Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ରୋକି ପାରିଲା ନାହିଁ ବିରୋଧୀ ଦଳର ମିଳିତ ତାକତ୍

ଭୁବନେଶ୍ବର: ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତକାଳରେ ସେ ଓଡିଶାର 147 ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିସାରିଛନ୍ତି। ଏହି ଗସ୍ତରେ ସାରା ଓଡିଶାବାସୀଙ୍କୁ ସେ ନବୀନ ସରକାରଙ୍କର ସଫଳତାର ସ୍ବାଦ ବାଣ୍ଟି ଦେଇଛନ୍ତି। ଯାହା ନିର୍ବାଚନ ପୂର୍ବରୁ ବିଜେଡି ସରକାର ପାଇଁ ଏକ ବଡ ବରଦାନ ସଦୃଶ୍ୟ ହୋଇପାରିଛି। ନବୀନ ସରକାର ଲୋକଙ୍କ ସହିତ ଅଛନ୍ତି ବୋଲି ତାହାର ପ୍ରମାଣ କରି ଦେଖାଇ ଦେଲେ ଭିକେ ପାଣ୍ଡିଆନ।

ପାଣ୍ଡିଆନ ଯେପରି ମାରଥନ ଜିଲ୍ଲା ଗସ୍ତ କଲେ ସେପରି ନବୀନ ପଟ୍ଟନାୟକ କରିଥାଆନ୍ତେ କି ନାହିଁ ତାହା ଭିନ୍ନ କଥା। ହେଲେ ତାଙ୍କର ପ୍ରତିନିଧି ଭାବେ ସେ ସବୁକୁ କରି ଦେଖାଇ ଦେଲେ ଭି କେ ପାଣ୍ଡିଆନ। ତାଙ୍କ ଗସ୍ତ ବେଳେ ସବୁଠାରୁ ବଡ କଥା ହେଲା ସେ କେବେ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ନାମ ନେବାକୁ ଭୁଲି ନାହାଁନ୍ତି। ସବୁ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପଠାଇଛନ୍ତି ବୋଲି କହି ଆସିଛନ୍ତି। ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ବାରମ୍ବାର ଉଚ୍ଚାରଣ କରିଛନ୍ତି।

ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସଭାରେ ନିଜକୁ ପ୍ରମାଣିତ କରିବାକୁ ପଡିଥିଲା। କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା ନେଇ ବିରୋଧୀଙ୍କ ସନ୍ଦେହ ସୃଷ୍ଟି ହେଲା। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ଲୋକଙ୍କ ଆଗରେ ଅଡିଓ ଭିଡିଓ ପ୍ରମାଣ ଦେବାକୁ ପଡିଥିଲା। ଏପରିକି ସେ ସିଧା ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲାଇଭ ଭିଡିଓ ମାଧ୍ୟମରେ ମଧ୍ୟ କଥା କରାଇବାକୁ ପଡିଥିଲା। ଏପରି କରିବା ପରେ ବିରୋଧୀଙ୍କ ମୁହଁ ଆପେ ବନ୍ଦ ହୋଇଯାଇଥିଲା।

ଅନ୍ୟପଟେ ତାଙ୍କୁ କାହିଁକି ଲୋକମାନେ ଫୁଲ ବୃଷ୍ଟି କରୁଛନ୍ତ ଏବଂ ସ୍ବାଗତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ତାହାକୁ ମଧ୍ୟ ପାଣ୍ଡିଆନଙ୍କୁ ସାମନା କରିବାକୁ ପଡିଥିଲା। ଏହାକୁ ବିରୋଧ କରି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ। କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୋଟିସ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଲା। କାର୍ଯ୍ୟାନୁଷ୍ଠାନ ହେଉ କି ନାହିଁ , ହେଲେ ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ ଏଥର ବନ୍ଦ ହୋଇଯିବ ବୋଲି ବିରୋଧୀ ଭାବି ନେଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଆହୁରି ବଢିଯାଇଥିଲା। ପୂର୍ବରୁ ସେ ଦୁଇ ତିନୋଟି ସ୍ଥାନ ଗସ୍ତ କରୁଥିଲେ, ହେଲେ ଏହି ଚିଠି ପରେ ସେ ଗୋଟିଏ ଗୋଟିଏ ଜିଲ୍ଲାର ଚାରି ପାଞ୍ଚୋଟି ସ୍ଥାନରେ ସଭା କଲେ। ଏହାପରେ ବିରୋଧୀଙ୍କ ରାଗ ଆହୁରି ପଞ୍ଚମକୁ ଉଠି ଯାଇଥିଲା। ସେମାନେ ତାଙ୍କ ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ କଲେ, ସଭା ଭଣ୍ଡୁର କରିବାକୁ ପ୍ରଚେଷ୍ଠା ମଧ୍ୟ କରିଥିଲେ। ହେଲେ ସେଥିରେ ମଧ୍ୟ ପାଣ୍ଡିଆନଙ୍କ ଗସ୍ତରେ ରୋକ ଲାଗି ପାରି ନ ଥିଲା।

ସବୁ କ୍ଷେତ୍ରରେ ବିରୋଧୀ ବିଫଳ ହେବା ପରେ ତାଙ୍କ ମୁହଁକୁ କାଳି ଫୋପାଡିବା ପରି ଅବସ୍ଥା ମଧ୍ୟ କଲେ। ଏପରି କରି ବିରୋଧୀ ଭାବି ନେଲେ ଯେ, ଏବେ ପାଣ୍ଡିଆନ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ। କିନ୍ତୁ ଫଳ ହେଲା ଓଲଟା,ସେହି କାଳି ବୋଳା ଦେହରେ ସେ ଲୋକଙ୍କୁ ଭେଟିଲେ। ମହିଳାମାନେ କାନ୍ଦିକାନ୍ଦି ତାଙ୍କ ପଣତ କାନିରେ ପାଣ୍ଡିଆନଙ୍କ ମୁହଁରୁ କଳା ପୋଛି ଦେଲେ। ସାଧାରଣ ଜନତା ପାଣ୍ଡିଆନଙ୍କୁ ନେଇ ଏପରି ଭାବ ବିହ୍ବୋଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଫଳରେ ପାଣ୍ଡିଆନଙ୍କ ଉପରକୁ ଢଳା ଯାଇଥିବା କାଳିରେ ବିରୋଧୀଙ୍କ ମୁହଁ କଳା ପଡି ଯାଇଥିଲା।

କହିବାକୁ ଗଲେ ପାଣ୍ଡିଆନ ରାଜନୀତି କରି ନ ଥିଲେ ମଧ୍ୟ ରାଜନୈତିକ ଦଳକୁ କିପରି ସାବାଡ କରାଯାଇପାରିବ ତାହାର ତରିକା ବେଶ ଭଲଭାବେ ଜାଣିଛନ୍ତି। ନଚେତ ଏତେ ଶକ୍ତିଶାଳୀ ବିରୋଧୀଙ୍କୁ ଚକମା ଦେଇ ସେ ସଫଳତାର ସହ ଏହି ଗସ୍ତ ଶେଷ କରିପାରି ନ ଥାଆନ୍ତେ। ପାଣ୍ଡିଆନ ଯେତେବେଳେ ପ୍ରଥମେ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେତେବେଳୁ ସେ ଜାଣି ସାରିଥିଲେ ଯେ, ବିରୋଧୀ ଦଳ କଣ କରିବେ, ଆଉ ତାହାକୁ କିପରି ମୁକାବିଲା କରାଯାଇପାରିବ।

ବିରୋଧୀ ଏହିପରି ବାରମ୍ବାର ବିରୋଧ କରିବା ସତ୍ବେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ କେହି ବିରାମ ଲଗାଇପାରିଲେ ନାହିଁ। ଲୋକଙ୍କୁ ଭେଟିବାରେ ପାଣ୍ଡିଆନଙ୍କୁ କୌଣସି ତାକତ ଦୂରେଇ ପାରିଲା ନାହିଁ। ଫଳରେ ବିରୋଧୀ ଦଳରେ ପୁରା ହତାସ ଭାବ ପରିଲକ୍ଷିତ ହେବାରେ ଲାଗିଛି। ଏବେ ସେମାନେ ସବୁ କିଛି ଛାଡିଦେଇ ପାଣ୍ଡିଆନ ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ହେଲିକାପ୍ଟର ଭଡା କେତେ ତାହାର ହିସାବ କରିବାରେ ଲାଗିଛନ୍ତି।

Categories
ବିଶେଷ ଖବର

ନିର୍ବାଚନ ପୂର୍ବରୁ ସବୁ ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କଲେ ମୁଖ୍ୟମନ୍ତ୍ରୀଙ୍କ ୫ ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଇତି ମଧ୍ୟରେ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରିବା ସହ ୬ ମାସ ଧରି ବୁଲି ବୁଲି ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ ଶେଷ କରିଛନ୍ତି।

୨୦୦୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ଗତ ମାର୍ଚ୍ଚ ମାସରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଗସ୍ତ ଆରମ୍ଭ କରିଥିଲେ, ଯେଉଁଠାରେ ସେ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ୫ଟି (ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍) କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କ ଭିତ୍ତିଭୂମିର ବିକାଶର ସମୀକ୍ଷା କରିଥିଲେ।

ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନଅଭିଯୋଗର ସମାଧାନ ପାଇଁ ସେ ଚଳିତ ମାସରେ ପୁଣି ଥରେ ଜିଲ୍ଲା ଗସ୍ତ କରିଥିଲେ। ଗତ ୬ ମାସ ମଧ୍ୟରେ ସେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଗସ୍ତ କରିଛନ୍ତି, ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଥର ଜିଲ୍ଲା ଗସ୍ତ କରିଛନ୍ତି। ଗତ ମାସରେ ଦୁଇ ଥର ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ କଲେଜରେ ସଭାବେଳେ ଜଣେ ବ୍ୟକ୍ତି ମୁହଁରେ କାଳି ଫିଙ୍ଗିଥିଲେ। କାଳି ଆକ୍ରମଣରେ ବ୍ୟସ୍ତ ନ ହୋଇ ସେ ନିଜର ବାକି କାର୍ଯ୍ୟ ଜାରି ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାସ୍ତାଘାଟ, ବସଷ୍ଟାଣ୍ଡ ନିର୍ମାଣ କିମ୍ବା ମନ୍ଦିରର ନବୀକରଣ ର ସମୀକ୍ଷା କରିଛନ୍ତି। ବୈଠକ ପରେ ପାଣ୍ଡିଆନ ଅଭିଯୋଗ ସମାଧାନ ବୈଠକ କରି ଲୋକଙ୍କଠାରୁ ଆବେଦନ ଗ୍ରହଣ କରିଥିଲେ।

ଗତ କିଛି ବିଧାନସଭା ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସବୁଠାରୁ ବଡ଼ ସମର୍ଥକ ସାଜିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ସବୁବେଳେ ଭେଟିଥିଲେ। ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ବିଜେଡି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୋଟ୍ ବ୍ୟାଙ୍କ। ପ୍ରାୟ ସବୁ ସଭାରେ ସେ ମୁଖ୍ୟମନ୍ତ୍ରୀଙ୍କ ସଫଳତା ବିଷୟରେ କହିଥିଲେ। ସେ ସ୍ଥାନୀୟ ମନ୍ଦିର ମଧ୍ୟ ପରିଦର୍ଶନ କରୁଥିଲେ।

