Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର ଜନାର୍ଦ୍ଦନପୁରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଆଜି ମେରୀ ମାଟି ମେରା ଦେଶ ଅଭିଯାନ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଦେଶ ପାଇଁ ସହିଦ ହୋଇଥିବା ବୀରମାନଙ୍କର ସ୍ମୃତିଚାରଣ କରାଯାଇଥିଲା। କେନ୍ଦୁଝର ସଦର ବ୍ଲକ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିସହିତ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ଦେଶପ୍ରେମୀ ଜନସାଧାରଣ ଏବଂ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମୋବାଇଲ ଫୋନ ବ୍ୟବହାରକାରୀଙ୍କ ପାଇଁ ଦୁଇଟି ସଂସ୍କାର ପ୍ରସ୍ତାବ ଉପସ୍ଥାପିତ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ସାମାଜିକ ଓ ଅର୍ଥନୀତିକ କାର୍ଯ୍ୟକଳାପରେ ଅଧିକରୁ ଅଧିକ ଡିଜିଟାଇସେନ ବ୍ୟବହୃତ ହେଉଥିବାରୁ ଏଥିରେ ଟେଲିକମ୍ ସମ୍ବଳର ଉପଯୋଗ ଓ ମୋବାଇଲ ସେବାର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଛି। ସମସ୍ତେ ଏବେ ଅନ୍‌ଲାଇନ ସେବା ତୁରନ୍ତ ପାଇବାକୁ ବ୍ୟଗ୍ର। ଡିଜିଟାଲ ସଂଯୋଗ ଦ୍ୱାରା ସାମାଜିକ, ଅର୍ଥନୀତିକ ଓ ପରିବର୍ତ୍ତନକାରୀ ଗତିଶୀଳତା ବଢୁଛି। ତେଣୁ ଟେଲିକମ୍ ସମ୍ବଳର ନିରାପତ୍ତା, ଉପଯୁକ୍ତ ଉପଯୋଗ  ଓ ବ୍ୟବହାରର ଗୁରୁତ୍ୱ ବଢିଛି। ତାହାକୁ ଦୃଷ୍ଟିରେ ରଖି ସରକାର ମୋବାଇଲ ବ୍ୟବହାରକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଭାରତ ସରକାର ଏକ ଡିଜିଟାଲ ଭିତ୍ତିକ ସମାବେଶୀ ସମାଜ ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପ୍ରୟାସରେ ଟେଲିକମ୍ ଗ୍ରାହକମାନଙ୍କୁ ସବୁଠୁ ଉଚ୍ଚମାନର ସୁରକ୍ଷା ଓ ମାନକ ସେବା ଯୋଗାଇ ଦେବାକୁ କେନ୍ଦ୍ର  ଯୋଗାଯୋଗ, ରେଳବାଇ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦୁଇଟି ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ରହିଛି ଡିଜିଟାଲ ଟ୍ରାନ୍ସ ଫରମେସନ ଓ ଗ୍ରାହକ ସୁରକ୍ଷା ବ୍ୟବସ୍ଥା ।

୧-କେୱାସି ସଂସ୍କାର

୨-ପଏଣ୍ଟ ଅଫ ସେଲ ବା ପିଏସ୍‌ସ ପଞ୍ଜୀକରଣ ସଂସ୍କାର

ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ସଂସ୍କାର ସଞ୍ଚାର ସାଥି ଓ ନାଗରିକ କେନ୍ଦ୍ରିକ ପୋର୍ଟାଲର ଧାରାରେ ଆଜିର ଏହି  ଦୁଇ ସଂସ୍କାର କାର୍ଯ୍ୟକାରୀ ହେବ । ଏହା ଫଳରେ ଭାରତ ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ଶକ୍ତିଶାଳୀ ଲଢେଇ ଲଢିପାରିବ ।

ପଏଣ୍ଟ ଅଫ୍ ସେଲ (ପିଓଏସ୍‌) ପଞ୍ଜୀକରଣ ସଂସ୍କାର:-ଏହି ସଂସ୍କାର ମାଧ୍ୟମରେ ପ୍ରାଞ୍ଚାଇଜି, ଏଜେଣ୍ଟ ଓ ବିତରକଙ୍କ ପିଏସ୍‌ଓ ଲାଇସେନ୍ସର ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ଏହା ଫଳରେ ଠକ ପିଏସ୍‌ଓ ମାନଙ୍କୁ ଠାବ କରି ବ୍ୟବସ୍ଥାକୁ ସହଜରେ ହଟାଇ ଦିଆଯାଇପାରିବ । ଏସବୁ ପିଏସ୍‌ଓ ଅନୈତିକ ମାର୍ଗ ଅବଲମ୍ବନ କରି ଅପରାଧୀ, ସମାଜ ବିରୋଧୀ, ଦେଶ ବିରୋଧୀ ଓ ଖଳ ତଥା ଦୁଷ୍ଟ ପ୍ରକୃତିର ଲୋକଙ୍କୁ ସିମ୍ ବିକ୍ରି କରୁଥିଲେ ।

ନୂଆ ବ୍ୟବସ୍ଥାରେ ପିଏସ୍‌ଓ ଲାଇସେନ୍ସ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଛି । ସବୁ ପିଏସ୍‌ଓର ତନଖି ସରକାର କରିବେ । ଯେଉଁମାନେ ଅନୈତିକ ଉପାୟରେ ପିଏସ୍‌ଓ ଚଳାଇଥିବେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ । ତେବେ ବିବାଦମୁକ୍ତ ପିଏସ୍‌ଓଗୁଡିକ ପାଇଁ ବିଶେଷ ଅସୁବିଧା ନ ହେଲେ ମଧ୍ୟ ସେମାନଙ୍କ କାମକୁ ସରକାର ତନଖି କରିବେ । ୧୨ମାସ ମଧ୍ୟରେ ଏବେ କାର୍ଯ୍ୟକ୍ଷମ ସବୁ ପିଏସ୍‌ଓକୁ ପଞ୍ଜୀକୃତ ହେବାକୁ ପଡିବ । ଏହା ଫଳରେ ଠକ ପିଏସ୍‌ଓଗୁଡିକୁ ଚିହ୍ନଟ କରିବା ସହଜ ହେବ ଏବଂ ସେମାନେ ପ୍ରକ୍ରିୟାରୁ ବାଦ ପଡିବେ । ତନଖିରେ ଧରାପଡିଲେ ଠକ୍ ପିଏସ୍‌ଓଗୁଡିକୁ ତିନିବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯିବ ।

କେୱାଇସି ସଂସ୍କାର:- ଏହା ଏକ ବ୍ୟବସ୍ଥା ଯେଉଁଥିରେ ଗ୍ରାହକଙ୍କୁ ଚିହ୍ନଟ କରିବାର ଏକ ୟୁନିକ ମାଧ୍ୟମ ରହିଛି । ଗ୍ରାହକଙ୍କୁ ଟେଲିଫୋନ ସେବା ଦେବା ପୂର୍ବରୁ ତାଙ୍କୁ ଠାବ କରିବାର ବ୍ୟବସ୍ଥା ଏଥିରେ ଉପଲବ୍ଧ । ବର୍ତ୍ତମାନର କେୱାଇସି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟେଲିକମ୍ ଗ୍ରାହକଙ୍କ ସୁରକ୍ଷାକୁ ଅତିରିକ୍ତ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହା ଫଳରେ ସେମାନେ ଠକେଇ କିମ୍ବା ବାହ୍ୟ ହସ୍ତକ୍ଷେପ କିମ୍ବା ତଥ୍ୟ ଚୋରି ଆଦିରୁ ସୁରକ୍ଷିତ ହୋଇପାରିବେ । ଟେଲିଫୋନ ସେବାକୁ ଡିଜିଟାଇଜ କରିବା ପୂର୍ବରୁ ଗ୍ରାହକଙ୍କ ମଧ୍ୟରେ ପ୍ରଥମେ ନିରାପତ୍ତା ଭାବନାକୁ ସୁଦୃଢ କରିବାକୁ ସରକାର ଅଗ୍ରାଧିକାର ଭିତ୍ତିରେ କାମ କରୁଛନ୍ତି । ଏହା ଦ୍ୱାରା ଡିଜିଟାଲ ଇକୋସିଷ୍ଟମ (ପରିତନ୍ତ୍ର) ସୁଦୃଢ ହେବ ।

ଛାପା ଆଧାର କାର୍ଡର ଦୁରୁପଯୋଗ ବନ୍ଦ କରିବାକୁ କାର୍ଡର କ୍ୟୁ.ଆର କୋଡ୍‌କୁ ସ୍କାନିଂ କରି ନାଗରିକଙ୍କ ସବିଶେଷ ବିବରଣୀକୁ ବାଧ୍ୟତାମୂଳକ ଭାବେ ସଂଗ୍ରହ କରାଯିବ । କୌଣସି ଏକ ମୋବାଇଲ ନମ୍ବର ଡିସ୍‌କନେକ୍ଟ ଥିଲେ ୯୦ ଦିନ ଯାଏ ଅନ୍ୟ କୌଣସି ଗ୍ରାହକଙ୍କୁ ଏହି ନମ୍ବର ଦିଆଯାଇପାରିବ ନାହିଁ । ନିଜର ସିମ୍ ବଦଳାଇବାକୁ ଗ୍ରାହକଙ୍କୁ ପୂର୍ଣ୍ଣାଙ୍ଗ କେୱାଇସି ନିୟମ ପାଳନ କରିବାକୁ ପଡିବ । ଏଥି ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଆଉଟଗୋଇଂ ଓ ଇନ୍‌କମିଙ୍ଗ ଏସ୍‌ଏମ୍‌ଏସ୍  ସୁବିଧା ମିଳିବ ନାହିଁ ।

ଏଥି ସହିତ ପ୍ରମାଣନ ବା ଆଥେଣ୍ଟିକେସନ ପାଇଁ ଆଧାର ସହିତ ବୁଢା ଆଙ୍ଗୁଳି ଛାପ, ଆଇରିସ୍ ବେସ୍‌ଡ୍ ଅଥେଣ୍ଟିକେସନ ଓ ଫେସିଆଲ ବାୟୋମେଟ୍ରିକ ଛାପ ସଂଗ୍ରହ କରାଯିବ । ଏହା ଏକ ଅତିରିକ୍ତ ନିରାପତ୍ତା ବ୍ୟବସ୍ଥା ଭଳି କାମ କରିବ ।

ଏହି ଦୁଇ ପ୍ରୟାସ ବା ସଂସ୍କାରର ଲକ୍ଷ୍ୟ ହେଲା ମୋବାଇଲ  ଟେଲିକମ୍ ସେବାକୁ ଡିଜିଟାଇଜ୍ କରିବା ପୂର୍ବରୁ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ ଏବଂ ସୁଦୃଢ କରିବା। ଏହା ଦ୍ୱାରା ସାଇବର ଅପରାଧ, ଆର୍ଥିକ ଅପରାଧ ଓ ଅନ୍ୟାନ୍ୟ ସମାଜ ବିରୋଧୀ କାମକୁ ସହଜରେ ରୋକି ହେବ। ଏହା ଫଳରେ ଉଭୟ ଜନତା, ଦେଶର ଅର୍ଥବ୍ୟବସ୍ଥା ଓ ଡିଜିଟାଲ ପରିତନ୍ତ୍ର ଉପକୃତ ହେବ।

