନ୍ୱୟମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି।” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଭାଷୀ ମାଧ୍ୟମରେ ବିଭିନ୍ନ ଫ୍ଲାଗସିପ ଯୋଜନାର କାର୍ଯ୍ୟ ସମୀକ୍ଷା କାଳରେ ଆଜି ଏହା ପ୍ରକାଶ କରିଛନ୍ତି। ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜରୁରୀକାଳୀନ କୋଭିଡ ରେସପନ୍ସ କ୍ୟାକେଜ, ଇସିଆରପି-୨, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ) ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭିଏଫସି) ସାମିଲ ଥିଲେ। ସେ କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ପ୍ରତିଷେଧକ କୋଭିଡ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ତଥା ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତିକରଣ ନେଇ ବିଭିନ୍ନ ବୈଠକର ଏହା ଅଂଶବିଶେଷ।

ଯୋଗ ଦେଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ ହେଲେ- ଡକ୍ଟର ରାଜୀବ ସାଇଜଲ (ହିମାଚଳ ପ୍ରଦେଶ), ବୀନା ଜର୍ଜ (କେରଳ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ), ଡକ୍ଟର ଧାନ ସିଂ ରାୱତ (ଉତ୍ତରାଖଣ୍ଡ), ନିଧାଧଲା ରଜନୀ (ଆନ୍ଧ୍ର ପ୍ରଦେଶ), କେଶବ ମହାନ୍ତ (ଆସାମ), ଆଲୋ ଲିବାଙ୍ଗ (ଅରୁଣାଚଳ ପ୍ରଦେଶ), ଅନୀଲ ଭିଗ୍ (ହରିୟାଣା), ବାନା ଗୁପ୍ତା (ଝାଡ଼ଖଣ୍ଡ), ମଣି କୁମାର ଶର୍ମା (ସିକିମ), ତିରୁମା ସୁବ୍ରମନିୟମ (ତାମିଲନାଡୁ), ଟି. ହରିଶ ରାଓ (ତେଲେଙ୍ଗାନା), ଟି. ଏସ. ସିଂଦେଓ (ଛତିଶଗଡ଼), ତିରୁ ଏନ ରଙ୍ଗସ୍ୱାମୀ (ପୁଡୁଚେରୀ), ଏଲ ଜୟନ୍ତ କୁମାର ସିଂହ (ମଣିପୁର), ଜେମସ କେ. ସାଙ୍ଗମା (ମେଘାଳୟ), ପ୍ରସାଦୀ ଲାଲ ମୀନା (ରାଜସ୍ଥାନ), ବିକ୍ରମ ପାଠକ (ଉତ୍ତର ପ୍ରଦେଶ), ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଋଷିକେଶ ପଟେଲ (ଗୁଜରାଟ) ଏବଂ ଶ୍ରୀନମିଶା ସୁଥାଲ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଗୁଜରାଟ।

ଯେକୌଣସି ପ୍ରତିକୂଳ ଅବସ୍ଥାକୁ ଏକ ସୁଯୋଗ ଭାବେ ବିବେଚନା କରିବା ଭଳି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନର ଶିକ୍ଷାଲାଭ ଆମର ବ୍ୟବସ୍ଥାକୁ ମଜବୁତ କରିବା ନେଇ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବୈଶ୍ୱିକ ମହାମାରୀ ଆମକୁ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଜଟିଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଦିଗରେ ବିନିଯୋଗ କରାଇବାକୁ ଶିକ୍ଷା ଦେଇଛି। ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହଜ ଲବ୍ଧ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଅଙ୍ଗୀକାରବଦ୍ଧ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କେତେକ ରାଜ୍ୟରେ କେନ୍ଦ୍ରୀୟ ପାଣ୍ଠିର କମ ବିନିଯୋଗ ଉପରେ ଉଦବେଗ ପ୍ରକାଶ କରି ସେ କହିଥିଲେ ଯେ “କେନ୍ଦ୍ର ପାଣ୍ଠିର କମ ବିନିଯୋଗ ସମୀକ୍ଷା କରିବା ସହ ରାଜ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରି ସ୍ୱାସ୍ଥ୍ୟ ଯୋଜନାର ଦ୍ରୁତ କାର୍ଯ୍ୟକାରିତା ନିମନ୍ତେ ଅଧିକ ପାଣ୍ଠି କେନ୍ଦ୍ରକୁ ମାଗିବା ଉଚିତ।” ବିଭିନ୍ନ ଫ୍ଲାଗସିପ ପ୍ୟାକେଜ କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଗଠନ ନିମନ୍ତେ ପାଣ୍ଠିର ସମୟୋଚିତ ବିନିଯୋଗ ନେଇ ରାଜ୍ୟମାନଙ୍କୁ ଅନେକ ନମନୀୟତା ପ୍ରଦର୍ଶନ କରାଯାଇଛି। ଡିସେମ୍ବର ୨ଠ୨୨ ପର୍ଯ୍ୟନ୍ତ ପ୍ୟାକେଜ ଉପଲବ୍ଧ ଥିବା ଦୃଷ୍ଟିରୁ ଇସିଆରପି-୨ ଅଧୀନରେ ମିଳୁଥିବା ପାଣ୍ଠିର ଯଥାଶୀଘ୍ର ବିନିଯୋଗ କରାଯିବା ଉଚିତ।

ଡକ୍ଟର ମାଣ୍ଡଭ୍ୟ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଗଣଙ୍କୁ ପାଣ୍ଠି ବିନିଯୋଗ ନେଇ ତାଙ୍କ ସହ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ସହ ଏ ଦିଗରେ ସେମାନଙ୍କୁ ପ୍ରସ୍ତାବ ଦେବାକୁ ମଧ୍ୟ ନିବେଦନ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ନେଇ ଯେପରି ବ୍ୟକ୍ତିଗତ ତଦାରଖ କରିବା ସହ ସମୀକ୍ଷା କରିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଥିଲେ। ଯେପରି ପାଣ୍ଠି ବିନିଯୋଗ ନ ହୋଇ ପଡ଼ିରହେ ତାହାର ବ୍ୟକ୍ତିଗତ ଭାବେ ସମୀକ୍ଷା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ନିବଦେନ କରିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନାର ଆର୍ଥିକ ପ୍ରଗତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୋର୍ଟାଲର ଅପଡେଟ ନେଇ ମଧ୍ୟ ସେ ଅନୁରୋଧ କରିଥିଲେ।

କୋଭିଡ ଟୀକାକରଣର ସଫଳତା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡ଼ିକୁ ୧୮ ବର୍ଷରୁ ଅଧିକ ହିତାଧିକାରୀମାନଙ୍କୁ ପ୍ରତିଷେଧକ ମାତ୍ରା ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦, ୨୦୨୨ ମଧ୍ୟରେ ୭୫ ଦିନ ପାଇଁ ପାଳନ କରାଯାଉଥିବା ଟୀକାକରଣ ଅମୃତ ମହୋତ୍ସବ କାଳରେ ଏହାକୁ ତ୍ୱରାନ୍ୱିତ କରିିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଯେଉଁମାନେ ଦ୍ୱିତୀୟ ମାତ୍ରା ନେବାର ଛଅ ମାସ ବା ୨୬ ସପ୍ତାହ ଅତିକ୍ରମ କରି ସାରିଛନ୍ତି ସେମାନେ ମାଗଣାରେ ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ରରେ ଏହା ନେଇପାରିବେ । ସେ ମଧ୍ୟ ଏକାଭଳି ପ୍ରତିଷେଧକ ମାତ୍ରା କାର୍ବୋଭେକ୍ସ ଟୀକାର ଉପଲବ୍ଧତା ନେଇ ପ୍ରଚାର କରିବା ସହ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବିମାନବନ୍ଦର, ବିଦ୍ୟାଳୟ, ମହାବିଦ୍ୟାଳୟ, ଧାର୍ମିକ ଯାତ୍ରା ପଥ ଓ ସ୍ଥଳ ଇତ୍ୟାଦିରେ ଟୀକାଦାନ ଶିବିର ଆୟୋଜନ ଉପରେ ମଧ୍ୟ ପରାମର୍ଶ ଦେଇଥିଲେ। ଏ ପର୍ଯ୍ୟନ୍ତ ୧୨.୩୬ କୋଟି ପ୍ରତିଷେଧକ ମାତ୍ରା ପ୍ରଦାନ କରାଯାଇଛି।

ପ୍ରତ୍ୟେକ ଟୀକାର ଅବଧି ଯେପରି ଅତିକ୍ରାନ୍ତ ନ ହୁଏ ସେଥିପାଇଁ (ଏଫଇଏଫଓ) ନୀତି ପ୍ରଥମ ଅବଧି ପୂର୍ଣ୍ଣ ଟୀକାର ପ୍ରଥମ ବିନିଯୋଗ କରି ଏହାର ଅବଧି ଯେପରି ଅତିକ୍ରାନ୍ତ ହେବା ଆଗରୁ ବିନିଯୋଗ ହୁଏ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। “ଟୀକା ବହୁମୂଲ୍ୟ ଜାତୀୟ ସମ୍ପଦ ଓ ଗୋଟେ ବି ମାତ୍ରାର ଅବଧି ଯେପରି ଅତିକ୍ରାନ୍ତ ନ ହୁଏ ସେଥିପାଇଁ ସାବଧାନତାର ସହ ଯୋଜନା ଓ ନିୟମିତ ସମୀକ୍ଷା ହେବାର ଆବଶ୍ୟକତା” ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

“ଆସନ୍ତୁ ଆମେ ସମସ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ଶୀଘ୍ର ପିଏମଜେଏୱାଇ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଅଧୀନକୁ ଆଣିବା ସହ ଅବଶିଷ୍ଟ ହିତାଧିକାରୀଙ୍କୁ ପିଏମଜେଏୱାଇ କାର୍ଡ ଶିବିର ଆୟୋଜନ କରି ପ୍ରଦାନ କରିବା” ପିଏମଜେଏୱାଇ ସମୀକ୍ଷା କାଳରେ ଡକ୍ଟର ମାଣ୍ଡଭ୍ୟ ରାଜ୍ୟମାନଙ୍କୁ ଏହି ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ମଜବୁତ (ପିଏମ-ଏବିଏଚଆଇଏମ) ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ବାବଦରେ ଏକ ସର୍ବଭାରତୀୟ ଯୋଜନା। ପାଞ୍ଚ ବର୍ଷ (୨୦୨୫-୨୬ ବର୍ଷ) ପର୍ଯ୍ୟନ୍ତ ବ୍ୟୟବରାଦ ହୋଇଥିବା ୬୪,୧୮୦ କୋଟି ଟଙ୍କା ଦେଶର ପ୍ରାଥମିକ, ପ୍ରାରମ୍ଭିକ ଓ ସମସ୍ତ ସ୍ୱାସ୍ଥ୍ୟ ପଦ୍ଧତିକୁ ମଜବୁତ କରିବା ସହ ବର୍ତ୍ତମାନ ଓ ଭବିଷ୍ୟତ ବୈଶ୍ୱିକ ମହାମାରୀ ଓ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ। ବ୍ଲକ, ଜିଲ୍ଲ, ଆଞ୍ଚଳିକ ଓ ଜାତୀୟ ସ୍ତରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପରିଚାଳିତ ରୋଗ ପର୍ଯ୍ୟବେକ୍ଷଣ ପଦ୍ଧତି ବିକଶିତ କରାଇବା ଏହି ମିଶନର ଲକ୍ଷ୍ୟ। ଏହା ସମସ୍ତ ଅଞ୍ଚଳରେ ରୋଗର ନିଦାନ, ନିରାକରଣ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିରେ ମଧ୍ୟ ଅନୁଷ୍ଠାନ କରିବ।