ପାଣ୍ଡିଆନ୍ ଲୋକଙ୍କ ଅଭିଯୋଗ ଶୁଣିବା ବାହାନାରେ ଶାସକ ବିଜେଡି ପାଇଁ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲା।ହେଲେ ବିଜେଡି ନେତାମାନେ କହିଛନ୍ତି ଯେ, ଚଳିତ ଜିଲ୍ଲାସ୍ତରୀୟ ବୈଠକ ଲୋକଙ୍କ ମନୋଭାବ ଜାଣିବା ସହ ସମସ୍ୟା ସମାଧାନ କରିବା ପାଇଁ ଏହା ଉଦ୍ଦିଷ୍ଟ। ପ୍ରଶାସନିକ ଅଧିକାରୀ ଭାବେ ନବୀନ ପଟ୍ଟନାୟକ ତାଙ୍କୁ କିଛି ଦାୟିତ୍ୱ ଦେଇଛନ୍ତି। କୌଣସି ସରକାରୀ ଅଧିକାରୀଙ୍କୁ କୌଣସି କାମ ଦେବାର ଅଧିକାର ତାଙ୍କର ରହିଛି। ସେ କେବଳ ମୁଖ୍ୟମନ୍ତ୍ରୀ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ କରୁଛନ୍ତି ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ତେବେ ଏହାକୁ ନେଇ ତାଙ୍କ ଦଳ ତଥା ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ପକ୍ଷରୁ ବିରୋଧର ସ୍ୱର ଉଠିଛି। ଲୋକପ୍ରିୟ ଓଡ଼ିଆ ଦୈନିକ ‘ସମ୍ବାଦ’ର ମାଲିକ ତଥା ସମ୍ପାଦନା କରୁଥିବା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ ସପ୍ତାହରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ସମାଲୋଚନା କରିବା ସହ ଜିଲ୍ଲା ଗସ୍ତ ପାଇଁ ହେଉଥିବା ଖର୍ଚ୍ଚକୁ ଭାରତର ଚନ୍ଦ୍ରଯାନ-୩ ମିଶନ ସହ ତୁଳନା କରିଥିଲେ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୫ଟି ସଚିବଙ୍କ ଜିଲ୍ଲା ଗସ୍ତ ଶେଷ ହେବା ବେଳକୁ ତାଙ୍କ ଗସ୍ତରେ ସମାନ ଖର୍ଚ୍ଚ ଦେଖିବାକୁ ମିଳିବ ବୋଲି ଏଥିରେ ଉଲ୍ଲେଖ କରିଥିଲେ।

ରାଜ୍ୟ ବିଜେପି ମଧ୍ୟ ଏହି ଗସ୍ତକୁ ସମାଲୋଚନା କରି କହିଛି ଯେ ନିର୍ବାଚିତ ବିଧାୟକମାନେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଆସୁଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ କାହିଁକି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ଯାଉଛନ୍ତି। ତାଙ୍କର ଏକ ରାଜନୈତିକ ଉଦ୍ଦେଶ୍ୟ ଥିବା ଜଣାପଡ଼ୁଛି। ଏହା ସର୍ବଭାରତୀୟ ସେବା ଆଚରଣ ନିୟମର ସ୍ପଷ୍ଟ ଉଲ୍ଲଂଘନ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

ଏହି ଗସ୍ତ ଫଳରେ ସମାନ୍ତରାଳ ଶାସନ ବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ବିଭାଗୀୟ ସଚିବଙ୍କ ପଦ ମର୍ଯ୍ୟାଦାକୁ ଅପମାନିତ କରାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ସତ୍ୟ ପ୍ରକାଶ ଦାଶ କହିଛନ୍ତି, ରାଜନେତାମାନେ ପଦରେ ରହିବା ପାଇଁ ଅନେକ ଉପାୟରେ କାମ କରନ୍ତି। ଯଦି ନବୀନ ପଟ୍ଟନାୟକ ତାଙ୍କ ଅଧିକାରୀଙ୍କୁ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ପଠାଉଛନ୍ତି ଏବଂ ବାସ୍ତବ ସ୍ଥିତିକୁ ବୁଝିଛନ୍ତି ତେବେ ମୁଁ ଏଥିରେ କିଛି ଭୁଲ ଦେଖୁନାହିଁ। ଏହାଦ୍ୱାରା ରାଜ୍ୟ ବ୍ୟବସ୍ଥା ସହ ବିଜେଡି ନେତାମାନେ ମଧ୍ୟ ଉତ୍ସାହିତ ହେବେ।

୨୦୨୪ ମେ’ ମାସରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ସମୀକ୍ଷା ବୈଠକରେ ୮ଟି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ କହିଛନ୍ତି ଯେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଉଚିତ।

ତେବେ ଜିଲ୍ଲା ଗସ୍ତରେ ନିଜେ ପାଣ୍ଡିଆନ ରାଜନୈତିକ ଉଦ୍ଦେଶ୍ୟ ରଖିଛନ୍ତି କି ନାହିଁ ତାହା ଭିନ୍ନ କଥା, ହେଲେ ଏହା ଆଗାମୀ ନିର୍ବାଚନରେ ନିଶ୍ଚିତ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ଗ୍ରସ୍ତର ଦିନଟିଏ ପରେ ଅଭିଯୋଗକାରୀଙ୍କ ପାଖରେ ପହଁଚିଲା ଆର୍ଥିକ ସହାୟତା ରାଶି

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଗତ ୨୬ ତାରିଖ ଶନିବାର ଦିନ ୫-ଟି ସଚିବଙ୍କ ଆସିକାଗସ୍ତ ବେଳେ ବଡ଼ଖୋଲି ପଂଚାୟତର ସାନ୍ତରାପୁର ଗ୍ରାମର ଝିଅ ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ସୁଜାତା ଜେନା ଆସିକା କଲେଜ ଛକ ପଡ଼ିଆରେ ନିଜର ଅସୁବିଧାକୁ  ୫-ଟି ସଚିବଙ୍କ ଆଗରେ ଗୁହାରି କରିଥିଲେ। ସେହିଭଳି ନିରାଳ ପଂଚାୟତ ରିସିପୁର ଗ୍ରାମର କୃପାସିନ୍ଧୁ ପଣ୍ଡାଙ୍କ ଏକ ମାତ୍ର ପୁଅ ନବମ ଶ୍ରେଣୀର ଛାତ୍ର ବାବୁଲା ପଣ୍ଡା ଗତ ବର୍ଷ କିରୋସିନ ଷ୍ଟୋଭ ଫାଟି ଶରୀରର ଅଧିକାଂଶ ଅଂଶ ପୋଡି ବହୁ ଅସୁବିଧାରେ ରହିଛନ୍ତି। ସେ ନିଜେ ତାଙ୍କ ମା’ ଙ୍କ ସହ ଆସି ୫-ଟି ସଚିବ ପାଣ୍ଡିଆନଙ୍କୁ ନିଜର ଅଭିଯୋଗ ଶୁଣାଣି କରିଥିଲେ।

ଏଭଳି ଦୁଇ ଜଣ ବିଦ୍ୟାର୍ଥୀଙ୍କ ନିବେଦନକୁ ଗୁରୁତର ଭାବେ ବିଚାର କରି ଦୁଇ ଜଣଙ୍କୁ ୬୦ ହଜାର ଟଙ୍କା ଦେବା ଲାଗି ୫-ଟି ସଚିବ ଆସିକା ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗତକାଲି ଆସିକା ବିଧାୟକ ମଞ୍ଜୁଳା ସାଇଁ, ବି ଡି ଓ ଫକୀର ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟା ତନ୍ମୟୀ ନାହାକ, ଅନିମା ପରିଡା, ପ୍ରମୁଖ ଉପସ୍ଥିତ ରହି ଦୁଇ ଜଣଙ୍କୁ ଆସିଥିବା ଆର୍ଥିକ ରାଶି ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ.ପାଣ୍ଡିଆନ, ବିଧାୟିକା, ଜିଲ୍ଲାପରିଷଦ, ସରପଞ୍ଚ, ପଂଚାୟତ ପ୍ରତିନିଧି, ବିଡ଼ିଓଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅନୁଭବ; କହିଲେ, ପ୍ରମାଣ ଦେଲେ ଛାଡି ଦେବି ରାଜନୀତି

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ତାଙ୍କ ଖବର କାଗଜ ସମ୍ବାଦର ଆମଘର ହାଲଚାଲ ସ୍ତମ୍ବରେ ସେ ସିଧା ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ଏହିପରି ସମାଲୋଚନା କରିଆସୁଛନ୍ତି। ତେବେ ତାଙ୍କର ସମାଲୋଚନା ସେହି ସମାଲୋଚନା ଭିତରେ ହିଁ ରହି କୁଆଡେ ଉଭେଇ ଯାଉଛି।

ତେବେ ଏଥର ସେ ତାଙ୍କ ସ୍ତମ୍ବରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଏକ ରାଜନୈତିକ ବ୍ୟକ୍ତିଭାବେ ପ୍ରମାଣିତ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଏହା ଜଣେ ପ୍ରଶାସକ ହିସାବରେ କହିବା ଠିକ ନୁହେଁ ବୋଲି ସୌମ୍ୟରଂଜନ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ହେଲେ ତାହା ପାଣ୍ଡିଆନ କିପରି କହୁଛନ୍ତି ବୋଲି ସୌମ୍ୟ ତାଙ୍କ ଲେଖାରେ ପ୍ରଶ୍ନ କରିଛନ୍ତି।

ସେହିପରି ସେ ଚନ୍ଦ୍ରଯାନ-୩ ଅଭିଯାନରେ ଛଅ ଶହ କୋଟି ଖର୍ଚ୍ଚ ହୋଇଥିବା ବେଳେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ ମଧ୍ୟ ସେହିପରି ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରି ଖର୍ଚ୍ଚ ପଛରେ କଣ ରହିଛି କାରଣ ତାହା ତାଙ୍କୁ ବୁଝାପଡୁ ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି। ସାରା ଦେଶ ଯେପରି ଚନ୍ଦ୍ର ଭ୍ରମଣକୁ ଆଗ୍ରହ ସହକାର ସ୍ବୀକାର କରୁଛନ୍ତି, ଠିକ ସେହିପରି ଓଡିଶାରେ ମଧ୍ୟ ପାଣ୍ଡିଆନଙ୍କ ଭ୍ରମଣକୁ ସମସ୍ତେ ଗ୍ରହଣ କରୁଥିବାର ମନେ ହେଉଛି ବୋଲି ସେ କହିଛନ୍ତି।

ତେବେ ସୌମ୍ୟରଞ୍ଜନଙ୍କ ଏହି ଲେଖାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ତାଙ୍କ ଟୁଇଟରରେ ସୌମ୍ୟରଞ୍ଜନଙ୍କ ଉଲ୍ଲେଖରେ ଲେଖିଛନ୍ତି ଯେ, ୧୫ ଦିନ ପରେ ଆପଣ ନିଜ ଖବରକାଗଜରେ ଆଉ ଏକ ଲେଖା ଲେଖିଛନ୍ତି, ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ଆପଣ ଅତ୍ୟଧିକ ନିରାଶ ଏବଂ ହତାସ ହୋଇ ପଡିଛନ୍ତି।

ଆପଣ ଉଲ୍ଲେଖ କରିଛନ୍ତି ଯେ ୫ଟି ସଚିବ ଭିକେ ପାଣ୍ଡିଆନ ଏକ ବୈଠକରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଲୋକଙ୍କୁ ଆହ୍ବାନ କରିଥିଲେ। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ପାଣ୍ଡିଆନ ଏହା କେଉଁଠି କହିଥିଲେ ତାହାର ପ୍ରମାଣ ଦିଅନ୍ତୁ। ୧୨ ଘଣ୍ଟା ମଧ୍ୟରେ ଆପଣ ଏହାକୁ ଆପଣଙ୍କ ଚ୍ୟାନେଲରେ ପ୍ରମାଣ ସହିତ ପ୍ରସାରଣ କରନ୍ତୁ। ଯଦି ଏହା ପ୍ରମାଣିତ କରାଇ ଦେବେ, ତେବେ ମୁଁ ରାଜନୀତିରୁ ସନ୍ୟାସ ନେବି ବୋଲି ଅନୁଭବ ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଅନୁଭବ ଆହୁରି କହିଛନ୍ତି ଯେ, ଆପଣ ଯଦି ଏହାର ପ୍ରମାଣ ଦେଇ ନ ପାରିବେ ତେବେ ଓଡିଶା ଲୋକେ ଜାଣିବେ ଯେ, ଆପଣ ଜଣେ ମିଛୁଆ।