ଇତି ମଧ୍ୟରେ ସଞ୍ଚାର ସାଥି ମାଧ୍ୟମରେ ୫୨ଲକ୍ଷ ସନ୍ଦିଗ୍ଧ ମୋବାଇଲ ସଂଯୋଗକୁ ରଦ୍ଦ କରାଯାଇଛି । ସଂଚାର ସାଥି ମାଧ୍ୟମରେ ତିନିଲକ୍ଷରୁ ଅଧିକ ମୋବାଇଲ ନମ୍ବରକୁ  ମଧ୍ୟ ଠାବ କରାଯାଇଛି । ଆଗରୁ ଏସବୁର ପତ୍ତା ମିଳୁ  ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରିଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,  ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଧଳ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ  ଜୋନ-୨୨ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ଗାଥାକୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇବା ତଥା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ହିଁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଉପଲକ୍ଷେ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ନୀଳଗିରି ସହର ପରିକ୍ରମା କରିଥିଲା। ଏଥିରେ ନୀଳଗିରି ଏନ୍‌ଏସି ଅନ୍ତର୍ଗତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନୀଳଗିରି ବାସୀ ଅଂଶଗ୍ରହଣ କରିଥିଲେ। କୁଇଜ ପ୍ରତିଯୋଗିତା କରାଯାଇ ୪ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ପ୍ରାକ୍ କାର୍ଯ୍ୟକ୍ରମ ହିସାବରେ ଗତ ଶନିବାର (୧୨-୮-୨୦୨୩)ଦିନ  ନୀଳଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ ଷ୍ଟାଫ ଆର୍ଟିଷ୍ଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା। କ୍ଷେତ୍ରପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବାବେଳେ ସହଯୋଗୀ ଖଗେଶ ବାଇପାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି: ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏଵଂ ୬୪ ବାଟାଲିୟନ ସିଆରପିଏଫ କଳାହାଣ୍ଡି ମିଳିତ ଆନୁକୁଲ୍ୟରେ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମରେ ବୃ୍କ୍ଷରୋପଣ, ପଞ୍ଚ ପ୍ରାଣ ଶପଥ ଗ୍ରହଣ, ମାଟି କୋ ନମନ୍ ବିରୋ କା ବନ୍ଦନ କାର୍ଯ୍ୟକ୍ରମ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ, ଡ. ବିଶ୍ଵଜିତ ଦାସ, ଉପଜିଲ୍ଲପାଳ ଭବାନୀପାଟଣା, ୬୪ ସି ଆର ପି ଏଫ୍ ବାଟାଲିୟନ କଳାହାଣ୍ଡି ବିଦିଶା ସିଂହ (DIG,MED), ଦ୍ଵିତୀୟ କମାଣ୍ଡାଣ୍ଟ ପ୍ରକାଶ କୁମାର ମିଶ୍ରା , ଡେପୁଟି କମାଣ୍ଡାଣ୍ଟ ଜିତ୍ ବାହନ ଓରାନ୍,ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲାଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ୬୪ ବାଟାଲିୟନ ସିଆରପିଏଫ କଳାହାଣ୍ଡି ର ଦ୍ୱିତୀୟ କମାଣ୍ଡାଣ୍ଟ ପି. କେ. ମିଶ୍ରା, ଏବଂ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ରୁ ଅବସର ଗ୍ରହଣ କରିଥିବା ୪ଜଣ ସେନା କର୍ମଚରୀ ଗଣେଶ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, ସୁଭାଷ ଠାକୁର, ଡି. ଏଲ. ମୁଣ୍ଡ ଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଦୁଆରର୍ସୁନି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ସମସ୍ତ ଅତିଥି ଓ ସ୍କୁଲ ର ଛାତ୍ରଛାତ୍ରୀଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା। ଅଗଷ୍ଟ ୯ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଆଗଷ୍ଟ୍ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ।

ଉକ୍ତ କାର୍ଯ୍ୟକ୍ରମରେ ୬୪ ସିଆରପିଏଫ ବାଟାଲିୟନ ର ସମସ୍ତ ଯବାନ ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ଜାତୀୟ ଯୁବ ସ୍ଵେଚଛାସେବୀ ଅଭିଷେକ ବେହେରା, ସୁଶିଲ ପଧାନ, ନବୀନ ସାହୁ, ଶମ୍ଭୁ ବିଶି, ପୂର୍ବତନ ଜାତୀୟ ଯୁବ ସ୍ଵେଚଛାସେବୀ ହେମସାଗର ସାହୁ, ଚୁଲମଣି ମାଝୀ , ବିଜେତା ବାଗ, ପ୍ରଜ୍ଞା ନାୟକ, ବର୍ଷା ନାୟକ, ସ୍ଵଗତିକା ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧ ଅଛି: କେନ୍ଦ୍ର

ନୂଆଦିଲ୍ଲୀ: ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ ବଜାୟ ରଖିଛନ୍ତି। ଯଦିଓ ଏପ୍ରିଲ୍‌-ମେ ୨୦୨୩ ରେ ଏକ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ ଚିନି ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି, ଚିନିର ଘରୋଇ ମୂଲ୍ୟରେ ନାମମାତ୍ର ବୃଦ୍ଧି ପ୍ରାୟ ୩% ରହିଛି, ଯାହା ଆଖୁର ଉଚିତ୍‍ ଏବଂ ଲାଭକାରୀ ଦର (ଏଫଆରପି) ବୃଦ୍ଧି ସହିତ ସମାନ ଅଟେ।

ବାସ୍ତବରେ, ଅନ୍ତର୍ଜାତୀୟ ଚିନି ମୂଲ୍ୟ ଭାରତ ତୁଳନାରେ ପ୍ରାୟ ୫୦% ଅଧିକ । ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୩ ଟଙ୍କା ଏବଂ ଏହା କେବଳ ସୀମା ମଧ୍ୟରେ ରହିବାର ସମ୍ଭାବନା ଅଛି । ବାସ୍ତବରେ ନିମ୍ନଲିଖିତ ଗ୍ରାଫରୁ ଏହା ଦେଖାଯାଇପାରେ ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଚିନି ମୂଲ୍ୟରେ ବାର୍ଷିକ ୨% ବୃଦ୍ଧି ଘଟିଛି । ସରକାରୀ ନୀତିଗତ ହସ୍ତକ୍ଷେପ ଯୋଗୁଁ ଘରୋଇ ମୂଲ୍ୟ ଅଳ୍ପ ବୃଦ୍ଧି ସହିତ ସ୍ଥିର ରଖାଯାଇଛି ।

ଠିକ ସମୟରେ ସରକାରୀ ହସ୍ତକ୍ଷେପ ଯୋଗୁଁ ଚିନି କ୍ଷେତ୍ରକୁ ସଙ୍କଟରୁ ବାହାର କରାଯାଇ ପାରିଛି । ଚିନି କ୍ଷେତ୍ରର ଦୃଢ ସିଦ୍ଧାନ୍ତ ଏବଂ ଦେଶରେ ପର୍ଯ୍ୟାପ୍ତ ପରିମାଣର ଆଖୁ ଏବଂ ଚିନି ଉତ୍ପାଦନ ସୁନିଶ୍ଚିତ କରିଛି ଯେ ଚିନି ପ୍ରତ୍ୟେକ ଭାରତୀୟ ଗ୍ରାହକଙ୍କ ପାଇଁ ସହଜରେ ଉପଲବ୍ଧ ହେବ ।

ବର୍ତ୍ତମାନର ଚିନି ଉତ୍ପାଦନ ଋତୁ (ଅକ୍ଟୋବର-ସେପ୍ଟେମ୍ବର) ୨୦୨୨-୨୩ ସମୟରେ, ଇଥାନଲ ଉତ୍ପାଦନ ପାଇଁ ପ୍ରାୟ ୪୩ ଏଲଏମଟି ଯିବା ପରେ ଭାରତରେ ୩୩୦ ଏଲଏମଟି ଚିନି ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି । ସେହିପରି, ଦେଶରେ ସମୁଦାୟ ସୁକ୍ରୋଜ୍ ଉତ୍ପାଦନ ପ୍ରାୟ ୩୭୩ ଏଲଏମଟି ହେବ ଯାହା ଗତ ୫ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ତେବେ ଗତ ୧୦ ବର୍ଷ ମଧ୍ୟରେ ଚିନି ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ଘଟିଛି; ତଥାପି, ସମାନ ଅନୁପାତରେ ବ୍ୟବହାର ବୃଦ୍ଧି ହୋଇନାହିଁ; ଏହା ଦ୍ୱାରା କୌଣସି ଅପ୍ରତ୍ୟାଶିତ ଘଟଣା ପାଇଁ ପର୍ଯ୍ୟାପ୍ତ ମହଜୁଦକୁ ନିଶ୍ଚିତ କରିଛି ।

ଜୁଲାଇ ୨୦୨୩ ଶେଷରେ, ଭାରତରେ ପ୍ରାୟ ୧୦୮ ଏଲଏମଟି ର ଚିନି ମହଜୁଦ ଅଛି, ଯାହା ବର୍ତ୍ତମାନର ଚିନି ଋତୁ ୨୦୨୨-୨୩ ର ଅବଶିଷ୍ଟ ମାସ ପାଇଁ ଘରୋଇ ଚାହିଦା ପୂରଣ କରିବା ପାଇଁ ଏବଂ ଋତୁ ଶେଷରେ ପ୍ରାୟ ୬୨ ଏଲଏମଟି ର ସର୍ବୋଚ୍ଚ ମହଜୁଦ ପାଇଁ ଯଥେଷ୍ଟ । ଏହିପରି, ଘରୋଇ ଗ୍ରାହକଙ୍କ ପାଇଁ ବର୍ଷସାରା ଯଥେଷ୍ଟ ମୂଲ୍ୟରେ ଚିନି ଉପଲବ୍ଧ ।

ଏଥିସହ, ଆଖୁ ଚାଷୀଙ୍କ ଉଚିତ୍‍ ଏବଂ ଲାଭକାରୀ ମୂଲ୍ୟ ସୁନିଶ୍ଚିତ କରିବା ସହିତ ଚିନି ମିଲ୍ ଦ୍ୱାରା ଠିକ୍ ସମୟରେ ଦେୟ ପ୍ରଦାନ କରାଯାଇ ସମାଧାନ କରାଯାଉଛି । ୨୦୨୧-୨୨ ପର୍ଯ୍ୟନ୍ତ ଚିନି ଋତୁ ପାଇଁ ଆଖୁ ଚାଷୀଙ୍କ ୯୯.୯% ଆଖୁ ଦେୟ ଚିନି ମିଲ୍ ଦ୍ୱାରା ଦିଆଯାଇ ସାରିଛି । ବର୍ତ୍ତମାନର ଚିନି ଋତୁ ୨୦୨୨-୨୩ ପାଇଁ ୧.୦୫ ଲକ୍ଷ କୋଟିରୁ ଅଧିକ ଦେୟ ସହିତ, ପ୍ରାୟ ୯୩% ଆଖୁ ଦେୟ ବର୍ତ୍ତମାନ ସୁଦ୍ଧା ଦିଆଯାଇ ସାରିଛି ।

