Categories
ଆଜିର ଖବର ଜାତୀୟ ଖବର

ସାର୍ବଜନୀନ ପ୍ରସାରଣ ସେବା ନିମନ୍ତେ ବ୍ୟାପକ ପ୍ରୋତ୍ସାହନ: ୨୦୨୬ ସୁଦ୍ଧା ଖର୍ଚ୍ଚ ହେବ ୨୫୪୦ କୋଟି

ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଏକ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ଭାବେ ‘ପ୍ରସାରଣ ଭିତ୍ତିଭୂମି ଓ ନେଟୱର୍କ ବିକାଶ (ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ-ବିଆଇଏନଡି)’କୁ ଅନୁମୋଦନ କରିଛି। ଏ ସଂକ୍ରାନ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରସାର ଭାରତୀ- ଅର୍ଥାତ୍‌ ଅଲ ଇଣ୍ଡିଆ ରେଡିଓ (ଏଆଇଆର) ଏବଂ ଦୂରଦର୍ଶନ (ଡିଡି) ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଯୋଜନାରେ ମୋଟ୍‌ ୨୫୩୯.୬୧ କୋଟି ଟଙ୍କା ଖର୍ଚ୍ଚ ହେବ।  ପ୍ରସାର ଭାରତୀର ପ୍ରସାରଣ ଭିତ୍ତିଭୂମି ସମ୍ପ୍ରସାରଣ ଓ ଉନ୍ନତିକରଣ, ବିଷୟବସ୍ତୁ ବିକାଶ ଓ ସଂଗଠନର ସିଭିଲ କାର୍ଯ୍ୟ ଆଦି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ମନ୍ତ୍ରଣାଳୟ ଦ୍ବାରା ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ (ବିଆଇଏନଡି) ଯୋଜନାର ପରିକଳ୍ପନା କରାଯାଇଛି।

ପ୍ରସାର ଭାରତୀ ହେଉଛି ଦେଶର ସାର୍ବଜନୀନ ବା ଲୋକ ସେବା ପ୍ରସାରଣକାରୀ ସଂଗଠନ। ଏହି ସଂଗଠନ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ଦେଶର ଦୂର ସୁଦୂରବର୍ତ୍ତୀ କ୍ଷେତ୍ରରେ ଲୋକମାନଙ୍କୁ ଶିକ୍ଷା, ସୂଚନା, ମନୋରଞ୍ଜନ ଓ ସହଭାଗିତାର ସବୁଠୁ ବଡ଼ ସାଧନ ଯୋଗାଇ ଦେଉଛି। ପ୍ରସାର ଭାରତୀ କୋଭିଡ ମହାମାରୀ ସମୟରେ ସାର୍ବଜନୀନ ସ୍ବାସ୍ଥ୍ୟ ବାର୍ତ୍ତାର ପ୍ରସାରଣ ଓ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ବିଆଇଏନଡି ଯୋଜନା ଏହି ସାର୍ବଜନୀନ ପ୍ରସାରଣକାରୀ ସଂଗଠନକୁ ଉନ୍ନତ ମୌଳିକ ଭିତ୍ତିଭୂମି ସହିତ ନିଜସ୍ବ ସୁବିଧାକୁ ବ୍ୟାପକ ଭାବେ ଉନ୍ନତିକରଣ କରିବା ଲାଗି ସକ୍ଷମ କରିବ। ଫଳରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର, ସୀମାବର୍ତ୍ତୀ ଓ ରଣନୈତିକ କ୍ଷେତ୍ରରେ ଏହାର ପ୍ରସାରଣ ବୃଦ୍ଧି ପାଇବ। ଶ୍ରୋତା ଓ ଦର୍ଶକମାନେ ଉଚ୍ଚ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ବା ବିଷୟବସ୍ତୁ ପାଇପାରିବେ। ଏହି ଯୋଜନାର ଆଉ ଏକ ପ୍ରାଥମିକତା ଆଧାରିତ କ୍ଷେତ୍ର ହେଉଛି – ଘରୋଇ ଓ ଅନ୍ତର୍ଜାତୀୟ ଉଭୟ ଦର୍ଶକଙ୍କ ପାଇଁ ଉଚ୍ଚ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ବିକଶିତ କରିବା ଏବଂ ଅଧିକ ଘରୋଇ ଚ୍ୟାନେଲକୁ ସାମିଲ କରିବା ଲାଗି ଡିଟିଏଚ ପ୍ଲାଟଫର୍ମର କ୍ଷମତା ବିକାଶ। ଏହାଦ୍ବାରା ଦର୍ଶକଙ୍କ ପାଇଁ ବିବିଧ ବିଷୟବସ୍ତୁ ଓ କାର୍ଯ୍ୟକ୍ରମର ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ। ଓଭି ଭ୍ୟାନ୍‌ କ୍ରୟ ଏବଂ ଡିଡି ଓ ଆକାଶବାଣୀ ଷ୍ଟୁଡିଓକୁ ଏଚଡି ସ୍ତରରେ ପ୍ରସ୍ତୁତ କରିବା ଲାଗି ଡିଜିଟାଲ ଉନ୍ନତିକରଣକୁ ମଧ୍ୟ ଏହି ପରିଯୋଜନାର ଅଂଶବିଶେଷ ଭାବେ ସାମିଲ କରାଯିବ।

ବର୍ତ୍ତମାନ, ଦୂରଦର୍ଶନ ୨୮ଟି ଆଞ୍ଚଳିକ ଚାନେଲ ସହିତ ୩୬ଟି ଟିଭି ଚାନେଲ ପରିଚାଳନା କରୁଛି ଏବଂ ଅଲ ଇଣ୍ଡିଆ ରେଡିଓ ୫୦୦ରୁ ଅଧିକ ପ୍ରସାରଣ କେନ୍ଦ୍ର ପରିଚାଳନା କରିଥାଏ। ଏହି ଯୋଜନା ଦେଶରେ ଏଆଇଆର ଏଫଏମ ଟ୍ରାନ୍ସମିଟର କଭରେଜକୁ ଭୌଗଳିକ କ୍ଷେତ୍ର ଅନୁସାରେ ୫୯ ପ୍ରତିଶତରୁ ବଢ଼ାଇ ୬୬ ପ୍ରତିଶତ ଏବଂ ଜନସଂଖ୍ୟା ହିସାବରେ ୬୮ ପ୍ରତିଶତରୁ ବଢ଼ାଇ ୮୦ ପ୍ରତିଶତ କରି ଦେବ। ଏହି ଯୋଜନାରେ ଦୂରବର୍ତ୍ତୀ, ଜନଜାତୀୟ, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ, ସୀମାବର୍ତ୍ତୀ କ୍ଷେତ୍ର ଓ ଆକାଂକ୍ଷୀ ଜିଲ୍ଲାରେ ରହୁଥିବା ଲୋକମାନଙ୍କୁ ୮ ଲକ୍ଷ ଡିଡି ଫ୍ରି ଡିଶ ଡିଟିଏଚ ସେଟଅପ ବକ୍ସ (ଡିଟିବି) ନିଃଶୁଳ୍କ ବିତରଣ କରାଯିବାକୁ ପରିକଳ୍ପନା କରାଯାଇଛି।

ସାର୍ବଜନୀନ ପ୍ରସାରଣ ପରିଧିକୁ ବଢ଼ାଇବା ବ୍ୟତୀତ, ପ୍ରସାରଣ ଉପକରଣ ଯୋଗାଣ ଓ ପ୍ରତିଷ୍ଠା ସହ ଜଡ଼ିତ ନିର୍ମାଣ ଓ ସେବା ମାଧ୍ୟମରେ ପରୋକ୍ଷ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଟିଭି/ରେଡିଓ ପ୍ରଯୋଜନା, ଟ୍ରାନ୍ସମିଶନ ଓ ଆନୁସଙ୍ଗିକ ମିଡିଆ ସହ ଜଡ଼ିତ ସେବା ସମେତ ବିଭିନ୍ନ ବିଷୟବସ୍ତୁ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପରୋକ୍ଷ ରୋଜଗାର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାବ୍ୟତୀତ, ଡିଡି ଫ୍ରି ଡିଶର ପ୍ରସାର ବିସ୍ତାର ପ୍ରକଳ୍ପ ଜରିଆରେ ଡିଡି ଫ୍ରି’ ଡିଶ ଡିଟିଏଚ ବକ୍ସ ନିର୍ମାଣରେ ମଧ୍ୟ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଭାରତ ସରକାର ଦୂରଦର୍ଶନ ଓ ଆକାଶବାଣୀ (ପ୍ରସାରଣ ଭାରତୀ)ର ମୌଳିକ ଭିତ୍ତିଭୂମି ଓ ସେବାର ବିକାଶ, ଆଧୁନିକୀକରଣ ଓ ଦୃଢ଼ତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଉଛନ୍ତି ଏବଂ ଏହା ଏକ ନିରନ୍ତର ପ୍ରକ୍ରିୟା ଅଟେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେତେ ହେବ କରୋନା ନାସାଲ୍ ଟୀକାର ଦର?, ସ୍ପଷ୍ଟ ହେଲା ମୂଲ୍ୟ

ନୂଆଦିଲ୍ଲୀ: ଭାରତ ସରକାର କରୋନାକୁ ନେଇ ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ନାସାଲ୍ ଟିକାକୁ ଅନୁମୋଦନ କରିଥିଲେ। ଖୁବ୍ ଶୀଘ୍ର ଏହି ଟିକା ଉପଲବ୍ଧ ହେବ। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାସାଲ୍ ଟିକା ମୂଲ୍ୟ ହଜାରେ ଟଙ୍କା ହୋଇପାରେ। ଏଥିରେ ଟୀକାକରଣର ମୂଳ ମୂଲ୍ୟ ୮୦୦ ଟଙ୍କା ହେବ। ଜିଏସଟି ଏବଂ ହସ୍ପିଟାଲ ଚାର୍ଜ ସହିତ ଏହା ୧୦୦୦ ଟଙ୍କାରେ ଉପଲବ୍ଧ ହେବ।

Categories
ବିଶେଷ ଖବର

ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପିଆଇବି ଫ୍ୟାକ୍ଟ ଚେକ ୟୁନିଟ (ଏଫସିୟୁ), ୪୦ରୁ ଅଧିକ ସିରିଜ ଫ୍ୟାକ୍ଟ-ଚେକ ଦ୍ୱାରା ଭାରତରେ ମିଥ୍ୟା ଖବର ପ୍ରସାରଣ କରିଥିବା ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କରିଛି। ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ପାଖାପାଖି ୩୩ ଲକ୍ଷ ଉପଭୋକ୍ତା ଥିଲେ ଏବଂ ଏଗୁଡ଼ିକର ମିଥ୍ୟା ଖବର ସମ୍ପର୍କିତ ଭିଡ଼ିଓ ଗୁଡିକୁ ୩୦ କୋଟିରୁ ଅଧିକ ଥର ଦେଖାଯାଇଥିଲା।

ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ବ୍ୟକ୍ତିଗତ ପୋଷ୍ଟଗୁଡ଼ିକୁ ଦୃଷ୍ଟିରେ ରଖି ପିଆଇବି ତମାମ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ଖୁଲାସା କରିଛି। ପିଆଇବି ଦ୍ୱାରା ଫ୍ୟାକ୍ଟ-ଚେକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା:

ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତର ସୁପ୍ରିମକୋର୍ଟ, ମାନନୀୟ ପ୍ରଧାନ ବିଚାରପତି, ସରକାରୀ ସ୍କିମ, ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ), କୃଷି ଋଣ ଛାଡ଼ ଇତ୍ୟାଦି ଅନେକ ମିଥ୍ୟା ଖବର ବାବଦରେ ମିଛ ଏବଂ ସମ୍ବେଦନାତ୍ମକ ଦାବି ପ୍ରସାରଣ କରିଥାନ୍ତି। ଉଦାହରଣ ସ୍ୱରୂପ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଭବିଷ୍ୟତର ନିର୍ବାଚନ ବାଲଟ ପେପରରେ ସମ୍ପାଦନ କରାଯିବ; ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଏବଂ ପାନ କାର୍ଡ ଥିବା ଲୋକଙ୍କୁ ସରକାର ଟଙ୍କା ଦେଉଛନ୍ତି; ଇଭିଏମ ନିଷେଧ ଇତ୍ୟାଦି।

ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ସେମାନଙ୍କ ଖବରଗୁଡ଼ିକୁ ଦର୍ଶକଙ୍କ ଆଖିରେ ସତ୍ୟ ଦର୍ଶାଇବା ଲାଗି ତଥା ସେଗୁଡିକୁ ବିଭ୍ରାନ୍ତ କରିବା ପାଇଁ ଟିଭି ଚ୍ୟାନେଲ ଲୋଗୋ ଏବଂ ସେମାନଙ୍କ ନ୍ୟୁଜ ଆଙ୍କରଙ୍କ ଫଟୋ ଥିବା ମିଥ୍ୟା ତଥା ସମ୍ବେଦନାତ୍ମକ ‘ଥମ୍ବନେଲ’ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ଏହି ଚ୍ୟାନେଲଗୁଡ଼ିକ ସେମାନଙ୍କ ଭିଡିଓରେ ବିଜ୍ଞାପନ ପ୍ରଦର୍ଶନ କରୁଥିଲେ, ଏବଂ ୟୁଟ୍ୟୁବରେ ମିଥ୍ୟା ଖବରରୁ ଅର୍ଥ ଉପାର୍ଜନ କରୁଥିବା ଜଣାପଡ଼ିଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଗତ ବର୍ଷକରେ ଶହେରୁ ଅଧିକ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରାଯିବା ପରେ ପିଆଇବି ଫ୍ୟାକ୍ଟ ଚେକ ୟୁନିଟ ଦ୍ୱାରା ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତର ପୂର୍ବାଞ୍ଚଳରେ ଆରମ୍ଭ ହୋଇଛି ଶାନ୍ତିର ଯୁଗ, ୬୦୦୦ ଆତଙ୍କବାଦୀ କରିଛନ୍ତି ଆତ୍ମସମର୍ପଣ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ସରକାରଙ୍କ ଆତଙ୍କବାଦ ମୁକାବିଲା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ନିଜ ବାସଭବନରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ସରକାର ଗୋଟିଏ ପଟେ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ (ୟୁଏପିଏ)କୁ ସୁଦୃଢ଼ କରିବା ଲାଗି ଆଇନଗତ ଦିଗରେ କାର୍ଯ୍ୟ କରିଛନ୍ତି। ଅନ୍ୟପଟେ ଜାତୀୟ ଯାଞ୍ଚ ଏଜେନ୍ସି (ସଂଶୋଧନ) ଆଇନ ପ୍ରଚଳନ କରିବା ଜରିଆରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)କୁ ଏକ ବାସ୍ତବ ସଂଘୀୟ ଢାଞ୍ଚା ପ୍ରଦାନ କରିଛନ୍ତି । ଏସବୁ ସାମୂହିକ ପ୍ରୟାସ ଆତଙ୍କବାଦର ଇକୋସିଷ୍ଟମକୁ ଦୁର୍ବଳ କରୁଛି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ନିଜର ଚିନ୍ତା ବ୍ୟକ୍ତ କରି ଆସିଛି । ଅନ୍ତର୍ଜାତୀୟ ସମ୍ମିଳନୀ ଓ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ ବିଶ୍ବକୁ ଏକଜୁଟ ହେବା ପାଇଁ ଆହ୍ବାନ କରି ଆସିଛନ୍ତି । ନିକଟରେ ଭାରତରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ବିଶ୍ବରୁ ୨୦୦୦ରୁ ଅଧିକ ବିଦେଶୀ ଅତିଥି ଯୋଗ ଦେଇଥିଲେ। ଏହି ଅବସରରେ ‘ଆତଙ୍କବାଦ ବିରୋଧରେ ବିଶ୍ବସ୍ତରୀୟ କାର୍ଯ୍ୟାନୁଷ୍ଠାନ’ ପାଇଁ ଘୋଷଣା କରାଯାଇଥିଲା ବୋଲି ଶ୍ରୀ ଠାକୁର କହିଥିଲେ ।