୫ଟି ସଚିବଙ୍କ ଗସ୍ତ ଖର୍ଚ୍ଚକୁ ନେଇ ମଧ୍ୟ ଅନୁଭବ ସୌମ୍ୟରଂଜନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ଆପଣ ଉଲ୍ଲେଖ କରିଛନ୍ତି ଯେ ୫-ଟି ସଚିବଙ୍କ ଗସ୍ତରେ ୩୦୦ କୋଟି ଖର୍ଚ୍ଚ ହୋଇଛି। ଆପଣଙ୍କ ପାଖରେ କୈଣସି ପ୍ରମାଣ ଅଛି କି? ଆପଣ ଭଲଭାବେ ଜାଣିଛନ୍ତି ଯେ କିଛି ବର୍ଷ ପୂର୍ବେ ଓଡିଶାର ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ପାଇଁ ୬୦୦ କୋଟି ଖର୍ଚ୍ଚ କରିଛନ୍ତି। ସେତେବେଳେ ଆପଣଙ୍କର ବିବେକ କେଉଁଠାରେ ଥିଲା ବୋଲି ପ୍ରଶ୍ନ ପଚାରିଛନ୍ତି ଅନୁଭବ।

ସେ ପୁଣି କହିଛନ୍ତି ଯେ, ଆପଣ ଏବଂ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହିତ ଚନ୍ଦ୍ରକୁ ଯାଇ ସେଠାରେ ବସନ୍ତୁ। ୫-ଟି ସଚିବ ଯେଉଁ ଓଡିଶା ଗସ୍ତ କରୁଛନ୍ତି ସେଥିରେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉ ନାହାଁନ୍ତି। ସେ ଓଡିଶାର ଲୋକମାନଙ୍କୁ ଭେଟିବାକୁ ଯାଉଛନ୍ତି, ସେମାନଙ୍କର ଅଭିଯୋଗ ଶୁଣୁଛନ୍ତି ଏବଂ ସେମାନଙ୍କଠାରୁ ନିବେଦନ ଗ୍ରହଣ କରୁଛନ୍ତି। ଏଥିରେ କେଉଁଠି ଭୁଲ ରହିଲା ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ଖଣ୍ଡପଡା ରାଜନୀତିକୁ ନେଇ ଅନୁଭବ ମଧ୍ୟ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନଙ୍କ ନୟାଗଡ ଗସ୍ତ ବେଳେ ସେ ଖଣ୍ଡପଡାବାସୀଙ୍କଠାରୁ ସର୍ବାଧିକ ସଂଖ୍ୟକ ନିବେଦନ ଗ୍ରହଣ କରିଛନ୍ତି। ଏହା ଦର୍ଶାଉଛି ଯେ ଖଣ୍ଡପଡାର ଲୋକମାନେ ଆପଣଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ହରାଇଛନ୍ତି। ଏହା ଆପଣଙ୍କୁ କଷ୍ଟ ଦେଉଛି, ଯେଉଁଥି ପାଇଁ ଆପଣ ଆପଣଙ୍କର ଖବରକାଗଜ ଲେଖା ମାଧ୍ୟମରେ କ୍ରୋଧ ବାହାର କରୁଛନ୍ତି।

ସୌମ୍ୟରଂଜନ ତାଙ୍କ ସମ୍ଭରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମିମାନେ ଘେରାଉ କରିବା ଠିକ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ତାହାର ଜବାବ ମଧ୍ୟ ଅନୁଭବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବହୁ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଚାର୍ଜସିଟ୍ ହୋଇଛନ୍ତି। ସେ ଜାମିନରେ ଆସିଥିବା ଜଣେ ଅପରାଧୀ। ଆପଣଙ୍କ ଚ୍ୟାନେଲ ଏବଂ ଖବରକାଗଜ ମଧ୍ୟ ତାଙ୍କ ଠକେଇ ସଂପର୍କରେ ପ୍ରସାରଣ କରିଥିଲା। ଜାମିନରେ ଆସିଥିବା ଏପରି ଅପରାଧୀଙ୍କୁ ଆପଣ ସମର୍ଥନ କରୁଛନ୍ତି ବୋଲି ଆପଣ ଲଜ୍ଜିତ ନୁହଁନ୍ତି କି ବୋଲି ଅନୁଭବ ସୌମ୍ୟଙ୍କୁ ପ୍ରଶ୍ନ କରିଛନ୍ତି।

ଆପଣଙ୍କର ଏହି ଲେଖାରୁ ଆପଣଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ଲୋଭ ଓଡ଼ିଶାର ଲୋକଙ୍କ ଆଗରେ ସଂପୂର୍ଣ୍ଣ ଭାବେ ପ୍ରକାଶ ପାଇଛି। ତଥାପି ମୁଁ ଆଶା କରେ ୧୨ ଘଣ୍ଟା ମଧ୍ୟରେ ମୁଁ ମାଗିଥିବା ପ୍ରମାଣ ଆପଣ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବେ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି।

ସୌମ୍ୟରଂଜନ ପଟ୍ଟନାୟକ ଏବଂ ଅନୁଭବ ପଟ୍ଟନାୟକଙ୍କ ମଧ୍ୟରେ ଏପରି ଜବାବ ପ୍ରତିଜବାବକୁ ନେଇ ଓଡିଶା ରାଜନୀତିରେ ବେଶ ରୋଚକ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭି. କେ. ପାଣ୍ଡିଆନଙ୍କ ଆସିକା ଗସ୍ତ: ଜାଣନ୍ତୁ କଣ ଘୋଷଣା କଲେ ୫-ଟି ସଚିବ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଗଞ୍ଜାମ ଜିଲ୍ଲାରେ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଆସିକା ଗସ୍ତକୁ ନେଇ ଚଳଚଂଚଳ ହୋଇପଡିଥିଲା। ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନ ଭଞ୍ଜନଗର ଓ ସୋରଡା କାର୍ଯ୍ୟକ୍ରମ ପରେ ଦିନ ପ୍ରାୟ ୧.୩୦ ମିନିଟ ସମୟରେ ଆସିକା କଲେଜ ଛକ ଅସ୍ଥାୟୀ ହେଲିପେଡ ଠାରେ ଓହ୍ଲାଇଥିଲେ। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହୁଳହୁଳୀ ଓ ପାଣ୍ଡିଆନ ଜିନ୍ଦାବାଦ ପ୍ରକମ୍ପିତ ଶଦ୍ଧରେ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା।

ସଭା ସ୍ଥଳ ନିକଟରେ ହଜାର ହଜାର ବିଜେଡି କର୍ମୀ, ମିଶନଶକ୍ତି କର୍ମୀ, ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ସମସ୍ୟାର ଦାବୀ ପତ୍ରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗ୍ରହଣ କରିଥିଲେ। ଏହା ପରେ ସୁସଜ୍ଜିତ ସଭା ମଣ୍ଡପରେ ପହଁଚି ଥଲେ। ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଆସିକା ବ୍ଲକର ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଏନ.ବି.ସି ମହାବିଦ୍ୟାଳୟ, ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ କୁ ୫-ଟି ରେ ସାମିଲ କରି ରୁପାନ୍ତରିତ କରିଥିଲେ।

ସେହିଭଳି ଆସିକା ସବଡିଭିଜନ ମେଡିକାଲକୁ ୪୨ କୋଟି ଟଙ୍କା ଅନୁଦାନ ସ୍ୱରୁପ ରୁପାନ୍ତିରକରଣ, ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ୫ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ କରିବା, ସ୍ଥାନୀୟ ସମସ୍ତ ସରକାରୀ କାର୍ଯ୍ୟ ମିଶନ ଶକ୍ତି ଦ୍ୱାରା କରା ଇବା, ମିଶନ ଶକ୍ତି ମହିଳା ମାନଙ୍କୁ ଖାଲି ପଡିଥିବା ସରକାରୀ କୋଠା ଯୋଗାଇବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଥିଲେ।

କୃଷକମାନଙ୍କ ଉଦ୍ଧେଶ୍ୟରେ ଫସଲ ବୀମା ପ୍ରିମିୟମ ମାଗଣାରେ ଯୋଗାଇବା, କୃଷକ ମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ଘୋଷଣା କରିଥିଲେ। ଆସିକା ବ୍ଲକରେ ଥିବା ସମସ୍ତ ମନ୍ଦିର, ମସଜିଦ, ଗୀର୍ଜାକୁ ରୁପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ପ୍ରଦାନ କରିବା ପାଇଁ ଘୋଷାଣା କରିଥିଲେ।

ଆସିକା କଲେଜ ଛକରେ ୫-ଟି ସଚିବଙ୍କ ଗସ୍ତ ପରେ ପୋଲସରା ବ୍ଲକୁ ଗସ୍ତ କରିଥିଲେ। ଏହି ଗସ୍ତ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବା ବେଳେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଲୋକ ସାମିଲ ଥିଲେ। ସେପଟେ ଏହି କାର୍ଯ୍ୟକ୍ରମରେ କୋଣସି ଜନପ୍ରିତନିଧିଙ୍କୁ ଛଡାଯାଇନଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ସମସ୍ତ ଗଣପ୍ରତିନିଧୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା।

ଆସିକା ସହରରେ ବିଜେପି ପକ୍ଷରୁ ଭି.କେ.ପାଣ୍ଡିଆନ ଗସ୍ତକୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଆସିକା ଏନଏସି ୱାର୍ଡ ନମ୍ବର-୧ କାଉନସିଲର ସରୋଜ ଭଞ୍ଜ, ଏନଏସି ୱାର୍ଡ ନମ୍ବର-୧୬ କାଉନସିଲର ରାଘବ ସିଅ ସମେତ ବହୁ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ।

ସେହିଭଳି କଂଗ୍ରେସ ଯୁବ ନେତା ଅନିଲ କୁମାର ପରିଡାକୁ ପୂର୍ବରୁ ପୋଲିସ କାବୁ କରି ଥାନାରେ ଅଟକ ରଖିଥିଲେ। ସୁରକ୍ଷା ଦୃଷ୍ଟିରୁ ଆସିକା ବ୍ଲକ ଠାରେ ମିଶନ ଶକ୍ତି କାଫେ ର ଉଦଘାଟନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ନେତୃତ୍ୱରେ ବିଜୁ ଛକରେ ଥିବା ବିଜୁ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।

ଏହାପରେ ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ,ଏନଏସି ସ୍ୱେଚ୍ଚାସେବୀ, ୱାର୍ଡ ଅଫିସର ଓ ସମସ୍ତ କର୍ମଚାରୀ ୫-ଟି ସଚିବ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମର ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ପୁଣି ଗଂଜାମ ଗସ୍ତ କଲେ ଭି କେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ଆଜି ପୁଣି ଥରେ ଗଞ୍ଜାମ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ଜନସମାବେଶରେ ଯୋଗଦେଇଛନ୍ତି।