୨୦୧୭ ନମେଭ୍ୱରରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ୨୦୨୦-୨୫ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ କନସୋଲିଡେଟେଡ ପାଣ୍ଠି ବୃଦ୍ଧି ଲାଗି ସୁପାରିସ କରିବାକୁ ଗଠିତ ହୋଇଥିଲା। ୨୦୨୨ ସୁଦ୍ଧା ବଜେଟରେ ସ୍ୱାସ୍ଥ୍ୟ ବାବଦ ଅଂଶ ଠାରୁ ଅଧିକ ଅନୁ୍ୟନ ଶତକଡ଼ା ଆଠଗୁଣା ବୃଦ୍ଧି ପାଇଁ ଅୟୋଗ ସୁପାରିସ କରିଥିଲେ। ଏହାଛଡ଼ା କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକର ମଧ୍ୟ ଗ୍ରହଣ ପାଇଁ ନମନୀୟ ପଦ୍ଧତି ଘୋଷଣା କରିଥିଲେ। କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଗ୍ରହଣ କରି ସ୍ଥାନୀୟ ସରକାର ପାଇଁ ଶତକଡ଼ା ୩୭ ଭାଗ (୨୬,୧୨୩ କୋଟି) (ମୋଟ ୭୦,୦୫୧ କୋଟି ପାଣ୍ଠି)ରୁ ସହରାଞ୍ଚଳ ସ୍ୱାସ୍ଥ୍ୟସେବା ପାଇଁ ଆବଣ୍ଟନ କରିଥିବା ବେଳେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଲାଗି ୪୩,୯୨୮ କୋଟି ଟଙ୍କା ଆବଣ୍ଟନ କରିଥିଲା।

ଭାରତ କୋଭିଡ-୧୯ ଜରୁରୀକାଳୀନ ରେସପନ୍ସ ଆଣ୍ଡ ହେଲଥ ସିଷ୍ଟମ ପ୍ରସ୍ତୁତି ପ୍ୟାକେଜ ଦ୍ୱିତୀୟ ପର୍ଯ୍ୟାୟ (ଇସିଆରପି-୨)କୁ ପ୍ୟାକେଜ ବାବଦ ୨୩,୧୨୩ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ ଜୁଲାଇ ୮, ୨୦୨୧ରେ ଅନୁମୋଦନ କରିଛନ୍ତି। ଜୁରୁରୀକାଳୀନ ଭିତ୍ତିରେ ରୋଗ ଚିହ୍ନଟ ଓ ନିରାକରଣ ଓ ଭିତ୍ତିଭୂମି ବିକାଶ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ଇତ୍ୟାଦି ଦିଗରେ ଏହା ବିନିଯୋଗ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଲିପାଟଣାରେ ହର ଘର ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଠାରେ ‘ହର ଘର ତିରଙ୍ଗା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପଦଯାତ୍ରାରେ ଉତ୍ସାହର ସହ ସାମିଲ ହୋଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା ସବୁ ଦେଶବାସୀଙ୍କ ପାଇଁ ଏକ ଶୁଭ ଅବସର। ଦେଶର ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସାଂସଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ସ୍ବାଧୀନତାର ଅମୃତ ମହୋତ୍ସବ ଏବଂ ସ୍ବାଧୀନତା ସଂଗ୍ରାମର ଅନାଲୋଚିତ ନାୟକଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଭାରତ ସରକାରଙ୍କ ନମୁନା ପଞ୍ଜୀକରଣ ପଦ୍ଧତିରେ ମୋବାଇଲ ଆପ୍ ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଦୁଷ୍ମନ୍ତ କୁମାର ପଣ୍ଡା  

କଳାହାଣ୍ଡି: ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ଓଡିଶା ଭୁବନେଶ୍ବର ପକ୍ଷରୁ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ନମୁନା ପଞ୍ଜୀକରଣ ପଦ୍ଧତିର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ  ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶୁଭେନ୍ଦୁ ମୁଣ୍ଡଙ୍କ ଉପସ୍ଥିତିରେ ଭୁବନେଶ୍ବର ଜନଗଣନା ନିର୍ଦ୍ଦେଶାଳୟରୁ ଆସିଥିବା ସହକାରୀ ନିର୍ଦ୍ଦେଶକ ଜୟକୃଷ୍ଣ ଭୋଇ, ନୋଡାଲ ଅଫିସର ଭାବେ ହେମନ୍ତ କୁମାର ନାଏକ ଉପସ୍ଥିତ ଥିଲେ।

ମୁଖ୍ୟ ପ୍ରଶିକ୍ଷକ ଉପେନ୍ଦ୍ର କୁମାର ନାଏକ ଏବଂ ସହକାରୀ ପ୍ରଶିକ୍ଷକ ରଞ୍ଜନ କୁମାର ମେହେର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରୁ ଆସିଥିବା ୩୪ ଜଣ ସାମୟିକ ଗଣନା କାରୀମାନଙ୍କୁ ମୋବାଇଲ୍ ଆପ୍ ମାଧ୍ୟମରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ସଠିକ୍ ତଥ୍ୟ ସଂଗ୍ରହ କରି ଭାରତର ମହା ପଞ୍ଜିକାରଙ୍କ ଦ୍ଵାରା ବିକଶିତ ୱେବ୍ ପୋର୍ଟାଲ୍ ରେ କିପରି ଅପଲୋଡ କରିବେ ତାହାର ବିଶଦ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଆଜି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଦେଶ ଓ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦ୍ରୁତ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୋଭିଡ଼୍ ଲଢ଼େଇର ମାତ୍ର ୧୮ ମାସ ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକାକରଣ କରାଇ ଭାରତ ସାରା ବିଶ୍ୱରେ ଇତିହାସ ରଚିଛି, ଯାହା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ଭାରତ ଆଜି ସମଗ୍ର ବିଶ୍ୱରେ ଏହି ବିରାଟ ବଡ଼ ସଫଳତା ହାସଲ କରିପାରିଛି । ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ଼ ଟିକା ଉପଲବ୍ଧ କରାଇ ଆମ ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବା ସଙ୍ଗେସଙ୍ଗେ ତ୍ୱରିତ ଟୀକାକରଣ ପ୍ରକ୍ରିୟାକୁ ନିଶ୍ଚିତ କରିଛି । ଏହାର ସଫଳତା ପଛରେ ଦେଶର ଲକ୍ଷ ଲକ୍ଷ ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି ଏବଂ ଏଥିପାଇଁ ଆମେ ସମସ୍ତେ ତାଙ୍କ ପାଖରେ ଋଣୀ ।

ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଏବଂ ଏବେ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ୍ ଦେବା ପାଇଁ ଅମୃତ କାଳରେ ଜୁଲାଇ ୧୫ରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଟିକାକରଣ କରାଯାଉଛି । କିନ୍ତୁ କୋଭିଡ଼ ବୁଷ୍ଟର ଡୋଜ୍ ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶାର ହାର କମ ଅଛି । ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇ ନାହାନ୍ତି ।

ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟିକା ନେଇସାରିଛନ୍ତି । କେବଳ ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋ଼ଜ୍ ନେଇଛନ୍ତି । ରାଜ୍ୟର ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ।

ଏବେ ବର୍ଷାଋତୁରେ କୋଭିଡ଼ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ତିଆରି ହୋଇଛି । ଏହି କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟୀକା । ତେଣୁ ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ଡୋଜ୍ ନିଅନ୍ତୁ । ବୁଷ୍ଟର ଡୋଜ୍ ନେଇ ନ ଥିବା ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ନିଜ ପରିବାର, ସମାଜ, ରାଜ୍ୟ ତଥା ଦେଶକୁ ସୁରକ୍ଷିତ ରଖନ୍ତୁ । ବୁଷ୍ଟର ଡୋଜ ନେଇ ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କ ପରିଶ୍ରମକୁ ଉଚିତ୍ ସମ୍ମାନ ଦେବା । କୋଭିଡ଼ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ବ୍ୟାପକ କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବକୁ ସଗୌରବେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରଠାରେ ବାଲ୍‌ମର ଲରିର ନୂତନ କୋଲ୍‌ଡ ଚେନ୍ ୟୁନିଟ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନରେ ଥିବା ମିନିରତ୍ନ ଆଇପିଏସ୍‌ଇ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍ ପକ୍ଷରୁ ଆଜି ଓଡ଼ିଶାର ଭୁବନେଶ୍ୱରଠାରେ ଏହାର ଅତ୍ୟାଧୁନିକ କୋଲ୍ଡ ଚେନ୍ ୟୁନିଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର ଏବଂ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଶ୍ରମ ଓ ନିଯୁକ୍ତି ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କୋଲ୍ଡଚେନ୍ ସୁବିଧା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଛତାବରଠାରେ ନିର୍ମିତ ଏହି କୋଲ୍ଡଚେନ୍ ୟୁନିଟ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ପୂର୍ବାଞ୍ଚଳରେ ପ୍ରଥମ ଏବଂ ସମଗ୍ର ଦେଶରେ ଚତୁର୍ଥ ୟୁନିଟ୍। ସମଗ୍ର ଭାରତରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ବାଲ୍‌ମର୍ ଲରି ହେଉଛି ଏକ ସମନ୍ୱିତ ଲଜିଷ୍ଟିକ୍ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଏହାର ଲଜିକୋଲ୍ଡ ବ୍ରାଣ୍ଡ ମାଧ୍ୟମରେ ବଜାରରେ ଏହାର ଉପସ୍ଥିତି ବୃଦ୍ଧି କରିଆସୁଅଛି। ଭାରତ ସରକାରଙ୍କ ‘ଆକ୍ଟ ଇଷ୍ଟ ନୀତି’ ଏବଂ ‘ଆତ୍ମନିର୍ଭର ଭାରତ’ର ଏକ ପ୍ରୟାସ ସ୍ୱରୂପ ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟ ପ୍ରତିଷ୍ଠା କରାଯାଉଛି। ଏହି କୋଲ୍ଡଚେନ୍ ୟୁନିଟ୍ ପୂର୍ବାଞ୍ଚଳରେ ସାମୁଦ୍ରିକ ଖାଦ୍ୟ, ଦୁଗ୍ଧ, କୃଷିଜାତ ଶିଳ୍ପ, ଏବଂ ରେଷ୍ଟୁରାଣ୍ଟର ଦ୍ରୂତ ସେବା (କ୍ୟୁଏସ୍‌ଆର୍‌)ର ଚାହିଦାକୁ ପୂରଣ କରିବ।

ଏହି ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ନିର୍ଦ୍ଦେଶକ (ସେବା ବ୍ୟବସାୟ) ଅଧିପ ନାଥ ପାଲଚୌଧୁରୀ ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌.ଏମ୍ ଉଥାୟାରାଜା, ନିର୍ଦ୍ଦେଶକ (ଉତ୍ପାଦନ ବ୍ୟବସାୟ) ପ୍ରମୁଖ ଉପସ୍ଥିତ ଥିଲେ। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ।