ସେ ଆହୁରି କହିଥିଲେ ଯେ, ସର୍ଜିକାଲ ଷ୍ଟ୍ରାଇକ୍‌ ଠାରୁ ଆରମ୍ଭ କରି ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ସରକାରଙ୍କ ଦୃଢ଼ ସଂକଳ୍ପ ବାରମ୍ବାର ପ୍ରକାଶିତ ହୋଇଛି । ସେନାବାହିନୀର କାର୍ଯ୍ୟାନୁଷ୍ଠାନ ଯୋଗୁ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୧୬୮% ହ୍ରାସ ପାଇଛି । ଅନୁରୂପ ଭାବେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାରେ ୯୪% ଦଣ୍ଡବିଧାନ ହୋଇଛି ବୋଲି ଶ୍ରୀ ଠାକୁର କହିଥିଲେ ।

ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ୨୦୧୪ ପରଠାରୁ ଉତ୍ତର ପୂର୍ବ ଭାରତରେ ଶାନ୍ତିର ସୂର୍ଯ୍ୟୋଦୟ ହୋଇଛି। ଏହି କ୍ଷେତ୍ରରେ ହିଂସାତ୍ମକ ଘଟଣାରେ ୮୦% ହ୍ରାସ ଦେଖିବାକୁ ମିଳିଛି ଏବଂ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୯ ପ୍ରତିଶତ ହ୍ରାସ ପାଇଛି । ଏଥିସହିତ ୨୦୧୪ ପରଠାରୁ ଏବେ ସୁଦ୍ଧା ୬ ହଜାରରୁ ଅଧିକ ଆତଙ୍କବାଦୀ ଆତ୍ମସମର୍ପଣ କରି ସାରିଛନ୍ତି । ବାମପନ୍ଥୀ ଉଗ୍ରବାଦ ବିରୋଧରେ ସରକାରଙ୍କ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କାରଣରୁ ଦେଶରେ ହିଂସା ଘଟଣାରେ ୨୬୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ସରକାର କେବଳ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ବରଂ ଏହା ଠାରୁ ଊର୍ଦ୍ଧ୍ବକୁ ଯାଇ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ଲାଗି କାର୍ଯ୍ୟ କରିଛନ୍ତି । ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଶାନ୍ତି ରାଜିନାମା ଏହାର ଏକ ଉଦାହରଣ ବୋଲି ଶ୍ରୀ ଠାକୁର କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋଦୀ ସରକାରଙ୍କ ସମୟରେ – ଜାନୁଆରୀ ୨୦୨୦ରେ ବୋଡୋ ଶାନ୍ତି ରାଜିନାମା, ଜାନୁଆରୀ ୨୦୨୦ରେ ବ୍ରୁ-ରିୟାଙ୍ଗ ଶାନ୍ତି ରାଜିନାମା, ଏନଏଲଏଫଟି-ତ୍ରିପୁରୀ ରାଜିନାମା ଅଗଷ୍ଟ ୨୦୧୯, କାର୍ବି ଅଙ୍ଗଲଙ୍ଗ ରାଜିନାମା ସେପ୍ଟେମ୍ବର ୨୦୨୧, ଆସାମ-ମେଘାଳୟ ଆନ୍ତଃରାଜ୍ୟ ସୀମା ରାଜିନାମା ମାର୍ଚ୍ଚ ୨୦୨୨ ଆଦି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ଏହି ଅବସରରେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଏହି ଆଇନ ଉଚ୍ଛେଦ ନେଇ କେବଳ ଆଲୋଚନା ହେଉଥିଲା। କିନ୍ତୁ ବର୍ତ୍ତମାନର ସରକାର ଏଏଫଏସପିଏକୁ ଉତ୍ତର ପୂର୍ବାଞ୍ଚଳର ଅଧିକାଂଶ ଭାଗ ଏବଂ ତ୍ରିପୁରା ଓ ମେଘାଳୟରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛନ୍ତି । ବର୍ତ୍ତମାନ ଅରୁଣାଚଳ ପ୍ରଦେଶରେ ଏହି ଆଇନ କେବଳ ୩ଟି ଜିଲ୍ଲାରେ ଲାଗୁ ହୋଇଛି । ଆସାମର ୬୦ ପ୍ରତିଶତ ଅଞ୍ଚଳ ଏଏଫଏସପିଏ ମୁକ୍ତ ହୋଇସାରିଛି । ୬ଟି ଜିଲ୍ଲା ଅଧୀନରେ ଆସୁଥିବା ୧୫ଟି ପୁଲିସ ଷ୍ଟେସନକୁ ଅଶାନ୍ତ କ୍ଷେତ୍ର ବର୍ଗରୁ ବାହାରକୁ ନିଆଯାଇସାରିଛି । ୭ଟି ଜିଲ୍ଲାର ୧୫ଟି ପୁଲିସ ଥାନା କ୍ଷେତ୍ରରୁ ବିବାଦୀୟ କ୍ଷେତ୍ର ବିଜ୍ଞପ୍ତି ପ୍ରତ୍ୟାହାର କରି ନିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ଉଦ୍ଧାର କାର୍ଯ୍ୟ ବିଷୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବିପଦରେ ପଡ଼ିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ସାରା ବିଶ୍ବରେ ଭାରତ ଉଦ୍ଧାର କାର୍ଯ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିଲା। ଏ ସମ୍ପର୍କରେ ଶ୍ରୀ ଠାକୁର କହିଥିଲେ ଯେ, ଅପରେସନ ଗଙ୍ଗା ଅଧୀନରେ ଫେବୃଆରୀ-ମାର୍ଚ୍ଚ ୨୦୨୨ରେ ୨୨,୫୦୦ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଉଦ୍ଧାର କରାଯାଇଥିଲା। ଅପରେସନ ଦେବୀ ଶକ୍ତି ମାଧ୍ୟମରେ ଆଫଗାନିସ୍ତାନରେ ଫସିଥିବା ୬୭୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟର ସବୁଠୁ ବଡ଼ ସଫଳତା ହେଉଛି କୋଭିଡ ୧୯ ସଂକଟ ସମୟରେ ବନ୍ଦେ ଭାରତ ମିଶନ ଜରିଆରେ ୨୦୨୧-୨୨ରେ ୧.୮୩ କୋଟି ନାଗରିକଙ୍କୁ ଉଦ୍ଧାର କରି ଅଣାଯାଇଥିଲା। କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହରରୁ ଭାରତ ୬୫୪ ଜଣଙ୍କୁ ଉଦ୍ଧାର କରିଥିଲା।

କେବଳ ଭାରତୀୟ ନୁହନ୍ତି, ବରଂ ବିଦେଶୀ ନାଗରିକଙ୍କୁ ମଧ୍ୟ ଭାରତ ସରକାର ସହାୟତା ଯୋଗାଇ ଦେଇଛନ୍ତି । ୨୦୧୬ରେ ଅପରେସନ ସଙ୍କଟମୋଚନ ଜରିଆରେ ଦକ୍ଷିଣ ସୁଦାନରୁ ୨ ଜଣ ନେପାଳୀ ନାଗରିକଙ୍କ ସମେତ ୧୫୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ମୈତ୍ରୀ ଜରିଆରେ ନେପାଳରୁ ୫ହଜାର ଭାରତୀୟ ଏବଂ ୧୭୦ ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ରାହତ ଅଧୀନରେ ୟେମେନରୁ ୬,୧୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରେ ୧୯୬୨ ଜଣ ଭାରତୀୟ ନାଗରିକ ଥିଲେ ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରୟାସ ବିଶ୍ବରେ ଭାରତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତ ଏଭଳି ଏକ ରାଷ୍ଟ୍ର ଯାହା ସଙ୍କଟ ସମୟରେ ଅନ୍ୟ ଦେଶକୁ ସହାୟତା କରୁଛି ଏବଂ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଅନ୍ୟପଟେ ପଡ଼ୋଶୀ ଦେଶ କେବଳ ଆତଙ୍କବାଦକୁ ଆଶ୍ରୟ ଦେବା ସହିତ ହିଂସାର ମୂଲ୍ୟବୋଧକୁ ପ୍ରସାରିତ କରୁଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ଯଥେଷ୍ଟ ରହିଛି ଖାଦ୍ୟ ଶସ୍ୟ: ନିୟମିତ ମୂଲ୍ୟ ନିୟନ୍ତ୍ରଣ ତଦାରଖ କରୁଛନ୍ତି ଭାରତ ସରକାର

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏସଏଫଏ)ର ଆବଶ୍ୟକତା, ଏହାର ଅନ୍ୟାନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ପିଏମ୍‌ଜିକେୱାଇ ଅଧୀନରେ ଅତିରିକ୍ତ ଆବଂଟନ ପାଇଁ ଭାରତ ସରକାରଙ୍କ ନିକଟରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି। ଜାନୁୟାରୀ ପହିଲା ୨୦୨୩ ସୁଦ୍ଧା ବଳକା ଖାଦ୍ୟଶସ୍ୟ ମାନଦଣ୍ଡ ଅନୁଯାୟୀ ୧୩୮ଏଲଏମଟି  ଗହମ ଓ ୭୬ଏଲ୍‌ଏମ୍‌ଟି ଚାଉଳର ଆବଶ୍ୟକତା ରହିଥିବାବେଳେ ଏହି ସମୟ ସୁଦ୍ଧା ୧୫୯ ଏଲଏମ୍‌ଟି ଗହମ ଓ ୧୦୪ ଚାଉଳ ଉପଲବ୍ଧ ହେବ। ୧୫, ୧୨. ୨୦୨୨ ସୁଦ୍ଧା ପ୍ରାୟ ୧୮୦ ଏଲଏମ୍‌ଟି ଗହମ ଓ ୧୧୧ ଏଲ୍‌ଏମଟି ଚାଉଳ କେନ୍ଦ୍ରୀୟ ପୁଲରେ ଉପଲବ୍ଧ ରହିଛି।

ବଳକା ସାମଗ୍ରୀ ମହଜୁଦ ମାନଦଣ୍ଡ ବର୍ଷର ଏପ୍ରିଲ ପହିଲା, ଜୁଲାଇ ପହିଲା, ଅକ୍ଟୋବର ଓ ଜାନୁୟାରୀ ପହିଲାକୁ ଧାର୍ଯ୍ୟ କରାଯାଇଥାଏ। କେନ୍ଦ୍ରୀୟ ପୁଲରେ ଗହମ ଓ ଚାଉଳ ମହଜୁଦ ପରିମାଣ ସବୁବେଳେ ମହଜୁଦ ମାନଦଣ୍ଡଠାରୁ ଊର୍ଦ୍ଧ୍ୱରେ ରହିଛି। ଅକ୍ଟୋବର ପହିଲା ୨୦୨୨ ସୁଦ୍ଧା ପ୍ରାୟ ୨୨୭ଏଲଏମ୍‌ଟି ଗହମ ଓ ୨୦୫ ଏଲଏମଟି ଚାଉଳ ମହଜୁଦ ଥିବାବେଳେ ଏହାର ମହଜୁଦ ସୀମା ସେହି ସମୟ ସୁଦ୍ଧା ହେଉଛି ଯଥାକ୍ରମେ ୨୦୫ଏଲଏମଟି ଗହମ ଓ ୧୦୩ ଏଲଏମଟି ଚାଉଳ। ଜାନୁୟାରୀ ପହିଲା ୨୦୨୩ ସୁଦ୍ଧା ମହଜୁଦ ସୀମାଠାରୁ ଅଧିକ ଖାଦ୍ୟଶସ୍ୟ ଉପଲବ୍ଧ ହେବ।

ଗତବର୍ଷ କମ୍ ଉତ୍ପାଦନ ଓ ଚାଷୀମାନେ ନ୍ୟୁନତମ ସହାୟକ ମୂଲ୍ୟରୁ ଅଧିକ ଦରରେ ଭୂରାଜନୈତିକ ପରିସ୍ଥିତି ଯୋଗୁଁ ଗହମ ବିକ୍ରି କରିଥିଲେ ମଧ୍ୟ ଦେଶରେ ଆଗାମୀ ଗହମ ଉତ୍ପାଦନ ପର୍ଯ୍ୟନ୍ତ କେନ୍ଦ୍ରୀୟ ପୁଲରେ ଦେଶର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଯଥେଷ୍ଟ ଗହମ ମହଜୁଦ ରହିଛି।

ଏହାଛଡା ଏନ୍‌ଏଫଏସ୍‌ଏ ଓ ପିଏମଜିକେଏୱାଇ ଅଧୀନରେ ହେଉଥିବା ଆବଣ୍ଟନ ଚାଉଳ ପାଇଁ ସଂଶୋଧନ କରାଯାଇଛି। କାରଣ ବିଭିନ୍ନ କଲ୍ୟାଣମୂଳକ ଯୋଜନା ବାବଦକୁ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଗହମ ଉପଲବ୍ଧ ରହିଛି।

ଭାରତ ସରକାର ଚଳିତବର୍ଷ ଗହମର ନୂନତମ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୨୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୨୨-୨୩ ରବି ବଜାର ଋତୁ (ଆରଏମ୍‌ଏସ୍‌)ରେ ଏହା କ୍ୱିଣ୍ଟାଲ  ପିଛା ୨୦୧୫ ଟଙ୍କା ଥିଲା। କ୍ୱିଣ୍ଟାଲ ପିଛା ୧୧୦ଟଙ୍କା ବୃଦ୍ଧି ସହ ଉତ୍ତମ ପାଣିପାଗ ଯୋଗୁଁ ଆଗାମୀ ଋତୁରେ ଗହମ ଉତ୍ପାଦନ ଓ ସଂଗ୍ରହ ସ୍ୱାଭାବିକ ହେବା ଆଶା କରାଯାଉଛି । ଗହମ ସଂଗ୍ରହ ଆସନ୍ତାବର୍ଷ ଏପ୍ରିଲରୁ ଆରମ୍ଭ ହେବାକୁ ଥିବାବେଳେ, ଗତଥର ତୁଳନାରେ ଏଥର ଅଧିକ ଜମିରେ ଗହମ ଚାଷ ହୋଇଥିବା ଜଣାପଡିଛି।

