Categories
ଆଜିର ଖବର ରାଜ୍ୟ ଖବର

ଆଗୁଆ ନିର୍ବାଚନ ନେଇ ବିଜେଡିକୁ ସମାଲୋଚନା କଲେ ଅପରାଜିତା, କହିଲେ ଏପରି କଥା

ଭୁବନେଶ୍ବର: ଓଡିଶାରେ ଆଗୁଆ ନିର୍ବାଚନ ହେବ। ଏ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଖବର ଜଣାପଡିବା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ଏହି ଆଗୁଆ ନିର୍ବାଚନ ନେଇ ଭୁବନେଶ୍ବର ସାଂସଦ ଭିନ୍ନ ମତ ରଖିଛନ୍ତି।

ଅପରାଜିତା ଆଗୁଆ ନିର୍ବାଚନ ନେଇ କହିଛନ୍ତି ଯେ, ବିଜେଡି କଣ ପାଇଁ ଆଗୁଆ ନିର୍ବାଚନ କରିବାକୁ ତରତର ହେଉଛି। ଓଡିଶାର ଜନସାଧାରଣ ବିଜେଡିକୁ ପାଞ୍ଚ ବର୍ଷ ପାଇଁ ଶାସନ କରିବାକୁ ଦେଇଛନ୍ତି। ହେଲେ ସେ ତା ପୂର୍ବରୁ ସରକାର ଭାଙ୍ଗିବା କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରେ ସେ କହିଛନ୍ତି ଯେ, ବିଜେପି ଓଡିଶାରେ ଏକ ଲଢେଇ କରିବ। କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ। ଅମିତା ସାହା ଓଡିଶା ଆସି ଆମର ରଣନୀତି ଉପରେ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ବିଜେପି ବର୍ତ୍ତମାନ ତୃଣମୂଳ ସ୍ଥରରେ କାର୍ଯ୍ୟ କରୁଛି। ବିଜେଡି ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଅପରାଜିତା ସ୍ପଷ୍ଟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କ କବଜାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଧିରେଧିରେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କ ରାଜ୍ୟର ଦଳିୟ ବ୍ୟାପାରରେ ହସ୍ତକ୍ଷେପ ଜୋରଦାର ହେବାରେ ଲାଗିଲାଣି। ଏପରିକି ସେ ରାଜ୍ୟ କାର୍ଯ୍ୟାଳୟକୁ ମଧ୍ୟ ନିଜ କବଜାକୁ ନେଇ ସାରିଲେଣି। ପୂର୍ବରୁ ଏହି କାର୍ଯ୍ୟାଳୟର ହର୍ତାକର୍ତ୍ତା ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ସେହିପରି ଅପରାଜିତା ମଧ୍ୟ ବିଜେପି ଅଫିସକୁ ଦଖଲ କରିବାକୁ ବସିଲେଣି।

ଦଳୀୟ କର୍ମିଙ୍କ ଅନୁସାରେ ମନମୋହନ ସାମଲ ସଭାପତି ହେବା ପରେ ଅପରାଜିତାଙ୍କ ଏହି ଦଖଲ ଜୋରଦାର ହୋଇଯାଇଛି। ପୂର୍ବରୁ ସେ ବହୁ ଚେଷ୍ଠା କରି ମଧ୍ୟ ଧର୍ମେନ୍ଦ୍ରଙ୍କ ପତିୟାରାରେ ତାହା କରିପାରୁ ନ ଥିଲେ। ହେଲେ ଏବେ ସେହି ମିଶନ ସଫଳ ହୋଇଯାଇଛି। ଯାହାକୁ ନେଇ ବିଜେପି ନେତା ତଥା କର୍ମିଙ୍କ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି ମୁହଁ ଖୋଲୁ ନ ଥିଲେ ମଧ୍ୟ ଭୁବନେଶ୍ବର କାର୍ଯ୍ୟାଳୟରେ ତାଙ୍କର ଆଧିପତ୍ୟକୁ ସମସ୍ତେ ଅନୁଭବ କରିସାରିଲେଣି।