କୋଲ୍ଡଚେନ୍ ୟୁନିଟକୁ ନୀତିଗତ ଭାବେ ଅବସ୍ଥାନ କରାଯାଇଛି ଏବଂ ଜାତୀୟ ରାଜପଥ ନିକଟରେ ସ୍ଥାପନ କରାଯାଇଥିବାରୁ ଗ୍ରାହକମାନଙ୍କ ପାଇଁ ଏହା ସୁବିଧାଜନକ ହେବ। ଏଠାରେ ବ୍ୟବହୃତ ଅତ୍ୟାଧୁନିକ ଶୀତଳୀକରଣ ଟେକ୍ନୋଲୋଜୀ ଏବଂ ସ୍ୱଂଚାଳିତ ଉତ୍ପାଦ ନିୟନ୍ତ୍ରଣ ଖାଦ୍ୟପଦାର୍ଥଗୁଡ଼ିକରେ ସର୍ବନିମ୍ନ ମାନବ ସ୍ପର୍ଶ ସହିତ ଉତ୍ପାଦଗୁଡ଼ିକର ନିରାପତ୍ତା ଏବଂ ଗୁଣବତ୍ତା ସୁନିଶ୍ଚିତ କରିଥାଏ। ଉନ୍ନତ ସେଟ୍‌ଅପ୍ କେବଳ ଗୁଣାତ୍ମକ ଖାଦ୍ୟ ପଦାର୍ଥ ରପ୍ତାନି ପାଇଁ ନୁହେଁ ବରଂ ନିୟନ୍ତ୍ରିତ ତାପମାତ୍ରାରେ ଫଳ ଓ ପନିପରିବାର ବିଶେଷ କରି ଆଳୁ ସଂରକ୍ଷଣ ପାଇଁ ଏହା ଉତ୍କୃଷ୍ଟ ଅଟେ।

ଗତ ଦୁଇ ଦଶନ୍ଧି ମଧ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୯ଗୁଣା ବୃଦ୍ଧି କରି ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ହୋଇପାରିଛି। ଭୁବନେଶ୍ୱରରେ ଏହି କୋଲ୍ଡଚେନ୍ ୟୁନିଟ ପୂର୍ବାଞ୍ଚଳର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ଅଟେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ନିଜସ୍ୱ ନିୟନ୍ତ୍ରିତ ତାପମାତ୍ରା ଯାନ (ଟିସିଭି) ଶେଷ ପର୍ଯ୍ୟନ୍ତ ବିତରଣକୁ ସୁନିଶ୍ଚିତ କରେ। ମୋଟ ୩୨ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟ ସ୍ଥାପନ କରାଯାଇଛି।

ସଂଗଠିତ ତୃତୀୟ ପକ୍ଷ ଲିଜିଷ୍ଟିକ (୩ପିଏଲ୍‌), କ୍ୟୁଏସ୍‌ଆର୍‌, ଖୁଚୁରା, ଇ-ବାଣିଜ୍ୟ ଏବଂ ଖାଦ୍ୟ ସେବାଶିଳ୍ପଗୁଡ଼ିକର ଅଭିବୃଦ୍ଧିର ଧାରା ପରିବର୍ତ୍ତନ ହେତୁ ଶୀତଳଭଣ୍ଡାର ଗୁଡ଼ିକର ଧ୍ୟାନକେନ୍ଦ୍ରିତ କରିଛି। ଭୁବନେଶ୍ୱରସ୍ଥିତ କୋଲ୍ଡଚେନ୍ ୟୁନିଟ ୧.୫ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ରହିଛି ଏବଂ ୨୦୦୦ ପ୍ୟାଲେଟ (ଫ୍ରୋଜେନ୍‌) ଏବଂ ୩୦୦୦ ଏମ୍‌ଟି (ଶୀତଳ/ଆମ୍ବିଏଣ୍ଟ) ଷ୍ଟୋରେଜ କ୍ଷମତା ବିଶିଷ୍ଟ ଏହି ୟୁନିଟ୍ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଉପଲବ୍ଧ। ଏହି ୟୁନିଟ୍‌ର ଏଫ୍‌ଏସ୍‌ଏସ୍‌ଏଆଇ, ଏମ୍‌ପିଇଡିଏ, ଫ୍ୟାକ୍ଟ୍ରି ଓ ବଏଲର୍ ଆକ୍ଟ ୧୯୪୮, ପିସିବି ପ୍ରମାଣପତ୍ର ଏବଂ ଅଗ୍ନି ନିରାପତ୍ତା ଲାଇସେନ୍ସ ରହିଛି।

ବାଲ୍‌ମର ଲରି ଲଜିକୋଲ୍ଡ ପୂର୍ବରୁ ଭାରତର ଦକ୍ଷିଣାଞ୍ଚଳ (ହାଇଦ୍ରାବାଦ୍‌), ଉତ୍ତରାଞ୍ଚଳ (ରାୟ, ଦିଲ୍ଲୀ ଏନ୍‌ସିଆର୍‌) ଏବଂ ପଶ୍ଚିମାଞ୍ଚଳ (ପାତାଳଗଙ୍ଗା ଏବଂ ନବୀମୁମ୍ବାଇ)ରେ ନିଜର ପରିଚୟ ସୃଷ୍ଟି କରିସାରିଛି ଏବଂ ବର୍ତ୍ତମାନ ପୂର୍ବାଞ୍ଚଳରେ ଏହାର ଉପସ୍ଥିତି ଜାହିର କରିଛି। ଟିସିଭି, ଏସ୍‌ବିୟୁ: ଶୀତଳ ଭଣ୍ଡାର ସମଗ୍ର ଦେଶର ଗ୍ରାହକମାନଙ୍କୁ ୱାନ୍‌ଷ୍ଟପ କେନ୍ଦ୍ରରେ ସେବା ପ୍ରଦାନକାରୀ ଭାବେ ନିଜକୁ ସ୍ଥାପନ କରିପାରିଛି। ଏସ୍‌ବିୟୁ ଏହାର ହାଇଦ୍ରାବାଦ ୟୁନିଟ୍‌ରୁ ଦୁଇଟି କୋଭିଡ-୧୯ ଟୀକା- କୋଭାକ୍ସିନ ଏବଂ ସ୍ପୁଟନିକ୍ ପରିଚାଳନା କରି କରୋନା ସମୟରେ ଏହାର ବ୍ରାଣ୍ଡ ସୃଷ୍ଟି କରିସାରିଛି। ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟର ସ୍ଥାପନା ବାଲ୍‌ମର ଲରିର ଲଜିଷ୍ଟିକ ରୋଡମ୍ୟାପରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ @୨୦୪୭ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ, ଓ ପି ଟି ସି ଏଲ୍ ଓ ଟିପୀଡ ବ୍ଲୁ ଏଲ ର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆଜାଦି କା ଅମୃତ ମହୋତ୍ସବ ପରିପେକ୍ଷିରେ ସାରା ଭାରତବର୍ଷ ରେ ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ସ୍ଥାନରେ ୨୫.୭.୨୦୨୨ ରୁ ୩୧.୭.୨୦୨୨ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ କରାଯାଉଛି।

ଆଜି ଦିବା ୧୧.୦୦ ଘ ସମୟରେ ଆୟୋଜିତ ବିଦ୍ୟୁତ୍ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ପାୱାରଗ୍ରିଡ ସିନିୟର୍ ଜି ଏମ ଏସ କେ ଚାଖି, ଓ ପି ଟି ସି ଏଲ୍ ଜି ଏମ ଅଜୟ କୁମାର ନନ୍ଦ ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାୟକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଭବାନୀପାଟଣା ବି ଡି ଓ ବିନୟ ଭୋଇ,ଡେପୁଟି ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଇଂ ସୁଧାକର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତା ରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବାପାଇଁ ବିଜୁଳି ମହୋତ୍ସବ ଏକ ମାଧ୍ୟମ ଓ ଏହାଦ୍ବାରା ଅଧିକରୁ ଅଧିକ ଜନସାଧାରଣ ବିଦ୍ୟୁତ୍ କ୍ଷେତ୍ରରେ ବିକାଶକୁ ହୃଦୟଙ୍ଗମ କରିବାସହ ତୃଣମୂଳ ସ୍ତରରେ ଏହାର ଉପଯୋଗୀତା ପହଞ୍ଚିବ।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ରାଜ୍ୟର ପ୍ରତ୍ୟେକ ଉପଭୋକ୍ତା ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ୍ ସେବା ପାଆନ୍ତୁ ତଥା ଏହି ବିଦ୍ୟୁତ ଉତ୍ପାଦନ ବ୍ୟତୀତ ସୌରଶକ୍ତି, ପବନଚାଳିତ ଶକ୍ତି ଉପରେ ଧ୍ୟାନ ଦେଲେ ଓଡ଼ିଶା ତଥା ଦେଶର ବିକାଶ ଓ ଶିଳ୍ପୀକରଣ ରେ ସାହାଯ୍ୟ ହେବ ବୋଲି କହିଥିଲେ ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍ ସେବାକୁ ଏକ ଜରୁରୀ ସେବା ରୂପେ ଗ୍ରହଣ କରି ବିଭାଗୀୟ ଅଧିକାରୀ ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଦେବା ସହ ହିତାଧିକାରୀଙ୍କୁ ସଠିକ୍ ବିଲ ପ୍ରଦାନ କୁ ଗୁରୁତ୍ୱ ଦେବାକୁ କହିଥିଲେ।ପାୱାରଗ୍ରିଡ ଜି ଏମ ସଞ୍ଜୟ ଚାଖି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଉଥିବା ବିଭିନ୍ନ ଲୋକାଭିମୁଖି କାର୍ଯ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ବିଦ୍ୟୁତ୍ ଉପଭୋକ୍ତା ନିଜର ଅସୁବିଧା ଓ ଅନୁଭୂତିକୁ ପ୍ରକଟ କରିଥିଲେ।

ସଭାପରେ ବିଦ୍ୟୁତ ସେବା, ଗ୍ରାହକଙ୍କ ଅଧିକାର, ଅକ୍ଷୟ ଶକ୍ତି, ଗ୍ରାମ୍ୟ ବିଦ୍ୟୁତକରଣ, ପାୱାରଗ୍ରିଡ, ବିଦ୍ୟୁତ୍ ସଞ୍ଚୟ ଓ ଅପଚୟ ଉପରେ ୧୦ ମିନିଟ ର ଭିଡ଼ିଓ କ୍ଲିପ୍ ପ୍ରଦର୍ଶିତ ହୋଇଥିଲା। ପରିବର୍ତ୍ତନ ଓ ବିଜୁଳି ଶୀର୍ଷକ ଦୁଇଟି କ୍ଷୁଦ୍ର ନାଟକ କଳାକାରମାନେ ପରିବେଷଣ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ନୃତ୍ୟ ପ୍ରଦର୍ଶନ ହୋଇଥିଲା। ସଭାଟିକୁ ସଞ୍ଚାଳନ କରିଥିଲେ କର ଆଇନଜୀବୀ ସଂଜୀବ କୁମାର ସିଂ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ ଓପିଟିସିଏଲ୍ ଅଜୟ କୁମାର ନନ୍ଦ, ଟିପିଡବ୍ଲୁଏଲ୍ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମାଟି, ଡି ଆଇ ପି ଆର୍ ଓ ମନୋଜ ବେହେରା, ତହସିଲଦାର ଉପେନ୍ଦ୍ର ଲୁହା, ନିଜାରତ ଅଧିକାରୀ ଶ୍ରୀଶଙ୍କର ନାଗ, ଜିଲ୍ଲା ପରିଷଦ ସଦସ୍ୟ, ବିରୋଧୀ ଦଳ ନେତା ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ବିଦ୍ୟୁତ୍ ଉପଭୋକ୍ତା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ସଭା ପରିଚାଳନା ରେ ପାୱାର ଗ୍ରିଡ ଜି ଏମ ଉମାକାନ୍ତ ଶୁକ୍ଳ, ପାୱାର ଗ୍ରିଡ ମ୍ୟାନେଜର ଆଶୁତୋଷ ଦଳ ବେହେରା, ଏସ୍ ଡି ଓ, ଓପିଟିସିଏଲ୍ ରଞ୍ଜନ କୁମାର ସାହୁ, ପାୱାର ଗ୍ରିଡ କର୍ମଚାରୀ ଡି ବେହେରା ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ: ବିଭିନ୍ନ ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ/ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ମଞ୍ଚକୁ ଆଣି ପୁରସ୍କାର ପ୍ରଦାନରେ ପାରଦର୍ଶିତା ଓ ଜନ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in ) ବିକଶିତ କରାଯାଇଛି। ନାଗରିକମାନେ କିମ୍ବା ସଂଗଠନଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ପାଇଁ ବ୍ୟକ୍ତି/ସଂଗଠନଙ୍କୁ ନାମାଙ୍କିତ କରିପାରିବେ।