ସେ ପ୍ରଥମେ ମହାନଦୀ ଏବଂ ସାଲିଆ ଡ୍ୟାମରୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପରେ ୧୬୭୦ କୋଟି ଟଙ୍କାର ବ୍ୟୟ କରାଯିବ ବୋଲି ଅଟକଳ କରାଯାଇଛ।  ଏହା ଦ୍ବାରା ସୋରଡା, ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ପୋଲସରା, ବୁଗୁଡା ଏବଂ ଖଲିକୋଟ ବ୍ଲକ୍ ର ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଇବ।

ଏଥିସହ ସେ ପୋଲାସରାର ଧାନେଇ ନଦୀ କୂଳରେ ଥିବା ସାନାବରାଗାଁରେ ଚାଲିଥିବା ଇନଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିରେ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ସେହିପରି ସେ ଭଞ୍ଜନଗରର ଢୋଲପିତା ରେ ୨୬ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ଏବଂ ଏହି ଅଞ୍ଚଳରେ ଜଳସେଚନ ସୁବିଧା ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ। ଏହି ଦୁଇଟି ପ୍ରକଳ୍ପ ଯଥାକ୍ରମେ ଡିସେମ୍ବର ୨୦୨୩ ଏବଂ ଜାନୁଆରୀ ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସଡ଼କ ସଂଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦେଇ ସେ ବିଭିନ୍ନ ସଡକ ପ୍ରକଳ୍ପ ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ୨୬ କୋଟି ଟଙ୍କା ବ୍ୟୟରେ କାଣ୍ଟେପାଲ୍ଲୀ-ସୋରଡା ରୋଡର ମଜବୁତ ଏବଂ ପ୍ରଶସ୍ତିକରଣର ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବା ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ସେହିପରି ୨୫ କୋଟି ଟଙ୍କା ମୂଲ୍ୟରେ ଆସ୍କା ଠାରୁ ପୋଲସାରା ପର୍ଯ୍ୟନ୍ତ ପିଡ୍ଲୁଡି ରୋଡ୍ ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୪ ସୁଦ୍ଧା ଶେଷ ହେବ। ୪୮ କୋଟି ଟଙ୍କା ବ୍ୟୟରେ ବୁଢାଆମ୍ବା-ବୁଗୁଡା ରାସ୍ତା ନିର୍ମାଣ ହେବ। ଏହାର କାର୍ଯ୍ୟ ଫେବୃଆରୀ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ପାଣ୍ଡିଆନ୍ ମଧ୍ୟ ଭଞ୍ଜନଗର ଏନଏସି, ସୋରଡା ଏନଏସି, ବେଲାଗୁଣ୍ଠା ଏନଏସି, ଆସ୍କା ଏନଏସି, ପୋଲସରା ଏନଏସି, ବୁଗୁଡା ଏନଏସି, ପୁରଷୋତମପୁର ଏନଏସି ଏବଂ ଖଲିକୋଟ ଏନଏସିରେ ୫୧ କୋଟି ଟଙ୍କା ମୂଲ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡିକ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି।

ଏଥିସହିତ ସେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସେଗୁଡିକ ହେଲା- ବାବାନାପୁରରେ ୪୦ କୋଟି ଟଙ୍କା ବ୍ୟୟରେ ନୂତନ ଏସଡିଏଚ ବିଲ୍ଡିଂର ନିର୍ମାଣ କାର୍ଯ୍ୟ। ୨୩ କୋଟି ଟଙ୍କା ମୂଲ୍ୟରେ ଆସ୍କାରେ ଟିପିସରା ନାଳର ଭିତ୍ତିଭୂମି ବିକାଶ। ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ।

ସେ ବିଭିନ୍ନ ସ୍ଥାନରେ ମିଶନ୍ ଶକ୍ତି ଗୋଷ୍ଠୀ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ। ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସୁଧମୁକ୍ତ ଋଣ ବିଷୟରେ ସଚେତନତା ତଥା ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଦିନ ବେଳା ସେ ଭଞ୍ଜାନଗର, ସୋରଡା, ଆସ୍କା, ପୋଲସରା ଏବଂ ଖଲ୍ଲିକୋଟରେ ଜନ ଅଭିଯୋଗ ସଭାରେ ଭାଗ ନେଇଥିଲେ। ସେମାନଙ୍କ ଅଭିଯୋଗ ସମ୍ପର୍କରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ସେ କହିଛନ୍ତି ଯେ ନାଗରିକମାନଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଛନ୍ତି। ଦାଖଲ ହୋଇଥିବା ସମସ୍ତ ଆବେଦନଗୁଡିକର ଶୀଘ୍ର ସମାଧାନ କରିବାକୁ ଚେଷ୍ଠା କରାଯିବ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫ ଟି ସଚିବଙ୍କ ବେଗୁନିଆପଡ଼ାରେ ଜନ ଅଭିଯୋଗ ଶୁଣାଣି

ବେଗୁନିଆପଡା (ଟୁକୁନା ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଠାରୁ ତିନିଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି। ଆଜି ସକାଳେ ପ୍ରଥମେ ବେଗୁନିଆପଡ଼ା ବ୍ଳକ ବୁରୁଝୁରୀ ଠାରେ ସାଧାରଣ ସଭାରେ ଯୋଗ ଦେଇ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ମିଶନ୍ ଶକ୍ତି ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି।
ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି। ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ସହ ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି ୫ ଟି ସଚିବ।

ବୁରୁଝୁରୀ ବାଲିବଣ ସ୍ଥିତ ଶନି ମନ୍ଦିର ପଡ଼ିଆରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ୫ ଟି ସଚିବ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ୍‌ ଓ ଏନ୍‌ ଏ ସି, ବେଗୁନିଆପଡ଼ା ବ୍ଲକ୍‌, କୋଦଳା ଏନ୍‌ଏସିର ହଜାର ହଜାର ଲୋକଙ୍କ ସମାଗମ ସେଠି ଦେଖିବାକୁ ମିଳିଥିଲା। ୫-ଟି ସଚିବ ଲୋକଙ୍କ ଅଭିଯୋଗ, ଅନୁରୋଧ ଶୁଣି ସମସ୍ୟାର ସମାଧାନ ତଥା ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାର ଆଶ୍ଵାସନା ଦେଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ସ୍କୁଲ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ୫-ଟି ରୂପାନ୍ତରଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ୫-ଟି ସଚିବ। ଏଥିରେ ଗଞ୍ଜାମ ଜିଲ୍ଲାପାଳ ସମେତ ବିଭିନ୍ନ ଥାନା ଅଧିକାରୀ ଏବଂ ତହସିଲଦାର, ବିଡିଓ, ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଭି କେ ପାଣ୍ଡିଆନଙ୍କ ଗର୍ଜ୍ଜନ, ସାଂସଦଙ୍କ ମୁଣ୍ଡ ଖରାପ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦିନେ 5T ସଚିବଙ୍କ ବିରୋଧରେ ଗର୍ଜ୍ଜନ କରୁଥିଲେ। ସେ କାହିଁକି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେତିକି ନୁହେଁ ତାଙ୍କୁ ଜଣେ ନିମ୍ନ ଅଧିକାରୀ ବୋଲି କହି ତାଙ୍କ ବିରୋଧରେ କେନ୍ଦ୍ରରେ ଅଭିଯୋଗ ଆଣିଥିଲେ। ସେହି ଆଧାରରେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗରୁ ନାମ ନ ଥିବା ଏକ ଚିଠି କାର୍ଯ୍ୟାନୁଷ୍ଠାନ ନେବାକୁ ଆସିଲା। ହେଲେ ଏହାପରେ ସବୁ ବନ୍ଦ।

ବିରୋଧୀ ଭାବି ଥିଲେ ଯେ ସାଂସଦ ଅପରାଜିତା 5T ସଚିବ ପାଣ୍ଡିଆନଙ୍କ ବିରୋଧରେ ଏପରି କଲେ ତାଙ୍କ ଜିଲ୍ଲା ଗସ୍ତ ବନ୍ଦ ହୋଇଯିବ। ହେଲେ ବନ୍ଦ ନୁହେଁ ବରଂ ଅପରାଜିତାଙ୍କ ଅଭିଯୋଗ ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ବଢିବାକୁ ଲାଗିଲା। ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେ ବଡ ସଭା କରୁଥିଲେ। ଏହାପରେ ସେ ତିନି ଚାରିଟି ସ୍ଥାନରେ ଜନସଭା କରିବାକୁ ଲାଗିଲେ। ପୂର୍ବରୁ ଜିଲ୍ଲା ସ୍ତରୀୟ ଗସ୍ତ କରୁଥିଲେ ଏବେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗସ୍ତ କଲେଣି।

ତେବେ ସେ ଯେଉଁଠାକୁ ଗସ୍ତ କରନ୍ତୁ କି ନାହିଁ, ହେଲେ ଗତ ତିନିଦିନର ଗସ୍ତ ଥିଲା ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଏହି ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ସେ ଖୋଦ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ଭୁବନେଶ୍ବରରେ ଖୋର୍ଦ୍ଧା ଜିଲ୍ଲା ଛାତ୍ର ସମ୍ମିଳନୀ, ଏହାପରେ ଖୋର୍ଦ୍ଧା, ଜଟଣୀ, ବାଲିପାଟଣା, ବାଲିଅନ୍ତା, ବେଗୁନିଆ ପ୍ରଭୃତି ସ୍ଥାନ ଗସ୍ତ କରି ସେ ଜନସମାଗମକୁ ଉଦବୋଧନ ଦେଇଥିଲେ।

ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ପରିଲକ୍ଷିତ ହେବ ଯେ, ସେ ଅନ୍ୟ ସ୍ଥାନରେ ଯେପରି କହୁଥିଲେ ଅପରାଜିତାଙ୍କ ରାଇଜରେ ତାହାଠାରୁ ଜୋରରେ କହିଛନ୍ତି। ସେ ଅପରାଜିତାଙ୍କ ସଂସଦୀୟ ଲୋକଙ୍କ ସହିତ ମଞ୍ଚ ଉପରୁ ସିଧା ଆଲୋଚନା କରିଛନ୍ତି। ମଞ୍ଚ ଉପରୁ ଲୋକଙ୍କୁ ବିଭିନ୍ନ କଥା ପଚାରି ତାହା ଉତ୍ତର ସେ ନେଇଛନ୍ତି। ସେହି ଭିତରେ ଟିକିଏ ଜୋରରେ କୁହନ୍ତୁ ବୋଲି ସେ ମଝିରେ ମଝିରେ ଲୋକଙ୍କୁ ଆହ୍ବାନ କରୁଥିଲେ। ଏ କଥା ଶୁଣି ଲୋକେ ମଞ୍ଚ ଉପରେ ଜୋରରେ ପାଟି କରି ‘ହଁ’ କିମ୍ବା ‘ନାହିଁ’ କରୁଥିଲେ।

ଅବଶ୍ୟ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପାଣ୍ଡିଆନ ଜାଣି ଶୁଣି କି ଅଜଣାତରେ ଏପରି କରୁଥିଲେ ତାହା ଭିନ୍ନ କଥା। ହେଲେ ଏହା ଦ୍ବାରା ଅପରାଜିତାଙ୍କ ମୁଣ୍ଡ ଖରାପ ହେବା ନିଶ୍ଚିତ। ସେ ଯେତେବେଳେ ପାଣ୍ଡିଆନ ଏବଂ ଲୋକଙ୍କ ଗର୍ଜ୍ଜନର ଭିଡିଓ ଦେଖୁଥିବେ ସେତେବେଳେ ଅପରାଜିତା ପାଗଳ ପ୍ରାୟ ହୋଇଯାଉଥିବେ। ଯେଉଁ ପାଣ୍ଡିଆନ ବିରୋଧରେ ସେ ଏତେ କଥା କଲେ, ଶେଷରେ ସେହି ପାଣ୍ଡିଆନ ଆସି ମୋ ଘରେ ଗର୍ଜ୍ଜନ କରୁଛି ବୋଲି ସେ ମନେ ମନେ ଭାବୁ ଥିବେ।