ତେଣୁ, ତିନି ପ୍ରମୁଖ ହିତାଧିକାରୀ, ଗ୍ରାହକ, କୃଷକ ଏବଂ ଚିନି ମିଲର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ସରକାର ତାଙ୍କର ଉପଯୁକ୍ତ ନୀତି, ସ୍ଥିର ମୂଲ୍ୟ ଏବଂ କୃଷକଙ୍କ ଆଖୁ ଦେୟ ଠିକ୍ ସମୟରେ ପ୍ରଦାନ କରି ତାହାକୁ ସୁରକ୍ଷିତ ରଖିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ସଂସଦର ଆଗାମୀ ଅଧିବେଶନରେ ଆଗତ ହୋଇପାରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୧୩

ନୂଆଦିଲ୍ଲୀ: ଭାରତ ସରକାର ଡିସେମ୍ବର ୨୦୧୯ ରେ ସଂସଦରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୧୯ ପ୍ରଣୟନ କରିଥିଲେ। ସଂସଦର ମିଳିତ କମିଟିରେ ବିଚାର ପାଇଁ ଏହି ବିଲ୍ ପଠାଯାଇଥିଲା। ମିଳିତ କମିଟିର ପରାମର୍ଶ ପରେ ବାଚସ୍ପତିଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲା। ହିତାଧିକାରୀ ଏବଂ ବିଭିନ୍ନ ଏଜେନ୍ସିଙ୍କ ମତାମତକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୨ ରେ ଏହି ବିଲ୍ କୁ ପ୍ରତ୍ୟାହାର କରାଯାଇଥିଲା।

ନଭେମ୍ବର ୧୮ ତାରିଖ ୨୦୨୨ ରେ ସରକାର ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ବିଲ୍ ନାମକ ଏକ ନୂତନ ଡ୍ରାଫ୍ଟ ବିଲ୍ ପ୍ରକାଶ କରିଥିଲେ ଏବଂ ଏହି ଡ୍ରାଫ୍ଟ ଉପରେ ଜନ ପରାମର୍ଶ ଆରମ୍ଭ କରିଥିଲେ। ଏହି ବିଷୟ ସମ୍ବନ୍ଧରେ ଏକ ବ୍ୟାପକ ଏବଂ ବିସ୍ତୃତ ପରାମର୍ଶ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ମୁଖ୍ୟାଂଶ ଗୁଡ଼ିକ ହେଉଛି:

– ଜନସାଧାରଣଙ୍କ ଠାରୁ, ୨୧,୬୬୬ ମନ୍ତବ୍ୟ ଗ୍ରହଣ କରାଯାଇଥିଲା।
– ୪୬ ଟି ଵୃତ୍ତଖଣ୍ଡ ସଂଗଠନ, ଇଣ୍ଡଷ୍ଟ୍ରି ସଂସ୍ଥା ସହିତ ଅନ୍ୟାନ ସଂଘ ଇତ୍ୟାଦିଙ୍କ ସହିତ ପରାମର୍ଶ କ୍ରମ ଅନୁଷ୍ଠିତ ହୋଇଥିଲା।
– ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ /ବିଭାଗରୁ ମଧ୍ୟ ମନ୍ତବ୍ୟ ଗ୍ରହଣ କରାଯାଇଥିଲା।

ପରାମର୍ଶ ଏବଂ ମନ୍ତବ୍ୟଗୁଡିକରେ ଉତ୍ପନ୍ନ ହୋଇଥିବା ପ୍ରସଙ୍ଗ ଗୁଡିକ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯାଇଥିଲା ଏବଂ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୨୩ର ଡ୍ରାଫ୍ଟ ଚୂଡାନ୍ତ ହୋଇଥିଲା।

ସଂସଦର ଆଗାମୀ ଅଧିବେଶନରେ ଏହି ବିଲ୍ ଆଗତ କରିବାକୁ ବର୍ତ୍ତମାନ ପ୍ରସ୍ତୁତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଖୋର୍ଦ୍ଧା: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଟାଉନ୍ ହଲ୍ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରର ‘‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’’, ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଯୁଗ୍ମ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ କର୍ମଶାଳା ସରକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପ୍ରତ୍ୟକ୍ଷ ସମ୍ବାଦ ସ୍ଥାପନ କରିବାର ଏକ ମାଧ୍ୟମ। ସେ ଆହୁରି କହିଥିଲେ ଯେ, କେବଳ ସୂଚନାକୁ ଖବର ବୋଲି କୁହାଯାଇପାରିବ ନାହିଁ। ସୂଚନାକୁ ସଠିକ୍ ଢଙ୍ଗରେ ପରିବେଷଣ କଲେ ତାହା ଖବର ହୋଇଥାଏ। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଜରିଆରେ ମିଛ ଖବର ବହୁଳ ଭାବେ ପ୍ରସାରିତ ହେଉଛି। ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟସ୍ରୋତର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଡକ୍ଟର ଦାଶ କହିଥିଲେ। ଏହି କ୍ରମରେ ସେ ପିଆଇବି ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଏକ ଫ୍ୟାକ୍ଟଚେକ ୟୁନିଟ୍ ପରିଚାଳନା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ଖୋର୍ଦ୍ଧା ମାଟିର ଅବଦାନ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ଦେଶବାସୀଙ୍କର ସର୍ବାଙ୍ଗୀଣ ଉନ୍ନତି ହୋଇଛି ତଥା ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଛି।

‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’ ବିଷୟବସ୍ତୁ ଉପରେ ଉଦବୋଧନ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ ଯେ, ଏନଡିଏ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏକଦା ନୀତିଗତ ପକ୍ଷାଘାତର ଶିକାର ଦେଶ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୃଢ଼ ଓ ନିର୍ଣ୍ଣାୟକ ପ୍ରଶାସନ ପାଇଁ ପରିଚିତ ହୋଇପାରିଛି। ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ସ୍ୱାଭାବିକ ବିକାଶ ହାର ହାସଲ କରିଥିବା ବେଳେ ବିପତ୍ତିକୁ ଅବସରରେ ପରିଣତ କରିବାରେ ଦେଶ ସଫଳ ହୋଇଛି। ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ଲାଭ କରିଥିବା ବେଳେ ଖୁବଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର କମିଛି। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅଭିଯାନ ସାମାଜିକ-ଆର୍ଥିକ ବିକାଶକୁ ସୁଦୃଢ଼ କରିଛି ବୋଲି ଶ୍ରୀ ସାହୁ କହିଥିଲେ। ଶ୍ରୀ ସାହୁ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବରିଷ୍ଠ ପ୍ରାଧ୍ୟାପକ, ଲେଖକ ତଥା ବକ୍ତା ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ‘‘ସ୍ୱାଧୀନତାର ଅମୃତ ମହୋତ୍ସବ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଭୂମିକା’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଉଦାହରଣ ଦେଇ ଦେଶକୁ ସ୍ୱାଧୀନ କରିବା ଲାଗି ଖୋର୍ଦ୍ଧା ମାଟିର ମହାନ ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହିତ ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଗଣମାଧ୍ୟମ ପ୍ରତିନିଧି କର୍ମଶାଳାରେ ଉପସ୍ଥିତ ରହିଥିଲେ।

Categories
ବିଶେଷ ଖବର

ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା: ଓଡ଼ିଶା ପାଇଁ ୪ ହଜାର ୫୨୮ କୋଟି ମଞ୍ଜୁର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଦେଶର ୧୬ ରାଜ୍ୟ ପାଇଁ ୫୬,୪୧୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’ ଅଧୀନରେ ଏହି ଅନୁମୋଦନ ମିଳିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ପୁଞ୍ଜି ନିବେଶ ନିମନ୍ତେ ୪ ହଜାର ୫୨୮ କୋଟି ଟଙ୍କା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ମଞ୍ଜୁର ଅର୍ଥରାଶିର ରାଜ୍ୟୱାରୀ ବିବରଣୀ ନିମ୍ନରେ ଦିଆଗଲା :-

(କୋଟି ଟଙ୍କାରେ)

କ୍ରଂସଂ ରାଜ୍ୟ ମଞ୍ଜୁର ଅର୍ଥରାଶି
  ଅରୁଣାଚଳ ପ୍ରଦେଶ ୧୨୫୫
  ବିହାର ୯୬୪୦
  ଛତିଶଗଡ଼ ୩୧୯୫
  ଗୋଆ ୩୮୬
  ଗୁଜରାଟ ୩୪୭୮
  ହରିୟାଣା ୧୦୯୩
  ହିମାଚଳ ପ୍ରଦେଶ ୮୨୬
  କର୍ଣ୍ଣାଟକ ୩୬୪୭
  ମଧ୍ୟପ୍ରଦେଶ ୭୮୫୦
  ମିଜୋରାମ ୩୯୯
  ଓଡ଼ିଶା ୪୫୨୮
  ରାଜସ୍ଥାନ ୬୦୨୬
  ସିକ୍କିମ୍ ୩୮୮
  ତାମିଲନାଡୁ ୪୦୭୯
  ତେଲଙ୍ଗାନା ୨୧୦୨
  ପଶ୍ଚିମବଙ୍ଗ ୭୫୨୩

ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଶକତି, ସଡ଼କ, ସେତୁ ଏବଂ ରେଳ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟ ଭାଗ ପୂରଣ କରିବା ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଠି ଯୋଗାଇ ଦିଆଯାଇଛି। ଫଳରେ ଏସବୁ ଯୋଜନା ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର କାମ ତ୍ୱରାନ୍ୱିତ ହୋଇପାରିବ।

ପୁଞ୍ଜି ବ୍ୟୟର ଉଚ୍ଚ ବହୁଗୁଣିତ ପ୍ରଭାବକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କ ଦ୍ୱାରା ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୨୩-୨୪ ସାଧାରଣ ବଜେଟ୍‌ରେ ‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’ର ଘୋଷଣା କରାଯାଇଥିଲା। ଏହି ଯୋଜନା ଅଧୀନରେ, ରାଜ୍ୟ ସରକାରଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ ଆକାରରେ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବମୋଟ୍‌ ୧.୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏହି ଯୋଜନାର ଆଠଟି ଭାଗ ରହିଛି, ପ୍ରଥମ ଭାଗରେ ୧ ଲକ୍ଷ କୋଟି ଟଙ୍କାର ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି। ଏହି ପରିମାଣ ପଞ୍ଚଦଶ ଅର୍ଥ ଆୟୋଗଙ୍କ ବରାଦ ଅନୁଯାୟୀ, କେନ୍ଦ୍ରୀୟ ଟିକସ ଓ ଶୁଳ୍କ ଭାଗ ଆକାରରେ ରାଜ୍ୟମାନଙ୍କୁ ଆବଣ୍ଟନ କରାଯାଇଛି। ଯୋଜନାର ଅନ୍ୟ ଭାଗଟି ସଂସ୍କାର ସହ ଜଡ଼ିତ କିମ୍ବା କ୍ଷେତ୍ର ନିର୍ଦ୍ଧାରିତ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ।