ଖବର ଅନୁସାରେ ଅପରାଜିତାଙ୍କ ପ୍ରାୟ ପାଞ୍ଚରୁ ସାତ ଜଣ କର୍ମି ପ୍ରତିଦିନ ଭୁବନେଶ୍ବର କାର୍ଯ୍ୟାଳୟରେ ପଇଁତରା ମାରୁଛନ୍ତି। ଗୋଟିଏ ଦଳ ମଧ୍ୟାହ୍ନ ପର୍ଯ୍ୟନ୍ତ ପଇଁତରା ମାରୁଥିବା ବେଳ ଆଉ ଏକ ଦଳ ଅପରାହ୍ନରେ ଆସି ସେଠାରେ ଉପସ୍ଥିତ ହେଉଛନ୍ତି। ଅଫିସକୁ କିଏ ଆସିଲା, କାହା ସହିତ କିଏ କଥା ହେଲା ତାହାର ଟିକିନିଖି ଖବର ସେମାନେ ରଖୁଛନ୍ତି। ଏପରିକି ସେମାନେ ଚାହିଁଲେ କାହାକୁ ଅଫିସ ବାହାରକୁ ମଧ୍ୟ ବାହାର କରିବାର କ୍ଷମତା ରହିଛି।

ସେତିକି ନୁହେଁ ଅପରାଜିତାଙ୍କ କବଜାରେ ମଧ୍ୟ ଅଛନ୍ତି ଖୋଦ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଯାହାର ଗଣ୍ଡାଗଣ୍ଡା ପ୍ରମାଣ ନେତା ଓ କର୍ମିଙ୍କ ପାଖରେ ରହିଛି। ନିକଟରେ ଭି କେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ କେନ୍ଦ୍ରକୁ ଚିଠି ଲେଖିଥିଲେ। ଜଣେ ରାଜ୍ୟ ସଭାପତି ଭାବେ ସେ ନିଜେ ଲେଖିବା ଉଚିତ କିମ୍ବା ଅପରାଜିତାଙ୍କ ଦ୍ବାରା ଲେଖାଇବା ଉଚିତ। ହେଲେ ସେହି ଚିଠିରେ ଅପରାଜିତା ଆଗେ ଦସ୍ତଖତ କରିବା ପରେ ତଳେ ସାମଲ ଦସ୍ତଖତ କରିଛନ୍ତି।

ଏହି ଚିଠିକୁ ନେଇ ଦଳୀୟ ନେତାମାନଙ୍କ ଭିତରେ ଭିତରେ ବେଶ ଟୁପୁରୁଟାପର ଚାଲିଛି।  ସଭାପତିଙ୍କ କାନ୍ଧରେ ବନ୍ଧୁକ ରଖି ଅପରାଜିତା ଗୁଳି ଫୁଟାଉଛନ୍ତି ବୋଲି କୁହାଯାଉଛି। କାରଣ ବର୍ତ୍ତମାନ କେନ୍ଦ୍ର ସରକାର ପାଣ୍ଡିଆନଙ୍କ ଉପରେ କୌଣସି ପଦକ୍ଷେପ ନେବ ନାହିଁ। ଫଳରେ ଏକା ଚିଠି ଲେଖି ଅପରାଜିତା ଲୋକହସା ହେବା ଅପେକ୍ଷା ସେ ସଭାପତିଙ୍କ ନାମକୁ ମଧ୍ୟ ସେଥିରେ ଯୋଡିଦେଲେ।