ଖାଲି ଅପରାଜିତା ନୁହଁନ୍ତି ବିଜେପିର ସବୁ ନେତା ପ୍ରାୟ ନିଶ୍ଚିତ ହୋଇସାରିଲେଣି ଯେ, ପାଣ୍ଡିଆନ ଗସ୍ତକୁ ବର୍ତ୍ତମାନ କୌଣସି ଶକ୍ତି ରୋକିପାରିବ ନାହିଁ। ଯେତେ କାଳି ତଥା କଳା ପତାକା ଦେଖାଇଲେ ମଧ୍ୟ ସେଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ। କାରଣ 5T ସଚିବ ଭି କେ ପାଣ୍ଡିଆନ ତାଙ୍କ ଚାରିପଟେ ଏକ ଶକ୍ତିଶାଳି ବଳୟ ତିଆରି କରିଛନ୍ତି।ତାହାକୁ ବିରୋଧୀ ଭେଦ କରିବା ଦୂରେ ଥାଉ ଏହା କଣ ବୋଲି ବୁଝିବା ମଧ୍ୟ କଷ୍ଟକର ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ଅଞ୍ଚଳର ବିକାଶ ଚିତ୍ର ରଖିଲେ 5ଟି ସଚିବ ଭି କେ ପାଣ୍ଡିଆନ- କହିଲେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର

ସୀତାରାମ ଅଗ୍ରୱାଲ

ନାଚୁଣୀ: ବହୁ ପ୍ରତିକ୍ଷୀତ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଆଜି ଚିଲିକା ନାଚୁଣୀ ଗୋଦାବରୀଶ ବିଦ୍ୟାଳୟ ଖେଳ ପଡିଆରେ ଭିକେ ପାଣ୍ଡିଆନ ଜନ ସମୁଦ୍ରକୁ ଉଦବୋଧନ ଦେଇଛନ୍ତି। ଚିଲିକା ଅଞ୍ଚଳର ଲୋକଙ୍କ ସହ ମିଶିବା ସହିତ ମହିଳାମାନଙ୍କ ସହିତ ଆଲୋଚନା କରିଛନ୍ତି। ସେ ତାଙ୍କ ଭାଷଣ ମାଧ୍ୟମରେ ଚିଲିକା ନିର୍ବାଚନ ମଣ୍ଡଳିର ବିକାଶ ଚିତ୍ର ଉପସ୍ଥାପନା କରିଛନ୍ତି।

ସେ ମଞ୍ଚ ଉପରକୁ ଯାଇ ପ୍ରଥମେ ହାତ ହଲାଇ ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ବୋଲି କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ଆପଣ ମାନେ ବହୁତ ଆଗରୁ ଆସିଯାଇଛନ୍ତି ବୋଲି ଜାଣିବାକୁ ପାଇଲି। ସେଥିପାଇଁ ଧନ୍ୟବାଦ। ଆପଣମାନଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି। ଆପଣମାନେ ମୋତେ  ୩୭୦ଟି  ଦରଖାସ୍ତ ଦେଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। ପ୍ରଥମେ ଚାଷୀମାନଙ୍କ ସମସ୍ୟା ଗୁରୁତ୍ୱ ଦିଆଯିବ। କାରଣ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଭଲ ପାଆନ୍ତି। ସେମାନଙ୍କୁ ସବୁବେଳେ ସଶକ୍ତ କରିବାକୁ ଚାହାଁନ୍ତି ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟ ସେଣ୍ଟର ଉନ୍ନତି ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି, ଆଜିଠାରୁ ୭ ଦିନ ଅର୍ଥାତ ଆସନ୍ତା ୨୯ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଖୁସି ଖବର ଦେବେ। ଟଙ୍କା ଅନୁମୋଦନ କରିବେ। ଏହା ଆପଣମାନଙ୍କ ଟଙ୍କା, ଏହାକୁ ସ୍ୱଛତା ସହ କାମରେ ଲଗାନ୍ତୁ, ତାହାହେଲେ ଆହୁରି ଟଙ୍କା ମିଳିବ, ଭଲ କାମ ନ କଲେ ଆଉ ଟଙ୍କା ମିଳିବନି ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ଯେଉଁମାନେ ପିଇବା ପାଣି ଅସୁବିଧା ପାଇଁ ଦରଖାସ୍ତ  ଦେଇଛନ୍ତି, କାଲି ସକାଳେ ସୁଦ୍ଧା ସେମାନଙ୍କ ଗାଁକୁ ଯନ୍ତ୍ରୀ ଯିବେ। ଦୁଇ ଦିନ ଭିତରେ ସେ ସମସ୍ୟାର ସମାଧାନ ହେବ। ମୁଖ୍ୟମନ୍ତ୍ରୀ ଆପଣ ଅଞ୍ଚଳ ପାଇଁ, ବାଣପୁର ବ୍ଲକ ଓ ଚିଲିକା ବ୍ଲକର ସବୁ ଗାଁ ଓ ଘରେ ପାଇପ ଯୋଗେ ପାଣି ପାଇଁ ୨୨୦ କୋଟି ଅନୁମୋଦନ କରିଛନ୍ତି ବୋଲି ପାଣ୍ଡିଆନ ଅବଗତ କରାଇଥିଲେ।

ସେ କହିଥିଲେ ଯେ, ବାଣପୁର ନୂଆ ସିଏଚସି ପାଇଁ ୨ କୋଟି ଟଙ୍କା ଦିଆଯାଇଛି। କାମ ଦୁଇ ମାସ ମଧ୍ୟରେ ସରିବ। ସେହିପରି ବାଣପୁର ଏନଏସି ପାଇଁ  ୯ କୋଟି ଓ ବାଲୁଗାଁ ଏନଏସି ପାଇଁ ୭ କୋଟି ବ୍ୟୟରେ ପିଇବା ପାଣି ବ୍ୟବସ୍ଥା ହୋଇଛି। ସେତିକି ନୁହେଁ ବାଲୁଗାଁ ଓ ବାଣପୁର ଏନଏସିରେ ବିଜୁ ପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ ଏହି ମାସରେ ସରିବ ବୋଲି ପାଣ୍ଡିଆନ କହିଥିଲେ।

ସେ ଆହୁରି କହିଥିଲେ ଯେ, ମତ୍ସ୍ୟଜୀବୀମାନଙ୍କ ପାଇଁ ସୋରଣରେ ୧୮ କୋଟି ଟଙ୍କା ବ୍ୟୟରେ ଫିସ ଲ୍ୟାଣ୍ଡିଂ ସେଣ୍ଟର କାମ ହେଉଛି। ତାହା ଖୁବ ଶିଘ୍ର ସରିବ। ମାଆ ଭଗବତୀ ମନ୍ଦିର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ୧୯ କୋଟି ଅନୁଦାନ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଆସନ୍ତା ଆଠ ମାସରେ ମଧ୍ୟରେ କାମ ଶେଷ ହେବ ବୋଲି ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।

ସେ ସରକାରଙ୍କ ମିଶନ ଶକ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଲୋକଙ୍କୁ ଅବଗତ କରାଇଥିଲେ। ଚିଲିକାରେ ମିଶନ ଶକ୍ତି ମାଆ ମାନଙ୍କୁ କେତେ ଘର ଦିଆଯାଇଛି, କଣ କାମ ହେଉଛି ତାହାର ସମୀକ୍ଷା କରାଯିବ ବୋଲି ସେ କହିଥିଲେ। ଖୁବ ଶିଘ୍ର BSKY କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ବଣ୍ଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବେ। ଏହା ଏକ ଯୁଗାନ୍ତକାରୀ ଯୋଜନା ବୋଲି ସେ କହିଥିଲେ। ଆପଣମାନେ ଏତେ ଖରାରେ ବସିଥିବାରୁ ବହୁତ ଧନ୍ୟବାଦ କହି ପାଣ୍ଡିଆନ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଦିନକୁ ୧୫ ମିନିଟ୍ ଧ୍ୟାନ କର, ଖୋର୍ଦ୍ଧା ଜିଲ୍ଲା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଭି କେ ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଜିଲ୍ଲା କଲେଜ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ସେ ୬୬.୭୫ କୋଟି ଟଙ୍କା ବ୍ୟୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୧୦୮ଟି ଶିକ୍ଷା ଅନୁଷ୍ଠାନକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ୭୦ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୩୮ ଡିଗ୍ରୀ କଲେଜ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି।

‘ନୂଆ ଓଡିଶା’ ସୃଷ୍ଟି ଏବଂ ରାଜ୍ୟର ପରିବର୍ତ୍ତନ ଦିଗରେ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରକୁ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରତିପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀମାନେ ‘ନୂଆ ଓଡିଶା’ ତିଆରି କରିବାରେ ମୁଖ୍ୟ ଶକ୍ତି ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଉଚ୍ଚ ଲକ୍ଷ୍ୟ ଏବଂ ତାହାକୁ ହାସଲ କରିବାକୁ କଠିନ ପରିଶ୍ରମ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ଦିଗରେ ସରକାରଙ୍କ ସମର୍ଥନ ରହିଛି ବୋଲି ସେ କହିଥିଲେ। ବ୍ୟକ୍ତିତ୍ୱ ବିକାଶ ଉପରେ ଧ୍ୟାନ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଶାରୀରିକ ସୁସ୍ଥତା ଏବଂ ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ସଂପଦ। ସେଥିପାଇଁ ପ୍ରତିଦିନ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରିବାକୁ ଏବଂ ଦୈନିକ୧୫ ମିନିଟ୍ ପାଇଁ ଧ୍ୟାନ କରିବାକୁ ଛାତ୍ରଛାତ୍ରୀଙ୍କୁ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ତଥା ସହାୟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସେମାନେ ପାଣ୍ଡିଆନଙ୍କ ଭାଷଣ ଦ୍ୱାରା ଅତ୍ୟନ୍ତ ଉତ୍ସାହିତ ଓ ଉଦବୋଧ ମଧ୍ୟ ହୋଇଥିଲା। ଛାତ୍ରଛାତ୍ରୀମାନେ ଭଲ ଅଧ୍ୟୟନ କରନ୍ତୁ ଏବଂ ସେମାନଙ୍କ ସଫଳତା ଓଡ଼ିଶାକୁ ଗର୍ବିତ କରୁ ବୋଲି ପାଣ୍ଡିଆନ ପରାମର୍ଶ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଜିଲ୍ଲାର ବିକାଶ ସଂପର୍କରେ ସମୀକ୍ଷା କଲେ 5T ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ଟି ସଚିବ V.K.Pandian ଝାରସୁଗୁଡା ଜିଲ୍ଲା ଗସ୍ତକରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏଥିସହିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ପାଣ୍ଡିଆନ୍ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।