ଯୋଜନାର ଦ୍ୱିତୀୟ ଭାଗରେ, ୩ହଜାର କୋଟି ଟଙ୍କା ରାଜ୍ୟମାନଙ୍କୁ ପ୍ରୋତ୍ସାହନ ଆକାରରେ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରୀ ଗାଡ଼ି ଓ ଆମ୍ବୁଲାନ୍ସ ସ୍କାର୍ପିଂ, ପୁରୁଣା ଗାଡ଼ି ଉପରେ ଦେୟତା ଛାଡ଼, ପୁରୁଣା ଗାଡ଼ି ସ୍କାର୍ପିଂ ପାଇଁ ବ୍ୟକ୍ତିବିଶେଷମାନଙ୍କୁ ଟିକସ ରିହାତି ଯୋଗାଇ ଦେବା ଏବଂ ସ୍ୱୟଂକ୍ରିୟ ଯାନ ପରୀକ୍ଷା ସୁବିଧା ପ୍ରତିଷ୍ଠା ପାଇଁ ଏହି ଭାଗରେ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି । ଯୋଜନାର ଭାଗ-୩ ଓ ୪କୁ ସହରାଞ୍ଚଳ ଯୋଜନା ପ୍ରସ୍ତୁତି ଓ ସହରାଞ୍ଚଳ ଅର୍ଥ ଯୋଗାଣରେ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରଖାଯାଇଛି। ସହରାଞ୍ଚଳ ଯୋଜନା ପ୍ରସ୍ତୁତି ସଂସ୍କାର ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ସହରାଞ୍ଚଳ ପ୍ରଶାସନକୁ ବିଶ୍ୱସନୀୟ କରିବା ଏବଂ ସେମାନଙ୍କର ଅର୍ଥଯୋଗାଣରେ ସୁଧାର ଆଣିବା ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ଅତିରିକ୍ତ ୫ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାରେ ସହରାଞ୍ଚଳର ପୋଲିସ୍ ଷ୍ଟେସନ ମଧ୍ୟରେ ପୋଲିସ୍ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କ ପାଇଁ ଆବାସ ଷ୍ଟକ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୋଜନାର ପଞ୍ଚମ ଭାଗରେ ଏହି ଉଦ୍ଦେଶ୍ୟ ଲାଗି ୨ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାର ଆଉ ଏକ ଲକ୍ଷ୍ୟ ହେଉଛି ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରିବା ଏବଂ ‘‘ମେକ୍‌ ଇନ୍‌ ଇଣ୍ଡିଆ’’ର ଅବଧାରଣାକୁ ଆଗେଇ ନେବା ସହିତ ପ୍ରତ୍ୟେକ ରାଜ୍ୟରେ ୟୁନିଟୀ ମଲ୍‌ ନିର୍ମାଣ ଜରିଆରେ ଏକ ଜିଲ୍ଲା, ଏକ ଉତ୍ପାଦ (ଓଡିଓପି)କୁ ପ୍ରୋତ୍ସାହିତ କରିବା। ଯୋଜନାର ଷଷ୍ଠ ଭାଗରେ ଏ ବାବଦରେ ୫ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଯୋଜନାର ସପ୍ତମ ଭାଗରେ, ପଞ୍ଚାୟତ ଓ ୱାର୍ଡ ସ୍ତରରେ ପିଲା ଓ କିଶୋରଙ୍କ ପାଇଁ ଡିଜିଟାଲ ଭିତ୍ତିଭୂମି ସହିତ ପାଠାଗାର ପ୍ରତିଷ୍ଠା ଲାଗି ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବିଗତ ଆର୍ଥିକ ବର୍ଷରେ ‘‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ବିଶେଷ ସହାୟତା ୨୦୨୨-୨୩’ ଶୀର୍ଷକ ଏକ ସମାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ ୯୫,୧୪୭.୧୯ କୋଟି ଟଙ୍କା ଅନୁମୋଦନ ହୋଇଥିବା ବେଳେ ଗତବର୍ଷ ରାଜ୍ୟମାନଙ୍କୁ ୮୧,୧୯୫.୩୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

ପୁଞ୍ଜିନିବେଶ/ବ୍ୟୟ ଲାଗି ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଜନା ପ୍ରଥମ ଥର ପାଇଁ ୨୦୨୦-୨୧ରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। କୋଭିଡ-୧୯ ମହମାରୀକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କ ଦ୍ୱାରା ପୁଞ୍ଜିଗତ ବ୍ୟୟକୁ ସମୟୋପଯୋଗୀ ପ୍ରୋତ୍ସାହନ ଦେବାରେ ଏହା ସହାୟକ ହୋଇଥିଲା। ଏହି ଯୋଜନାର ନମନୀୟତା ଓ ସରଳତାକୁ ପ୍ରାକ୍‌-ବଜେଟ୍‌ ବିଚାରବିମର୍ଶ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନଙ୍କ ଠାରୁ ଉଚ୍ଚ ପ୍ରଶଂସା ମିଳିଛି।

Categories
ଆଞ୍ଚଳିକ

ଚିଲିକା: ବଡ଼କୁଳସ୍ଥିତ ଓଡ଼ି ଆର୍ଟ ସେଣ୍ଟରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩ ଅବସରରେ ପର୍ଯ୍ୟଟନ ମନ୍ତ୍ରାଳୟ, ଭାରତ ସରକାର ପକ୍ଷରୁ ଆଜି ଓଡ଼ି ଆର୍ଟ ସେଣ୍ଟର, ବଡ଼କୁଳ, ଚିଲିକା ଠାରେ ଗଣ ଯୋଗ ପ୍ରଦର୍ଶନ କରାଯାଇଥିଲା। ଚଳିତ ବର୍ଷ ଯୋଗ ଦିବସ ପାଳନର ବିଷୟବସ୍ତୁ ହେଉଛି “ୟୋଗା ଫର୍ ବସୁଧୈବ କୁଟୁମ୍ବକମ୍‌”।

ଏହି ଅବସରରେ ପତଞ୍ଜଳି ଯୋଗ ଗୁରୁ ପ୍ରଶାନ୍ତ କୁମାର ସାହୁ ଯୋଗର ସାଧାରଣ ସତର୍କତା ଓ ଆଦମ କାଇଦା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୟୁବା ଟ୍ୟୁରିଜିମ୍ କ୍ଲବ୍‌, ସେଂଟ ଜାଭିଅର ହାଇ ସ୍କୁଲ୍‌, ବାଣପୁର, ଖୋର୍ଦ୍ଧା ଏବଂ ପର୍ଯ୍ୟଟନ ହିତାଧିକାରୀ, ସମ୍ମାନିତ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଏହି ଗଣ ଯୋଗ ପ୍ରଦର୍ଶନ ଉତ୍ସବରେ ପ୍ରାୟ ୨୦୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରକୁଳ ଗ୍ରାମ ପଂଚାୟତର ସରପଂଚ ପ୍ରହ୍ଲାଦ କୁମାର ବେହେରା, ଓଡ଼ି ଆର୍ଟ ସେଂଟର, ବରକୁଳର ସେକ୍ରେଟାରୀ ମାନସ ରଞ୍ଜନ ପଟ୍ଟନାୟକ, ସେଂଟ ଜାଭିଅର ହାଇ ସ୍କୁଲ୍‌, ବାଣପୁରର ଅଧ୍ୟକ୍ଷ ଶ୍ରୀଶକ୍ତି ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ଭାରତ ପର୍ଯ୍ୟଟନ ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶିକା ରଶ୍ମି ସୋନିଆ ତିର୍କୀ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ସଂଚାର ବ୍ୟୁରୋ ବାଲେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, (ସିବିସି) ବାଲେଶ୍ୱର ଶାଖା ଏବଂ ସ୍ଥାନୀୟ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଶିକ୍ଷକ ତଥା କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟର ଅଧ୍ୟାପକ ସଞ୍ଜୀବ କୁମାର ତାଲଦି, ଏନଏସଏସ ପ୍ରୋଗ୍ରାମ ଅଧିକାରୀ ସ୍ମୃତିରେଖା ଟୁଡୁ, ସସ୍ମିତା ପଣ୍ଡା, ଅଧ୍ୟାପକ ରଞ୍ଜନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଯୋଗଦ୍ୱାରା କିଭଳି ଶାରୀରିକ ଏବଂ ମାନସିକ ସୁସ୍ଥତା ହାସଲ କରିହେବ ସେ ବିଷୟରେ ଅତିଥିମାନେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ପିଲାମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ସହର ପରିକ୍ରମା କରିଥିଲା।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସହଯୋଗୀ ଖଗେଶ ବାଇପାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ।

ଯୋଗ ଦିବସ ଉପଲକ୍ଷେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଲିଖନ ଏବଂ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରଦ୍ଧା କ୍ରିଏଟିଭ୍‌ ଆର୍ଟସ୍‌ ପକ୍ଷରୁ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଠାରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି।

ଆଜି ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥ ଯାତ୍ରା ଦର୍ଶନ କରିବେ। ପୁରୀ ବଡ଼ ଦାଣ୍ଡ ଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ କେନ୍ଦ୍ର ମନ୍ତ୍ରୀ ଉଦଘାଟନ କରିବେ। ଏହି ପ୍ରଦର୍ଶନୀ ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଓ ମିଶନ ଲାଇଫ୍ ବିଷୟବସ୍ତୁ ଉପରେ ଆୟୋଜନ କରାଯିବ। ଏହା ପରେ କେନ୍ଦ୍ର ମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବେ।

ସେ ମଧ୍ୟ ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Categories
ଆଜିର ଖବର ଜାତୀୟ ଖବର

୨୦୨୧ ବର୍ଷ ପାଇଁ ଘୋଷଣା ହେଲା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଗୋରଖପୁରର ଗୀତା ପ୍ରେସକୁ ପ୍ରଦାନ କରାଯିବ।

ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି ମହାତ୍ମା ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ଦ୍ୱାରା ୧୯୯୫ ମସିହାରେ ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର। ଜାତୀୟତା, ଜାତି, ଭାଷା, ଜାତି, ଧର୍ମ କିମ୍ବା ଲିଙ୍ଗ ନିର୍ବିଶେଷରେ ଏହି ପୁରସ୍କାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଛି।

ଏହି ପୁରସ୍କାରରେ ୧ କୋଟି ଟଙ୍କା , ଏକ ପ୍ରଶସ୍ତି ପତ୍ର,  ଏକ ଫଳକ ଏବଂ ଏକ ସୂକ୍ଷ୍ମ ପାରମ୍ପରିକ ହସ୍ତକଳା / ହସ୍ତତନ୍ତ ସାମଗ୍ରୀ ପ୍ରଦାନ କରାଯିବ।