ବର୍ତ୍ତମାନ ନିମ୍ନଲିଖିତ ପୁରସ୍କାରଗୁଡିକ ପାଇଁ ନାମାଙ୍କନ/ସୁପାରିଶ ଜାରି ରହିଛି

୧. ପଦ୍ମ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୧୫/୦୯/୨୦୨୨

୨. କୌଶଳାଚାର୍ଯ୍ୟ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୩୦/୦୭/୨୦୨୨

୩. ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପୁରସ୍କାର- ବୟୋଶ୍ରେଷ୍ଠ ସମ୍ମାନ, ନାମାଙ୍କନ ଦାଖଲର ଶେଷ ତାରିଖ ୧୮/୦୮/୨୦୨୨

୪. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର-୨୦୨୧, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨

୫. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର – ୨୦୨୨, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨

୬.  ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡିକ ପାଇଁ ଜାତୀୟ ପୁରସ୍କାର-୨୦୨୧, ଆବେଦନର ଶେଷ ତାରିଖ ୨୮/୦୮/୨୦୨୨

୭. ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡିକ ପାଇଁ ଜାତୀୟ ପୁରସ୍କାର- ୨୦୨୨, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨

୮. ଜାତୀୟ ସିଏସଆର ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୯. ନାରୀ ଶକ୍ତି ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୧୦/୨୦୨୨

୧୦. ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୮/୨୦୨୨

୧୧. ଇ-ଗଭର୍ଣ୍ଣାନ୍ସ ପାଇଁ ଜାତୀୟ ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୧୨. ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୧୩. ମଦ୍ୟପାନ ଓ ମାଦକ ଦ୍ରବ୍ୟ ସେବନ ରୋକିବାରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୧୪. ଜୀବନ ରକ୍ଷକ ପଦକ, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୯/୨୦୨୨

ଅଧିକ ବିବରଣୀ ଓ ନାମାଙ୍କନ ଦାଖଲ ପାଇଁ ଦୟାକରି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in )ପରିଦର୍ଶନ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଠାରେ ଉଜ୍ଜ୍ବଳ ଭାରତ–ଉଜ୍ଜ୍ବଳ ଭବିଷ୍ୟ ଶକ୍ତି- ୨୦୪୭’’ ସମାରୋହ ଆୟୋଜିତ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହାର ଅଂଶବିଶେଷ ସ୍ବରୂପ ଭାରତ ସରକାର ଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ‘‘ଉଜ୍ଜ୍ବଳ ଭାରତ–ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @୨୦୪୭’’ ସମାରୋହ ଆୟୋଜିତ ହେଉଛି। ବୁଧବାର ଦିନ ଖୋର୍ଦ୍ଧା ଟାଉନ ହଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦୀଗନ୍ତ ରାଉତରାୟ, ଖୋର୍ଦ୍ଧା ପୌରପାଳିକା ଅଧ୍ୟକ୍ଷା କନକଲତା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ପାତ୍ର, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶକ୍ତି କ୍ଷେତ୍ରରେ ଦେଶର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

କାର୍ଯ୍ୟକ୍ରମ ଅବସରରେ ଶକ୍ତିର ଆବଶ୍ୟକତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ସ୍ବାଧୀନତା ପରେ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ହୋଇଥିବା ପ୍ରଗତି ବିଷୟରେ ସୂଚନା ଦିଆଯାଇଥିଲା।

ଏହି ଅବସରରେ ବିଦ୍ୟୁତ ଶକ୍ତି ସଂରକ୍ଷଣ, ଉପଭୋକ୍ତା ଅଧିକାର, ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ, ଭବିଷ୍ୟତ ପାଇଁ ଶକ୍ତି ସଂରକ୍ଷଣ ଏବଂ ଅକ୍ଷୟ ଶକ୍ତି ଉତ୍ସ ସମ୍ପର୍କରେ ଉପଭୋକ୍ତାମାନଙ୍କୁ ସଚେତନ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରକୁ ଅନୁମୋଦନ ପତ୍ର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି।

ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଭାରତରେ ୭୪ ହଜାର ଷ୍ଟାର୍ଟଅପ୍ ଅଛି, ଯାହା ୨୦୧୪-୧୫ ରେ ମାତ୍ର ୪ ଶହ ଥିଲା। ଏହାପୂର୍ବରୁ ଶ୍ରୀ ବୈଷ୍ଣବ ଆଇଆଇଟି/ଭୁବନେଶ୍ୱର ଲାବୋରେଟୋରୀ ପରିଦର୍ଶନ କରି ଖୁସିବ୍ୟକ୍ତ କରିବା ସହିତ ଆଜାଦୀର ଅମୃତ ମହୋତ୍ସବ କାଳରେ ନୂତନ ଚିନ୍ତାଧାରା ଏବଂ ନୂତନତ୍ୱ ଆଣିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଇଲେକ୍ଟ୍ରୋନିକ୍ସ ଚିପ୍ସକୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ୍ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ବୈଷ୍ଣବ ଆଇଆଇଟି ଭୁବନେଶ୍ୱରକୁ ଭାରତ ସରକାରଙ୍କ ଅନୁମୋଦନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଯାହା ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ଦେଶର ୩୧ ତମ ଅନୁଷ୍ଠାନ ହେବ।

ଆଇଆଇଟି ଭୁବନେଶ୍ୱରରେ ଛାତ୍ରଛାତ୍ରୀମାନଙ୍କୁ ଚ୍ୟାଲେଞ୍ଜ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଯଦି ଛାତ୍ରଛାତ୍ରୀମାନେ ୫ଜି ପାଇଁ ଅତି କମରେ ୧୦ ଟି କୌଶଳର ପରିକଳ୍ପନା ଯୋଗାଇ ଦେବେ, ତେବେ ଆଇଆଇଟି ଭୁବନେଶ୍ୱର ୫ଜି ବ୍ୟବହାରର ପ୍ରସ୍ତୁତି ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତା ଦିଆଯିବ।

ଭୁବନେଶ୍ୱରରେ ଆଇଆଇଟିଆନଙ୍କ ସହ ଜ୍ଞାନକୌଶଳ ବିନିମୟ କରି ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଯଦି ପ୍ରସ୍ତାବ ଦିଆଯିବ ତେବେ ଆଇଆଇଟି ଭୁବନେଶ୍ୱରକୁ ରେଳ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଗତି ଶକ୍ତି ସହିତ ନିବନ୍ଧନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଭାରତ ରଙ୍ଗ ମହୋତ୍ସବ

ଭୁବନେଶ୍ବର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ଏହି ଅବସରରେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି), ନୂଆଦିଲ୍ଲୀଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ- ୨୦୨୨ ଅନ୍ତର୍ଗତ ଏକ ଉତ୍ସବ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ, ୨୦୨୨ (ସ୍ୱାଧୀନତା ଖଣ୍ଡ)” ଆୟୋଜନ କରୁଛନ୍ତି।

୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଏହି ଭାରତ ରଙ୍ଗ ମହୋତ୍ସବ। କିଟ କ୍ୟାମ୍ପସ ୬ ଅଡିଟୋରିଅମରେ ପ୍ରତେକ ସନ୍ଧ୍ୟାରେ ନାଟକ ପରିବେଷିତ ହେବ। ଏଥିରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ସ୍ଥାନ ପାଇଛି। ଜୁଲାଇ ୨୧ ରେ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଦ୍ଵାରା ରଚିତ ନାଟକ “ମହାସଂଗ୍ରାମର ମହାନାୟକ” ଏବଂ ୨୫ ଜୁଲାଇରେ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ରଚିତ “ଗାନ୍ଧୀଙ୍କ ଓଡ଼ିଶା” ମଞ୍ଚସ୍ଥ ହେବ।

ପ୍ରଫେସର ଡଃ ରମେଶ ଚନ୍ଦ୍ର ଗୌର, ନିର୍ଦ୍ଦେଶକ, ଏନଏସଡି ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଏହି ଶୃଙ୍ଖଳାରେ ଭାରତର ବିଭିନ୍ନ ସହରରେ ୩୦ଟି ନାଟକ ମଞ୍ଚସ୍ଥ ହେବ। ନୂଆଦିଲ୍ଲୀ ଠାରେ ଜୁଲାଇ ୧୬, ୨୦୨୨ରେ ଏହି ଉତ୍ସବର ଶୁଭାରମ୍ଭ ହେବ ଓ ପରେ ଅନ୍ୟ ୫ ସହର ଭୁବନେଶ୍ୱର, ବାରଣାସୀ, ଅମୃତସର, ବେଙ୍ଗାଲୁରୁ ଓ ମୁମ୍ବାଇ ଠାରେ ଆୟୋଜିତ ହେବ। ଅଗଷ୍ଟ ୧୪, ୨୦୨୨ରେ ଜୱାହରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ଉତ୍ସବ ସମାପନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ।

ପ୍ରଫେସର (ଡଃ) ଗୌର ସ୍ୱତନ୍ତ୍ର ଭାବେ ସୂଚିତ କରିଛନ୍ତି ଯେ, ଏନଏସଡି ଜୁଲାଇ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ କାରଗିଲ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ସ୍ୱତନ୍ତ୍ର ନାଟକ “କାରଗିଲ ଏକ ନାଟ୍ୟ କଥା” ପରିବେଷଣ କରିବ। ଏହି କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନା ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବ। ଜୱାହରଲାଲ ଆଉଟଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୪ରେ ଏକ ସ୍ୱତନ୍ତ୍ର ନାଟକ ମଞ୍ଚସ୍ଥ ହେବ।

ଶ୍ରୀ ଗୌର ସୂଚନା ଦେଇଛନ୍ତି ନାଟକ ଅନୁଷ୍ଠିତ ହେଉଥିବା ସମସ୍ତ ସ୍ଥାନରେ ଅନଲାଇନ ବୁକିଂ ମାଧ୍ୟମରେ ପ୍ରବେଶ କରାଯାଇପାରିବ। www.nsd.gov.in ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ପରେ ପ୍ରବେଶ ନିଃଶୁଳ୍କ ରହିବ।

Categories
ବିଶେଷ ଖବର

‘ମିଶନ ଶକ୍ତି’ ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କଲା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ

ଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ‘ମିଶନ ଶକ୍ତି’ ଯୋଜନା ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତ ସରକାର ୧୫ଦଶ ଅର୍ଥ ଆୟୋଗର ୨୦୨୧- ୨୨ରୁ ୨୦୨୫ -୨୬ ଅବଧି  ମଧ୍ୟରେ ମହିଳା ମାନଙ୍କର ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ଏକ ସମନ୍ୱିତ ଯୋଜନା ରୂପରେ ‘ମିଶନ ଶକ୍ତି’ – ଏକ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ମିଶନ ଶକ୍ତି’ର ମାନଦଣ୍ଡ ଗୁଡିକ ୦୧.୦୪.୨୦୨୨ରୁ ଲାଗୁ ହେବ।

‘ମିଶନ ଶକ୍ତି’ ମିଶନ ମୋଡ ଅନ୍ତର୍ଗତ ଏକ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ମହିଳା ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ହସ୍ତକ୍ଷେପକୁ ସୁଦୃଢ଼ କରିବା। ଏହା ଜୀବନ – ଚକ୍ରରେ  ନିୟମିତ ଭାବରେ ମହିଳା ମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ଗୁଡିକର ସମାଧାନ କରି ଏବଂ ସେମାନଙ୍କୁ ସମ୍ମିଳିତ କରି ଏବଂ ନାଗରିକ ଭାଗିଦାରୀ ମାଧ୍ୟମରେ ରାଷ୍ଟ୍ର – ନିର୍ମାଣ କ୍ଷେତ୍ରରେ ସମାନ ଭାଗୀଦାର କରିବା ସହିତ “ମହିଳା – ନେତୃତ୍ୱାଧୀନ ବିକାଶ” ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ସାକାର କରିବାର ପ୍ରୟାସ କରିଥାଏ।

ଏହି ଯୋଜନା ମହିଳା ମାନଙ୍କୁ ହିଂସା ଏବଂ ବିପଦ ମୁକ୍ତ ପରିବେଶରେ ନିଜର ମସ୍ତିଷ୍କ ଏବଂ ଶରୀର ଉପରେ ସ୍ୱତନ୍ତ୍ର ବିକଳ୍ପର ପ୍ରୟୋଗ କରାଇ ଆର୍ôଥକ ରୂପରେ ସଶକ୍ତ କରିବା ପାଇଁ ପ୍ରୟାସ କରିଥାଏ। ଏହା ମହିଳା ମାନଙ୍କ ଉପରେ ଘରୋଇ ଦାୟିତ୍ୱ/ ଯତ୍ନର ବୋଝକୁ କମ୍ କରି ଏବଂ ଦକ୍ଷତା ବିକାଶ, କ୍ଷମତା ବିକାଶ, ବିତୀୟ ସାକ୍ଷରତା, କ୍ଷୁଦ୍ର ଋଣ (ମାଇକ୍ରୋ – କ୍ରେଡିଟ୍‌) ନିକଟରେ ପହଂଚିବା ଇତ୍ୟାଦିକୁ ପ୍ରୋତ୍ସାହିତ କରି ମହିଳା ଶ୍ରମ ଶକ୍ତିର ଭାଗୀଦାରୀତାକୁ ବୃଦ୍ଧି କରିବା ନିମନ୍ତେ ଚେଷ୍ଟା କରିଥାଏ।

ମିଶନ ଶକ୍ତିର ଦୁଇଟି ଉପ – ଯୋଜନା ରହିଛି, ସେଗୁଡିକ ହେଉଛି, ‘ସମ୍ବଳ’ ଏବଂ ‘ସାମର୍ଥ୍ୟ’। “ସମ୍ବଳ” ଉପ – ଯୋଜନା ମହିଳା ମାନଙ୍କ ସୁରକ୍ଷା ଏବଂ ନିରାପତା ନିମନ୍ତେ ରହିଥିବା ବେଳେ, “ସାମର୍ଥ୍ୟର୍ ଉପ – ଯୋଜନା ମହିଳା ମାନଙ୍କର ସଶକ୍ତିକରଣ ନିମନ୍ତେ ହୋଇଥାଏ। ‘ସମ୍ବଳ’ ଉପ – ଯୋଜନାର ଉପାଦାନ ଗୁଡିକ ମଧ୍ୟରେ ୱାନ୍ ଷ୍ଟପ୍ ସେଂଟର (ଓଏସ୍‌ସି), ମହିଳା ହେଲ୍ପ ଲାଇନ୍ (ଡବ୍ଲ୍ୟୁଏଚ୍‌ଏଲ୍‌) ବେଟୀ ବଚାଓ ବେଟୀ ପଢ଼ାଓ (ବିବିବିପି) ଯୋଜନା ଗୁଡିକ ରହିଛି, ଯେଉଁଥିରେ ଏକ ନୂତନ ଉପାଦାନ ନାରୀ ଅଦାଲତ –  ମହିଳା ମାନଙ୍କର ସାମୂହିକ ବିକଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ସୁବିଧା ପ୍ରଦାନ କରିବା ନିମନ୍ତେ ସମାଜରେ ଏବଂ ପରିବାର ଗୁଡିକ ଭିତରେ ବିବାଦ – ସମାଧାନ ଏବଂ ଲିଙ୍ଗ ଭିତିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

‘ସାମର୍ଥ୍ୟ’ ଉପ – ଯୋଜନାର ଉପାଦାନ ଗୁଡିକ ଭିତରେ ଉଜ୍ଜ୍ୱଳା, ସ୍ୱାଧାର ଗୃହ ଏବଂ କାମ କରୁଥିବା ମହିଳା ମାନଙ୍କ ପାଇଁ ଛାତ୍ରୀ ନିବାସ ବ୍ୟବସ୍ଥାର ପୂର୍ବବର୍ତୀ ଯୋଜନା ଗୁଡିକରେ ସଂଶୋଧନ ସହିତ ସାମିଲ୍ ଅଟେ। ଏହା ସହିତ, କାର୍ଯରତ ମାଆ ମାନଙ୍କର ଛୁଆ ମାନଙ୍କ ନିମନ୍ତେ ଜାତୀୟ କ୍ରେଚ୍ ଯୋଜନା ଏବଂ ଛତ୍ର ଆଇସିଡିଏସ୍ ଅଧୀନରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ)ର ବର୍ତମାନ ପ୍ରଚଳିତ ଯୋଜନା ଗୁଡିକୁ ସାମର୍ଥ୍ୟରେ ସାମିଲ୍ କରା ଯାଇଛି। ସାମର୍ଥ୍ୟ ଯୋଜନାରେ ବିତୀୟ ସଶକ୍ତିକରଣ ନିମନ୍ତେ ଗ୍ୟାପ୍ ଫଣ୍ଡିଂ ନାମରେ ଏକ ନୂତନ ଉପାଦାନ ଯୋଡା ଯାଇଛି।

‘ମିଶନ ଶକ୍ତି’ ଯୋଜନାର ବିସ୍ତୃତ ନିର୍ଦ୍ଦେଶାବଳୀ ଏଥିରେ ଉପଲବ୍ଧ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପ୍ରଦର୍ଶନୀରେ ବିଗତ ୮ ବର୍ଷ ମଧ୍ୟରେ ଦେଶର ବିକାଶ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ପ୍ରଦର୍ଶିତ ହୋଇଛି। ଏହାକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି ପ୍ରଦର୍ଶନୀରେ ସୁଶାସନ ଓ ସରକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରାଯାଇଛି। ଲୋକମାନେ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରଚାର ଗାଡ଼ିକୁ ମଧ୍ୟ ସବୁଜ ପତାକା ଦେଇ ଶୁଭାରମ୍ଭ କରିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣିଚା ଯାତ୍ରାରେ ସାମିଲ ହୋଇଥିଲେ। କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଜନଜାତି ବ୍ୟାପାର, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତାର ପରିଚୟ। ତାଙ୍କର ଡୋରି ଲାଗିଥିବାରୁ ସେ ରଥଯାତ୍ରା ଦେଖିବାର ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରଥପାଖକୁ ଯାଇ ଠାକୁରଙ୍କ ପହଣ୍ଡି ଦେଖିଥିଲେ। ରଥଚକକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହି ଅବସରରେ ସେ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ବଡ଼ ଦାଣ୍ଡରେ ଉପସ୍ଥିତ ରହି ରଥଯାତ୍ରା ଦେଖିଥିଲେ। ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେର ଦୃଶ୍ୟ ଅତି ଅପୂର୍ବ। ରଥଯାତ୍ରା ଉପଲକ୍ଷେ ସେ ମହାପ୍ରଭୁଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ରରେ ଚାଲିଥିବା ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ) ର ପୋଷ୍ଟ ପ୍ରଡକ୍ସନ ହବ୍‌ରେ ପରିଣତ କରିବାକୁ ଦକ୍ଷତା ବହନ କରୁଛି।

ପୁଣେ ସ୍ଥିତ ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର “ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ-୨୦୨୨” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ମୂଳ ବକ୍ତୃତା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶରେ ଏବେ ଏଭିଜିସି କ୍ଷେତ୍ରରେ ଏକ ଦୃଢ ଡିଜିଟାଲ ମୂଳଦୁଆ  ତିଆରି ହୋଇଛି । ଦେଶର ଓ ବିଶ୍ୱର ଆବଶ୍ୟକତା ପୂରଣ ପାଇଁ ବିଶ୍ୱସ୍ତରୀୟ ସର୍ଜନାତ୍ମକ ପ୍ରତିଭା ବିକଶିତ କରିବାକୁ ସରକାର ଏଭିଜିସି କ୍ଷେତ୍ର ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଦେଶର ମିଡିଆ ଓ ଏଂଟରଟେଂନମେଣ୍ଟ ପରିବେଶ ଏକ ଦ୍ରୁତ ବିକାଶୋନ୍ମୁଖୀ ଉଦ୍ୟୋଗ ଯାହାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ। ଏହି ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ବାର୍ଷିକ  ୪ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି। ଆହୁରି ମଧ୍ୟ ଏହି ଉଦ୍ୟୋଗର ଆକାର ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାର ବା ୭.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ସରକାର ଅଡିଓ-ଭିଜୁଆଲ ସର୍ଭିସ(ଦୃଶ୍ୟ-ଶ୍ରାବ୍ୟ ସେବା)କୁ ୧୨ଟି ଚମ୍ପିଅନ ସେବା କ୍ଷେତ୍ର ମଧ୍ୟରେ ସ୍ଥାନିତ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଅଭିବୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଓ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ ଆମେ ଉଚ୍ଚମାନର ବିଷୟବସ୍ତୁ (କ୍ୱାଲିଟି କଂଟେଂଟ) ସୃଷ୍ଟିର ଡିଜିଟାଲ ଯୁଗରେ ପାଦ ଦେବାକୁ ଯାଉଥିବାରୁ ରେଡିଓ, ଫିଲ୍ମ ଏବଂ ମନୋରଞ୍ଜନ ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିଡିଓ ଏଡିଟିଙ୍ଗ, କଲର ଗ୍ରେଡିଂ, ଭିଜୁଆଲ ଇଫେକ୍ଟ, ସାଉଣ୍ଡ ଡିଜାଇନ, ରୋଟୋସ୍କେପିଙ୍ଗ ଓ ଥ୍ରୀଡି ମଡେଲିଂ ଆଦି କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇସାରିଲାଣି। ଏସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି। ଅତଏବ ଏହି କ୍ଷେତ୍ରର ଆବଶ୍ୟକତା ପୂରଣ କ୍ଷେତ୍ରରେ ଉଦ୍ୟୋଗ ଓ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନମାନେ ଆଗେଇ ଆସିବା ଅପରିହାର୍ଯ୍ୟ। ଏହି କ୍ଷେତ୍ରରେ ଯେଉଁ ନୂଆ ନୂଆ ଟେକ୍‌ନୋଲୋଜି ଟ୍ରେଣ୍ଡ ଆସୁଛି ତା’ସହିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ ଓ ଅଭ୍ୟାସ କରିବାକୁ ସରକାର ଘରୋଇ ଉଦ୍ୟୋଗ ସହିତ ସମ୍ଭାବ୍ୟ ଅଂଶୀଦାରୀ ଗଢିବାକୁ ଉଦ୍ୟମ କରୁଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଟେକ୍‌ନୋଲୋଜି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଆଗ୍ରହ ଦେଶର ଯୁବବର୍ଗଙ୍କ ଆଶା ଆକାଂକ୍ଷା ବଢାଇଛି। ସେଥିପାଇଁ ସରକାର ନୂଆ ନୂଆ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ଭାରତ ସରକାର ଦେଶର ଯୁବସମାଜକୁ ସଶକ୍ତ ଓ ସମର୍ଥ କରି ପ୍ରଧାନମନ୍ତ୍ରୀଙ୍କ ଆଶା ଓ ଲକ୍ଷ୍ୟକୁ ପୂରଣ କରୁଛନ୍ତି। ଏହା ଫଳରେ ଯୁବ ସମାଜର ଆଶାରେ ଡେଣା ଲାଗିଛି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ବଜାରର ଆବଶ୍ୟକତାକୁ ବିଚାରକୁ ନେଇ ୪୦କୋଟି ଯୁବକଙ୍କୁ ସମର୍ଥ ଓ ସଶକ୍ତ କରିବାର ଲକ୍ଷ୍ୟ ସରକାର ରଖାଯାଇଛି।