ସେହିପରି ସଭାପତି ଯେତେବେଳେ ରାଜ୍ୟ କାର୍ଯ୍ୟାଳୟରେ ବସୁଛନ୍ତି ତାଙ୍କ ଦ୍ବାର ପାଖରେ ଅପରାଜିତାଙ୍କ ଲୋକ ଜଗି ରହୁଛନ୍ତି। ତାଙ୍କ ପାଖକୁ ଯିଏ ଯାଉଛି ତାଙ୍କର ପରିଚୟ କଣ ଏବଂ କାହିଁକି ଭେଟିବେ ପରି ବିଭିନ୍ନ ପ୍ରଶ୍ନ ପଚାରିବା ପରେ ଭିତରକୁ ଛାଡୁଛନ୍ତି। ବାହାରକୁ ଆସିବା ପରେ ମଧ୍ୟ କଣ କଥା ହେଲେ ବୋଲି ସେମାନେ ଖବର ରଖୁଛନ୍ତି। ଏକଥା ନିଜେ ମନମୋହନ ଜାଣୁଥିଲେ ମଧ୍ୟ କିଛି କହିପାରୁ ନାହାଁନ୍ତି। ସେ କୁଆଡେ ଅପରାଜିତାଙ୍କୁ ଭୟ କରୁଛନ୍ତି ବୋଲି କର୍ମିଙ୍କ ମହଲରେ ଆଲୋଚନା ଚାଲିଛି।

ଅପରାଜିତାଙ୍କ ଏପରି ଅପରେସନ ଦେଖି ବର୍ତ୍ତମାନ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ସେମାନେ ମଧ୍ୟ ସଭାପତିଙ୍କୁ ଦେଖା କରିବାକୁ ଗଲେ ଅପରାଜିତାଙ୍କ ଲୋକଙ୍କର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ସହଜରେ ସେମାନେ ହଜମ କରିପାରୁ ନାହାଁନ୍ତି କି କିଛି ମଧ୍ୟ କହିପାରୁ ନାହାଁନ୍ତି। କେବଳ ଭବିଷ୍ୟତକୁ ଅପେକ୍ଷା କରି ବସି ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନବନ୍ଦରରେ ଭିଡ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଆନ୍ତର୍ଜାତୀୟ ସଂଘର ସଭାପତି ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ବର ଫେରୁଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ସମର୍ଥକମାନେ ଭିଡ କରିଛନ୍ତି। ଆଦିବାସୀ ନୃତ୍ୟ ବାଜା ସହିତ ଅପରାଜିତାଙ୍କ ରେକର୍ଡ ଗୀତରେ କମ୍ପୁଛି ବିମାନ ବନ୍ଦର। ତାଙ୍କୁ ସ୍ବାଗତ କରିବା ପାଇଁ କରାଯାଇଛି ଏକ ବଡ ଆୟୋଜନ।

 

ଭୁବନେଶ୍ବର ସାଂସଦ ଅପରାଜିତା, ରଓ୍ବାଣ୍ଡାର କିଗାଲିଠାରେ ଅନୁଷ୍ଠିତ ଆଇପିୟୁର ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ମୋଟ ୧୮ ଟି ଭୋଟରୁ ୧୨ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଅନ୍ତଃ ସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବଚିତ ହେବା ଦ୍ବାରା ଭାରତକୁ ସଭାପତି ପଦ ଫେରିଛି। ଏହି ଖୁସିରେ ତାଙ୍କ ସମର୍ଥକମାନେ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ଭିଡ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥ ଦର୍ଶନ କରିବା ପାଇଁ ଅପରାଜିତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପଛରେ କାରଣ କଣ ?

ଭୁବନେଶ୍ବର:  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ଟୁଇଟକୁ ନେଇ ବର୍ତ୍ତମାନ  ଚର୍ଚ୍ଚା ଚାଲିଛି। ତାହା ହେଲା ସେ ବୁଧବାର ଦିନ ପୁରୀ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବେ। ଏହା ଟୁଇଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ବିଜେପି ଓଡିଶା, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରିଛନ୍ତି।