ବିଗତ ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ଇସ୍ରୋ, ରାମକୃଷ୍ଣ ମିଶନ, ବାଂଲାଦେଶର ଗ୍ରାମୀଣ ବ୍ୟାଙ୍କ, ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ, ଅକ୍ଷୟ ପାତ୍ର, ବେଙ୍ଗାଲୁରୁ, ଏକଲ ଅଭିଯାନ ଟ୍ରଷ୍ଟ, ଭାରତ ଏବଂ ସୁଲଭ ଇଣ୍ଟରନ୍ୟାସନାଲ, ନୂଆଦିଲ୍ଲୀ ଭଳି ସଙ୍ଗଠନ ଅନ୍ତର୍ଭୁକ୍ତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡକ୍ଟର ନେଲସନ ମାଣ୍ଡେଲା, ତାଞ୍ଜାନିଆର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଜୁଲିୟସ ନାଇରେରେ, ଶ୍ରୀଲଙ୍କାର ସର୍ବୋଦୟ ଶ୍ରମଦାନ ଆନ୍ଦୋଳନର ପ୍ରତିଷ୍ଠାତା ସଭାପତି ଡଃ. ଏ .ଟି. ଆରିୟାରତ୍ନେ, , ଫେଡେରାଲ୍ ରିପବ୍ଲିକ୍ ଅଫ୍ ଜର୍ମାନୀର ଡକ୍ଟର ଗେର୍ହଡ୍ ଫିସର, ବାବା ଆମତେ, ଡଃ ଜନ୍ ହ୍ୟୁମ୍‌, ଆୟର୍ଲାଣ୍ଡ, ଚେକୋସ୍ଲୋଭାକିଆର ପୂର୍ବତନ ରାଷ୍ଟ୍ରପତି ଭାକ୍‌ଲାଭ ହାଭେଲ, ଦକ୍ଷିଣ ଆଫ୍ରିକାର ଆର୍କବିଶପ ଡେସମଣ୍ଡ ଟୁଟୁ, ଚଣ୍ଡି ପ୍ରସାଦ ଭଟ୍ଟ ଏବଂ ଜାପାନର ୟୋହି ସାସାକାୱାଙ୍କ ପରି ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଏହା ପ୍ରଦାନ କରାଯାଇଛି।

ସମ୍ପ୍ରତି ପୁରସ୍କାର ପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ବାଂଲାଦେଶର ସୁଲତାନ କାବୁସ୍ ବିନ୍ ସୟଦ ଅଲ ସୟଦ, ଓମାନ (୨୦୧୯) ଏବଂ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ (୨୦୨୦), ବାଙ୍ଗଲାଦେଶ ଅନ୍ତର୍ଭୁକ୍ତ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି  ୧୮ ଜୁନ୍‌, ୨୦୨୩ ରେ ବିଚାରବିମର୍ଶ ପରେ ସର୍ବସମ୍ମତି କ୍ରମେ ଗୋରଖପୁର ସ୍ଥିତ ଗୀତା ପ୍ରେସ୍‌କୁ ଏହାର  ସାମାଜିକ, ଅର୍ଥନୈତିକ, ରାଜନୈତିକ ପରିବର୍ତ୍ତନ   କ୍ଷେତ୍ରରେ ଅହିଂସା ତଥା ଅନ୍ୟାନ୍ୟ ଗାନ୍ଧୀ ପ୍ରଣାଳୀ ମାଧ୍ୟମରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରାପ୍ତକର୍ତ୍ତା ରୂପରେ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ।

୧୯୨୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଗୀତା ପ୍ରେସ୍ ବିଶ୍ୱର ସର୍ବବୃହତ ପ୍ରକାଶକ ମାନଙ୍କ ମଧ୍ୟରୁ ଅନ୍ୟତମ, ଯାହା ୧୬.୨୧ କୋଟି ଶ୍ରୀମଦ୍ ଭଗବଦ୍ ଗୀତା ସମେତ ୧୪ ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ କରିଛି। ନିଜର ରାଜସ୍ୱ ସୃଷ୍ଟି ପାଇଁ ଅନୁଷ୍ଠାନ ଏହାର ପ୍ରକାଶନରେ ବିଜ୍ଞାପନ ଉପରେ କେବେ ବି ନିର୍ଭର କରେ ନାହିଁ। ଗୀତା ପ୍ରେସ୍ ଏହାର ଅନୁବନ୍ଧିତ ସଂଗଠନ ଗୁଡିକ ସହିତ ଜୀବନର ଉନ୍ନତି ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ଚେଷ୍ଟା କରେ।

ଶାନ୍ତି ଏବଂ ସାମାଜିକ ସମନ୍ୱୟର ଗାନ୍ଧୀବାଦୀ ଆଦର୍ଶ ଗୁଡିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୀତା ପ୍ରେସର ଅବଦାନକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ ଗୀତା ପ୍ରେସ୍ ପ୍ରତିଷ୍ଠା ହେବାର ଶହେ ବର୍ଷ ପୂରଣ ହେବା ପରେ ସମାଜ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ଦ୍ୱାରା କରାଯାଇଥିବା କାର୍ଯ୍ୟର ସ୍ୱୀକୃତି ହେଉଛି ଏଠାରେ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ।

ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧, ମାନବିକତାର ସାମୂହିକ ଉନ୍ନତିରେ ଯୋଗଦାନ କରିବାରେ ଗୀତା ପ୍ରେସର ଗୁରୁତ୍ୱପୂର୍ଣ୍ଣ ତଥା ଅଦ୍ୱିତୀୟ ଅବଦାନକୁ ସ୍ୱୀକୃତି ଦେଇଥାଏ, ଯାହା ପ୍ରକୃତ ଅର୍ଥରେ ଗାନ୍ଧୀବାଦୀ ଜୀବନର ପ୍ରତୀକ ଅଟେ।

Categories
ଆଜିର ଖବର ଜାତୀୟ ଖବର

ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ଗଠନ କଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ମଣିପୁରରେ ଶାନ୍ତି କମିଟି ଗଠନ କରିଛନ୍ତି। କମିଟିର ସଦସ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ରହିଛନ୍ତି। ଏହି କମିଟିରେ ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଆଦିବାସୀ ଗୋଷ୍ଠିର ପ୍ରତିନିଧି ମଧ୍ୟ ଅଛନ୍ତି।

କମିଟିର କାର୍ଯ୍ୟ ହେଉଛି ବିଭିନ୍ନ ଆଦିବାସୀ ଗୋଷ୍ଠି ମଧ୍ୟରେ ଶାନ୍ତି ସ୍ଥାପନ ପ୍ରକ୍ରିୟାକୁ ସହଜ କରିବା, ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ବିବାଦୀୟ ଦଳ/ଗୋଷ୍ଠୀ ମଧ୍ୟରେ ବୁଝାମଣା କରିବା। କମିଟି ସାମାଜିକ ଏକତା, ପାରସ୍ପରିକ ବୁଝାମଣାକୁ ଦୃଢ କରିବା ଏବଂ ବିଭିନ୍ନ ଆଦିବାସୀ ଗୋଷ୍ଠି ମଧ୍ୟରେ ସୌହାଦ୍ୟପୂର୍ଣ୍ଣ ଯୋଗାଯୋଗକୁ ସୁଗମ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ୨୯ ମଇ ୨୦୨୩ ରୁ ୧ ଜୁନ୍ ୨୦୨୩ ମଧ୍ୟରେ ମଣିପୁର ଗସ୍ତ କରିଥିଲେ ଏବଂ ପରିସ୍ଥିତିର ଅନୁଧ୍ୟାନ କରିବା ପରେ ଶାନ୍ତି କମିଟି ଗଠନ ସଂକ୍ରାନ୍ତରେ ଘୋଷଣା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବିଦ୍ୟୁତ ବିକ୍ରି ରାଜିନାମା ଅଧୀନରେ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ଶକ୍ତି ଯୋଗାଇ ଦେବ ଏସଇସିଆଇ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ସୌର ଶକ୍ତି ନିଗମ (ଏସଇସିଆଇ) ଓଡ଼ିଶା ସରକାରଙ୍କ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅଧୀନରେ ଓଡ଼ିଶାର ଗ୍ରିଡକୋ ଭାରତୀୟ ସୌର ଶକ୍ତି ନିଗମ ଠାରୁ ପବନ ବିଦ୍ୟୁତ ପ୍ରକଳ୍ପ ଯୋଜନା ସହ ଜଡ଼ିତ ଆଇଏସଟିଏସ (ଆନ୍ତରାଜ୍ୟ ସଞ୍ଚାରଣ ପ୍ରଣାଳୀ)ର ଭାଗ – XIII ଅଧୀନରେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି କିଣିବ। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଆଇଏସଟିଏସ ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ସମ୍ପଦରେ ସମୃଦ୍ଧ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଅକ୍ଷୟ ଶକ୍ତି ଅଭାବ ଥିବା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

ଆଜି, 9 ଜୁନ 2023ରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଏସଇସିଆଇ ଏବଂ ଗ୍ରିଡକୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଗ୍ରିଡକୋ ଦ୍ୱାରା 600 ମେଗାୱାଡ୍‌ ପବନ ବିଦ୍ୟୁତ କ୍ରୟ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପୂର୍ବରୁ ନୀତିଗତ ମଞ୍ଜୁରି ଦେଇ ସାରିଛନ୍ତି। ବିଦ୍ୟୁତ ପ୍ରକଳ୍ପର  ଉତ୍ପାଦନକାରୀଙ୍କ ସହିତ ବିଦ୍ୟୁତ କ୍ରୟ ରାଜିନାମା ସ୍ୱାକ୍ଷର ହେବା ତାରିଖ ଠାରୁ 24 ମାସ ମଧ୍ୟରେ ବିଦ୍ୟୁତ ଯୋଗାଇ ଦିଆଯିବ।

ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଥିବା ବିଦ୍ୟୁତ ଉତ୍ପାଦନକାରୀମାନେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବେ।

ଏସଇସିଆଇ ହେଉଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଏକ ମିନିରତ୍ନ ପ୍ରଥମ ଶ୍ରେଣୀର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯାହାକୁ 2011ରେ ଗଠନ କରାଯାଇଥିଲା। ଭାରତର ଅନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ଅକ୍ଷୟ ଶକ୍ତି ଯୋଜନା ଏବଂ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଏହା ମନ୍ତ୍ରଣାଳୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ।

ବର୍ତ୍ତମାନ ସୁଦ୍ଧା ଏସଇସିଆଇ 58 ଗିଗାୱାଟ୍‌ରୁ ଅଧିକ ଅକ୍ଷୟ ଶକ୍ତି ପ୍ରକଳ୍ପର କ୍ଷମତା ପ୍ରସ୍ତୁତ କରିଛି। ଏସଇସିଆଇ ନିଜସ୍ୱ ନିବେଶ ସହିତ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା (ପିଏମସି) ରୂପରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅନ୍ୟ ସଂସ୍ଥାମାନଙ୍କ ଲାଗି ପ୍ରକଳ୍ପର ପ୍ରତିଷ୍ଠାରେ ମଧ୍ୟ ସକ୍ରିୟ ରହିଛି। ଏସଇସିଆଇକୁ ଆଇସିଆରଏର ଟ୍ରିପଲ୍‌ ଏ କ୍ରେଡିଟ୍‌ ରେଟିଂ ମିଳିଛି।