ସେ ବ୍ରଜରାଜନଗରର ରାମଚଣ୍ଡି ମନ୍ଦିର ଏବଂ ଲାଇକେରାର ଜାଙ୍ଗା ଲିଙ୍ଗ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ସେ ସେବାୟତ, ଟ୍ରଷ୍ଟି ସଦସ୍ୟ ତଥା ଜନସାଧାରଣଙ୍କ ସହ ମନ୍ଦିରର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଏଥିସହିତ ଭକ୍ତଙ୍କ ପାଇଁ ଉନ୍ନତ ସୁବିଧା, ମନ୍ଦିରର ରୂପାନ୍ତରଣ ତଥା ବିଭିନ୍ନ ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକଙ୍କ ସୁବିଧା ସଂପର୍କରେ ସେ ବିଭିନ୍ନ ପରାମର୍ଶ ଗ୍ରହଣ କରିଥିଲେ। ଏ ସବୁର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍ଷ୍ମଣପୁର ବ୍ଲକର ଚାଲୁଥିବା ଦୁଇଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ମଧ୍ୟ Pandian କରିଥିଲେ। ଏହା ୧୧୩ କୋଟି ଟଙ୍କା ବ୍ୟୟ ନିର୍ମାଣ କରାଯାଉଛି ଯାହା ଲଖନପୁର ବ୍ଲକର ୭୫୫୩ ହେକ୍ଟର ଜମି ଜଳସେଚିତ ହୋଇପାରିବ। ପ୍ରକଳ୍ପଗୁଡିକ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ୬୦୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଛନ୍ତି। ଏଥିରେ ଝାରସୁଗୁଡା, କିର୍ମିରା, କୋଲାବିରା, ଲାଇକେରା ଏବଂ ଲଖନପୁର ବ୍ଲକରେ ୭୫୫୩ ଏକର ଜମି ଜଳସେଚିତ ହେବ। ୨୯୫ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଏକ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ସେ ସମୀକ୍ଷା କରିଛନ୍ତି। ବ୍ରଜରାଜନଗର ଏବଂ ବେଲପାହଡ ପୌରପାଳିକା ପାଇଁ ଚାଲିଥିବା ଏହି ପ୍ରକଳ୍ପ ଜାନୁଆରୀ ୨୦୨୪ ପରଠାରୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ଷମ ହେବ।

ଶ୍ରୀ ପାଣ୍ଡିଆନ୍ ହିରାକୁଦ୍ ଡ୍ୟାମ୍ ଜଳଭଣ୍ଡାରର ପାରିପାର୍ଶ୍ୱରେ ଅବସ୍ଥିତ ୧୯ ଟି ଅଣସର୍ଭେ ଗ୍ରାମର ସର୍ଭେ ଏବଂ ସେଟଲେମେଣ୍ଟ ଅପରେସନ୍ ର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ଏହି ପ୍ରକ୍ରିୟାକୁ ପ୍ରାଥମିକତା ଏବଂ ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ୍ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ସେଥିମଧ୍ୟରେ ୮୨ କୋଟି ଟଙ୍କା ବ୍ୟୟରେ ୦୪ ଲେନ୍ କ୍ୟାରେଜ ୱେ ରୋଡ୍ କରିଡର ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ବେଲପାହଡ ଏବଂ ବ୍ରଜଜନଗରକୁ ଏହି ରାସ୍ତା ସଂଯୋଗ କରିବ। ଏହା ଦ୍ବାରା ବ୍ରଜରାଜନଗର କୋଇଲା ଖଣିରୁ କୋଇଲା ପରିବହନ ସୁଗମ ହୋଇପାରିବ।

ସେ ଝାରସୁଗୁଡାରେ ମିଶନ୍ ଶକ୍ତି ମହିଳାମାନଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କ ପଦକ୍ଷେପ ପାଇଁ ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ପ୍ରକାରର ସମର୍ଥନ କରାଯିବ ବୋଲି କହିଥିଲେ। ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସୁଧମୁକ୍ତ ଋଣ ବିଷୟରେ ସଚେତନତା ତଥା ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ସେ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବାହ୍ମରେ ସେ ଲଖନପୁର ଏବଂ ଲାଇକେରାରେ ଜନ ଅଭିଯୋଗ ସଭାରେ ଭାଗ ନେଇଥିଲେ। ସେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିଥିଲେ। ସେ କହିଛନ୍ତି ଯେ ନାଗରିକ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଛନ୍ତି ଏବଂ ଦାଖଲ ହୋଇଥିବା ଆବେଦନଗୁଡିକର ଶୀଘ୍ର ସମାଧାନ କରିବାକୁ ନିଶ୍ଚିତ କରିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା ଜିଲ୍ଲା ଅଧିକାରୀମାନଙ୍କ ସହିତ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବରପାଲିର ଗଙ୍ଗାଧର ସ୍ମୃତି ପୀଠର ହେବ ରୂପାନ୍ତର, ପାଣ୍ଡିଆନଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଦେଲେ ଅନୁଦାନ

ଭୁବନେଶ୍ବର: ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ।

ସେହିପରି ଜୁନ ୨୬ ତାରିଖ ଦିନ ଶ୍ରୀ ପାଣ୍ଡିଆନ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ବରପାଲିସ୍ଥିତ ଜନ୍ମସ୍ଥାନ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କମିଟି ସଦସ୍ୟମାନଙ୍କ ସହିତ ଜନ୍ମସ୍ଥାନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ସ୍ୱଭାବ କବି ଗଙ୍ଗାଧର ମେହର ଓଡିଆ ଜାତିର ମହାନ୍ ସନ୍ତାନ। ଓଡିଆ ଭାଷା ଓ ସାହିତ୍ୟର ବିକାଶରେ ତାଙ୍କର ଅନବଦ୍ୟ ଅବଦାନ ଥିଲା। ତାଙ୍କ ଜନ୍ମ ପୀଠ ସାହିତ୍ୟପ୍ରେମୀ ତଥା ସାଧାରଣ ଲୋକଙ୍କ ପାଇଁ ଏକ ତୀର୍ଥ ସ୍ଥାନ।

ଏହି ଐତିହାସିକ ପୀଠର ସର୍ବାଙ୍ଗୀନ ଉନ୍ନତି ଓ ସୌନ୍ଦର‌୍ୟ୍ୟକରଣ କରାଯାଇ ଏହାକୁ ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ତଥା ଏକ ଆକର୍ଷଣୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏଥିରେ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ ନିର୍ମାଣ କରାଯିବ। ରୂପାନ୍ତର ପରେ ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶା କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର

ତିନିଦିନିଆ ମୟୁରଭଂଜ ଗସ୍ତରେ ଗଲେ 5ଟି ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ମୟୁରଭଂଜ ଗସ୍ତରେ ଗଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେଠାରେ ସେ ଜନଶୁଣାଣି କରିବା ସହିତ ମୟୁରଭଂଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ନିକଟରେ ପାଣ୍ଡିଆନ କଟକ ଜିଲ୍ଲା ଗସ୍ତ କରିଥିଲେ। ସେଠାରେ ସେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମିଶିବା ସହିତ ଅଭିଯୋଗ ସଂଗ୍ରହ କରିଥିଲେ। ସେହିପରି ସେହି ଜିଲ୍ଲାର ବିଭିନ୍ନ ଧର୍ମପିଠ ଦର୍ଶନ କରିବା ସହିତ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କଠାରୁ ଭୂମି ସମ୍ମାନ ପାଇଥିବା ଜିଲ୍ଲାଗୁଡିକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଜମି ରେକର୍ଡଗୁଡିକର କମ୍ପ୍ୟୁଟରୀକରଣରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର 19 ଟି ଜିଲ୍ଲା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣରେ ଶତପ୍ରତିଶତ ସଫଳତା ହାସଲ କରିଥିବାରୁ ଏହି ଜିଲ୍ଲାଗୁଡ଼ିକ ଜୁଲାଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଭୂମି ସମ୍ମାନ ଗ୍ରହଣ କରିଥିଲେ।

ଡିଜିଟାଇଜେସନ୍ ଅଫ୍ ଲ୍ୟାଣ୍ଡ ରେକର୍ଡରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ଭାରତର ଶ୍ରେଷ୍ଠ ରାଜ୍ୟ ଭାବରେ ସମ୍ମାନଜନକ ‘ଭୂମି ସମ୍ମାନ’ ରେ ପୁରସ୍କୃତ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ଖୋର୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୁଆପଡା, ରାୟଗଡା ଏବଂ ସମ୍ବଲପୁର।

ଆଜି ଲୋକ ସେବା ଭବନ ସମ୍ମିଳନୀ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଜିଲ୍ଲା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପାଇଁ ରାଜସ୍ୱ ପ୍ରଶାସନ ଏବଂ ଜିଲ୍ଲାଗୁଡିକୁ ଅଭିନନ୍ଦନ ଜଣାଇବା ସହ ଦେଶର ମୋଟ 68 ଟି ଜିଲ୍ଲାରୁ ରାଷ୍ଟ୍ରପତିଙ୍କ ଠାରୁ ଭୂମିସମ୍ମାନ ଗ୍ରହଣ କରିଥିବା ରାଜ୍ୟର 19 ଟି ଜିଲ୍ଲା ପାଇଁ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅନ୍ୟ ସମସ୍ତ ଜିଲ୍ଲା ଦ୍ବାରା ଶହେ ପ୍ରତିଶତ ଡିଜିଟାଇଜେସନ୍ ସଂପୂର୍ଣ୍ଣ ହେବ। ସିଏମ୍ କହିଛି ଯେ 5 ଟି  କାର୍ଯ୍ୟକାରୀ ହେବା ପରେ ଏବଂ “ମୋ ସରକାର” ର ନୀତି ପାଳନ କରି ଜମି ରେକର୍ଡର ଆଧୁନିକୀକରଣରେ ଓଡିଶା ଅନ୍ୟତମ ଅଗ୍ରଣୀ ହୋଇପାରିଛି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଲା ମଲ୍ଲିକ କହିଛନ୍ତି ଯେ ଜମି ରେକର୍ଡର ଡିଜିଟାଇଜେସନ୍ ଏବଂ ଜନସେବା ପ୍ରଦାନର ବିଭିନ୍ନ ପାରାମିଟରରେ ଓଡିଶା ଶତପ୍ରତିଶତ ସଫଳତା ହାସଲ କରିଛି। ସେ ତାଙ୍କ ବିଭାଗର ଅଧିକାରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ମୁଖ୍ୟ ସଚିବ ଶ୍ରୀ ପି.କେ ଜେନା କହିଥିଲେ ଯେ, ସମସ୍ତ ବିକାଶ, ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଭୂମି ରାଜସ୍ୱ ପ୍ରଶାସନ ହେଉଛି ମୂଳଦୁଆ। ଜମି ରେକର୍ଡଗୁଡିକର ଡିଜିଟାଇଜେସନ୍ ବିଭିନ୍ନ ପ୍ରକଳ୍ପକୁ ଶୀଘ୍ର ସୁଗମ କରିଛି।

ରାୟଗଡା ଏବଂ ନୂଆପଡା ଜିଲ୍ଲାପାଳ 5T କାର୍ଯ୍ୟ ଅନୁସରଣ କରି ଜମି ରେକର୍ଡର ଡିଜିଟାଇଜେସନ୍ ପରେ ନାଗରିକ କେନ୍ଦ୍ରିକ ରାଜସ୍ୱ ସେବାରେ ପରିବର୍ତ୍ତନ ଉପରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଜମି ବିବାଦ ହ୍ରାସ କରିବାରେ ଏହା ସହାୟକ ହୋଇଛି ବୋଲି ସେମାନେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସିଏମ୍ 5 ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଜି ରାଜସ୍ୱ ଶ୍ରୀ ଜ୍ୟୋତି ପ୍ରକାଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଆଇଜିଆର, ଓଡିଶା ଏହି ଉତ୍ସବରେ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ କଟକ ଜିଲ୍ଲା ଗସ୍ତ, ସବୁ କଲେଜ ହେବ ରୂପାନ୍ତରିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଙ୍ଗଳବାର କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଶ୍ରୀ ପାଣ୍ଡିଆନ୍ ଆଠଗଡ, ତିଗିରିଆ, ଟାଙ୍ଗି , ଚୌଦ୍ବାର, ନରସିଂହପୁର, ବଡମ୍ବା, ମାହାଙ୍ଗା ଏବଂ ନିଶ୍ଚିତ କୋଇଲି ବ୍ଲକରେ ୧୨୫୮ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ। ୨୦୨୪ ଜାନୁଆରୀ ରୁ ଏହି ପ୍ରକଳ୍ପଗୁଡିକ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଠଗଡର ଧବଳେଶ୍ୱର ମନ୍ଦିର, ବଡମ୍ବା ଭଟ୍ଟାରିକା ମନ୍ଦିର, ନରସିଂହପୁରର ପ୍ରଗାଲାପୀଠ ମନ୍ଦିର ବିଷୟରେ ସେ ଆଲୋଚନା କରିଥିଲେ। ମନ୍ଦିର ବିକାଶ ପାଇଁ ଡିଆରପି ପ୍ରସ୍ତୁତ କରାବେଳେ ମନ୍ଦିର କମିଟି ଏବଂ ସ୍ଥାନୀୟ ଲୋକଙ୍କ ସହ ପରାମର୍ଶ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭକ୍ତମାନଙ୍କ ପାଇଁ ସୁବିଧାଗୁଡ଼ିକର ବିକାଶ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସେ ନରସିଂହପୁରର ସିଏଚସି ହସ୍ପିଟାଲ ଏବଂ ଡାୟଲିସିସ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହାର ବିକାଶ ପାଇଁ ଡାକ୍ତର, କର୍ମଚାରୀ, ରୋଗୀ ଏବଂ ନର୍ସଙ୍କ ସହ ଆଲୋଚନା କରିଥିଲେ।