ଦେଶବ୍ୟାପୀ ବିଭିନ୍ନ କଲ୍ୟାଣକାରୀ ଯୋଜନା ନିମନ୍ତେ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଖାଦ୍ୟଶସ୍ୟ ଥିବା ତଥା ଦର ନିୟନ୍ତ୍ରଣରେ ରଖିବା ବିଷୟକୁ ଭାରତ ସରକାର ସବୁବେଳେ ସୁନିଶ୍ଚିତ କରି ଆସୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହେବ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ଆଜି ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଆୟୋଜନ କରାଯିବ। ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇ ଆଇ ଏମ ଟି) ପରିସରରେ ଏହି ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂର୍ବ ଏବଂ ଉତ୍ତର-ପୂର୍ବ କ୍ଷେତ୍ରର କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିବେ। ବିଶେଷ ଅତିଥି ଭାବେ ରାଜଭାଷା ଉପରେ ଗଠିତ ସଂସଦୀୟ ସମିତିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ ଯୋଗ ଦେବେ। ଏହା ବ୍ୟତୀତ ରାଜଭାଷା ବିଭାଗର ଯୁଗ୍ମ ସଚିବ ଡକ୍ଟର ମୀନାକ୍ଷୀ ଜୋଲି, କେନ୍ଦ୍ର ସରକାର ଓ କେନ୍ଦ୍ର ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସମାରୋହରେ ଅତିଥିମାନେ ରାଜଭାଷାର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କେନ୍ଦ୍ର ସରକାରୀ ଅଧିକାରୀ, ବ୍ୟାଙ୍କ ଓ ଉଦ୍ୟୋଗମାନଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରିବେ। ରାଜଭାଷା ସମ୍ମିଳନୀ ଆୟୋଜନ ସମ୍ପର୍କରେ ଆଜି ଯୁଗ୍ମ ସଚିବ ଡକ୍ଟର ଜୋଲି ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ସମ୍ବିଧାନର ଅନୁଚ୍ଛେଦ ୩୪୩ ଅନୁଯାୟୀ, ହିନ୍ଦୀ ଭାଷା ଓ ଦେବନାଗରୀ ଲିପିକୁ ରାଜଭାଷା ଭାବେ ଗ୍ରହଣ କରାଯାଇଛି। ହିନ୍ଦୀ ଭାଷାର ବିକାଶ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୫୧ରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ରାଜଭାଷା ହିନ୍ଦୀର ପ୍ରୋତ୍ସାହନ ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜଭାଷା ବିଭାଗ ପକ୍ଷରୁ ଚାରିଟି ଆଞ୍ଚଳିକ ସମ୍ମିଳନୀ ଆୟୋଜନ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କଟକ ଶାଖା ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ଭୁବନେଶ୍ବର ପ୍ରଶାସନିକ କାର୍ଯ୍ୟାଳୟ ମାର୍ଗଦର୍ଶନରେ କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ।

ଜୀବନ ପ୍ରମାଣନ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ମାଧ୍ୟମରେ ପେନସନଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଜିଏମ ସନ୍ତୋଷ କୁମାର ବେହେରା ନୋଡାଲ ଅଧିକାରୀ ଭାବେ ଶିବିର ସୁପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏସ୍‌ଆଇଡିଏସ୍‌ ରେ ଆୟୋଜିତ ଅଧିବେଶନରେ ଅଂଶଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସିଓପି ୨୭ ସମ୍ମିଳନୀ ଅବସରରେ ୟୁଏନ୍‌ଏଫ୍‌ସିସିସି ପାଭିଲିୟନରେ କ୍ଷୁଦ୍ର ଦ୍ୱୀପାଞ୍ଚଳ ବିକାଶଶୀଳ ରାଷ୍ଟ୍ର (ଏସ୍‌ଆଇଡିଏସ୍‌)ରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି ଢାଞ୍ଚାକୁ ତ୍ୱରାନ୍ୱିତ କରିବା ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ, ମରିସସ୍ ସରକାରଙ୍କର ପରିବେଶ, କଠିନ ବର୍ଜ୍ୟବସ୍ତୁ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କବିଦାସ ରମାନୋ, ଜାମାଇକା ସରକାରଙ୍କ ଆର୍ଥିକ ଅଭିବୃଦ୍ଧି ଏବଂ କର୍ମନିଯୁକ୍ତି ସୃଷ୍ଟି ମନ୍ତ୍ରଣାଳୟର ସିନେଟର ମେଥ୍ୟୁ ସମୁଦା ଏବଂ ଏଓଏସ୍‌ଆଇଏସ୍ ଏବଂ ଫିଜିର ପ୍ରତିନିଧିମାନେ ଏହି ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ।

ଏହି ଅଧିବେଶନର କାର୍ଯ୍ୟସୂଚୀ ଥିଲା ଆଇଆରଆଇଏସ୍ ଦୃଷ୍ଟିକୋଣକୁ ଉପସ୍ଥାପନ କରିବା ଏବଂ ପ୍ରଥମ ‘ପ୍ରସ୍ତାବ ପାଇଁ ଆହ୍ୱାନ’ ସମ୍ପର୍କରେ ଘୋଷଣା କରିବା। ଏହି ଅଧିବେଶନରେ ଆଇଆରଆଇଏସ୍ ଦୃଷ୍ଟିକୋଣ ୨୦୨୨ – ୨୦୩୦ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥିଲା ଏବଂ ମୁଖ୍ୟ ସକ୍ଷମ କାରକ ଗୁଡିକ ଉପରେ ଆଲୋକପାତ କରାଯାଇଥିଲା, ଯାହାକି ପ୍ରଥମ ‘ପ୍ରସ୍ତାବ ପାଇଁ ଆହ୍ୱାନ’ ଅଧୀନରେ ଆଇଆରଆଇଏସ୍ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନର ସୁବିଧା ପ୍ରଦାନ କରିବ। ଆଇଆରଆଇଏସ୍ ପ୍ରଥମ ପଦକ୍ଷେପ ହେବ, ଯାହା ଗତ ସପ୍ତାହରେ ସିଓପି ୨୭ ରେ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି (ସିଡିଆର୍‌ଆଇ) ଦ୍ୱାରା ଆରମ୍ଭ ହୋଇଥିବା ଭିତ୍ତିଭୂମି ଦୀର୍ଘସ୍ଥାୟିତ୍ବ ତ୍ୱରାନ୍ୱିତକରଣ ପାଣ୍ଠି (ଆଇଆରଏଏଫ୍‌) ମାଧ୍ୟମରେ ଆରମ୍ଭ ହେବ।

ନିଜର ବକ୍ତବ୍ୟରେ ଶ୍ରୀ ଭୂପିନ୍ଦର ଯାଦବ କହିଥିଲେ ଯେ, “ବିଶ୍ୱବାସୀଙ୍କ ନିକଟରେ ‘ସହନଶୀଳ ଦ୍ୱୀପାଞ୍ଚଳ ରାଷ୍ଟ୍ର ଗୁଡ଼ିକଙ୍କ ପାଇଁ ଭିତ୍ତିଭୂମି’ (ଇନ୍‌ଫ୍ରାଷ୍ଟ୍ରକଚର ଫର ରେଜିଲିଏଣ୍ଟ ଆଇଲ୍ୟାଣ୍ଡ୍ ଷ୍ଟେଟସ୍‌’ (ଆଇଆରଆଇଏସ୍‌)ର ଦର୍ଶନକୁ ଉପସ୍ଥାପନ କରିବା ଏବଂ ଆଇଆରଆଇଏସ୍ ଅଧୀନରେ ପ୍ରକଳ୍ପ ଗୁଡିକ ଆରମ୍ଭ ପାଇଁ ପ୍ରଥମ ‘ପ୍ରସ୍ତାବ ପାଇଁ ଆହ୍ୱାନ’ ଘୋଷଣା କରିବା ନିମନ୍ତେ ଆପଣ ମାନଙ୍କ ସମସ୍ତଙ୍କ ସହିତ ଯୋଡି ହୋଇ ରହିବା ଯୋଗୁଁ ମୁଁ ଆନନ୍ଦ ଅନୁଭବ କରୁଛି।

ସେ ଆହୁରି କହିଥିଲେ ଯେ, ‘‘ଆପଣମାନେ ସମସ୍ତେ ଜାଣନ୍ତି ଯେ, ଆଇଆରଆଇଏସ୍ ହେଉଛି ଏକ ପ୍ରମୁଖ ରଣନୀତିକ ପଦକ୍ଷେପ ଯାହାକି ଏସ୍‌ଆଇଡିଏସ୍ ନିମନ୍ତେ ନମନୀୟତା ଏବଂ ଜଳବାୟୁ ଅନୁକୂଳନ ସମାଧାନ ପାଇବା ତଥା ବିତରଣ କରିବା ପାଇଁ ଏକ ଉପକରଣ ଭାବରେ ଡିଜାଇନ୍ କରାଯାଇଛି। ଏସବୁ ଦ୍ବୀପ ରାଷ୍ଟ୍ର ସବୁଠୁ ବିପଦ ପ୍ରବଣ ତଥା ଦୁର୍ବଳ ଦେଶ ମାନଙ୍କ ମଧ୍ୟରେ ଅଛନ୍ତି।

ସହ – ନିର୍ମାଣ ଏବଂ ପରିପକ୍ୱତାର ପ୍ରମୁଖ ମାର୍ଗଦର୍ଶିକା ଉପରେ ଆଧାରିତ, ଆଇଆରଆଇଏସ୍‌କୁ ଭାରତ, ବ୍ରିଟେନ, ଅଷ୍ଟ୍ରେଲିଆ, ଜାମାଇକା, ମରିସସ୍ ଏବଂ ଫିଜି ଦ୍ୱାରା ସିଓପି ୨୬ ରେ ବିଶ୍ୱ ନେତୃବୃନ୍ଦ ସମ୍ମିଳନୀ (ୱର୍ଲ୍ଡ ଲିଡର୍ସ ସମ୍ମିଟ୍‌) ରେ ଆରମ୍ଭ କରା ଯାଇଥିଲା। ଏହା ସିଆଇଡିଏସ୍‌ର ସ୍ଥିର ସମାଧାନ ଉପରେ କ୍ରସ୍ ଲର୍ଣ୍ଣିଂ, ଭାଗିଦାରୀତା ଏବଂ ସହଯୋଗର ସୁବିଧା ପାଇଁ ଏକ ମିଳିତ ମଞ୍ଚ।

ଭାଇ ଓ ଭଉଣୀମାନେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ପରିବର୍ତ୍ତନଶୀଳ ଜଳବାୟୁ ବ୍ୟବସ୍ଥାରେ ସିଆଇଡିଏସ୍‌ର ସ୍ୱାର୍ଥ ରକ୍ଷା କରିବାକୁ ଦୃଢ଼ ଭାବରେ ପ୍ରତିବଦ୍ଧ ଅଟନ୍ତି।

ଆଜି , ଆମେ ଜାଣିଛେ ଯେ ଅନ୍ୟ ସମସ୍ତ ପରିବେଶିଗତ ସମସ୍ୟା ମଧ୍ୟରେ ଜଳବାୟୁ ପରିବର୍ତ୍ତନ ହେଉଛି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ସଞ୍ଚୟୀ  ନିର୍ଗମନ ଉପରେ ନିୟନ୍ତ୍ରଣ ବିନା, ଅନ୍ୟ ପରିବେଶ ଆହ୍ୱାନ ଗୁଡିକ ସହିତ ସଫଳତା, ଯଦିଓ ସେଗୁଡିକ ହାସଲ କରା ଯାଇପାରେ , ତଥାପି ତାହା ସ୍ଥାୟୀ ମୂଲ୍ୟ ବହନ କରିବ ନାହିଁ।

ଜଳବାୟୁ ପରିବର୍ତ୍ତନ ଉପରେ ଉଭୟ ଘରୋଇ ସ୍ତରରେ କାର୍ଯ୍ୟ କରିବା ନିମନ୍ତେ ଏବଂ ବହୁପକ୍ଷୀୟ ସହଯୋଗ ପାଇଁ ଭାରତ ପ୍ରତିବଦ୍ଧ ଅଟେ। ପୃଥିବୀର ସୁରକ୍ଷା ପାଇଁ ଆହ୍ୱାନରେ ଆମେ ସମସ୍ତ ବିଶ୍ୱ ସ୍ତରୀୟ ପରିବେଶ ସମସ୍ୟା ଗୁଡିକ ସହିତ ଲଢ଼େଇ ଜାରି ରଖିବୁ। କିନ୍ତୁ ବିଶ୍ୱ ତାପନ (ଗ୍ଲୋବାଲ ୱାର୍ମିଂ) ଆମକୁ ଚେତାବନୀ ଦେଇଛି ଯେ, କାହାରିକୁ ପଛରେ ଛାଡ଼ିନଦେଇ ସମାନତା ଏବଂ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ସଫଳତା ମିଳିପାରିବ। ଯେଉଁଠାରେ ସେହି ସର୍ବାଧିକ ଭାଗ୍ୟବାନ ଲୋକମାନେ ନିଶ୍ଚିତ ରୂପେ ନେତୃତ୍ୱ ନେବା ଜରୁରି। କୌଣସି ରାଷ୍ଟ୍ର ଏକୁଟିଆ ଏହି ଯାତ୍ରା କରି ପାରିବ ନାହିଁ । ସଠିକ୍ ବୁଝାମଣା, ସଠିକ୍ ବିଚାର ଏବଂ ସହଯୋଗିତା ମୂଳକ କାର୍ଯ୍ୟ – ଏଗୁଡିକ ପରବର୍ତ୍ତୀ ନିର୍ଣ୍ଣାୟକ ଅର୍ଦ୍ଧ ଶତାବ୍ଦୀ ପାଇଁ ଆମର ପଥ ସ୍ଥିର କରିବା ଆବଶ୍ୟକ।