ଗ୍ରିଡକୋ ବର୍ତ୍ତମାନ ଓଡ଼ିଶା ରାଜ୍ୟର ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ମୋଟ ଆକାରରେ ବିଦ୍ୟୁତ କିଣିବା ଓ ବିକ୍ରି କରିବା ଦାୟିତ୍ୱ ବହନ କରୁଛି । ପଡ଼ୋଶୀ ରାଜ୍ୟ ସହ ବିଦ୍ୟୁତ ବିନିମୟକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସାୟୀମାନଙ୍କ ମାଧ୍ୟମରେ ବଳକା ବିଦ୍ୟୁତ ବିକ୍ରି କରିବା କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରିଥାଏ।

Categories
ଆଞ୍ଚଳିକ

ବାଣପୁରରେ ଜନ ଭାଗିଦାରୀ ଦିବସ ପାଳିତ

ସୀତାରାମ ଅଗ୍ରୱାଲ
ବାଣପୁର: ସରକାରଙ୍କ ନିର୍ଦ୍ଦେଶ ମୁତାବକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜାଣିବାର ଅଧିକାରକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ସମସ୍ତଙ୍କୁ ସେଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁର ବିଇଓ ସନାତନ ଜାଲି ବ୍ଲକରେ ସମୁଦାୟ ୧୨ଟି ସ୍କୁଲକୁ କ୍ଲଷ୍ଟର ଭାବେ ଗ୍ରହଣ କରି ସେଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି।

ଉକ୍ତ କ୍ଲଷ୍ଟର ଅଧୀନରେ ଥିବା ସ୍କୁଲର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କର ପିତାମାତା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତା ୨୦୨୬ /୨୭ ମସିହା ସୁଦ୍ଧା ଯେପରି ସମସ୍ତେ ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ହାସଲ କରିବା ଥିଲା କାର୍ଯ୍ୟକ୍ରମର ଲକ୍ଷ୍ୟ। ଅର୍ଥାତ ମିଶାଣ, ଫେଡାଣ, ଗୁଣନ, ହରଣ ଏବଂ ପଢିବା ବୁଝିବା ଓ ଲେଖିବା ହାସଲ କରିବାକୁ ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ଦିଆଯାଇଥିଲା।

ଉକ୍ତ ଯୋଜନା ଭାରତ ସରକାରଙ୍କ ଜି-୨୦ ର ଗୋଟିଏ ଏଜୁକେସନ ପାର୍ଟ ଯାହାକି ଜନ ଭାଗିଦାରୀ ଦିବସ ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଶ୍ରୀଯୁକ୍ତ ଜାଲି ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

୨୦୦୦ ପାକ୍‍ସକୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦୦୦ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ) କୁ ସାରା ଦେଶରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ରସାୟନିକ ଓ ସାର ମନ୍ତ୍ରୀ ମନସୁଖ ଏସ ମାଣ୍ଡଭୀୟଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସାରା ଦେଶରେ ୨୦୦୦ ପାକ୍‍ସ ଚିହ୍ନଟ ହେବ  ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୦୦୦ଟି ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଏବଂ ଆଉ ୧୦୦୦ଟି ଡିସେମ୍ବର ସୁଦ୍ଧା ଖୋଲିବ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ପାକ୍‍ସ ର ଆୟ ବୃଦ୍ଧି କିମ୍ବା ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଲୋକଙ୍କୁ ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ଦରରେ ଔଷଧ ଉପଲବ୍ଧ କରାଇବ। ସମବାୟ ମନ୍ତ୍ରଣାଳୟର ସଚିବ, ରସାୟନିକ ଏବଂ ସାର ବିଭାଗର ସଚିବ ଏବଂ ସମବାୟ ମନ୍ତ୍ରଣାଳୟ ତଥା ରସାୟନିକ ଏବଂ ସାର ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୯୪୦୦ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ଏହି ଜନ ଔଷଧି କେନ୍ଦ୍ରରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉପଲବ୍ଧ ହେଉଛି। ବ୍ରାଣ୍ଡେଡ୍ ଔଷଧ ତୁଳନାରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରରେ ୫୦% ରୁ ୯୦% କମ୍ ହାରରେ ଔଷଧ ଉପଲବ୍ଧ। ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବାକୁ ବ୍ୟକ୍ତିଗତ ଆବେଦନକାରୀଙ୍କ ଯୋଗ୍ୟତା ମାନଦଣ୍ଡ ହେଉଛି ଡି ଫାର୍ମା / ବି ଫାର୍ମା। ଯେକୌଣସି ସଂସ୍ଥା, ଏନଜିଓ, ସେବା ସଂଗଠନ ଏବଂ ଡାକ୍ତରଖାନା ବି ଫାର୍ମା / ଡି ଫାର୍ମା ଡିଗ୍ରୀଧାରୀଙ୍କୁ ନିଯୁକ୍ତ କରି ଏଥିପାଇଁ ଆବେଦନ କରିପାରିବେ।

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅତି କମରେ ୧୨୦ ବର୍ଗଫୁଟ ଜାଗା ଘରୋଇ ମାଲିକାନା କିମ୍ବା ଭଡାରେ ଉପଲବ୍ଧ ହେବା ଆବଶ୍ୟକ। ଜନ ଔଷଧି କେନ୍ଦ୍ର ପାଇଁ ଆବେଦନ ଶୁଳ୍କ ହେଉଛି ୫୦୦୦ ଟଙ୍କା। ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପୂର୍ବତନ ସେନା କର୍ମଚାରୀମାନେ ସ୍ୱତନ୍ତ୍ର ବର୍ଗ ଅଧୀନରେ ଆସୁଛନ୍ତି। ଆକାଂକ୍ଷା ଜିଲ୍ଲା, ହିମାଳୟ ପର୍ବତ୍ୟାଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ଦ୍ୱୀପପୁଞ୍ଜ ଆଦି ସ୍ୱତନ୍ତ୍ର ଅଞ୍ଚଳ ବର୍ଗରେ ଆସୁଛି। ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କରେ ଛାଡ ବ୍ୟବସ୍ଥା ରହିଛି।

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ପାଇଁ ପ୍ରୋତ୍ସାହନ ରାଶି ହେଉଛି ୫ ଲକ୍ଷ ଟଙ୍କା (ମାସିକ କ୍ରୟର ୧୫% କିମ୍ବା ମାସିକ ସର୍ବାଧିକ ୧୫,୦୦୦ ଟଙ୍କା)। ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳ କ୍ଷେତ୍ରରେ ଆଇଟି ଏବଂ ଭିତ୍ତିଭୂମି ପାଇଁ ଫେରସ୍ତ ପରିଶୋଧ ବାବଦରେ ୨ଲକ୍ଷ ଟଙ୍କାର ଏକ କାଳୀନ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବସିଡି ଯୋଗାଣ ପ୍ରସଙ୍ଗରେ କେନ୍ଦ୍ରର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

୧- ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କାର୍ଯ୍ୟକାରୀ କରୁଛି। ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ଖାଦ୍ୟ ସବସିଡି ଜାରି କରାଯାଏ। ଏହି ଉଦ୍ଦେଶ୍ୟ ଲାଗି, ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ଏବଂ ଏମଓୟୁରେ ଦିଆଯାଇଥିବା ସର୍ତ୍ତାବଳୀଗୁଡ଼ିକୁ ରାଜ୍ୟ ସରକାରମାନେ ପାଳନ କରିବାର ଆବଶ୍ୟକତା ରହିଛି। ପ୍ରଚଳିତ ମାର୍ଗଦର୍ଶିକା, ଅସ୍ଥାୟୀ ଖର୍ଚ୍ଚ ପତ୍ରିକା, ଓପନିଂ ଓ କ୍ଲୋଜିଂ ବାଲାନ୍ସ ଷ୍ଟକ, କ୍ରୟ, ଏନଏଫଏସଏ ଏବଂ ଅନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ଖାଦ୍ୟଶସ୍ୟର ଆବଣ୍ଟନ ଓ ବିତରଣ, ଏଫସିଆଇ ରିକନସିଏଲେସନ ବା ତଥ୍ୟ ମେଳ କରାଯିବା, ଉପଯୋଗିତା ପ୍ରମାଣପତ୍ର ଆଦିକୁ ଆଧାର କରି ଖାଦ୍ୟ ସବସିଡି ବାବଦରେ ମିଳିବାକୁ ଥିବା ଅର୍ଥରାଶି ହିସାବ କରାଯାଇଥାଏ।

୨- ଓଡ଼ିଶା ସରକାରଙ୍କ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ପକ୍ଷରୁ ଗ୍ରହଣୀୟ ଖାଦ୍ୟ ସବସିଡି ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ଜାରି କରାଯାଉଛି। ଲକ୍ଷ୍ୟ ଆଧାରିତ ସାର୍ବଜନୀନ ବିତରଣ ପ୍ରଣାଳୀ (ଟିପିଡିଏସ)/ଅନ୍ୟ କଲ୍ୟାଣକାରୀ ଯୋଜନା (ଓଡବ୍ଲୁଏସ) ଅଧୀନରେ ଡିଏଫପିଡି ପରିବର୍ତ୍ତନୀୟ ଖର୍ଚ୍ଚର ୯୫% ପର୍ଯ୍ୟନ୍ତ ଏବଂ ସ୍ଥାୟୀ ଖର୍ଚ୍ଚର ୧୦୦% ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ବିତରଣ ଉପରେ ରାଜ୍ୟ ସରକାରଙ୍କ ଖର୍ଚ୍ଚକୁ ଭରଣା କରିଥାଏ। ଡିଏଫପିଡି/ଏଫସିଆଇ ନିରୀକ୍ଷଣ ଦଳ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ନିମ୍ନମାନର ଖାଦ୍ୟଶସ୍ୟ ପରିମାଣକୁ କାଟି ଦେବା ପରେ ଖାଦ୍ୟ ସବସିଡି ଜାରି କରାଯାଏ।

୩- ଗତ ଚାରି ବର୍ଷ ଧରି, ସବୁ ରାଜ୍ୟ ଅନ୍ନବିତରଣ ପୋର୍ଟାଲରେ ସେମାନଙ୍କର ସଦ୍ୟତମ ବିତରଣ ତଥ୍ୟ ଦାଖଲ କରିବା ସହିତ ତଦନୁଯାୟୀ, ପୋର୍ଟାଲର ତଥ୍ୟ ସହିତ ମେଳ କରିବା ପରେ ନିଜ ସବସିଡି ଦାବି ଦାଖଲ କରିଛନ୍ତି। ଅନ୍ନବିତରଣ ପୋର୍ଟାଲରେ ରାଜ୍ୟ ସରକାରଙ୍କ ଦ୍ୱାରା ଦାବି କରାଯାଇଥିବା ବିତରଣ ତଥ୍ୟ ଏହି ପୋର୍ଟାଲରେ ଥିବା ତଥ୍ୟ ସହିତ ମେଳ ନଖାଇବା, ଚୂଡ଼ାନ୍ତ କରିବା ଲାଗି ଅଡିଟ୍ ହୋଇଥିବା ଏକାଉଣ୍ଟ ତଥ୍ୟ ଦାଖଲ କରାନଯିବା, ଗୁଣବତ୍ତା ସହ ଜଡ଼ିତ କାରଣକୁ ନେଇ ବିଭାଗ ଅସ୍ଥାୟୀ ରୂପରେ କିଛି ପରିମାଣର ସବସିଡି ଅର୍ଥରାଶି ଜାରି କରିବା ଉପରେ ରୋକ୍ ଲଗାଇଛି। ସବୁ ରାଜ୍ୟ ପାଇଁ ଏହି ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

