Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଡ୍ରାଇଭର ମୃତ, ହେଲପର୍‌ ଆହତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥର କନ୍ଧ ନୟାଗଡ ଛକ ନିକଟରେ ଆଜି ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଚାଳକଙ୍କର ମ୍ରୁତ୍ୟୁ ଘଟିଥିବା ବେଳେ ଟ୍ରକ୍ ର ହେଲ୍ପର ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନସ ପହଂଚି ଆହତ ହେଲ୍ପର ଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗୁରତର ଭାବରେ ଆହତ ହୋଇଥିବା ହେଲପର୍‌ ଵସୀର ଖାଁ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଅଂଚଳର ହୋଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି ।

ମୃତ ଟ୍ରକ୍‌ ଚାଳକର ନାମ ରାଜେଶ ମଲିକ୍‌ । ୩୨ ବର୍ଷୀୟ ରାଜେଶଙ୍କ ଘର ପଶ୍ଚିମବଙ୍ଗରବର୍ଦ୍ଧମାନ ଅଂଚଳରେ ବୋଲି ଜଣା ପଡିଛି । (WB 41J 4905) ନମ୍ବର ବିଶିଷ୍ଟ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଟି କୋଲକୋତା ରୁ ମାଲ ବୋଝେଇ ଚେନ୍ନାଇ ଯାଉଥିଲା ହେଲେ ଟ୍ରକ୍ ଚାଳକଙ୍କର ଆଖି ଲାଗି ଯିବାରୁ କନ୍ଧ ନୟାଗଡ ଛକ ନିକଟ ସାମ୍ବାଦିକ ପ୍ରଶାନ୍ତ ବେହେରାଙ୍କ ଚାଷ ଜମିରେ ଓଲଟି ପଡିଥିଲା ।  ରାସ୍ତାର ୩୦ ଫୁଟ ତଳକୁ ଟ୍ରକ୍ ଟି ଓଲଟି ପଡିଥିବାରୁ ଟ୍ରକ୍ ତଳେ ଚାଳକ ଚାପି ହୋଇ ମୃତ୍ୟୁବରଣ କରିଥିବାର ଅନୁମାନ କରାଯାଉଛି ।

ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ କେସ ନମ୍ବର ୭୫/୨୦ ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ବୋଲି ଚାନ୍ଦପୁର ଥାନାଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।