‘୭୫ କ୍ରିଏଟିଭ ମାଇଣ୍ଡସ ଅଫ ଟୁମରୋ’ ପ୍ରୋଜେକ୍ଟ ଯାହା ୨୦୨୧ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅବସରରେ ଆରମ୍ଭ ହୋଇଥିଲା। ସେ ସମ୍ପର୍କରେ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପ୍ରକଳ୍ପର ଅନେକ ପ୍ରତିଭା ମିଡିଆ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରକୁ ଉଲ୍ଲେଖନୀୟ ସୃଷ୍ଟି ଧର୍ମୀ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ମଧ୍ୟରୁ ଆଉ କେତେକ ମଧ୍ୟ ସଫଳତାର ସହିତ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି।

ଦେଶର କ୍ରମବର୍ଦ୍ଧିନଶୀଳ ଷ୍ଟାର୍ଟଅପ ସଂସ୍କତି ଓ ପରିତନ୍ତ୍ର ସମ୍ପର୍କରେ ସେ କହିଛନ୍ତି ଯେ କୋଭିଡ ମହାମାରୀ କାଳରେ ମଧ୍ୟ ଏ କ୍ଷେତ୍ରରେ ଭାରତର ଉଦ୍ୟମରେ ଭଟ୍ଟା ପଡି ନ ଥିଲା। ଏହି କଠିନ ସମୟରେ ଭାରତରେ ୫୦ଟି ନୂଆ ୟୁନିକର୍ଣ୍ଣ ଗଠିତ ହୋଇଥିଲା। ଏହା ଭାରତୀୟ ଉଦ୍ୟମିତାର  ଉତ୍ସାହର  ପ୍ରମାଣ ବହନ କରେ। ଏଫ୍‌ଟିଆଇଆଇ  ଓ ଏସ୍‌ଆରଏଫଟିଆଇ ଭଳି ପ୍ରମୁଖ ଚଳଚ୍ଚିତ୍ର ଶିକ୍ଷାନୁଷ୍ଠାନ ବା ଫିଲ୍ମ ସ୍କୁଲଗୁଡିକରୁ ବାହାରୁଥିବା ପ୍ରତିଭାମାନେ ଏଭଳି ଅଧିକରୁ ଅଧିକ ଷ୍ଟାର୍ଟଅପ୍ ନିର୍ମାଣ କରିବେ ବୋଲି  ସେ ଆଶାପ୍ରକାଶ କରିଥିଲେ।

ଏକ ଗ୍ଲୋବାଲ କଣ୍ଟେଣ୍ଟ ହବ୍ ଭାବେ ଭାରତ

ଡିଜିଟାଲ ଇଣ୍ଡିଆର ସଫଳତା ମାଧ୍ୟମରେ ଭାରତର କଣ୍ଟେଣ୍ଟ କ୍ରିଏସନ(ବିଷୟବସ୍ତୁ ସୃଷ୍ଟି କରିବା) ଉଦ୍ୟୋଗ ଏକ ବଡ ପ୍ରୋତ୍ସାହନ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ଉତ୍ତମ ମାନର ବିଷୟବସ୍ତୁ, ସହଜ ପହଂଚ ଓ ଆଗ୍ରହୀ ଶ୍ରୋତା /ଦର୍ଶକଙ୍କ ଉପସ୍ଥିତି ଭାରତକୁ ଏ କ୍ଷେତ୍ରରେ ତାହାର ସଫଳ କାହାଣୀ ବିଶ୍ୱ ସମୁଦାୟକୁ ଶୁଣାଇବାକୁ ପ୍ରସ୍ତୁତ କରିଛି। ଏହା ଭାରତକୁ ବିଶ୍ୱର ଏକ ପ୍ରମୁଖ କଂଟେଂଟ ହବ୍‌ରେ ପରିଣତ କରିବାକୁ ଯାଉଛି । ସେ ଆହୁରି କହିଛନ୍ତି ଯେ ଏହି ପ୍ରୟାସ ପଛରେ ଥିବା ବୈଷୟିକ ଲୋକଶକ୍ତିର ଉଦ୍ୟମକୁ ଉପଯୁକ୍ତଭାବେ ପୁରସ୍କୃତ ଓ ମାନ୍ୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସେଥିପାଇଁ ଅଗ୍ରଣୀ ଚରିତ୍ରଙ୍କ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବାର ପ୍ରଚଳିତ ଧାରାକୁ ବଦଳାଇବାକୁ ପଡିବ।

ଏହି ଜାତୀୟ ସମ୍ମିଳନୀରେ ଅସ୍କାର ଓ ‘ବାଫଟା’ ପୁରସ୍କାର ବିଜୟୀ ସାଉଣ୍ଡ ଡିଜାଇନର ରେସୁଲ ପୁକୁଟ୍ଟୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ ଦେଶର ଶିକ୍ଷାନୁଷ୍ଠାନ ସମୂହ ଛାତ୍ରଛାତ୍ରୀଙ୍କୁ ବାହାର ଦୁନିଆର ସମ୍ମୁଖୀନ ହେବା ପାଇଁ ସେମାନଙ୍କର ଦକ୍ଷତା ବିକାଶ କରିବା ବ୍ୟତୀତ ପ୍ରାଚୀନ ଭାରତୀୟ ପରମ୍ପରାକୁ ଅନୁସରଣ କରି ଶିକ୍ଷାଦାନ କରିବା ଆବଶ୍ୟକ।

ଆନିମେସନ,ଭିଏପ୍‌ଏକ୍ସ, ଗେମିଂ ଓ କମିକ୍ସ, ଓଟିଟି, ଟିଭି, ଫିଲ୍ମ ପ୍ରଡକ୍ସନ, ଅଗମେଣ୍ଟଡ୍ ରିୟଲିଟି/ଭର୍ଚୁଆଲ ରିୟଲିଟି, ଇମ୍‌ର୍ସିଭ ମିଡିଆ ସ୍କିଲ  ଆଦି ଉତ୍‌ଥାନମୁଖୀ କ୍ଷେତ୍ର ଓ ତାହାର ସୁଯୋଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏଥିରେ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ତଥା ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ୟୁନିଭିରସିଟିର କୁଳାଧିପତି ଡକ୍ଟର ଏସ.ପି. ମଜୁମଦାର,  ଉପକୂଳାଧିପତି ଡଃ ସ୍ୱାତୀ ମଜୁମଦାର ଓ କୁଳପତି ଡଃ ଗୌରୀ ଶିଉରକର ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ ଯୋଜନାକୁ ବିରୋଧ କରି ଜନ୍ତର ମନ୍ତରରେ କଂଗ୍ରେସର ସତ୍ୟାଗ୍ରହ, ସମସ୍ତ ବଡ ନେତା ସାମିଲ

ନୂଆଦିଲ୍ଲୀ: ଭାରତ ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିବା ଦିନଠାରୁ ବିରୋଧ ଜାରି ରହିଛି। ଦେଶରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ରାଜନୀତି ମଧ୍ୟ ତୀବ୍ର ରୂପ ନେଉଛି। ଆଜି କଂଗ୍ରେସ ସତ୍ୟଗ୍ରାହ କରି ଜନ୍ତର ମନ୍ତ୍ରରେ ଏହି ଯୋଜନା ବିରୋଧରେ ବିରୋଧ କରିଛି। ବହୁ କଂଗ୍ରେସ ନେତା ଏହି ସତ୍ୟଗ୍ରହରେ ଯୋଗ ଦେଇଛନ୍ତି। କଂଗ୍ରେସ କହିଛି ଯେ, ଅଗ୍ନିପଥ ଯୋଜନା ଦେଶର ଯୁବକମାନଙ୍କୁ ରାସ୍ତାକୁ ଆଣିଥିବାରୁ ପାର୍ଟି ସତ୍ୟାଗ୍ରହ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହା ଏକ ଦାୟିତ୍ଵ ଅଟେ ଯେ, ଦଳ ଏହି ଯୁବକମାନଙ୍କ ସହ ଛିଡା ହେବା ଉଚିତ୍।

ଅଗ୍ନିପଥ ଯୋଜନା ବିରୋଧରେ ଜନ୍ତର ମନ୍ତ୍ରରରେ ଏକାଠି ହୋଇଥିବା କଂଗ୍ରେସ ରାଜ୍ୟସଭା ସାଂସଦ ଇମ୍ରାନ ପ୍ରତାପଗରୀ କହିଛନ୍ତି ଯେ, ଦେଶ ଜଳୁଛି ଏବଂ ଏହି ଯୋଜନାକୁ ପ୍ରଶଂସା କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ପିଆର ଦଳକୁ ନିୟୋଜିତ କରିଛନ୍ତି। ସରକାର ଏହି ଯୋଜନା ପ୍ରତ୍ୟାହାର କରିବା ଉଚିତ୍। ରାହୁଲ ଗାନ୍ଧୀଙ୍କ ଉପରେ ଅମିତ ମାଲଭିଆଙ୍କ ଆକ୍ରମଣ ଉପରେ ଇମ୍ରାନ କହିଛନ୍ତି ଯେ, ସେ ନିଜେ ନିଜ ଭୁଲ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ଯୋଜନାକୁ ଅଗ୍ନି ନାମରେ ନାମିତ କରାଗଲା କାହିଁକି? ପ୍ରଧାନମନ୍ତ୍ରୀ ଆଗକୁ ଆସି ଏହାର ଉତ୍ତର ଦେବା ଉଚିତ୍।