୪- ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାକୁ ୩୦,୨୮୫.୯୨ କୋଟି ଟଙ୍କା ଜାରି କରାଯାଇଛି। ନିକଟରେ ରାଜ୍ୟକୁ ୨୦୮୪.୯୦ କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦିଆଯାଇଥିବା କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ଵର: ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ‘ବିକାଶ ପ୍ରଶାସନ’ ସଂପର୍କରେ ଓଡିଶାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ୨୦୨୩ ବ୍ୟାଚ୍ ର ୫ଜଣ ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ୬ ସପ୍ତାହ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଜି ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ଉଦ୍ ଘାଟନ କରିଥିଲେ। ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ସେହି ଅଳ୍ପ କିଛି ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ, ଯେଉଁମାନଙ୍କୁ ଆଇଇଏସ୍ ପ୍ରୋବେସନରମାନଙ୍କୁ ସେମାନଙ୍କର ମୌଳିକ ତାଲିମ ଶେଷ ହେବା ପରେ ଏଭଳି ପ୍ରଶିକ୍ଷଣ ପାଇଁ ଚୟନ କରିଥାଏ।

ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଏହି ବ୍ୟାଚରେ ୪ ଜଣ ମହିଳା ଓ ଜଣେ ପୁରୁଷଙ୍କ ସମେତ ୫ ଜଣ ଆଇଇଏସ୍ ଅଫିସର ପ୍ରଶିକ୍ଷାର୍ଥୀ ରହିଛନ୍ତି। ସେମାନେ ଭାରତର ଚାରିଟି ଭିନ୍ନ ଭିନ୍ନ ରାଜ୍ୟ ଯଥା ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅର୍ଥାତ୍ ଦିଲ୍ଲୀରୁ ଆସିଛନ୍ତି। ଏହି ଆଇଇଏସ୍ ଅଧିକାରୀମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ଷେତ୍ରସ୍ତରରେ ପ୍ରୋବେସନରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରି ଶ୍ରୀ ଶର୍ମା ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ପ୍ରଶିକ୍ଷଣ ଅନୁଷ୍ଠାନ ଗୋପବନ୍ଧୁ ଏକାଡେମୀକୁ ସ୍ୱାଗତ କରିଥିଲେ। ବିକାଶ କ୍ଷେତ୍ରରେ ପ୍ରଶାସନର ସହାୟକ ଭାବରେ ଆବଶ୍ୟକ ସଠିକ୍ ମନୋଭାବ, ଦକ୍ଷତା ଏବଂ କୌଶଳ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବର୍ତ୍ତମାନ ଏବଂ ନୂତନ ପିଢ଼ିର ପ୍ରଶାସନିକ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି ଅନୁଷ୍ଠାନର ଦାୟିତ୍ୱ ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ, ପ୍ରଶାସନ ଏବଂ ଦୂରଦୃଷ୍ଟି ବଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ସୁଶାସନ କ୍ଷେତ୍ରରେ କିଭଳି ଅଗ୍ରଗତି କରିଛି, ସେ ବିଷୟରେ ସେ ସଂକ୍ଷିପ୍ତ ଭାବରେ ଅବଗତ କରାଇଥିଲେ।

ଗତ ଦଶନ୍ଧି ମଧ୍ୟରେ ଜାତୀୟ ଅର୍ଥନୀତି ତୁଳନାରେ ଓଡ଼ିଶାର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି କରିଛି। ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟବସାୟ ପାଇଁ ସହଜ ଓ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ। ସ୍ୱଚ୍ଛତା, ଟିମ୍ ୱାର୍କ, ଟେକ୍ନୋଲୋଜି ଏବଂ ସମୟାନୁସାରେ କାର୍ଯ୍ୟକରି ଶାସନରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଉଥିବା ‘୫ଟି’ ମଡେଲ ବିଷୟରେ ମଧ୍ୟ ଶ୍ରୀ ଶର୍ମା ଉଲ୍ଲେଖ କରିଥିଲେ। ଓଡ଼ିଶା ସରକାର ‘ମୋ ସରକାର’ର କ୍ରୀୟାଶୀଳ ମତାମତ ବ୍ୟବସ୍ଥା ଜରିଆରେ ଲୋକାଭିମୁଖୀ ଶାସନ ସୁନିଶ୍ଚିତ କରିବାରେ ସକ୍ଷମ ହୋଇଛନ୍ତି, ଯାହା ଦ୍ୱାରା ସରକାର ସିଧାସଳଖ ନାଗରିକଙ୍କ କଥା ଶୁଣିବା ସହ ଆବଶ୍ୟକ ସେବା ଯୋଗାଣକୁ ସୁନିଶ୍ଚିତ କରିବାକୁ ସକ୍ଷମ ହୋଇପାରୁଛନ୍ତି।

୬ ସପ୍ତାହ ଧରି ପ୍ରଶିକ୍ଷଣ ମଡ୍ୟୁଲ୍ ରେ ଇନ୍ ଡୋର ଏକାଡେମିକ୍ ଏବଂ ଆଉଟଡୋର୍ ଏକ୍ସଟ୍ରା-ଏକାଡେମିକ୍ ଅଧିବେଶନ ରହିଛି। ନିଜର ବୌଦ୍ଧିକ ଅନୁସନ୍ଧାନକୁ ସୁଦୃଢ କରିବା ସହିତ ପାଠ୍ୟକ୍ରମରେ ବିଭିନ୍ନ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ପଦ୍ଧତି ଓ ସମନ୍ୱୟ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଭାରତବର୍ଷର ଅଧିକାଂଶ ଜନସାଧାରଣ ଗ୍ରାମରେ ବସବାସ କରୁଥିବାରୁ , ଗ୍ରାମସ୍ତରରେ ବିକାଶ ପାଇଁ ପ୍ରଶାସନ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶିକ୍ଷଣରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ବିଶେଷ କରି ରାଜ୍ୟର ଜନଜାତି ବହୁଳ ଜିଲ୍ଲାରେ ଏକାଧିକ ବିଭାଗ ଦ୍ୱାରା କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମଡେଲ ଗୁଡିକ ଦେଖିବାକୁ ମିଳିବ। ଆଉଟଡୋର କାର୍ଯ୍ୟକଳାପ ପାଇଁ ଏକାଡେମୀ କଳିଙ୍ଗ ଷ୍ଟାଡିୟମ ଏବଂ ଭୁବନେଶ୍ୱର କ୍ଲବ ସହ ସଂଯୋଗ କରାଯାଇଛି। ଉକ୍ତ ପ୍ରଶିକ୍ଷଣକୁ ସୁରୁଖୁରୁରେ ପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମସ୍ତ ସମ୍ଭବ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ଶର୍ମା ପ୍ରତିଶ୍ରୁତି ଦେଇଥିଲେ।

ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ତଥା ପାଠ୍ୟକ୍ରମ ନିର୍ଦ୍ଦେଶକ (କୋର୍ସ ଡାଇରେକ୍ଟର) ଡ. ହିମାଂଶୁ ଭୂଷଣ ପଣ୍ଡା ପ୍ରଶିକ୍ଷଣ ପାଠ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଡାଇରେକ୍ଟର ଜେନେରାଲ୍ (ପ୍ରଶାସନ) ଡ. ପ୍ରତାପ କୁମାର ମିଶ୍ର, ଏକାଡେମୀର ଯୁଗ୍ମ କମିଶନର ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉପ ପାଠ୍ୟକ୍ରମ ସଂଯୋଜକ ଡଃ. ମମତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହୋମିଓପାଥି ସନ୍ଦର୍ଭରେ ହେବ ଉଚ୍ଚତର ଗବେଷଣା: ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସାସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳିଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି। ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାପ୍ରଣାଳୀ ବ୍ୟବସ୍ଥା ପ୍ରବର୍ତ୍ତନ ସମୟର ବଡ଼ ଆହ୍ବାନ। ଏହି ଆହ୍ବାନକୁ ସାକାର ରୂପ ଦେବାକୁ ଆଗେଇ ଆସିଛନ୍ତି ଦୁଇ ଜାତୀୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍)।

ହୋମିଓପାଥି ଏବଂ ଆଧୁନିକ ଔଷଧର ଯୁଗୋପଯୋଗୀ ସମ୍ମୀଶ୍ରଣ ଏବଂ ଏହି ସନ୍ଦର୍ଭରେ ଉଚ୍ଚତର ଗବେଷଣା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଗତକାଲି ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି।

ଏହି କ୍ଷେତ୍ରରେ ଉଚ୍ଚତର ଏବଂ ବ୍ୟାପକ ଗବେଷଣାର ପଥ ଉନ୍ମୁକ୍ତ କରିବାର ଯଥେଷ୍ଟ ଆଶା ରହିଛି। ଏପରିକି ହୋମିଓପାଥିର ଉପଯୁକ୍ତ ଉପଯୋଗ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ଔଷଧର ଅତ୍ୟଧିକ ବ୍ୟବହାରକୁ ହ୍ରାସ କରିବା ନେଇ ବିଶ୍ବାସ ଜନ୍ମିଛି।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକରୁଥିବା ସ୍ବୟଂଶାସିତ ପ୍ରତିଷ୍ଠାନ ସିସିଆରଏଚ୍ ଏବଂ ଏମ୍ସ ଭୁବନେଶ୍ୱର ମିଳିତ ଭାବେ ଏମ୍ସରେ ଏକୀକୃତ ଚିକିତ୍ସା ବିଭାଗ ପ୍ରତିଷ୍ଠାର ପ୍ରକ୍ରିୟା ଆରମ୍ଭ ହୋଇଛି। ହୋମିଓପାଥିର ବୈଜ୍ଞାନିକ ପ୍ରାମାଣିକତା, ଅନୁସନ୍ଧାନ ଏବଂ ଆଧୁନିକ ଚିକିତ୍ସା ପଦ୍ଧତିରେ ଏହି ପ୍ରାଚୀନ ଔଷଧୀର ପ୍ରୟୋଗ ନେଇ ଏହି ବୁଝାମଣାରେ ବିଶେଷ ବ୍ୟବସ୍ଥା ରହିଥିବା ସୂଚନା ପ୍ରଦାନ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ହୋମିଓପାଥି ଚିକିତ୍ସା ନିମନ୍ତେ ପ୍ରମାଣଭିତ୍ତିକ ବ୍ୟବସ୍ଥିତ ଚିକିତ୍ସା ପଦ୍ଧତି ସୃଷ୍ଟି, ବିଭିନ୍ନ ରୋଗ ଉପଶମ କ୍ଷେତ୍ରରେ ଏହାର ପ୍ରୟୋଗଭିତ୍ତିକ କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ଦୁଇ ଜାତୀୟ ଅନୁଷ୍ଠାନ ଗବେଷଣା କରିବେ ବୋଲି ପ୍ରକାଶ କରିଛନ୍ତି ଡ. ବିଶ୍ବାସ।