ସାଧାରଣରେ ପ୍ରଶ୍ନ ଉଠିଛି ଯେ, ଅପରାଜିତା ଜଗନ୍ନାଥ ଦର୍ଶନ କରିବାକୁ ଯିବେ ବୋଲି କଣ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ଆବଶ୍ୟକ କି ? ଏହିପରି ଅନେକ ବ୍ୟକ୍ତି ଅପରାଜିତାଙ୍କ ଏହି ଟୁଇଟରେ କମେଣ୍ଟ ଦେଇଛନ୍ତି। ସାଂସଦ ପୁରୀ ଗଲେ ହୁଏତ ସେ ଜିଲ୍ଲାପାଳ କିମ୍ବା ଏସପିଙ୍କୁ ଟ୍ୟାଗ କରିଥାଆନ୍ତେ, ହେଲେ ସେ ତାହା ନ କରି ବିଜେପିର ତୁଙ୍ଗ ନେତାଙ୍କୁ କଣ ପାଇଁ ଅବଗତ କରାଇବା ଆବଶ୍ୟକ ପଡିଲା। ତେବେ ଏପରି କରିବା ପଛରେ ଏକ ବଡ କାରଣ ରହିଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ସନ୍ଦେହ ପ୍ରକାଶ ପାଇଛି।

ଘଟଣା ହେଲା ବୁଧବାର ଦିନ ଅପରାଜିତା ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକ୍ରମକୁ ବିରୋଧ କରି ଶୋଭାଯାତ୍ରା କରିଥାଆନ୍ତେ। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲେ। ହେଲେ ହଠାତ କଣ ହେଲା କେଜାଣି ସେ ତାହାକୁ ସ୍ଥଗିତ ରଖିଲେ। ଏହାର କାରଣରେ ଅପରାଜିତାଙ୍କ ପକ୍ଷରୁ କୁହାଗଲା ଯେ ପୁରୀ ପ୍ରଶାସନ ଅନୁମତି ପ୍ରଦାନ କଲେ ନାହିଁ। ହେଲେ ଏହାର ପଛରେ ଆଉ ଏକ ବଡ କାରଣ ରହିଛି ଯାହା କୁହାଗଲା ନାହିଁ।

ମୁଖ୍ୟକଥା ହେଲା ଅପରାଜିତାଙ୍କ ଏହି ପ୍ରତିବାଦ ଶୋଭାଯାତ୍ରା ପାଇଁ ବିଜେପି ତରଫରୁ ସମର୍ଥନ ଦିଆଗଲା ନାହିଁ। ସେତିକି ନୁହେଁ ଦଳ ତରଫରୁ କୁହାଗଲା ଯେ, ବିକାଶ କାମରେ କେହି ବାଧା ଦେବେ ନାହିଁ। ଖୋଦ ପୁରୀ ବିଜେପି ବିଧାୟକ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମର୍ଥନ କଲେ। ତେବେ ଏ ସବୁ ବିରୋଧ ସତ୍ବେ ଅପରାଜିତା ପ୍ରତିବାଦ ଶୋଭାଯାତ୍ରା ପୁରୀରେ କରିବେ ବୋଲି ଘୋଷଣା କରି ପ୍ରସ୍ତୁତି ମଧ୍ୟ ଚଳାଇଲେ। ତେବେ କଣ ହେଲା ସେ ଏହାକୁ ହଠାତ ବନ୍ଦ କରିବା ପାଇଁ ବାଧ୍ୟ ହେଲେ।