କଂଗ୍ରେସ ନେତା ସଲମାନ ଖୁରସିଦ କହିଛନ୍ତି ଯେ, ସତ୍ୟାଗ୍ରହର ଅର୍ଥ ବଦଳିବ ନାହିଁ। ଯେତେବେଳେ ବି ତୁମେ ସତ୍ୟ ପାଇଁ ଠିଆ ହେବ, ଏହାକୁ ଏକ ଆନ୍ତରିକ ହୃଦୟରେ କର, ଯାହାକୁ ସତ୍ୟଗ୍ରାହ କୁହାଯିବ। ସତ୍ୟଗ୍ରାହ ଗଣତନ୍ତ୍ର ସହିତ ଜଡିତ। ସତ୍ୟମେବ ଜୟତେ! ତେଣୁ ଅଗ୍ନିପଥ ଯୋଜନାକୁ ମନୀଷ ତିୱାରୀଙ୍କ ସମର୍ଥନ ଉପରେ ପ୍ରଶ୍ନର ଉତ୍ତର ଦେବାବେଳେ ସେ କହିଥିଲେ ଯେ, ଏହା ଏକ ଭଲ କଥା, ଯଦି ଏହା ନହୁଏ ତେବେ ଆପଣ କହିବେ ଯେ ଦଳ ଏକଛତ୍ରବାଦୀ ଶାସନ ଅଟେ।

କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ ଏହା ଅତ୍ୟନ୍ତ କଷ୍ଟକର ସମୟ, ସରକାର ଭାବିଛନ୍ତି ଯେ କାହାରି କଥା ଶୁଣିବେ ନାହିଁ କିମ୍ବା ଦେଖିବେ ନାହିଁ, ଏହା କେବଳ ଲୋକଙ୍କ ଉପରେ ଲାଗିବ। ହିଂସା କୌଣସି ଜିନିଷର ଉତ୍ତର ନୁହେଁ, ଏହା ଶାନ୍ତି ପାଇଁ ଏକ ଆବେଦନ, କିନ୍ତୁ ସରକାରଙ୍କ ମନରେ ଥିବା କ୍ରୋଧ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ଲୋକମାନେ କେବଳ ଚାକିରି, ବୃତ୍ତି ଏବଂ ଟ୍ୟାଗ୍ ପାଇଁ ସେନାକୁ ଯାଆନ୍ତି ନାହିଁ। ଯଦି ପ୍ରଧାନମନ୍ତ୍ରୀ ୮ ହଜାର କୋଟି ମୂଲ୍ୟର ଜାହାଜ ନେଇ ନଥାନ୍ତେ, ସେଣ୍ଟ୍ରାଲ୍ ଭିସ୍ତା ତିଆରି କରିନଥାନ୍ତେ, ତେବେ ପେନ୍ସନ୍ ଯୋଜନାର ବଜେଟ୍ କମ୍ ହୋଇଥାନ୍ତା। ଅଗ୍ନିପଥର ଯୋଜନା ପରେ କ୍ରମାଗତ ଭାବରେ ପରିବର୍ତ୍ତନ ଘଟୁଛି। ଏହା ହେଉଛି ପ୍ରମାଣ ଯେ ଏହି ଯୋଜନା ବିଷୟରେ ଭଲ ଭାବେ ବିଚାର କରାଯାଇନଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) ପକ୍ଷରୁ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଦେଶରେ ରୋ-ରୋ (ରୋଲ୍‌ – ଅନ୍‌, ରୋଲ୍‌ ଅଫ୍‌) ଫେରୀ ଏବଂ ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଇକୋସିଷ୍ଟମ ବିକଶିତ କରିବା ଲାଗି ନିଷ୍ପତ୍ତି ନେଇଛି। ଏହି ପରିବହନ ସାଧନର ଅନେକ ଲାଭ ରହିଛି। ଉଦାହରଣ ସ୍ବରୂପ, ଏହାଦ୍ବାରା ଯାତ୍ରା ସମୟ ହ୍ରାସ ପାଇବ, ଲଜିଷ୍ଟିକ୍‌ ଖର୍ଚ୍ଚ କମିବ ଏବଂ ପରିବହନର ପାରମ୍ପରିକ ସାଧନ ତୁଳନାରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।

ଫେରୀ ସେବା କ୍ଷେତ୍ରରେ ଅପାର ସମ୍ଭାବନା ଏବଂ ବିଶେଷ ଲାଭକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ୪୫ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏସବୁର ମୋଟ୍‌ ପ୍ରକଳ୍ପରେ ୧୯୦୦ କୋଟି ଟଙ୍କା ବ୍ୟୟ କରାଯିବ। ସାଗରମାଳା କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁଜରାଟର ଘୋଘା-ହାଜିରା ଏବଂ ମହାରାଷ୍ଟ୍ରର ମୁମ୍ବାଇ-ମଣ୍ଡୱା ମଧ୍ୟରେ ରୋ ପ୍ୟାକ୍ସ ସେବା ଆରମ୍ଭ କରାଯାଇଛି। ଏ ଦୁଇଟି ସ୍ଥାନରେ ୭ ଲକ୍ଷରୁ ଅଧିକ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ ସମ୍ଭବ ହୋଇପାରୁଛି। ଫଳରେ ସ୍ବଚ୍ଛ ପରିବେଶ ଏବଂ ଲୋକ କଲ୍ୟାଣ ଦିଗରେ ଯୋଗଦାନ ହୋଇପାରୁଛି।

ଏସବୁ ପ୍ରକଳ୍ପର ସଫଳତା ଏବଂ ଅଧିକ ଚାହିଦା ଓ କ୍ଷମତାକୁ ଦେଖି ଗୁଜରାଟରେ ପିପାବାଓ ଓ ମୂଳଦ୍ବାରକା, ମହାରାଷ୍ଟ୍ରର ଘୋଡ଼ବନ୍ଦର, ୱେଲଦୁର, ୱସଇ, କାଶୀଦ, ରେୱାସ, ମନୋରୀ ଏବଂ ଜେଏନ୍‌ ପୋର୍ଟ ଆଦିରେ ଅତିରିକ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ଏହାଛଡ଼ା ଆନ୍ଧ୍ର ପ୍ରଦେଶରେ ୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଓଡ଼ିଶାରେ ଦୁଇଟି ପ୍ରକଳ୍ପ ଏବଂ ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି।

ଅଂଶୀଦାରମାନଙ୍କ ଠାରୁ ପ୍ରାରମ୍ଭିକ ଇନପୁଟ୍‌ ବା ପରାମର୍ଶ ସାମିଲ କରିବା ପରେ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବାର ପରିଚାଳନା ପାଇଁ ମାର୍ଗଦର୍ଶିକା’’ର ଚିଠା ପ୍ରସ୍ତୁତ କରାଯାଇଛି। ଏହି ମାର୍ଗଦର୍ଶିକାରେ ଫେରୀ ପରିଚାଳନାର ଦୁଇଟି ଦିଗକୁ ସାମିଲ କରାଯାଇଛି – ଟର୍ମିନାଲ ପରିଚାଳନା ଲାଗି ରିହାତି ଏବଂ ରୋ-ପ୍ୟାକ୍ସ ଜାହାଜ ପରିଚାଳନା ପାଇଁ ଲାଇସେନ୍ସ।

ଏହି ମାର୍ଗଦର୍ଶିକା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ଏକସମାନ ଏବଂ ସୁବ୍ୟବସ୍ଥିତ କରିବ। ଏଥିସହିତ, ଅନାବଶ୍ୟକ ବିଳମ୍ବ ଏବଂ ଅସହମତି ଦୂର ହେବ। ଗ୍ରାହକ ଇଣ୍ଟରଫେସରେ ଡିଜିଟାଲ ହସ୍ତକ୍ଷେପ ଆରମ୍ଭ କରାଯାଇ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ ହେବ। ଏହାବ୍ୟତୀତ ଏହି ମାର୍ଗଦର୍ଶିକା ପ୍ରକ୍ରିୟାର ମାନକୀକରଣ କରିବା ସହିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ସହାୟକ ହେବ। ଅନୁରୂପ ଭାବେ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟରେ ବିଶ୍ବାସ ବଢ଼ାଇବାର ସହାୟତା କରିବ, ଯାହାଫଳରେ ସେମାନଙ୍କର ଭାଗିଦାରୀ ବଢ଼ିବ ଏବଂ ଏପରି ପ୍ରକଳ୍ପରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳିବ।

ଏବେ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ନିମନ୍ତେ ଚିଠା ମାର୍ଗଦର୍ଶିକା’’ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଆହ୍ବାନ କରାଯାଇଛି। ଏଥିପାଇଁ ଆବଶ୍ୟକ ଦସ୍ତାବିଜ ମନ୍ତ୍ରଣାଳୟ ଏବଂ ସାଗରମାଳାର ୱେବସାଇଟ https://shipmin.gov.in/ ଏବଂ https://sagarmala.gov.in/ ରେ ଉପଲବ୍ଧ ରହିଛି। ପ୍ରକାଶନର ୨୧ ଦିନ ମଧ୍ୟରେ ମାର୍ଗଦର୍ଶିକାର ସଂଲଗ୍ନକ (ଆନେକ୍ସଚର) ୧ ରୂପରେ ସଂଲଗ୍ନ ପ୍ରୋଫର୍ମା ମାଧ୍ୟମରେ ଆବଶ୍ୟକ ପରାମର୍ଶ [email protected] କୁ ପଠାଇ ହେବ।

Categories
ଆଜିର ଖବର ଜାତୀୟ ଖବର

ତଫସିଲଭୁକ୍ତ ଜାତି ଓ ଉପଜାତି ଯୁବ ବର୍ଗମାନଙ୍କ ପାଇଁ ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ କ୍ୟାରିଅର ସର୍ଭିସ୍ ସେଣ୍ଟର, ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲଭୁକ୍ତ ଜାତି ଓ ଉପଜାତିର ରୋଜଗାର ଆଶାୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ବୋର୍ଡ ଦ୍ଵାରା ଆୟୋଜିତ କିରାଣୀ ଏବଂ ଷ୍ଟେନୋଗ୍ରାଫର ପ୍ରତିଯୋଗିତା ପରୀକ୍ଷାରେ ସକ୍ଷମ କରାଇବା ନିମନ୍ତେ ଏବଂ ସେମାନଙ୍କର ‘O’ Level କମ୍ପ୍ୟୁଟର ପାଠ୍ୟକ୍ରମରେ ଯୋଗଦେବାକୁ ଚାହୁଁଥିବା ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ କିମ୍ବା ତଦୁର୍ଷ ଏବଂ ସେମାନଙ୍କ ବୟସ ୩୦ ଜୁନ୍ ୨୦୨୨ ସୁଦ୍ଧା ୧୮ ରୁ ୨୭ ବର୍ଷ (ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ) ଏବଂ ୩୦ ଜୁନ୍ ୨୦୨୨ ସୁଦ୍ଧା ୧୮ ରୁ ୩୦ ବର୍ଷ (କମ୍ପ୍ୟୁଟର ପ୍ରଶିକ୍ଷଣ ନିମନ୍ତେ) ହୋଇଥିବା ଆବଶ୍ୟକ। ଏହାଛଡା ପ୍ରାର୍ଥୀଙ୍କର Employment Exchange Registration ନମ୍ବର, ଆଧାର ନମ୍ବର ସହିତ ଏକ ସଚଳ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ। ପ୍ରାର୍ଥୀଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷରୁ ଅଧିକ ହୋଇନଥିବ। (କମ୍ପ୍ୟୁଟର ପ୍ରଶିକ୍ଷଣ ନିମନ୍ତେ)

ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଥିବା ପ୍ରାର୍ଥୀମାନେ ୩୦, ୫,୨୦୨୨ ରୁ ୨୪.୦୬.୨୦୨୨ ପର୍ଯ୍ୟନ୍ତ ଦେୟମୁକ୍ତ ଆବେଦନ ଫର୍ମ ରୁମ୍ ନମ୍ବର ୮୦୫, ବ୍ଳକ୍‌ ନମ୍ବର ୩/୨,ତୋଷାଳି ଭବନ, ସତ୍ୟନଗର, ଭୁବନେଶ୍ବର- ୭୫୧୦୦୭ (ଅନୁସୂଚିତ ଜାତି/ଜନଜାତି ସ୍ୱତନ୍ତ୍ର ନିୟୋଜନ କାର୍ଯ୍ୟାଳୟ ପଛପଟ), ଭୁବନେଶ୍ଵର-୭ ସ୍ଥିତ କାର୍ଯ୍ୟାଳୟରୁ ପ୍ରାପ୍ତ କରି ଆବେଦନ କରିପାରିବେ।

ସମ୍ପୂର୍ଣ୍ଣଭାବେ ପୂରଣ କରାଯାଇଥିବା ଦରଖାସ୍ତ ଫର୍ମ ସହିତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ମାର୍କସିଟ୍, ଜାତି ପ୍ରମାଣପତ୍ର ଏବଂ ଆଧାର କାର୍ଡ ତଥା Employment Exchange Registration କାର୍ଡର ଫଟୋକପି ଏବଂ ଦୁଇଟି ପାସ୍ପୋର୍ଟ ସାଇଜ ଫଟୋ ସଂଲଗ୍ନ କରି ଆବେଦନ କରିବାକୁ ପଡିବ। ଦରଖାସ୍ତ ଦାଖଲର ଶେଷ ତାରିଖ ୨ ୪.୦୬.୨୦୨୨ ଧାର୍ଯ୍ୟ କରାଯାଇଛି। ଏକ ସାକ୍ଷାତକାର କମିଟି ଦ୍ଵାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣରେ ଯୋଗଦେବା ପରେ ମାସିକ ୧୦୦୦ ଟଙ୍କା ଛାତ୍ର ବୃଦ୍ଧି ଏବଂ ମୁକ୍ତ ପାଠ୍ୟଉପକରଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସାକ୍ଷାତକାର କମିଟି ଦ୍ଵାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଯେ କୌଣସି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମାଙ୍କନ କରିପାରିବେ। ଏହି ପ୍ରଶିକ୍ଷଣ ସମ୍ବନ୍ଧୀୟ ସବିବେଶ ବିବରଣୀ ପ୍ରାପ୍ତ କରିବା ନିମନ୍ତେ ଉପ-କ୍ଷେତ୍ରୀୟ ରୋଜଗାର ଅଧିକାରୀଙ୍କ ସହ ଟେଲିଫୋନ ତଥା ବ୍ୟକ୍ତିଗତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି।

ସାକ୍ଷାତକାର କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ଯାତାୟତ ତଥା କୌଣସି ଦୈନିକ ଭଡା ଦେବାର ବ୍ୟବସ୍ଥା ନାହିଁ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ: ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ ଆରମ୍ଭ

ଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ. ବିଭାଗ/ଏଜେନ୍ସି ଗୁଡିକ ଦ୍ୱାରା ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଏବଂ ଅସାଧାରଣ ଅବଦାନ ରଖିଥିବା ନାଗରିକ ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଅନେକ ନାଗରିକ ପୁରସ୍କାର ଗୁଡିକର ସ୍ଥାପନା କରା ଯାଇଛି।
ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ ଆମନ୍ତ୍ରିତ କରିବା ପାଇଁ, ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ (https://awards.gov.in) ବିକଶିତ କରା ଯାଇଛି।

ଫଳରେ ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ/ଏଜେନ୍ସି ଗୁଡିକର ସମସ୍ତ ପୁରସ୍କାର ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଜନସାଧାରଣଙ୍କର ସହଭାଗୀତା (ଜନଭାଗୀଦାରୀ) ସୁନିଶ୍ଚିତ କରିବା ନିମନ୍ତେ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମ (ମଂଚ) ଅଧୀନରେ ଏକା ସହିତ ଅଣା ଯାଇପାରିବ। ଏହି ପୋର୍ଟାଲ୍ ର ଉଦ୍ଦେଶ୍ୟ ହେଉଛି ନାଗରିକ ମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ବ୍ୟକ୍ତି ମାନଙ୍କୁ/ ସଙ୍ଗଠନ ମାନଙ୍କୁ ନାମାଙ୍କିତ କରିବାର ସୁବିଧା ପ୍ରଦାନ କରିବା।

ଏବେ, ନିମ୍ନଲିଖିତ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ/ସୁପାରିଶ ଖୋଲା ରହିଛି:

(କ) ପଦ୍ମ ପୁରସ୍କାର – ନାମାଙ୍କନ ୧୫/୦୯/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି।

(ଖ) ସର୍ଦ୍ଦାର ପଟେଲ୍ ଜାତୀୟ ଏକତା ପୁରସ୍କାର – ନାମାଙ୍କନ ୩୧/୦୭/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି।

(ଗ) ତେନଜିଂ ନର୍ଗେ ଜାତୀୟ ସାହସିକ ପୁରସ୍କାର -ନାମାଙ୍କନ ୧୬/୦୬/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି।

(ଘ) ଜୀବନ ରକ୍ଷା ପଦକ ଶୃଙ୍ଖଳା ପୁରସ୍କାର – ନାମାଙ୍କନ ୩୦/୦୯/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି।

(ଙ) ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୂରସଂଚାର କୌଶଳ ଉତ୍କୃଷ୍ଟତା (ଟେଲିକମ୍ ସ୍କିଲ୍ ଏକ୍ସଲେନ୍ସ) ପୁରସ୍କାର – ନାମାଙ୍କନ ୧୬/୦୬/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି।

ଅଧିକ ସୂଚନା ଏବଂ ନାମାଙ୍କନ କରିବା ନିମନ୍ତେ, ଦୟା କରି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in) ଦେଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ ସମୟର ୫ମାସ ପୂର୍ବରୁ ପୂରଣ କଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବା, ପରିବେଶ ସୁରକ୍ଷା ଏବଂ ସର୍ବୋପରି ଘରୋଇ କୃଷିକ୍ଷେତ୍ରକୁ ଲାଭବାନ କରିବାକୁ ସରକାର ଏହି ବ୍ଲେଡିଙ୍ଗ ବା ମିଶ୍ରଣ ନୀତିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି।

ସେଥିପାଇଁ ଏକ ‘ଜାତୀୟ ଜୈବ ଇନ୍ଧନ ନୀତି’ ୨୦୧୮ରେ ପ୍ରସ୍ତୁତ କରାଯାଇ ଏ ଦିଗରେ କାର୍ଯ୍ୟ ଚାଲିଛି। ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି। ତେବେ ଊର୍ଜା ନିରାପତ୍ତା କ୍ଷେତ୍ରରେ କେନ୍ଦ୍ର ସରକାର ୨୦୧୪ରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରୁ ଏହାର ଉତ୍ସାହଜନକ ଫଳାଫଳ ମିଳୁଛି। ସରକାରଙ୍କ ବିଭିନ୍ନ କାମ ଓ ହସ୍ତକ୍ଷେପ ଏ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି। ତାହାକୁ ଦୃଷ୍ଟିରେ ରଖି ସରକାର ଏହି ୨୦% ବ୍ଲେଡିଂ ଲକ୍ଷ୍ୟକୁ ୨୦୩୦ ରୁ ୨୦୨୫-୨୬କୁ ହ୍ରାସ କରିଛନ୍ତି।

୨୦୨୧ଜୁନ ମାସରେ ପ୍ରଧାନମନ୍ତ୍ରୀ ମଧ୍ୟ “୨୦୨୦-୨୫” ପାଇଁ ଉଦ୍ଦିଷ୍ଟ ଇଥାନଲ ମିଶ୍ରଣ ସଂକ୍ରାନ୍ତ ଏକ ଯୋଜନା ଖସଡାକୁ ଉନ୍ମୋଚନ କରିଥିଲେ। ଏଥିରେ ୨୦% ଇଥାନଲ ବ୍ଲେଡିଂ ସମ୍ପର୍କରେ ସବିଶେଷ ନିର୍ଦ୍ଦେଶାବଳୀ ଓ ମାର୍ଗ ରହିଛି। ଏହି ଯୋଜନା ଖସଡାରେ ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ୨୦୨୨ନଭେମ୍ବର ସୁଦ୍ଧା ହାସଲ କରିବାକୁ ଏକ ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ତେବେ ସେ ଯା’ ହେଉ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକରେ ସମନ୍ୱିତ ଉଦ୍ୟମ ଯୋଗୁଁ ଏହି ୧୦% ବ୍ଲେଡିଂ ଲକ୍ଷ୍ୟ ଧାର୍ଯ୍ୟ ସମୟରୁ ଯଥେଷ୍ଟ ଆଗରୁ ପୂରଣ ହୋଇଛି। ବର୍ତ୍ତମାନ ସୁଦ୍ଧା  ଦେଶର ସବୁ ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲରେ ହାରାହାରୀ ୧୦ଶତାଂଶ ଇଥାନଲ ମିଶ୍ରଣ କରିବାକୁ ସକ୍ଷମ ହୋଇଛନ୍ତି  ଏବଂ  କରୁଛନ୍ତି  ମଧ୍ୟ।

ବିଗତ ଆଠବର୍ଷର ପ୍ରୟାସଲବ୍ଧ ଏହି ସଫଳତା ଦ୍ୱାରା ଭାରତର ଊର୍ଜା ନିରାପତ୍ତା କେବଳ ବଢିନାହିଁ, ଏହାଫଳରେ ଦେଶ, ୪୧, ୫୦୦କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବାରେ ସଫଳ ହୋଇଛି। ତୈଳ ଆମଦାନୀ ହ୍ରାସ ପାଇବା ସହିତ ଏହି ସମୟରେ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ୨୭ଲକ୍ଷ ମେଟ୍ରିକ ଟନ୍ ହ୍ରାସ ପାଇଛି। ସେହିଭଳି ଆଖୁଚାଷୀମାନଙ୍କୁ ୪୦, ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପ୍ରକାର ପ୍ରୟାସ ଫଳରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଠିକ୍ ବାଟରେ ଚାଲିଛି। ଏହାଫଳରେ ଧାର୍ଯ୍ୟ ସମୟ ୨୦୨୫-୨୬ ସୁଦ୍ଧା ଭାରତ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଅଚିରେ ପୂରଣ କରିପାରିବ।

ସୂଚନାଯୋଗ୍ୟ ଯେ, ଆଖୁରସରୁ ପ୍ରସ୍ତୁତ ସୂରାସାର ବା ଇଥାନଲ ଉତ୍ପାଦନକୁ ସରକାର ଏବେ ଉତ୍ସାହିତ କରୁଛନ୍ତି। ତେଣୁ ଚିନିକଳ ମାଲିକମାନେ ଚାଷୀଙ୍କ ଠାରୁ ଆଖୁ କିଣି ଇଥାନଲ ଉତ୍ପାଦନ କାମରେ ଅନବରତ ଲାଗିଛନ୍ତି।

****