ଏମ୍ସ ଭୁବନେଶ୍ୱର ଭଳି ଜନାଦୃତ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ସହିତ ହୋମିଓପାଥି ସମ୍ପର୍କରେ ଅଧିକ ଗବେଷଣା ନିମନ୍ତେ ହୋଇଥିବା ବୁଝାମଣାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସିସିଆରଏଚ୍ର ମହାନିର୍ଦ୍ଦେଶକ (ଡିଜି) ଡ. ସୁଭାଷ କୌଶିକ। ଏକାଧିକ ରୋଗର ଉପଚାର କରିବାରେ ହୋମିଓପାଥିର ବୈଜ୍ଞାନିକ ପ୍ରମାଣ ରହିଛି। ବିଶେଷ ପାର୍ଶ୍ବପ୍ରତିକ୍ରିୟା ପ୍ରକାଶ ପାଉନଥିବା ଏବଂ ସାଧାରଣ ଲୋକଙ୍କୁ ସୁହାଉଥିବା ହୋମିଓପାଥି ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନର ଆଧୁନିକ ଚିକିତ୍ସାପ୍ରଣାଳୀ ସହିତ ଏକୀକୃତ ହେଲେ ବ୍ୟାପକ ସମ୍ଭାବନା ସୃଷ୍ଟି କରିବ। ଭାରତ ସରକାରଙ୍କ “ଗୋଟିଏ ରାଷ୍ଟ୍ର, ଗୋଟିଏ ସ୍ୱାସ୍ଥ୍ୟ”ର ଅବଧାରଣାକୁ ଦୃଷ୍ଟିରେ ରଖି ହୋଇଥିବା ଏହି ବୁଝାମଣା ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ବୃଦ୍ଧି କରିବ ଏବଂ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ବୋଲି ଡ. କୌଶିକ୍ ଆଶାବ୍ୟକ୍ତ କରିଛନ୍ତି।
କୋଭିଡ୍ ମହାମାରୀ ସମୟରେ ହୋମିଓପାଥିର ଆଦର ବେଶ ବୃଦ୍ଧି ପାଇଥିଲା। ଡେଙ୍ଗୁ, ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ, କୋଭିଡ୍ ପରବର୍ତ୍ତୀ ଜଟିଳ ସମସ୍ୟା, କର୍କଟ ଚିକିତ୍ସା, ବିଭିନ୍ନ ମାନସିକ ରୋଗ ସହିତ ଏକାଧିକ ରୋଗର ଚିକିତ୍ସାରେ ହୋମିଓପାଥିର ପ୍ରୟୋଗ ସୁଫଳ ଆଣିଥିବା ବିଭିନ୍ନ ସମୟରେ ହୋଇଥିବା ପ୍ରୟୋଗାତ୍ମକ ଚିକିତ୍ସାପଦ୍ଧତିରୁ ପ୍ରମାଣିତ ହୋଇଛି।

ଦୁଇ ଅନୁଷ୍ଠାନର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅବସରରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍(ଗବେଷଣା) ଡ. ସତ୍ୟଜିତ ମିଶ୍ର, ବରିଷ୍ଠ ମେଡିକାଲ୍ ଅଫିସର (ଆୟୁଷ ବିଭାଗ) ଡ. ପ୍ରଶାନ୍ତ କୁମାର ସାହୁ, ଡ. ଶୁଭାଷୀଶ ସରକାର, ଡ. ଆସିଫ ସର୍ଦ୍ଦାର, ଡ. ଅଜିତ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁଙ୍କ ସମେତ ସିସିଆରଏଚ୍ରୁ ଡ. ଦେବଦତ୍ତ ନାୟକ, ଡ. ଉମାକାନ୍ତ ପୃଷ୍ଟି, ଡ. କରନ୍ପ୍ରୀତ ନହର୍ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍ସରେ ଥିବା ଏକ ଉତ୍ସର୍ଗୀକୃତ ଆୟୂଷ ବିଭାଗ ଅଧିନରେ ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଆଦି ମାଧ୍ୟମରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ମଧ୍ୟାହ୍ନଭୋଜନ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ୍‌ ଶକ୍ତି ଭବନ ପରିସରରେ ଶୁକ୍ରବାର ଏକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ପିଏମ୍‌-ପୋଷଣ, ୟୁଏନ୍‌ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଯାଜପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍‌ମାନେ ଅଂଶଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ର ଭାରତ ନିର୍ଦ୍ଦେଶିକା ଏଲିଜାବେଥ୍‌ ଫରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଭାରତ ସରକାର, ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ସୁଷମ ଖାଦ୍ୟ ସମସ୍ତଙ୍କର ଅଧିକାର ଏବଂ ନିଜ ନାଗରିକମାନଙ୍କୁ ଖାଦ୍ୟ ନିରାପତ୍ତା ଯେଗାଇ ଦେବାରେ ଭାରତ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିବା ଏଲିଜାବେଥ୍‌ ଫରେ କହିଥିଲେ।

ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାର ମିଳିତ ଭାବରେ ପ୍ରସ୍ତୁତ କରିଥିବା FoSafMDM ମୋବାଇଲ୍‌ ଆପ୍ଲିକେସନ୍‌ ତୃଣମୁଳ ସ୍ତରରେ କାମ କରୁଥିବା ପାଚିକା ଏବଂ ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାଦ୍ୟ ନିରାପତ୍ତା ଏବଂ ଖାଦ୍ୟପ୍ରସ୍ତୁତ ସମୟରେ ସ୍ୱଚ୍ଛତା ଅଭ୍ୟାସ ସମ୍ପର୍କରେ ଅବଗତ କରିବ। ପ୍ରଯୁକ୍ତିିବିଦ୍ୟାର ଉପଯୋଗରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଆହୁରି ସୁ-ବ୍ୟବସ୍ଥିତ କରିବାକୁ ଉଦ୍ୟମ କରାଯାଉଛି । ଚାଉଳର ପୌଷ୍ଟିକ ମୂଲ୍ୟରେ ଉନ୍ନତି ଆଣିବା ପାଇଁ ଚାଉଳରେ ଅଣୁ-ପୋଷକ ମିଶ୍ରଣ ତଥା ରାଇସ୍‌ ଫର୍ଟିଫିକେସନ୍‌ ପ୍ରକ୍ରିୟାକୁ ଓଡ଼ିଶା ସରକାର ଗୁରୁତ୍ୱ ଦେଉଛନ୍ତି। ମଧ୍ୟାହ୍ନ ଭୋଜନରେ ପିଲାମାନେ ଯେପରି ଫର୍ଟିଫାଏଡ୍‌ ଚାଉଳ ପାଇପାରିବେ ତାହା ପାଚିକା, ସହାୟିକା ଏବଂ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସୁନିଶ୍ଚିତ କରିବେ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅନୁଯାୟୀ ସମସ୍ତ ବିଦ୍ୟାଳୟକୁ ଫର୍ଟିଫାଏଡ୍‌ ଚାଉଳ ଯୋଗାଇବା ଉପରେ ଏଠାରେ ଗୁରୁତ୍ୱାରୋପ କରାଯାଇଥିଲା।

ଓଡ଼ିଶା ପିଏମ୍‌-ପୋଷଣ ଓଡ଼ିଶା ରାଜ୍ୟ ନୋଡାଲ୍‌ ଅଫିସର ଶ୍ରୀ ରଘୁରାମ ଆର୍‌ ଆୟର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପିଲାମାନଙ୍କ ମଧ୍ୟରେ ରକ୍ତହୀନତା ଏବଂ ଅପପୁଷ୍ଟି ରୋଗର ଦୂରୀକରଣ ପାଇଁ ଓଡ଼ିଶାରେ ମଧ୍ୟାହ୍ନ ଭୋଜନରେ ଆହାର ବିବିଧକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ଭବିଷ୍ୟତ ପିଢ଼ିଙ୍କ ପାଇଁ ପୋଷଣ ନିରାପତ୍ତା ହାସଲ କରିବାକୁ ଓଡ଼ିଶା ସରକାର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆର ଅନ୍ତର୍ଭୁକ୍ତିକରଣ ଏବଂ ବିଦ୍ୟାଳୟଗୁଡ଼ିକରେ ପୋଷଣ ଉଦ୍ୟାନ ପ୍ରତିଷ୍ଠା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ଆୟର୍‌ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀ ଭୈରବ ସିଂ ପଟେଲ, ଶ୍ରୀମତୀ ସସ୍ମିତା ପଟ୍ଟନାୟକ ଏବଂ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ର ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ହିଂମାଶୁ ଏସ୍‌ ବଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ପରିଷ୍କାରପରିଚ୍ଛନ୍ନ ରହିବା, ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଉତ୍କୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରିବା, ରୋଷେଇ ପ୍ରଣାଳୀ, ଆବର୍ଜନା ପରିଚାଳନା, ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଏବଂ ପୋଷଣ ଉଦ୍ୟାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅଂଶଗ୍ରହଣ କରିଥିବା ସଦସ୍ୟମାନଙ୍କୁ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ନଖରାସ୍ଥିତ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଟ୍ରଷ୍ଟର ସେଣ୍ଟ୍ରାଲାଇଜଡ୍‌ କିଚେନ୍‌କୁ ପରିଦର୍ଶନରେ ନିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ ଅଭିଯାନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚୟନ କରାଯାଇଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଭାରତୀୟ ସଂସ୍କୃତିର ‘ବିବିଧତା ମଧ୍ୟରେ ଏକତା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଚତୁର୍ଦ୍ଦଶ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ଉଦଘାଟନ କରିଥିଲେ।

ପ୍ରତିଷ୍ଠାନର ଆର୍ଯ୍ୟଭଟ୍ଟ, ଅଗ୍ନି, ସୌର୍ଯ୍ୟ, ସ୍ଫୁଟନିକ ହାଉସ ଓ ଡିଏମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସମ୍ବଲପୁରୀ, ଓଡ଼ିଶୀ, ଭାରତନାଟ୍ୟମ, ମହାକାଳୀ ସ୍ମୃତି ଆଦି ପରିବେଷଣ କରାଯାଇଥିଲା। ଯାହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ଆପୋଲୋ ଓ ରୋହିଣୀ ହାଉସର ଛାତ୍ରଛାତ୍ରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଡିନ୍‌ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଏବଂ ଶିକ୍ଷୟିତ୍ରୀ ଜ୍ୟୋତି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନ ଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ରଶ୍ମୀରେଖା ସେଠୀ, ଡକ୍ଟର ଏଲିଜାବେଥ୍‌ ଗଙ୍ଗମେର ଓ ନୃତ୍ୟଗୁରୁ ବିଜନ ପଲାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।