ବନ୍ଧୁଗଣ,

ଆଇପିସିସିର ଏଆର୍‌ ୬ ରିପୋର୍ଟ ଗୁଡିକ ଆମକୁ ସ୍ପଷ୍ଟ ଭାବରେ ଏହା ସୂଚିତ କରୁଛି ଯେ, ଉତ୍ତାପ ବୃଦ୍ଧି ପାଇଁ ଅଙ୍ଗାରକାମ୍ଳ ଦାୟୀ। ଆଇପିସିସି ରିପୋର୍ଟ ଏବଂ ଅନ୍ୟାନ୍ୟ ସର୍ବୋତ୍ତମ ଉପଲବ୍ଧ ବିଜ୍ଞାନ ମଧ୍ୟ ଏହା ଦର୍ଶାଏ ଯେ, ଜଳବାୟୁ ପରିବର୍ତ୍ତନ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ। ଏହି କାରଣରୁ  ଦ୍ୱୀପପୁଞ୍ଜ ଦେଶ ଏବଂ ଅନ୍ୟ ଦେଶମାନଙ୍କର ସ୍ଥିତି ପ୍ରତି ଆମେ ଅତ୍ୟନ୍ତ ସହାନୁଭୂତିଶୀଳ। ଭାରତ, ୭୫୦୦ କିଲୋମିଟରରୁ ଅଧିକ ବେଳାଭୂମି ଏବଂ ଏହାର ଆଖପାଖ ସମୁଦ୍ରରେ ୧୦୦୦ରୁ ଅଧିକ ଦ୍ୱୀପପୁଞ୍ଜ ରହିଛି। ଜୀବନ ଓ ଜୀବିକା ପାଇଁ ବହୁ ଲୋକସମୁଦ୍ର ଉପରେ ନିର୍ଭରଶୀଳ। ତଟୀୟ ଇଲାକାରେ ବାସ କରୁଥିବା ଏକ ବିପୁଳ ଜନସଂଖ୍ୟା ସମେତ ଭାରତ ମଧ୍ୟ ପରିବେଶ ଦୃଷ୍ଟିକୋଣରୁ ବିଶ୍ୱ ସ୍ତରରେ ଏକ ଅତ୍ୟନ୍ତ ଅସୁରକ୍ଷିତ ଦେଶ। କେବଳ ଏକ ଉଦାହରଣ ଦେବାକୁ ଯାଇ କୁହା ଯାଇପାରେ ଯେ ୧୯୯୫ – ୨୦୨୦ ମଧ୍ୟରେ ଭାରତ ୧୦୫୮ଟି ଜଳବାୟୁ ବିପର୍ଯ୍ୟୟର ସାମ୍ନା କରିଛି। ମୁଣ୍ଡପିଛା ନିର୍ଗମନକୁ ବିଚାରକୁ ନେଇ ତୁଳନା ପାଇଁ ଭାରତର ନିର୍ଗମନ ଆଜି ମଧ୍ୟ ବିଶ୍ୱର ହାରାହାରି ଏକ ତୃତୀୟାଂଶ ଅଟେ। ଯଦି ସମଗ୍ର ବିଶ୍ୱ ଭାରତ ପରି ମୁଣ୍ଡପିଛା ସ୍ତରରେ ନିର୍ଗମନ କରେ ତା’ହେଲେ ଉପଲବ୍ଧ ସର୍ବୋତ୍ତମ ବିଜ୍ଞାନ ଏହା ସୂଚିତ କରିଥାଏ ଯେ  କୌଣସି ଜଳବାୟୁ ସଙ୍କଟ ହେବ ନାହିଁ।

ମୁଁ ନିଶ୍ଚିତ ଯେ, ଆଜିର ବୈଠକ ଆଇଆରଆଇଏସ୍ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବାର ଦୀର୍ଘମିଆଦୀ ଦୃଷ୍ଟିକୋଣ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ଏଠାରେ ସ୍ଥିର ହୋଇଥିବା ଦୃଷ୍ଟିକୋଣ ଏସ୍‌ଆଇଡିଏସ୍ ପାଇଁ ଉତ୍ସ ଏବଂ କ୍ଷମତାକୁ ଏକତ୍ର କରି ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଆହ୍ୱାନର ସମାଧାନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିବ ।

ଭାଇ ଓ ଭଉଣୀମାନେ

ଆଇଆରଆଇଏସ୍ ମାଧ୍ୟମରେ ଭାରତ ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଏକ ପରିବାର – ଦର୍ଶନକୁ କାର୍ଯ୍ୟକାରୀ କରୁଛି । ସମସ୍ତଙ୍କ ପାଇଁ ଏକ ଉନ୍ନତ ତଥା ନିରାପଦ ଗ୍ରହ ସୃଷ୍ଟି କରିବା ନିମନ୍ତେ ସହଭାଗୀ ମାନଙ୍କ ସହ ଜଳବାୟୁ ପରିବର୍ତ୍ତନ ରୂପକ ସମସ୍ୟାର ସମାଧାନ କରିବାକୁ ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ।

ପରିଶେଷରେ, ଆଇଆର୍‌ଆଇଏସ୍‌ର ମୂଳ କଥାକୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟକ୍ତ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମୁଁ ନିଜର ବକ୍ତବ୍ୟ ଶେଷ କରିବାକୁ ଚାହେଁ ।

ସେ ଯାହା କହିଛନ୍ତି, ମୁଁ ସେଥିରୁ କିଛି କହୁଛି –

“ସିଡିଆର୍‌ଆଇ କିମ୍ବା ଆଇଆର୍‌ଆଇଏସ୍ କେବଳ ଭିତ୍ତିଭୂମି ଢାଞ୍ଚାର ବିଷୟ ନୁହେଁ, ଏହା ମାନବ କଲ୍ୟାଣର ସବୁଠାରୁ ସମ୍ବେଦନଶୀଳ ଦାୟିତ୍ୱର ଏକ ଅଂଶ ଅଟେ । ଏହା ମାନବ ଜାତି ପ୍ରତି ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ଅଟେ । ଏହା, ଏକ ପ୍ରକାର ଦେଖିବାକୁ ଗଲେ, ଆମର ପାପ ପାଇଁ ଏକ ସାଧାରଣ ପ୍ରାୟଶ୍ଚିତ ଅଟେ ।’

ସିଡିଆର୍‌ଆଇ ଏବଂ ଆଇଆର୍‌ଆଇଏସ୍ ବିଷୟରେ

ନ୍ୟୁୟର୍କରେ ସେପ୍ଟେମ୍ବର ୨୦୧୯ ରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି (ସିଡିଆର୍‌ଆଇ) ନିମନ୍ତେ ମେଣ୍ଟ ଆରମ୍ଭ କରା ଯାଇଥିଲା । ସ୍ଥାୟୀ ବିକାଶକୁ ସମର୍ଥନ କରି ଜଳବାୟୁ ଏବଂ ବିପର୍ଯ୍ୟୟ ବିପଦକୁ ନୂତନ ତଥା ବିଦ୍ୟମାନ ଭିତ୍ତିଭୂମି ପ୍ରଣାଳୀର ସହନଶୀଳତାକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ରହିଛି । ମୌଳିକ ସେବା ଗୁଡିକରେ ସର୍ବଭାରତୀୟ ପ୍ରବେଶକୁ ବ୍ୟାପକ କରିବା, ସମୃଦ୍ଧି ଏବଂ ସଠିକ୍ କାର୍ଯ୍ୟକୁ ସକ୍ଷମ କରିବା ପାଇଁ ସ୍ଥାୟୀ ବିକାଶ ଲକ୍ଷ୍ୟ ଗୁଡିକର ଆବଶ୍ୟକତା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବାକୁ ସିଡିଆର୍‌ଆଇ ନମନୀୟ ଭିତ୍ତିଭୂମିର ଦ୍ରୁତ ବିକାଶକୁ ପ୍ରୋତ୍ସାହିତ କରେ ।

ଭାରତ ସରକାର ଏହାର ଡିଜାଇନ୍ ପର୍ଯ୍ୟାୟ ପରେ ଆଇଆର୍‌ଆଇଏସ୍‌ର ସୃଷ୍ଟି ଏବଂ କାର୍ଯ୍ୟକାରିତା କ୍ଷେତ୍ରରେ ମେଣ୍ଟକୁ ସମର୍ଥନ କରିଛନ୍ତି ।

ଆଇଆର୍‌ଆଇଏସ୍ ମାଧ୍ୟମରେ, ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ସାରା ବିଶ୍ୱରେ ଏସ୍‌ଆଇଡିଏସ୍‌କୁ ବିପର୍ଯ୍ୟୟ ଏବଂ ଜଳବାୟୁ ବିପଦକୁ ସମାଧାନ କରିବାରେ ନିଜର ନୂତନ ତଥା ବିଦ୍ୟମାନ ଭିତ୍ତିଭୂମିକୁ ସ୍ଥାୟୀ କରିବାରେ ସହାୟତା ପ୍ରଦାନ କରିବେ ।

ଆଇଆର୍‌ଆଇଏସ୍ ବିଷୟରେ ଅଧିକ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ବାଲିଯାତ୍ରାରେ ସିବିସି ପକ୍ଷରୁ ସ୍ବତନ୍ତ୍ର ପ୍ରଦର୍ଶନୀ

କଟକ: କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର‌ ବ୍ୟବସ୍ଥା କରାଯାଇଛି। ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ବିଷୟବସ୍ତୁକୁ ନେଇ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ପ୍ରଦର୍ଶନୀରେ ସାଧାରଣ ଦର୍ଶକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରଦର୍ଶନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରାଯାଉଛି।

ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ଥାନ ଦିଆଯାଇଛି। ସିବିସି ଷ୍ଟଲରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଦେଖିବାକୁ ସନ୍ଧ୍ୟାରେ ବହୁସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି। ଦର୍ଶକମାନେ ଆଗ୍ରହର ସହିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୫ରୁ ଅଧିକ ବ୍ୟକ୍ତି ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାର ପାଇସାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗାନ ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦର୍ଶନରୁ ପ୍ରେରଣା ନେଇ ଭାରତ ସରକାର ଦେଶରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ମୁଖ୍ୟ ସ୍ରୋତରେ ବ୍ୟବହାର କରିବା ପାଇଁ ଅନେକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ ବୈଦ୍ୟୁତିକ କାରଗୁଡିକର ଚାହିଦାକୁ ଆହୁରି ବୃଦ୍ଧି ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୩ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗ ଦ୍ୱାରା ଖରିଦ ହେଉଥିବା କିମ୍ବା ଭଡାରେ ଆସୁଥିବା କାର ମଧ୍ୟରୁ ଅତିକମରେ ଏକ ତୃତୀୟାଂଶ ବୈଦ୍ୟୁତିକ କାର ହେବ। ସେହି ଲକ୍ଷ୍ୟ ଅନୁଯାୟୀ ଆଜି ୧୪ ଟି କାର ବଦଳାଇଥିବାରୁ ସେ ପତ୍ର ସୂଚନା କାର୍ଯ୍ୟାଳୟକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ପୁରୀରେ ଏଏସଆଇର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଟ୍ୱିଟ୍ କରି କହିଛନ୍ତି ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଓଡ଼ିଶା। ଆମର ସମୃଦ୍ଧ ପରମ୍ପରା, ଐତିହ୍ୟ ଓ ଗୌରବମୟ ସଭ୍ୟତାକୁ ପୁର୍ନସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ଦିଗରେ ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିଷ୍ପତି ଏକ ବଡ଼ ପଦକ୍ଷେପ। ରାଷ୍ଟ୍ରପତି ହେବା ପରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଏହି ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି ଭାରତ ସରକାର। ଏହାଦ୍ବାରା ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥ ପଇଠ ଏବଂ ରପ୍ତାନି/ଆମଦାନୀ କାରବାର କରାଯାଇପାରିବ। ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ପୂର୍ବରୁ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି)ପକ୍ଷରୁ ଅନୁଚ୍ଛେଦ ସଂଖ୍ୟା ୨.୫୨ (ଡି) ବୈଧ ବିଜ୍ଞପ୍ତି ସଂଖ୍ୟା ୩୩/୨୦୧୫-୨୦ ଜରିଆରେ ସେପ୍ଟେମ୍ବର ୧୬, ୨୦୨୨ରେ ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥପଇଠ ଏବଂ ରପ୍ତାନି ଓ ଆମଦାନୀ କାରବାରକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ୧୧ ଜୁଲାଇ ୨୦୨୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ.ପି. (ଡିଆଇଆର ସିରିଜ) ବିଜ୍ଞପ୍ତି ସଂଖ୍ୟା ୧୦ ଜରିଆରେ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁର କରିଥିଲା ଏବଂ ଡିଜିଏଫଟି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲା।

ଉପରୋକ୍ତ ବିଜ୍ଞପ୍ତିକୁ ଆଗକୁ ବଢ଼ାଇ, ବୈଦେଶିକ ବାଣିଜ୍ୟ ନୀତିର ଅନୁଚ୍ଛେଦ ୨.୫୩ରେ ଆବଶ୍ୟକ ପରିବର୍ତ୍ତନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ,  ଭାରତୀୟ ମୁଦ୍ରାରେ ରପ୍ତାନି ପ୍ରାପ୍ତି ପାଇଁ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ରପ୍ତାନି ଲାଭ/ଆର୍ଥିକ ପ୍ରୋତ୍ସାହନ/ରପ୍ତାନି ଉତ୍ତରଦାୟିତ୍ବ ପୂରଣକୁ ଅନୁମତି ଦେବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଭାରତୀୟ ମୁଦ୍ରାରେ ରପ୍ତାନି ଅସୁଲି ପାଇଁ ସଂଶୋଧିତ ବ୍ୟବସ୍ଥା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ରପ୍ତାନି ପାଇଁ ଆମଦାନୀ (ଏଫଟିପିର ଅନୁଚ୍ଛେଦ ୨.୪୬), ଷ୍ଟାଟସ ହୋଲ୍ଡର ବା ସ୍ଥିତିଧାରକ ଭାବେ ମାନ୍ୟତା ପାଇଁ ରପ୍ତାନି ପ୍ରଦର୍ଶନ (ଏଫଟିପିର ଅନୁଚ୍ଛେଦ ୩.୨୦), ଅଗ୍ରୀମ ପ୍ରାଧିକରଣ (ଏଏ) ଏବଂ ଶୁଳ୍କ ମୁକ୍ତ ଆମଦାନୀ ପ୍ରାଧିକରଣ (ଡିଏଫଆଇଏ) ଯୋଜନା ଅଧୀନରେ ରପ୍ତାନି କାରବାର ପ୍ରାପ୍ତି ପାଇଁ (ଏଫଟିପିର ଅନୁଚ୍ଛେଦ ୪.୨୧) ଏବଂ ରପ୍ତାନି ପ୍ରୋତ୍ସାହନ ପୁଞ୍ଜିଗତ ବସ୍ତୁ (ଇପିସିଜି) ଯୋଜନା (ଏଚବିପିର ଅନୁଚ୍ଛେଦ ୫.୧୧) ଅଧୀନରେ ରପ୍ତାନି କାରବାରର ପ୍ରାପ୍ତି ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ, ଲାଭ/ରିହାତି/ରପ୍ତାନି ବାଧ୍ୟତା ପୂରଣକୁ ୧୧ ଜୁଲାଇ ୨୦୨୨ରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ଭାରତୀୟ ଟଙ୍କାର ପ୍ରାପ୍ତି ନିମନ୍ତେ ସମ୍ପ୍ରସାରଣ କରାଯାଇଛି। ଭାରତୀୟ ମୁଦ୍ରାର ଅନ୍ତର୍ଜାତୀୟକରଣରେ ଆଗ୍ରହକୁ ଦୃଷ୍ଟିରେ ରଖି, ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ସୁଗମ କରିବା ତଥା ସେଥିରେ ସରଳତା ଆଣିବା ଲାଗି ନୀତିଗତ ସଂଶୋଧନ ଆରମ୍ଭ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ସପ୍ତାହ ବ୍ୟାପୀ ଡିଏସ୍‌ଟି ସ୍ତୁତି କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭାରତ ସରକାରଙ୍କ ଆନୁକୂଲ୍ୟରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଶ୍ଳେଷଣକୁ ନେଇ ପ୍ରଶିକ୍ଷଣ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ରେ ସୋମବାର ଏକ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ ହୋଇଛି।