ତେବେ ଅପରାଜିତାଙ୍କ ଟୁଇଟ ଏବଂ ବିଜେପି ଦଳର ବିରୋଧ ସତ୍ବେ ଶୋଭଯାତ୍ରା କରିବା ପାଇଁ ଅପରାଜିତାଙ୍କ ନିଷ୍ପତି ରାଜନୈତିକ ସମୀକ୍ଷକ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ସେମାନଙ୍କ କହିବା କଥା ହେଲା ଯେ, ଅପରାଜିତାଙ୍କ ଏହି ଏକଲା ଚଲୋ ନୀତିକୁ ଦଳ ତରଫରୁ ତୀବ୍ର ବିରୋଧ କରାଗଲା। ଏହା ଶୋଭାଯାତ୍ରା ବନ୍ଦ କରିବା ପାଇଁ ଦିଲ୍ଲୀରୁ ଚାପ ପ୍ରୟୋଗ କରାଗଲା। ସେହି ଚାପରେ ଦିଲ୍ଲୀର ତୁଙ୍ଗ ନେତୃବୃନ୍ଦ ଏଥିରେ ରୋକ ଲଗାଇବା ପାଇଁ ଅପରାଜିତାଙ୍କୁ ରୋକଠୋକ ଜଣାଇଦେଲେ। ପୁରୀ ନ ଯିବା ପାଇଁ ତାଗିଦ କଲେ।

କେନ୍ଦ୍ରୀୟ ବିଜେପିର ଏପରି ଆଭିମୁଖ୍ୟ ଦେଖି ଅପରାଜିତାଙ୍କ ନିଦ ହଜାଗଲା। ଏତେ ବଡ ଆୟୋଜନକୁ କିପରି ବନ୍ଦ କରିବେ ତାହା ଅକଲଗୁଡମ ହେଲା। ବାଧ୍ୟହୋଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖରେ ହାର ମାନି ସେ ଶୋଭାଯାତ୍ରାକୁ ବନ୍ଦ କଲେ। ହେଲେ ସେ ପୁରୀ ଯାଇ କେବଳ ଜଗନ୍ନାଥ ଦର୍ଶନ କରିବେ ବୋଲି ଅପରାଜିତା ରାଗରେ ଟୁଇଟ କରି କେନ୍ଦ୍ରୀୟ ନେତାଙ୍କୁ ଅବଗତ କରାଇବାକୁ ବାଧ୍ୟ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ରାଗ ବଢିଲା, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆଜି ପୁଣି କହିଲେ ଏମିତି କଥା

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ନ ଡାକିବାରୁ ସେ ପୁରା ରାଗି ପଞ୍ଚମ ହୋଇଛନ୍ତି। ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡାକିବା କଥା, ହେଲେ ତାହା କରାଯାଇ ନାହିଁ। ଏ ନେଇ ସେ ଗତକାଲି ଟୁଇଟ କରି ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସ ଗୋଟିଏ ବଡ ଦିନ। ଏପରି ଦିନରେ ମୋତେ ଅତିଥୀ କରି ନ ଡାକିବା ଦୁଃଖର ବିଷୟ। ମୋର କେଉଁଠି ଭୁଲ ରହିଲା ବୋଲି ସେ ପ୍ରଶ୍ନ କରିଥିଲେ। ମୋତେ ଡକାଯାଉ ବୋଲି ଅନୁରୋଧ କରିଥିଲେ। ଏହି ଟୁଇଟକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ ମଧ୍ୟ କରିଥିଲେ।

ଟୁଇଟ ପରେ ସେ ଭାବିଥିଲେ ଯେ, ତାଙ୍କୁ ସଂଧ୍ୟା କାର୍ଯ୍ୟକ୍ରମରେ ହୁଏତ ଡାକିବେ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ସେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି ଲେଖିଲେ। ସେଥିରେ ମଧ୍ୟ ସେ ତାଙ୍କର ଅଭିଯୋଗ କରି ଏହା ଉପରେ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ।

ସେହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଆମ ଭିତରେ ରାଜନୈତିକତା ପ୍ରାର୍ଥକ୍ୟ ଥାଇପାରେ, ହେଲେ ନିର୍ବାଚିତ ପ୍ରତିନିଧିଙ୍କୁ ଏପରି କରିବା ଠିକ୍ ନୁହେଁ। ଏଥିସହିତ ସେ ଜୋର କରି କହିଛନ୍ତେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଯୋଗଦେବା ମୋର ଅଧିକାର।ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଚିଠିଟି ସେ ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅବଗତିରେ ଆଣିଛନ୍ତି। ହେଲେ ମଧ୍ୟ ସଂଧ୍ୟା କାର୍ଯ୍ୟକ୍ରମରେ ତାଙ୍କୁ ଡକାଗଲା ନାହିଁ। ଏହାପରେ ଆଜି ସକାଳେ ପୁଣି ଅପରାଜିତା ଟୁଇଟ କରି ସେହି ଚିଠି ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ସିଧା କହିଛନ୍ତି ଯେ, ଆପଣଙ୍କୁ ତଦନ୍ତ କରିବା ପାଇଁ ଅନୁରୋଧ କରିଛି। ଆଉ ଏକ ସପ୍ତାହ ପରେ ପୁଣି ଥରେ ମନେ ପକାଇଦେବି।

ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ତାଙ୍କ ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଅପରାଜିତ ଅନୁଭବ କରିସାରିଲେଣି। ସେଥିପାଇଁ ସେ ସାତ ଦିନ ପରେ ପୁଣି ଥରେ ମନେ ପକାଇବି ବୋଲି ଉଲ୍ଲେଖ କରିଛନ୍ତି।  ଅପରାଜିତାଙ୍କ ଟୁଇଟଗୁଡିକରୁ ଅନୁମାନ କରି ହେଉଛି ଯେ, ସେ ଏହି ପ୍ରସଂଗକୁ କୌଣସି ହାଲତରେ ଛାଡିବେ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକା ନ ଯିବାରୁ ରାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏ ନେଇ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସହିତ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟ ଏହାର ଆୟୋଜକ। ହେଲେ ଖୋଦ ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡକାଯାଇ ନାହିଁ। ଏ ନେଇ ରାଗରେ ଗରମ ହୋଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେ ଏକ ଟୁଇଟ କରି କହିଛନ୍ତି ଯେ, ଆଜି ଭୁବନେଶ୍ବର ପାଇଁ ଏହା ଏକ ବଡ ଦିନ। ଏହି ଉତ୍ସବକୁ ବହୁ ମନ୍ତ୍ରୀ ବିଧାୟକ ଏବଂ ଅଫିସରଙ୍କୁ ଡକାଯାଇଛି। ହେଲେ ମୋତେ ଡକାଯାଇ ନାହିଁ। ଏପରି ଏକ ବଡ ଦିନରେ ମୋତେ ଡକାଯାଉ, ମୁଁ ଯୋଗ ଦେବି ବୋଲି ଅପରାଜିତା କହିଛନ୍ତି।

ଏହି ଉତ୍ସବକୁ ଭୁବନେଶ୍ବରର ତିନି ବିଧାୟକ, ନୂଆ ମେୟର ଏବଂ ଅନ୍ୟ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୮ ଜଣ ଅତିଥୀଙ୍କୁ ଡକାଯାଇଛି। ସେହିପରି ଏହି ଉତ୍ସବରେ ୭ ଜଣ ଆଇଏସ ଅଧିକାରୀ ମଧ୍ୟ ଯୋଗ ଦେଉଛନ୍ତି। ଏପରି କ୍ଷେତ୍ରରେ ଭୁବନେଶ୍ବର ସାଂସଦଙ୍କୁ ଡକା ନ ଯିବାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ରାଜଧାନୀ ପ୍ରତିଷ୍ଠା ଉତ୍ସବ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ସକାଳେ ବିଧାନସଭା ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଛି। ସେଥିରେ ୧୬ ଜଣ ଅତିଥି ଯୋଗ ଦେଉଛନ୍ତି। ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଉଛି। ସେଥିରେ ମଧ୍ୟ ୧୨ ଜଣ ଅତିଥି ଯୋଗ ଦେଉଛନ୍ତି। ହେଲେ ସେଥିରେ ଅପରାଜିତାଙ୍କ ନାମ ନାହିଁ।

ତେବେ ଅପରାଜିତା ଏହି ଟୁଇଟ କରି କ୍ଷୋଭ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ଟ୍ୟାଗ କରି ନାହାଁନ୍ତି। ଏହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାକ୍ଷାତ କଲେ ଭୁବନେଶ୍ବର ସାଂସଦ ଅପରାଜିତା

ଭୁବନେଶ୍ୱର: ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ସଡ଼କ, ପରିବହନ ଏବଂ ଜାତୀୟରାଜପଥ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି। ସେ ଯେଉଁସବୁ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ତାହା ହେଲା..

