୫ ଟି ସଚିବଙ୍କ ବେଗୁନିଆପଡ଼ାରେ ଜନ ଅଭିଯୋଗ ଶୁଣାଣି

Published: Aug 25, 2023, 7:11 pm IST

ବେଗୁନିଆପଡା (ଟୁକୁନା ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଠାରୁ ତିନିଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି। ଆଜି ସକାଳେ ପ୍ରଥମେ ବେଗୁନିଆପଡ଼ା ବ୍ଳକ ବୁରୁଝୁରୀ ଠାରେ ସାଧାରଣ ସଭାରେ ଯୋଗ ଦେଇ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ମିଶନ୍ ଶକ୍ତି ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି।
ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି। ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ସହ ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି ୫ ଟି ସଚିବ।

ବୁରୁଝୁରୀ ବାଲିବଣ ସ୍ଥିତ ଶନି ମନ୍ଦିର ପଡ଼ିଆରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ୫ ଟି ସଚିବ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ୍‌ ଓ ଏନ୍‌ ଏ ସି, ବେଗୁନିଆପଡ଼ା ବ୍ଲକ୍‌, କୋଦଳା ଏନ୍‌ଏସିର ହଜାର ହଜାର ଲୋକଙ୍କ ସମାଗମ ସେଠି ଦେଖିବାକୁ ମିଳିଥିଲା। ୫-ଟି ସଚିବ ଲୋକଙ୍କ ଅଭିଯୋଗ, ଅନୁରୋଧ ଶୁଣି ସମସ୍ୟାର ସମାଧାନ ତଥା ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାର ଆଶ୍ଵାସନା ଦେଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ସ୍କୁଲ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ୫-ଟି ରୂପାନ୍ତରଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ୫-ଟି ସଚିବ। ଏଥିରେ ଗଞ୍ଜାମ ଜିଲ୍ଲାପାଳ ସମେତ ବିଭିନ୍ନ ଥାନା ଅଧିକାରୀ ଏବଂ ତହସିଲଦାର, ବିଡିଓ, ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related posts