ବିଜ୍ଞାନ ଏବଂ ପ୍ରଯୁକ୍ତି (ଡିଏସ୍‌ଟି) ବିଭାଗ ପ୍ରାୟୋଜିତ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜି, ମୁମ୍ବାଇ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ୧୯ଟି ରାଜ୍ୟରୁ ୨୨ଟି ବିଭିନ୍ନ ବିଶ୍ୱବିଦ୍ୟାଳୟର ୩୧ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। କର୍ମଶାଳାର ନାମ ରଖାଯାଇଛି “ ସିନର୍ଜିଷ୍ଟିକ୍ ଟ୍ରେନିଂ ପ୍ରୋଗ୍ରାମ ୟୁଟିଲାଇଜିଙ୍ଗ୍ ଦ ସାଇନ୍‌ଟିଫିକ୍ ଆଣ୍ଡ ଟେକ୍ନୋଲଜିକାଲ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ସ୍ତୁତି)”।

କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇସିଟି, ଭୁବନେଶ୍ୱର କ୍ୟାମ୍ପସ୍‌ର ନିର୍ଦ୍ଦେଶକ ପ୍ରଫେସର ପି.ଆର୍‌. ଭାଭିୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଏସ୍‌ଟି ସ୍ତୁତି ଆଇସିଟିର ପ୍ରୋଗ୍ରାମ ମ୍ୟାନେଜର ଜୟଦେବ ଭଟ୍ଟ ମଧ୍ୟ ଯୋଗ ଦେଇଥିଲେ।

ଶ୍ରୀ ଭାଭିୟା କହିଥିଲେ ଯେ ବିଶ୍ଳେଷଣ କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ଦୃଷ୍ଟିରୁ ପ୍ରଶିକ୍ଷାର୍ଥୀମାନେ ଉପଲବ୍ଧ ସରଞ୍ଜାମକୁ ଉତମ ଭାବେ ବିନିଯୋଗ କରି ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ପରୀକ୍ଷଣକୁ ନ ଦୋହରାଇ ନୂତନତ୍ୱର ସନ୍ଧାନ କରନ୍ତୁ। ଏଥି ନିମନ୍ତେ ଏହି ସପ୍ତାହବ୍ୟାପୀ ତାଲିମ କାର୍ଯ୍ୟକ୍ରମ ଅତ୍ୟନ୍ତ ସହାୟକ ହେବ ବୋଲି ସେ କହିଥିଲେ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାରେ ତାଲିମ ନେଉଥିବା ବ୍ୟକ୍ତି ବିଶେଷଜ୍ଞମାନଙ୍କ ସହିତ ସିଧାସଳଖ କଥା ହେଇପାରିବାର ସୁଯୋଗ ପାଉଥିବାରୁ ଏହାର ଲାଭ ଉଠାଇପାରିବେ।
ଏସ୍‌ପିଏସ୍‌ର ଡିନ୍ ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ସୁଦାମ ଚନ୍ଦ୍ର ସି ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଫେସର ଲକ୍ଷ୍ମୀଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ସପ୍ତାହ ବ୍ୟାପୀ କର୍ମଶାଳାରେ ୯ଟି ବିଭିନ୍ନ ଅନୁଷ୍ଠାନର ୧୪ ଜଣ ବିଶେଷଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିବେ ଓ ସୋଆର୧୪ ଜଣ ମେଂଟର୍ ବୈଷୟିକ କର୍ମଶାଳାରେ ସହାୟତା କରିବେ। ଏହି କର୍ମଶାଳା ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସେଂଟର ଅଫ୍ ବାୟୋଟେକ୍ନୋଲଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଗବେଷଣା କେନ୍ଦ୍ର ଗୁଡ଼ିକରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଉଦ୍ୟାନକୃଷି ଫସଲର କ୍ଷେତ୍ର ଓ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ନିମ୍ନରେ ଦିଆଗଲା-

ମୋଟ୍ଉଦ୍ୟାନ କୃଷି

 

୨୦୨୦-୨୧ (ଅନ୍ତିମ) ୨୦୨୧-୨୨

(ଦ୍ୱିତୀୟ ଅଗ୍ରୀମ ଆକଳନ)

୨୦୨୧୨୨

 (ତୃତୀୟ ଅଗ୍ରୀମ ଆକଳନ)

 

କ୍ଷେତ୍ର (ନିୟୁତ ହେକ୍ଟରରେ) 27.48 27.74 28.08

 

ଉତ୍ପାଦନ (ନିୟୁତ ଟନରେ) 334.6 341.63 342.33

 

 

୨୦୨୧୨୨ ବର୍ଷ  (ତୃତୀୟ ଅଗ୍ରୀମ ଆକଳନ)

୨୦୨୧-୨୨ ବର୍ଷରେ ମୋଟ୍‌ ୩୪୨.୩୩ ନିୟୁତ ଟନ ମୋଟ୍‌ ଉଦ୍ୟାନ କୃଷି ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି, ଏହା ୨୦୨୦-୨୧ (ଅନ୍ତିମ) ବର୍ଷ ତୁଳନାରେ ୭.୭୩ ନିୟୁତ ଟନ (୨.୩% ବୃଦ୍ଧି) ଅଧିକ।

ସେହିପରି ପୂର୍ବ ବର୍ଷ ୧୦୨.୪୮ ନିୟୁତ ଟନ୍‌ ଫଳ ଉତ୍ପାଦନ ତୁଳନାରେ ଚଳିତ ବର୍ଷ ଏହା ୧୦୭.୨୪ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି।

ପନିପରିବା ଉତ୍ପାଦନ ପୂର୍ବବର୍ଷ ୨୦୦.୪୫ ନିୟୁତ ଟନ ଥିବା ବେଳେ ଚଳିତ ବର୍ଷ ୨୦୪.୮୪ ନିୟୁତ ଟନ୍‌ ରହିବା ନେଇ ଆକଳନ କରାଯାଇଛି।

ଗତ ବର୍ଷ ପିଆଜ ଉତ୍ପାଦନ ୨୬.୬୪ ନିୟୁତ ଟନ୍‌ ଥିଲା ଯାହାକି ଏଥର ୩୧.୨୭ ନିୟୁତ ଟନ୍‌ ରହିବା ନେଇ ଆକଳନ କରାଯାଇଛି।

ଆଳୁ ଉତ୍ପାଦନ ୫୩.୩୯ ନିୟୁତ ଟନ ଥିଲା ଏହା ଏବେ ୫୬.୧୭ ନିୟୁତ ଟନ୍‌ ହେବା ନେଇ ଆକଳନ କରାଯାଇଛି।

ବିଲାତି ବାଇଗଣ ଉତ୍ପାଦନ ପୂର୍ବ ବର୍ଷର ୨୦.୩୩ ନିୟୁତ ଟନ୍‌ ତୁଳନାରେ ଚଳିତ ବର୍ଷ ୨୧.୧୮ ନିୟୁତ ଟନ୍‌ ରହିବା ନେଇ ଆକଳନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ସ୍ଥିର ହେଲା ଡାଲି ଓ ପିଆଜ ଦର

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କାରଣରୁ ଦେଶରେ ପିଆଜ ଓ ଡାଲି ଦର ସ୍ଥିର ରହିଛି। କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ ଦୃଷ୍ଟି ରଖି ଆସିଛନ୍ତି। ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂ ଏହା କହିଛନ୍ତି।

ବଫର ଷ୍ଟକ୍‌ ପରିମାଣକୁ ଆହୁରି ବଢ଼ାଇବା ଲାଗି କେନ୍ଦ୍ର ସରକାର ଆମଦାନୀ କରାଯାଇଥିବା ୧.୦୦ ଲକ୍ଷ ଟନ ହରଡ଼ ଏବଂ ୫୦,୦୦୦ ଟନ ବିରି ସଂଗ୍ରହ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପିଏସଏଫ ଏବଂ ପିଏସଏସ ଅଧୀନରେ କେନ୍ଦ୍ର ସରକାରଙ୍କ ପାଖରେ ୪୩.୮୨ ଲକ୍ଷ ଟନ୍‌ ବିଭିନ୍ନ ଡାଲିର ଷ୍ଟକ୍‌ ଉପଲବ୍ଧ ରହିଛି। ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିତରଣ ଲାଗି କେନ୍ଦ୍ର ସରକାର ଉପଲବ୍ଧ ଷ୍ଟକରୁ କିଲୋପ୍ରତି ୮ ଟଙ୍କାର ରିହାତି ଦରରେ ଚଣା ରାଜ୍ୟମାନଙ୍କୁ ଆବଣ୍ଟନ କରିଛନ୍ତି।

ସୁଗମ ଏବଂ ବାଧାମୁକ୍ତ ଆମଦାନୀ ଜରିଆରେ ଦେଶରେ ଡାଲି ଉପଲବ୍ଧତା ବଢ଼ାଇବା ଲାଗି କେନ୍ଦ୍ର ସରକାର ହରଡ଼ ଓ ବିରିର ଆମଦାନୀକୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମୁକ୍ତ ବର୍ଗରେ ରଖିଛନ୍ତି। ଅନ୍ୟପଟେ ୧୩ ଫେବୃଆରୀ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଶୂନ୍ୟ କୃଷି ଭିତ୍ତିଭୂମି ଓ ବିକାଶ ସେସକୁ ମଧ୍ୟ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବି ଋତୁ ୨୦୨୨ ଅମଳ ଅବଧି ସମୟରେ କେନ୍ଦ୍ର ସରକାର ୨.୫୦ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିବା ଲାଗି ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ର ଧାରା ୩(୨)(ଏଚ) ଏବଂ ୩(୨)(ଆଇ) ଅଧୀନରେ ଅଂଶୀଦାରମାନଙ୍କ ଦ୍ବାରା ଗଚ୍ଛିତ ହରଡ଼ର ଷ୍ଟକ୍‌ ସମ୍ପର୍କରେ ସୂଚନା ଦେବା ଏବଂ ଷ୍ଟକର ଅନୁଧ୍ୟାନ ଓ ଯାଞ୍ଚ କରିବା ଲାଗି କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ୧୨ ଅଗଷ୍ଟ ୨୦୨୨ରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ।

ପିଆଜର ଖୁଚୁରା ଦରକୁ ସ୍ଥିର ରଖିବା ଲାଗି ୨୦୨୨ ରବି ଋତୁରେ କେନ୍ଦ୍ର ସରକାର ୨.୫୦ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିବା ଲାଗି ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି । ଜାତୀୟ ପିଆଜ ବଫର ଷ୍ଟକରୁ ଏବେ ସୁଦ୍ଧା ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ୫୪ ହଜାର ଟନ ପିଆଜ ଯୋଗାଇ ଦିଆଯାଇଛି। ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ ପିଆଜର ଖୁଚୁରା ଦରକୁ ସ୍ଥିର ରଖିବା ଲାଗି କେନ୍ଦ୍ରୀୟ ବଫର ଷ୍ଟକରୁ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କାରେ ପିଆଜ ଉଠାଇବା ଲାଗି ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ, ସଫଳ, ଏନସିସିଏଫ, ମଦର ଡାଏରୀ ଓ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରସ୍ତାବ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନିରନ୍ତର ଅନୁଧ୍ୟାନ ଏବଂ ନୀତିଗତ ନିଷ୍ପତ୍ତି କାରଣରୁ ପ୍ରମୁଖ ଡାଲିଗୁଡ଼ିକର ସର୍ବଭାରତୀୟ ଖୁଚୁରା ମୂଲ୍ୟ ଚଳିତ ବର୍ଷ ଆରମ୍ଭରୁ ସ୍ଥିର ରହିଛି। ତେବେ ସ୍ବାଭାବିକ ଋତୁଗତ ଦରବୃଦ୍ଧି ଦେଖିବାକୁ ମିଳିଛି। ଗତ ମାସରେ ଚଣା ଡାଲି ଓ ମସୁର ଡାଲିର ସର୍ବଭାରତୀୟ ହାରାହାରୀ ଦର ସାମାନ୍ୟ ହ୍ରାସ ପାଇଛି। ହରଡ଼, ବିରି ଓ ମୁଗ ଡାଲିର ସର୍ବଭାରତୀୟ ହାରାହାରୀ ଦର ସମାନ ଅବଧିରେ କେବଳ ଋତୁଗତ ଦରବୃଦ୍ଧିକୁ ଛାଡ଼ି ପ୍ରାୟତଃ ସ୍ଥିର ରହିଛି। ଅନ୍ୟପଟେ ଗତ ବର୍ଷ ତୁଳନାରେ ପିଆଜର ହାରାହାରୀ ଖୁଚୁର ଦର ୨୮% ହ୍ରାସ ପାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ଗଠିତ ଆନ୍ତଃ ମନ୍ତ୍ରଣାଳୟ ସମିତି ଏବଂ ସଚିବମାନଙ୍କର ସମିତି ନିୟମିତ ଦର ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ଏବଂ ନୀତିଗତ ହସ୍ତକ୍ଷେପ ପାଇଁ ସୁପାରିସ କରୁଛନ୍ତି। ଏହାଛଡ଼ା ସରକାର ଏକ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଗଠନ କରିଛନ୍ତି। ଡାଲି, ପିଆଜ ଓ ଆଳୁର ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ସହିତ ଉପଭୋକ୍ତାଙ୍କ ହିତ ରକ୍ଷା ପାଇଁ ସିଧାସଳଖ କୃଷି ଭଣ୍ଡାର/ମଣ୍ଡିରୁ କୃଷି ଉତ୍ପାଦ କ୍ରୟକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ବେଆଇନ ଭାବେ ଖାଦ୍ୟ ସାମଗ୍ରୀ ଗଚ୍ଛିତ କରି ରଖୁତିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଭାରତ ସରକାରଙ୍କ ଉପଭୋକ୍ତ ବ୍ୟାପାର ବିଭାଗ, ଶସ୍ୟ, ଡାଲି, ଖାଇବା ତେଲ, ପନିପରିବା ଆଦି ୨୨ଟି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଉପରେ ଦୃଷ୍ଟି ରଖିଛନ୍ତି। ୧୭ ଅକ୍ଟୋବର ୨୦୨୨ରେ ଅନୁଷ୍ଠିତ ପିଏମ-କିଷାନ ସମ୍ମାନ ସମ୍ମେଳନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଡାଲି ଉତ୍ପାଦନ ୭୦% ବୃଦ୍ଧି ପାଇବାକୁ ନେଇ ଖୁସି ବ୍ୟକ୍ତ କରିବା ସହିତ ଏଥିପାଇଁ ଚାଷୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିପୂର୍ବରୁ ୨୦୧୫ରେ ପ୍ରଧାନମନ୍ତ୍ରୀ ଡାଲି ଉତ୍ପାଦନ ବଢ଼ାଇବା ଲାଗି ଚାଷୀମାନଙ୍କୁ ଆହ୍ବାନ କରିଥିଲେ। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କୃଷି କ୍ଷେତ୍ରକୁ ଆକର୍ଷଣୀୟ କରିବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ଚାଷୀ ଓ ଷ୍ଟାର୍ଟଅପମାନଙ୍କୁ ଆହ୍ବାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କଟକ ଏନଆରଆରଆଇ ଠାରେ ଆଇସିଏଆର ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ ଆଇସିଏଆର-ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଭର୍ଚୁଆଲ ମାଧ୍ୟମରେ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ କହିଥିଲେ ଯେ, କୃଷି କ୍ଷେତ୍ରରେ ଆମର ଗବେଷଣା ଓ ବିକାଶ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି ଏବଂ ଏହାର ଫଳାଫଳକୁ ତୃଣମୂଳସ୍ତରରେ କୃଷକଙ୍କ ନିକଟରେ ପହଞ୍ଚାଇବା ଜରୁରି। ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ହେଲେ, ଋଣ ବୋଝ କମାଇବାର ଆବଶ୍ୟକତା ରହିଛି। ଏଥିସହିତ ସେମାନଙ୍କୁ ବିହନ, ବଜାର ସୁବିଧା ଯୋଗାଇ ଦେବା ସହ ପଣ୍ୟାଗାର ବ୍ୟବସ୍ଥା କରିବା ମଧ୍ୟ ଜରୁରି। କେନ୍ଦ୍ର ସରକାର ସବୁବେଳେ ସହାୟତା ଦେବା ଲାଗି ପ୍ରସ୍ତୁତ ଅଛନ୍ତି, ତେବେ ରାଜ୍ୟ ସରକାର କ୍ଷେତ୍ରୀୟ ସ୍ତରରେ ସକ୍ରିୟ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ପ୍ରାକୃତିକ କୃଷି ଉପରେ ଗୁରୁତ୍ବାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ରାସାୟନିକ, ସାର ଆଧାରିତ କୃଷି ଠାରୁ ଦୂରେଇ ଯିବା ବର୍ତ୍ତମାନ ସମୟର ଆବଶ୍ୟକତା। ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ସୁବିଧା ଯୋଗାଇ ଦେବା ଆବଶ୍ୟକ। ଏଥିପାଇଁ କେବଳ ଗବେଷଣା ଯଥେଷ୍ଟ ନୁହେଁ, ଗବେଷଣାରୁ ମିଳୁଥିବା ଅନ୍ତିମ ଉତ୍ପାଦକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଜରୁରି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ହେଲେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି। ଏହି ବୈଠକରେ ଅଂଶଗ୍ରହଣ କରିଥିବା ଅଂଶୀଦାରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ବୈଠକର ଫଳାଫଳ କୃଷି କ୍ଷେତ୍ରର ବିକାଶ ଦିଗରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ ବୋଲି ସେ ଆଶା କରିଥିଲେ।