ସେ କଟକ ଜିଲ୍ଲାର ବିଭିନ୍ନ ଜୁନିଅର ଏବଂ ଡିଗ୍ରୀ କଲେଜର ଛାତ୍ରମାନଙ୍କ ସହିତ ଭାବ ବିନିମୟ କରିଥିଲେ। ୫-ଟି ରୂପାନ୍ତର ପ୍ରକଳ୍ପ ଅଧୀନରେ କଟକ ଜିଲ୍ଲାର ସମସ୍ତ କଲେଜକୁ ଅନ୍ତର୍ଭୁକ୍ତ କରାଯିବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ୬୩ କୋଟି ଟଙ୍କା ମଞ୍ଜୁର କରିଥିବା ସେ ସୂଚନା ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆମେରିକା ଗସ୍ତରେ 5ଟି ସଚିବ ଭି କେ ପାଣ୍ଡିଆନ, ସାଥିରେ ଗଲେ ସାତଜଣିଆ ଟିମ୍

ଭୁବନେଶ୍ବର: ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ଗସ୍ତ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ। ସେ ଏକ ସାତ ଜଣିଆ ଟିମ ସହିତ ଏହି ଗସ୍ତ କରିଛନ୍ତି। ଓଡିଶାର ଲୋକଙ୍କ ସହିତ ସିଧା ଅଭିଯୋଗ ଗ୍ରହଣ କରିବା ପରେ ବିଦେଶରେ ଥିବା ଓଡିଆଙ୍କ ସହିତ ରାଜ୍ୟର ଉନ୍ନତି ସଂପର୍କରେ ଆଲୋଚନା କରିବା ପାଇଁ ଏହି ଗସ୍ତ କରିଛନ୍ତି।

ଏହି ଦଳରେ ପାଣ୍ଡିଆନଙ୍କ ସହିତ ଅଛନ୍ତି ସାଂସଦ ସୁଜିତ କୁମାର, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଟି ସଚିବ ମନୋଜ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ କୁମାର ପଣ୍ଡା ଅଛନ୍ତି। ଏହି ଟିମ ଆମେରିକାର କାଲିଫର୍ଣ୍ଣିଆରେ ଥିବା ସିଲକନ ଭ୍ୟାଲିର କଂପାନୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏଥିସହିତ ଆମେରିକାରେ ଗୁଗୁଲ, ଆପଲ, ମେଟା ବା ଫେସବୁକ ପ୍ରଭୃତି ବଡବଡ କଂପାନୀର ଅଧିକାରୀଙ୍କ ସହିତ ଏହି ସିଏମଓ ଆଲୋଚନା କରିବେ। କିପରି ଓଡିଶାରେ ଏହି କଂପାନୀମାନେ ପୁଂଜି ନିବେଶ କରିବେ ସେଥିପାଇଁ ଏହି ଉଚ୍ଚ ସ୍ତରୀୟ ଆଲୋଚନା କରାଯିବ ବୋଲି ଜଣାପଡିଛି। ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରି ବହୁ ରାଷ୍ଟ୍ରୀୟ କଂପାନୀମାନଙ୍କ ସହିତ ଆଲୋଚନା କରୁଥିଲେ। ପ୍ରଥମ ଥର ପାଇଁ ବିଦେଶକୁ ସିଏମଓ ଏହି ଗସ୍ତ କରିଛି।

କାଲିଫର୍ଣ୍ଣିଆର ପାଲୋଅଲଟୋ ସହରସ୍ଥିତ କ୍ରାଉନ ପ୍ଲାଜା ହୋଟେଲରେ ଆସନ୍ତା ୨୮ତାରିଖ ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ଏକ ହଜାର ପ୍ରବାସୀ ଓଡିଆ ସାମିଲ ହେବାର କାର୍ଯ୍ୟକ୍ରମ ରଖାଯାଇଛି। ଏହାକୁ ଖୋଦ ଓଡିଶା ସରକାର ଆୟୋଜନ କରିଛନ୍ତି। ସେଠାରେ ରାଜ୍ୟର କିପରି ଉନ୍ନତି ହୋଇପାରିବ ପ୍ରବାସୀ ଓଡିଆଙ୍କ ସହିତ ପାଣ୍ଡିଆନ ଆଲୋଚନା କରିବେ।

ଏହି ଦଳ ସମସ୍ତ ବିଦେଶ ଗସ୍ତ ଶେଷ କରି ଆସନ୍ତା 31 ତାରିଖରେ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର କଳା ପତାକା ଦେଖାଇ ୫-ଟି ସଚିବଙ୍କୁ ବିରୋଧ

ରଣପୁର: ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ କରାଯାଇ ବିରୋଧ କରାଯାଇଥିଲା। ସଚିବଙ୍କ କାରକେଟ ଆସି ତଳ ସଡକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରେ ପହଂଚିବା ବେଳେ ବିଜେପି କର୍ମୀମାନେ କଳା ବ୍ୟାଚ ପିନ୍ଧିବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ। ପରେ ରଥ ପଡିଆରେ ଠାରେ ବିରୋଧ କରିଥିଲେ । ପୁଲିସ ୨୦ ରୁ ଉର୍ଦ୍ଧ ଜଣଙ୍କୁ ଅଟକ ରଖି ପରେ ଛାଡି ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ରଣପୁର ଗସ୍ତ: ତିନି ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ହେବ ବୋଲି ଦେଲେ ପ୍ରତିଶୃତି

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା। ଆଜି ସକାଳେ ରଣପୁରରେ ପ୍ରବଳ ବର୍ଷା ଲାଗି ରହିଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ସମୟ ସୂଚୀ ଅନୂଯାୟୀ ରଣପୁର ଜେଲ ଛକ ଠାରେ ସକାଳ ୯ ଘଟିକା ୫ ମିନିଟ୍ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା। ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବେୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ।
ସେଠାରୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ,  ଦେବୋତର ବିଭାଗ ଅଧିକାରୀ ଇପ୍ସିତ ସାହୁ, ଦେବୋତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ  ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ।
ତାପରେ ଥାନା ନିକଟରେ ଥିବା ଶହୀଦ ରଘୁ-ଦିବାକର ମଣ୍ଡପକୁ ଯାଇ ଶହୀଦ ରଘୁ-ଦିବାକରଙ୍କ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ପରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ଡାକ୍ତର, ରୋଗୀମାନଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଅସୁବିଧା ସମ୍ବନ୍ଧରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ର ବୁଲି ଖାଦ୍ୟର ମାନ ପରଖି ଥିଲେ। ନୂତନ ଭାବେ ତିଆରି ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ବୁଲି ଦେଖି ଥିଲେ।
ଏହା ପରେ ରଣପୁର ମିନି ଷ୍ଟାଡିୟମରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷାକୁ ଖାତିରି ନ କରି ହଜାର ହଜାର ମହିଳା ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟରେ ଲୋକମାନେ ବିଭିନ୍ନ ଅଭିଯୋଗ, ସମସ୍ୟାମୂଳକ ଦରଖାସ୍ତ ୫-ଟି ସଚିବଙ୍କୁ ପ୍ରଦାନ କରିଥିଲେ। ଲୋକମାନଙ୍କ ସମସ୍ୟାଗୁଡିକ ୭ ଦିନ ଭିତରେ ସମାଧାନ କରିବେ ବୋଲି ୫-ଟି ସଚିବ ମତ ଦେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୂଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସଚିବ ମତ ଦେଇଥିଲେ। ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆ ଯାଉଥିବା ବେଳେ ପୁରୁଷମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆଯାଉଛି।
୫-ଟି ସଚିବ ତାଙ୍କର ଅଭିଭାଷଣରେ ନୟାଗଡ ଜିଲ୍ଲାର ପ୍ରତି ଘରକୁ ପାଇପ ଯୋଗେ ଜଳ ଯୋଗଇ ଦିଆଯିବ ବୋଲି କହିଥିଲେ। ଏଥିପାଇଁ ୧୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ଭାଷଣରେ କହିଥିଲେ। ଯଦି ପିଇବା ପାଣି ପାଇବାରେ କୌଣସି ଅସୁବିଧା ହୁଏ, ତାହେେଲେ ୩ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କୃଷି ସମସ୍ୟାଗୁଡିକୁ ପ୍ରାଥମିକତା ଦିଆଯାଇ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଥିଲେ। ମଧୁବାବୁ ପନେସନ ଯୋଜନା ବ୍ୟାଙ୍କ ପରିବର୍ତେ ପଚାୟତରେ ମିଳିବ ବୋଲି କହିଥିଲେ। ଯାହା ଫଳରେ ଲୋକମାନେ ବ୍ୟାଙ୍କରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।   ବି.ସି. ହାଇସ୍କୁଲର ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ସଭ୍ୟ ସତ୍ୟବାନ ସାହୁ, ମାଧବ ଚନ୍ଦ୍ର ପ୍ରଧାନ ୫-ଟି ସଚିବଙ୍କୁ ଭେଟି ବିଦ୍ୟାଳୟର ସମସ୍ୟା ବିଷୟରେ ପ୍ରଦାନ କରିଥିବା ଜଣା ପଡିଛି।
ସେହିପରି ରଣପୁର ନୂତନ ପେନସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ସଭାପତି ଅନୀଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଂଜନ କର, କୋଷାଧକ୍ଷ ସୂଶୀଲ କୁମାର ରଣା, ସୁଶାନ୍ତ କୁମାର ପ୍ରଧାନ ପ୍ରମୂଖ ସଚିବଙ୍କୁ ଭେଟି ଶିକ୍ଷକମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଏକ ମେମୋରାଣ୍ଡମ ପ୍ରଦାନ କରିଥିଲେ। ସେହିପରି ରଣପୁରକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଯାହା ବହୁ ବର୍ଷ ଧରି ରଣପୁର ଜନସାଧାରଣଙ୍କ ଦାବି ଥିଲା ତାହାକୁ ଆଜି ରଣପୁର ଗ୍ରସ୍ତରେ ଆସିଥିବା ସଚିବଙ୍କୁ ଜଗନ୍ନାଥ ସେନା ତରଫତୁ ଦାବିକୁ ଲିଖିତ ଆକାରରେ ପ୍ରଦାନ କରାଯାଇଛି।
ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ତହସିଲଦାର ଇପ୍ସିତ ସାହୁ,  ବିଡିଓ ଜ୍ୟୋତି ପ୍ରକାଶ ସେଠୀ, ଏସ.ଡି.ପି.ଓ କିରନ ହେମ୍ରମ୍‌, ରଣପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ସହ ବିଭିନ୍ନ ସରକାରୀ ଅଧୀକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକଙ୍କ ସହ ସମସ୍ତ କାଉନସିଲର, ସରପଚ, ସମିତିସଭ୍ୟ ପ୍ରମୂଖ ଉପସ୍ଥିତ ଥିଲେ। ବର୍ଷା ସତ୍ୱେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
Categories
ବିଶେଷ ଖବର

