Categories
ବିଶେଷ ଖବର

ସରିଲା ପୌରାଞ୍ଚଳ ପାଇଁ ମତଦାନ: ଭୁବନେଶ୍ଵର ମହାନଗର ନିଗମରେ ପଡିଲା ୫୦ ପ୍ରତିଶତ ଭୋଟ

ଭୁବନେଶ୍ଵର: ରାଜ୍ୟର ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯାଇଛି। କିଛି ବୁଥକୁ ଛାଡିଦେଲେ ପ୍ରାୟ ସବୁ ବୁଥରେ ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ ହୋଇଛି। ଭୋଟ ଗ୍ରହଣ ପରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ଆଜି ୧୦୬ ଟି ପୌରାଞ୍ଚଳରେ ହୋଇଥିବା ମତଦାନରେ ୬୫ ପ୍ରତିଶତ ଭୋଟ ପଡିଥିବା ଶ୍ରୀ ପାଢୀ କହିଛନ୍ତି। ଭୁବନେଶ୍ଵର ମହାନଗର ନିଗମରେ ମୋଟ ୫୦ ପ୍ରତିଶତ ଭୋଟ ପଡିଥିବା ବେଳେ କଟକ ମହାନଗର ନିଗମରେ ୬୫ ପ୍ରତିଶତ, ବ୍ରହ୍ମପୁର ମହାନଗର ଅଞ୍ଚଳରେ ୪୭ ପ୍ରତିଶତ ମତଦାନ ହୋଇଛି।

ଉମରକୋଟ ୱାର୍ଡ ନଂ-୮ ରେ ଅଧ୍ୟକ୍ଷ ପଦବୀ ପାଇଁ ମତଦାନ ବନ୍ଦ ରହିଥିବା ବେଳେ ଆସନ୍ତାକାଲି ପୁଣିଥରେ ସେଠାରେ ମତଦାନ ହେବ ବୋଲି ନିର୍ବାଚନ ଆୟୁକ୍ତ ଘୋଷଣା କରିଛନ୍ତି। ସେଠାରେ ଭୁଲ ବାଲାଟ ପାଇଁ ମତଦାନ ବନ୍ଦ କରାଯାଇଛି।

ସେହିଭଳି ଭଦ୍ରକ ଓ ଧାମନଗରରେ ପୁନଃ ଭୋଟ ଗ୍ରହଣ ହୋଇପାରେ ବୋଲି ଶ୍ରୀ ପାଢୀ କହିଛନ୍ତି। ସେଠାରେ ନିର୍ବାଚନୀ ହିଂସା ଖବର ଥିବାରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ପୁନଃ ଭୋଟ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।