ସେ ଜୋର ଦେଇ କହିଥିଲେ ଯେ, ପ୍ରଗତି ଅନୁଧ୍ୟାନ କରିବା ଲାଗି ଏଭଳି ସମୀକ୍ଷା ଜରୁରି, କିନ୍ତୁ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଭଳି ରାଜ୍ୟମାନେ ଅଧିକ ମାତ୍ରାରେ ପ୍ରତିକୂଳ ପାଣିପାଗ ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି। ତେଣୁ, ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ ସ୍ମାର୍ଟ ପ୍ରଯୁକ୍ତି ବିକଶିତ କରାଯିବାର ଆବଶ୍ୟକତା ରହିଛି । ସେ ବିଶେଷ ଜୋର ଦେଇ କହିଥିଲେ ଯେ କୃଷି କାର୍ଯ୍ୟକଳାପକୁ ଏକ ବାଣିଜ୍ୟିକ ଉଦ୍ୟୋଗ ଭାବେ ଗ୍ରହଣ କରାନଯିବା ପର୍ଯ୍ୟନ୍ତ, ଏହାର ସମ୍ପୂର୍ଣ୍ଣ ସମ୍ଭାବ୍ୟ ଲାଭ ଏବଂ ଲାଭଜନକ ପ୍ରତିଫଳ ମିଳିପାରିବ ନାହିଁ।

କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଆଇସିଏଆର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, କୋଭିଡ – ୧୯ ମହାମାରୀ ସତ୍ତ୍ବେ ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ରପ୍ତାନି ପୂର୍ବ ବର୍ଷ ତୁଳନାରେ ୧୩% ବୃଦ୍ଧି ପାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣର ସ୍ତର ଏବଂ ମୂଲ୍ୟ ସମ୍ବର୍ଦ୍ଧନ କମ ରହିବା କାରଣରୁ ବିଶ୍ବ ଖାଦ୍ୟ ସାମଗ୍ରୀ ରପ୍ତାନିରେ ଭାରତର ଯୋଗଦାନ ମାତ୍ର ୩% ରହିଛି। ଆହୁରି ପ୍ରକ୍ରିୟାକରଣର ସେତେଟା ସୁବିଧା ନଥିବା କାରଣରୁ ଭାରତର ଖାଦ୍ୟ ରପ୍ତାନି ପରିସର ମଧ୍ୟରେ କେବଳ ଧାନ, ଗହମ, ଚିନି, ମାଛ ଆଦି ପ୍ରମୁଖ ଉତ୍ପାଦ ସାମିଲ ରହିଛି। ମାଟିର ଖରାପ ଗୁଣବତ୍ତା, ଖରାପ ସାର ଉପଯୋଗ, ରୋଗ ପୋକ ସଂଗ୍ରମଣ ଏବଂ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳତା କାରଣରୁ ଏହି ଅଞ୍ଚଳରେ ଫସଲ ଉତ୍ପାଦନ କମ୍‌ ରହିଥିବା ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମରେ ଆଇସିଏଆର ଅତିରିକ୍ତ ମହାନିର୍ଦ୍ଦେଶକ (ସିସିଏବଂଏଫଏଫସି) ଅତିଥିମାନଙ୍କୁ ସ୍ବାଗତ କରିଥିଲେ। କଟକ ଆଇସିଏଆର-ଏନଆରଆରଆଇର ନିର୍ଦ୍ଦେଶକ ଏବଂ ଆରସିଏମ-୨ର ସଦସ୍ୟ ସଚିବ ଧନ୍ୟବାଦ ଦେଇଥିଲେ। ଉଦଘାଟନୀ ଅଧିବେଶନ ଶେଷ ହେବା ପରେ ବୈଷୟିକ ଅଧିବେଶନରେ ରାଜ୍ୟୱାରୀ ସମସ୍ୟା ଏବଂ ଗବେଷଣା ଆବଶ୍ୟକତା/ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବ ବୈଠକରେ ଆଲୋଚନା ପାଇଁ ଉପସ୍ଥାପନ ହୋଇଥିବା ପ୍ରସଙ୍ଗଗୁଡ଼ିକ ଉପରେ କାର୍ଯ୍ୟ ପ୍ରଗତି ରିପୋର୍ଟ (ଏଟିଆର) ଚୂଡ଼ାନ୍ତ କରାଯାଇଥିଲା। ଏହି କ୍ଷେତ୍ରରେ ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦ, ମତ୍ସ୍ୟଚାଷ, ପ୍ରାକୃତିକ ସମ୍ବଳ ପରିଚାଳନା ଓ ମାନବ ସମ୍ବଳ ବିକାଶ ସମେତ କୃଷି ବିକାଶ ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ରାଜ୍ୟ ସହ ଜଡ଼ିତ ନିର୍ଦ୍ଦିଷ୍ଟ ସମସ୍ୟାକୁ ଚିହ୍ନଟ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୃକ୍ତ ରାଜ୍ୟର ଜାତୀୟ କୃଷି ଗବେଷଣା ପ୍ରଣାଳୀ (ଏନଏସଆରଏସ)ର ସଫଳତା ଓ ଉପଲବ୍ଧି ଜରିଆରେ ଅନୁକୂଳ ସମାଧାନ ଯୋଗାଇ ଦେବା ଦିଗରେ ଏହି ବୈଠକ ସହାୟକ ହୋଇପାରିବ।

ସୂଚନାଯୋଗ୍ୟ ଯେ, କୃଷି-ଜଳବାୟୁ କ୍ଷେତ୍ର ଆଧାରରେ ଆଇସିଏଆର ପକ୍ଷରୁ ଆଠଟି ଆଞ୍ଚଳିକ କମିଟି ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କ୍ଷେତ୍ରରେ ଜାରି ରହିଥିବା ଗବେଷଣା ଓ ପ୍ରଶିକ୍ଷଣ ପଦକ୍ଷେପରେ ରହିଥିବା ବଡ଼ ଶୂନ୍ୟସ୍ଥାନକୁ ଅନୁଧ୍ୟାନ କରିବା, ପ୍ରାଥମିକତାଗୁଡ଼ିକୁ ଚିହ୍ନଟ କରିବା ଏବଂ ଆସନ୍ତା ଦୁଇ ବର୍ଷ ପାଇଁ ଦେଶର ବିଭିନ୍ନ କୃଷି-ପାଣିପାଗ କ୍ଷେତ୍ରରେ ଗବେଷଣା ଓ ସମ୍ପ୍ରସାରିତ ଶିକ୍ଷା ପରିସରର ଏଜେଣ୍ଡା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଗବେଷକ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାକୁ ଆଞ୍ଚଳିକ କମିଟି ଏକ ମଞ୍ଚ ଯୋଗାଇ ଦେଇଥାଏ। ପ୍ରତି ଦୁଇ ବର୍ଷରେ ଥରେ ଆଞ୍ଚଳିକ କମିଟିର ନିୟମିତ ବୈଠକ ଆୟୋଜନ କରାଯାଇଥାଏ। ଏଥିରେ କୃଷି ପ୍ରଯୁକ୍ତି ଆକଳନ, ପରିଶୋଧନ ଏବଂ ହସ୍ତାନ୍ତର କ୍ଷେତ୍ରରେ ଜାତୀୟ ପ୍ରାସଙ୍ଗିକତା ଆଧାରିତ ଗବେଷଣା ଏଜେଣ୍ଡା ଉପରେ ଆଲୋଚନା କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର

ଏନସିଏସ୍ ପୋର୍ଟାଲ ଖାଲି ପଦବୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି

ନୂଆ ଦିଲ୍ଲୀ: ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏମଓଏଲଇ), ଭାରତ ସରକାରଙ୍କ ଜାତୀୟ କ୍ୟାରିୟର ସେବା (ଏନସିଏସ) ପୋର୍ଟାଲ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜୁଲାଇ 2015 ରେ ଶୁଭାରମ୍ଭ କରାଯାଇଛି। ଏନସିଏସ୍ ହେଉଛି ଏକ ଜବ୍ ପ୍ଲାଟଫର୍ମ ଯାହାକି ଚାକିରୀ ଖୋଜୁଥିବା ପ୍ରାର୍ଥୀମାନଙ୍କୁ ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ  ସହିତ ସଂଯୁକ୍ତ କରାଇ ବିଭିନ୍ନ ପ୍ରକାର ନିଯୁକ୍ତି ସେବା ପ୍ରଦାନ କରିବାରେ ସହାୟତା କରିଥାଏ। କ୍ୟାରିୟର କାଉନସେଲିଂ, ଧନ୍ଦାମୂଳକ ମାର୍ଗଦର୍ଶନ ଏବଂ କ୍ୟାରିୟର ଦକ୍ଷତା ତାଲିମ ମାଧ୍ୟମରେ ଏନସିଏସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ସହାୟତା କରିଥାଏ।

26 ସେପ୍ଟେମ୍ବର 2022 ସୁଦ୍ଧା, ଏନସିଏସ୍ ପୋର୍ଟାଲରେ ସକ୍ରିୟ ଶୂନ୍ୟ ସ୍ଥାନ ଗୁଡିକ 4,82,264 ର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ବିଭିନ୍ନ କ୍ଷେତ୍ରରେ ରହିଛି ଓ ଏହା ଦେଶରେ ନିଯୁକ୍ତି ବୃଦ୍ଧି ପାଇଥିବା ସୁଚାଉଛି। ପୂର୍ବ ସର୍ବକାଳୀନ ସର୍ବାଧିକ ସକ୍ରିୟ ଶୂନ୍ୟ ସ୍ଥାନ ଗୁଡିକ 3,20,917 ଥିଲା ଯାହା ଜୁନ୍, 2019 ରେ ରେକର୍ଡ କରାଯାଇଥିଲା। ସର୍ବାଧିକ ନିଯୁକ୍ତି ପ୍ରଦାନ କରୁଥିବା 5 ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହେଉଛି – ଅର୍ଥ ଏବଂ ବୀମା, ଅପରେସନ୍ସ ଏବଂ ସପୋର୍ଟ, ହୋଟେଲ / ଖାଦ୍ୟ ସେବା ଏବଂ କ୍ୟାଟରିଂ, ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଆଇଟି ଏବଂ ଯୋଗାଯୋଗ। ଏହାର ଆରମ୍ଭରୁ ଏନସିଏସ୍ ପୋର୍ଟାଲ ମାଧ୍ୟମରେ ପରିଚାଳିତ କରାଯାଇଥିବା ଶୂନ୍ୟ ସ୍ଥାନ ସଂଖ୍ୟା 1.09 କୋଟିରୁ ଅଧିକ ରହିଛି।

ଆର୍ଥିକ ବର୍ଷ 2022-23 ମଧ୍ୟ ଏନସିଏସ୍ ପୋର୍ଟାଲରୁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି | ଏପ୍ରିଲ୍ 2021 ରୁ ସେପ୍ଟେମ୍ବର 2021 ମଧ୍ୟରେ ସର୍ଟଲିଷ୍ଟ ପ୍ରାର୍ଥୀମାନଙ୍କ ସଂଖ୍ୟା 1,90,335 ରହିଥିଲା। 1 ଏପ୍ରିଲ 2022 ରୁ 26 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଏହି ସଂଖ୍ୟା 25 ଲକ୍ଷ ଅତିକ୍ରମ କରିସାରିଛି।