ଚତୁର୍ଥ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ: ୫-ଟି ସଚିବଙ୍କ ସହ ପ୍ରଧାନଶିକ୍ଷକ, ସରପଞ୍ଚମାନଙ୍କ ଆଲୋଚନା ଆରମ୍ଭ

ଭୁବନେଶ୍ୱର: ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା ଇ-ଲାଇବ୍ରେରୀ, ଅଧୁନିକ ବିଜ୍ଞାନାଗାର, ସ୍ମାର୍ଟ କ୍ଳାସ ରୁମ ଇତ୍ୟାଦି ପିଲାମାନଙ୍କ ଭିତରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି।

ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୬୮୮୩ ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏ ପରିପେକ୍ଷୀରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲି ଓ ଆଜି ଦୁଇଦିନ ଧରି ଗଂଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମୁନିସିପାଲିଟି କର୍ପୋରେସନର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରି ସେମାନଙ୍କ ସ୍କୁଲରେ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଖୋଲା ମତ ପୋଷଣ କରିଥିଲେ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଁଜଳି ଶେରଗଡରୁ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ତିନୋଟି ପର୍ଯ୍ୟାୟରେ ସାରା ରାଜ୍ୟରେ ୬୮୮୩ ଟି ହାଇସ୍କୁଲର ରୂପାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୧୭୭୧ ହାଇସ୍କୁଲ ରୂପାନ୍ତର ଏହି ପ୍ରକ୍ରିୟାକୁ ଚୁଡାନ୍ତ ରୂପ ଦେବ। ରାଜ୍ୟର ସମସ୍ତ ୮୬୫୪ ଟି ହାଇସ୍କୁଲର ଭିତ୍ତିଭୂମି ରୂପାନ୍ତର ସମ୍ପୂର୍ଣ୍ଣ ହେବ।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ହେବା ସଙ୍ଗେ ସଙ୍ଗେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହୋଇପାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ବର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମ ପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ ହେବ।

୧.୯୪୫ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ସ୍ମୃତି ସଦନ ମଧ୍ୟ ନିର୍ମାଣ କରାଯିବ। ସେଠାରେ ଥିବା ସଂଗ୍ରହାଳୟ ଓ ପାଠାଗାର ର ପୁନରୁଦ୍ଧାର କରାଯିବ। ଲ୍ୟାଣ୍ଡସ୍କେପିଂ ସହ ଉଦ୍ୟାନର ବିକାଶ କରାଯିବ। ସୁନ୍ଦର ଆଲୋକୀକରଣ ମଧ୍ୟ କରାଯିବ। ସେଠାରେ ଥିବା ମଞ୍ଚ ଓ ସମାବେଶ ସ୍ଥଳ ର ଉନ୍ନତିକରଣ କରାଯିବ।

ବୀର ସୁରେନ୍ଦ୍ର ସାଏ ଓଡିଆ ଜାତିର ପ୍ରାତସ୍ମରଣୀୟ ବକ୍ତିତ୍ୱ । ବୀର ସୁରେନ୍ଦ୍ର ସାଏ ତାଙ୍କର ଦୃଢ ନେତୃତ୍ୱ, ବିଚକ୍ଷଣ ରଣ କୌଶଳ ଯୋଗୁଁ ବ୍ରିଟିସ ସରକାରଙ୍କ ନିଦ ହଜାଇ ଦେଇଥିଲେ। ସେହି ମହାନ ସଂଗ୍ରାମୀଙ୍କର ଜନ୍ମସ୍ଥଳୀ ଖୀଣ୍ଡା, ପ୍ରତି ଓଡିଆଙ୍କ ପାଇଁ ଏକ ପବିତ୍ର ପୀଠ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହାନ ଅବଦାନ ଯୁବସମାଜକୁ ସର୍ବଦା ପ୍ରେରଣା ଦେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଜାତା କାର୍ତ୍ତିକେୟେନଙ୍କ ସତ ଅଡିଓ ନାମରେ ରାଜ୍ୟ ବିଜେପିର ମିଛ ବିବୃତି, ଟାର୍ଗେଟ ଫେଲ୍

ଭୁବନେଶ୍ବର: କିଛିଦିନ ଧରି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେଥିରେ ସେମାନେ ଫେଲ ମାରିବା ପରେ ଏବେ ତାଙ୍କ ଧର୍ମପତ୍ନୀ ସୁଜାତା ଆର କାର୍ତ୍ତିକେୟନଙ୍କୁ ଟାର୍ଗେଟ ଆରମ୍ଭ କରିଛନ୍ତି। ହେଲେ ହାସ୍ୟସ୍ପଦ କଥା ହେଲା ଯେ ସୁଜାତାଙ୍କୁ ଟାର୍ଗେଟ କରିବା ନାମରେ ମିଛ ପ୍ରମାଣ ଉପସ୍ଥାପିତ କରିଛି ବିଜେପି। ସୁଜାତା କହି ନ ଥିବା କଥାକୁ ଗଣମାଧ୍ୟମରେ କହି ଘଟଣାକୁ ବିଭ୍ରାନ୍ତ କରିଛି ରାଜ୍ୟ ବିଜେପି।

ଗତକାଲି ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ନେତା ସତ୍ୟବ୍ରତ ପଣ୍ଡା। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ସରକାରୀ କାମ ଛାଡି ବିଜେଡି କାମ କରୁଛନ୍ତି। ଏ ନେଇ ତାଙ୍କ ପାଖରେ ଏକ ଅଡିଓ କ୍ଲିପ ଲାଗିଛି ବୋଲି କହିଥିଲେ। ଆଉ ସେ ଅଡିଓ କ୍ଲିପରେ କଣ ରହିଛି ତାହାର ତଥ୍ୟ ପ୍ରଦାନ କରିଥିଲେ।

ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ଏହି ଅଡିଓ କ୍ଲିପରେ ସୁଜାତା ମିଶନ ଶକ୍ତି ଅଧିକାରୀଙ୍କୁ ବିଜେଡି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଯାହା ଆମ ହାତରେ ଲାଗିଛି। ସଚିବ କହୁଛନ୍ତି ଯେ ନିର୍ବାଚନ ପାଖେଲାଣି କାମ ଶିଘ୍ର କର। ସେହିପରି ମିଶନ ଶକ୍ତି ମା ମାନଙ୍କୁ ଏକ ଚିପ୍ ଲାଗିଥିବା କାର୍ଡ ଦିଆଯିବ ବୋଲି ସେ କହୁଛନ୍ତି। ଏହାଦ୍ବାରା ବିଜେଡି କଳା ଟଙ୍କା ବାଣ୍ଟିବ ବୋଲି ସତ୍ୟ ପଣ୍ଡା ସମ୍ମିଳନୀରେ ଅଭିଯୋଗ କରି ଅଡିଓ ପ୍ଲେ କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ସେହି ଅଡିଓ ରେ ସୁଜାତା କାର୍ତ୍ତିକେୟନ ବିଜେଡି ପାଇଁ କାମ କରିବା ସଂପର୍କରେ କିଛି କହିଥିବାର ପ୍ରମାଣ ମିଳିପାରିଲା ନାହିଁ। ଅଡିଓରେ ରହିଛି ଯେ, ସେ ମିଶନ ଶକ୍ତିର ଏକ ସମୀକ୍ଷା ବୈଠକରେ ତାଙ୍କ ଅଧିକାରୀଙ୍କୁ ତାଗିଦ କରୁଛନ୍ତି। ନିର୍ବାଚନ ପାଖେଇ ଆସିଲାଣି, ଶିଘ୍ର କାମ ଶେଷ କର ବୋଲି କହୁଛନ୍ତି।

ସେହିପରି ଏକ ଚିପ୍ ଲଗା କାର୍ଡ ଏସଏଚଜି ମହିଳାମାନଙ୍କୁ ଦିଆଯିବ ସେଥିରେ ସେମାନେ ସବୁ ସୁବିଧା ହାସଲ କରିପାରିବେ। ଏହିପରି କିଛି କଥା ସମୀକ୍ଷା ବୈଠକରେ ସୁଜାତା ଅଧିକାରୀଙ୍କୁ କହୁଛନ୍ତି। ଯାହା ସେ ଜଣେ ବିଭାଗର ମୁଖ୍ୟ ଭାବରେ ତାଙ୍କ ଅଧିକାରୀଙ୍କୁ କହୁଛନ୍ତି। ଏଥିରେ ଭୁଲ କେଉଁଠି ରହିଲା ତାହା କେହି ବୁଝିପାରିଲେ ନାହିଁ।

ନିର୍ବାଚନ ପାଖେଇଲାଣି କାମ ଶିଘ୍ର ଶେଷ କର ବୋଲି କହିବାରେ କେଉଁଠି ଭୁଲ ରହିଲା। କାରଣ ନିର୍ବାଚନ ଆସିଲେ ଆଦର୍ଶ ଆଚରଣବିଧି ଲାଗୁ ହେବ। ସମସ୍ତ ସରକାରୀ କାମ ଅଟକି ଯିବ। ତା ପୂର୍ବରୁ କାମ ଶେଷ କରିବାକୁ କହିବା କଣ ଭୁଲ ରହିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହି ବୈଠକର ସତ କ୍ଲିପକୁ ଆଣି ବିଜେପି ତରଫରୁ ମିଛ କଥା ଯୋଡି ସାମ୍ବାଦିକଙ୍କ ଆଗର ଉପସ୍ଥାପିତ କଲେ ସେମାନେ କେତେ ଲାଭ ପାଇବେ ତାହା ବୁଝି ହେଉ ନାହିଁ। ସୁଜାତାଙ୍କ ଏହି ଅଡିଓ ଶୁଣାଇ ଗଣମାଧ୍ୟମରେ ଜୋରଦାର ପ୍ରସାର କରାଇ ହୁଲୁସ୍ତୁଲ କରିବା ପାଇଁ ବିଜେପି ଯେଉଁ ଚିନ୍ତା କରିଥିଲା ତାହା ହୋଇପାରିଲା ନାହିଁ। ବରଂ ଏହା ଦଳ ପାଇଁ ବୁମେରାଂ ହୋଇପଡିଛି।

ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ବର୍ତ୍ତମାନ ଜର ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଦେଇଛି। ଭି କେ ପାଣ୍ଡିଆନଙ୍କ ବିରୋଧରେ ସବୁ ପ୍ରକାରର ବିରୋଧ କରିବା ପରେ ମଧ୍ୟ କେନ୍ଦ୍ର କିଛି କଲା ନାହିଁ। ବିରୋଧୀଙ୍କ ତୀବ୍ର ବିରୋଧ ପରେ ମଧ୍ୟ ପାଣ୍ଡିଆନ ତାଙ୍କ ଗସ୍ତ କାର୍ଯ୍ୟକୁ ଜାରୀ ରଖିଛନ୍ତି। ତାହାକୁ ରୋକିବା ବିଫଳ ହେବା ପରେ ଏବେ ତାଙ୍କ ଧର୍ମପତ୍ନୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଯାହା ସାଧାରଣରେ ଫେଲ ମାରିଛି।