1-କସମୋପଲିସ (Cosmopolis) ଠାରେ 20 କୋଟି ଟଙ୍କା ବିନିଯୋଗରେ ଫ୍ଲାଏ ଓଭର ନିର୍ମାଣ

2- କ୍ରାଉନ ହୋଟେଲ ଏବଂ ସତସଙ୍ଗ ବିହାର ଠାରେ 3କୋଟି 22 ଲକ୍ଷ ବିନିଯୋଗରେ ରେ ଫୁଟୱେ ବ୍ରିଜ ନିର୍ମାଣ

3- ବୃହତ ପ୍ରକଳ୍ପ କ୍ୟାପିଟାଲ ରେଜିନ ରୋଡ଼ (Capital Region Road ) ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ 5744 କୋଟି ପୁଞ୍ଜି ବିନିଯୋଗରେ ବାଇପାଶ ରୋଡ ନିର୍ମାଣ ହେବ

ଏହି ତିନୋଟି ପ୍ରକଳ୍ପରେ ସର୍ବମୋଟ 5767 କୋଟି 22 ଲକ୍ଷ୍ୟ ଟଙ୍କା ବିନିଯୋଗ ହେବ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ସାଂସଦ ଧନ୍ୟବାଦ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମାଲୋଚନାକୁ କଡା ଜବାବ ଦେଲା ବିଜେଡି, କହିଲା ଏମିତି କଥା

ଭୁବନେଶ୍ୱର : ଗତକାଲି ସଂଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜୟଦେବ ବିହାରରେ ମହିଳାମାନେ ଘେରାଉ କରିଥିଲେ। ତାଙ୍କ ଆଞ୍ଚଳର ବସ୍ତିର କିଛି ଉନ୍ନତି ହୋଇ ନାହିଁ ବୋଲି ଦାବୀ କରିଥିଲେ। ଦୀର୍ଘ ସମୟଧରି ସାଂସଦଙ୍କୁ ଘେରାଉ କରିବା ସହିତ ଠେଲାପେଲା କରିଥିଲେ ବୋଲି ସାଂସଦ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ସାଂସଦ ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନିଜେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି, ସରକାର ସୁରକ୍ଷା ଦିଅନ୍ତୁ ବୋଲି ଦାବୀ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ଦଳ ପାଲଟା ସାଂସଦଙ୍କୁ ଦୋଷାରୋପ କରିଛି। ବିଜେଡି କହିଛି ଯେ, ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏଭଳି କାର୍ଯ୍ୟକୁ କେଉଁ ସ୍ୱାର୍ଥରେ ରାଜ୍ୟ ବିଜେପି ସଭାପତି ସମର୍ଥନ କରୁଛନ୍ତି ବୋଲି ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ପୂର୍ବରୁ ତାଙ୍କ ନିଜ ଦଳର କର୍ମୀମାନେ ମଧ୍ୟ ଅପରାଜିତାଙ୍କ ଏହି ଘରୋଇ ସୁରକ୍ଷା ବାହିନୀ ଗୁଣ୍ଡାମାନଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି । ଏଥିରୁ ଗୋଟିଏ ଘଟଣା ଗତକାଲି ଘଟିଛି ଏବଂ ଏ ନେଇ ଥାନାରେ ମାମଲା ବି ହୋଇଛି । ଏମାନେ ଏମିତି ଉତ୍ପାତ କଲେଣି ଯେ ତାଙ୍କ ଦଳର ନେତାଙ୍କୁ ବି ଆଉ ଛାଡିବେନି।

ତେଣୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମୁଖିଆ ହିସାବରେ ସାଂସଦଙ୍କ ଏଭଳି ଆସାମାଜିକ ଆଚରଣକୁ ନିୟନ୍ତ୍ରଣ ନକରି କେଉଁ ବାଧ୍ୟବାଧକତାରେ ସାଂସଦଙ୍କ ସପକ୍ଷରେ ମତ ରଖିଲେ ତାହା ଆମକୁ ବିସ୍ମିତ କରିଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଶ୍ରୀରାମ ମନ୍ଦିର ନିର୍ମାଣା ପାଇଁ ୫୧ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସହଯୋଗ ନିଧି ଅପରାଜିତାଙ୍କୁ ପ୍ରଦାନ

ଭୁବନେଶ୍ୱର, ଅଯୋଧ୍ୟାରେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ସାମାଜିକ କର୍ମୀ ତଥା ଯୁବ ଭାଜପା ନେତା ଉମେଶ ଖଣ୍ଡେଲୱାଲଙ୍କ ଦ୍ବାରା ରାମ ଭକ୍ତଙ୍କ ଠାରୁ ୫୧ଲକ୍ଷ ୩୬ ହଜାର ୨୧୭ ଟଙ୍କା ସଂଗୃହିତ ହୋଇଥିଲା। ଏହି ସଂକଳ୍ପର ପ୍ରେରଣାଦାତ୍ରୀ ତଥା ଭାଜପାର ଜାତୀୟ ମୁଖପାତ୍ର ଓ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ନିଧି ସମର୍ପଣ ସମିତିକୁ ଏହି ସଂଗୃହିତ ଅର୍ଥ ହସ୍ତାନ୍ତରିତ କରାଯାଇଛି।

ସମାଜସେବୀ ଉମେଶ ଖଣ୍ଡେଲୱାଲଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କ ମାତା ଉର୍ମିଳା ଖଣ୍ଡେଲୱାଲଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସଂକଳ୍ପ ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅହରହ ସଂକଳ୍ପ ପଥରେ ଅଗ୍ରସର ହୋଇ ବନ୍ଧୁ ସହୋଦର ଓ ରାମଭକ୍ତ ମାନଙ୍କ ଠାରୁ ସହଯୋଗ ରାଶି ସଂଗ୍ରହରେ ଉମେଶ ଭାଇଙ୍କ ନିଷ୍ଠା ଓ ଏକାଗ୍ରତାର ଭୁରି ଭୁରି ପ୍ରଂଶସା କରିଥିଲେ।

ନିଧି ସମର୍ପଣ କାର‌୍ୟ୍ୟକ୍ରମ ଅବସରରେ ଅଭିଯାନର ସହ ପ୍ରମୁଖ ପବିତ୍ର କୁମାର ସ୍ବାଇଁ, ଜୟକୃଷ୍ଣ ପୃଷ୍ଟି, ହିରଣ୍ମୟ ଦାସ, ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ସଂପାଦକ ଆନନ୍ଦ ପାଣ୍ଡେ, ସତୀଶ ସତପଥୀ, ଦିଲ୍ଲୀପ ଖଣ୍ଡେଲୱାଲ ଓ ରାଜେଶ କେଜରିଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ଧନ୍ୟବାଦ ଉତ୍ତରରେ ଉମେଶ ଖଣ୍ଡେଲୱାଲ କୋଟି ହୃଦୟର ଆଦର୍ଶ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣରେ ସହଭାଗି ହେବା, ଏକ ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବା ଏବଂ ଛୋଟ ଭୂମିକା ନିର୍ବାହର ସୁଯୋଗ ଆମ ପାଇଁ ପରମ ସୌଭାଗ୍ୟର ବିଷୟ ବୋଲି ମତବ୍ୟକ୍ତ କରିଥିଲେ।