ମାନ୍ୟବର ଅର୍ଥମନ୍ତ୍ରୀଙ୍କ ଦ୍ବାରା 2022-23 ବଜେଟ୍ ଘୋଷଣା ସହିତ; ଏନସିଏସ୍ ପୋର୍ଟାଲରେ ବର୍ତ୍ତମାନ ଇଶ୍ରମ ସହିତ ଏପିଆଇ- ଆଧାରିତ ଇଣ୍ଟିଗ୍ରେସନ ରହିଛି ଯାହା ଅଣସଂଗଠିତ ଶ୍ରମିକମାନଙ୍କୁ ଏନସିଏସ୍ ପୋର୍ଟାଲରେ ଚାକିରୀ ଖୋଜୁଥିବା ତଥା ଉଦ୍ୟମ ପଞ୍ଜୀକୃତ ଏମଏସଏମଇ ଗୁଡ଼ିକର ପଞ୍ଜୀକରଣ ପାଇଁ ଉଦ୍ୟମ ପୋର୍ଟାଲରେ ପଞ୍ଜିକରଣ କରିବାକୁ ସହଜ କରିଥାଏ ଯାହା ଦ୍ବାରା ସେମାନଙ୍କ ଶୂନ୍ୟ ସ୍ଥାନକୁ ଏନସିଏସ୍ ପୋର୍ଟାଲରେ ନିଯୁକ୍ତିଦାତା ଭାବରେ ସହଜରେ ପଞ୍ଜୀକୃତ କରିପାରିବେ। ଏନସିଏସ୍ ପୋର୍ଟାଲରେ ଚାକିରୀ ଖୋଜୁଥିବା ଏସଆଇପି ର ସାର୍ଟିଫାଏଡ୍ କୁଶଳୀ ପ୍ରାର୍ଥୀଙ୍କ ପଞ୍ଜୀକରଣ ପାଇଁ ସ୍କିଲ୍ ଇଣ୍ଡିଆ ପୋର୍ଟାଲ୍ (ଏସଆଇପି) ସହିତ ଏନସିଏସ୍ ର ଇଣ୍ଟିଗ୍ରେସନ ରହିଛି। ଏନସିଏସ୍ ଏବଂ ଉଦ୍ୟମ ପୋର୍ଟାଲଗୁଡିକ ମଧ୍ୟରେ ଲିଙ୍କେଜ ମାଧ୍ୟମରେ ଆଜି ପର୍ଯ୍ୟନ୍ତ ଏନସିଏସ୍ ପୋର୍ଟାଲରେ 39,000 ରୁ ଅଧିକ ଏମଏସଏମଇର ପଞ୍ଜୀକରଣ ହୋଇପାରିଛି। ସମୁଦାୟ  ଇଶ୍ରମ ପଞ୍ଜୀକରଣକାରୀ ଯେଉଁମାନେ ଏନସିଏସ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କ ସଂଖ୍ୟା  9.72 ଲକ୍ଷ ରହିଛି। ଏହା ସହିତ, ପିଏମକେଭିୱାଇ (ସ୍କିଲ ଇଣ୍ଡିଆ ପୋର୍ଟାଲ) ର ମୋଟ 41.52 ଲକ୍ଷ ସାର୍ଟିଫିକେଟ୍ ତଥ୍ୟ ଏନସିଏସ୍ ପୋର୍ଟାଲ ସହିତ ସେୟାର ହୋଇଛି।

Categories
ବିଶେଷ ଖବର ବ୍ୟବସାୟ

‘ମେକ୍ ଇନ୍ ଇଣ୍ଡିଆ’ର ଆଠବର୍ଷ ପୂର୍ତ୍ତି: ଦ୍ୱିଗୁଣିତ ହେଲା ବାର୍ଷିକ ଏଫଡିଆଇ ପରିମାଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଇତିମଧ୍ୟରେ ଆଠବର୍ଷ ପୂରଣ କରିଛି। ଏହା କେନ୍ଦ୍ର ସରକାରଙ୍କର ଏକ ଧ୍ୱଜାଧାରୀ ଜାତୀୟ କାର୍ଯ୍ୟକ୍ରମ ଏବଂ ଏଥିରେ ଦେଶରେ ପୁଞ୍ଜିନିବେଶ, ଇନୋଭେସନ, ଦକ୍ଷତା ବିକାଶ, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରି ମାନୁଫାକଚରିଂ ବା ଉତ୍ପାଦନ ବଢାଇବା ଅଗ୍ରାଧିକାର ପାଇଛି। ୨୦୧୪ ସେପ୍ଟେମ୍ବର ୨୫ତାରିଖରେ ଏହି ଯୋଜନାଟି ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ‘ମେକ୍ ଇନ ଇଣ୍ଡିଆ’ ଯୋଜନା ଭାରତକୁ ଏକ ପ୍ରମୁଖ ମାନୁଫ୍ୟାକଚରିଂ ହବ୍ ଓ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀରେ ପରିବର୍ତ୍ତିତ କରୁଛି।  ନୂଆ ଭାରତର  ଅଭିବୃଦ୍ଧି ପ୍ରକ୍ରିୟାରେ ଅଂଶୀଦାର ହୋଇ ଏହାର ବେଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଯୋଜନା ଦେଶ ବିଦେଶର ଆଶାୟୀ ନିବେଶକ ଓ ଅଂଶୀଦାରମାନଙ୍କୁ ଏକ ମୁକ୍ତ ଆମନ୍ତ୍ରଣ। ମେକ୍ ଇନ୍ ଇଣ୍ଡିଆରେ ଦେଶର ୨୭ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି  ଏବଂ ଏହି ଆଠ ବର୍ଷ ମଧ୍ୟରେ ଏହି ସମସ୍ତ କ୍ଷେତ୍ରରେ ଭଲ ସଫଳତା ମିଳିଛି। ଦେଶର ଷ୍ଟ୍ରାଟେଜିକ ଓ ସର୍ଭିସ ସେକ୍ଟର ମଧ୍ୟ ଏହାର ଅନ୍ତର୍ଭୁକ୍ତ ହୋଇଛି।

ବିଦେଶୀ ପୁଞ୍ଜିନିବେଶଙ୍କୁ ଆକର୍ଷିତ କରିବା ପାଇଁ ଭାରତ ସରକାର ଏକ ଉଦାରବାଦୀ ଏବଂ ସ୍ୱଚ୍ଛ ନୀତି କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ଅଟୋମେଟିକ ରୁଟ୍  ବା ସ୍ୱୟଂକ୍ରିୟ ମାର୍ଗରେ ବିନା ବାଧାବିଘ୍ନରେ ନିବେଶକ ସହଜରେ ଭାରତରେ ପୁଞ୍ଜିନିବେଶର ସୁବିଧା ପାଇଛନ୍ତି। ୨୦୧୪-୧୫ରେ ଭାରତରେ ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ଥିଲା ୪୫.୧୫ବିଲିୟନ ଡଲାର। ବିଗତ ଆଠବର୍ଷ ମଧ୍ୟରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ରେକର୍ଡ ପରିମାଣରେ ପହଛିଛି। ୨୦୨୧-୨୨ରେ ଏଫଡିଆଇ ପରିମାଣ ସର୍ବାଧିକ ୭୩.୬ ବିଲିୟନ ଡଲାର  ଥିଲା। ମୋଟ ୧୦୧ଟି ଦେଶରୁ ଏହି ଏଫ୍‌ଡିଆଇ ଆସିଛି ଏବଂ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି କ୍ଷେତ୍ରରେ ବିନିଯୋଗ କରାଯାଇଛି। ନିକଟ ଅତୀତରେ ଭାରତର ଆର୍ଥିକ ସଂସ୍କାର ଓ ଇଜ୍ ଅଫ୍ ଡୁଇଂ ବିଜ୍‌ନେସ ବା ବ୍ୟାବସାୟିକ ସୁଗମତା ବଳରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଭାରତ ମୋଟ ୧୦୦ ବିଲିୟନ ଡଲାର ଏଫ୍‌ଡିଆଇ ପାଇବ ବୋଲି ଆକଳନ କରାଯାଇଛି।

ଦେଶର ୧୪ଟି ମାନୁଫ୍ୟାକଚରିଂ କ୍ଷେତ୍ରରେ ଉତ୍ପାଦକଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଲଆଇ ୨୦୨୦-୨୧ରୁ ଲାଗୁ କରାଯାଇଛି। ଏହା ଫଳରେ  ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବଡ ପ୍ରୋତ୍ସାହନ ମିଳିଛି। ଭାରତ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ବା ଷ୍ଟ୍ରାଟେଜିକ୍ କ୍ଷେତ୍ରରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି ଏବଂ ସେଠାରେ ଉତ୍ପାଦନ/ମାନୁଫ୍ୟାକଚରିଂ ମୋଟାମୋଟି ଏକ ସୁବିଧାଜନକ ସ୍ଥିତିରେ ଅଛି, ସେସବୁ ଘରୋଇ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ରେ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି। ଫଳରେ ଏହି ଯୋଜନାରେ ଘରୋଇ ଉତ୍ପାଦକମାନେ ଅଧିକ ଉପକୃତ ହେଉଛନ୍ତି। ପିଏଲ୍ ଆଇ ସ୍କିମ୍‌ରେ ସେମାନଙ୍କୁ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳା, ରପ୍ତାନୀ ସୁଯୋଗ ଆଦି ଯୋଗାଇ ଦିଆଯାଇ ଅଧିକ ପ୍ରତିଯୋଗିତାମୂଳକ କରିବାର ପ୍ରୟାସ ହେଉଛି। ଏହାର ସୁଫଳ ସିଧାସଳଖ ଉତ୍ପାଦନ ଓ ନିଯୁକ୍ତି ଉପରେ ପଡୁଛି। ଉତ୍ପାଦନ ବୃଦ୍ଧି ଏବଂ ଏହାର ଯୋଗାଣ ଶୃଙ୍ଖଳା ନିର୍ମାଣରେ ଅଧିକରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ସର୍ବୋପରି ଦେଶର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ଏବଂ ତାହାର ଲାଭ ସମ୍ପୃକ୍ତ ଉଦ୍ୟୋଗୀ ଉଠାଉଛନ୍ତି।

ବିଶ୍ୱ ଅର୍ଥନୀତିରେ ସେମିକଣ୍ଡକ୍ଟର ଭଳି ସାମଗ୍ରୀର  ଗୁରୁତ୍ୱ  ଥିବା ଉପଲବ୍ଧି କରି ଭାରତ ସରକାର ଏ କ୍ଷେତ୍ରରେ ୧୦ବିଲିୟନ ଡଲାରର ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ସେମିକଣ୍ଡକ୍ଟର, ଡିସ୍‌ପ୍ଲେ ଓ ଡିଜାଇନ ନିର୍ମାଣ ଗୁରୁତ୍ୱ ପାଇଛି। ଏସବୁ ସାମଗ୍ରୀର ଉତ୍ପାଦନକୁ ଉଲ୍ଲେଖନୀୟ ଭାବେ ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି ଏବଂ ଏଥିପାଇଁ ପ୍ରୋତ୍ସାହନ ନୀତି କାର୍ଯ୍ୟକାରୀ ହେଉଛି।

ଆହୁରି ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’କୁ ସଫଳ କରିବାକୁ ସରକାର ବିଭିନ୍ନ ସଂସ୍କାରର କାର୍ଯ୍ୟକାରୀ କରିଛନ୍ତି। ଏଥିରେ ପୁରୁଣା ଆଇନର ସଂଶୋଧନ, ନୀତି ନିୟମର ସରଳୀକରଣ, ନୀତି ନିୟମ ଅନୁପାଳନ ଜନିତ ଅନାବଶ୍ୟକ ବୋଝ ଓ ଜଟିଳତା ହ୍ରାସ, କଞ୍ଚାମାଲ ଓ ଅନ୍ୟାନ୍ୟ ମୂଳଧନୀ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜ୍‌ନେସ୍ ଆଦି ଅନ୍ୟତମ। ଅତଏବ ମେକ୍ ଇନ୍ ଇଣ୍ଡିଆକୁ ବାସ୍ତବବାଦୀ କରିବାକୁ ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଛୋଟ ଛୋଟ ନୀତି ନିୟମ ଅନୁପାଳନରେ  ଯେଉଁ ଅପରାଧିକ ଦଫା ଲଗାଯିବାର ବ୍ୟବସ୍ଥା ଥିଲା ତାହାକୁ ଉଠାଇ ନିଆଯାଇଛି । ଉଦ୍ୟୋଗ ସ୍ଥାପନ ଓ ବାଣିଜ୍ୟ ବ୍ୟବସାୟ ସହଜରେ କରିବାକୁ ନୀତି ନିୟମ ଅତ୍ୟନ୍ତ ସରଳ, ଯୁକ୍ତିସଂଗତ, ସହଜ ଓ ଅନୁକୂଳ ହୋଇଛି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଫଳରେ ଉଦ୍ୟୋଗ ସ୍ଥାପନ ଓ ପୁଞ୍ଜିନିବେଶ ପ୍ରକ୍ରିୟା ସରଳ, ଯୁକ୍ତିସଂଗତ, ସହଜ ଓ ଅନୁକୂଳ ହୋଇଛି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଫଳରେ ନିବେଶକ ବା ଉଦ୍ୟୋଗୀ ଉଦ୍ୟୋଗ ସ୍ଥାପନ ପାଇଁ ବାରଦ୍ୱାର ବୁଲି ନିରାଶ ହେବାର ସ୍ଥିତି ଆଉ  ନାହିଁ । ଗୋଟିଏ ସ୍ଥାନରେ ସବୁ ସୁବିଧା ସୁଯୋଗ ଅବିଳମ୍ବେ ମିଳୁଛି । ସର୍ବୋପରି ଶ୍ରମ ଆଇନରେ ସଂଶୋଧନ କରାଯାଇ ଲୋକ ନିଯୁକ୍ତି ଓ ଛଟେଇ ବ୍ୟବସ୍ଥାକୁ ଅତ୍ୟନ୍ତ ସରଳ କରାଯାଇଛି । ସେହିଭଳି ସ୍ଥାନୀୟ ଉତ୍ପାଦର ମାନ ନିର୍ଦ୍ଧାରଣ କରିବାକୁ କ୍ୱାଲିଟି କଣ୍ଟ୍ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହା ଫଳରେ ଉତ୍ପାଦକ ନିମ୍ନମାନର ସାମଗ୍ରୀ ଉତ୍ପାଦନ କରିପାରିବେ ନାହିଁ । ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ମାନ ରକ୍ଷା କରିବାକୁ ପଡିବ । କର୍ପୋରେଟ ଟିକସ ହ୍ରାସ କରାଯାଇ ପୁଞ୍ଚିନିବେଶ ଓ ଉଦ୍ୟୋଗସ୍ଥାପନକୁ ପ୍ରୋତ୍ସାହିତ କରାଯାଇଛି । ସ୍ଥାନୀୟ ଉତ୍ପାଦକଙ୍କ ଠାରୁ ସରକାର ସାମଗ୍ରୀ କିଣିବାର ବ୍ୟବସ୍ଥା କରାଯିବା ଫଳରେ ସ୍ଥାନୀୟ ଉଦ୍ୟୋଗ ଲାଭବାନ ହେଉଛନ୍ତି ଏବଂ ସେମାନଙ୍କୁ ଏକ ନିଶ୍ଚିତ ବଜାର ମିଳୁଛି ।

ସରକାର ପ୍ରତିବର୍ଷ ନିୟମିତ ଭାବେ ନିଜର ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ, ସେବା ଓ କାମ କିଣିଥାନ୍ତି । ୨୦୧୭ରେ ସରକାର ଏ ସଂକ୍ରାନ୍ତ ନୀତିରେ ସଂଶୋଧନ କରି ଲୋକାଲ ପ୍ରଡକ୍ଟ କ୍ରୟକୁ ଅଗ୍ରାଧିକାର ଦେବା ଫଳରେ ସ୍ଥାନୀୟ ଉଦ୍ୟୋଗୀ, ଲୋକ ଏବଂ ସେବାପ୍ରଦାନକାରୀ ଉପକୃତ ହେଉଛନ୍ତି ।

ମେକ୍ ଇନ ଇଣ୍ଡିଆର ଆଉ ଏକ ବିଶେଷତ୍ୱ ହେଲା ଗୋଟିଏ ଜିଲ୍ଳା ଗୋଟିଏ ସାମଗ୍ରୀ ଉତ୍ପାଦନ ନୀତି । ଏହା ଫଳରେ ଦେଶୀ/ସ୍ଥାନୀୟ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହନ ମିଳିଛି ଏବଂ ସ୍ଥାନୀୟ କାରିଗର, ଶିଳ୍ପୀ ଏବଂ ଉତ୍ପାଦକଙ୍କୁ ଆନ୍ତର୍ଜାତିକ ସ୍ତରରେ ନିଜର ସାମଗ୍ରୀ ପହଞ୍ଚାଇବାର ସୁବିଧା ପାଇଛନ୍ତି । ଆମ ହସ୍ତତନ୍ତ୍ର, ବୟନ ଶିଳ୍ପ, କୃଷିଜାତ ପଦାର୍ଥ ଓ ଅନ୍ୟାନ୍ୟ ପାରମ୍ପରିକ ଜିନିଷ ପାଇଁ ଉତ୍ତମ ବଜାର ସୁବିଧା ଏବଂ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ପିଏମ୍ ଗତିଶକ୍ତି ଯୋଜନା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ପାଇଁ ଆଉ ଏକ ବଡ ସୁବିଧା ଆଣିଛି । ଏହା ଫଳରେ ସାମଗ୍ରୀ / କଞ୍ଚାମାଲ ଓ ରସଦ(ଲଜିଷ୍ଟିକ୍ସ) ଆଦି ସଂଗ୍ରହ କରିବା ଆଉ ଦୁରୁହ ନୁହେଁ । ଉଦ୍ୟୋଗୀ ନିଜର ଆବଶ୍ୟକତା ଅନୁସାରେ ଶସ୍ତାରେ ଏସବୁ ସାମଗ୍ରୀ ପାଇବା ଫଳରେ ତାଙ୍କର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସେମାନେ ଶସ୍ତାରେ ଉନ୍ନତମାନର ସାମଗ୍ରୀ ରପ୍ତାନୀର ସୁଯୋଗ ପାଇଛନ୍ତି । ଗତିଶକ୍ତି ଯୋଜନା ଦ୍ୱାରା ମଧ୍ୟ ବଜାର ଓ ବିପଣନ ସୁବିଧା ବଢିଛି, ଏହା ଦ୍ୱାରା ନୂଆ ନୂଆ ହବ୍ ଓ ବ୍ୟାବସାୟିକ ସୁଯୋଗ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୦ଅଗଷ୍ଟରେ ତାଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ଖେଳଣା ଉତ୍ପାଦନକାରୀ ହବ୍‌ରେ ପରିଣତ  କରିବା ଇଚ୍ଛା ପ୍ରକାଶ କରିଥିଲେ । ଏଥିରେ ଖେଳଣାର ଡିଜାଇନ ପ୍ରସ୍ତୁତି ଓ ଉତ୍ପାଦନ ଦକ୍ଷତା ବୃଦ୍ଧି କଥା ମଧ୍ୟ ଥିଲା । ଭାରତୀୟ ଖେଳଣା ଉଦ୍ୟୋଗ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭରଶୀଳ । କଞ୍ଚାମାଲ, ଟେକ୍‌ନୋଲୋଜି, ଡିଜାଇନ ଓ ଉତ୍ପାଦନ ସୁବିଧା ଅଭାବରୁ ଏହି ଉଦ୍ୟୋଗ ଭାରତରେ ଆଗେଇ ପାରୁ ନଥିଲା; ଅଥଚ ଭାରତରେ ଖେଳଣାର ଚାହିଦା ପ୍ରଚୁର । ୨୦୧୮-୧୯ରେ ଭାରତ ୩୭୧ନିୟୁତ ଡଲାର ବା ୨୯୬୦ କୋଟି ଟଙ୍କାର ଖେଳଣା ଆମଦାନୀ କରିଥିଲା । ଏହି ଖେଳଣା ମଧ୍ୟରୁ ଅଧିକାଂଶ ଅସୁରକ୍ଷିତ, ନିମ୍ନମାନର, ନକଲି ଏବଂ ଶସ୍ତା ।

ଅତଏବ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ସରକାର ଭାରତୀୟ ଖେଳଣା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଥିଲେ । ଏଥିରେ ଖେଳନା ଆମଦାନୀକୁ ନିରୁତ୍ସାହିତ କରିବାକୁ ସୀମା ଶୁଳ୍କ ହାର ୨୦ରୁ ୬୦%କୁ ବୃଦ୍ଧି କରାଯାଇଥିଲା । ଆମଦାନୀ ଖେଳଣାର ମାନ ନିର୍ଦ୍ଧାରଣ କରିବାକୁ ଏକ କ୍ୱାଲିଟି କଣ୍ଡ୍ରୋଲ ନିୟମ ଲାଗୁ ହୋଇଛି । ନମୁନା ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବା ସହିତ ଘରୋଇ ଖେଳଣା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଲାଭ ମିଳିଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ଏପ୍ରିଲ-ଅଗଷ୍ଟ ସମୟରେ ଭାରତ ଘରୋଇ ଆବଶ୍ୟକତା ପୂରଣ କରି ୨୬୦୮.୫ କୋଟି ବା ୩୨୬ ନିୟୁତ ଡଲାର ପରିମାଣର ଖେଳଣା ବିଦେଶକୁ ପଠାଇଛି । ଏହାର ଲାଭ ଭାରତୀୟ ଖେଳଣା ଉଦ୍ୟୋଗକୁ ମିଳିଛି । ୨୦୧୩ର ଏହି ସମୟର ଖେଳଣା ରପ୍ତାନୀ ସହିତ ତୁଳନା କଲେ ଭାରତ ଏ କ୍ଷେତ୍ରରେ ରେକର୍ଡ ୬୩୬% ଏବଂ ୨୦୧୮-୧୯ ତୁଳନାରେ ୬୧% ଅଭିବୃଦ୍ଧି ହାସଲ କରିଛି ।

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ ଉଦ୍ୟୋଗ ପାଇଁ ବିପୁଳ ସୁଯୋଗ ଓ ସମ୍ଭାବନା ଆଣିଛି ଓ ଅନେକ କ୍ଷେତ୍ରରେ ତାହାର ଲାଭ ମିଳିଲାଣି । ଏହି ଯୋଜନା ମଧ୍ୟରେ ଭାରତର ଗବେଷଣା ଓ ଉନ୍ନୟନ, ଘରୋଇ ମୂଲ୍ୟ ମିଶ୍ରଣ, ଲୋକାଲ ସୋର୍ସିଂ ଆଦିକୁ ପ୍ରୋତ୍ସାହିତ କରି ଏକ ଉତ୍ତମ ସ୍ଥିତି ଉପଲବ୍ଧ ହୋଇଛି । ଏହା ଫଳରେ ପୁଞ୍ଜିନିବେଶ, ପୁଞ୍ଜି ପ୍ରବାହ ଏବଂ ନିଯୁକ୍ତି ବଢିଛି ଏବଂ ଭାରତ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ରପ୍ତାନୀ ବୃଦ୍ଧି ସହିତ ବିଶ୍ୱ ବଜାରରେ ତାହାର ସ୍ଥିତିରେ ଉନ୍ନତି ଆଣିଛି ।

ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଭାରତରେ ତିଆରି ବା ମେଡ୍ ଇନ୍ ଇଣ୍ଡିଆ ପ୍ରୟାସ କ୍ରମଶଃ ମେଡ୍ ଫର ୱାର୍ଲଡ ବା ବିଶ୍ୱ ପାଇଁ ତିଆରିରେ ପରିଣତ ହେବାକୁ ଯାଉଛି । ଏହି ପ୍ରକ୍ରିୟାରେ ଉତ୍ପାଦିତ ସାମଗ୍ରୀର ମାନରକ୍ଷା ଓ ମୂଲ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ କାମ ଚାଲିଛି ।

Categories
ଆଜିର ଖବର ଜାତୀୟ ଖବର

୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ।

ଏହି ନିଷ୍ପତ୍ତି ଦ୍ବାରା ସୁରକ୍ଷା ବାବଦ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏସବୁ ସ୍ଥାନରେ ନିୟୋଜିତ ସିଆଇଏସଏଫ କର୍ମୀମାନଙ୍କୁ ଅନ୍ୟ ବିମାନ ବନ୍ଦରରେ ମୁତୟନ କରାଯାଇପାରିବ ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଆହୁରି ନୂଆ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସହାୟତା ମିଳିପାରିବ।

୪୫ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ ପଦବୀରେ କାର୍ଯ୍ୟ କରିବା ଲାଗି ପୁନର୍ବାସ ମହାନିର୍ଦ୍ଦେଶାଳୟ (ଡିଜିଆର) ପ୍ରାୟୋଜିତ ସୁରକ୍ଷା ଏଜେନ୍ସିରୁ ୫୮୧ ଜଣ ସୁରକ୍ଷା କର୍ମୀମାନଙ୍କୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଯୁକ୍ତି ଦେଇସାରିଛନ୍ତି। ବିମାନ ଚଳାଚଳ ସୁରକ୍ଷା (ଏଭିଏସଇସି) ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏସବୁ ସୁରକ୍ଷା କର୍ମୀମାନଙ୍କୁ ଚୟନିତ ବିମାନ ବନ୍ଦରରେ ମୁତୟନ କରାଯିବ । ଏବେ ସୁଦ୍ଧା ୧୬ଟି ବିମାନ ବନ୍ଦର ପାଇଁ ୧୬୧ ଜଣ ଡିଜିଆର ସୁରକ୍ଷା କର୍ମୀ ଏଭିଏସଇସି ପ୍ରଶିକ୍ଷଣ ନେଉଛନ୍ତି ଏବଂ ପ୍ରଶିକ୍ଷଣ ଶେଷ ହେବା ପରେ ୨୪ ସେପ୍ଟେମ୍ବର ୨୦୨୨ ଠାରୁ ସେମାନଙ୍କୁ ନିୟୋଜିତ କରାଯିବ।

କୋଲକାତା ବିମାନବନ୍ଦର ଠାରେ, ଏଭିଏସଇସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିସାରିଥିବା ୭୪ ଜଣ ଡିଜିଆର ସୁରକ୍ଷା କର୍ମୀଙ୍କୁ ୯ ସେପ୍ଟେମ୍ବର ୨୦୨୨ ଠାରୁ ମୁତୟନ କରାଯାଇ ସାରିଛି। ଅବଶିଷ୍ଟ ସୁରକ୍ଷା କର୍ମୀମାନଙ୍କର ମୁତୟନ ଲାଗି ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଯୋଜନା

ନୂଆଦିଲ୍ଲୀ: ୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଭାରତ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ପୁଞ୍ଜି ବିନିଯୋଗ ପ୍ରକଳ୍ପ ପାଇଁ ୫୦ ବର୍ଷ ଲାଗି ସୁଧମୁକ୍ତ ଋଣ ଆକାରରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଯୋଜନାର ପଞ୍ଚମ ଭାଗ (ଅପ୍ଟିକାଲ ଫାଇବର କେବୁଲ) ଅଧୀନରେ, ୩୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅପ୍ଟିକାଲ ଫାଇବର କେବୁଲ (ଓଏଫସି) ନେଟୱର୍କ ପାଇଁ ପୁଞ୍ଜି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଏହି ସହାୟତା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ହେବ। ଦୂରସଞ୍ଚାର ବିଭାଗର ସୁପାରିସ କ୍ରମେ ବ୍ୟୟ ବିଭାଗ ପକ୍ଷରୁ ନିକଟରେ ଚାରିଟି ରାଜ୍ୟ: ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ହରିୟାଣା ଏବଂ କର୍ଣ୍ଣାଟକ ପାଇଁ ଯଥାକ୍ରମେ ୫୦ କୋଟି, ୮୪ କୋଟି, ୬୫ କୋଟି ଏବଂ ୧୫୬ କୋଟି ଟଙ୍କାର ଆବଣ୍ଟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ: ଓଡ଼ିଶା ପହଁଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଗଙ୍ଗପଡ଼ା: ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କର ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ନାଭି ମୁମ୍ବାଇ ମହାରାଷ୍ଟ୍ରର ଏ.ସି. ପାଟିଲ କଲେଜ ଅଫ୍ ଇଂଜିନିୟରିଂ ରୁ ୨୫ ଜଣ ଛାତ୍ରଛାତ୍ରୀ ଏବଂ ପୁନେର ୨୫ଟି ସ୍କୁଲରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦୁଇଜଣ ଅଧ୍ୟାପକ ଓ ଦୁଇଜଣ ଅଧ୍ୟାପିକା ଆସିଛନ୍ତି।

ଏହି ପାଂଚ ଦିନିଆ ରହଣୀ ଭିତରେ ସେମାନେ କଲେଜର ବିଭିନ୍ନ ବିଭାଗ ବୁଲିବା ସହ ଓଡ଼ିଆ ଓ ମରାଠୀ ଭାଷା ବିନିମୟ କାର୍ଯ୍ୟକ୍ରମରେ ଭାଗନେବେ। ଏଥି ସହ ଭୁବନେଶ୍ବରରେ ବିଭିନ୍ନ ମନ୍ଦିର, ମ୍ୟୁଜିୟମ, ହାଟ, ଇତ୍ୟାଦି ବୁଲିବା ସହ ଚିଲିକା, ପୁରୀ, କୋଣାର୍କକୁ ମଧ୍ୟ ବୁଲିଯିବା ପାଇଁ କଲେଜ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସର୍ବୋପରି ଏହା ଭାଷା, ସଂସ୍କୃତି ଓ କଳାର ଭାବ ବିନିମୟର ଉତ୍କୃଷ୍ଟ ଉଦାହରଣ।

ଆଜିର ସ୍ଵାଗତ ସମାରୋହର ଗିଫ୍ଟର ଅଧ୍ୟକ୍ଷ, ଡଃ. ସି.ଏଚ୍.ଭି.ଏସ୍. ପରମେଶ୍ଵର ରାଓ, ଡିନ୍ ଏକାଡ଼େମିକ୍ ଡଃ. ଆର୍. ଏନ୍. ପଣ୍ଡା, ଡିନ୍ ଆଡ୍‌ମିସନ ଏମ୍.କେ. ରାଉତ, ରେଜିଷ୍ଟ୍ରାର୍ ଡଃ. ମନୋରଞ୍ଜନ ମିଶ୍ର, ଓଏସ୍‌ ଇଂ. ସମୀର ରଞ୍ଜନ ପଣ୍ଡା ଓ ଭାଇସ୍‌ ଚେୟାରମ୍ୟାନ ଡଃ. ପତିତପାବନ ପଣ୍ଡା ସମୂହ ଉପସ୍ଥିତ ଥିଲେ। ସଂଯୋଜକ ଭାବେ ପ୍ର. ଅଭିଜିତ୍ ମଙ୍ଗରାଜ, ପ୍ର. ସିପ୍ରା କର୍‌ମାକର, ପ୍ର. ପ୍ରଣତୀ ମିଶ୍ର ଓ ସରିତା ତ୍ରୀପାଠୀ ଉପସ୍ଥିତ ରହି  ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।